ଇତି ମଧ୍ୟରେ ଲୋକଲୋଚନକୁ ଆସିଛି ଜଣେ ରୁଷୀୟ ‘ବାର୍ ପରିଚାରକ’ଙ୍କ କାହାଣୀ, ଯିଏ ସେଣ୍ଟ ପିଟର୍ସବର୍ଗରେ କାର୍ଯ୍ୟ କରୁଥିଲେ ଏବଂ ଗଲା ଡିସେମ୍ବରରେ ପାଞ୍ଚ ଜଣ ବନ୍ଧୁଙ୍କ ସହିତ ଭାରତ ପରିଭ୍ରମଣରେ ଆସି କରୋନା କାଳୀନ ଲକ୍ଡାଉନ୍ କାରଣରୁ ଏଠାରେ ଅଟକି ଯାଇଛନ୍ତି। ଏଠାରେ ତିଷ୍ଠି ରହିବା ଲାଗି ସେ ଯାବତୀୟ ସଂଘର୍ଷ କରିଛନ୍ତି ଏବଂ ଶେଷରେ ଭିକ୍ଷା ମାଗିଛନ୍ତି।
ତାଙ୍କ ନାମ ଆଲେକସାଣ୍ଡ୍ର। ତାଙ୍କର ବନ୍ଧୁମାନେ ନିଜ ନିଜ ପରିବାର ଏବଂ ବନ୍ଧୁମାନଙ୍କ ଠାରୁ ଅର୍ଥ ଯୋଗାଡ଼ କରି ରୁଷିଆ ବାହୁଡ଼ି ଯିବାରେ ସମର୍ଥ ହୋଇଥିଲେ, କିନ୍ତୁ ଆଲେକସାଣ୍ଡ୍ର ତାହା ପାରି ନ ଥିଲେ। କାରଣ ତାଙ୍କର ମା’ ଦାରିଦ୍ର୍ୟ କାରଣରୁ ବିମାନ ଭଡ଼ା ଯୋଗାଡ଼ କରି ପାରି ନ ଥିଲେ। ସେ ଗୋଆରେ ଥିବା ବେଳେ ସାରା ପୃଥିବୀ କରୋନାକାଳୀନ ଲକ୍ଡାଉନ ଅଧୀନକୁ ଚାଲିଯାଇଥିଲା।
ତେବେ ଏଠାରେ ସାଧାରଣ ଲୋକଙ୍କ ଠାରୁ ଅଜସ୍ର ସାହାଯ୍ୟ ଓ ସମବେଦନା ପାଇ ଆଲେକସାଣ୍ଡ୍ର ଏ ଯାବତ୍ ଅତ୍ୟନ୍ତ ନିଃସ୍ବ ଅବସ୍ଥାରେ ଥାଇ ମଧ୍ୟ ଏକ ବିଦେଶ ଭୂମିରେ ବଞ୍ଚି ରହିଛନ୍ତି। ଗୋଆରେ ଥିବା ବେଳେ ଜୁନ୍ ମାସରେ ତାଙ୍କ ପାଖରେ ଥିବା ସମସ୍ତ ଅର୍ଥ ସରି ଯାଇଥିଲା। ସେ ଭିକ୍ଷା ମାଗିବା ଆରମ୍ଭ କରିଥିଲେ। ଅଗଷ୍ଟ ମାସରେ ଲକ୍ଡାଉନ ଟିକିଏ ହୁଗୁଳା ହେବା ପରେ ସେ ଟ୍ରକ୍ରେ ‘ଲିଫ୍ଟ’ ନେଇ ପହଞ୍ଚିଥିଲେ ଋଷିକେଶରେ; ତା’ ପରେ ଗୋଆଲିଅରେର ଏବଂ ସବା ଶେଷରେ ନବି ମୁମ୍ବାଇ ଠାରେ। ଏହି ସମୟ କାଳ ଭିତରେ ସେ ଟ୍ରକ୍ ଡାଲାରେ ବସି ଏ ଜାଗାରୁ ସେ ଜାଗା ଯାଇଛନ୍ତି, ଭିକ୍ଷା ମାଗିଛନ୍ତି, ଦୟାଳୁ ଲୋକଙ୍କ ଦ୍ବାରା ତାଙ୍କୁ ଦିଆଯାଇଥିବା ଖାଦ୍ୟ ଖାଇଛନ୍ତି ଏବଂ ବିଭିନ୍ନ ଘରର ବାରଣ୍ଡାରେ ବା ଫୁଟ୍ପାଥରେ ଶୋଇଛନ୍ତି।
ତେବେ, ନବି ମୁମ୍ବାଇରେ ନିଜ ଛାତିରେ ଏକ ପଟି ଝୁଲାଇ ତହିଁରେ ତାଙ୍କ ଦୁର୍ଦଶା କଥା ଲେଖି ଭିକ ମାଗୁଥିବା ବେଳେ ଜଣେ ସାମ୍ବାଦିକଙ୍କ ନଜରରେ ଆସିବା ପରେ ଏବେ ତାଙ୍କ ସ୍ଥିତି ବଦଳିଛି। ତାଙ୍କର ଖାଇବାର ବ୍ୟବସ୍ଥା ହୋଇଛି। ସ୍ଥାନୀୟ ପୁଲିସ ଥାନାରେ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ରୁଷିଆର ଦୂତାବାସକୁ କୁହାଯାଇ ତାଙ୍କ ଘର ବାହୁଡ଼ା ନେଇ କଥାବାର୍ତ୍ତା ଚାଲିଛି।
ଆଲେକସାଣ୍ଡ୍ର ନିଶ୍ଚିତ ଘରକୁ ଫେରିବେ। ସମ୍ଭବତଃ ଏ ଅନୁଭୂତିକୁ ନେଇ ସେ ଏକ ବହି ଲେଖିପାରନ୍ତି। ସେହି ବହିରେ ସେ ଯେଉଁ ଭାରତର ଚିତ୍ର ଦେବେ, ତାହା ସାଧାରଣ ଭାରତୀୟଙ୍କ ଚରିତ୍ରକୁ ଅଧିକ ଉଜ୍ଜ୍ବଳ କରିବ।