ଶରତବାବୁ ସ୍କୁଲ୍ରେ ପଢ଼ିଲାବେଳେ କବି ବିଚ୍ଛନ୍ଦ ଚରଣ ପଟ୍ଟନାୟକ ରେଭେନ୍ସା କଲେଜିଏଟ୍ ସ୍କୁଲ୍ ପରିସରରେ କଳିଙ୍ଗ ଭାରତୀ ନାମରେ ଏକ ଓଡ଼ିଆ ପ୍ରେମୀ ଅନୁଷ୍ଠାନ ଗଠନ କରିଥିଲେ ଯେଉଁଥିରେ କି ରେଭେନ୍ସା କଲେଜିଏଟ୍ ସ୍କୁଲ୍ର ଛାତ୍ରମାନେ ସ୍କୁଲ୍ର କ୍ଲାସ୍ ସରିଲା ପରେ ଓଡ଼ିଶାର ହୃତଗୌରବ, ଇତିହାସ, ସାହିତ୍ୟ, ସ˚ସ୍କୃତି ତଥା କବିମାନଙ୍କ ସମ୍ବନ୍ଧରେ ଆଲୋଚନା ମାଧ୍ୟମରେ ଅବଗତ ହେଉଥିଲେ। କେବଳ ଶରତ କର ନୁହନ୍ତି ତାଙ୍କ ଜ୍ୟେଷ୍ଠ ଭ୍ରାତା ରଜତ କୁମାର କର, ହୃଦାନନ୍ଦ ରାୟ ବିଚ୍ଛନ୍ଦବାବୁଙ୍କ ଦ୍ବାରା ବହୁଳ ଭାବେ ପ୍ରଭାବିତ ହୋଇଥିଲେ ଏବ˚ ତାଙ୍କୁ ଗୁରୁର ମାନ୍ୟତା ଦେଇଥିଲେ। ଶେଷଜୀବନ ପର୍ଯ୍ୟନ୍ତ ଶରତବାବୁ ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କର ପଦାନୁସରଣ କରି ଓଡ଼ିଶାର ସାହିତ୍ୟ, ସ˚ସ୍କୃତିର ଉନ୍ନତି ପାଇଁ ସମର୍ପିତ ଥିଲେ।
ମୁଁ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ରେ ରେଜିଷ୍ଟ୍ରାର ଥିବାବେଳେ ଶରତବାବୁ ଓଡ଼ିଶା ସରକାରରେ ଶିକ୍ଷା, ସ˚ସ୍କୃତି, କ୍ରୀଡ଼ା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ। ମୋର କାର୍ଯ୍ୟଶୈଳୀ ଓ ଦକ୍ଷତାର ସେ ଜଣେ ପ୍ରଶ˚ସକ ଥିଲେ। କ୍ରୀଡ଼ା ନିର୍ଦ୍ଦେଶକ ପଦବି ଚୟନରେ ମୋର ନିଯୁକ୍ତି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରିଥିଲେ ଏବ˚ ଏହି ପଦବିରେ କାର୍ଯ୍ୟ କଲାବେଳେ ମୁଁ ତାଙ୍କର ଘନିଷ୍ଠ ହେବା ପାଇଁ ସୁଯୋଗ ପାଇଥିଲି। ସେ ଥିଲେ ଏକ ଅମ୍ଳାନ ବ୍ୟକ୍ତିତ୍ବର ଅଧିକାରୀ। ଅଗାଧ ପାଣ୍ତିତ୍ୟ, ବିଚକ୍ଷଣ କାର୍ଯ୍ୟଶୈଳୀ, ନିର୍ଭୀକତା, ସ୍ପଷ୍ଟବାଦିତା, ଦୃଢ଼ ମନୋବଳ ଆଦି ଗୁଣର ଅପୂର୍ବ ସମନ୍ବୟ ଶରତ କରଙ୍କଠାରେ ଦେଖିବାକୁ ମିଳେ। ସାହିତ୍ୟ, ସ˚ସ୍କୃତି, କ୍ରୀଡ଼ା, ସମାଜସେବା ପ୍ରଭୃତି ସମ୍ବନ୍ଧରେ ସେ ଅନର୍ଗଳ ଭାଷଣ ଦେଇ ଶ୍ରୋତାମଣ୍ତଳୀଙ୍କୁ ମନ୍ତ୍ରମୁଗ୍ଧ କରିପାରନ୍ତି। ପ୍ରତିଦିନ ଅନ୍ୟୂନ ୪/୫ଟି ସଭାରେ ମୁଖ୍ୟ ଅତିଥି କିମ୍ବା ସଭାପତି ଭାବେ ଯୋଗଦେଇ ବକ୍ତୃତା ପ୍ରଦାନ କରନ୍ତି। ତାଙ୍କର ସଠିକ୍ ନେତୃତ୍ବ ଯୋଗୁଁ କ୍ରୀଡ଼ା ବିଭାଗ ଚଳଚଞ୍ଚଳ ହୋଇପାରିଥିଲା। କୌଣସି ବିଷୟର ନିଷ୍ପତ୍ତି ନେବା ପାଇଁ ସେ ବିଳମ୍ବ କରନ୍ତି ନାହିଁ। ସେ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା କଳିଙ୍ଗ ଷ୍ଟାଡିୟମ୍ ନିର୍ମାଣ ତ୍ବରାନ୍ବିତ କରାଇ କାର୍ଯ୍ୟକ୍ଷମ କରାଇଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୪ଟି ଷ୍ଟାଡିୟମ୍ ସେ ମନ୍ତ୍ରୀ ଥିବା ସମୟରେ ନିର୍ମିତ ହୋଇଥିଲା ଏବ˚ ନୂତନ କ୍ରୀଡ଼ା ଛାତ୍ରାବାସମାନ ପ୍ରତିଷ୍ଠା ହୋଇଥିଲା। ଛାତ୍ରୀମାନେ କ୍ରୀଡ଼ା ଛାତ୍ରାବାସରେ ରହି ପ୍ରଶିକ୍ଷଣ ପାଇବାର ସୁଯୋଗ ତାଙ୍କ ସମୟରେ ପ୍ରଥମେ ଆରମ୍ଭ ହୋଇଥିଲା। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ସେତେବେଳେ ରାଉରକେଲାର ଏଡିଏମ୍ ଥିଲେ ଏବ˚ ଛାତ୍ରୀମାନଙ୍କ ପାଇଁ ଛାତ୍ରାବାସ ସୁବିଧା ସୃଷ୍ଟି କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା।
ଶରତ କର ରେଭେନ୍ସା କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରି ସେତେବେଳର ଭାରତର ସୁବିଖ୍ୟାତ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ପଢ଼ିଲାବେଳେ ସେ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶ ଦ୍ବାରା ପ୍ରଭାବିତ ହୋଇଥିଲେ। ଶାସ୍ତ୍ରୀ କହିଥିଲେ ‘‘ଦେଶ ସ୍ବାଧୀନ ହେବା ପରେ ସବୁ ମେଧାବୀ ଯୋଗ୍ୟ ବ୍ୟକ୍ତି ସରକାରୀ ଚାକିରିଆ ହେଲେ ଦେଶ କିପରି ଦୃଢ଼ ରାଜନୈତିକ ନେତୃତ୍ବ ପାଇବ।’’ ଏହା ଶରତ କରଙ୍କ ଯୁବମାନସକୁ ଆନ୍ଦୋଳିତ କରିଥିଲା। ଓଡ଼ିଶାକୁ ଫେରିଆସି ସ୍ବଳ୍ପଦିନ ପାଇଁ ପ୍ରାଣନାଥ କଲେଜ ଖୋର୍ଦ୍ଧାରେ ସେ ଅଧ୍ୟାପକ ରୂପେ କାର୍ଯ୍ୟ କରିଥିଲେ। ତାଙ୍କ ଶିକ୍ଷାଦାନ ପ୍ରଣାଳୀ ଏତେ ଉଚ୍ଚକୋଟୀର ଥିଲା ଯେ ତାଙ୍କର ସହକର୍ମୀମାନେ ତାଙ୍କୁ ଅନୁସରଣ କରିବା ପାଇଁ ଚେଷ୍ଟା କରୁଥିଲେ। କଲେଜ ପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକ ମହାବିଦ୍ୟାଳୟ ଛାଡ଼ି ଅନ୍ୟ କେଉଁଆଡ଼େ ନ ଯିବାକୁ ତାଙ୍କୁ ପ୍ରବର୍ତ୍ତାଉଥିଲେ। କିନ୍ତୁ ଶରତ କରଙ୍କ ମନ ରାଜନୀତି ମାଧ୍ୟମରେ ଲୋକସେବା ପାଇଁ ଛଟପଟ ହେଉଥିଲା। ତାଙ୍କର ବାଗ୍ମିତା ଓଡ଼ିଶାର ତତ୍କାଳୀନ ପ୍ରସିଦ୍ଧ ରାଜନୀତିଜ୍ଞ ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ବନମାଳୀ ପଟ୍ଟନାୟକଙ୍କୁ ଆକର୍ଷିତ କରିଥିଲା। ସେମାନଙ୍କ ସ˚ସ୍ପର୍ଶରେ ଆସି ସେ ରାଜନୀତିରେ ଯୋଗଦାନ କରିଥିଲେ।
ସମୟକ୍ରମେ ଶରତ କର ବିଧାୟକ, ସା˚ସଦ, ମନ୍ତ୍ରୀ ଓ ବାଚସ୍ପତି ପଦ ଅଳଙ୍କୃତ କରିଥିଲେ। ତାଙ୍କର କାର୍ଯ୍ୟଦକ୍ଷତା ଯୋଗୁଁ ସେ ଭାରତବର୍ଷରେ ଶ୍ରେଷ୍ଠ ବିଧାନସଭା ବାଚସ୍ପତି ସମ୍ମାନ ଲାଭ କରିଥିଲେ। ରାଜନୈତିକ ବ୍ୟକ୍ତିମାନଙ୍କ ମଧ୍ୟରେ ଶିକ୍ଷା, ସ˚ସ୍କାର, ସ˚ସ୍କୃତି, ମୂଲ୍ୟବୋଧ ବଜାୟ ରଖିବା ପାଇଁ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶରତ କରଙ୍କୁ ଛତିଶଗଡ଼ ରାଜ୍ୟର ରାୟପୁରସ୍ଥିତ କଳିଙ୍ଗ ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୧୪ ମସିହାରେ ସମ୍ମାନଜନକ ଡି.ଲିଟ୍. ଉପାଧି ପ୍ରଦାନ କରାଯାଇଥିଲା। ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ, ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା।
ପୂର୍ବତନ କୁଳପତି, ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟ
ମୋ: ୯୨୩୮୩୦୦୨୬୫