ବୈଜ୍ଞାନିକ ଦୃଷ୍ଟିକୋଣ ଲୋଡ଼ା

ସୃଜନ ପ୍ରକାଶ ଦାସ

ଅନେକଙ୍କ ଭଳି ବିଜ୍ଞାନର ଛାତ୍ର ନ ହୋଇ ମଧ୍ୟ ମୋର ପିଲା ବେଳୁ ବିଜ୍ଞାନ ପ୍ରତି ଅହେତୁକ ଦୁର୍ବଳତା ଥିଲା। ବିଜ୍ଞାନ ସମ୍ବନ୍ଧୀୟ ବହି ପଢ଼ିବା ଥିଲା ମୋର ସ୍କୁଲ ବେଳର ସଉକ। ବିଜ୍ଞାନ ଜଗତ୍‌ରେ ଘଟୁଥିବା ନୂଆ ନୂଆ ଉଦ୍ଭାବନ, ଆବିଷ୍କାର ମୋତେ ସବୁବେଳେ ଆକର୍ଷିତ କରିଛି। ଉଡ଼ନ୍ତା ଥାଳିଆ, ଅନ୍ୟ ଗ୍ରହରେ ଜୀବନ, ବିଜ୍ଞାନ ଭିତ୍ତିକ ମ୍ୟାଜିକ, ରକେଟ୍‌ ବିଜ୍ଞାନ ମୋତେ ଭଲ ଲାଗୁଥିଲା। ବିଜ୍ଞାନ ଯେ ଆମକୁ ବାସ୍ତବବାଦୀ କରାଏ, ପ୍ରତ୍ୟେକ ଛୋଟ ବଡ଼ ଘଟଣାରେ କାର୍ଯ୍ୟ -କାରଣ ସମ୍ବନ୍ଧ ଖୋଜିବା ଲାଗି ପ୍ରେରିତ କରେ- ଏ କଥା ଅନେକ ହୃଦୟଙ୍ଗମ କରିଥିବେ। ବୈଜ୍ଞାନିକ ଦୃଷ୍ଟିକୋଣ ଆପଣଙ୍କୁ କ’ଣ, କାହିଁକି, କେବେ, କେଉଁଠି, କିଏ, କେମିତି ପ୍ରତି ଅନୁସନ୍ଧିତ୍ସୁ କରାଇଥାଏ। ମନ ଭିତରେ ଦୀର୍ଘ ଦିନରୁ ବସା ବାନ୍ଧିଥିବା ଭ୍ରାନ୍ତ ଧାରଣା ଓ ଅନ୍ଧ ବିଶ୍ୱାସ ଦୂର ହୋଇଯାଏ। କଳାର ଛାତ୍ର ହୋଇ ମଧ୍ୟ ପରବର୍ତ୍ତୀ ସମୟରେ ମୁଁ ଏକ ବିଜ୍ଞାନଗାରରେ ଯୋଗ ଦେଲି- ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ସଂଯୋଗ। କିନ୍ତୁ, ବିଜ୍ଞାନ ପଢ଼ିବା ଯେତେଦୂର ଗୁରୁତ୍ୱପୂର୍ଣ୍ଣ ନୁହେଁ, ବିଜ୍ଞାନ ଭିତ୍ତିକ ଦୃଷ୍ଟିକୋଣ ବିକଶିତ କରିବା ବହୁତ ଗୁରୁତ୍ୱ ବହନ କରେ। ଆମର ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ନିରପେକ୍ଷ ବୈଜ୍ଞାନିକ ମନୋଭାବ ଆମକୁ ସତ୍ୟ ଜାଣିବା ପାଇଁ ଉତ୍ସାହିତ କରେ। ଠିକ ଭୁଲ, ଉଚିତ ଅନୁଚିତର ପାର୍ଥକ୍ୟ ବୁଝିବା ପାଇଁ ସାହାଯ୍ୟ କରେ।

ଉପରୋକ୍ତ ଅନୁଚ୍ଛେଦର ଅବତାରଣା ପଛରେ ଏକ ସ୍ୱତନ୍ତ୍ର କାରଣ ରହିଛି। ନିକଟରେ ମୋର ଜଣେ ବହୁ ଦିନର ପୁରୁଣା ବନ୍ଧୁଙ୍କର ଦେହାନ୍ତ ହେଲା। ସିଏ ଜଣେ ରସାୟନ ବିଜ୍ଞାନର ଛାତ୍ର ଥିଲେ। ଏକ ବିଜ୍ଞାନଗାରରେ ବହୁଦିନ କାର୍ଯ୍ୟ କରିଛନ୍ତି। ତାଙ୍କୁ ଜ୍ୱର ଥଣ୍ଡା ହେବା ପରେ ଆମ୍ଭେମାନେ ସ୍ବଭାବତଃ ତାଙ୍କ ପାଇଁ ଚିନ୍ତିତ ହୋଇ ଉଠିଲୁ। କାରଣ ମହାମାରୀ କରୋନାର ପ୍ରଥମ ଲକ୍ଷଣ ହିଁ ଜ୍ୱର, ଥଣ୍ଡା, କାଶ। ତେଣୁ ଡାକ୍ତରୀ ପରାମର୍ଶ ସହ କୋଭିଡ ପରୀକ୍ଷା କରାଇ ନେବାକୁ ତାଙ୍କର ଶୁଭେଚ୍ଛୁମାନେ ବାରମ୍ବାର ପରାମର୍ଶ ଦେଇ ମଧ୍ୟ ବିଫଳ ହେଲେ। ଗତ ୭ ମାସ ଧରି ତୁହାକୁ ତୁହା ଯେଉଁଭଳି ଭାବରେ କୋଭିଡ ସମ୍ବନ୍ଧୀୟ ସୂଚନା ପରିବେଷିତ ହୋଇଛି, ସେଥିରେ ଅନେକ ସାଧାରଣ ବ୍ୟକ୍ତିଙ୍କ ମନରେ କୋଭିଡ ପ୍ରତି ଯେ ଏକ ପ୍ରଚଣ୍ଡ ଭୟ, ଆଶଙ୍କା ସୃଷ୍ଟି ହୋଇଛି, ସେ ବିଷୟରେ ସନ୍ଦେହ ନାହିଁ। ବିଶେଷ କରି କରୋନା ଆକ୍ରାନ୍ତଙ୍କ ପ୍ରତି ସାମାଜିକ ବାଛନ୍ଦ ଭଳି ବ୍ୟବହାର- ଏହି ଭୟ ଆଶଙ୍କାର ମୂଳ କାରଣ। ଡାକ୍ତର ଓ ବିଶେଷଜ୍ଞମାନଙ୍କର ବାରମ୍ବାର ଅନୁରୋଧ ସତ୍ତ୍ବେ, କରୋନା ଆକ୍ରାନ୍ତ ଓ ତାର ପରିବାରବର୍ଗ ପ୍ରତି ଯେଉଁ ଭଳି ଅଣ ବୈଜ୍ଞାନିକ ବ୍ୟବହାର ପ୍ରଦର୍ଶିତ ହୋଇଛି- ସେଥିରେ ରୋଗୀର ଅଧିକ କ୍ଷତି ହୋଇଛି ସିନା, ଲାଭ ହୋଇ ନାହିଁ। ଅନେକ ରୋଗୀ ଏହି ଭୟରେ ଡାକ୍ତରୀ ପରାମର୍ଶ ନେଉନାହାନ୍ତି କିମ୍ବା କୋଭିଡ ପରୀକ୍ଷା ମଧ୍ୟ କରାଉ ନାହାନ୍ତି। ଠିକ ଯେମିତି ମୋର ବନ୍ଧୁଙ୍କ କ୍ଷେତ୍ରରେ ଘଟିଲା। ବିଜ୍ଞାନ ଛାତ୍ର ହୋଇ ମଧ୍ୟ ବୋଧହୁଏ ସେ କରୋନାକୁ ମୁକାବିଲା କରିବାର ମାନସିକତା ହରାଇବସିଥିଲେ, ତା’ରି ଡରରେ ୭-୮ ଦିନ ଲଗାତାର ଜ୍ବର ଭୋଗି ମଧ୍ୟ ଡାକ୍ତରଖାନା ଗଲେ ନାହିଁ। ଶେଷରେ ଆମେ ଆମର ଜଣେ ଭଲ ବନ୍ଧୁ, ଜଣେ ଭଲ ମଣିଷଙ୍କୁ ହରାଇଲୁ।

ଏହି ସଂଶୟ ବହୁ ଲୋକଙ୍କୁ ଏବେ ଘାରିଛି। କରୋନା ନାମକ ସତ୍ୟକୁ ସାମନା କରିବାର ସାହସ ଅନେକଙ୍କ ପାଖରେ ନାହିଁ। ପ୍ରତିବେଶୀ, ସମାଜ କ’ଣ କହିବ, କିଭଳି ପ୍ରତିକ୍ରିୟା ଦେଖାଇବେ- ତାହା ହିଁ ଊଣା ଅଧିକେ ସମସ୍ତଙ୍କୁ ଆଚ୍ଛନ୍ନ କରି ରଖିଛି। କରୋନା ଏକ ରୋଗ- ହଁ ଏକ ନୂଆ ରୋଗ। ସମସ୍ୟା ଆସିବା ସ୍ୱାଭାବିକ। ଔଷଧ, ଟିକା ଏ ଯାଏ ପ୍ରସ୍ତୁତ ହୋଇ ନାହିଁ- ଏହା ମଧ୍ୟ ସତ୍ୟ। ମାତ୍ର ଲକ୍ଷଣ ଦେଖାଦେବା ମାତ୍ରକେ ଉପଚାର କରାଗଲେ ଆରୋଗ୍ୟ ମଧ୍ୟ ହେଉଛି- ଏ କଥା କ’ଣ କେହି ଅସ୍ବୀକାର କରିବେ? ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ- ଏହି ସମ୍ବାଦ ଆମେ ପ୍ରତିଦିନ ଦେଖୁଛୁ। ମାତ୍ର ଏହି ସତ୍ୟକୁ ଗ୍ରହଣ କରିବା ଲାଗି ଲୋଡ଼ା ଏକ ବାସ୍ତବବାଦୀ ମନୋଭାବ ଓ ବିଜ୍ଞାନ ମନସ୍କ ଚିନ୍ତାଧାରା।

ଭାରତ ବର୍ଷ ଏକ ବୈଚିତ୍ର୍ୟପୂର୍ଣ୍ଣ ଦେଶ। ଏଠାରେ ଯେଉଁଠି ବ୍ରେନ ଡ୍ରେନ ଏକ ନିତ୍ୟ ନୈମିତ୍ତିକ ସାଧାରଣ ଘଟଣା ସେଠାରେ ପୁଣି ଅଶିକ୍ଷା ଏକ କ୍ରୂର ବାସ୍ତବତା। ବୋଧହୁଏ ସେଥିପାଇଁ ଆଜି ମଧ୍ୟ ସାପ କାମୁଡ଼ା ମାମଲାରେ ରୋଗୀକୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାକୁ ନ ନେଇ, ଗାଁର ଗୁଣିଆକୁ ଖୋଜା ପଡ଼େ। ଗୁଣିଆ ପାଖରେ ବିଷ ଝାଡ଼ିବାର କଳା କୌଶଳ ନ ଥାଇ ମଧ୍ୟ ସେ ଆମର ଅଜ୍ଞତା ଓ ସରଳ ବିଶ୍ୱାସର ଲାଭ ଉଠାଏ। ବିଷ ତ ଝଡ଼େ ନାହିଁ, ରୋଗୀ ମୃତ୍ୟୁ ମୁଖରେ ପଡ଼େ। ନିକଟରେ ଜଣେ ଗୁଣିଆ ଗାଁ ବାହାରେ ଥିବାରୁ ଭିଡିଓ କଲ୍‌ ମାଧ୍ୟମରେ ବିଷ ଝାଡ଼ିବା ଲାଗି ମନ୍ତ୍ର ଫୁଙ୍କିବାର ଏକ ରୋଚକ ଖବର ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରିଥିଲା। ତତଲା ରଡ଼ରେ ଚେଙ୍କ ଦେଇ କୋମଳମତି ଶିଶୁର ରୋଗ ବ୍ୟାଧି ଭଲ କରିବାର ପନ୍ଥା ଆଜି ବି ଆମ ରାଜ୍ୟରେ ଦୃଷ୍ଟିଗୋଚର ହୁଏ। ତାହା ଦ୍ୱାରା ଶିଶୁଟି ଅକଥନୀୟ ଯନ୍ତ୍ରଣା ପାଏ, ତା’ ଦେହ ସେପ୍‌ଟିକ ହୋଇଯାଏ ଏବଂ ସ୍ଥଳ ବିଶେଷରେ ନିଷ୍ପାପ ଶିଶୁଟି ମୃତ୍ୟୁ ମୁଖରେ ପଡ଼େ। ଏ ସବୁ କେବଳ ଅଜ୍ଞାନତା, ଅନ୍ଧବିଶ୍ୱାସ, ଅଣ ବିଜ୍ଞାନୀ ଚିନ୍ତାଧାରା ଛଡ଼ା ଆଉ କିଛି ନୁହେଁ।

ସହରରେ ବାସ କରୁଥିବା ଉଚ୍ଚ ଡିଗ୍ରୀଧାରୀ ଶିକ୍ଷିତ ମଣିଷମାନଙ୍କ କଥା ଥରେ ଦେଖନ୍ତୁ। ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟୋପରାଗ ଭଳି ମହାଜାଗତିକ ଘଟଣାକୁ ଥରେ ମନେ ପକାନ୍ତୁ। ସ୍କୁଲ, କଲେଜ ବେଳୁ ଆମେ ସମସ୍ତେ ଅବଗତ ଯେ କ’ଣ ପାଇଁ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟୋପରାଗ ସଂଘଠିତ ହୁଏ। ସେମାନଙ୍କର ପ୍ରଶସ୍ତି, ସମୟ ସାରଣୀ – ସବୁ କିଛି ବିଶେଷଜ୍ଞମାନଙ୍କ ହାତ ପାଆନ୍ତାରେ। ସେଥି ଲାଗି ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟୋପରାଗକୁ ଭୟ ନ କରି, ସତର୍କତାର ସହ ଉପଭୋଗ କରିବା ସାଙ୍ଗକୁ ଶିକ୍ଷା ଲାଭ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଉଥିଲେ ମଧ୍ୟ ଆମେ ଏବେବି ଯେଉଁ ତିମିରେକୁ ସେଇ ତିମିରେ। ଏହି ସବୁ ଘଟଣା ପୂର୍ବରୁ ବା ଚାଲିଥିବା ବେଳେ ଜାତୀୟ ଏବଂ ଆଞ୍ଚଳିକ ବିଭିନ୍ନ ଟିଭି ଚାନେଲରେ ବୈଜ୍ଞାନିକ ଓ ଜ୍ୟୋତିର୍ବିଦମାନଙ୍କର ଯୁକ୍ତି ତର୍କ, ବାକ୍‌ ବିତଣ୍ଡା ମନୋରଞ୍ଜନର ଯଥେଷ୍ଟ ଖୋରାକ ଯୋଗାଇଥାଏ ସତ। ମାତ୍ର ଏହା ଦ୍ବାରା ସାଧାରଣ ମଣିଷଟିଏ ଏକ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ମଧ୍ୟକୁ ଠେଲି ହୋଇ ଯିବାଟା ସ୍ୱାଭାବିକ। ଆମେ ପିଲାମାନଙ୍କୁ ପଢ଼ାଉ ଗୋଟାଏ କଥା, କିନ୍ତୁ ଠିକଣା ବେଳେ କରୁ ଆଉ ଗୋଟାଏ। ଏହା ଦୁର୍ଭାଗ୍ୟଜନକ।

ବିଶ୍ୱର ପ୍ରଗତି ପଛରେ ରହିଛି ବିଜ୍ଞାନର ଅବଦାନ। ତାହା କୃଷି କ୍ଷେତ୍ରରେ ହେଉ ଅବା ଚିକିତ୍ସା, ଗମନାଗମନ ହେଉ ଅଥବା ଦୂର ସଂଚାର। ଆଜି ଯଦି ମାନବ ଜାତିର ଜୀବନ ସରଳ, ସହଜ, ସୁଖମୟ ହୋଇ ପାରିଛି, ତେବେ ତାହା ନିଃସନ୍ଦେହରେ ବିଜ୍ଞାନ ପାଇଁ। ଏହା ଆମେ ସମସ୍ତେ ଉପଲବ୍‌ଧି କରୁଛୁ। ଏଣେ ଅଣ ବୈଜ୍ଞାନିକ ଚିନ୍ତାଧାରା ଆମର ପ୍ରଭୂତ କ୍ଷତି ଘଟାଇ ଚାଲିଥିବା ସତ୍ତ୍ବେ ଆମେ ତାର ମଧ୍ୟ ବଶମ୍ବଦ ହୋଇ ରହିଛୁ।

[email protected]

ସମ୍ବନ୍ଧିତ ଖବର