ଗଞ୍ଜେଇ ବିଚାର
ସ˚ଗ୍ରାମ କେଶରୀ ରାଉତ
ଗଲା କିଛି ମାସ ଭିତରେ ରାଜ୍ୟ ପୁଲିସ ୧୦୦୦ କୁଇଣ୍ଟାଲ ୫୪ କିଲୋ ଓଜନର ଗଞ୍ଜେଇ ଜବତ କରି ପୂର୍ବ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ମହାକାଶ ବିଜ୍ଞାନ କେନ୍ଦ୍ର ଇସ୍ରୋ ସାହାଯ୍ୟରେ ଏହା ସମ୍ଭବ ହୋଇଛି ବୋଲି ଜଣାପଡ଼ିଛି। ବିଶେଷ କରି, ଅଖଣ୍ତ କୋରାପୁଟ, ଗଞ୍ଜାମ, ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବେଆଇନ ଭାବରେ ଏକର ଏକର ଜମିରେ ଗଞ୍ଜେଇ ଚାଷ ହେଉଛି। ବେଳେ ବେଳେ ଜଙ୍ଗଲ ବିଭାଗ ମଧୢ ଗଞ୍ଜେଇ କ୍ଷେତଗୁଡ଼ିକରେ ନିଆଁ ଲଗାଇ ଦେଇଥାନ୍ତି ବୋଲି ଆମେ ଗଣମାଧୢମରୁ ଜାଣୁ। ବର୍ତ୍ତମାନ ଓଡ଼ିଶା, ଝାଡ଼ଖଣ୍ତ, ଛତିଶଗଡ଼, ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ବେଆଇନ ଗଞ୍ଜେଇ ଚାଷରେ ଖୁବ ଆଗରେ। ପୂର୍ବଘାଟ ପର୍ବତ ମାଳା ସହ ହିମାଳୟର ତରାଇ ଅଞ୍ଚଳେର ୯୦% ଭାଗରେ ଗଞ୍ଜେଇ ଉତ୍ପାଦନ ହେଉଛି। ଏହାର ଚୋରା ଚାଲାଣ ଆମ ଦେଶର ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ବନାରସ, କଲିକତା, ଚେନ୍ନାଇ ଆଦି ମହାନଗରୀକୁ ହେଉଛି। ଆଜିକାଲି ଶିକ୍ଷିତ ଓ ଆଧୁନିକ ଭାରତୀୟ ଯୁବକଯୁବତୀମାନେ ମଉଜ ପାଇଁ ଲୁଚାଇଛପାଇ ଗଞ୍ଜେଇ ପାର୍ଟି କରୁଛନ୍ତି, ଯାହାକୁ କୁହାଯାଉଛି ‘ରେଭ୍ ପାର୍ଟି’। କେତେବେଳେ ଏହି ଚାଷ ନକ୍ସଲମାନଙ୍କ ଛତ୍ରଛାୟା ତଳେ ତ କେତେବେଳେ ଜଙ୍ଗଲୀ ହାତୀ ବହୁଳ ଅଞ୍ଚଳରେ ହୋଇଥାଏ (କାରଣ ହାତୀ ଗଞ୍ଜେଇ ଗଛ ଖାଏ ନାହିଁ କି ଫସଲ ଉଜାଡ଼େ ନାହିଁ)।
Sambad is now on WhatsApp
Join and get latest news updates delivered to you via WhatsApp
ଗଞ୍ଜେଇ ସ୍ଥଳ ବିଶେଷରେ ଚରସ, କାନାବିସ, ହାସିସ୍ ଓ ମାରଜୁଆନା ନାମରେ ପରିଚିତ। ଗଞ୍ଜେଇର ପତ୍ରକୁ ଭାଙ୍ଗ ଓ ତନ୍ତୁକୁ ହେମ୍ପସ୍ ବୋଲି କୁହାଯାଏ। ଏହି ତନ୍ତୁରୁ କାନ୍ଭାସ, କପଡ଼ା, ରସି (ଫାଶୀ ଦେବା ପାଇଁ ରସି ବା ଦଉଡ଼ି) ତିଆରି ହୁଏ। ଏହା ଦେଖିବାକୁ ଭେଣ୍ତି ବା ନଳିତା ବା ଛଣପଟା ଗଛ ଭଳି। ଆମ ରାଜ୍ୟ ବା ପୂର୍ବ ଘାଟ ପର୍ବତମାଳା ଅଞ୍ଚଳରେ ଶିଲାଉଟି ଜାତୀୟ ଗଞ୍ଜେଇ ଚାଷ ହୋଇଥିବା ଜଣାପଡ଼ିଛି। ଆମ ସ˚ସ୍କୃତିରେ ଗଞ୍ଜେଇର ବ୍ୟବହାର ରହିଛି। ତ୍ରିନାଥ ମେଳାରେ ବା ବୋଲବମ୍ ଭକ୍ତମାନେ ଚିଲମରେ ଗଞ୍ଜେଇ ଭିଡ଼ନ୍ତି। ଖ୍ରୀଷ୍ଟପୂର୍ବ ୫୦୦ରୁ ଆମ ଦେଶରେ ଗଞ୍ଜେଇର ଔଷଧୀୟ ବ୍ୟବହାରର ପ୍ରମାଣ ଅଛି। ୧୯୮୫ ମସିହାରେ ଆମେରିକାର ଚାପରେ ଆମ ଦେଶ ଏବଂ ପୃଥିବୀର ଅନେକ ଦେଶ ଏହି ଗଞ୍ଜେଇ ଚାଷକୁ ବେଆଇନ ବୋଲି ଘୋଷଣା କରିବା ସହ ଏହାର ପରିବହନ, ଆମଦାନି, ରପ୍ତାନି ଉପରେ କଟକଣା ଲଗାଇଲେ। ଏହି ନିୟମ ପାଇଁ ଜେଲ୍, ଜୋରିମାନାର ବ୍ୟବସ୍ଥା ଲାଗୁ ହେଲା। ଗଞ୍ଜେଇ ଚାଷ ବନ୍ଦ ହେବା ଫଳରେ ଏହାର ପ୍ରଭାବ ଅନେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତି, ଔଷଧ ଶିଳ୍ପ ଉପରେ ପଡ଼ିଲା। ତା’ ସହିତ କାଗଜ, କପଡ଼ା, କସ୍ମେଟିକ୍, ଚକ୍ଲେଟ୍, ମିଠା, ଗୃହ ନିର୍ମାଣ ସାମଗ୍ରୀ, ଜୋତା ରଙ୍ଗ, ଚମଡ଼ା ଟ୍ୟାନି˚, ବ୍ୟାଟେରି ଏସିଡ୍ ଓ ଫର୍ନିଚର ଉଦ୍ୟୋଗରେ କଞ୍ଚାମାଲ ଭାବରେ ଏହାର ବ୍ୟବହାର ବନ୍ଦ ହୋଇଗଲା। ଏବେ ଏଥି ପାଇଁ ଆମକୁ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡୁଛି।
ଗଲା ୩୫ ବର୍ଷର ଅନୁଭୂତି ପରେ କାନାଡା, ନ୍ୟୁଜିଲ୍ୟାଣ୍ତ, ଇ˚ଲାଣ୍ତ, ଉରୁଗୁଏ, ନେଦରଲ୍ୟାଣ୍ତ, ସ୍ପେନ୍, ଦକ୍ଷିଣ ଆଫ୍ରିକା, କଲମ୍ବିଆ, ଅଷ୍ଟ୍ରେଲିଆ, ଜର୍ମାନି ଓ ଇସ୍ରାଏଲ ଭଳି ଦେଶ ନିଜର ସମସ୍ତ ଶିଳ୍ପର ଚାହିଦା ପାଇଁ ଗଞ୍ଜେଇ ଚାଷ ନିୟମକୁ ବଦଳାଇଛନ୍ତି। ଗଞ୍ଜେଇର ଦେଶ ଭାବେ ପରିଚିତ ଥିବା ନେପାଳ ମଧୢ ଆମେରିକା ଚାପରେ ୧୯୭୩ରେ ଗଞ୍ଜେଇ ଉତ୍ପାଦନରେ ରୋକ ଲଗାଇଥିଲା। ଏବେ ସେ ନିୟମକୁ ପରିବର୍ତ୍ତନ କରି ନେପାଳ ବିଦେଶକୁ ଗଞ୍ଜେଇ ଜାତ ପଦାର୍ଥ ରପ୍ତାନି କରୁଛି। ଯେଉଁ ଯୁକ୍ତରାଷ୍ଟ୍ର ଆମେରିକା ହେତୁ କଟକଣା ଲାଗିଥିଲା ଏବେ ସେ ଦେଶ ମଧୢ ଆଇନ କୋହଳ କରିଛି। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ମଧୢ ଉକ୍ତ ନୀତିକୁ କୋହଳ କରିବାକୁ ପରାମର୍ଶ ଦେଲାଣି।
୧୮୯୩ ମସିହାରେ ବ୍ରିଟିସ ସରକାର ହେମ୍ପ କମିସନ ବସାଇ ଶିଳ୍ପ ଲାଗି ହେମ୍ପ(ତନ୍ତୁ)ର ବ୍ୟବହାର ନେଇ ବିସ୍ତୃତ ନୀତି ନିର୍ଦ୍ଧାରଣ କରିଥିଲେ। ଆମ ଦେଶର ପାର୍ଲାମେଣ୍ଟରେ ମେନକା ଗାନ୍ଧୀଙ୍କ ସହ ଆମ ରାଜ୍ୟରେ ଅନେକ ସା˚ସଦ ଗଞ୍ଜେଇ ଚାଷ ସପକ୍ଷରେ ମତ ଦିଅନ୍ତି।
ଆମ ଦେଶରେ ଗଞ୍ଜେଇ ବନ୍ଦ କିନ୍ତୁ ଭାଙ୍ଗ ଉପରେ କଟକଣା ନାହିଁ। ଯେମିତି ଗୁଟ୍ଖା ଖାଇବା ମନା ଅଥଚ ଧୂଆଁପତ୍ର ଚାଷ ହୋଇପାରୁଛି। ମତ ପ୍ରକାଶ ପାଉଛି ଯେ ଆୟୁର୍ବେଦୀୟ ଔଷଧ ଏବ˚ ଶିଳ୍ପରେ ବ୍ୟବହାର ପାଇଁ ଆମ ଦେଶରେ ନିୟନ୍ତ୍ରିତ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବା ଉଚିତ। ରାଜସ୍ଥାନରେ ଅଫିମ ଚାଷକୁ ସରକାରୀ ନିୟନ୍ତ୍ରଣ ଭିତରେ କରାଯାଇପାରୁଛି। ଏହି କାରଣରୁ ଆମ ଦେଶର ଅଫିମ ଆବଶ୍ୟକତା ମେଣ୍ଟି ପାରୁଛି। ଆମ ରାଜ୍ୟରେ ୩୦ଟି ଜିଲ୍ଲା ମଧୢରୁ ୨୯ ଜିଲ୍ଲାରେ ଜଙ୍ଗଲୀ ହାତୀମାନଙ୍କ ଉପଦ୍ରବ ବଢ଼ିଛି। ଯାହା ଫଳରେ ଚାଷୀମାନଙ୍କ ବିପୁଳ ଫସଲ ହାନି ହେଉଛି। ହାତୀ ଗଞ୍ଜେଇ ଫସଲର କିଛି କ୍ଷତି କରୁ ନ ଥିବାରୁ ହାତୀ ଉପଦ୍ରୁତ ଅଞ୍ଚଳରେ ଏହି ଚାଷ କରାଯାଇପାରିବ। ଆମ ଓଡ଼ିଶାର ଜଳବାୟୁ ମଧୢ ଗଞ୍ଜେଇ ଚାଷ ପାଇଁ ଉପଯୁକ୍ତ।
ତେବେ ଏହାର ଅର୍ଥ ନୁହେଁ ଯେ ଏକ ନିଶା ଭାବେ ଗଞ୍ଜେଇ ପ୍ରୋତ୍ସାହନ ଲାଭ କରୁ। କିନ୍ତୁ ବିଶ୍ବର ବିଶାଳ ହେମ୍ପସ ବଜାରରେ ପ୍ରବେଶ କରିବା ଲାଗି ତଥା ଔଷଧ ଶିଳ୍ପର ଆବଶ୍ୟକତା ଦୃଷ୍ଟିରୁ ନିୟନ୍ତ୍ରିତ ଗଞ୍ଜେଇ ଚାଷ ବିଷୟ ଚିନ୍ତା କରାଯାଇପାରେ।
ମୋ: ୯୪୩୭୮୧୮୨୩୩