ଗୁଗୁଲର ନିୟନ୍ତ୍ରଣ ହେବା ଦରକାର

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଭାରତକୁ ମିଶାଇ ପୃଥିବୀର ଅନେକ ଦେଶମାନଙ୍କରେ ଏବେ ସାମାଜିକ ଗଣମାଧ୍ୟମମାନଙ୍କର ଏକାଧିପତ୍ୟ ବିରୋଧରେ ବ୍ୟାପକ ଅଭିଯୋଗମାନ ଆରମ୍ଭ ହୋଇଛି। ଏକଦା ଜନସାଧାରଣଙ୍କର ଆପତ୍ତି ଉଠୁଥିଲା ଯେ, ମୁଦ୍ରିତ ଓ ଇଲେକ୍େ‌ଟ୍ରାନିକ୍‌ ଗଣମାଧ୍ୟମମାନଙ୍କରେ ସେମାନଙ୍କ କଥାକୁ ଉଠାଯାଉନାହିଁ। ତେଣୁ କେମିତି ଓ କେଉଁଠି ସେମାନଙ୍କର କଥାକୁ ଉଠାଯିବ, ଏହାକୁ ନେଇ ସେମାନେ ଚିନ୍ତା କରୁଥିଲେ। ଏଣୁ ଫେସ୍‌ବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ, ହ୍ବାଟ୍‌ସଆପ୍‌ ପରି ବିଭିନ୍ନ ବ୍ୟବସ୍ଥାମାନ ସୃଷ୍ଟି ହେଲା, ଯାହା ମାଧ୍ୟମରେ ସାଧାରଣ ଜନତା ସେମାନଙ୍କର କଥା ସ୍ବାଧୀନ ଭାବରେ ରଖିପାରିଲେ। ସେମାନଙ୍କର ମତାମତକୁ ସଙ୍କୁଚିତ କରିବାର ଅଧିକାର ଆଉ କାହାର ରହିଲା ନାହିଁ। ଏମାନଙ୍କୁ ସାହାଯ୍ୟ କରିବା ପାଇଁ ଗୁଗୁଲ ପରି ସ˚ସ୍ଥାମାନେ ସୃଷ୍ଟି ହେଲେ, ଯାହା ପୃଥିବୀର ସବୁ କିଛି ତଥ୍ୟକୁ ନିଜ ପାଖରେ ସଞ୍ଚିତ କରି ରଖିଲେ। ଏହି ତଥ୍ୟର ସରବରାହ ବ୍ୟବସ୍ଥାର ନିୟନ୍ତ୍ରଣ ମଧ୍ୟ ସେହି କମ୍ପାନି ହାତରେ ରହିଲା। ଦିନକୁ ଦିନ ତଥ୍ୟକୁ ନିଜ ପାଖରେ ରଖିବାର ଏକଚାଟିଆ ଅଧିକାର ସେମାନଙ୍କର ହୋଇଗଲା। ଏହାକୁ କୁହାଗଲା ଦ୍ବିତୀୟ ଶିଳ୍ପ ବିପ୍ଳବ। କାରଣ ବର୍ତ୍ତମାନର ସମାଜରେ ତଥ୍ୟ ହେଉଛି ଅସଲ ଶକ୍ତି। ଯାହା ହାତରେ ଯେତେ ତଥ୍ୟ ରହିଛି ସେ ସେତେ ଶକ୍ତିଶାଳୀ ଅଟେ।

କିନ୍ତୁ ମଣିଷର ସୁବିଧା ଓ ବିକାଶ ପାଇଁ ଯେତେ ବୈଜ୍ଞାନିକ ଉଦ୍ଭାବନ ହୋଇଛି, ପରବର୍ତ୍ତୀ କାଳରେ ତା’ର ବ୍ୟାପକ ଦୁରୁପଯୋଗ ମଧ୍ୟ ହୋଇଛି। ପରମାଣୁ ବୋମା ହେଉଛି ତା’ର ସବୁଠାରୁ ବଳିଷ୍ଠ ନିଦର୍ଶନ। ଠିକ୍‌ ସେହିପରି ଭାବେ ଦେଖାଯାଉଛି ଯେ, ଯେଉଁ ସ˚ସ୍ଥାମାନେ ତଥ୍ୟକୁ ନିଜ ପାଖରେ ସ˚ଚୟ କରି ରଖିଲେ, ସେମାନେ ସେହି ବ୍ୟବସ୍ଥାକୁ ସେମାନଙ୍କର ଏକଚାଟିଆ ଅଧିକାର କରିନେଲେ। ଏ କ୍ଷେତ୍ରରେ ଆଉ କୌଣସି ନୂଆ ବ୍ୟବସ୍ଥା ମୁଣ୍ତ ଟେକି ଉଠୁ ଏ କଥାକୁ ସେମାନେ ଅନୁମତି ଦେଲେ ନାହିଁ। ସେମାନେ ଅନ୍ୟ ଦେଶ ଓ ସ˚ସ୍ଥାର ଗୋପନୀୟତାରେ ହସ୍ତକ୍ଷେପ କଲେ। ତଥ୍ୟ କାହାକୁ ଦିଆଯିବ, ଏହାକୁ ନେଇ ପକ୍ଷପାତିତା କଲେ। ମୁଖ୍ୟତଃ ବ୍ୟବସାୟୀ ଜଗତ୍‌ ଏହାକୁ ନିଜ ପାଇଁ ବ୍ୟବହାର କଲେ। ବିଭିନ୍ନ ଦେଶ ଓ ସମାଜ ଏଥିରେ ଘୋର ଅସନ୍ତୁଷ୍ଟ ହେଲେ ମଧ୍ୟ ସେମାନଙ୍କର ଏହାକୁ ନେଇ କିଛି କରିବାର କ୍ଷମତା ନଥିଲା।

ପୂର୍ବରୁ ଆମେରିକାର ନ୍ୟାୟ ବିଭାଗ, ଗୁଗୁଲ ବିରୋଧରେ ଏକ ବିଶ୍ବାସ ବିରୋଧୀ (ଆଣ୍ଟି ଟ୍ରଷ୍ଟ) ମାମଲା ଆଗତ କରିବାକୁ ଚାହିଁଥିଲେ ମଧ୍ୟ ତାହା କରିପାରିନଥିଲେ। ବାସ୍ତବରେ ଦେଖିବାକୁ ଗଲେ ଗୁଗୁଲ କମ୍ପାନି ମାଧ୍ୟମରେ ବିଶ୍ବର ୯୨% ତଥ୍ୟର ଖୋଜା କାରବାର ଚାଲିଛି। ତଥ୍ୟ ଖୋଜିବା ଓ ଏହି ତଥ୍ୟ ମାଧ୍ୟମରେ ବିଜ୍ଞାପନ ଦେବା, ତଥ୍ୟ ସରବରାହ କରିବାର ଚାବିକାଠି କେବଳ ଏହି କମ୍ପାନିର ପରିଚାଳନା ବ୍ୟବସ୍ଥା ମଧ୍ୟରେ ରହିଛି। ଏହି କମ୍ପାନିର ପରିଚାଳନା ବ୍ୟବସ୍ଥା, ଏହାର ଆପ୍‌ସ୍‌ ଓ ଆପ୍‌ସ୍‌ ବଣ୍ଟନ ଆଦି ସବୁ ତଥ୍ୟକୁ ପରିଚାଳନା କରୁଛନ୍ତି। ଏହା ଫଳରେ ସବୁ ପ୍ରକାରର ବ୍ୟବସାୟମାନେ ତଥ୍ୟ ପାଇଁ ମୁଖ୍ୟତଃ ଏହାରି ଉପରେ ନିର୍ଭରଶୀଳ ହୋଇ ରହୁଛନ୍ତି। ଅନ୍ୟ କମ୍ପାନିମାନେ ଏ ଧରଣର ତଥ୍ୟ ସ˚ଗ୍ରହ ଓ ପରିଚାଳନା କ୍ଷେତ୍ରରେ ପଶିବାକୁ ଚାହିଁଲେ ମଧ୍ୟ ଗୁଗୁଲ କମ୍ପାନି ସେମାନଙ୍କୁ ସେହି କ୍ଷେତ୍ରରେ ପଶିବାକୁ ଦେଉନାହିଁ। ଅର୍ଥାତ୍‌, ଏହି କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ସୃଷ୍ଟି ହେବା ଓ ଆହୁରି ନୂଆ ନୂଆ ବ୍ୟବସ୍ଥା ବାହାରିବା ସମ୍ଭବ ହେଉନାହିଁ। ସାରା ବିଶ୍ବ ପରି ଆମେରିକାରେ ମଧ୍ୟ ଗୁଗୁଲର ଆକାଶଚୁମ୍ବୀ ଏକାଧିପତ୍ୟ ବିରୋଧରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ପୃଥିବୀର ବିଭିନ୍ନ ଦେଶମାନେ ଏହିସବୁ ଏକାଧିପତ୍ୟ ସ୍ଥାପନ କରିଥିବା କମ୍ପାନିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିପାରୁ ନାହାନ୍ତି କାରଣ ସେମାନଙ୍କର ଭୟ ଯେ ଏହି ଆମେରିକୀୟ କମ୍ପାନିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଲେ ଆମେରିକା ରାଗିଯିବ। କିନ୍ତୁ ଏହା ବିରୋଧରେ ଆମେରିକାର ସବୁ ପ୍ରକାରର ରାଜନୈତିକ ଦଳମାନେ ଏକଜୁଟ ହୋଇ ପ୍ରତିବାଦ କରିବା ଆରମ୍ଭ କଲେଣି। ଏହାଦ୍ବାରା ଏହି କମ୍ପାନିମାନଙ୍କ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଶମାନେ ଏବେ ଆଶ୍ବସ୍ତ ହୋଇଛନ୍ତି।

ପରିସ୍ଥିତି ଏପରି ହୋଇଛି ଯେ, ଯେତେବେଳେ ଏହା ବିରୋଧରେ ଆମେରିକାର ଆଟର୍ଣ୍ଣି ଜେନେରାଲ ମାମଲା ଆଗତ କଲେ, ସେତେବେଳେ ସେ କହିଛନ୍ତି, ‘ଆମେରିକା ଓ ବିଶ୍ବ ଯଦି ଗୁଗୁଲକୁ ଏହାର ଏକାଧିପତ୍ୟ ଓ ପ୍ରତିଦ୍ବନ୍ଦ୍ବିତାବିହୀନ ରାସ୍ତାରେ ଛାଡ଼ିଦିଅନ୍ତି ତେବେ ଭବିଷ୍ୟତରେ ଗୋଟିଏ ପରବର୍ତ୍ତୀ ଗୁଗୁଲର ସୁବିଧା ପାଇପାରିବେ ନାହିଁ।’ ଏହା ଏକ ସତ କଥା। ଆମେରିକା କ˚ଗ୍ରେସର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ଥିବା ‘ଆଣ୍ଟି ଟ୍ରଷ୍ଟ ସବ୍‌-କମିଟି’ ପୂର୍ବରୁ ଏସବୁ ସମ୍ପର୍କରେ ତଥ୍ୟ ଅନୁସନ୍ଧାନ କରି ଜଣାଇଥିଲା ଯେ, ଇ-କମର୍ସ କମ୍ପାନି ‘ଆମାଜୋନ’ (ଅନ ଲାଇନରେ ଅର୍ଡର ଦେଲେ ଯେଉଁ କମ୍ପାନି ଘରକୁ ଜିନିଷ ପଠାଇଦିଏ), ଗୁଗୁଲ, ଫେସ୍‌ବୁକ୍‌ ଓ ଆପଲ୍‌ ତଥା ମାଇକ୍ରୋସଫ୍‌ଟ ପରି କମ୍ପାନିମାନେ ପ୍ରଯୁକ୍ତିବିଦ୍ୟାର ନିର୍ଦ୍ଦିଷ୍ଟ ଧାରାମାନଙ୍କୁ ନିଜ ହାତରେ ନିୟନ୍ତ୍ରଣ କରି ରଖିଛନ୍ତି। ସେମାନେ ସେମାନଙ୍କ ସୃଷ୍ଟ ବ୍ୟବସ୍ଥା ଉପରେ ଯେଉଁ ଏକାଧିପତ୍ୟ ଜାରି ରଖିଛନ୍ତି, ତାହା ଅତୀତରେ ମଧ୍ୟ କେତେକ କ୍ଷେତ୍ରରେ ଦେଖାଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ଉପରେ ମଧ୍ୟ ପ୍ରାଚ୍ୟର କେତେକ ଦେଶ ଏକାଧିପତ୍ୟ ରଖିଥିଲେ। ଅନ୍ୟ କୌଣସି ଦେଶ ଏ କ୍ଷେତ୍ରରେ ସେମାନଙ୍କର ମୁକାବିଲା କରି ପାରୁ ନ ଥିଲେ। ଆମେରିକାରେ ଦେଢ଼ ଶହ ବର୍ଷ ତଳେ ଯେତେବେଳେ ପ୍ରଥମେ ରେଳପଥର ବିସ୍ତାର ହେଲା, ସେତେବେଳେ ସଡ଼କ ପଥରେ ଟ୍ରକ୍‌ ଇତ୍ୟାଦିର ଉଦ୍ଭାବନ ହୋଇନଥିଲା। ତେଣୁ ଦୂର ସ୍ଥାନକୁ ମାଲ ପରିବହନ କେବଳ ରେଳଗାଡ଼ି ଦ୍ବାରା ହେଉଥିଲା। ସେତେବେ‌େଳ ମାଲ ପରିବହନର ଏକାଧିପତ୍ୟ କେବଳ ରେଳପଥ କମ୍ପାନିମାନଙ୍କ ହାତରେ ଥିଲା। ଏବେ କରୋନା ମହାମାରୀର ଭୟାନକ ବିସ୍ତାର ଯୋଗୁଁ ଗୁଗୁଲ, ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଆଦି କମ୍ପାନିମାନଙ୍କର ଆଧିପତ୍ୟ ଆହୁରି ବହୁତ ବଢ଼ିଗଲାଣି। ଏବେ ହିସାବ କରି ଦେଖାଯାଇଛି, ଏହି କମ୍ପାନିମାନଙ୍କର ମୋଟ ଆୟ ଯେତେ, କେବଳ ଆମେରିକା ଓ ଚୀନକୁ ଛାଡ଼ି ଦେଲେ ପୃଥିବୀର ଅନ୍ୟ ସବୁ ଦେଶମାନଙ୍କର ମିଳିତ ଆୟ ମଧ୍ୟ ସେତେ ନୁହେଁ। ଏଣୁ କହିବାକୁ ଗଲେ ପୃଥିବୀର ଅର୍ଥ ଓ କ୍ଷମତାର ଜମାଟ କେବଳ ଅଳ୍ପ କେଇ କମ୍ପାନିମାନଙ୍କ ହାତରେ ଅଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋପନୀୟତା ମଣିଷର ଏକ ମୌଳିକ ଅଧିକାର। ଭାରତର ସୁପ୍ରିମ କୋର୍ଟ ତାଙ୍କ ରାୟରେ ଏ କଥା କହିଛନ୍ତି। କିନ୍ତୁ ସବୁ ତଥ୍ୟ ଏବେ ଗୁଗୁଲ ହାତରେ ଥିବାରୁ, ମଣିଷର ତଥ୍ୟର କୌଣସି ଗୋପନୀୟତା ରହୁନାହିଁ। ଫେସ୍‌ବୁକ୍‌, ଗୁଗୁଲ ଆଦି କମ୍ପାନିମାନେ ଆମେରିକା ଓ ଅନ୍ୟ ଦେଶର ରାଜନୈତିକ ପଦ୍ଧତି ଓ ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରୁଛନ୍ତି। ଏହି ସ˚ସ୍ଥା ମାଧ୍ୟମରେ ଏପରି ମିଥ୍ୟା ତଥ୍ୟ ଛାଡି ଦିଆଯାଉଛି ଯେ, ତାହା ଜଣେ ଜଣେ ପ୍ରାର୍ଥୀଙ୍କ ରାଜନୈତିକ ଜୀବନକୁ ନଷ୍ଟ କରିଦେଉଛି। ଅନେକ ଲୋକଙ୍କର ଧାରଣା ସାମାଜିକ ଗଣମାଧ୍ୟମରେ ଯାହା ବାହାରୁଛି ତାହା ସତ୍ୟ। ଏହି ମିଥ୍ୟାକୁ ହଟାଇବା ବେଳକୁ ଅନେକ କ୍ଷତି ହୋଇଯାଉଛି। ଆତଙ୍କବାଦୀ ଓ ବିଦ୍ରୋହୀମାନେ ଏହି ସ˚ସ୍ଥା ମାଧ୍ୟମରେ ବିଦ୍ରୋହ ସୃଷ୍ଟି ତଥା ଆତଙ୍କ ବିସ୍ତାର କରିବା ପାଇଁ ସୁଯୋଗ ପାଉଛନ୍ତି। ଜାମ୍ମୁ କାଶ୍ମୀରରେ ଯେତେବେଳେ ସୁରକ୍ଷା ବାହିନୀ କୌଣସି ଘରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ଘେରୁଛନ୍ତି, ସେତେବେଳେ ଫେସ୍‌ବୁକ୍‌ରୁ ସନ୍ଦେଶ ପାଇ ସେମାନଙ୍କ ସହଯୋଗୀମାନେ ସେହି ଜାଗାକୁ ଆସି, ପୁଲିସକୁ ପଛ ପଟରୁ ଆକ୍ରମଣ କରୁଛନ୍ତି। ଏହାଛଡ଼ା କୌଣସି ବ୍ୟକ୍ତିଙ୍କୁ ଯୋଜନାବଦ୍ଧ ଭାବରେ ଏହି ସାମାଜିକ ଗଣମାଧ୍ୟମରେ ଯେମିତି ଆକ୍ରମଣ କରାଯାଉଛି, ସେଥିରେ ସେ ବ୍ୟତିବ୍ୟସ୍ତ ଓ ଘୋର ଅପମାନିତ ହୋଇ ପଡୁଛନ୍ତି। ଆତ୍ମରକ୍ଷା କରିବା ପାଇଁ ସେମାନଙ୍କ ନିକଟରେ କୌଣସି ଅସ୍ତ୍ର ରହିନାହିଁ। ପୃଥିବୀର ବିଭିନ୍ନ ଦେଶମାନଙ୍କରେ ସବୁପ୍ରକାର ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ˚ସ୍ଥାମାନ ରହିଛି। ଭାରତରେ ଗଣମାଧ୍ୟମ ପାଇଁ ‘ପ୍ରେସ୍‌ କାଉନସିଲ ଅଫ ଇଣ୍ତିଆ’, ବୀମା କମ୍ପାନିମାନଙ୍କ ପାଇଁ ଆଇ.ଆର.ଡି.ଏ.(ବୀମା ନିୟନ୍ତ୍ରକ ପ୍ରାଧିକରଣ), ବ୍ୟାଙ୍କ୍‌ମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କ୍‌ ଆଦି ନିୟନ୍ତ୍ରକମାନେ ଅଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ନିୟନ୍ତ୍ରକ ନାହାନ୍ତି। ଏମାନଙ୍କ ବିରୋଧରେ କେହି ଆପତ୍ତି କଲେ ସେମାନେ କାହା ପାଖକୁ ଯିବେ ସେକଥା କେହି ଜାଣନ୍ତି ନାହିଁ। ଭାରତୀୟ ପୁଲିସର ଏ ସମ୍ପର୍କରେ ବିଶେଷ ଜ୍ଞାନ ନାହିଁ। ଅଦାଲତରେ ଏଥିପାଇଁ ବର୍ଷ ବର୍ଷ ଧରି ମାମଲା ଚାଲୁ ରହିଛି। ଏହି ଗଣମାଧ୍ୟମମାନଙ୍କୁ ନେଇ ଅନେକ ସମୟରେ ଯେଉଁ ଅଶ୍ଳୀଳ ଓ ଅଶାଳୀନ ତଥା ସ˚ପୂର୍ଣ୍ଣ ମିଥ୍ୟା ପ୍ରଚାର କରାଯାଉଛି ତାକୁ ରୋକିବ କିଏ ଓ କେମିତି? ଏହି ସବୁ ମିଥ୍ୟାକୁ ନିୟନ୍ତ୍ରଣ କରିବାର କର୍ତ୍ତବ୍ୟ କ’ଣ ସେହି କମ୍ପାନିର ନୁହେଁ?

ଦ୍ବିତୀୟ କଥା ହେଲା, ଏକଦା ଏହି କମ୍ପାନିମାନେ ‘ଷ୍ଟାର୍ଟ ଅପ’ ଅର୍ଥାତ୍‌ ନୂଆ ସର୍ଜନାକାରୀ ହିସାବରେ ସେମାନଙ୍କର କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ଏତିକିରୁ ଆରମ୍ଭ କରି ସେମାନେ ପରବର୍ତ୍ତୀ କାଳରେ ବିଶାଳ ମହିରୁହରେ ପରିଣତ ହୋଇଛନ୍ତି। ମୁଖ୍ୟତଃ ସେତେବେଳେ ପ୍ରତିଦ୍ବନ୍ଦ୍ବିତା କରିବାର ପ୍ରଚୁର ସୁଯୋଗ ଥିବା ଯୋଗୁଁ ସେମାନେ ନିଜର ଯୋଗ୍ୟତା ବଳରେ ଅନେକ ଉପରକୁ ଉଠି ପାରିଲେ। ପ୍ରଥମେ ୨ଜି ମୋବାଇଲର କଥାକୁ ନିଆଯାଉ। ଅନେକ କମ୍ପାନି ସେହି ଟେକ୍‌ନୋଲୋଜିକୁ ନେଇ ପ୍ରତିଦ୍ବନ୍ଦ୍ବିତା କରିବାରୁ ସ୍ମାର୍ଟ ଫୋନ ବ୍ୟବସ୍ଥା ଆରମ୍ଭ ହେଲା। ଯଦି ପ୍ରଥମ ସ୍ତରରେ ପ୍ରତିଦ୍ବନ୍ଦ୍ବିତା ପାଇଁ ଅନୁମତି ଦିଆଯାଇନଥାନ୍ତା ତେବେ ମୋବାଇଲଟି ସେହି ଛୋଟିଆ ଓ କଥାବାର୍ତ୍ତା କରିବା ପାଇଁ ଉଦ୍ଦିଷ୍ଟ ହୋଇ ରହିିଥାନ୍ତା। ସେହିପରି କେବଳ ଭାରତରେ ଜୀବନ ବୀମା କମ୍ପାନି ବ୍ୟତୀତ ଅନ୍ୟ କାହାକୁ ଅନୁମତି ଦିଆଯାଇନଥିଲେ, କୋଟାକ ମହୀନ୍ଦ୍ରା, ବାଜାଜ ଏଲିୟାନ୍‌ଜ୍‌ ବା ଅନ୍ୟ ଅନେକ କମ୍ପାନି ଭାରତକୁ ପ୍ରବେଶ କରିପାରି ନଥାନ୍ତେ ଓ ଦେଶରେ ବୀମାର ବିସ୍ତାର ଏତେ ବେଶି ହୋଇପାରିନଥାନ୍ତା।

ସେହି ଅନୁକ୍ରମରେ ଆଜି ଗୁଗୁଲ, ସେ କ୍ଷେତ୍ରରେ ନୂଆ କିଛି ସୃଷ୍ଟି କରିବା ପାଇଁ ଛୋଟ ଛୋଟ ଷ୍ଟାର୍ଟ ଅପ୍‌ମାନଙ୍କୁ ରାସ୍ତା ଛାଡୁ ନାହିଁ। ସେମାନଙ୍କୁ ନୂଆ କିଛି କରିବା ପାଇଁ ସୁଯୋଗ ଦେଉନାହିଁ। ଏକ ପ୍ରକାର ସେମାନଙ୍କ ତଣ୍ଟି ଚିପି ଦେଉଛି। ଏକାଧିପତ୍ୟକୁ ରୋକିବା ପାଇଁ ଅଧିକା˚ଶ ଗଣତନ୍ତ୍ରମାନଙ୍କରେ ନିୟନ୍ତ୍ରକ ସୃଷ୍ଟି ହୋଇଛନ୍ତି। ସାମାଜିକ ଗଣମାଧ୍ୟମମାନଙ୍କୁ ରୋକିବା ପାଇଁ ସେହିପରି ନିୟନ୍ତ୍ରକ ସୃଷ୍ଟି ହୁଅନ୍ତୁ; ଯେଉଁମାନେ ଏହି ଏକାଧିପତ୍ୟକୁ ରୋକିପାରିବେ। ସାମାଜିକ ଗଣମାଧ୍ୟମକୁ ଯେଉଁ ସମ୍ବାଦ ଓ ତଥ୍ୟମାନ ଯାଉଛି, ତାହାକୁ ସମ୍ପାଦନା କରିବା ମଧ୍ୟ ଏହି କମ୍ପାନିମାନଙ୍କର କର୍ତ୍ତବ୍ୟ। କୌଣସି ମିଥ୍ୟା ଓ ମାନହାନିମୂଳକ ତଥ୍ୟ ବା ସମ୍ବାଦ ପ୍ରକାଶ ପାଇଁ ଏମାନଙ୍କୁ ଦଣ୍ତ ଦିଆଯିବା ମଧ୍ୟ ଦରକାର।

ପ୍ରତିଦ୍ବନ୍ଦ୍ବିତା ହେଉଛି ଗଣତନ୍ତ୍ରର ମୂଳ କଥା; ଏହାକୁ ସମ୍ବାଦ, ତଥ୍ୟ ପରିବେଷଣ କ୍ଷେତ୍ରରେ ମଧ୍ୟ ଅନୁମତି ଦିଆଯିବା ଦରକାର। ଆମେରିକା କେବଳ ନୁହେଁ, ଭାରତ ମଧ୍ୟ ଏହା କରିବା ଆବଶ୍ୟକ। ଭାରତରେ ମଧ୍ୟ ଷ୍ଟାର୍ଟଅପ୍‌ମାନଙ୍କୁ ପ୍ରତିଦ୍ବନ୍ଦ୍ବିତା କରି ଉପରକୁ ଉଠିବାକୁ ଭାରତ ସରକାର ସୁଯୋଗ ଦେବା ଉଚିତ। ଯଦି ଗୁଗୁଲ ବା ଫେସ୍‌ବୁକ୍‌ ପରି ସ˚ସ୍ଥାମାନେ ଏକାଧିପତ୍ୟ ବିସ୍ତାର କରି ଅନ୍ୟ କୌଣସି ନୂଆ ଷ୍ଟାର୍ଟଅପ୍‌କୁ ଉଠିବାକୁ ନ ଦିଅନ୍ତି, ଭାରତ ସରକାର ସେ କ୍ଷେତ୍ରରେ ହସ୍ତକ୍ଷେପ କରି ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରନ୍ତୁ। ଭାରତ ଏହା କରିପାରିବ। କାରଣ, ଭାରତରେ ମଧ୍ୟ ଏକ ଏକାଧିପତ୍ୟ (ନିରୋଧୀ) କମିସନ ଅଛି।

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର