ମୃତ୍ୟୁର ପରୱାନା

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ଓଡ଼ିଶାବାସୀ ‘ସୁପର କିଲର’ କରୋନାର ତାଡ଼ନାରେ ହନ୍ତସନ୍ତ ହେଉଥିବା ବେଳେ ଏବେ ବଜାରକୁ ଧସେଇ ପଶି ଆସିଥିବା ‘ସୁପାରୀ କିଲର’ ପରିସ୍ଥିତିକୁ ଆହୁରି ଗୋଳମାଳିଆ କରି ପକେଇଛି। କିଛି ଟଙ୍କା ନେଇ ଏହି ମୃତ୍ୟୁର ବେପାରୀମାନେ ଆଉ ଜଣକର ଶତ୍ରୁର ମୁଣ୍ଡ ଗଡ଼ାଇବା ପାଇଁ ପ୍ରସ୍ତୁତ। ଘଟନା ଯେତେ ଲୋମହର୍ଷକ ହୋଇଥାଉନା କାହିଁକି ଏହାର ନାମକରଣ ମୋ ମନରେ ଅନେକ କୌତୂହଳ ଓ ଅନାବନା ଭାବନା ସୃଷ୍ଟି କରି ପକେଇଲା। ଆସନ୍ତୁ ଶୁଣିବା।

ସୁପାରୀକୁ ଓଡ଼ିଆରେ ଆମେ ଗୁଆ ବୋଲି କହୁ। ପୂଜାଦି ଶୁଭ କର୍ମରେ ଲାଗୁଥିବା ଏହି ଗୁଆ, ପରମ୍ପରା ଅନୁସାରେ ବହୁଳ ଭାବରେ ବ୍ୟବହାର ହୁଏ ବନ୍ଧୁବାସଙ୍କୁ ଶୁଭ କାର୍ଯ୍ୟରେ ନିମନ୍ତ୍ରଣ କରିବା ଉଦ୍ଦେଶ୍ୟରେ। ଯେ କୌଣସି ଚିହ୍ନାଜଣା ବ୍ୟକ୍ତିଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରାଯାଏ ନାହିଁ, କେବଳ ଅତି ନିକଟ ସମ୍ପର୍କୀୟ ଓ କୁଟୁମ୍ବମାନଙ୍କୁ ଏହା ମାଧ୍ୟମରେ ଡକା ଯାଇଥାଏ। ଗୁଆ ବନ୍ଧୁ ସମ୍ପର୍କର ନିବିଡ଼ତାକୁ ଇଙ୍ଗିତ କରିଥାଏ। ଆଜି କାଲି ସାଙ୍ଗସାଥୀ ଓ ଦୂର ସମ୍ପର୍କୀୟମାନଙ୍କ ପାଖକୁ ନିମନ୍ତ୍ରଣ କାର୍ଡଟିଏ ବା ହ୍ୱାଟ୍‌ସଆପ୍‌ରେ ନିମନ୍ତ୍ରଣ କାର୍ଡର ଛବିଟିଏ ପଠେଇଦେଲେ ବି ଚଳୁଛି। ଏମିତିକି କେତେକ ସହୃଦୟ ବନ୍ଧୁ ଫୋନ୍‌ରେ ନିମନ୍ତ୍ରଣକୁ ମଧ୍ୟ ଗ୍ରହଣ କରିନେଉଛନ୍ତି। ହେଲେ ଗୁଆ ବନ୍ଧୁ କ୍ଷେତ୍ରରେ ଥାଏ ଅନେକ ଭାବାବେଗ ଓ ଔପଚାରିକତା। ଗୁଆ ନିମନ୍ତ୍ରଣ ପାଇଥିଲେ ଶୁଭକାର୍ଯ୍ୟରେ ଯୋଗ ନ ଦେଲେ ନ ଚଳେ। ଯଦି ବିଶେଷ କୌଣସି କାରଣରୁ ଯୋଗ ଦେଇ ନ ହେଲା ତେବେ ଅତି କମରେ ଅନ୍ୟ କାହା ହାତରେ ବେଭାର ବା ଉପହାର ତ ପଠାଇବାକୁ ପଡ଼ିବ। ଯୋଗ ନ ଦେଲେ ବା ବେଭାର ନ ପଠାଇଲେ ଗୁଆ ବନ୍ଧୁ ସମ୍ପର୍କ କାଟି ଦେଲେ ବୋଲି ବୁଝାଯାଇଥାଏ। ବିବାହ ଓ ବ୍ରତାଦି ଶୁଭକାମରେ ସାତଜଣ ସଧବା ନାରୀ ଗୋଟା ଗୁଆକୁ ହଳଦୀ ବୋଳି ଗୁଆ ମଙ୍ଗୁଳା କରିଥାନ୍ତି। ଏଇ ହଳଦୀବୋଳା ଗୁଆ ବନ୍ଧୁ ନିମନ୍ତ୍ରଣ କାମରେ ବ୍ୟବହୃତ ହୁଏ।

ମଙ୍ଗଳ କାର୍ଯ୍ୟରେ ଏତେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରୁଥିବା ଗୁଆ ଓଡ଼ିଆ ପରମ୍ପରା ଓ ଐତିହ୍ୟରେ ମଧ୍ୟ ଏକ ମୁଖ୍ୟ ଆକର୍ଷଣ। ବଣିଜ ପାଇଁ ସାଧବ ପୁଅର ବିପଦପୂର୍ଣ୍ଣ ବୋଇତ ଯାତ୍ରାକୁ ମନେ ପକେଇବା ପାଇଁ ପାଳିତ ହେଉଥିବା କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗାଭସା ପରମ୍ପରା ଏହି ଗୁଆ ବିନା ଚିନ୍ତା କରି ହେବ ନାହିଁ। କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡ଼ି ଭୋର ସମୟରେ ଓଡ଼ିଆ ଝିଅମାନେ ଯେତେବେଳେ ଦୀପ ଜାଳି କଦଳୀ ବାହୁଙ୍ଗାର ଡଙ୍ଗା ଭସାନ୍ତି, ସେମାନେ ଗାଇ ଉଠନ୍ତି, “ଆ କା ମା ବୈ, ଗୁଆ ପାନ ଥୋଇ, ଗୁଆ ପାନ ତୋର, ମାସକ ଧରମ ମୋର”। ପ୍ରାୟ ଅଧିକାଂଶ ପୂଜା କାମରେ ଗୁଆ ଏକ ଶୁଭ ଫଳ ହିସାବରେ କାର୍ଯ୍ୟରେ ଲାଗିଥାଏ।

ଏତେ ସବୁ ମଙ୍ଗଳମୟ ପରମ୍ପରା ସହିତ ଜଡ଼ିତ ଗୁଆ ଯେ ପ୍ରତିଶୋଧ, ଚକ୍ରାନ୍ତ, ହିଂସା ଓ ହତ୍ୟା ସହିତ କେମିତି ଜଡ଼ିତ ହେଲା ତାହା ଭାବିବାର ବିଷୟ। ଯଦିଓ ଆମ ଇତିହାସରେ ମଧ୍ୟ ଥରେ ଏହି ଶୁଭଙ୍କର ଫଳଟି ଗୋଟିଏ ବିଦ୍ରୋହ ଓ ଷଡ଼୍‌ଯନ୍ତ୍ର ସହିତ ସଂଶ୍ଳିଷ୍ଟ ହୋଇଯାଇଥିଲା, ସେତେବେଳେ ଏହାର ଭୂମିକା ଥିଲା ଜୀବନ ରକ୍ଷା କରିବାରେ, ଜୀବନ ନେବା ଉଦ୍ଦେଶ୍ୟରେ ନୁହେଁ। ଘଟଣାଟି ଏହିପରି: ବ୍ୟାସକବି ଫକୀର ମୋହନ ସେନାପତି କେନ୍ଦୁଝର ରାଜାଙ୍କର ଦେୱାନ ଥିବା ସମୟରେ ରାଜ୍ୟରେ ଗୋଟିଏ ପ୍ରଜାମେଳି ହୋଇଥିଲା ଓ ସେଥିରେ ସେ ଧରାପଡ଼ି ବିଦ୍ରୋହୀମାନଙ୍କ ଦ୍ୱାରା ବନ୍ଦୀ ହୋଇ ରହିଥିଲେ। ସେମାନଙ୍କ ପାଖରୁ ଜୀବନ ରକ୍ଷା କରିବା ପାଇଁ ସେ ଗୁପ୍ତ ଭାଷା ପ୍ରୟୋଗ କରି ଚିଠିଟିଏ ଲେଖିଥିଲେ, ଯହିଁରେ ସବୁଠୁଁ ତାତ୍ପର୍ଯ୍ୟପୂର୍ଣ୍ଣ ଅଂଶଟି ଏହିପରି ଥିଲା, “ଭୋଳାନାଥ ଖମାରିଆ ଜାଣିବୁ। ମହାରାଣୀଙ୍କ ପୁତ୍ର ଧରଣୀଧରଙ୍କ ସକାଶେ ନିତାନ୍ତ ଦରକାର। ଅତିଶୀଘ୍ର ଶହେ ପାନ, ଦି ଶହ ଗୁଆ ପଠାଇବୁ। ଉତ୍ତର ପଟରୁ ମାହାର କରି ଆଖୁ ବାଡ଼ିକୁ ଶୀଘ୍ର ପାଣି ବୁହାଇବୁ। ନୋହିଲେ ଆଖୁ ବାଡ଼ି ବିନାଶ ଯିବ।” ଫକୀରମୋହନଙ୍କ ଏ ଗୁପ୍ତ ଭାଷା ବୁଝିପାରିଲେ କେବଳ ବାରିଷ୍ଟର ମଧୁସୂଦନ ଦାସ। ତାଙ୍କ ଅନୁସାରେ ପାନର ଅର୍ଥ ସିପାହି ଓ ଗୁଆର ଅର୍ଥ ଗୁଳି। କହିବା ବାହୁଲ୍ୟ, ଏହି ପାନ ଓ ଗୁଆର ବଳରେ ଫକୀର ମୋହନ ନିଜର ଜୀବନ ବଞ୍ଚାଇ ପାରିଥିଲେ।

ପୁରୁଣା ଦିନରେ ବାହା ହୋଇ ଶାଶୂ ଘରକୁ ଯିବାବେଳେ ଯେତେବେଳେ ଓଡ଼ିଆ ଘରର ଝିଅ ବାହୁନି ବାହୁନି ଗାଉଥିଲା, “ଖିଲିକାତି ଗୁଆ କାଟିଲା ପରି ଲୋ ବୋଉ/କାଟିବ ରାକ୍ଷସୀ ମୋହର ଶିରି ଲୋ ବୋଉ”, ସେତେବେଳେ ସେ ଗୋଟିଏ ଲୋକ ପରମ୍ପରା ପାଳନ କରୁଥିଲା ମାତ୍ର, ତା’ ମନରେ ହିଂସା ବା ଷଡ଼୍‌ଯନ୍ତ୍ରର ଅବକାଶ ନ ଥିଲା। ସେହି ସରଳ ନିଷ୍କପଟ ପରମ୍ପରା ଠାରୁ କେତେ ନିଦାରୁଣ ଆଉ ବୀଭତ୍ସ ସତେ ଆଜିର ସୁପାରୀ ଦେଲା ଆଉ ନେଲା ବାଲାଙ୍କ ମାନସିକତା! ମଙ୍ଗଳ କାର୍ଯ୍ୟକୁ ଆଗକୁ ବଢ଼ାଇବା ତଥା ମଙ୍ଗଳ ଉତ୍ସବକୁ ନିମନ୍ତ୍ରଣ କରିବାର ମାଧ୍ୟମକୁ ଏବେ କରିଦିଆଯାଇଛି ମୃତ୍ୟୁର ପରୱାନା।

ମୁମ୍ବାଇର ଅପରାଧର ଦୁନିଆରୁ ଆରମ୍ଭ ହୋଇ ସୁପାରୀ ଦେବା ନେବା ପଦ୍ଧତି ହିନ୍ଦୀ ଚଳଚ୍ଚିତ୍ର ମାଧ୍ୟମରେ ଆଜି ସାରା ଦେଶରେ ବେଶ ଜଣାଶୁଣା। କୁହାଯାଏ ଯେ ମୁମ୍ବାଇର ମାହିମ ଅଞ୍ଚଳର ଜଣେ ରାଜା, ଅତୀତରେ ଶତ୍ରୁ ନିପାତ କିମ୍ବା କୌଣସି ଦୁଃସାହସିକ କାମ କରାଇବା ପାଇଁ ବାହୁବଳୀମାନଙ୍କୁ ନିମନ୍ତ୍ରଣ କରୁଥିଲେ ଓ ପାନ ଓ ଗୁଆ ପରଷୁଥିଲେ। ଯିଏ ଥାଳିରୁ ସୁପାରୀ ଉଠାଉଥିଲା ତାକୁ ରାଜା କାର୍ଯ୍ୟସମ୍ପାଦନ ପାଇଁ ଦାୟିତ୍ୱ ନ୍ୟସ୍ତ କରୁଥିଲେ। ଏହି ଜଘନ୍ୟ ପ୍ରଥା କାଳକ୍ରମେ ଆଜି ଦେଶର ଚାରିଆଡ଼େ ବ୍ୟାପି ଯାଇଛି, ଏମିତିକି ଓଡ଼ିଶାରେ ମଧ୍ୟ। ଜଣେ ସୁପାରୀ କିଲର ଏହି ନାଁକୁ ବେଶ ମର୍ଯ୍ୟାଦାବନ୍ତ ବୋଲି ଗ୍ରହଣ କରି ନିଜକୁ ଉଚ୍ଚ ଶ୍ରେଣୀର ଅପରାଧୀ ବୋଲି ଭାବିଥାଏ। ଟଙ୍କା ନେଇ ମଣିଷ ମାରୁଥିଲେ ହେଁ ସେମାନଙ୍କୁ ‘ଭଡ଼ାଟିଆ ଖୁଣୀ’ ନାଁଟା ଜମା ପୋଷାଏ ନାହିଁ।

ସୌଭାଗ୍ୟ ନଗର, ଭୁବନେଶ୍ୱର

ସମ୍ବନ୍ଧିତ ଖବର