ବଗଲା, ବଗଲା ଓ ରସଗୋଲା

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ପୁରୀର ବଗଲା ଧର୍ମଶାଳା ଜମି ବିବାଦ ଏବେ ଚରମରେ। ଗୋଟିଏ ପଟେ ମାମଲା ଯାଇ କଟକ ନାଲିକୋଠାରେ ଉଠିଥିବା ବେଳେ, ଅନ୍ୟପଟେ ତାହାକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି। କିନ୍ତୁ ଚାଲିଥିବା ରାଜନୈତିକ ଦ୍ୱନ୍ଦ୍ୱଯୁଦ୍ଧ ଭିତରେ, ‘ବଗଲା’ ନାଆଁଟି ଯେ ଆଉ ଗୋଟିଏ ସାଂସ୍କୃତିକ ସମର ସହ ଜଡ଼ିତ, ସେ ସଂପର୍କରେ ହୁଏତ ଅନେକେ ସଚେତନ ନୁହନ୍ତି।

ଅନେକେ ତଥାପି ଭୁଲି ନଥିବେ ଯେ ୨୦୧୫ ମସିହାରେ ‘ରସଗୋଲା’କୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ସହିତ ଓଡ଼ିଶାର ମିଠାଯୁଦ୍ଧ ଏକ ଉତ୍ତେଜକ ମୋଡ଼ରେ ପହଞ୍ଚିଥିଲା। ସେତେବେଳେ, ରସଗୋଲା ଯେ ବଙ୍ଗଳାର ତାହାକୁ ନେଇ ଯେଉଁସବୁ ତଥ୍ୟ, ପ୍ରମାଣ ପଶ୍ଚିମବଙ୍ଗ ପକ୍ଷରୁ ଦିଆଯାଇଥିଲା, ସେଥିରେ ଜଣେ ବଗଲାଙ୍କର ନାଆଁ ପ୍ରମୁଖ ଭାବେ ସ୍ଥାନ ପାଇଥିଲା। ସେ ଜଣକ ହେଲେ, ଭଗବାନ ଦାସ ବଗଲା।

କଲକାତାରେ ‘ରସଗୋଲା ପରିବାର’ କହିଲେ ବୁଝାଯାଏ କୃଷ୍ଣଚନ୍ଦ୍ର ଦାଶଙ୍କ ପରିବାରକୁ। କିନ୍ତୁ ସେ କେ. ସି. ଦାଶ ନାମରେ ପ୍ରସିଦ୍ଧ। ରସଗୋଲାର ଉଦ୍ଭାବକ ବୋଲି କୁହାଯାଉଥିବା ନବୀନ ଚନ୍ଦ୍ର ଦାଶଙ୍କର ସେ ଏକମାତ୍ର ସନ୍ତାନ। ଆଜି କଲକାତା ରସଗୋଲାର ଯେଉଁ ପରିଚିତି, ତାହା ମୁଖ୍ୟତଃ ତାଙ୍କ ଯୋଗୁଁ ସମ୍ଭବ ହୋଇଛି। କାରଣ ନିଜର ପିତା ନବୀନ ଚନ୍ଦ୍ର ଦାଶଙ୍କ ରସ‌େଗାଲାକୁ ସେ ଏକ ବ୍ୟାବସାୟିକ ଭିତ୍ତି ଦେଇଥିଲେ ଏବଂ ପ୍ରଥମକରି ତାହାକୁ ଟିଣ ଡବାରେ ମୁଦ କରି ତାହାର ପରିଚୟକୁ ବ୍ୟାପ୍ତ କରିଥିଲେ। କିନ୍ତୁ ତାଙ୍କ ପରିବାର ପକ୍ଷରୁ ଯେଉଁ କାହାଣୀଟି ପ୍ରଚାରିତ ଓ ପ୍ରସାରିତ ହୋଇଛି, ତାହା କହେ ଯେ ନବୀନ ଚନ୍ଦ୍ର ଦାଶଙ୍କ ରସଗୋଲାର ପ୍ରଥମ ପ୍ରଚାରକ ଓ ପ୍ରସାରକ ଥିଲେ ଭଗବାନ ଦାସ ବଗଲା।

ଭଗବାନ ଦାସ ବଗଲା ଜଣେ ରାଜସ୍ଥାନୀ ବ୍ୟବସାୟୀ। ‘ୱିକିପିଡିଆ’ର ତଥ୍ୟ ଅନୁସାରେ, ସେ ଥିଲେ ପ୍ରଥମ ମାରୱାଡ଼ୀ ଶେଖାୱତୀ କୋଟିପତି। ରାଜସ୍ଥାନର ‘ଚୁରୁ’ ଜିଲ୍ଲାରେ ତାଙ୍କର ଘର। ସେ ମୂଳତଃ ଜଣେ କାଠ ବ୍ୟବସାୟୀ। ପରେ ସେ ବର୍ମା (ଏବର ମିଆଁମାର) ଆସି ରେଙ୍ଗୁନ୍‌ରେ ବସବାସ କଲେ। ଇଂରେଜମାନେ ବର୍ମା ସହ ତିନିଟି ପର୍ଯ୍ୟାୟରେ ଯେଉଁ ଯୁଦ୍ଧ ଲଢ଼ିଥିଲେ, ସେଥିରେ ସେ ଇଂରେଜବାହିନୀକୁ ଜିନିଷପତ୍ର ଯୋଗାଇବା ସହିତ ରାସ୍ତା ଓ କୋଠା ଆଦି ନିର୍ମାଣର କଣ୍ଟ୍ରାକ୍ଟରି କରି ପ୍ରଚୁର ଅର୍ଥ ଓ ସଂପତ୍ତି ଅର୍ଜନ କରିଥିଲେ। ୧୮୯୦ରେ ତାଙ୍କୁ ଇଂରେଜ ସରକାର ‘ରାୟ ବାହାଦୁର’ ଉପାଧି ମଧ୍ୟ ପ୍ରଦାନ କରିଥିଲେ।

ଏହାର ପୃଷ୍ଠଭୂମି ସଂପର୍କରେ ଓଡ଼ିଶାରୁ ପ୍ରକାଶିତ ଗୋଟିଏ ହିନ୍ଦୀ ପୁସ୍ତକରେ ମଧ୍ୟ ଉଲ୍ଲେଖ ଅଛି। କଟକର ମାଣିକଘୋଷ ବଜାରରୁ ‘ବିଦ୍ୟାସାଗର’ ଦ୍ୱାରା ପ୍ରକାଶିତ ତଥା ନନ୍ଦକିଶୋର ଯୋଶୀଙ୍କ ଦ୍ୱାରା ପ୍ରସ୍ତୁତ ସେହି ପୁସ୍ତକଟି ହେଉଛି ‘ଓଡ଼ିଶା ମେଁ ମାରୱାଡ଼ୀ ସମାଜ’। ପୁସ୍ତକର ‘ପୃଷ୍ଠଭୂମି’ରେ ଭଗବାନ ଦାସ ବଗଲାଙ୍କ ମୂଳସ୍ଥାନ ଚୁରୁ ଜିଲ୍ଲା ସମେତ ଅନ୍ୟାନ୍ୟ ସ୍ଥାନ, ବ୍ୟାବସାୟିକ ମାର୍ଗ ଓ ବ୍ୟାବସାୟିକ ପେଣ୍ଠ ଦୃଷ୍ଟିରୁ କିପରି ଗୁରୁତ୍ୱପୂର୍ଣ୍ଣ ଥିଲା, ତାହାର ବିବରଣୀ ଅଛି। ରାଜପୁତାନା ଥିଲା ସେସବୁର ମୁଖ୍ୟ କେନ୍ଦ୍ର। ପୁସ୍ତକରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ ଊନବିଂଶ ଶତାବ୍ଦୀର ଆଦ୍ୟପାଦରେ ଇଂରେଜମାନେ କପା, ଆଖୁ, ଉଲ୍‌, ଅଫିମ, ଝୋଟ ଓ ଚା’ ଆଦିର ବ୍ୟବସାୟ ଉପରେ ଦୃଷ୍ଟି କେନ୍ଦ୍ରିତ କରିଥିଲେ ଏବଂ ତାହା ରାଜପୁତାନା ସହିତ ସଂପୃକ୍ତ ବ୍ୟବସାୟୀମାନଙ୍କୁ ଆକୃଷ୍ଟ କରିଥିଲା। ପରେ ରେଳପଥ କାମ ଆରମ୍ଭ ହୋଇ ରେଳ ଚଳାଚଳ ହେବା ଫଳରେ, ମାରୱାଡ଼ୀ ବ୍ୟବସାୟୀମାନେ ଅନ୍ୟସ୍ଥାନକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବାରେ ଲାଗିଲେ। ୧୮୬୦ରେ ଦିଲ୍ଲୀ ଓ କଲିକତା ମଧ୍ୟରେ ରେଳଯାତ୍ରା ଆରମ୍ଭ ହେଲା ଏବଂ ତାର କିଛି ବର୍ଷ ପରେ ରାଜସ୍ଥାନକୁ ରେଳପଥ ସଂଯୁକ୍ତ ହୋଇଗଲା। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ରେଳପଥ ନିର୍ମାଣ ପାଇଁ କାଠର ବିଶେଷ ପ୍ରୟୋଜନ ଥିଲା ଏବଂ ମଝିରେ ମଝିରେ ପୋଲ ନିର୍ମାଣର ପ୍ରୟୋଜନ ମଧ୍ୟ ପଡ଼ୁଥିଲା। ଫଳରେ ଭଗବାନ ଦାସ ବଗଲା ପ୍ରଚୁର ଅର୍ଥ ଉପାର୍ଜନର ଅବକାଶ ପାଇପାରିଥିଲେ।

ସେତେବେଳେ କଲିକତା ସହର ଇଂରେଜମାନଙ୍କର ଏକ ମୁଖ୍ୟ ଉପନିବେଶ ତଥା ବାଣିଜ୍ୟପେଣ୍ଠ ଥିବାରୁ, ଭଗବାନ ଦାସ ବଗଲା ସ୍ୱାଭାବିକ ଭାବରେ କଲିକତାର ଜଣେ ପ୍ରମୁଖ ବ୍ୟକ୍ତି ପାଲଟି ଯାଇଥିଲେ। ଏହି ଭଗବାନ ଦାସ ବଗଲାଙ୍କୁ କେ. ସି. ଦାଶ ପରିବାର ବହୁ ପରବର୍ତ୍ତୀ କାଳରେ ତାଙ୍କ ରସଗୋଲାର ପ୍ରଚାରପ୍ରସାର ପାଇଁ ଏକ କାହାଣୀ ଜରିଆରେ ଯୋଡ଼ି ଦେଇଛନ୍ତି। ସେହି କାହାଣୀ ଅନୁସାରେ, ସେତେବେଳକୁ କଲିକତାର ବାଗବଜାର ଦୋକାନରେ ନବୀନ ଚନ୍ଦ୍ର ଦାଶ ତାଙ୍କର ନୂଆ ମିଠା ରସଗୋଲା ପ୍ରସ୍ତୁତ କରୁଥାଆନ୍ତି। ଦିନେ ନିଜର ସାନ ପୁଅକୁ ନେଇ ସେହି ବାଟ ଦେଇ ଯାଉଥିବା ବେଳେ, ପୁଅକୁ ଶୋଷ କଲା। ସେ ନବୀନ ଚନ୍ଦ୍ରଙ୍କ ଦୋକାନ ଆଗରେ ଗାଡ଼ି ଅଟକାଇ ପୁଅ ପାଇଁ ପାଣି ମାଗିଲେ। ନବୀନ ଚନ୍ଦ୍ର ପାଣି ସହିତ ତାକୁ ମାଗଣାରେ ରସଗୋଲା ଖାଇବାକୁ ଦେଲେ। ତାହା ଖାଇ ପୁଅ ଏତେ ଖୁସି ହୋଇଗଲା ଯେ ଭଗବାନ ଦାସ ବଗଲା ସାଙ୍ଗେସାଙ୍ଗେ କେତେ କିଲୋ ରସଗୋଲା ବରାଦ କରିଦେଲେ। କେବଳ ସେତିକି ନୁହେଁ, ପରବର୍ତ୍ତୀ କାଳରେ ତାଙ୍କ ଯୋଗୁଁ ନବୀନଚନ୍ଦ୍ରଙ୍କ ରସଗୋଲା ମଧ୍ୟ ବହୁ ଖ୍ୟାତି ଲାଭ କଲା।

‘ୱିକିପିଡିଆ’ ଅନୁସାରେ, ଏ ଉପାଖ୍ୟାନର ତଥ୍ୟସୂତ୍ର ହେଉଛି, ୨୦୧୧ ମସିହା ଅକ୍ଟୋବର ୨୯ରେ, ‘ଇଣ୍ଡିଆନ୍ ଏକ୍ସପ୍ରେସ୍‌’ରେ ପିୟାଶ୍ରୀ ଦାସଗୁପ୍ତ ପ୍ରକାଶ କରିଥିବା ଗୋଟିଏ ଲେଖା। କେ. ସି. ଦାଶଙ୍କ ରସଗୋଲା ବ୍ୟବସାୟ ପ୍ରତିଷ୍ଠାନର ୭୫ତମ ପ୍ରତିଷ୍ଠା ବର୍ଷ ଅବସରରେ, ଏହି ଯେଉଁସବୁ କଥା ସେହି ପରିବାରର ଦାୟାଦ ଧୀମାନ ଦାଶ କହିଥିଲେ, ତାହା ପିୟାଶ୍ରୀ ସେଥିରେ ପ୍ରକାଶ କରିଛନ୍ତି। ପରବର୍ତ୍ତୀ କାଳରେ, ସେହି କାହାଣୀ ‘ୱିକିପିଡିଆ’ ସମେତ ଅନ୍ୟାନ୍ୟ ପୁସ୍ତକ ଓ ପତ୍ରପତ୍ରିକାରେ ଏବଂ ହରିପଦ ଭୌମିକଙ୍କ ବଙ୍ଗଳା ‘ରସଗୋଲ୍ଲା’ ବହିରେ ମଧ୍ୟ ପ୍ରକାଶ ପାଇଛି।

ଏବେ ପୁରୀର ‘ବଗଲା ଧର୍ମଶାଳା’ର ଜମିକୁ ନେଇ ଯେଉଁ ବିବାଦ ଓ ବିତର୍କ ଚାଲିଛି, ସେ ଧର୍ମଶାଳାର ପୂରା ନାଆଁ ‘କହ୍ନେୟାଲାଲ ବଗଲା ଧର୍ମଶାଳା’। ତାହାର ସମସ୍ତ ଶ୍ରେୟର ଅଧିକାରୀ କହ୍ନେୟାଲାଲ ବଗଲା। ସେ ହେଉଛନ୍ତି ଭଗବାନ ଦାସ ବଗଲାଙ୍କର ପୁତ୍ର। ଓଡ଼ିଶାର ତଥା ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ଇତିହାସର ଯେଉଁ କରୁଣ ଅଧ୍ୟାୟ ତାଙ୍କୁ ସେହି ଧର୍ମଶାଳା ନିର୍ମାଣ ପାଇଁ ପ୍ରଚୋଦିତ କରିଥିଲା, ତାହାର ବିବରଣୀ ଏହି ସ୍ତମ୍ଭରେ ପୂର୍ବରୁ (୨୮ ଅଗଷ୍ଟ, ୨୦୨୦ରେ) ଦିଆଯାଇଛି। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଭଗବାନ ଦାସ ବଗଲା ତାଙ୍କ ନାମରେ ରେଙ୍ଗୁନରେ ଗୋଟିଏ ଧର୍ମଶାଳା ନିର୍ମାଣ କରିବା ପରି, କହ୍ନେୟାଲାଲ ବଗଲା ପୁରୀର ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ବଡ଼ଦାଣ୍ଡର ବଳଗଣ୍ଡିଠାରେ ଏହି ଧର୍ମଶାଳା ନିର୍ମାଣ କରିଥିଲେ। କିନ୍ତୁ ପରିତାପର ବିଷୟ ହେଉଛି, ପଡ଼ୋଶୀ ପଶ୍ଚିମବଙ୍ଗ, ଇତିହାସରେ କୌଣସି ସୂତ୍ର ନଥିବା କାହାଣୀକୁ ନେଇ ତାଙ୍କ ରାଜ୍ୟର ଇତିହାସରେ ନୂଆ ପୃଷ୍ଠା ଯୋଡ଼ୁଥିବା ବେଳେ, ଆମେ ପ୍ରଚୁର ପ୍ରାମାଣିକତା ଥିବା ସତ୍ତ୍ୱେ, ଆମ ଇତିହାସର ପୃଷ୍ଠାଗୁଡ଼ିକୁ କଳାପାହାଡ଼ ପରି ପ୍ରତିଦିନ ଧ୍ୱଂସ କରିଚାଲିଛୁ। ବଗଲା ଧର୍ମଶାଳା ଏହାର ଏକ ସଦ୍ୟତମ ଦୃଷ୍ଟାନ୍ତ ମାତ୍ର।

ଏହି ସ୍ତମ୍ଭର ପୂର୍ବଲେଖରେ ଉଲ୍ଲେଖ ଅଛି ଯେ ୧୯୦୪ ମସିହା ଜୁଲାଇ ମାସରେ ଏହି ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ୧୯୯୯ ମସିହାରେ ପୁରୀ ତହସିଲରେ ହୋଇଥିବା ଗୋଟିଏ ମାମଲା (ନଂ. ଓ.ଇ.ଏ.-୩୯)ରେ ମଧ୍ୟ ଏ ସଂପର୍କରେ ସୂଚନା ଅଛି। ତାହାର ବିବରଣୀରେ କୁହାଯାଇଛି- ବାବୁ କହ୍ନେୟାଲାଲ ବଗଲା ବଙ୍ଗଳା ସରକାରଠାରୁ ୧୯୦୦ ମସିହାରେ ସେହି ଜମି କିଣି ସେଥିରେ ପୁରୀର ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣ କରିଥିଲେ। ସେହି ମାମଲାର ବିବରଣୀ ଅନୁସାରେ, ୧୯୦୫ ମସିହାରେ ତାହା ପୁରୀର ଜିଲା ମାଜିଷ୍ଟ୍ରେଟ୍ ତଥା ଲଜିଂ ହାଉସ୍ ଫଣ୍ଡ୍ କମିଟିର ଅଧ୍ୟକ୍ଷଙ୍କୁ ହସ୍ତାନ୍ତର ହୋଇଥିଲା। ଧର୍ମଶାଳାର ସେହି ଜମି ଜଗନ୍ନାଥ ମହାପ୍ରଭୁଙ୍କର ବୋଲି ମଧ୍ୟ ମାମଲାର ବିବରଣୀରେ ସ୍ପଷ୍ଟ ଉଲ୍ଲେଖ ଅଛି।

୧୯୦୪ ମସିହାରେ ନିର୍ମାଣକାର୍ଯ୍ୟ ସଂପୂର୍ଣ୍ଣ ହେବାଠାରୁ ଆରମ୍ଭ କରି, ବିଗତ ଶହେବର୍ଷରୁ ଊର୍ଦ୍ଧ୍ୱକାଳ ମଧ୍ୟରେ ବଗଲା ଧର୍ମଶାଳା ଯେ ବହୁ ମହତ୍ତ୍ୱପୂର୍ଣ୍ଣ ଘଟଣାର ମୂକସାକ୍ଷୀ, ଏହାର ଅନେକ ଦୃଷ୍ଟାନ୍ତ ବିକ୍ଷିପ୍ତ ଭାବରେ ଓଡ଼ିଶାର ତଥା ଶ୍ରୀକ୍ଷେତ୍ର ପୁରୀର ଇତିହାସରେ ରହିଛି। ବିଭିନ୍ନ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିଜର ବକ୍ଷରେ ଧାରଣ କରି ବଗଲା ଧର୍ମଶାଳା ମଧ୍ୟ ଗୌରବ ଲାଭ କରିଛି।

ଏହିପରି ଜଣେ ବିଶିଷ୍ଟ, ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ହେଉଛନ୍ତି ସଦ୍‌ଗୁରୁ ଶ୍ରୀନିଗମାନନ୍ଦ ପରମହଂସ ସରସ୍ୱତୀ ଦେବ। ‘ନୀଳାଚଳ ସାରସ୍ୱତ ସଂଘ’ ପକ୍ଷରୁ ପ୍ରକାଶିତ ଏକାଧିକ ପୁସ୍ତକରେ ଏହାର ବିବରଣୀ ଅଛି। ‘ନୀଳାଚଳ ବାଣୀ’ ପୁସ୍ତକର ମୁଖବନ୍ଧରେ ଏ ସଂପର୍କରେ ଦୁର୍ଗାଚରଣ ମହାନ୍ତି ଲେଖିଛନ୍ତି, “ଶ୍ରୀଶ୍ରୀଠାକୁର ନିଗମାନନ୍ଦ ପରମହଂସ ସରସ୍ୱତୀ ଦେବ ତାଙ୍କ ଶେଷ ଜୀବନର ଲୀଳାକ୍ଷେତ୍ର ଓ ବିଶ୍ରାମସ୍ଥଳ ରୂପରେ ପୁରୀଧାମକୁ ହିଁ ବାଛି ନେଇଥିଲେ। ବହୁଦିନ ତଳର କଥା। ଶ୍ରୀଶ୍ରୀଠାକୁର ଚତୁର୍ଦ୍ଧାମ ପରିକ୍ରମା କରିବା ସମୟରେ ପ୍ରଥମେ ପୁରୀଧାମକୁ ଆସି ବଗଲା ଧର୍ମଶାଳାର ୧୯ ନମ୍ବର କୋଠରିରେ ଅବସ୍ଥାନ କରିଥିଲେ। ପରେ ସିଦ୍ଧ ଜୀବନରେ, ୧୩୧୭ ସାଲ (ଇଂରେଜୀ ୧୯୧୦ ମସିହା)ରେ ଦୁର୍ଗାପୁର ଆଶ୍ରମର ପ୍ରତିଷ୍ଠା ପରେ, ସେହି ଆଶ୍ରମରୁ ଚିଦାନନ୍ଦ ମହାରାଜ ଓ ଭାଇ ନୃପେନ୍ଦ୍ର ଚନ୍ଦ୍ର ରାୟ ପ୍ରଭୃତିଙ୍କ ସଙ୍ଗରେ ପୁରୀ ଆସି ସେହି ବଗଲା ଧର୍ମଶାଳାର ପୂର୍ବୋକ୍ତ କୋଠରିରେ ଅବସ୍ଥାନ କରିଥିଲେ।”

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ସଦ୍‌ଗୁରୁ ଶ୍ରୀନିଗମାନନ୍ଦ ପରମହଂସ ସରସ୍ୱତୀ ଦେବ ବଗଲା ଧର୍ମଶାଳାରେ ଏହି ଦ୍ୱିତୀୟବାର ରହଣିର ଆଠବର୍ଷ ପୂର୍ବରୁ ୧୩୦୯ ସାଲରେ ସନ୍ନ୍ୟାସଦୀକ୍ଷା ଗ୍ରହଣ କରିଥିଲେ। ତାହାପରେ ହିଁ ସେ ତାଙ୍କର ପରିବ୍ରାଜକ ଜୀବନ ଆରମ୍ଭ କରି, ସେହି ପର୍ଯ୍ୟାୟରେ ପୁରୀ ଆସି ବଗଲା ଧର୍ମଶାଳାର ୧୯ ନମ୍ବର କୋଠରିରେ ରହିଥିଲେ। ଶ୍ରୀକ୍ଷେତ୍ରରେ ନିଜର ସ୍ୱତନ୍ତ୍ର ନିବାସ ସ୍ଥାପନ କରିବା ପୂର୍ବରୁ, ବଗଲା ଧର୍ମଶାଳାର ସେହି କୋଠରିରେ, ତାଙ୍କର ଶେଷ ନିବାସର ସମୟ ଥିଲା ୧୩୧୭ ସାଲ ବା ୧୯୧୦ ମସିହା।

ଏ ସଂପର୍କରେ ଲୀଳା (ନାରାୟଣୀ)ଙ୍କ ‘ନୀଳାଚଳେ ଠାକୁର ନିଗମାନନ୍ଦ’ ପୁସ୍ତକରେ ମଧ୍ୟ ଉଲ୍ଲେଖ ଅଛି। ତାହାର ‘କଥାମୁଖ’ରେ କୁହାଯାଇଛି, “ଏତେ ତୀର୍ଥ ଥାଉଁ ଥାଉଁ ଠାକୁର ପୁରୀକୁ ଆସିଲେ କାହିଁକି? ସର୍ବଦା ପୁରୀ ଉପରେ ତାଙ୍କର ପକ୍ଷପାତିତ୍ୱ ଥିଲା। ପରିବ୍ରାଜକ ଅବସ୍ଥାରେ ପୁରୀର ବଗଲା ଧର୍ମଶାଳାରେ ସେ କିଛିଦିନ ଥିଲେ। ଖୁବ୍ ସମ୍ଭବ ସେହିଦିନଠାରୁ ପୁରୁଷୋତ୍ତମଧାମ ହିଁ ତାଙ୍କୁ ଅତ୍ୟନ୍ତ ରୁଚିକର ବୋଧ ହୋଇଥିଲା।”

ଏହିପରି ବହୁ ସ୍ମୃତି ବଗଲା ଧର୍ମଶାଳାକୁ ନେଇ ରହିଛି। କିନ୍ତୁ ପଶ୍ଚିମବଙ୍ଗ ଯେପରି ଭଗବାନ ଦାସ ବଗଲାଙ୍କ ସହ ରସଗୋଲାକୁ ଯୋଡ଼ି ନିଜର ସାଂସ୍କୃତିକ ଇତିହାସ ନିର୍ମାଣ କରିଛି, ଆମେ ସେପରି କରୁନାହୁଁ। ବରଂ ଇତିହାସର ତଥ୍ୟପ୍ରମାଣଗୁଡ଼ିକୁ କଳାପାହାଡ଼ୀ ମନୋଭାବରେ ଧ୍ୱଂସ କରି ଚାଲିଛୁ। ଏବେ ଏ ମନୋଭାବର ନୃଶଂସ ଶିକାର ହୋଇଛି ବଗଲା ଧର୍ମଶାଳା। ଏପରି ମନୋଭାବ ଯେ ଐତିହ୍ୟ ସହର ପୁରୀର ପାରମ୍ପରିକ ଅସ୍ତିତ୍ୱକୁ ଅଚିରେ ଲୋପ କରିଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ଐତିହ୍ୟର ଧ୍ୱଂସସ୍ତୂପ ଉପରେ ନୂଆ ଶ୍ରୀକ୍ଷେତ୍ର ଗଢ଼ିବାରେ ମତ୍ତ ସରକାର ଓ ପ୍ରଶାସନ ଏ ନେଇ ସଚେତନ ହେବେ କେବେ?

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର

Comments are closed.