ସର୍ବ ପ୍ରାଚୀନ ମନୁଷ୍ୟ ତୌମାଇ!

ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ମନୁଷ୍ୟର କ୍ରମ ବିବର୍ତ୍ତନ ପ୍ରକ୍ରିୟା ଉପରେ ନଜର ରଖିଥିବା ବୈଜ୍ଞାନିକଙ୍କ ମତରେ ବର୍ତ୍ତମାନ ସୁଦ୍ଧା ସ˚ଗୃହୀତ ଓ ସ˚ରକ୍ଷିତ ପ୍ରାଚୀନତମ ମନୁଷ୍ୟ ଅବଶେଷର ବୟସ ପ୍ରାୟ ୬ ନିୟୁତ ବର୍ଷ। ଗତ ବର୍ଷ ଜୁଲାଇ ମାସରେ କେନ୍ଦ୍ର ଆଫ୍ରିକାର ଉତ୍ତର ଚାଦ୍‌ସ୍ଥିତ ଜୁରାବ୍‌ ମରୁଭୂମିର ସାହେଲ୍‌ ଅ˚ଚଳରୁ ପ୍ରାପ୍ତ ଜୀବାଶ୍ମରେ ପରିଣତ ଖପୁରିର ବୈଜ୍ଞାନିକ ପରୀକ୍ଷା ପରେ ତାହା ଜଣାପଡ଼ିଛି। ଏହାର ବୟସ ସାତ ନିୟୁତ ବର୍ଷ। ଏହାକୁ ପ୍ରାଚୀନତମ ମାନବ ଅବଶେଷ ବୋଲି କୁହାଯାଉଛି।

ଫରାସୀ ବୈଜ୍ଞାନିକ ମାଇକେଲ ବ୍ରୁନେଟ୍‌ଙ୍କ ଅଧୀନରେ ଏକ ଜୀବାଶ୍ମ ଉଦ୍ଧାରକାରୀ ଦଳ ଭୂଖନନ ବେଳେ ଏହି ପ୍ରସ୍ତରୀଭୂତ ଦେହାବଶେଷକୁ ଆବିଷ୍କାର କରିଥିଲେ। ଦେଖିବାକୁ ଏହା ଏକ ସିମ୍ପାଞ୍ଜି ଜାତୀୟ ପ୍ରାଣୀର ଖପୁରି ସଦୃଶ। ଆଜକୁ ୭୭ ବର୍ଷ ପୂର୍ବେ ଆବିଷ୍କୃତ ତଥା ଏଯାବତ୍‌ ପ୍ରାଚୀନତମ ବୋଲି ବିଶ୍ବାସ କରାଯାଉଥିବା ‘ଅଷ୍ଟ୍ରାଲୋପିଥେକସ୍‌’ ନାମକ ଜୀବାଶ୍ମ ଠାରୁ ଏହା ଏକ ନିୟୁତ ବର୍ଷ ଅଧିକ ପ୍ରାଚୀନ। ଏହା ପରେ ପୂର୍ବ ନିରୂପିତ ଆଧୁନିକ ମାନବର ବ˚ଶଧାରାର ଉତ୍ପତ୍ତି ତଥ୍ୟ ପୁନର୍ବିଚାର ଯୋଗ୍ୟ ହୋଇ ପଡ଼ିଛି ବୋଲି ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଜୈବିକ ନୃତତ୍ତ୍ବ ବିଜ୍ଞାନୀ ଡାନିଏଲ୍‌ ଲିବରମ୍ୟାନ ମତ ଦେଇଛନ୍ତି। ଉକ୍ତ ଜୀବାଶ୍ମକୁ ‘ତୌମାଇ’ ବୋଲି ନାମିତ କରାଯାଇଛି। ସ୍ଥାନୀୟ ଗୋରାନ୍‌ ଭାଷାରେ ଏହାର ଅର୍ଥ ହେଉଛି ‘ଜୀବନର ଆଶା’। ଏହାର ପ୍ରାପ୍ତି ସ୍ଥାନ ଓ ଦେଶକୁ ଗୁରୁତ୍ବ ଦେଇ ତୌମାଇର ବୈଜ୍ଞାନିକ ନାମ ‘ସାହେଲୋନ୍ଥ୍ରୋପସ୍‌ ଚାଦେନ୍‌ସିସ୍‌’ ବୋଲି ରଖାଯାଇଛି। ଏହି ଜୀବାଶ୍ମରେ ଥିବା ଖପୁରି ସହିତ ଦୁଇଟି ନିମ୍ନ ହନୁ ହାଡ଼ର ଟୁକୁଡ଼ା ଏବ˚ କିଛି ଦାନ୍ତର ସମାହାର ମିଳିଛି, ଯାହା ଅତୀତର ସରଳୀକୃତ ମାନବ ବ˚ଶଧାରାର ବର୍ଣ୍ଣନାକୁ ବଦଳାଇ ଦେଇପାରେ। ଏହାର ପୃଷ୍ଠ ଦେଶରେ ଥିବା ମସ୍ତିଷ୍କ ଭାଗଟି ବାନର ଶ୍ରେଣୀର ମନେ ହେଉଥିଲେ ହେଁ ସମ୍ମୁଖରେ ଥିବା ମୁଖମଣ୍ତଳ ଓ ଦାନ୍ତମାଳା ମାନବଜାତୀୟ। ଏଥିରୁ ଲାଭ କରିଥିବା ଅନେକ ତଥ୍ୟକୁ ଭିିତ୍ତି କରି ନୃତତ୍ତ୍ବ ବିଜ୍ଞାନୀମାନେ ଅନୁମାନ କରନ୍ତି ଯେ ଏହି ତୌମାଇ ଶ୍ରେଣୀଟି ପ୍ରକୃତରେ ବାନର ବ˚ଶ ଓ ମାନବ ବ˚ଶର ସାଧାରଣ ପ୍ରଜାତିର ନିକଟବର୍ତ୍ତୀ ଏକ ସ୍ବତନ୍ତ୍ର ଉପଜାତି। ବୋଧହୁଏ ଏହା ଏଭଳି ଏକ ସମୟର ଯେତେବେଳେ ମାନବ ବ˚ଶ ଓ ସିମ୍ପାଞ୍ଜି ବ˚ଶ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଏହାର ଆବିଷ୍କାରକ ମାନେ ଦାବି କରନ୍ତି ଯେ ତୌମାଇ ହେଉଛି ମାନବ ଶ୍ରେଣୀ ବା ‘ହୋମିନିଡ’ର ପ୍ରାଚୀନତମ ପ୍ରଜାତି। ଏହା ପୂର୍ବରୁ ପୂର୍ବ ଆଫ୍ରିକାରୁ ପ୍ରାପ୍ତ ଅନ୍ୟାନ୍ୟ ଜୀବାଶ୍ମମାନଙ୍କ ସହ ଏହାର ତୁଳନା କରାଯାଇ ଏହାର ଆନୁମାନିକ ବୟସ ୭ ନିୟୁତ ବର୍ଷ ବୋଲି ଧାର୍ଯ୍ୟ କରାଯାଇଛି।

ଏହାର ଗବେଷଣା କରୁଥିବା ବୈଜ୍ଞାନିକ ବ୍ରୁନେଟ୍‌ଙ୍କ ଦୃଢ଼ ମତ ଯେ ଏହା ଏକ ପୁରୁଷ ଖପୁରି। ମାତ୍ର ପ୍ୟାରିସସ୍ଥିତ ଜାତୀୟ ଇତିହାସ ସ˚ଗ୍ରହାଳୟର ସମାଲୋଚକ ବ୍ରିଜିଟ୍‌ ସେନଟ୍‌ କହନ୍ତି ଯେ ଏହି ଖପୁରିର କ୍ଷୁଦ୍ର ମୁଖମଣ୍ତଳ ତଥା ଛୋଟ ଶ୍ବାନ ଦାନ୍ତ ସୂଚାଇ ଦେଉଛି କି ଏହା ପ୍ରାଗୈତିହାସିକ ସ୍ତ୍ରୀ ଗରିଲା। ଏହା ସତ ଯେ ‘କମ୍ପ୍ୟୁଟର ଇମେଜି˚’ ଦ୍ବାରା ଖପୁରିର ପୁନର୍ଗଠନ କରାଯାଇପାରିବ। ହୁଏ’ତ ତାହା ହେଲେ ତୌମାଇ ବାବଦରେ ଆହୁରି ଅନେକ କଥା ଜାଣିହେବ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି,
ଏସ୍‌ସିବି ମେଡିିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭

ସମ୍ବନ୍ଧିତ ଖବର