ଭୋକର ଭୂଇଁ ଭାରତ

ବିବିଧ ବିଚାର - ଗୌତମବୁଦ୍ଧ ଦାସ

ସଦ୍ୟ ପ୍ରକାଶିତ ହୋଇଥିବା ଚଳିତ ବର୍ଷର ବିଶ୍ବ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ଲଜ୍ଜାଜନକ ଭାବେ ୧୦୭ ଦେଶଙ୍କ ମଧ୍ୟରେ ୯୪ତମ ସ୍ଥାନରେ ରହିଛି। ଯେଉଁ ପାକିସ୍ତାନ, ବାଂଲାଦେଶ ଓ ନେପାଳରେ ଦାରିଦ୍ର୍ୟ ଅଧିକ ବୋଲି ଧାରଣା ରହିଛି, ସେମାନେ ବି ଏହି ସୂଚକାଙ୍କରେ ଆମଠୁ ଉପରେ ଅଛନ୍ତି। ପାକିସ୍ତାନ ୮୮ତମ ସ୍ଥାନରେ ରହିଥିବା ‌େବଳେ ମିଆଁମାର ୭୮ତମ, ବାଂଲାଦେଶ ୭୫ତମ, ନେପାଳ ୭୩ତମ, ଶ୍ରୀଲଙ୍କା ୬୪ତମ ସ୍ଥାନରେ ରହିଛି। ପଡ଼ୋଶୀ ଦେଶମାନଙ୍କ ଭିତରେ ୯୯ତମ ସ୍ଥାନରେ ଥିବା କେବଳ ଆଫଗାନିସ୍ତାନ ହିଁ ଭାରତଠାରୁ ତଳେ ରହିଛି।

ୱାସିଂଟନ୍ ସ୍ଥିତ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥା (International Food Policy Research Institute) ପ୍ରତିବର୍ଷ ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଦେଶ ବିଦେଶର ଅନେକ ବିଶ୍ବସନୀୟ ସଂସ୍ଥାର ସର୍ବେକ୍ଷଣ ଓ ଗବେଷଣା ରି‌େପାର୍ଟକୁ ଭିତ୍ତି କରି ବିଶ୍ବ କ୍ଷୁଧା ସୂଚକାଙ୍କ ପ୍ରସ୍ତୁତ କରିଥାଏ। ମୁଖ୍ୟତଃ ପୁଷ୍ଟିହୀନତା, ଶିଶୁ ମୃତ୍ୟୁ, ଶିଶୁଙ୍କ ଶାରୀରିକ ଗଠନର ସ୍ଥିତି ତଥା ଉପଯୁକ୍ତ ଯତ୍ନର ଅଭାବ ଓ ଅବହେଳା ଯୋଗୁଁ ଶିଶୁଙ୍କ ବିକାଶରେ ବ‌ାଧାକୁ ଆଖିରେ ରଖି ବିଭିନ୍ନ ଦେଶର କ୍ଷୁଧା ସୂଚକାଙ୍କ ନିର୍ଦ୍ଧାରିତ ହୋଇଥାଏ। ତେଣୁ ଏହି ରିପୋର୍ଟର ବିଶ୍ବସନୀୟତା ମଧ୍ୟ ପ୍ରଶ୍ନାତୀତ। ବର୍ଷକ ତଳେ ୧୧୭ ଦେଶଙ୍କ ମଧ୍ୟରେ ବିଶ୍ବ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ୧୦୨ତମ ସ୍ଥାନରେ ଥିଲା। ଆଉ ଏବେ ବି ସାରା ବିଶ୍ବରେ ଆଫ୍ରିକୀୟ ଦେଶଗୁଡ଼ିକ ଭଳି ଭାରତ ଯେ ଭୋକର ଭୂଇଁ ହୋଇ ରହିଛି ତାହା ପୁଣିଥରେ ପ୍ରମାଣିତ ହୋଇଯାଇଛି।

ରିପୋର୍ଟ କହୁଛି, ଦେଶର ଜନସଂଖ୍ୟାର ୧୪% ଦିନକୁ ଦୁଇଓଳି ପେଟପୂରା ଖାଇବାକୁ ପା‌ଆନ୍ତି ନାହିଁ। ସାରା ପୃଥିବୀ‌େର ଦକ୍ଷିଣ ଏସିଆରେ ଶିଶୁମାନଙ୍କ ସ୍ଥିତି ସବୁଠାରୁ ଖରାପ ଥିବାବେଳେ ଭାରତରେ ୧୭.୩% ଶିଶୁଙ୍କ ସ୍ଥିତି ଚିନ୍ତାଜନକ ରହିଛି। କ୍ଷୁଧା ଓ ଦାରିଦ୍ର୍ୟ ସାଙ୍ଗକୁ ପୁଷ୍ଟିହୀନତା, ଅଶିକ୍ଷା ଓ ବିଭିନ୍ନ ରୋଗରେ ସଂକ୍ରମିତ ହେଉଥିବାରୁ ଭାରତୀୟ ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ମଧ୍ୟ ଗୁରୁତର ରୂପେ ବାଧାପ୍ରାପ୍ତ ହେଉଛି।

ଗତବର୍ଷ ଜାତୀୟ ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ମଧ୍ୟ ଏମିତି କିଛି ବିମର୍ଷକର ବିଷୟ ପଦାକୁ ଆସିଥିଲା। ରିପୋର୍ଟରେ କୁହାଯାଇଥିଲା, ବିଗତ ୨୦ ବର୍ଷ ଭିତରେ ଭାରତର ମୋଟ ଶସ୍ୟ ଉତ୍ପାଦନ ୧.୯୮ କୋଟି ଟନ୍‌ରୁ ବଢ଼ି ୨.୬୯ କୋଟି ଟନ୍‌ରେ ପହଞ୍ଚିଲାଣି। ମାତ୍ର ବିଡ଼ମ୍ବନା ହେଲା ଏହା ସତ୍ତ୍ବେ ଦେଶର ୧୯ କୋଟି ଲୋକ ଏବେ ବି ରାତିରେ ଭୋକିଲା ପେଟରେ ଶୁଅନ୍ତି। ଆଉ ପ୍ରତିଦିନ ପ୍ରାୟ ୪,୫୦୦ ପିଲା ଭୋକ ଓ ପୁଷ୍ଟିହୀନତା ଯୋଗୁଁ ପ୍ରାଣ ହରାନ୍ତି। ବିଶ୍ବର ଦ୍ବିତୀୟ ସର୍ବାଧିକ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବା ଭାରତରେ ଜନସମୂହ ପୁଷ୍ଟିହୀନତାର ଶିକାର ହେବା ଉଭୟ ବିସ୍ମୟକର ଏବଂ ବିମର୍ଷକର।

ଏଭଳି ସ୍ଥିତି ଦେଖି ବର୍ଷକ ତଳେ ସୁପ୍ରିମ କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରି ସମସ୍ତଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ସରକାରଙ୍କୁ ନି‌େର୍ଦ୍ଦଶ ଦେଇଥିଲେ। ମାତ୍ର, ବିଡ଼ମ୍ବନା ଏଭଳି ଉଦ୍‌ବେଗଜନକ ପ୍ରସଙ୍ଗ ଆମ ଜାତୀୟ ଗଣମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ ପାଲଟେନାହିଁ କି କୌଣସି ପ୍ରାଇମ୍‌ ଟାଇମ୍ ବିତର୍କର ବିଷୟ ହୁଏ ନାହିଁ। କାରଣ ଆମ ଦେଶରେ ‘ଟିଆର୍‌ପି’ ସକାଶେ ଲୋଡ଼ା ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ଭଳି ଘଟଣା ବା କଙ୍ଗନା ରଣାୱତଙ୍କ ଭଳି ଆକର୍ଷଣୀୟ ଚେହେରା ଯାହାର ବିକଳ୍ପ କଦାପି କ୍ଷୁଧ‌ା ଓ ଦାରିଦ୍ର୍ୟ ହୋଇ ନ ପାରେ।

ତେବେ ସେ ଯାହା ହେଉ, ବିଶ୍ବ କ୍ଷୁଧା ସୂଚକାଙ୍କରେ ବିଶ୍ବର ବିକାଶଶୀଳ ଦେଶମାନଙ୍କ ଭିତରେ ଭାରତର ସ୍ଥାନ ଲଗାତର ଭାବେ ଏମିତି ଖସି ଖସି ଚାଲିଛି। ଚଳିତ ବର୍ଷ ପୁଣି ଥରେ ବିଶ୍ବ କ୍ଷୁଧା ସୂଚକାଙ୍କର ଏହି ରିପୋର୍ଟ ଅସଂଖ୍ୟ ଭାରତୀୟଙ୍କୁ ବ୍ୟଥିତ କରିଛି। ତେବେ, ଭୋକିଲା ଲୋକଙ୍କ ‌ନିକଟରେ ଖାଦ୍ୟ ପହଞ୍ଚାଇବା ପାଇଁ ଆମ ସରକାରମାନେ ଯେ କିଛି କରୁନାହାନ୍ତି, ତାହା ନୁହେଁ। ଖାଦ୍ୟ ସୁରକ୍ଷା ଯୋଜନାରେ ଏଥିପାଇଁ ସାରା ଦେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ପ୍ରୟାସ ଜାରି ରହିଛି। ଖାଦ୍ୟ ସୁରକ୍ଷା ଯୋଜନାରେ ‌ଦେଶର ଅର୍ଧାଧିକ ଲୋକଙ୍କୁ ନାଁକୁ ମାତ୍ର ମୂଲ୍ୟରେ ଚାଉଳ, ଗହମ ବଣ୍ଟାଯାଉଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କ୍ଷୁଧାର୍ତ୍ତଙ୍କୁ ଖାଦ୍ୟ ଯୋଗାଇ ପୁଷ୍ଟିହୀନତା ହଟାଇବା ପାଇଁ ତାମିଲନାଡ଼ୁର ‘ଆନ୍ନା ଉନଭଗମ୍‌’, ରାଜସ୍ଥାନର ‘ଅନ୍ନପୂର୍ଣ୍ଣା ରୋଷାଇ’, ଦିଲ୍ଲୀର ‘ଆମ୍ ଆଦ୍‌ମି କ୍ୟାଣ୍ଟିନ୍‌’, ଓଡ଼ିଶାର ‘ଆହାର ଯୋଜନା’, ଆନ୍ଧ୍ରର ‘ଆନ୍ନା କ୍ୟାଣ୍ଟିନ୍‌’, କର୍ଣ୍ଣାଟକର ‘ଇନ୍ଦିରା କ୍ୟାଣ୍ଟିନ୍‌’ ଏବଂ ଝାରଖଣ୍ଡର ‘ମୁଖ୍ୟମନ୍ତ୍ରୀ ଭାତ-ଡାଲ୍’ ଆଦି ଅନେକ ପ୍ରଶଂସନୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ସମ୍ଭବତଃ ଏତେ ସବୁ ଯୋଜନା ପଛରେ ଭୋକିଲା ମୁହଁରେ ଅନ୍ନ ଦେବା ପାଇଁ ଆବଶ୍ୟକ ଆନ୍ତରିକତା କମ୍, ଭୋଟ ହାତେଇବାର ଚାଲାକି ଅଧିକ ଥିବାରୁ କ୍ଷୁଧାକୁ ସମୂଳେ ଦୂର କରାଯାଇ ପାରୁନାହିଁ।

ସତରେ ଏବେ ବି ଭୋକର ଭୂଇଁ ହୋଇ ରହିଥିବା ଏମିତି ଏକ ଭାରତକୁ ଦେଖି ମନରେ ବାରମ୍ବାର ପ୍ରଶ୍ନ ଆସୁଛି- ସ୍ବାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ଆମ ନେତାମାନେ ‘ଗରିବୀ ହଟାଅ’, ‘ସାଇନିଂ ଇଣ୍ଡିଆ’, ‘ଅଚ୍ଛେ ଦିନ୍’ ଭଳି ଯେଉଁସବୁ ସ୍ଳୋଗାନ୍ ଦେଇଥିଲେ, ସେସବୁ ‌କ’ଣ କେବଳ ସ୍ଳୋଗାନ୍ ହୋଇ ରହିଗଲା?

ଏଇ କ’ଣ ତା’ହେଲେ ଦାରିଦ୍ର୍ୟମୁକ୍ତ, କ୍ଷୁଧାମୁକ୍ତ ଆମ ସ୍ବପ୍ନର ଭାରତବର୍ଷର ଚିତ୍ର?

ମୋ : ୯୪୩୭୦୮୨୫୨୬
[email protected]

ସମ୍ବନ୍ଧିତ ଖବର