ରୁଆଣ୍ଡା ରେଡିଓ ଓ ଘୃଣାର ଫସଲ

ସରଳ ବିଚାର - ସରଳ କୁମାର ଦାସ

ସୁଦର୍ଶନ ନିଉଜ୍‌ ଚ୍ୟାନେଲ୍‌ ଦ୍ୱାରା ‘ୟୁପିଏସ୍‌ସି ଜିହାଦ’ ନାମକ ଏକ କାର୍ଯ୍ୟକ୍ରମର ଚାରିଟି ଅଧ୍ୟାୟ ପ୍ରସାରିତ ହୋଇ ମୁସଲମାନମାନେ ଆଇଏଏସ୍‌, ଆଇପିଏସ୍‌ ଭଳି ସିଭିଲ ସର୍ଭିସେସ୍‌ରେ ଅଧିକ ସଂଖ୍ୟକ ଚାକିରି ଦଖଲ କରି କିପରି ଏକ ଷଡ଼୍‌ଯନ୍ତ୍ରରେ ଲିପ୍ତ ତାହା ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା। ଏହାର ବିଷୟବସ୍ତୁ ଅତ୍ୟନ୍ତ ଆପତ୍ତିଜନକ ଓ ଘୃଣା ଉଦ୍ରେକକାରୀ ହୋଇଥିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା ଓ ଅଦାଲତ ମଧ୍ୟ ତାହା ଗ୍ରହଣ କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅବଶିଷ୍ଟ ଅଧ୍ୟାୟଗୁଡ଼ିକର ପ୍ରସାରଣ ଉପରେ ପ୍ରତିବନ୍ଧ ଲଗାଇଲେ। ମାମଲାର ଶୁଣାଣି ଅବସରରେ ଅଦାଲତଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ- “ଭାରତ ବିବିଧ ସଭ୍ୟତା, ସଂସ୍କୃତି, ଧର୍ମ ଓ ଭାଷାର ଏକ ମିଳନସ୍ଥଳୀ। ଅଦାଲତ ସାମ୍ୱିଧାନିକ ମୂଲ୍ୟବୋଧର ସଂରକ୍ଷକ ହୋଇଥିବାରୁ ଗୋଟିଏ ଧର୍ମୀୟ ସମ୍ପ୍ରଦାୟକୁ ତିରସ୍କାର କରିବା ଲାଗି ହେଉଥିବା ଯେ କୌଣସି ଉଦ୍ୟମକୁ ଏହା ଅନୁମୋଦନ ନ କରି ଗମ୍ଭୀରତାର ସହ ଦେଖିବ। ସାମ୍ୱିଧାନିକ ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ଲାଗି ଏହା ଉପରେ ନ୍ୟସ୍ତ ଗୁରୁ ଦାୟିତ୍ୱ, ଏହାଠାରୁ ଆଦୌ କିଛି କମ ଆଶା କରେ ନାହିଁ।’’ କହିବା ବାହୁଲ୍ୟ ଯେ ଏହା ପ୍ରକୃତରେ ଘୃଣା ଓ ବିଦ୍ୱେଷର ପ୍ରସାର କରୁଥିବା ସମସ୍ତ ନିଉଜ୍‌ ଚ୍ୟାନେଲ୍‌ଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। କାରଣ, ଏହି ଚ୍ୟାନେଲ୍‌ଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ସାଂପ୍ରଦାୟିକ ବିଷର ପରିଣତି ଯେ କେତେ ଭୟାବହ ହୋଇପାରେ, ତାହା ରୁଆଣ୍ଡା ରେଡିଓର ଅନୁଭୂତିରୁ ସ୍ପ‌ଷ୍ଟ ହୋଇ ସାରିଛି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ହିଟଲରଙ୍କ ଶାସନାଧୀନ ଜର୍ମାନିରେ ନାଜିମାନଙ୍କ ଦ୍ୱାରା ଖବରକାଗଜ ଓ ପତ୍ରିକାଗୁଡ଼ିକରେ ଯୋଜନାବଦ୍ଧ ଓ କ୍ରମାଗତ ଭାବେ ଇହୁଦୀବିରୋଧୀ ଘୃଣା ପ୍ରସାରିତ କରାଗଲା। ଏଥିରେ ‘ଡିଅର ଷ୍ଟ୍ୟୁର୍ମର’ ସମ୍ୱାଦପତ୍ରର ସମ୍ପାଦକ ଜୁଲିଅସ ଷ୍ଟ୍ରାଇକରଙ୍କର ଅଗ୍ରଣୀ ଭୂମିକା ଥିଲା। ସେ ତାଙ୍କ ରଚନା ମାଧ୍ୟମରେ ଇହୁଦୀମାନଙ୍କ ବିରୋଧରେ ଘୃଣାର ମଞ୍ଜି ଏପରି ବୁଣି ଚାଲିଥିଲେ ଯେ ୧୯୩୫ ମସିହା ବେଳକୁ ସମ୍ୱାଦପତ୍ରଟିର ଗ୍ରାହକ ସଂଖ୍ୟା ବଢ଼ି ୬ ଲକ୍ଷରେ ପହଞ୍ଚି ସାରିଥିଲା। ଶେଷରେ ନାଜିମାନଙ୍କ ଦ୍ୱାରା ପ୍ରାୟ ୬୦ ଲକ୍ଷ ଇହୁଦୀଙ୍କ ଗଣସଂହାର ମାଧ୍ୟମରେ ସେହି ଘୃଣାର ଫସଲର ଲଜ୍ଜାଜନକ ଅମଳ କରାଯାଇଥିଲା। ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ଗଠିତ ‘ଇଣ୍ଟରନ୍ୟାସନାଲ ମିଲିଟାରି ଟ୍ରିବ୍ୟୁନାଲ’ ସମ୍ୱାଦପତ୍ରର ସମ୍ପାଦକ ଷ୍ଟ୍ରାଇକରଙ୍କୁ ମାନବତା ବିରୋଧରେ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ସମୁଦାୟ ଯେଉଁ ୧୨ ଜଣଙ୍କୁ ଟ୍ରିବ୍ୟୁନାଲ ଫାଶୀ ଦଣ୍ଡାଦେଶ ଦେଇଥିଲେ ସେମାନଙ୍କ ମଧ୍ୟରେ ଷ୍ଟ୍ରାଇକର ଥିଲେ ଏକମାତ୍ର ସାମ୍ୱାଦିକ।

ରାଜନୈତିକ ନେତା ଓ କେତେକ ଗଣମାଧ୍ୟମ କିଭଳି ଭୟାବହ ଘୃଣାର ପ୍ରସାର କରି ବୀଭତ୍ସ ଗଣସଂହାରମାନ ସମ୍ଭବ କରାଇ ଥାଆନ୍ତି, ତା’ର ଉଦାହରଣ ମିଳିଥିଲା ୧୯୯୪ ମସିହାରେ, ରୁଆଣ୍ଡାରେ। ମଧ୍ୟ-ଆଫ୍ରିକୀୟ ଦେଶ ରୁଆଣ୍ଡା ଏକ ଛୋଟ ଦେଶ ଓ ଏହାର ଜନସଂଖ୍ୟାର ପ୍ରାୟ ୮୦% ହୁଟୁ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ପ୍ରାୟ ୧୪% ଟୁଟି ଆଦିବାସୀ ସମ୍ପ୍ରଦାୟର। ୧୯୫୯ ମସିହାରୁ ସଂକୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବିଭିନ୍ନ ସମୟରେ ହୁଟୁ ସମ୍ପ୍ରଦାୟର କିଛି ରାଜନୈତିକ ନେତା ଟୁଟି ବିରୋଧୀ ମନ୍ତବ୍ୟମାନ ଦେଇ ଆସୁଥିଲେ। ତେବେ, ନବେ ଦଶକର ଆରମ୍ଭରୁ କିଛି ଗଣମାଧ୍ୟମ ମଧ୍ୟ ଟୁଟି ବିରୋଧୀ ଅଭିଯାନରେ ସାମିଲ ହୋଇଗଲେ। ସେମାନଙ୍କ ମଧ୍ୟରେ ଥିଲେ ‘କାଙ୍ଗୁରା’ ସମ୍ୱାଦପତ୍ରର ସମ୍ପାଦକ ହାସନ ଏନଜିଇଜି। ଏହି ଘୃଣା କେତେ ମାରାତ୍ମକ ହୋଇପାରେ, ତା’ର ଉଦାହରଣ ମିଳିଥିଲା ‘ଆରଟିଏଲଏମ’ ନାମକ ଏକ ଘରୋଇ ରେଡିଓ ଷ୍ଟେସନରୁ। କୁହାଯାଏ ଯେ ସରକାରଙ୍କ ଘୃଣାର ରାଜନୀତିକୁ ପ୍ରଚାର କରିବା ପାଇଁ ସରକାରଙ୍କ ପରୋକ୍ଷ ସମର୍ଥନରେ ଏହି ରେଡିଓ ଷ୍ଟେସନର ପ୍ରତିଷ୍ଠା ହୋଇଥିଲା। ଏହି ରେଡିଓ ଷ୍ଟେସନ ମାଧ୍ୟମରେ ଟୁଟିମାନଙ୍କ ଲାଗି ଇନେଞ୍ଜି (ଅସରପା) ଓ ଇଞ୍ଜୋକା (ସାପ) ଭଳି ଅପଶବ୍ଦ ପ୍ରଯୋଗ କରାଯାଉଥିଲା। ଟୁଟିମାନେ ଅପେକ୍ଷାକୃତ ଡେଙ୍ଗା ହୋଇଥିବାରୁ ‘ଡେଙ୍ଗା ଗଛଗୁଡିକୁ କାଟି ପକାଅ’ ବୋଲି ବାରମ୍ବାର ରେଡିଓ ପକ୍ଷରୁ କୁହାଯାଉଥିଲା। ଆରଟିଏଲଏମ ରେଡିଓର ସୌଜନ୍ୟରୁ ସେ ପର୍ଯ୍ୟନ୍ତ ଉଦାରବାଦୀ ଥିବା ହୁଟୁମାନଙ୍କ ମଧ୍ୟରେ ଟୁଟି ବିରୋଧୀ ବିଷର ସଂଚାରିତ ‌େହାଇଥିଲା। ଏହି ସମୟରେ ରୁଆଣ୍ଡାର ରାଷ୍ଟ୍ରପତିଙ୍କ ଏକ ବିମାନ ଦୁର୍ଘଟଣାରେ ପରଲୋକ ହୋଇଗଲା। ତାହା ହୁଟୁମାନଙ୍କୁ ଅଯଥାରେ ଏଭଳି ଉତ୍‌କ୍ଷିପ୍ତ କଲା ଯେ ସେମାନେ ଅସ୍ତ୍ରଶସ୍ତ୍ର ଧରି ଟୁଟିମାନଙ୍କ ଉପରେ କୁଦି ପଡ଼ିଲେ। ପୃଥିବୀର ସବୁଠାରୁ ଅଧିକ ଭୟାବହ ଏହି ସାଂପ୍ରଦାୟିକ ହିଂସାରେ ୧୦ ଲକ୍ଷ ଲୋକ ଗଣସଂହାରର ଶିକାର ହେଲେ, ଯହିଁରେ ୮ ଲକ୍ଷ ଥିଲେ ଟୁଟି ସମ୍ପ୍ରଦାୟର। ଜାତିସଂଘ ଦ୍ୱାରା ଗଠିତ ‘ଇଣ୍ଟରନ୍ୟାସନାଲ କ୍ରିମିନାଲ ଟ୍ରିବ୍ୟୁନାଲ ଫର ରୁଆଣ୍ଡା’ (ଆଇସିଟିଆର) ଦ୍ବାରା ‘ଆରଟିଏଲଏମ’ ରେଡିଓର ପ୍ରତିଷ୍ଠାତା ଫର୍ଡିନାଣ୍ଡ ନାହିମାନ ଓ ‘କାଙ୍ଗୁରା’ର ସମ୍ପାଦକ ଏନଜିଇଜିଙ୍କୁ ଗଣସଂହାର ଓ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା।

୧୯୨୭ ମସିହା ମଇ ମାସରେ ଲାହୋରଠାରେ ସଂଘଟିତ ଏକ ଦଙ୍ଗା ପରେ ଭଗତ ସିଂହ ବ୍ୟଥିତ ହୋଇ ପଞ୍ଜାବୀ ଭାଷାରେ ପ୍ରକାଶ ପାଉଥିବା ‘କିରତୀ’ ପତ୍ରିକାର ଜୁନ୍‌ ସଂଖ୍ୟାରେ ଲେଖିଥିବା ‘ଧର୍ମବାର ଫସାଦ ତେ ଉନହା ଦେ ଇଲାଜ’ (ସାମ୍ପ୍ରଦାୟିକ ଦଙ୍ଗା ଓ ତାହାର ନିରାକରଣ) ପ୍ରବନ୍ଧର କିୟଦଂଶ ଏଠାରେ ଉଦ୍ଧାର କରାଯାଇପାରେ। ସେତେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ କିଛି ସମ୍ୱାଦପତ୍ର ଯେଉଁ ଭଳି ଭୂମିକା ନିର୍ବାହ କରୁଥିଲେ ସେଥିରେ ଦୁଃଖ ପ୍ରକାଶ କରି ଭଗତ ସିଂହ ଲେଖିଥିଲେ, “ସାମ୍ପ୍ରଦାୟିକ ହିଂସାକୁ ଉସୁକାଇବା ଦିଗରେ ଖବରକାଗଜ ମଧ୍ୟ ଅନ୍ୟତମ ଆୟୁଧ ଭାବେ କାମ କରିଥାଆନ୍ତି। ଏକଦା ଅତି ମହାନ ବୋଲି ବିବେଚିତ ହେଉଥିବା ସାମ୍ୱାଦିକତାର ବୃତ୍ତି ଏଣିକି ନୀଚ ଓ ମଇଳା ହେବାକୁ ଲାଗିଲାଣି। ଏମାନେ ବଡ଼ ବଡ଼ ଅକ୍ଷରର ଶୀର୍ଷଲେଖ ସହ ଉତ୍ତେଜନା ସୃଷ୍ଟିକାରୀ କାହାଣୀମାନ ଛାପନ୍ତି, ଯାହା ବିଭିନ୍ନ ସମ୍ପ୍ରଦାୟଙ୍କ ଭିତରେ ନିରନ୍ତର ଘୃଣାର ମନୋଭାବ ସୃଷ୍ଟି କରି ଚାଲିଥାଏ। ଲୋକଙ୍କୁ ଶିକ୍ଷିତ କରିବା, ସେମାନଙ୍କ ମନକୁ ସଂକୀର୍ଣ୍ଣ ସାମ୍ପ୍ରଦାୟିକ ବିଚାରରୁ ମୁକ୍ତ କରିବା, ସାମ୍ପ୍ରଦାୟିକ ମନୋଭାବକୁ ଦୂର କରିବା ଓ ଏକ ‘ସାଧାରଣ ଜାତୀୟତାବାଦ’କୁ ଆଗକୁ ନେବା ଲାଗି ସେମାନଙ୍କ ଭିତରେ ପ୍ରକୃତ ସଚେତନତା ସୃଷ୍ଟି କରିବା ଦିଗରେ କାମ କରିବା ଖବରକାଗଜଗୁଡ଼ିକର କର୍ତ୍ତବ୍ୟ ହୋଇଥିଲେ ବି ସେମାନେ ଠିକ ତା’ର ବିପରୀତଟି କରୁଛନ୍ତି, ଯଦ୍ଦ୍ୱାରା ‘ସାଧାରଣ ଜାତୀୟତାବାଦ’ର ଲକ୍ଷ୍ୟ ଭାଗ ଭାଗ ହେଉଛି।’’ ବାସ୍ତବରେ ୧୯ ବର୍ଷର ଯୁବକ ଭଗତ ସିଂହଙ୍କ ଦ୍ୱାରା ୯୩ ବର୍ଷ ତଳେ ଲେଖା ହୋଇଥିବା ଏଇ ଧାଡ଼ିଗୁଡ଼ିକ ଆଜି ମଧ୍ୟ କେତେ ପ୍ରାସଙ୍ଗିକ!

ଗଲା କିଛି ଦିନ ଧରି ଭାରତରେ କିଛି ନିଉଜ୍‌ ଚ୍ୟାନେଲ ଟିଭି ଆଲୋଚନାକୁ ଯେଉଁ ଭଳି ଯୋଜନାବଦ୍ଧ ଢଙ୍ଗରେ ହିନ୍ଦୁ-ମୁସଲମାନ ବିଷୟବସ୍ତୁ ଉପରେ କେନ୍ଦ୍ରିତ କରି ରଖିବାରେ ସଫଳ ହୋଇଛନ୍ତି, ତାହା ଉଭୟ ସମ୍ପ୍ରଦାୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିବାକୁ ସକ୍ଷମ। ଏଭଳି ଟିଭି ଆଲୋଚନାରେ ଅଂଶ ଗ୍ରହଣକାରୀମାନେ ପରସ୍ପରକୁ ଆକ୍ଷେପ କରି ଯେଉଁ ଭଳି ଅଶାଳୀନ ଭାଷାର ପ୍ରୟୋଗ କରନ୍ତି, ତାହା ଅଧିକାଂଶ ସମୟରେ ଆଲୋଚନାର ସ୍ତରକୁ ତଳକୁ ନେଇଯାଏ। ସୁତରାଂ, ସମାଜରେ ଘୃଣା ଓ ବିଦ୍ୱେଷର ବାତାବରଣ ସୃଷ୍ଟି କରୁଥିବା ଗଣମାଧ୍ୟମଗୁଡ଼ିକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ସରକାରଙ୍କର। କିନ୍ତୁ ତାହାର ଅଭାବରେ ଏ ଭଳି ଅନେକ ଚ୍ୟାନେଲ୍‌ ନିଜକୁ ଅମିତ ଶକ୍ତିଶାଳୀ ବୋଲି ମନେ କରି ଅଭିବ୍ୟକ୍ତିର ସ୍ୱତନ୍ତ୍ରତାର ଦ୍ୱାହି ଦେଇ ଅଧିକ ଘୃଣା ଓ ବିଦ୍ୱେଷ ପ୍ରସାରଣ କରି ଚାଲନ୍ତି। ଅବଶ୍ୟ ଇତି ମଧ୍ୟରେ ବଜାଜ ଅଟୋ, ପାର୍ଲେ ଜି ଭଳି କିଛି କମ୍ପାନି ଘୃଣା ଓ ବିଦ୍ୱେଷର ପ୍ରସାର କରୁଥିବା ସମ୍ୱାଦ ଚ୍ୟାନେଲ୍‌ଗୁଡ଼ିକୁ ବିଜ୍ଞାପନ ନ ଦେବା ଲାଗି ଘୋଷଣା କରି ସାରିଲେଣି। ବିଜ୍ଞାପନରୁ ଆୟ ଏହି ଚ୍ୟାନେଲ୍‌ଗୁଡ଼ିକର ଆୟର ଏକ ମୁଖ୍ୟ ଉତ୍ସ ହୋଇଥିବାରୁ ହୁଏତ କିଛି ଚ୍ୟାନେଲ୍‌ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି। କିନ୍ତୁ ଏପରି କିଛି ଚ୍ୟାନେଲ୍‌ ଅଛନ୍ତି ଯେଉଁମାନେ ଘୃଣା ଓ ବିଦ୍ୱେଷର ପ୍ରଚାର ଲାଗି ଏଭଳି ପ୍ରତିବନ୍ଧକୁ ଖାତିର କରନ୍ତି ନାହିଁ। ସେମାନଙ୍କ ଆୟର ଉତ୍ସ ମଧ୍ୟ ଭିନ୍ନ ହୋଇଥାଏ। ତେଣୁ ଏଭଳି ଚ୍ୟାନେଲ୍‌ଗୁଡ଼ିକ ବାବଦରେ ସାଧାରଣ ଜନତା ସଜାଗ ରହିବା ଉଚିତ। କେବଳ ସେତିକି ନୁହେଁ, ଏଭଳି ଚ୍ୟାନେଲ୍‌ଗୁଡ଼ିକର ଅଭିସନ୍ଧିକୁ ବୁଝି ଏଗୁଡ଼ିକ ଦେଖିବାରୁ ବିରତ ରହିବା ଉଚିତ।

ରୁଆଣ୍ଡା ଗଣମାଧ୍ୟମ ମାମଲାରେ ରାୟ ଶୁଣାଇ ‘ଆଇସିଟିଆର’ର ବିଚାରପତି ଜଜ୍‌ ପିଲେ ମନ୍ତବ୍ୟ ଦେଇଥିଲେ, “ମାନବ ମୂଲ୍ୟବୋଧର ସୃଷ୍ଟି କରିବାରେ ଗଣମାଧ୍ୟମ ଯେଉଁ ଅଖଣ୍ଡ କ୍ଷମତା ଉପଭୋଗ କରେ ତା’ ପଛରେ ଥାଏ ଏକ ମହାନ ଦାୟିତ୍ୱବୋଧ। ଯେଉଁମାନେ ଗଣମାଧ୍ୟମକୁ ନିୟନ୍ତ୍ରଣ କରନ୍ତି, ସେମାନେ ହିଁ ପରିଣତି ପାଇଁ ଉତ୍ତରଦାୟୀ।’’ ଗଣମାଧ୍ୟମର ନିୟନ୍ତ୍ରକମାନଙ୍କୁ ମନେ ରଖିବାକୁ ହେବ ଯେ ଘୃଣାର ମଞ୍ଜି ବୁଣି ସେମାନେ ‌ଯେଉଁ ଫସଲ ଅମଳ କରିବେ, ତାହା ସେମାନଙ୍କ ଲାଗି ମଧ୍ୟ ବିଷ ଶସ୍ୟ ଉପଲବ୍‌ଧ କରାଇବ।

ଭୁବନେଶ୍ବର
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର