‘ତନିଷ୍କ’ ଅଳଙ୍କାରର ଗୋଟେ ବିଜ୍ଞାପନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ‘ତନିଷ୍କ’ ଟାଟା ଗ୍ରୁପ୍‌ର ଏକ ବିଭାଗ ଯାହା ଗହଣା ବ୍ୟବସାୟ କରେ। ଡିଜିଟାଲ ପ୍ଲାଟ୍‌ଫର୍ମ ପାଇଁ ପ୍ରସ୍ତୁତ ସେ ବିଜ୍ଞାପନଟି ଏଇ ଭଳି। ଉତ୍ତର ଭାରତର ପାରମ୍ପରିକ ‘ଗୋଦ୍ ଭରାଇ’ (baby shower) ଉତ୍ସବରେ ସନ୍ତାନସମ୍ଭବା ହିନ୍ଦୁ ବୋହୂଟି ନିଜ ମୁସଲମାନ ଶାଶୂଙ୍କୁ ପଚାରୁଛି, ‘ମା’, ଆପଣଙ୍କ ଘରେ ଏ ଉତ୍ସବ ପାଳନ ହୁଏନା ତ?’ ଉତ୍ତରରେ ଶାଶୂ କହୁଛନ୍ତି ‘ଝିଅମାନଙ୍କୁ ଖୁସିରେ ରଖିବା କ’ଣ ସବୁ ଘରର ପରମ୍ପରା ନୁହେଁ?’ ଅନାବିଳ ପାରିବାରିକ ସଂପର୍କ ହିଁ ବିଜ୍ଞାପନଟିର ବିଶେଷତ୍ବ।

Advertisment

ତେବେ ବିବାଦ କାହିଁକି? ତେୟାଳିଶ ସେକେଣ୍ଡ ଅବଧିର ଏହି ଭିଜୁଆଲଟି ଦୁଇ ଭିନ୍ନ ସଂପ୍ରଦାୟ ମଧ୍ୟରେ ସ୍ଥାପିତ ବୈବାହିକ ସମ୍ବନ୍ଧ ଉପରେ ପର୍ଯ୍ୟବସିତ। ଏହାକୁ ‘ଲଭ ଜିହାଦ’ ଆଖ୍ୟା ଦେଇ ଟ୍ବିଟର, ୟୁଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଗଲା ଓ ଉକ୍ତ ବ୍ରାଣ୍ଡ୍‌କୁ ବର୍ଜନ କରିବାକୁ ଆହ୍ବାନ ଦିଆଗଲା। ବିରୋଧ ତୀବ୍ର ହେବାରୁ ଏହି ବିଜ୍ଞାପନକୁ ହଟେଇବା ଲାଗି କଂପାନି ବାଧ୍ୟ ହେଲା। ସ୍ପଷ୍ଟୀକରଣ ଦେଲା ଯେ ସାଂପ୍ରତିକ ସଂକଟମୟ ପରିସ୍ଥିତିରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ପରିବାର ସମବେତ ଜୀବନଯାପନର ଉତ୍ସବ ପାଳନ ଉଦ୍ଦେଶ୍ୟରେ ଏହି ‘ଏକତ୍ବମ’ ବିଜ୍ଞାପନର ପରିକଳ୍ପନା କରାଯାଇଥିଲା। କିନ୍ତୁ ଉଦ୍ଦେଶ୍ୟ ବିପରୀତ ପ୍ରତିକ୍ରିୟା ହେବାରୁ ବିଜ୍ଞାପନଟିକୁ ହଟେଇ ନିଆଗଲା।

ଧର୍ମୀୟ ସଂକୀର୍ଣ୍ଣତା ହେତୁ ଏହାକୁ ବିରୋଧ କରୁଥିବା ଲୋକେ ଭୁଲିଗଲେ ‘ଗୋଦ୍ ଭରାଇ’ ଭଳି ହିନ୍ଦୁ ପରମ୍ପରାଟିକୁ ପାଳନ କରି ଅନ୍ୟ ଧର୍ମର ମହିଳାଟିଏ (ଏଠାରେ ଶାଶୂ) ଆନନ୍ଦ ଅନୁଭବ କରୁଛି ଓ ସମ୍ଭାବ୍ୟ ସନ୍ତାନଟି ଉଭୟଙ୍କ ନିବିଡ଼ତାର କାରଣ ସାଜିଛି। ଏହି ବିଜ୍ଞାପନ ବିରୋଧରେ ହୋଇଥିବା ସାଂପ୍ରଦାୟିକ ପ୍ରଦୂଷଣ ଅଭିଯୋଗକୁ ଭାରତର ‘ବିଜ୍ଞାପନ ମାନକ ପରିଷଦ’ (Advertising Standards Council of India) ପକ୍ଷରୁ ଖାରଜ କରାଯାଇଛି। ଏଥିରେ ସାଧୁତା, ସତ୍ୟତା ଓ ସଂଭ୍ରମତା ବ୍ୟାହତ ହେଉନାହିଁ ବୋଲି ପରିଷଦ କହିଛନ୍ତି। ‘ଉପଭୋକ୍ତା ଅଭିଯୋଗ ପରିଷଦ’ (consumer complaints council) ଏଥିରେ କୌଣସି ପ୍ରକାର ଅସମୀଚୀନ, ଅଶ୍ଳୀଳ କିମ୍ବା ବିଭେଦ ସୃଷ୍ଟିକାରୀ ଉପାଦାନ ନାହିଁ ବୋଲି ରିପୋର୍ଟ ଦେଇଛନ୍ତି।

ଭାରତରେ ବିଜ୍ଞାପନ ବିବାଦର ତାଲିକା ବେଶ ଲମ୍ବା। ବିଭିନ୍ନ କାରଣରୁ ଅନେକ ସମୟରେ ବହୁ ବିଜ୍ଞାପନ ବିରୋଧରେ ସ୍ୱର ଉଠିଛି। ମୁଖ୍ୟତଃ ଅଶ୍ଳୀଳତା ଓ ସାମାଜିକ ଅସ୍ଥିରତାର ଭୟ ହିଁ ବିରୋଧର ମୁଖ୍ୟ କାରଣ। ୧୯୯୫ ମସିହାରେ ଗୋଟେ ଜୋତା ବିଜ୍ଞାପନରେ ମିଲିନ୍ଦ ସୋମନ ଓ ମଧୁ ସାପ୍ରେଙ୍କ ଅଜଗର ସାପ ସହ ଉଲଗ୍ନ ଛବି ବେଶ ହଇଚଇ ସୃଷ୍ଟି କରିଥିଲା। ୨୦୦୮ ମସିହାରେ ବିପାଶା ବସୁ ଓ ଡିନୋ ମୋରିଆଙ୍କ ଅଭିନୀତ ଏକ ଅନ୍ତର୍ବସ୍ତ୍ରର ବିଜ୍ଞାପନକୁ ବିରୋଧ କରାଯାଇଥିଲା। ୨୦୧୭ରେ ଜାଭେଦ ହବିବଙ୍କ ‘ସ୍ପା’ ବିଜ୍ଞାପନରେ ଭାରତୀୟ ଦେବଦେବୀଙ୍କ ଅରୁଚିକର ଦୃଶ୍ୟ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସନ୍ନି ଲିଓନଙ୍କ କଣ୍ଡୋମ ବିଜ୍ଞାପନ, ଜାତକ ଭଳି ପ୍ରସାଧନ କଂପାନିମାନଙ୍କର ଯୌନ ଉତ୍ତେଜକ ଅତର ବିଜ୍ଞାପନ ମଧ୍ୟ ପ୍ରବଳ ଜନ ବିରୋଧର ଶିକାର ହୋଇଥିଲା। ନିକଟରେ ଭାରତ ସୀମାରେ ଚୀନ୍‌ର ହରକତ ଓ କରୋନା ଉତ୍ପତ୍ତିକୁ ନେଇ ‘ଅମୂଲ’ ପ୍ରଦର୍ଶିତ ‘Exit Dragon’ ଓ ‘Wuhan se yahaan tak’ ବିଜ୍ଞାପନ ଦୁଇଟିକୁ ଟ୍ବିଟର ନିଜେ ବନ୍ଦ କରିଦେଇଥିଲା। ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର ସମ୍ବନ୍ଧୀୟ କେରଳର ଏକ ଘରୋଇ ଡାକ୍ତରଖାନାର ‘ବିଦାୟ ଗର୍ଭାଶୟ’ (goodbye uterus) ବିଜ୍ଞାପନକୁ ତୀବ୍ର ବିରୋଧ ହେତୁ ହଟେଇ ନିଆଯାଇଥିଲା।

ସାରା ବିଶ୍ବ ଏବେ କରୋନାରେ ପୀଡ଼ିତ ଓ ତ୍ରସ୍ତ। ବିପଦ କେବେ ଧର୍ମ ଦେଖେ ନାହିଁ। ଆମେ ସମସ୍ତେ ମିଳିତ ଭାବରେ ଏହି ଦାରୁଣ ସମସ୍ୟାର ମୁକାବିଲା କରୁଛୁ। ସ୍ବେଚ୍ଛାସେବୀମାନେ କରୋନାରେ ମୃତ୍ୟୁବରଣ କରୁଥିବା ମଣିଷମାନଙ୍କର ଜାତି ଓ ଧର୍ମକୁ ବିଚାର ନକରି ଶବସତ୍କାର କରୁଥିବା ଖବର ପ୍ରକାଶ ପାଉଛି।

ଦ୍ବିତୀୟତଃ ଭାରତ ନିର୍ମାଣରେ ଟାଟା କଂପାନିର ଦୀର୍ଘ ଦେଢ଼ ଶହରୁ ଅଧିକ ବର୍ଷର ଭୂମିକା କାହାରିକୁ ଅଛପା ନାହିଁ। ବିମାନରୁ ଟ୍ରାକ୍ଟର ଓ ଲୁଗା ଠାରୁ ଲୁଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଟାଟା ଗ୍ରୁପ୍‌ ଭାରତୀୟ ଶିଳ୍ପ ଆନ୍ଦୋଳନର ଅନ୍ୟତମ ପ୍ରମୁଖ କର୍ଣ୍ଣଧାର। ହାଓଡ଼ା ପୋଲ, ଭାକ୍ରାନଙ୍ଗଲ ଓ ଦାମୋଦର ଭ୍ୟାଲି ଭଳି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣରେ ଆବଶ୍ୟକ ଇସ୍ପାତ ଟାଟା କଂପାନି ହିଁ ଯୋଗାଇଥିଲା। ଜେ.ଆର.ଡି ଟାଟା ପ୍ରଥମ ଭାରତୀୟ ପାଇଲଟ ଥିଲେ ଓ ଏୟାର ଇଣ୍ଡିଆ ପ୍ରତିଷ୍ଠା କରିଥିଲେ। ଭାରତ ସରକାରଙ୍କ ପୂର୍ବରୁ ଟାଟା କଂପାନି ନିଜ କର୍ମଚାରୀଙ୍କ ପାଇଁ ସବେତନ ଛୁଟି, ଭବିଷ୍ୟନିଧି ପାଣ୍ଠି, ଆଠ ଘଣ୍ଟିଆ କାର୍ଯ୍ୟ ଦିବସ, ପ୍ରସବ କାଳୀନ ସହାୟତା, ନିଃଶୁଳ୍‌କ ଚିକିତ୍ସା ସୁବିଧା, ଅବସରକାଳୀନ ଗ୍ରାଚ୍ବିଟି, ବୋନସ ପ୍ରଦାନ ଭଳି ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିଥିଲା। ଟାଟା କଂପାନିର ଅନେକ ପ୍ରେରଣାଦାୟୀ ବିଜ୍ଞାପନ ଅଛି, ଯେପରି ‘we also make steel’, ‘we also make tomorrow’।

ଲୋକଙ୍କ ବିଶ୍ବାସ, ସାମାଜିକ ସଂହତି ଓ ମାନବୀୟ ମର୍ଯ୍ୟାଦା ପ୍ରତି ଆଞ୍ଚ ଆଣୁଥିବା ବିଜ୍ଞାପନଗୁଡ଼ିକର ଯାଞ୍ଚ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ସ୍ବତନ୍ତ୍ର ବିଭାଗ ଅଛି। ନିୟମ ଉଲ୍ଲଂଘନ ହେଲେ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ଅଛି। ସେହି ଦୃଷ୍ଟିରୁ ବିଭାଜନ ସୃଷ୍ଟିକାରୀ ବିଜ୍ଞାପନ ଦଣ୍ଡିତ ହେବା ଉଚିତ। କିନ୍ତୁ ବହୁ ଧର୍ମ, ସଂପ୍ରଦାୟ, ପ୍ରଥା ଓ ପରମ୍ପରା ଥିବା ବିଶାଳ ଭାରତରେ ଜାତୀୟ ସଂହତି ଓ ଏକତା ମଜଭୁତ କରିବାରେ ପ୍ରୟାସ କରୁଥିବା ବିଜ୍ଞାପନଗୁଡ଼ିକ ପ୍ରଶଂସାର ପାତ୍ର ହେବା ଆବଶ୍ୟକ।

କରୋନା ସଂକଟ ସମୟରେ ଲୋକମାନଙ୍କର ଏକତା ବଜାୟ ରଖିବା ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ। କିନ୍ତୁ ମୁଷ୍ଟିମେୟ ଲୋକ ଏଥିରେ ବାଧା ସୃଷ୍ଟି କରିବାକୁ ଚାହିଁ ଥାଆନ୍ତି। ଏଭଳି ଶକ୍ତିଙ୍କୁ ସର୍ବଦା ନିରୁତ୍ସାହିତ କରାଯିବା ଉଚିତ।

ଫକିରାବାଦ, ଠାକୁର ପାଟଣା, କେନ୍ଦ୍ରାପଡ଼ା
ମୋ- ୯୪୩୭୦୬୬୦୯୯