ପ୍ରବନ୍ଧର ଆରମ୍ଭରୁ କହିଦେବା ଦରକାର ଯେ ଏଠାରେ ଶିକ୍ଷା ବିଭାଗକୁ ହିଁ ଗରିବର ଭାରିଯା ଭାବରେ ଗ୍ରହଣ କରାଯାଇଛି।

Advertisment

ଗରିବର ଭାରିଯା କାହିଁକି?

ସେ କଥା ବୁଝାଇବା ପାଇଁ ହେଲେ ଓଡ଼ିଆ ଭାଷାରେ ବହୁକାଳୁ ପ୍ରଚଳିତ ଗୋଟିଏ ବିଶିଷ୍ଟ ବଚନର ବିଶ୍ଳେଷଣ କରିବାକୁ ପଡ଼ିବ- ‘‘ଗରିବ ଭାରିଯା ସବୁରି ଶାଳୀ’’।

ଭାରତୀୟ ପରମ୍ପରାରେ ଶାଳୀର ସ୍ଥାନ ସ୍ବତନ୍ତ୍ର। ସେ କଥା ପାଶ୍ଚାତ୍ୟ ଦେଶର ଲୋକେ ବୁଝିପାରିବେ ନାହିଁ। ଅଥଚ ଆମ ଚଳଣିରେ ଉଭୟ ଶଳା, ଶାଳୀ କେତେ କେତେ ଥଟ୍ଟା ଗମାତର ପାତ୍ର। ହିନ୍ଦୀ ଭାଷାରେ ପାଦେ ଆଗେଇଯାଇ ସେମାନେ କହନ୍ତି, ‘‘ଶାଲୀ, ଆଧେ ଘରଵାଲୀ’’। ଓଡ଼ିଆରେ ଶାଳୀକୁ ଆମେ ଯାହା ମନ ତାହା ଥଟ୍ଟା ପରିହାସ କରିପାରୁ। ସେ ମଧୁର ସମ୍ପର୍କୀୟା।

କିନ୍ତୁ ‘‘ଗରିବର ଭାରିଯା’’ କ୍ଷେତ୍ରରେ ଏ ପ୍ରୟୋଗଟି ବେଶ୍‌ ଅପମାନସୂଚକ। ସେ ଗରିବର ସ୍ତ୍ରୀ ବୋଲି ଯିଏ ପାରିଲା ସିଏ ଶାଳୀ ଲେଖା କରି ଯାହା ମନ ତାହା ଦୁଇପଦ ଶୁଣେଇଦେଇଯାଏ। ଶ୍ଳୀଳ, ଅଶ୍ଳୀଳ ସବୁ ଚାଲେ ତା’ଭିତରେ। ବିଚରା ଗରିବ, ସମାର୍ଥ୍ୟହୀନା। ତେଣୁ ସବୁ ସହେ ତୁଠ ପଥର ପରି।

ଆମ ଦେଶର ଶିକ୍ଷା ବ୍ୟବସ୍ଥା ସେଇଆ। ସରକାରରେ କେତେ କେତେ ବିଭାଗ। ଥୋକେ ତ ଶିକ୍ଷା ବିଭାଗକୁ ଅମଳହୀନ କହି ତା’ର ଦାୟିତ୍ବ ନେବାକୁ ନାରାଜ। ମନ୍ତ୍ରୀମଣ୍ତଳରେ ବିଭାଗ ବଣ୍ଟନ ବେଳେ ଶିକ୍ଷା ବିଭାଗର ଭାର ନେବାକୁ ସଭିଏଁ ଅମଙ୍ଗ। ଯିଏ ନେଲା ସେ ବଡ଼ କୁନ୍ଥକୁନ୍ଥ। ଶିକ୍ଷା ବିଭାଗ-ଗାଈଟି କୁଆଡ଼େ କ୍ଷୀର ଦିଏନି, ଖାଲି ନାତ ମାରେ। କିଏ କାହିଁକି ତା’ର ଦାୟିତ୍ବ ନେବ?

ସ୍ବାଧୀନ ଭାରତର ଇତିହାସକୁ ଦେଖନ୍ତୁ। କେତେ ପ୍ରଧାନମନ୍ତ୍ରୀ ଗଲେଣି, ମୁଖ୍ୟମନ୍ତ୍ରୀ ବଦଳିଲେଣି। ଶିକ୍ଷା ହିଁ ଦେଶର ମେରୁଦଣ୍ତ। ବିଦ୍ୟା ବିନ୍ଦ୍ୟତେ ଅମୃତମ୍‌। ‘‘ଯଦି କୌଣସି ଦେଶର ଭବିଷ୍ୟତ ଜାଣିବାକୁ ଚାହୁଁଛ ତେବେ ତା’ର ଶିକ୍ଷାୟତନଗୁଡ଼ିକୁ ଦେଖିଲେ ଆପେ ତା’ର ଉତ୍ତର ତୁମେ ପାଇଯିବ ବୋଲି’’ ଟିଭିରେ ଘୋଷଣା ହେଉଛି। ଶିକ୍ଷା ମୂଳ, ଶିକ୍ଷା ସବୁ କିନ୍ତୁ ଆଜିଯାଏ କୌଣସି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ତା’ର ଦାୟିତ୍ବ ହାତକୁ ନେଇନାହାନ୍ତି। ହିସାବ କରି ଦେଖାଯାଇଛି ଯେ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଯେତେ ଯିଏ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଶିକ୍ଷା ଦିଗରୁ ଡ. ମନମୋହନ ସି˚ହ କୁଆଡ଼େ ରେକର୍ଡ ବ୍ରେକର‌୍‌। ହେଲେ ସେ ମଧୢ ଶିକ୍ଷା ବ୍ୟବସ୍ଥା ହାତକୁ ନେଇ ନଥିଲେ।

ତେଣେ ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅଧିକ ପଇସା ଖର୍ଚ୍ଚ କରିବାକୁ ସବୁବେଳେ ଅନିଚ୍ଛୁକ। ରାଜନୈତିକ ଦଳମାନେ ନିର୍ବାଚନୀ ଇସ୍ତାହାରରେ ବରାବର ଶିକ୍ଷା କ୍ଷେତ୍ରରେ ଅଧିକ ଅନୁଦାନ ଅର୍ପଣର କଥା ଉଠାନ୍ତି ମାତ୍ର ପରବର୍ତ୍ତୀ ସମୟକୁ ତାହା ବଦଳିଯାଏ। ବର୍ତ୍ତମାନର କେନ୍ଦ୍ର ସରକାର ମଧୢ ଶିକ୍ଷାରେ ଅଧିକ ଅର୍ଥନିବେଶ କରିବେ ବୋଲି ଘୋଷଣା କରିଥିଲେ ମାତ୍ର ବାସ୍ତବ କ୍ଷେତ୍ରରେ ୨୦୧୪-୧୫ରୁ ୨୦୧୯-୨୦ ମଧୢରେ କେନ୍ଦ୍ରୀୟ ବଜେଟ୍‌ ତା’ର ଓଲଟା କଥା କରିଛନ୍ତି। ଶିକ୍ଷା ପାଇଁ ଅନୁଦାନର ପରିମାଣ ୪.୧୪%ରୁ ୩.୪%କୁ ହ୍ରାସ ପାଇଛି। ନିକଟରେ ଗତ ୮ ବର୍ଷର ବଜେଟ୍‌ ଅନୁଦାନକୁ ନେଇ କେତେକ ରାଜ୍ୟର ଏକ ବିଶ୍ଳେଷଣ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ କେରଳ, ମହାରାଷ୍ଟ୍ର, ଓଡ଼ିଶା, ମଧୢପ୍ରଦେଶ, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ଶିକ୍ଷା-ବଜେଟ୍‌ ପରିମାଣ ହାରାହାରି ୧୬.୦୫%ରୁ ଖସି ଖସି ଏବେ ୧୩.୫୨%ରେ ପହଞ୍ଚିଛି।

ଆଜି କରୋନା ମହାମାରୀ ଯୋଗୁଁ ସାରାବିଶ୍ବର ତଥା ଆମ ଦେଶ ଓ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥା ବିପର୍ଯ୍ୟସ୍ତ। ତେଣୁ ଆଗାମୀ ସମୟରେ ଭାରତରେ ବା ଓଡ଼ିଶାରେ ଯେ ଶିକ୍ଷା କ୍ଷେତ୍ରରେ ଅଧିକ ଅର୍ଥନିବେଶ ହୋଇପାରିବ ସେ କଥା ବିଚାର କରିବା ଅମୂଳକ। ଅତଏବ ଗତ ଜୁଲାଇ ୨୯ରେ କେନ୍ଦ୍ର ସରକାର ଶିକ୍ଷାନୀତିରେ ବ୍ୟାପକ ପରିବର୍ତ୍ତନ ଆଣି ଯେଉଁ ବିଶାଳ ପୁଞ୍ଜିନିବେଶର ପରିକଳ୍ପନା କରିଛନ୍ତି ତାହା କେତେ ଦୂର ସମ୍ଭବ ସେକଥା ବିଚାର ସାପେକ୍ଷ।

କାଳେ କାଳେ ଶିକ୍ଷା ବିଭାଗ ଅର୍ଥ-ରହିତ। ହାତ ଚିକ୍କଣ କରିବାର ଯେ ଅବାଧ ସୁଯୋଗ ତାହା ଏଥିରେ ନଥାଏ। ସେଇଥିପାଇଁ ବିଭାଗଟି ଗରିବର ଭାରିଯା ଭଳି। ଗରିବର ଭାରିଯା ଉପରେ ସମସ୍ତଙ୍କର ଅଦଉତି। ଯେତେ ଅନଧିକାର ସବୁ ଶିକ୍ଷା ବିଭାଗରେ। ଅମଲାମାନଙ୍କର ଯେତେ ଅନୁପ୍ରବେଶ ସେଥିରୁ ଅଧିକା˚ଶ ଏ କ୍ଷେତ୍ରରେ। ସେଇମାନେ ଅବସର ପରେ କୁଳପତି ହେବେ, କୁଳସଚିବ ହେଇ ଆସିବେ ଅନ୍ୟାନ୍ୟ ଚାକିରି କ୍ଷେତ୍ରରୁ। ପରୀକ୍ଷାର ନିୟନ୍ତ୍ରକ ହେବେ, ହିସାବ ସମ୍ଭାଳିବେ। କେବଳ ପଢ଼େଇବା କାମଟିକୁ ଛାଡ଼ିଦେଲେ ଆଉ ସବୁ କରିପାରିବେ। ଗବେଷଣା ବି। ତେଣେ ହାକିମାତି ବିଭାଗର ହାତଧରି ଏଣେ ଶିକ୍ଷା ବିଭାଗକୁ ଶାଳୀ କରି ରଖିବାର ମନୋଭାବ ମଧୢ ଅନେକଙ୍କର। ‘‘ଆମ୍ଭ ଫାଇଲ୍‌ କାମ ଯେତେ ନଦାରଦ ହେଉପଛେ ହେଇ ଦେଖ ଆମ୍ଭେ କେମନ୍ତ ଜ୍ଞାନୀ! ପିଏଚ୍‌.ଡି, ଡିଲିଟ୍‌ କରିଅଛୁ?’’

କାମ, ଶାସନ ହେଲେ ଶିକ୍ଷାଭୂଇଁରେ ଜ୍ଞାନବନ୍ତ ବୋଲାଇବାକୁ ଇଚ୍ଛା। ଏଠାରେ ଗୋଟିଏ କଥା ଅଧିକ ପ୍ରାସଙ୍ଗିକ। ଅନେକ ସମୟରେ ଅତ୍ୟନ୍ତ ଜ୍ଞାନବନ୍ତମାନେ ମୋହଚକ୍ରରେ ପଡ଼ି ଶାସନ କ୍ଷେତ୍ରକୁ ପଶିଯାଆନ୍ତି ହେଲେ ପରବର୍ତ୍ତୀ କାଳରେ ବିଥେଇ ହୁଅନ୍ତି। ଆପଣା ଜ୍ଞାନ ଗରିମା ତାଙ୍କୁ ଅସ୍ତବ୍ୟସ୍ତ କରେ। ସେମାନଙ୍କ ସ˚ଖ୍ୟା ମଧୢ କିଛି ନ୍ୟୂନ ନୁହେଁ। ତେଣୁ ଏପରି ଗବେଷଣା ଓ ଅଧୢାପନା ବୃତ୍ତିକୁ ଫେରିବାଲାଗି ଯଦି କେହି ଅମଲା ଚାହାନ୍ତି ତେବେ ତାଙ୍କୁ ପରୀକ୍ଷାର ସୁଯୋଗ ଦେଇ ଶିକ୍ଷାବୃତ୍ତିରେ ପୁନଶ୍ଚ ବାହେଲ କରିବା ଉଚିତ। ଆମେରିକାର ବୈଦେଶିକ ମନ୍ତ୍ରୀ ହେନ୍‌ରି କିସିଞ୍ଜର‌୍‌ ଓ କଣ୍ତୋଲେଜା ରାଇସ୍‌ ପ୍ରଭୃତି ଅଧୢାପନା ବୃତ୍ତିକୁ ଯଦି ପୁଣି ଫେରିପାରୁଛନ୍ତି ତେବେ ଚାକିରି କ୍ଷେତ୍ରରେ ଅଧୢାପନା ଓ ଗବେଷଣା ପ୍ରେମୀ ଅମଲାମାନେ ସେ ସୁଯୋଗରୁ ବଞ୍ଚିତ ହେବେ କାହିଁକି? ଓଲଟି ସେମାନଙ୍କର ପ୍ରତ୍ୟାଗମନରେ ଶିକ୍ଷା-ବିଭାଗଟି ଅଧିକ ପୁଷ୍କଳ ହୁଅନ୍ତା ଏବ˚ ସେମାନେ ମଧୢ ନୂଆଧାରାରେ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ଅଧିକ ପ୍ରାସଙ୍ଗିକ କରିପାରନ୍ତେ। ଏ ସମ୍ପର୍କରେ ଭାରତର ଏକଦା ନାମକରା ଅମଲା ଟି.ଏନ୍‌. ଶେଷାନଙ୍କର ଗୋଟିଏ ଉକ୍ତି ମନେପଡୁଛି। ସେ ଥିଲେ ଚମତ୍କାର ଛାତ୍ର ଓ ବିଚକ୍ଷଣ ପ୍ରଶାସକ। ଅବସର ପରେ ଦେଶର ରାଷ୍ଟ୍ରପତି ପଦ ପାଇଁ ଲଢ଼ିଥିଲେ। କ୍ୟାବିନେଟ୍‌ ସେକ୍ରେଟେରି ପଦଠାରୁ ଆରମ୍ଭ କରି ଭାରତର ମୁଖ୍ୟ ନିର୍ବାଚନ କମିସନର ପଦ ଅତ୍ୟନ୍ତ କୃତିତ୍ବର ସହ ସମ୍ଭାଳି ଥିଲେ। ସରକାରୀ ବୃତ୍ତିରେ ଉତ୍କର୍ଷ ଲାଗି ପାଇଥିଲେ ରେମନ୍‌ ମାଗ୍‌ସେସେ ପୁରସ୍କାର। ଅଥଚ ଶେଷ ଜୀବନରେ ଅଧୢାପନା ବୃତ୍ତିରେ ନିଜକୁ ବାହେଲ କରି ଚେନ୍ନାଇର ‘‘ଗ୍ରେଟ୍‌ ଲେକ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌’’ରେ ସେ ‘‘ନେତୃତ୍ବ’ ସମ୍ପର୍କରେ ପାଠ ପଢ଼ାଉଥିଲେ। ଗୋଟିଏ ସାକ୍ଷାତକାରରେ କହିଛନ୍ତି ଯେ ‘‘ମୋର ସଫଳତମ ଅନୁଭବ ହେଉଛି ଏଇ ଅଧୢାପନା।’’

ଅଥଚ ଭାରତର ବୃତ୍ତି-ମାନଚିତ୍ରରେ ଶିକ୍ଷା ବୃତ୍ତିଟିକୁ ସବୁଠାରୁ ନିଉଛଣା କରି ରଖାଯାଇଛି। ପୁରୁଣା ଭାରତ ଗୁରୁବ୍ରହ୍ମା, ଗୁରୁବିଷ୍ଣୁ, ଗୁରୁଦେବ ମହେଶ୍ବର କଥା କହୁଥିଲା। ଏପରି କି ବ୍ରିଟିସ୍‌ ଅମଳର ଭାରତରେ ମାଜିଷ୍ଟ୍ରେଟ୍‌ଙ୍କ ଦରମାଠାରୁ ଅଧୢାପକଙ୍କ ଦରମା ଥିଲା ଅଧିକ। ମଝିରେ ବଡ଼-ଅମଲାଙ୍କ ସମକକ୍ଷ କରି ସେମାନଙ୍କୁ ସମାନ ଦରମା ଦିଆଗଲା। ଅଥଚ ଆଜି ରାଜ୍ୟସ୍ତରରେ ଅଧୢାପକର ପଦବି ନୂଆ ଅମଲା ଜୀବନ ଆରମ୍ଭ କରୁଥିବା ତାଲିମ ନବିଶଙ୍କଠାରୁ ସୁଦ୍ଧା ଅନେକ ତଳେ।

କ’ଣ ପାଇଁ ଶିକ୍ଷା ବିଭାଗକୁ ଅନ୍ୟ ବିଭାଗଠାରୁ ନ୍ୟୂନ କରାଯାଉଛି? କ’ଣ ପାଇଁ ଶିକ୍ଷାନୀତିକୁ ଥର ଥର କରି ଓଲଟ ପାଲଟ କରାଯାଉଛି? ପଚାଶ ଷାଠିଏ ଦଶକର ଯେ ଶିଶୁ ଶ୍ରେଣୀରୁ ଏକାଦଶ, ଷଷ୍ଠରୁ ଇ˚ରେଜୀ, କଲେଜରେ ଚାରିବର୍ଷ, ବିଶ୍ବବିଦ୍ୟାଳୟରେ ଦୁଇବର୍ଷ ଓ ପରେ ପିଏଚ୍‌.ଡି ଆଦିର ବ୍ୟବସ୍ଥା ଥିଲା ତା’କୁ ଘନ ଘନ ବଦଳାଇ ଶିକ୍ଷାର ମାନକୁ କ’ଣ ସତରେ ଉନ୍ନତ କରାଯାଇଛି? ବିଜ୍ଞଜନମାନେ ଏମ୍‌.ଫିଲ୍‌କୁ ବିଶ୍ବବିଦ୍ୟାଳୟ ଶିକ୍ଷା ସହ ଯୋଡ଼ି ମଝିରେ କେତେ ହଟଚମଟ କଲେ। ତା’କୁ ଆଧାର କରି କିଏ ପଦୋନ୍ନତି ପାଇଲା, ପୁଣି କିଏ ଚାକିରି ହାତେଇଲା ଅଥଚ ଆଜିର ନୂଆ ବ୍ୟବସ୍ଥାରେ ଏମ୍‌.ଫିଲ୍‌ ଅନାବଶ୍ୟକ ହେଲା। ବିଲେଇ ଛୁଆ ଜନ୍ମ କରି ଶାବକଗୁଡ଼ିକୁ ବାର ଘର ବୁଲାଇବା ପରି ସରକାର ପରେ ସରକାର ଶିକ୍ଷାନୀତି ଓ ବ୍ୟବସ୍ଥାକୁ ମନଇଚ୍ଛା ଘୂରାଇବାରେ ଲାଗିଛନ୍ତି। ଏଥିରେ ଆନ୍ତରିକତା ଅପେକ୍ଷା ଅହ˚କାର ଅଧିକ। ଆମେ ଆସିଗଲୁ ଶାସନକୁ। ସବୁ ବଦଳେଇଦେବୁ। ଆମ ଦଳ, ଆମ ସରକାର କେବଳ ସବୁକଥା ଠିକ୍‌ ଜାଣେ। ପୂର୍ବରୁ କମିସନ୍‌ ବସି ଦେଇଥିବା ମତାମତ କାର୍ଯ୍ୟକାରୀ ହେବା ଦେଖାଯାଏ ନାହିଁ ଅଥଚ ଆଉ ଏକ କମିସନ ବସାଇ ପୁଣି ଏକ ଶିକ୍ଷାନୀତି ଲଦି ଦିଆଯାଏ ବ୍ୟବସ୍ଥା ଉପରେ। ସମସ୍ତେ ଜ୍ଞାନୀ। ଶିକ୍ଷା ସଭିଙ୍କର ଶାଳୀ।

ଗରିବର ଭାରିଯା ଉପରେ ସମସ୍ତଙ୍କର ଅଧିକାର ଅଥଚ ଗରିବ ଲୋକଟି କାହିଁକି ଏମିତି ଗରିବ ଅଛି ସେ କଥା କେହି ଭାଳନ୍ତି ନାହିଁ। ଓଡ଼ିଶାରେ କ୍ରମାଗତ ଭାବେ ଦୀର୍ଘ ବର୍ଷ ଧରି ଅଧିକା˚ଶ କଲେଜରେ କାମଚଳା ଅଧୢକ୍ଷ, ପଚାଶ ଭାଗ ପଦବି ଖାଲି, ସ୍କୁଲମାନଙ୍କରେ ଆବଶ୍ୟକ ଶିକ୍ଷକ ନାହାନ୍ତି ମାତ୍ର କାନ୍ଥରେ ରଙ୍ଗ ମଡ଼େଇବା କାମରେ ହେଳା ନାହିଁ, ସିମେଣ୍ଟ ହଟେଇ ଟାଇଲ୍‌ ବସୁଛି। ରାଜ୍ୟ ଲୋକସେବା ଆୟୋଗ କଲେଜଗୁଡ଼ିକ ଲାଗି ଅଧୢକ୍ଷ, ଅଧୢାପକ ବାଛିବାକୁ ବେଳ ପାଉନାହାନ୍ତି ଅଥଚ ସରକାର ଅଧୢାଦେଶ ଧରି ଆସିଗଲେ ଯେ ବିଶ୍ବବିଦ୍ୟାଳୟମାନଙ୍କରେ ଯେଉଁ ଅଧୢାପକ ନିଯୁକ୍ତ ହେବେ ତାହା ତାମିଲ୍‌ କରିବେ ସେଇ। ସଭିଏଁ ଜାଣନ୍ତି ଏ କମିସନ୍‌ରେ କେଉଁମାନେ, କିପରି ସଦସ୍ୟ ନିଯୁକ୍ତି ପାଆନ୍ତି। ଜ୍ଞାନ ଗରିମା ସକାଶେ କମିସନ୍‌ରେ ନିଯୁକ୍ତି ପାଇବା ଲୋକ ବିରଳ ମାତ୍ର, ସରକାରୀ ଅନୁକମ୍ପା ଗ୍ରହୀତା ଅନେକ। ଥରେ ତ ଜଣେ ଆଦିବାସୀ ଟାଣୁଆ ମନ୍ତ୍ରୀ କହିଲେ ମୋର ଏ ଲୋକ ସେଠାରେ ସଦସ୍ୟ ହେବ, ସେଇଠୁ ଆଉଜଣେ ତହୁଁବଡ଼ା ମନ୍ତ୍ରୀ କହିଲେ ତା’ହେଲେ ମୋର ଏ ଲୋକଟି ମଧୢ ସେଠାରେ ନିଯୁକ୍ତି ପାଇବ। କିଛିଦିନ ଲାଗି ଗୋଟିଏ ଓ.ଇ.ଏସ୍‌ କ୍ଲାସ୍‌ଟୁ କ୍ୟାଡର‌୍‌ ଗଢ଼ିି ଅନଭିଜ୍ଞ ଯୁବକମାନଙ୍କୁ ଆଚ୍ଛା ଆଚ୍ଛା ନାମକରା ହାଇସ୍କୁଲ୍‌ଗୁଡ଼ିକରେ ପ୍ରଧାନଶିକ୍ଷକ କରାଗଲା। ବୟସ୍କ ଶିକ୍ଷକ କୁଳ; ତାଙ୍କ ଉପରେ ଅନଭିଜ୍ଞ ଯୁବ-ପ୍ରଧାନଶିକ୍ଷକ। ଏବେ ପୁଣି ସେମାନଙ୍କୁ ଶିକ୍ଷା-ପ୍ରଶାସନରେ ଆଣି ପଦ-ନିଯୁକ୍ତ କରାଯାଉଛି।

ଯିଏ ହାକିମ ହେଲେ ସିଏ ସବୁ କଥା ସହସା ବୁଝିଗଲେ। ପାରା-ଶିକ୍ଷକ, ଚୁକ୍ତି-ଭିତ୍ତିକ ଶିକ୍ଷକ, ପରିଚାଳନା ସମିତି-ନିଯୁକ୍ତ ଶିକ୍ଷକ, ଅନୁଦାନ-ପ୍ରାପ୍ତ ଶିକ୍ଷକ, ସରକାରୀ ଶିକ୍ଷକ, ବ୍ଲକ୍‌-ଗ୍ରାଣ୍ଟ୍‌ ଶିକ୍ଷକ ଆଦି ଯେତେ ପ୍ରକାରର ଶିକ୍ଷକ ଓ ଯେତେ ପ୍ରକାରର ସ୍କୁଲ୍‌ ଆମ ଦେଶରେ ଅଛି ସେ କଥାରେ ସ୍ଥିରତା କିଛି ନାହିଁ। ଇଏ ଆସିଲେ ନବୋଦୟ ବିଦ୍ୟାଳୟ କଲେ, ସିଏ ଆସିଲେ ଆଦର୍ଶ ବିଦ୍ୟାଳୟ ବସେଇଲେ। ଅଞ୍ଚଳରେ କଲେଜଟିଏ ଗଢ଼ାଯିବାର ଆବଶ୍ୟକତା ଅଛି କି ନାହିଁ ସେ କଥାର ବିଚାର ନାହିଁ, ଅଥଚ କାହା ହାତରେ ଚୋରିଧନ ଦୁଇପଇସା ହେଲା ତ ସେ କହିଲା ଶିକ୍ଷା-ବ୍ୟବସାୟ ଲାଗି କଲେଜ ବସେଇବି। ମନ୍ତ୍ରୀ ଗଲେ, ଗେଣ୍ତୁମାଳ ପିନ୍ଧି ଉଦ୍‌ଘାଟନ କରିଦେଇ ଆସିଲେ। ହଠାତ୍‌ ଚୋର-ଧନୀର ଶାଳୀ ପାଲଟିଗଲା ଶିକ୍ଷା ବ୍ୟବସ୍ଥା।

ଶିକ୍ଷା କଥା କହିଲାବେଳେ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥାର ଅବତାରଣା ଏଠାରେ କରାଯିବା ଆବଶ୍ୟକ। ଶିକ୍ଷକ ଓ ଅଧୢାପକମାନଙ୍କୁ ନିଯୁକ୍ତି ଦେବା ସମୟରେ ଆବଶ୍ୟକ ତାଲିମ ପ୍ରତି ଦୃଷ୍ଟି ରହିବା ନିତାନ୍ତ ଜରୁରି। ଶିକ୍ଷକମାନଙ୍କ ପାଇଁ ଇଟି, ସିଟି, ବିଟି, ବି.ଇଡି, ଏମ୍‌.ଇଡି ଆଦି ତାଲିମ ଲାଗୁ ହୁଏ। ସ୍ଥଳ ବିଶେଷରେ ଯୋଗ୍ୟବ୍ୟକ୍ତିଙ୍କ ଅଭାବରେ ତାଲିମ ବିହୀନ ଲୋକଙ୍କୁ ମଧୢ ନିଯୁକ୍ତି ଦିଆଯାଏ। ହେଲେ ଅଧୢାପକମାନଙ୍କ କ୍ଷେତ୍ରରେ ତାଲିମ ଘରଟି ଶୂନ୍ୟ। ଯିଏ ଏମ୍‌.ଏ ପାସ୍‌ କଲା ସିଏ ସଙ୍ଗେ ସଙ୍ଗେ ଅଧୢାପକ ପଦବି ଲାଗି ଯୋଗ୍ୟ। ପରବର୍ତ୍ତୀ କାଳରେ ଅବଶ୍ୟ ସେମାନଙ୍କର ଶିକ୍ଷାସ୍ତରକୁ ଉନ୍ନତି କରିବା ଲାଗି ସାମୟିକ ସମର କୋର୍ସ, ଓରିଏଣ୍ଟେସନ୍‌ କୋର୍ସ ଓ ରିଫ୍ରେସର‌୍‌ କୋର୍ସର ବ୍ୟବସ୍ଥା କରାଯାଉଛି, ମାତ୍ର ସେ ସବୁ କେବଳ ଧର୍ମକୁ ଆଖିଠାର। ବୁଝିବା ଆବଶ୍ୟକ ଯେ ପ୍ରତିଟି ସ୍କୁଲ୍‌ ବା କଲେଜ ଏପରି କି ବିଶ୍ବବିଦ୍ୟାଳୟ ଗୋଟିଏ ଗୋଟିଏ ଶିକ୍ଷାନୁଷ୍ଠାନ ହେବା ସହ ସେଥିରେ ପ୍ରଶାସନିକ ଆବଶ୍ୟକତା ପ୍ରଚୁର। ମାତ୍ର କୌଣସି ଶିକ୍ଷକ ବା ଅଧୢାପକକୁ ପ୍ରଶାସନିକ ତାଲିମ ଦିଆଯାଏ ନାହିଁ। ସେଇଥିପାଇଁ ଜ୍ଞାନବନ୍ତ ପ୍ରଧାନ ଶିକ୍ଷକ, ଅଧୢକ୍ଷ ଓ କୁଳପତିମାନେ ସୁଦ୍ଧା ଅଭିଜ୍ଞତା ହାସଲ କରିିଥିବା କିରାଣି ନିକଟରେ ଲଣ୍ତଭଣ୍ତ ହୁଅନ୍ତି। ପ୍ରଫେସର ଆପଣେ ଦୀର୍ଘଦିନର କୁଶଳୀ ଅଧୢାପକ। ବିଚରା କ୍ୟାସ୍‌ବୁକ୍‌ କ’ଣ? ଫାଇଲ୍‌ କ’ଣ, ଆଇନ କ’ଣ କିଛି ଜଣା ନାହିଁ। ହଠାତ୍‌ ପ୍ରଶାସନିକ ଦାୟିତ୍ବ ଆସି ମୁଣ୍ତରେ ପଡ଼େ। କିରାଣିମାନେ ଯାହା କହିଲେ ସେଇଟା ଠିକ୍‌ ଭାବି ସେଥିରେ ଦସ୍ତଖତ କରନ୍ତି ସେ। ଖାଲରେ ପଡ଼ନ୍ତି।

ଆନୁଷ୍ଠାନିକ ଶିକ୍ଷା କେବଳ ଶିକ୍ଷା ନୁହେଁ, ତା’ସହ ଶାସନ ବି ଯୋଡ଼ା। କହିବାର ଅଛି ଯେ ପର୍ଯ୍ୟନ୍ତ ଶିକ୍ଷକ ଓ ଅଧୢାପକମାନଙ୍କୁ ଆବଶ୍ୟକ ତାଲିମ ଦେଇ ସଶକ୍ତ ନ କରାଯାଇଛି ଓ ଶିକ୍ଷାବିଭାଗକୁ ଆବଶ୍ୟକ ଅନୁଦାନ ନ ଦେଇ ଗରିବ କରି ରଖାଯାଇଛି ସେ ପର୍ଯ୍ୟନ୍ତ ଅମଲାଙ୍କ ଆଖିରେ ଶିକ୍ଷାବିଭାଗର ଶାଳୀପଣ ରହିବ ହିଁ ରହିବ। ଶେଷକୁ ସମୟ ଆସିବ ଯେତେବେଳେ ବିଡିଓ, ତହସିଲଦାର ଓ କଲେକ୍ଟର୍‌ମାନେ ନିଜ ଇଲାକାର କଲେଜଗୁଡ଼ିକୁ ଏକ୍‌ସ-ଅଫିସିଓ ବା ଭାରପ୍ରାପ୍ତ ଅଧୢକ୍ଷ ସାଜି ଶାସନ କରିବେ। ସରକାର ଅଧ୍ୟାଦେଶ ଆଣିବାକୁ ଡେରି ଲାଗିବନି। ସେ ଅମଲା କହିିବେ ମୋର ଏତେଟା ଶାଳୀ, ମାନେ ମୁଁ ଏତେଟା କଲେଜ୍‌ର ଇନ୍‌ଚାର୍ଜ ଅଧ୍ୟକ୍ଷ।

[email protected]