ଗାନ୍ଧୀଙ୍କ ଭାରତ

ରାଜାରାମ ଶତପଥି

ନେତା ହେବା ପାଇଁ ବଳ କଷାକଷି ନାଟକ ବାଜିର ଧାରାବାହିକ ଅଧ୍ୟାୟଗୁଡ଼ିକ ଗଣମାଧ୍ୟମରେ ଦେଖିଲେ ଗାନ୍ଧୀଙ୍କ କଥା ମନେପଡ଼େ। ଗାନ୍ଧୀ ମଧ୍ୟ ଜଣେ ନେତା ଥିଲେ। ସେ ରାଜନୈତିକ ଦଳ ଗଢ଼ିଥିଲେ (ସାଉଥ ଆଫ୍ରିକାନ ଇଣ୍ଡିଆନ କଂଗ୍ରେସ), ଭାରତରେ କଂଗ୍ରେସ ଦଳର ନେତୃତ୍ୱ ନେଇଥିଲେ। ଗାନ୍ଧୀ ଯେ ନିର୍ବିବାଦୀୟ, ବିରୋଧୀଶୂନ୍ୟ ଥିଲେ ତା’ନୁହେଁ ତେବେ ରାଜନୀତିରେ ନିଜକୁ ଓ ଦଳକୁ ଚରମ ଶୃଙ୍ଖଳା ଓ ନୈତିକତାର ବାଟରେ ଏଭଳି ନେଇଥିଲେ ଯାହା ତାଙ୍କ ମୃତ୍ୟୁର ୭୨ ବର୍ଷ ପରେ ବି ଉଦାହରଣ ହୋଇ ରହିଛି। ତାଙ୍କୁ ବିଶ୍ୱବାସୀଙ୍କ ଧ୍ରୁବତାରା ତଥା ଅନେକ ଗଣ୍ଠି ଆନ୍ତର୍ଜାତିକ ସମସ୍ୟାର ସମାଧାନ ବୋଲି ବିବେଚନା କରାଯାଏ। କିନ୍ତୁ ବିଡ଼ମ୍ବନା ନିଜ ଦେଶର ସ୍ଥିତି ଦେଖିଲେ ଗାନ୍ଧୀ ଏକ ସ୍ବପ୍ନ ଭଳି ଲାଗିବ। ବ୍ରିଟିସ୍‌ ପାର୍ଲାମେଣ୍ଟରେ ଭାରତକୁ ସ୍ୱାଧୀନତା ବିଷୟରେ ଆଲୋଚନା (ମାର୍ଚ୍ଚ ୬, ୧୯୪୭) ବେଳେ ଚର୍ଚ୍ଚିଲ ଆମ ନେତାଙ୍କୁ କଟୁ ସମାଲୋଚନା କରି ସେମାନେ ‘କୁଟା ଖିଅକୁ ଅଯୋଗ୍ୟ’ ବୋଲି ବର୍ଣ୍ଣନା କରିଥିଲେ। ଏହା ଏକ ଭିନ୍ନ ପ୍ରସଙ୍ଗ ଯେ ଭାରତରେ ଇଂରେଜ ଶାସନର ସମାପ୍ତି ଓ କ୍ଷମତା ହସ୍ତାନ୍ତରକୁ ଚର୍ଚ୍ଚିଲ ସବୁବେଳେ ଦୃଢ଼ ବିରୋଧ କରୁଥିଲେ ଏବଂ ଭାରତର ଲୋକ ଏପରିକି ଗାନ୍ଧୀଙ୍କ ପ୍ରତି ତାଙ୍କର ନାନା ଅରୁଚିକର ମନ୍ତବ୍ୟ ଯୋଗୁଁ ଆମ ପାଇଁ ସେ ସବୁଦିନେ ଜଣେ ବର୍ଣ୍ଣବୈଷମ୍ୟବାଦୀ ଘୃଣ୍ୟ ବ୍ୟକ୍ତି ହୋଇ ରହିବେ। କିନ୍ତୁ ଗାନ୍ଧୀଙ୍କ ଭାରତରେ ନେତା ଓ ଶାସନ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ଆଖିବୁଜି ଦେବା ମଧ୍ୟ ଅସମ୍ଭବ।

ସେ କାଳ ଓ ଏ କାଳ ମଧ୍ୟରେ ପ୍ରଭେଦ ଅକଳ୍ପନୀୟ। ସେତେବେଳେ ରାଜନୀତିର ମନ୍ତ୍ର ଥିଲା ‘ଦେବା’ (ତ୍ୟାଗ), ଏବେ ‘ନେବା’। ଗତ ସାଧାରଣ ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେ ଅନୁଯାୟୀ ଦେଶର ଦୁଇ ତୃତୀୟାଂଶ ଲୋକଙ୍କ ମତରେ ଅଧିକାଂଶ ନେତା ‘ଦୁର୍ନୀତିଗ୍ରସ୍ତ’। ୧୦ରୁ ୭ ଜଣ ପ୍ରମୁଖ ଦୁଇ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ସମର୍ଥକଙ୍କର ସମାନ ମତ। ନିର୍ବାଚନ ଯିଏ ଜିତିଲେ ବି ପରିସ୍ଥିତି ବଦଳୁ ନାହିଁ (ପିଉ ଗବେଷଣା କେନ୍ଦ୍ର- ମାର୍ଚ୍ଚ ୨୫, ୨୦୧୯)। ଅର୍ଥାତ୍‌ ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ ଆଦର୍ଶରେ ବିଶ୍ୱାସୀ ନେତା ଧୀରେ ଧୀରେ ଲୋପ ପାଇ ସମାଜସେବୀର ଭ୍ରମ ସୃଷ୍ଟି କରୁଥିବା ପ୍ରଚାର ସର୍ବସ୍ବ ନେତାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ନେତା ହେବାର ମୋହ ଏତେ ତୀବ୍ର ଯେ କେତେକ କ୍ଷେତ୍ରରେ ଏହା ବିକ୍ଷୋଭ, ଧାରଣା, ରାସ୍ତା ଅବରୋଧ; ଏପରିକି ହତ୍ୟାକାଣ୍ଡ ଭଳି ହିଂସାର ରୂପ ଧାରଣ କରେ। ସବୁ ନେତା ତାଙ୍କ ଜୀବନ ଏକ ସଫା ସିଲଟ ଏବଂ ଗରିବଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଦାବି କରନ୍ତି। ନିର୍ଦ୍ଦିଷ୍ଟ ଦଳରେ ଥିବା ପର୍ଯ୍ୟନ୍ତ ସେମାନେ ଘୋଷା ଶୁଆ ଭଳି ସେହି ଦଳର ଆଦର୍ଶବାଦ ସାମୂହିକ ଉନ୍ନତିର ଏକମାତ୍ର ପନ୍ଥା ବୋଲି ଚାରିଆଡ଼େ କହିବୁଲନ୍ତି। ନିର୍ବାଚନରେ ବିଜୟୀ ନେତାମାନେ ପ୍ରଗତି, ଶାନ୍ତି, ସୌହାର୍ଦ୍ଦ୍ୟ ଓ ଦୁର୍ନୀତିମୁକ୍ତ ପରିବେଶ ପ୍ରତିଷ୍ଠା ଦିଗରେ ଜନସାଧାରଣଙ୍କ ଗୁରୁ ଦାୟିତ୍ୱ ଅଛି ବୋଲି ପ୍ରବଚନ ଦେବା ଦେଖାଯାଏ। କିନ୍ତୁ ନିଜ ଆଚରଣ ଓ ଉତ୍ତରଦାୟିତ୍ୱ ବିଷୟରେ କୌଣସି ପ୍ରଶ୍ନକୁ ସେମାନେ ପସନ୍ଦ କରନ୍ତି ନାହିଁ।

ପ୍ରଚଳିତ ଟ୍ରେଣ୍ଡ ଅନୁଯାୟୀ ନେତା ସେହିମାନେ ହୋଇପାରୁଛନ୍ତି ଯେଉଁମାନଙ୍କ ପରିବାରରେ ପୂର୍ବରୁ ବା ବର୍ତ୍ତମାନ ନେତା ଅଛନ୍ତି ଅବା ସେମାନଙ୍କର ପ୍ରତିଷ୍ଠିତ ନେତାଙ୍କ ସହ ନିବିଡ଼ ସମ୍ପର୍କ ଅଛି। ଅନ୍ୟ ପ୍ରାଥମିକ ଯୋଗ୍ୟତା ମଧ୍ୟରେ ଅର୍ଥ ଓ ବାହୁ ବଳ ଅନ୍ତର୍ଭୁକ୍ତ। ବୋଧହୁଏ ସେଇଥି ପାଇଁ ଦେଶର ପାର୍ଲାମେଣ୍ଟ ଓ ବିଧାନସଭାକୁ କୋଟିପତି ଏବଂ ହତ୍ୟା, ଧର୍ଷଣ ସମେତ ନାନା ଅପରାଧରେ ଅଭିଯୁକ୍ତ ବହୁ ‘ନେତା’ ଏମ୍‌ପି ଓ ଏମ୍‌ଏଲ୍‌ଏ ଭାବରେ ନିର୍ବାଚିତ ହୋଇପାରୁଛନ୍ତି। ପଞ୍ଚାୟତ ସ୍ତରରେ ମଧ୍ୟ ପରିସ୍ଥିତି ଉତ୍ସାହଜନକ ନୁହେଁ। ସେମାନଙ୍କୁ ଭୋଟ ଦେଇ ‘ଆଇନ ପ୍ରଣେତା’ ଭାବରେ ବାଛିବାରେ ଆମର ସାମାନ୍ୟତମ କାର୍ପଣ୍ୟ ନାହିଁ। ସୁପ୍ରିମ କୋର୍ଟରେ ଦାଖଲ ତଥ୍ୟ ଅନୁଯାୟୀ ପାର୍ଲାମେଣ୍ଟ ଓ ୨୨ଟି ରାଜ୍ୟର ବିଧାନସଭାରେ ବିଭିନ୍ନ ଅପରାଧରେ ଜଡ଼ିତ ସଦସ୍ୟଙ୍କ ସଂଖ୍ୟା ୨୫୫୬, ଯାହା ପୂର୍ବତନ ସଦସ୍ୟମାନଙ୍କୁ ମିଶାଇଲେ ୪୪୪୨ ହେବ। ୧୭୪ କେସ୍‌ ଏତେ ସଙ୍ଗିନ ଯେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ ମିଳିପାରେ। ଅପରାଧ ପୃଷ୍ଠଭୂମି ଥିବା ନେତା ଅଧିକ ନିର୍ବାଚିତ ହେଉଥିବା ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା (୩୩୧) ଅନ୍ୟତମ। ଗରିବ ଭାରତରେ କୋଟିପତି ଲୋକପ୍ରତିନିଧିଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଲୋକସଭାକୁ ନିର୍ବାଚିତ ୫୩୬ ଏମ୍‌ପିଙ୍କ ମଧ୍ୟରୁ ୪୭୫ ଜଣ କୋଟିପତି, ଅର୍ଥାତ୍‌ ପ୍ରତି ୧୦ ଜଣରେ ୯ ଜଣ ‘ସୁପର ଧନୀ’। ସବୁ ନିର୍ବାଚନ ପରେ କୋଟିପତି ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଯାହା, ଗବେଷକଙ୍କ ମତରେ, ଦେଶ ‘ଧନତନ୍ତ୍ର’ (plutocracy- ଧନୀ ଲୋକଙ୍କ ପରିଚାଳିତ ଶାସନ ବ୍ୟବସ୍ଥା) ଆଡ଼କୁ ମୁହାଉଁଥିବାର ସଂକେତ ପ୍ରଦାନ କରିଛି। ରାଜନୀତି ଲାଭଜନକ। ୨୦୧୯ ନିର୍ବାଚନରେ ପୁନଃ ପ୍ରତିଦ୍ବନ୍ଦ୍ବିତା କରୁଥିବା ୩୩୫ ଜଣ ଏମ୍‌ପିଙ୍କର ସମ୍ପତ୍ତି ଗଲା ୫ ବର୍ଷରେ ହାରାହାରି ୬ କୋଟି ୮୬ ଲକ୍ଷ ବଢ଼ିଥିବା ହିସାବ କରାଯାଇଛି।

ଗାନ୍ଧୀଙ୍କର କିନ୍ତୁ ଏହି ଯୋଗ୍ୟତାରୁ କାଣିଚାଏ ନଥିଲା। ଏହା ସତ୍ତ୍ୱେ ସେ ଦେଶ ଓ ବିଦେଶରେ ଚିର ପ୍ରଭାବୀ ଏବଂ ସଦା ଅନୁକରଣୀୟ ନେତା ହେଲେ କେମିତି? ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବା କୌଣସି ସାମ୍ବିଧାନିକ ପଦରେ ନଥିଲେ, କିନ୍ତୁ ତାଙ୍କର ମୃତ୍ୟୁ ପରେ ଜାତିସଂଘ ପତାକା ଅର୍ଧନମିତ ହୋଇଥିଲା। ପ୍ରସିଦ୍ଧ ଲେଖକ ଭି.ଏସ. ନଏପଲଙ୍କ ଭାଷାରେ ସେ ବୁଦ୍ଧ, ଆମେରିକାର ବିଶିଷ୍ଟ ଯୁଦ୍ଧ ବିରୋଧୀ ନେତା ଜନ ହେନ୍‌ସ ହୋଲମ୍‌ସଙ୍କ ମତରେ (୧୯୨୧ ମସିହାରେ ଏକ ଧର୍ମ ସଭା) ଗାନ୍ଧୀ ସ୍ୱୟଂ ଯୀଶୁ ଯିଏ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଇନଷ୍ଟାଇନଙ୍କ ମତରେ ଗାନ୍ଧୀଙ୍କ ଅହିଂସା ନୀତି ଅନିୟନ୍ତ୍ରିତ ହିଂସା ବିରୋଧରେ ଏକ ସମ୍ଭାବ୍ୟ ‘ଗଦ’। ନୋବେଲ କମିଟି ୨୦୦୬ ମସିହାରେ ସର୍ବସାଧାରଣରେ ସ୍ୱୀକାର କରେ ଯେ ଗାନ୍ଧୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆନଯିବା ତାଙ୍କ ୧୦୬ ବର୍ଷର ଇତିହାସରେ ‘ସବୁଠୁ ବଡ଼ ବ୍ୟତିକ୍ରମ’।

ପିଲାଦିନୁ ଗାନ୍ଧୀଙ୍କ ଠାରେ ଭବିଷ୍ୟତ୍‌ର ଲକ୍ଷଣ ପ୍ରାୟ ନଥିଲା। ବାହାଘରର ୬ ବର୍ଷ ପରେ ୧୯ ବର୍ଷ ବୟସରେ ଆଇନ ପଢ଼ିବାକୁ ଲଣ୍ଡନ ଗଲାବେଳେ ସେ ଦୁନିଆ ବିଷୟରେ ବେଶୀ କିଛି ଜାଣିନଥିଲେ, ଖବରକାଗଜ ପଢୁନଥିଲେ, ଆତ୍ମବିଶ୍ୱାସର ଅଭାବ ତାଙ୍କ ଭିତରେ ଏତେ ଥିଲା ଯେ ବାରିଷ୍ଟର ହେଲା ପରେ ବି କୋର୍ଟରେ ଯୁକ୍ତି ଉପସ୍ଥାପନ କରିବାକୁ ସାହସ ଜୁଟାଇ ପାରୁ ନଥିଲେ। ତେବେ ତାଙ୍କର ଏକମାତ୍ର ସମ୍ବଳ ଥିଲା ‘ନି‌ଷ୍ଠା’। ଲଣ୍ଡନ ଯିବା ପୂର୍ବରୁ ମା’ ପୁତୁଲ ବାଇଙ୍କୁ ଦେଇ ଆସିଥିବା କଥା ‘ମାଛ, ମାଂସ ଖାଇବେନି, ମଦ ପିଇବେନି, ମହିଳାଙ୍କୁ ମା’ ଓ ଭଉଣୀ ଦୃଷ୍ଟିରେ ଦେଖିବେ’; ଯେଉଁଥିରୁ ସେ ଜୀବନସାରା ସବୁ କଷ୍ଟ ସତ୍ତ୍ୱେ ବିଚ୍ୟୁତ ହୋଇନଥିଲେ। ଅନେକଙ୍କୁ ଏହା ମାମୁଲି ମନେ ହୋଇପାରେ, କିନ୍ତୁ ଏହି ପ୍ରତିଜ୍ଞା ଗାନ୍ଧୀଙ୍କ ଭିତରେ ଯେ ଏକ ମହାନ ବ୍ୟକ୍ତିତ୍ୱକୁ ନିରବରେ ଜନ୍ମ ଦେଇଥିଲା ତାହା ବିଶ୍ୱାସ କରିବା କଷ୍ଟ। ଯାହା ଫଳରେ ସେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ହୋଇ ଦକ୍ଷିଣ ଆଫ୍ରିକା ଯାଇଥିଲେ, ମହାତ୍ମା ହୋଇ ଫେରିଥିଲେ। ହିନ୍ଦୁଙ୍କୁ ‘କୁଲି’ କୁହାଯାଉଥିବା ଦକ୍ଷିଣ ଆଫ୍ରିକାରେ ଗୋରା ଲୋକମାନେ ଏତେ ଅତ୍ୟାଚାରୀ ବୋଲି ବାରିଷ୍ଟର ଗାନ୍ଧୀ ଭାବିନଥିଲେ- ତାଙ୍କୁ ଟ୍ରେନ୍‌ରୁ ଧକା ମାରି ବାହାର କରିଦେଲେ କାରଣ ସେ ଗୋରା ଲୋକ ହୋଇନଥିବାରୁ ପ୍ରଥମ ଶ୍ରେଣୀ ଡବାରେ ଯିବାକୁ ଅଯୋଗ୍ୟ, ଅନ୍ୟ ଏକ ଘଟଣାରେ ସେ ନିଜ ସିଟ୍‌ ଜଣେ ଗୋରା ଲୋକଙ୍କୁ ଛାଡ଼ି ତାଙ୍କ ପାଦ ତଳେ ବସିବାକୁ ମନା କରିବାରୁ ଟ୍ରେନ୍‌ ଭିତରେ ତାଙ୍କୁ ଘୋଷାଡ଼ି ମାରିଲେ। ତିନି ବର୍ଷ ପରେ ଗାନ୍ଧୀ ୬ ମାସ ପାଇଁ ଭାରତ ଆସିଥିବା ବେଳେ ଗୋରା ଲୋକଙ୍କ ଭାରତୀୟଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଦେଶ ବିଦେଶରେ ଖବର ପ୍ରଚାରିତ କରିଥିବାରୁ ଦକ୍ଷିଣ ଆଫ୍ରିକାରେ ଇଉରୋପୀୟମାନେ ତାଙ୍କ ଉପରେ ଏତେ ରାଗିଲେ ଯେ ଫେରିବା ସମୟରେ ତାଙ୍କ ଜାହାଜକୁ ପ୍ରାୟ ୨୬ ଦିନ କୂଳରେ ଲାଗିବାକୁ ଦିଆଗଲାନି। ଓହ୍ଲାଇବା ପୂର୍ବରୁ ତାଙ୍କୁ ଅନ୍ଧାରରେ ଲୁଚି ପଳେଇବାକୁ କେତେକ କହିଲେ। ଗାନ୍ଧୀ ମନା କଲେ। ଶେଷରେ ଓହ୍ଲାଇବା ମାତ୍ରେ ‘ହେଇ ଗାନ୍ଧୀ, ବାଡ଼ା ତାକୁ’ କହି କିଛି ଲୋକ (ବୁଢ଼ା, ଟୋକା) ଘେରିଗଲେ, ରିକ୍‌ସାରେ ଯିବାକୁ ଦେଲେନି, ପଗଡ଼ି ଫିଙ୍ଗି ଦେଲେ, ଟେକା ଫୋପାଡ଼ିଲେ, ମୁଥ, ଚାପୁଡ଼ା, ଗୋଇଠା ମାରିଲେ।

ଘଟଣାର ବର୍ଣ୍ଣନା କରି ଗାନ୍ଧୀ ଲେଖିଛନ୍ତି : ‘ଜୀବନ ନେଇ ଘରେ ପହଞ୍ଚିବି ବୋଲି ଆଶା ନଥିଲା, ଅଚେତ ହୋଇ ତଳେ ପଡ଼ିବା ପୂର୍ବରୁ ଜଣେ ଲୋକଙ୍କ ଘର ବାଡ଼ାକୁ ଧରି ରହିଗଲି’। ଜଣେ ପୁଲିସ ଏସ୍‌ପିଙ୍କ ପତ୍ନୀଙ୍କ ଯୋଗୁଁ ଗାନ୍ଧୀ ସେଦିନ ବଞ୍ଚିଗଲେ କିନ୍ତୁ ଆକ୍ରମଣକାରୀଙ୍କ ବିରୋଧରେ ପୁଲିସ ଅନୁରୋଧ ସତ୍ତ୍ବେ ଅଭିଯୋଗ କରି ନ ଥିଲେ। କାରଣ ବୃହତ୍ତର ସ୍ୱାର୍ଥ ହାସଲ ତାଙ୍କର ସବୁବେଳେ ଲକ୍ଷ୍ୟ ଥିଲା, ଦକ୍ଷିଣ ଆଫ୍ରିକାରେ ଅଣଗୋରା ଲୋକଙ୍କୁ ବର୍ଣ୍ଣବୈଷମ୍ୟବାଦରୁ ରକ୍ଷା କରିବା ହେଉ ଅବା ଭାରତରେ ଇଂରେଜ ଶାସନର ପତନ। ସେଥିପାଇଁ ସେ ଦୈହିକ ଆନନ୍ଦ, ପୁରସ୍କାର, ପ୍ରଶଂସା, ନିନ୍ଦାକୁ ଭ୍ରୂକ୍ଷେପ କରୁନଥିଲେ। ତାଙ୍କୁ ଆହତ କରାଯାଇପାରେ କିନ୍ତୁ ତାଙ୍କ ଆତ୍ମାକୁ ଜିତିବା ସମ୍ଭବ ନୁହେଁ (ବ୍ରିଟିସ୍‌ ସଂସ୍କୃତି ବିଶାରଦ ଗିଲବର୍ଟ ମୁରେ-୧୯୧୮)। ଗାନ୍ଧୀଙ୍କ ଅଭିଧାନରେ ‘ରିମୋଟ କଣ୍ଟ୍ରୋଲ ନେତୃତ୍ବ’ର ସ୍ଥାନ ନଥିଲା। ସେ ନିଜେ ଉଦାହରଣ ହେଉଥିଲେ ଯାହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁଥିଲା। ଓଡ଼ିଶା, ବିହାରରେ ଦାରିଦ୍ର୍ୟ ଦେଖି ନିଜ ପୋଷାକ ଆଣ୍ଠୁ ଅଣଲୁଚା ଖଦଡ଼ ଲୁଗା ଓ ଚାଦରରେ ସୀମିତ ରଖିବା, ଓଡ଼ିଶା ଗସ୍ତ ବେଳେ ଆମ୍ବ ତୋଟା ଓ କୁଡ଼ିଆରେ ରହିବା, ଆମ ଖାଦ୍ୟ ପଖାଳ, ଚୁଡ଼ା, ମୁଢ଼ି ଖାଇବା, ପୋଖରୀରେ ଗାଧେଇବା, ଖାଲି ପାଦରେ ମେ ମାସ ଖରାରେ ଗାଁକୁ ଗାଁ ବୁଲିବା, ଅସ୍ପୃଶ୍ୟତା ନିବାରଣ ପାଇଁ ଦଳିତ ପଡ଼ାରେ ଭୋଜନ, ତୃତୀୟ ଶ୍ରେଣୀ ଡବାରେ ରେଳ ଯାତ୍ରା, ଲୋକେ ସ୍ୱାବଲମ୍ବନଶୀଳ ହେବା ପାଇଁ ନିଜେ ଅରଟରେ ସୂତା କାଟିବା, ନିର୍ଜଳା ଉପବାସରେ ଧାରଣା, ଆନ୍ଦୋଳନ ସମୟରେ ବିନା ହିଂସା ଓ ପ୍ରତିବାଦରେ ପୁଲିସ ଲାଠିମାଡ଼ ବା ଜେଲ୍‌ ଚାଲାଣକୁ ଗ୍ରହଣ କରିବା ତାଙ୍କ ଅନନ୍ୟ ନେତୃତ୍ବର ଜ୍ୱଳନ୍ତ ଉଦାହରଣ। ତା’ ହୋଇ ନ ଥିଲେ ତାଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଚୁଡ଼ା, ମୁଢ଼ି ଗଣ୍ଠିଲିରେ ଧରି ରାତିରୁ ଅପେକ୍ଷା କରୁ ନଥାନ୍ତେ ବା ତାଙ୍କର ଡାକରାରେ ସ୍ୱାଧୀନତା ପାଇଁ ପୁଲିସ ମାଡ଼ ଖାଇବାକୁ ଘରୁ ରାସ୍ତାକୁ ବାହାରି ନଥାନ୍ତେ।

ସ୍ୱଚ୍ଛତା ଉପରେ ସେ ଏତେ ଗୁରୁତ୍ୱ ଦେଉଥିଲେ ଯେ ୧୯୦୧ ମସିହାରେ କୋଲକାତାରେ କଂଗ୍ରେସ ଅଧିବେଶନରେ (ସେତେବେଳେ ତାଙ୍କୁ ବେଶୀ କେହି ଜାଣିନଥିଲେ) ପ୍ରତିନିଧିମାନେ ରହଣି ସ୍ଥାନ ବାରଣ୍ଡାରେ ମଳତ୍ୟାଗ କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଚାରିବାରେ ଉତ୍ତର ମିଳିଥିଲା ‘ସଫା କରିବା ସୁଇପରଙ୍କ କାମ’। ଏହା ପରେ ସେ ପହଁରା ଧରି ସଫା କରିବା ଆରମ୍ଭ କରିଦେଇଥିଲେ। ଲଣ୍ଡନରେ ଗୋଲ ଟେବୁଲ ବୈଠକ ପୂର୍ବରୁ ଜେଲ୍‌ରେ ଥିବା ଗାନ୍ଧୀଙ୍କୁ ନ ଡାକିବାକୁ ମନ୍ତ୍ରଣା ଚାଲିଥିଲା, କିନ୍ତୁ ‘ଗାନ୍ଧୀ ଅର୍ଥ ଭାରତ, ତାଙ୍କ ବିନା ଆଲୋଚନା ନିରର୍ଥକ’ ବୋଲି ସରକାରୀ ଉପଦେଷ୍ଟାମାନେ କହିବା ପରେ ତାଙ୍କୁ ନିମନ୍ତ୍ରଣ ମିଳିଲା। ଲଣ୍ଡନରେ ପହଞ୍ଚିବା ପରେ ଗାନ୍ଧୀଙ୍କ ଦର୍ଶନ ପାଇଁ ଜନ ସମୁଦ୍ର ବିଦେଶରେ ତାଙ୍କ ବାସ୍ତବ ଲୋକପ୍ରିୟତାର ନିଚ୍ଛକ ପ୍ରମାଣ। ବୁଦ୍ଧ ଓ ଗାନ୍ଧୀଙ୍କ ମଧ୍ୟରେ ସାମଞ୍ଜସ୍ୟ: ଉଭୟ ନିଷ୍କାମ ଯୋଗୀ, ଲୋକଙ୍କ ଦାରିଦ୍ର୍ୟ, ଅନ୍ୟାୟ, ଶୋଷଣ, ଦୁଃଖରେ ମ୍ରିୟମାଣ, ସେମାନଙ୍କ ମାର୍ଗ ଦର୍ଶକ। ପ୍ରଭେଦ: ସତ୍ୟର (କାରଣ) ସନ୍ଧାନରେ ବୁଦ୍ଧ ବାଛିଲେ ଏକାନ୍ତରେ ତପସ୍ୟାର ପନ୍ଥା, ଗାନ୍ଧୀଙ୍କ ମାର୍ଗ ‘କର୍ମ ହିଁ ଜୀବନ’। ବୁଦ୍ଧ ଜ୍ଞାନାଲୋକରେ ସଂସାରକୁ ଆଲୋକିତ କଲେ, ଗାନ୍ଧୀ ନିଃସ୍ୱାର୍ଥପର ଜନସେବା ଈଶ୍ବର (ଶାନ୍ତି) ପ୍ରାପ୍ତିର ଆଧାର ବୋଲି ପ୍ରମାଣିତ କଲେ। ବୁଦ୍ଧ କିମ୍ବା ଗାନ୍ଧୀ ଏବର ନେତାଏ କାହାଦ୍ୱାରା ଅନୁପ୍ରାଣିତ?

ମୋ: ୯୮୫୩୨୫୨୬୨୬

ସମ୍ବନ୍ଧିତ ଖବର

Comments are closed.