ସ୍ୱର୍ଗତ ଶରତ କୁମାର କର ଥିଲେ ଶରତ ଋତୁ ଭଳି।
ମଣିଷ ବି ଗୋଟେ ଋତୁ। ସେ ଆସେ, ଫେରେ, ହେଲେ ଜଳବାୟୁର ଋତୁ ଭଳି ବର୍ଷଚକ୍ରର କ୍ରମ ଧରି ଆଉ ଫେରସ୍ତ ଆସେ ନାହିଁ। ଆମ ଜଳବାୟୁରେ ଛଅ ଋତୁ। ହେଲେ ଶରତ ଋତୁ ହିଁ ଶ୍ରେଷ୍ଠ। ରୂପ, ଗୁଣ, ଭାବ, ଅବଦାନ ସବୁଥିରେ ଏଇ ଋତୁଟି ଶୀର୍ଷ-ସ୍ଥାନୀୟ, ମନୋଜ୍ଞ ତଥା ମନୋହର। ଶରତ। ସେଇଥିପାଇଁ ଗୁରୁଜନମାନେ ଶରତ-କାମନା କରନ୍ତି। ଆଶୀର୍ବାଦ କରନ୍ତି- ‘‘ଜୀବେତ ଶରଦଃ ଶତମ୍’’।
ଶ୍ରୀ ଶରତ କର ବାପା ମାଆଙ୍କ ଠାରୁ ଶରତ ନାଆଁଟି ପାଇଥିଲେ। ନାଁ ସହ ଯୋଡ଼ା ହୋଇ ରହିଥିଲା ଏ ଆଶୀର୍ବାଦ। ଅଥଚ ମାତ୍ର ୮୧ ବର୍ଷ ବଞ୍ଚି ସ˚ସାର ଛାଡ଼ିଦେଲେ। ଏ ସନ ଶରତ ଋତୁ ଆସିଛି ମାତ୍ର ସେ ଆମ ଗହଣରେ ଆଉ ନାହାନ୍ତି।
ପୈତୃକ ଘର ମାହାଙ୍ଗାର ଚାୟାଁପାଳ ଗାଁ। କଟକରେ ଜନ୍ମ, ୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖ। ଓଡ଼ିଶା ମାଟିକୁ ଶରତ ଋତୁ ଆସିବା ଆସିବା ହେଉଥିବାବେଳେ ତାଙ୍କର ଜନ୍ମ। କି ସୁନ୍ଦର ସ˚ଯୋଗ।
ମାହାଙ୍ଗା ମାଟି ସାହିତ୍ୟ, ସ˚ସ୍କୃତି, କଳା, ଅଭିନୟ, ସୁଆଙ୍ଗର ମାଟି। ଅତଏବ ଶରତଙ୍କର ଶରତପଣ ସହିତ ଆପେ ସ˚ସ୍କୃତି, ସାହିତ୍ୟ କଳା ସହଜରେ ଯୋଡ଼ି ହୋଇଯାଇଥିଲା ପିଲାଦିନରୁ। କର ପରିବାରର ସହରୀ ଡେରା ଥିଲା କଟକ। ସେଇଠି ପାଠପଢ଼ି ସେ ସ୍ନାତକ ଡେଇଁଥିଲେ ୧୯୬୨ ମସିହାରେ। ତା’ପରେ ନାମକରା ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ କୃତିତ୍ବର ସହ ହୋଇଥିଲେ ଫାଷ୍ଟ୍ କ୍ଲାସ୍ ଫାଷ୍ଟ୍, ଗୋଲ୍ଡ ମେଡାଲିଷ୍ଟ୍। ସଙ୍ଗେ ସଙ୍ଗେ ଓଡ଼ିଶା ଫେରି ୧୯୬୪ରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ହୋଇଥିଲେ ଅଧୢାପକ, କେବଳ ସମୟ କାଟିବା ପାଇଁ।
କାରଣ ମନ ତାଙ୍କର ଅସଲ ଠିକଣା ପାଇ ସାରିଥିଲା। ରାଜନୀତିର ଠିକଣା। ଅଳ୍ପଦିନରେ ଅଧୢାପନା ଛାଡ଼ି ସେ ଡେଇଁଥିଲେ ରାଜନୀତିକୁ। ୧୯୬୭ରୁ ୧୯୭୧ ଯାଏ ନିଖିଳ ଭାରତ କ˚ଗ୍ରେସ କମିଟିର ସର୍ବକନିଷ୍ଠ ସଦସ୍ୟ ପାଲଟିଥିଲେ। ପୁଣି ୧୯୭୧ରେ ୩୧ ବର୍ଷ ବୟସରେ ମାହାଙ୍ଗାରୁ ବିଧାୟକ ନିର୍ବାଚିତ ହେଲେ ଓ ରାଜ୍ୟ ମନ୍ତ୍ରୀମଣ୍ତଳରେ ହେଲେ ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ। ୧୯୭୭ରୁ ୮୦ ଲୋକସଭା ସା˚ସଦ, ପୁଣି ମାହାଙ୍ଗାରୁ ବିଧାୟକ ହୋଇ ୧୯୯୦ରୁ ୧୯୯୫ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ। ଶେଷରେ ୨୦୦୦ ମସିହାରେ ଶେଷଥର ମାହାଙ୍ଗାରୁ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ। ସେତିକିବେଳେ ‘‘ବନ୍ଦେ ଉତ୍କଳ ଜନନୀ’’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ଲାଗି ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା। ଏମିତି କେତେ କେତେ ଅବଦାନ ତାଙ୍କର।
କୁହାଯାଏ ଯେ ରାଜନୀତି ହିଁ ଶ୍ରେଷ୍ଠନୀତି ଓ ସାହିତ୍ୟ କୀର୍ତ୍ତି ବା ଅକ୍ଷର-କୀତ୍ତି ହିଁ ଶ୍ରେଷ୍ଠ-କୀର୍ତ୍ତି। ସ˚ସ୍କୃତି ଗୋଟାଏ ସଭ୍ୟତାର ଶ୍ରେଷ୍ଠ-ସମ୍ପଦ। ଶ୍ରୀ ଶରତ କର ଚିରକାଳ ଥିଲେ ରାଜନୀତି, ସାହିତ୍ୟ ଓ ସ˚ସ୍କୃତି ସହ। ଶିକ୍ଷା ପ୍ରତି ତାଙ୍କର ଥିଲା ଅତୁଟ ସମ୍ପୃକ୍ତି। ମାହାଙ୍ଗାର ଭୂମିପୁତ୍ର ଗଣକବି ବୈଷ୍ଣବ ପାଣିଙ୍କ ଉପରେ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଇବାଠାରୁ ଅଞ୍ଚଳର ଶିକ୍ଷା, ସ˚ସ୍କୃତି ଓ ସାମୂହିକ ବିକାଶରେ ସେ ଥିଲେ ଆଯୌବନ ସହବଦ୍ଧ। ଅକ୍ଷର-କୀର୍ତ୍ତି ଧାରାରେ ସେ ଚାରିଗୋଟି ଉଚ୍ଚମାନର କବିତାଗ୍ରନ୍ଥ ଛାଡ଼ିଯାଇଛନ୍ତିି ଓଡ଼ିଶାର ପ୍ରିୟ ପାଠକ/ପାଠିକାଙ୍କ ପାଇଁ। ସେଗୁଡ଼ିକ ହେଲା ‘‘ଦ୍ରୁତ ବିଳମ୍ବିତ’’, ‘‘ମନ୍ଥନ’’, ‘‘ରୋମନ୍ଥନ’’ ଓ ‘‘ଅନନ୍ୟା’’।
ବାଗ୍ମିତାରେ ଶରତ କର ଥିଲେ ବେଗବାନ୍ ଫଲ୍ଗୁ ଓ ବନ୍ଧୁତାରେ ଥିଲେ ମନ୍ଦ ମନ୍ଦ ବାୟୁ ପରି କୋମଳ-ସ୍ନିଗ୍ଧ। ଓଡ଼ିଶା-ସ˚ସ୍କୃତି-ପ୍ରାଣ ବିଚ୍ଛନ୍ଦ ପଟ୍ଟନାୟକଙ୍କର ପଟ୍ଟଶିଷ୍ୟ ତଥା ଭଞ୍ଜ-ସାହିତ୍ୟର ଜଣେ ଉର୍ଜସ୍ବଳ ଉଦ୍ଗାତା। ଏଇ ବାକ୍ପଟୁତା ତାଙ୍କୁ ଖୁବ୍ ନିକଟତର କରି ରଖିଥିଲା ଓଡ଼ିଶାର ଅଦ୍ବିତୀୟ ରାଜନୀତି-ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ। ଓଡ଼ିଶା ରାଜନୀତି ସହ।
ରାଜନୀତିର ସବୁ ଶ୍ରେଷ୍ଠ ଛାତ୍ର ତାଙ୍କ ସମୟରେ ଅମଲା ପାହାଚର ଶ୍ରେଷ୍ଠ ବୃତ୍ତିଟିକୁ ପାଇବା ପାଇଁ ହମ ହମ ହେଉଥିଲେ। ପ୍ରଶାସନିକ ସେବାରେ ପଶି ଶାସନ ଚଳେଇବା ଥିଲା ଶତକଡ଼ା ଅନେଶ୍ବତଙ୍କର ଅନ୍ବେଷା। ଶରତ କର ବି ବୋଧେ ମୁହାଁଇଥିଲେ ସେ ଆଡ଼କୁ।
ଆହ୍ଲାବାଦ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନର ଶ୍ରେଷ୍ଠ ଛାତ୍ର। ବକ୍ତୃତା କହିବାରେ ଅନୁପମ ପଟୁତା। ଥରେ ସଭାରେ ଭେଟ ହେଇଗଲା ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ସହ। ଭଲ ଛାତ୍ର, ଭଲ କହିପାରୁଥିବା ଶରତଙ୍କର ଭବିଷ୍ୟତ ଯୋଜନା ସମ୍ପର୍କରେ ପଚାରିଥିଲେ ସେ। ଶରତଙ୍କର ଉତ୍ତର ଥିଲା, ‘‘ଶାସନ ପରିଚାଳନା ମାଧୢମରେ ଦେଶ ସେବା କରିବା’’। ‘‘ଶାସନ ପରିଚାଳନା ତ ଦେଶ ସେବା ନିଶ୍ଚୟ। ମାତ୍ର ଯେଉଁମାନେ ଶାସନ ପରିଚାଳନା କରିବେ ତା’ଙ୍କୁ ପରିଚାଳିତ କିଏ କରିବ?’’ଏହା ଥିଲା ଶାସ୍ତ୍ରୀଜୀଙ୍କର ପାଲଟା ପ୍ରଶ୍ନ।
ଶରତ କରଙ୍କ ମୁହଁରେ ଉତ୍ତର ନ ଥିଲା। ମାତ୍ର ଶାସ୍ତ୍ରୀଜୀଙ୍କର ଇଙ୍ଗିତ ଠିକ୍ ବୁଝିପାରିଥିଲେ ସେ। ଲାଲବାହାଦୁରଙ୍କଠାରୁ ଓଡ଼ିଶା କ˚ଗ୍ରେସ ମୁଖ୍ୟଙ୍କ ପାଖକୁ ଚିଠିଟିଏ ଧରି ସେ ଫେରିଥିଲେ ଓଡ଼ିଶା। ସ୍ବର୍ଗତ ବିଜୁ ପଟ୍ଟନାୟକ ସେତେବେଳେ ଓଡ଼ିଶା କ˚ଗ୍ରେସର ସବୁଠାରୁ ସମର୍ଥ ନେତା। ସେଇଠୁ ସମ୍ପର୍କ, ସେଇଠୁ ସହଯୋଗ, ସେଇଠୁ ସହକର୍ମିତା।
ଶରତ କୁମାର କର ରାଜନୀତିର କୁମାର ପାଲଟି ଗଲେ। ଆପଣା ପାରିବାରିକ ପୃଷ୍ଠପଟ ତାଙ୍କୁ ଦେଇଥିଲା ସାହିତ୍ୟ ଓ ସ˚ସ୍କୃତି, ଓଡ଼ିଶା ଦେଲା ରାଜନୀତିର କାନ୍ଭାସ ମାତ୍ର ମାହାଙ୍ଗା ଦେଇଥିଲା ପ୍ରତିନିଧିତ୍ବ।
ସ୍ବର୍ଗତ ଶରତ କୁମାର କର ଶରତ ଋତୁ ଭଳି ଥିଲେ କୋମଳ ପୁଣି ଉଦାର। ତାଙ୍କ ଜୀବନର ସଫଳତା ସେ ନିଜେ। ଶେଷବେଳକୁ କାଶତଣ୍ତୀର ବୁନ୍ଦା ପରି ରାଜନୀତିଠାରୁ ଦୂରେଇ ଯାଇ ସେ ଠିଆ ହୋଇଥିଲେ ଏକା ଏକା। କଥା ଦେଇଥିଲେ- ଆତ୍ମଜୀବନୀ ଲେଖିବେ। କଥା, କଥାରେ ରହିଗଲା। ନିଜେ ସେ ପାଲଟି ଗଲେ ଅଫେରା ଶରତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/sarat-kar.jpg)