ଏଥର କୃଷକ ଏକଜୁଟ

ଯୋଗେନ୍ଦ୍ର ଯାଦବ

ଏକ ସପ୍ତାହ ସିରସାରେ ବିତାଇବା ପରେ କୃଷକ ଆନ୍ଦୋଳନ ପୁଣି ଥରେ ପୁନର୍ଜୀବନ ପାଇଥିବା ହୃଦ୍‌ବୋଧ ହୋଇଛି। ଜୁନ୍‌ ୨୦୧୭ରେ, ମଧ୍ୟ ପ୍ରଦେଶର ମ˚ଦସୌରରେ କୃଷକମାନଙ୍କ ଉପରେ ଗୁଳି ଚାଳନା ପରେ ଯେଉଁ ପରି ଆନ୍ଦୋଳନ ମୁଣ୍ତ ଟେକିଥିଲା, କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନର ଘୋଷଣା ପରେ ଠିକ୍‌ ସେହି ପରି ୨୦୧୯ରେ ହଠାତ୍‌ ନିରବିଯାଇଥିବା କୃଷି ଆନ୍ଦୋଳନ ପୁନର୍ବାର ଜାଗ୍ରତ ହୋଇଛି।

ସିରସାର କୃଷକମାନଙ୍କ ପକ୍ଷରୁ ‘ପକ୍କା ମୋର୍ଚା’ ଶୋଭାଯାତ୍ରାର ଡାକରା ଦିଆଯାଇଥିଲା। ସେହି ଉପଲକ୍ଷେ ମୁଁ ଯାଇଥିଲି। ୬ ଅକ୍‌ଟୋବର‌୍‌ରେ ପନ୍ଦର-କୋଡ଼ିଏ ହଜାର କୃଷକ ସିରସାରେ ଏକତ୍ର ହୋଇଥିଲେ। ସେମାନେ ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତଲା ଏବ˚ ବିଦ୍ୟୁତ୍‌ ମନ୍ତ୍ରୀ ରଣଜିତ୍‌ ସି˚ହଙ୍କ ଇସ୍ତଫା ଦାବି କରିଥିଲେ। ୨୦ ସେପ୍‌ଟେମ୍ବର‌୍‌ରେ ସ˚ସଦରେ ତିନିଟି କୃଷି ବିଲ୍‌ ପାରିତ ହେବା ପ୍ରସଙ୍ଗରେ, ହରିୟାଣା ସରକାରର ଏହି ଦୁଇ ମନ୍ତ୍ରୀଙ୍କ ପାଖରେ ସେମାନଙ୍କର ଦାବି ଥିଲା- ‘କୁରୁଚି’ ବା ‘କୃଷକ’, ଏହି ଦୁଇଟି ଭିତରୁ ଗୋଟିକୁ ବାଛ। ଏହି ମର୍ମରେ ଦୁହିଁଙ୍କୁ ଆହ୍ବାନ କରାଯାଇଥିଲା। ଏହାକୁ ଏକ ରାଜନୈତିକ ପଦକ୍ଷେପ କହାଯାଇପାରେ। କାରଣ, ଉଭୟ ଚୌତଲା ଓ ରଣଜିତ୍‌, ଦେବୀ ଲାଲଙ୍କ ବ˚ଶଧର। ପ˚ଜାବର ବାଦଲ ପରିବାର ସହ ଏମାନଙ୍କର ନିକଟ ସ˚ପର୍କ ରହିଛି। ବାଦଲ ପରିବାର ଭଳି ହରିୟାଣାରେ ଦେବୀ ଲାଲ ପରିବାର କୃଷକଙ୍କୁ ନେଇ ରାଜନୀତି କରିଆସିଛନ୍ତି। ସେମାନେ ନିଜକୁ କୃଷକଙ୍କ ପ୍ରତିନିଧି କହନ୍ତି। ଏହି ପରିବାରର ପୈତୃକ ଗ୍ରାମ ‘ଚୌତଲା’ର ଅବସ୍ଥିତି ସିରସା ଜିଲ୍ଲାରେ। ଯଦିଓ ଦୁଷ୍ୟନ୍ତ ଏହି ଜିଲ୍ଲା ବାହାରର ଏକ ନିର୍ବାଚନ ମଣ୍ତଳୀରୁ ନିର୍ବାଚିତ ହୋଇଛନ୍ତି, ତଥାପି ତାଙ୍କ ପାରିବାରିକ ଶକ୍ତିର ପ୍ରତୀକ ଦଶ ଫୁଟ୍‌ ଉଚ୍ଚତାର ଗ୍ରାନାଇଟ୍‌ ପ୍ରାଚୀର ଭିତରେ ଥିବା ଭବ୍ୟ ପ୍ରାସାଦ- ‘ଚୌତଲା ହାଉସ୍‌’ର ଅବସ୍ଥିତି ସିରସା ସହରରେ।

ଶୋଭାଯାତ୍ରା ସରିବା ସଙ୍ଗେସଙ୍ଗେ ହଜାର ହଜାର କୃଷକ ସେହି ପ୍ରାସାଦ ଆଡ଼କୁ ଆଗେଇଥିଲେ। ସେମାନଙ୍କୁ ଅଟକାଇବା ପାଇଁ ପୁଲିସ୍‌ ପକ୍ଷରୁ ବାରିକେଡ୍‌ କରାଯାଇଥିଲା। ସେମାନଙ୍କୁ ଅଟକାଇବା ପରେ ଭଗାଇବା ପାଇଁ ଜଳ ତୋପ ଓ ଲୁହ-ବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା। ତଥାପି କୃଷକମାନଙ୍କର ମନୋବଳ ଭାଙ୍ଗି ନ ଥିଲା; ସେମାନେ ଧାରଣାରେ ବସିଥିଲେ। ପର ଦିନ ସକାଳେ ପ୍ରତିବାଦକାରୀ କୃଷକମାନଙ୍କୁ ବଳପୂର୍ବକ ତଡ଼ିବା ପାଇଁ ପଦକ୍ଷେପ ନିଆଯାଇଥିଲା। କେତେକଙ୍କୁ ଗିରଫ କରି, ବିଭିନ୍ନ ସ୍ଥାନରେ ଅଟକ ରଖାଯାଇଥିଲା। ଏହାର ପରିଣାମ ସ୍ବରୂପ କୃଷକମାନେ ସ୍ବତଃସ୍ଫୂର୍ତ୍ତ ଭାବେ ଜାତୀୟ ରାଜପଥ ଅବରୋଧ କରିଥିଲେ। ସରକାର ଉପାୟହୀନ ହୋଇ ଏହି ଲେଖକ ସମେତ ଅନ୍ୟ କୃଷି ସକ୍ରିୟତାବାଦୀଙ୍କୁ ନିଃସର୍ତ୍ତ ମୁକ୍ତ କରିଥିଲେ। ତାହା ପରଠାରୁ ପ୍ରତିକୂଳ ପାଗ, ଅମଳ ସମୟ ତଥା ମହାମାରୀ ସତ୍ତ୍ବେ ସିରସାରେ ଚବିଶ-ଘଣ୍ଟିଆ ଧାରଣା ଚାଲିଛି। ଆନ୍ଦୋଳନକୁ ବନ୍ଦ ବା ବିଭାଜିତ କରିବା ପାଇଁ ଶାସକ ଦଳ ପକ୍ଷରୁ ହୋଇଥିବା ଉଦ୍ୟମକୁ କୃଷକମାନେ ପଣ୍ତ କରିଦେଇଛନ୍ତି।

ପ୍ରତିବାଦ ଆରମ୍ଭ ହୋଇଥିଲା ପ˚ଜାବରୁ। ଏବେ ପ˚ଜାବ ବାହାରକୁ ପ୍ରସାରିତ ହେବାରେ ଲାଗିଛି। ସିରସାର ଅବସ୍ଥିତି ପ˚ଜାବ ସୀମାରେ। ତେଣୁ, ସ୍ବାଭାବିକ ଭାବେ ପ୍ରଥମେ ପ୍ରଭାବିତ ହୋଇଛି। ବାଗଡ଼ୀ ଭାଷା-ଭାଷୀ ଅଞ୍ଚଳ ତୁଳନାରେ ପ˚ଜାବୀ ଭାଷା-ଭାଷୀ ଅଞ୍ଚଳରେ ଆନ୍ଦୋଳନ ଅଧିକ ତୀବ୍ର। ତେବେ, ସମସ୍ତେ ଏଥି ପ୍ରତି ଆକର୍ଷିତ ହେଉଥିବାରୁ, ଏହାକୁ କେହି ଅଣ-ଦେଖା କରିପାରିବେନାହିଁ। କୃଷକମାନେ ଟ୍ରାକ୍‌ଟର‌୍‌ ଓ ଟ୍ରଲି ସହ ଧାରଣା ସ୍ଥଳୀକୁ ଆସୁଛନ୍ତି। ସେମାନେ ନିଜ ସହ ନିଜର ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇଆସୁଛନ୍ତି ଏବ˚ ସବୁଠାରୁ ବଡ଼ କଥା ହେଲା, ନିଜ ଖର୍ଚ୍ଚରେ ଆସୁଛନ୍ତି। ଆନ୍ଦୋଳନକୁ ଅଧିକ ପ୍ରସାରିତ କରିବା ପାଇଁ ପାଣ୍ଠି ସ˚ଗ୍ରହ ଚାଲିଛି ଏବ˚ କୃଷକମାନେ ସ୍ବେଚ୍ଛାକୃତ ଭାବେ ଦାନ ଦେଉଛନ୍ତି। ଜଣେ କିଶୋରୀ ନିଜର କୁମ୍ପି ଭାଙ୍ଗି ଅଠେଇଶ ଶହ ଟଙ୍କା ଆନ୍ଦୋଳନ ପାଇଁ ଦେଇଛନ୍ତି। ହରିୟାଣୀ ଗାୟକମାନେ କୃଷକ ଆନ୍ଦୋଳନକୁ ସମର୍ଥନ ଦେଉଥିବା ପ˚ଜାବୀ ଶିଳ୍ପୀଙ୍କୁ ଅନୁସରଣ କରୁଛନ୍ତି। ଅନେକ ବର୍ଷ ପରେ କୃଷି ସ˚ପର୍କିତ ଆନ୍ଦୋଳନରେ ଅଧିକ ସ˚ଖ୍ୟକ ଯୁବକଙ୍କ ଉପସ୍ଥିତି ମୁଁ ଦେଖୁଛି। ସେମାନଙ୍କ ମଧ୍ୟରେ ଅଧିକା˚ଶ ଉଚ୍ଚ-ଶିକ୍ଷିତ; କେହି କେହି ସ୍ନାତକୋତ୍ତର ଏବ˚ ଇ˚ଜିନିଅରି˚ ଡିଗ୍ରିଧାରୀ।

ସର୍ବତ୍ର ଅବଶ୍ୟ ଏହି ଭଳି ଦୃଶ୍ୟ ହେଉନାହିଁ। ତେବେ, ୨୫ ତାରିଖର ଦିନିକିଆ ଭାରତ ବନ୍ଦ ବେଳେ ହୋଇଥିବା ପ୍ରତିବାଦ, ଏହି ଆନ୍ଦୋଳନର ଦୃଢ଼ତାକୁ ସୂଚାଉଛି। ଗଣମାଧ୍ୟମରେ କେବଳ ପ˚ଜାବ ଓ ହରିୟାଣାର ପ୍ରତିବାଦ ସ୍ଥାନ ପାଇଥିଲା। କିନ୍ତୁ, ତାମିଲନାଡ଼ୁର ତିନି ଶହ ସ୍ଥାନ ସହ ମୋଟ କୋଡ଼ିଏଟି ରାଜ୍ୟରେ ପ୍ରତିବାଦ କରାଯାଇଥିବାର ଖବର ‘ଅଖିଳ ଭାରତୀୟ କୃଷକ ସ˚ଘର୍ଷ ସମନ୍ବୟ କମିଟି’କୁ ମିଳିଛି। କର୍ଣ୍ଣାଟକର କୃଷକମାନେ କେବଳ ୨୫ ତାରିଖ ନୁହେଁ, ୨୮ ତାରିଖରେ ମଧ୍ୟ ବନ୍ଦ ପାଳନ କରିଥିଲେ। କୌଣସି ରାଜ୍ୟରେ ପ˚ଜାବ ଭଳି ପ୍ରତିବାଦ ହୋଇ ନ ଥିଲେ ହେଁ ଯେକୌଣସି ସମୟରେ ଆନ୍ଦୋଳନ ତୀବ୍ର ହୋଇପାରେ।

କୃଷି ବିଲ୍‌ ତିନିଟିର ବିରୋଧ ପ୍ରସଙ୍ଗରେ ସମସ୍ତ କୃଷକ ସଂଗଠନ ପ୍ରାୟ ଏକମତ। ଅପେକ୍ଷାକୃତ ଅଧିକ ସ୍ବଚ୍ଛଳ କୃଷକଙ୍କଠାରୁ ଆରମ୍ଭ କରି ବାମପନ୍ଥୀ କୃଷି ଶ୍ରମିକ ଏବ˚ ବିରୋଧୀ ଦଳଗୁଡ଼ିକ ଏକ ସ୍ବରରେ କହୁଥିବା, ମୁଁ ସିରସାରେ ଦେଖିଛି। ଯେଉଁ ସ୍ଥାନୀୟ ନେତାମାନେ ‘ପକ୍କା ମୋର୍ଚା’କୁ ବିରୋଧ କରୁଥିଲେ ଏବ˚ ଏଥିରେ ଯୋଗ ନ ଦେବା ପାଇଁ କୃଷକମାନଙ୍କୁ ଆବେଦନ କରୁଥିଲେ, ଏବେ ସେମାନେ ତିନିଟିଯାକ କୃଷି ବିଲ୍‌କୁ ବିରୋଧ କରୁଥିବା କହି ନିଜର ଭାଷଣ ଆରମ୍ଭ କରୁଛନ୍ତି। ସାରା ଭାରତରେ ଯାହା ଘଟୁଛି, ଏହା ତାହାର ପ୍ରତିଫଳନ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନୀତିକୁ ସମର୍ଥନ ଦେଉଥିବା ଗୋଟିଏ ହେଲେ ଛାମୁଆ କୃଷକ ସ˚ଗଠନ ମୁଁ ଏ ଯାଏ ପାଇନାହିଁ। ‘ଅଖିଳ ଭାରତୀୟ କୃଷକ ସ˚ଘର୍ଷ ସମନ୍ବୟ କମିଟି’ ତଥା ଅନ୍ୟ ସମସ୍ତ ମୁଖ୍ୟ ସ˚ଗଠନ, ସମସ୍ତେ ଏକ ସ୍ବରରେ ଏହି ବିଲ୍‌ଗୁଡ଼ିକର ବିରୋଧ କରୁଛନ୍ତି। ଏପରିକି ପରସ୍ପର ସହ କୌଣସି ସ˚ପର୍କ ନ ଥିବା ସ˚ଗଠନଗୁଡ଼ିକର ସ୍ବର ମଧ୍ୟ ଏକ। ‘‌େଖତକାରୀ ସ˚ଗଠନ’ କଥା ଦେଖନ୍ତୁ। ଏହାର ପ୍ରତିଷ୍ଠାତା ଶରଦ ଯୋଶୀ ଏକଦା ଯାହା ଦାବି କରିଥିଲେ, ଏହି ବିଲ୍‌ ତିନିଟି ତାଙ୍କ ଦାବିକୁ ସୁହାଇଲା ଭଳି। ଶରଦ ଯୋଶୀଙ୍କର କିଛି ଅନୁଗାମୀ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ ଦେଉଛନ୍ତି ସତ, ସମସ୍ତ ଅର୍ଥରେ ତାଙ୍କର ପ୍ରକୃତ ଲୋକପ୍ରିୟ ଉତ୍ତରାଧିକାରୀ ରାଜୁ ଶେଟ୍ଟୀ, ଏହି ବିଲ୍‌ଗୁଡ଼ିକର କପି ସର୍ବସାଧାରଣରେ ପୋଡ଼ିଛନ୍ତି। ତାଙ୍କର ନେତୃତ୍ବାଧୀନ ‘ସ୍ବାଭିମାନ ଖେତକାରୀ ସ˚ଗଠନ’, ମୂଳ ସ˚ଗଠନରୁ ଜାତ ସବୁଠାରୁ ବଡ଼ ସ˚ଗଠନ। ରାଜନୈତିକ ଦୃଷ୍ଟିକୋଣରୁ ମହେନ୍ଦ୍ର ସି˚ହ ଟିକୈତଙ୍କ ପୁତ୍ରମାନଙ୍କ ଦ୍ବାରା ପରିଚାଳିତ ‘ଭାରତୀୟ କିସାନ ୟୁନିଅନ୍‌’ ଭାଜପାର ଅତି ନିକଟତର। ସେମାନେ ମଧ୍ୟ ଏହି ବିବାଦୀୟ ବିଲ୍‌ଗୁଡ଼ିକର ବିରୋଧ କରୁଛନ୍ତି। ଆର‌୍‌ଏସ୍‌ଏସ୍‌ ସହ ସ˚ପୃକ୍ତ ‘ଭାରତୀୟ କିସାନ ସ˚ଘ’ ମଧ୍ୟ ଖୋଲା-ଖୋଲି ଭାବେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ବିରୋଧ କରୁଛି। ସ˚ପ୍ରତି ସମସ୍ତ କୃଷକ ସ˚ଗଠନ ଏକତ୍ର ହୋଇଛନ୍ତି। ନିକଟରେ ଅନ୍ୟ କୌଣସି ପ୍ରସଙ୍ଗ ସମସ୍ତ କୃଷକ ସ˚ଗଠନକୁ ଏ ଭଳି ଏକତ୍ର କରିଥିବା ମୁଁ ଜାଣେନାହିଁ।

ଏ ଥର ଗଣମାଧ୍ୟମ ବିଷୟକୁ ଆସିବା। ଯଦିଓ ବଡ଼ ଗଣମାଧ୍ୟମ କୃଷକ ଆନ୍ଦୋଳନକୁ ଯତ୍ନର ସହ କମ୍‌ ଗୁରୁତ୍ବ ଦେଇଛି; ତେବେ, ସ˚ପୂର୍ଣ୍ଣ ବରଖାସ୍ତ କରିବାକୁ ସାହସ କରିପାରିନାହିଁ। କୃଷକଙ୍କ ପ୍ରତିବାଦ ଟେଲିଭିଜନ୍‌ ଶିରୋନାମା ହୋଇନାହିଁ କି ଖବରକାଗଜର ପ୍ରଥମ ପୃଷ୍ଠାରେ ବାହାରିନାହିଁ। ତେବେ, ସାମାଜିକ ଗଣମାଧ୍ୟମକୁ ଧନ୍ୟବାଦ, କୃଷକମାନଙ୍କ ଖବର ଏହା ମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହୋଇଛି। କେବଳ ବ୍ୟକ୍ତିଗତ ହ୍ବାଟ୍‌ସଆପ୍‌ ବାର୍ତ୍ତା ବା ଫେସ୍‌ବୁକ୍‌ ପୋଷ୍ଟ ନୁହେଁ; ଖାଲି ସିରସାରେ ବାରରୁ ଅଧିକ ସ୍ଥାନୀୟ ଚାନେଲ୍‌, ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌ ମାଧ୍ୟମରେ ଯେତିକି ଖବର ବାଣ୍ଟିଛନ୍ତି, ତାହା ଜାତୀୟ ଗଣମାଧ୍ୟମ ସୁଦ୍ଧା ପାରିବନାହିଁ। ପ୍ରଥମେ ଖବର ହାସଲ କରିବା ପାଇଁ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା, ବିଶେଷ ଖବର, ସ୍ପଷ୍ଟ କଥନ ଆଦି ଦୃଷ୍ଟିରୁ ଦେଖିଲେ, ସେମାନେ ଏକ ଶକ୍ତିଶାଳୀ ବିକଳ୍ପ ଗଣମାଧ୍ୟମ ଭୂମିକାରେ ଅବତୀର୍ଣ୍ଣ। ସ୍ମାର୍ଟ‌୍‌-ଫୋନ୍‌ଧାରୀ ଯୁବ-କୃଷକମାନଙ୍କ ମାଧ୍ୟମରେ ସେମାନେ ଖବର ସ˚ଗ୍ରହ କରୁଛନ୍ତି। ଏକ ଦୃଷ୍ଟାନ୍ତ- ଏକ ସ୍ଥାନୀୟ ଚାନେଲ୍‌, ମୋର ଏକ ଭାଷଣର ସିଧା ପ୍ରସାରଣ କରିଥିଲା, ଯାହାକୁ ଅଦ୍ୟାବଧି ତେର ଲକ୍ଷ ଦେଖିସାରିଲେଣି, ଯେଉଁଠିକି ସିରସାରେ ପ୍ରସାରିତ ସମସ୍ତ ଖବରକାଗଜର ସ˚ଖ୍ୟା ଦୁଇ ଲକ୍ଷ ଭିତରେ।

ସିରସାରେ ମୋତେ ଲାଗିଲା, ସରକାର ଯେତେ ବାହାସ୍ଫୋଟ ମାରିଲେ ବି ପ୍ରକୃତରେ ଏହି ପ୍ରସଙ୍ଗରେ ଭୟଭୀତ। ଯେତେ ବେଳେ କୃଷକମାନେ ପ୍ରତିବାଦ ଶୋଭାଯାତ୍ରା ପାଇଁ ଘୋଷଣା କଲେ ଦୁଷ୍ୟନ୍ତ ଚୌତଲା କହିଲେ, ସେମାନଙ୍କୁ ନିଜ ଘରେ ସ୍ବାଗତ କରିବେ। ତେବେ, ଶୋଭାଯାତ୍ରା ଆରମ୍ଭ ହେବାର ଦିନକୁ ପୂର୍ବରୁ ସେ ହଠାତ୍‌ ଚଣ୍ତୀଗଡ଼ ଚାଲିଗଲେ। ଶୋଭାଯାତ୍ରା ଦିନ କହିଲେ, ଲକ୍ଷଣ ନ ଥିଲେ ବି ସେ କୋଭିଡ୍‌ ପଜିଟିଭ୍‌ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ଆନ୍ଦୋଳନକୁ ବିଭାଜିତ କରିବାକୁ ଉଦ୍ୟମ କଲା; ଏହା ଅସାଧାରଣ; ସାଧାରଣତଃ ଏ ଭଳି ଦେଖାଯାଏ ନାହିଁ। ଆମକୁ ଅଟକ ରଖିଥିବା ଉପ ଆରକ୍ଷୀ ଅଧୀକ୍ଷକ ସିଧା ସଳଖ ଚଣ୍ତୀଗଡ଼ରୁ ନିର୍ଦେଶ ପାଉଥିଲେ। କୃଷି ବିଲ୍‌ର ସମର୍ଥନରେ ହରିୟାଣା ସରକାର ନିଜର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଲଗାଇଥିଲା। ବିଲ୍‌ଗୁଡ଼ିକ କୃଷକଙ୍କ ସ୍ବାର୍ଥ ରକ୍ଷା ଲାଗି ଉଦ୍ଦିଷ୍ଟ, ଏହା କୃଷକମାନଙ୍କୁ ବୁଝାଇବା ପାଇଁ ସେମାନେ ପ୍ରାଣ-ମୂର୍ଚ୍ଛା ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକା˚ଶ ବିରୋଧର ସାମନା କରିଥିଲେ। ସେମାନଙ୍କୁ କଳା ପତାକା ଦେଖାଯାଇଥିଲା। ବିଲ୍‌ଗୁଡ଼ିକୁ ସମର୍ଥନ ଦେବା ପାଇଁ ଭାଜପା ପକ୍ଷରୁ ଏକ ଟ୍ରାକ୍‌ଟର‌୍‌ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ତେବେ, ଶୋଭାଯାତ୍ରାରେ ଯୋଗଦେବା ପାଇଁ ସ୍ଥାନୀୟ କୃଷକ ନ ମିଳିବାରୁ ଭଡ଼ାରେ କୃଷକ ଯୋଗାଡ଼ କରାଯାଇଥିଲା। ପରେ ଜଣାପଡ଼ିଲା, ସେମାନେ ବିହାର ଓ ପଶ୍ଚିମ ବଙ୍ଗର ଦଳୀୟ କର୍ମୀ। ସାରା ଭାରତରେ ଏ ପରି ଘଟିଛି। ସରକାର ବିଭିନ୍ନ ଉପାୟରେ କୃଷକ ସକ୍ରିୟତାବାଦୀଙ୍କୁ ମନାଇବା ପାଇଁ ଚେଷ୍ଟାରତ। ସେମାନଙ୍କଠାରୁ ପରାମର୍ଶ ମାଗୁଛନ୍ତି। ତେବେ, କୃଷକ ସ˚ଗଠନଗୁଡ଼ିକ ସରକାର କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି।

ହରିୟାଣାରେ ଅମଳ ଋତୁ ଶେଷ ହେବା ଉପରେ। ଏହା ପରେ ଶୀତକାଳୀନ ଫସଲ କାର୍ଯ୍ୟ ଆରମ୍ଭ ହେବ। ଦୀପାବଳି ସୁଦ୍ଧା ଉତ୍ତର-ପଶ୍ଚିମ ଭାରତର କୃଷକମାନେ ହାଲୁକା ହୋଇଯିବେ। ପାର˚ପରିକ ଭାବେ କୃଷକମାନେ ଏହି ସମୟରେ ପ୍ରତିବାଦ କରିଥାଆନ୍ତି। ସିରସା ଅଭିଜ୍ଞତାରୁ ମୁଁ ଯାହା ଜାଣୁଛି- ଏ ଥରର ଶୀତ ଅଶାନ୍ତ ହୋଇପାରେ।

(ଏହା ଲେଖକଙ୍କ ନିଜସ୍ବ ମତ)

[email protected]

ସମ୍ବନ୍ଧିତ ଖବର