ନିରାଶ୍ରୟଙ୍କ ପୃଥିବୀ

ଅଲେଖ ଚନ୍ଦ୍ର ମିଶ୍ର

ପ୍ରଖ୍ୟାତ ଇଂରେଜୀ କବି ଅ‌ାଲେକଜାଣ୍ଡାର୍‌ ପୋପ୍‌ଙ୍କର ଲୋକପ୍ରିୟ କବିତା ‘ଓଡ୍ ଅନ୍‌ ସଲିଚ୍ୟୁଡ୍‌’ର ଏକ ପଂକ୍ତି ହେଲା, ‘‘ହାପି ଦ ମ୍ୟାନ୍ ହୁଜ୍ ୱିସ୍ ଆଣ୍ଡ୍ କେୟାର୍ ଏ ଫିଉ ପାଟର୍ନାଲ୍ ଏକର୍‌ସ୍ ବାଉଣ୍ଡ୍ କଣ୍ଟେଣ୍ଟ୍ ଟୁ ବ୍ରେଦ୍, ହିଜ୍ ନେଟିଭ୍ ଏୟାର୍ ଇନ୍ ହିଜ୍ ଓନ୍ ଗ୍ରାଉଣ୍ଡ୍’’ (ଯେଉଁ ଲୋକ ନିଜର ପୈତୃକ ଭୂମିରେ ବାୟୁ ଆସ୍ବାଦନର ଆନନ୍ଦ ପାଏ ସେ ସୁଖୀ)। ଏହା ଏକ ଚିରନ୍ତନ ସତ୍ୟ। ମଣିଷର ତିନିଟି ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଧ୍ୟରୁ ପ୍ରଥମ ଦୁଇଟି ଯୋଗାଡ଼ କରିବା ଅପେକ୍ଷାକୃତ ସହଜ; କିନ୍ତୁ ତୃତୀୟଟି କଷ୍ଟକର। ତାହା ହୁଏ’ତ ଉତ୍ତରାଧିକାର ସୂତ୍ରରେ ମିଳେ ବା ତାକୁ ଗଢ଼ିବାକୁ ପଡ଼େ ଅଥବା ଭଡ଼ା ଦେଇ ଅସ୍ଥାୟୀ ରୂପେ କାହାର ମନ ମର୍ଜିର ଆଶ୍ରିତ ହେବାକୁ ପଡ଼େ। ଯେଉଁମାନଙ୍କର ଘର ନ ଥାଏ, ସେମାନେ ହୁଏ’ତ ଯାଯାବର ବା ଶରଣାର୍ଥୀ କିମ୍ବା ଆଶ୍ରୟପ୍ରାର୍ଥୀ ହୋଇ ରହନ୍ତି। ଏ ପରିପ୍ରେକ୍ଷୀରେ ଯାହା ଉଦ୍‌ବେଗର ବିଷୟ ତାହା ହେଲା, ଏମାନଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଇବାରେ ଲାଗିଛି।

୨୦୧୫ରେ ମିଳିତ ଜାତିସଂଘ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼େ ଯେ ସାରା ପୃଥିବୀରେ ଗୃହହୀନ ଲୋକଙ୍କ ସଂଖ୍ୟା ୧.୬ ବିଲିଅନ୍‌ ଅର୍ଥାତ୍‌ ୧୬୦ କୋଟି। ଫିଲିପାଇନସ୍‌ର ରାଜଧାନୀ ମାନିଲା ହେଉଛି ପୃଥିବୀର ସବୁଠାରୁ ଅଧିକ ସଂଖ୍ୟକ ବାସହୀନ ଲୋକ ରହୁଥିବା ସହର (୩.୧ ନିୟୁତ)। ଏପରିକି ସବୁଠାରୁ ଧନୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ୧.୫୬ ନିୟୁତ (ମୋଟ ଜନ ସଂଖ୍ୟାର ୦.୫%) ଲୋକ ଗୃହଶୂନ୍ୟ। ସବୁଠୁ ଜନବହୁଳ ରାଷ୍ଟ୍ର ଚୀନରେ ୨.୪୧ ନିୟୁତ ଲୋକଙ୍କର ବାସଗୃହ ନାହିଁ। ଜଣାପଡ଼ିଛି ଯେ ଭାରତରେ ବାସହୀନଙ୍କ ସଂଖ୍ୟା ୧.୭୭ ନିୟୁତ ଯାହା ମୋଟ ଜନ ସଂଖ୍ୟାର ୦.୧୫ ପ୍ରତିଶତ।

ସଂପ୍ରତି ନିରାଶ୍ରୟଙ୍କ ସଂଖ୍ୟା ବୃଦ୍ଧି ପାଇବାର ଦୁଇ ପ୍ରମୁଖ କାରଣ ହେଉଛି ଯୁଦ୍ଧ ଏବଂ ଆତଙ୍କବାଦ। ଆଫ୍ରିକୀୟ ଦେଶଗୁଡ଼ିକରେ ଏହାର କାରଣ ଦୁର୍ଭିକ୍ଷ। ଯୁଦ୍ଧ ବା ଆତଙ୍କବାଦ ବା କ୍ଷୁଧା କବଳରୁ ରକ୍ଷା ପାଇବା ଲାଗି ପ୍ରତ୍ୟହ ହଜାର ହଜାର ସଂଖ୍ୟକ ଲୋକ ଆପଣା ବାସସ୍ଥାନ ଛାଡ଼ି ବାହାର ଦେଶ ବା ରାଜ୍ୟରେ ନିରାଶ୍ରୟ ଶରଣାର୍ଥୀର ଜୀବନ ବିତାଉଛନ୍ତି। ତେବେ ସାଧାରଣ ସମୟରେ ଏହାର କାରଣ ହୋଇପାରେ ବିଭିନ୍ନ କାରଣରୁ ଗୃହର ମାଲିକାନାରୁ ବଂଚିତ ହେବା, ଛାଡ଼ପତ୍ର, ପାରିବାରିକ ହିଂସା, ପ୍ରାକୃତିକ ଦୁର୍ବିପାକ ଇତ୍ୟାଦି। ରୋହିଙ୍ଗ୍ୟାମାନଙ୍କ ଭଳି ମଧ୍ୟ ଏମିତି ବର୍ଗ ଅଛନ୍ତି ଯେଉଁମାନଙ୍କୁ ପୃଥିବୀର କୌଣସି ରାଷ୍ଟ୍ର ଗ୍ରହଣ କରୁ ନାହାନ୍ତି ଏବଂ ସେମାନେ ବାଂଲାଦେଶ ହେଉ ବା ମ୍ୟାମାର ସବୁଠି ଏକ ପ୍ରକାର ଚିରନ୍ତନ ଶରଣାର୍ଥୀର ଜୀବନ ଜିଉଛନ୍ତି।

ଏହାର ବିପରୀତ ସ୍ଥିତିଟି ଦେଖାଯାଏ ଜାପାନରେ। ଉଦାହରଣ ସ୍ବରୂପ ଜାପାନରେ ଘର ସଂଖ୍ୟା ୬.୧ କୋଟି ହୋଇଥିବା ବେଳେ ଘରର ମାଲିକାନା ସ୍ବତ୍ବ ଥିବା ଲୋକଙ୍କ ସଂଖ୍ୟା ୫.୨ କୋଟି। ଜାପାନର ଲୋକ ସଂଖ୍ୟା ପ୍ରାୟ ୧୨ କୋଟି। ଯଦି ବାପା, ମା’ ଓ ତାଙ୍କ ଗୋଟିଏ ସନ୍ତାନକୁ ନେଇ ଏକ କ୍ଷୁଦ୍ରତମ ପରିବାରର ପରିକଳ୍ପନା କରାଯାଏ ତାହା ହେଲେ ପରିବାର ସଂଖ୍ୟା ଚାରି କୋଟି। ଏହାର ଅର୍ଥ ସେଠାରେ ପରିବାର ବା ସ୍ବତ୍ବାଧିକାରୀଙ୍କ ତୁଳନାରେ ଘର ସଂଖ୍ୟା ଅଧିକ। ଏହାର ଅର୍ଥ ଜାପାନରେ ସମସ୍ତଙ୍କ ଲାଗି ଆଶ୍ରୟ ସ୍ଥଳ ରହିଥିବା ସହିତ ଅନେକ ଘର ଅବ୍ୟବହୃତ ‌େହାଇ ପଡ଼ି ରହିଛି। ସେଠାରେ ଗ୍ରାମରୁ ସହରକୁ ଯାଉଥିବା ଲୋକେ ସେଠାରେ ଘର କରି ରହିଯାଉଛନ୍ତି। ଗାଁକୁ ଫେରୁ ନ ଥିବାରୁ ସେହି ସବୁ ଘର ଖାଲି ପଡୁଛି। ଭାରତରେ ମଧ୍ୟ ସେଭଳି ଅବସ୍ଥା। ଗାଁରେ ଘର ଭୂତକୋଠି, କାରଣ ସହରରେ ଘର କରି ଲୋକେ ରହିଯାଉଛନ୍ତି ଓ ଗାଁକୁ ଫେରୁ ନାହାନ୍ତି। କିନ୍ତୁ ଜାପାନ ଓ ଭାରତ ମଧ୍ୟରେ ସବୁଠାରୁ ବଡ଼ ତଫାତ ହେଲା ପରିସଂଖ୍ୟାନ ଆଧାରରେ କହିହେବ ଯେ ଜାପାନରେ ଆଶ୍ରୟହୀନ ହୋଇ କେହି ନାହାନ୍ତି, କିନ୍ତୁ ଭାରତରେ କାହାର ଏକାଧିକ ଘର ତ କାହା ପାଖରେ ମୁଣ୍ଡ ଗୁଞ୍ଜିବାକୁ ଚାଳିଆଟିଏ ନାହିଁ।

ଜାତିସଂଘ ପ୍ରଣୀତ ସାର୍ବଜନୀନ ମାନବ ଅଧିକାର ସନନ୍ଦର ଧାରା ୨୫.୧ ଏବଂ ଆମ ସମିଧାନର ଧାରା ୧୪ ରୁ ୨୧ ଅନୁଯାୟୀ ପ୍ରତ୍ୟେକ ମଣିଷର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ଏହାର ଏକ ମୁଖ୍ୟ ଅଂଶ ହେଲା ଏକ ସୁରକ୍ଷିତ ଆଶ୍ରୟ। ସେଥିପାଇଁ ନିରାଶ୍ରୟମାନଙ୍କୁ ଘର ଯୋଗାଇ ଦେବା ପାଇଁ ପ୍ରାୟ ସବୁ ରାଷ୍ଟ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ଆମ ଦେଶରେ ମଧ୍ୟ ପି.ଏମ୍. ଏ. ୱାଇ (ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ବାସହୀନମାନଙ୍କୁ ଆଶ୍ରୟ ଦେବା ଲାଗି କାର୍ଯ୍ୟ କରୁଛି। କିନ୍ତୁ ଏହା ସତ ଯେ ପ୍ରାକୃତିକ ଦୁର୍ବିପାକ, ଯୁଦ୍ଧ, କ୍ଷୁଧା ଆଦିର ବିଲୋପ ନ ହେଲେ ଏ ସମସ୍ୟାର ସମାଧାନ ଅସମ୍ଭବ।

ମୋ- ୯୪୩୮୬୭୩୮୯୮

ସମ୍ବନ୍ଧିତ ଖବର