ଏ ପୃଥ୍ୱୀ ନିରାମୟ ହେଉ

ପାର୍ବଣ ଅନୁଚିନ୍ତା - ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ନବରାତ୍ର ଶବ୍ଦରୁ ସ୍ବତନ୍ତ୍ର ନଅ ରାତିର ଭାବନା ମନକୁ ଆସେ। ଏ ସମୟରେ ଶକ୍ତିକୁ ନ’ରୂପରେ ଉପାସନା କରାଯାଏ। ରାତ୍ରି ଶବ୍ଦ ସିଦ୍ଧିର ପ୍ରତୀକ। ଭାରତରେ ପ୍ରାଚୀନ ମୁନିଋଷିମାନେ ପର୍ବ ଓ ଉପାସନାରେ ଦିନ ଅପେକ୍ଷା ରାତିକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ସେଥିପାଇଁ ଦୀପାବଳି, ଶିବରାତ୍ରି ଓ ନବରାତ୍ରି ପରି ଉତ୍ସବ ରାତିରେ ହିଁ ପାଳିତ ହୁଏ। ରାତିର ବିଶେଷ ମହତ୍ତ୍ବ ନଥିଲେ ଏସବୁ ଉତ୍ସବ ଦିନରେ ହିଁ ପାଳିତ ହେଉଥାନ୍ତା। ମନୀଷୀମାନେ ବର୍ଷରେ ଦୁଇ ଥର ନବରାତ୍ରି ପାଳନର ବିଧାନ ରଖିଛନ୍ତି। ବିକ୍ରମ ସମ୍ବତ୍ରର ପ୍ରଥମ ଦିନ ଅର୍ଥାତ୍‌ ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ନଅଦିନ ଅର୍ଥାତ୍‌ ନବମୀ ପର୍ଯ୍ୟନ୍ତ ଏବ˚ ଏହାର ଠିକ୍‌ ଛଅ ମାସ ଆଶ୍ବିନ ମାସ ଶୁକ୍କପକ୍ଷ ପ୍ରତିପଦାରୁ ମହା ନବମୀ ଅର୍ଥାତ୍‌ ବିଜୟାଦଶମୀର ଏକ ଦିନ ପୂର୍ବ ପର୍ଯ୍ୟନ୍ତ। ତେବେ ସିଦ୍ଧି ଓ ସାଧନା ଦୃଷ୍ଟିରୁ ଶାରଦୀୟ ନବରାତ୍ର ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏହି ନବରାତ୍ରରେ ଲୋକମାନେ ନିଜ ନିଜର ଆଧ୍ୟାତ୍ମିକ ଓ ମାନସିକ ଶକ୍ତି ସଞ୍ଚୟ କରିବା ପାଇଁ ବିଭିନ୍ନ ପ୍ରକାର ବ୍ରତ, ନିୟମ, ସ˚ଯମ, ଯଜ୍ଞ, ଭଜନ, ପୂଜନ, ଯୋଗ ସାଧନା ଆଦି କରନ୍ତି।

ଦୁର୍ଗାପୂଜା ଶରତ ଋତୁରେ ପାଳିତ ହୁଏ ବୋଲି ମା’ଦୁର୍ଗାଙ୍କର ଅନ୍ୟ ଏକ ନାମ ଶାରଦା। ଶାରଦା ବା ଶରତ ଆସିଛି ଶୃ ଧାତୁ ଠାରୁ- ଅର୍ଥ ବଧ ଓ ହି˚ସା। ହି˚ସାତ୍ମକ ଯାହା କିଛି ସେ ସବୁକୁ ହତ କରି ମା’ ସୁରକ୍ଷା ଭାବକୁ ସମୃଦ୍ଧ କରି ତୋଳନ୍ତି। ସେ ଅସତ୍‌ ନିରୋଧୀ ପ୍ରଚଣ୍ତା। ମା’ଦୁର୍ଗାଙ୍କ ଧ୍ୟାନମନ୍ତ୍ରରେ ମଧ୍ୟ ଅଛି ତାଙ୍କର ଅଷ୍ଟଶକ୍ତିର କଥା- ଉଗ୍ରଚଣ୍ତା, ପ୍ରଚଣ୍ତା, ଚଣ୍ତୋଗ୍ରା, ଚଣ୍ତନାୟିକା, ଚଣ୍ତା, ଚଣ୍ତବତୀ, ଚଣ୍ତରୂପା ଓ ଅତି ଚଣ୍ତିକା। ମା’ ହେଉଛନ୍ତି ଶିବଙ୍କ ଘରଣୀ- ଶିବାନୀ ଅର୍ଥାତ୍‌ ମଙ୍ଗଳବିଧାୟିନୀ। ମା’ସବୁ ସନ୍ତାନଙ୍କର ମଙ୍ଗଳ କାମନା କରନ୍ତି। ସମସ୍ତଙ୍କୁ କୋଳରେ ଧରନ୍ତି। ତେଣୁ ତାଙ୍କର ଅନ୍ୟ ନାମ ଜଗଦ୍ଧାତ୍ରୀ। ସେ ବିକ୍ଷୁବ୍‌ଧତା ଓ ବିଚ୍ଛିନ୍ନତାକୁ ସୁସ˚ହତ କରନ୍ତି। ତେଣୁ ଦୁର୍ଗାପୂଜା କେବଳ ମାତ୍ର ପୁଷ୍ପ, ବିଲ୍ବ ପତ୍ରର ପୂଜା ନୁହେଁ, ଏହା ମାନବତାର ଏକ ବିରାଟ ମିଳନ ଉତ୍ସବ।

ତେବେ କେବଳ ପିତୁଳା ଭାବି ତାଙ୍କୁ ପୂଜା କଲେ ଆମ୍ଭମାନଙ୍କ ପ୍ରାଣରେ ତାଙ୍କର ପ୍ରତିଷ୍ଠା ହେବ ନାହିଁ। ସେ ପୂଜା ସମ୍ବର୍ଦ୍ଧନା ଓ ଚାରିତ୍ରିକ ଦ୍ୟୁତି ଆଣିପାରିବ ନାହିଁ। ପୂଜା ସମୟରେ ପ୍ରତିମାରେ ଚକ୍ଷୁଦାନ ଓ ପ୍ରାଣପ୍ରତିଷ୍ଠା କରାହୁଏ। ପ୍ରକୃତ ଚକ୍ଷୁଦାନ ହେଉଛି ଭକ୍ତର ଚକ୍ଷୁ ତାଙ୍କ ଲାଗି ଦାନ କରିବା। ଫଳରେ ମା’ ବ୍ୟକ୍ତି, ବିଷୟ ଓ ବ୍ୟାପାରକୁ ଯେଭଳି ଭାବରେ ଦେଖିବା ପସନ୍ଦ କରନ୍ତି, ମଣିଷ ମଧୢ ‌ସେହି ଭାବରେ ଦେଖିବାରେ ଅଭ୍ୟସ୍ତ ହେବ। ଆଉ ପ୍ରାଣ ପ୍ରତିଷ୍ଠା ହେଉଛି ଦେବତାଙ୍କର ଦିବ୍ୟ ଗୁଣରାଜି ଅନୁଶୀଳନ କରି ସେ ସବୁକୁ ନିଜ ନିଜ ଚରିତ୍ରରେ ଫୁଟାଇ ଉଠାଇବା।

ଦୁନିଆର ସବୁକିଛି ଓ ସମସ୍ତଙ୍କୁ ନେଇ ମା’ହେଉଛନ୍ତି ମହାମାୟା, ବିଶ୍ବପ୍ରସବିନୀ ଓ ବିଶ୍ବ ପରିବ୍ୟାପ୍ତା। ତାଙ୍କର ସ୍ତୁତିରେ ତାଙ୍କୁ କ୍ଷମା ରୂପେ, ନିଦ୍ରା ରୂପେ, କ୍ଷୁଧା ରୂପେ, ତୃଷ୍ଣା ରୂପେ, ଶକ୍ତି ରୂପେ, ଲଜ୍ଜା ରୂପେ, ଶାନ୍ତି ରୂପେ ଓ ଶ୍ରଦ୍ଧା ରୂପେ ପୂଜା କରାଯାଏ। ପରମା ପ୍ରକୃତି ସେ। ପ୍ରକୃଷ୍ଟ ଭାବେ ଯାହା କରାହୋଇଅଛି ତାହା ହିଁ ପ୍ରକୃତି। ମା’ଦୁର୍ଗା ଅନେକ ନାମରେ ପରିଚିତା। ତାଙ୍କର ପ୍ରତି ଗୁଣ ଓ ବୈଶିଷ୍ଟ୍ୟର ଏକ ଏକ ନାମ ହୋଇଛି। ଯଥା ନାରାୟଣୀ, ଭଦ୍ରକାଳୀ, ହୈମବତୀ, ଈଶ୍ବରୀ, ବୈଷ୍ଣବୀ ଓ ମାହେଶ୍ବରୀ ପ୍ରଭୃତି। ତାଙ୍କର ବୀଜମନ୍ତ୍ର ହ୍ରି˚, ମାନେ ଲଜ୍ଜା। ସେ ଭଗବତୀ ଦୁର୍ଗା। ଭଗ ଅର୍ଥ ଐଶ୍ବର୍ଯ୍ୟ। ଐଶ୍ବର୍ଯ୍ୟ, ବୀର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ ଓ ବୈରାଗ୍ୟର ଏହି ଛଅଟି ଐଶ୍ବର୍ଯ୍ୟର ନାମ ଭଗ। ଏହା ପୂର୍ଣ୍ଣ ମାତ୍ରାରେ ବିରାଜିତ ମା’ଭଗବତୀଙ୍କ ପାଖରେ।

ଏହି ପାର୍ବଣ ଋତୁରେ ମା’ଙ୍କ ଦୃଷ୍ଟି ଏ ପୃଥିବୀକୁ ନିରାମୟ କରୁ, ଏହା ହିଁ ପ୍ରାର୍ଥନା।

ବିଭାଗୀୟ ମୁଖ୍ୟ,
ହେପାଟୋଲୋଜି ବିଭାଗ,
ଏସ.ସି.ବି. ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭

ସମ୍ବନ୍ଧିତ ଖବର