ଗଡ଼ର ବାବୁ

ପ୍ରଶାସକଙ୍କ ଅନୁଭୂତି - କୃଷ୍ଣଚନ୍ଦ୍ର ମହାପାତ୍ର

ହାତରେ ଶହେ ଟଙ୍କିଆ ନୋଟ୍‌ଟି ଧରି ବୃଦ୍ଧ ଦମ୍ପତି କାନ୍ଦି ଉଠିଲେ। ମୋ ସହ ଉପସ୍ଥିତ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ ଓ ବିଡିଓଙ୍କ ସମେତ ଗ୍ରାମବାସୀ; ସମସ୍ତେ ନିରବ ଥିଲେ। ସେହି ବୃଦ୍ଧ ଦଂପତି ଯାହା ଆଦୌ ଆଶା କରି ପାରି ନଥିଲେ, ସେଭଳି ଘଟଣାଟିଏ ସେମାନଙ୍କ ସହିତ ଘଟିଥିଲା। ଏବଂ ଜଣେ ଜିଲ୍ଲାପାଳ ଭାବେ ତାହା ମୋ ଲାଗି ଏକ ଅପାଶୋରା ସ୍ମୃତିରେ ପରିଣତ ହେବାର ସମସ୍ତ ଉପାଦାନ ଏକାଠି କରି ସାରିଥିଲା।

ଏହା ଘଟିଥିଲା ୨୦୦୧ ମସିହା‌େର। ମୁଁ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଥାଏ। ଜିଲ୍ଲାର ସମସ୍ତ ବିଡିଓଙ୍କୁ ମୋର ସ୍ପଷ୍ଟ ନିର୍ଦ୍ଦେଶ ଥାଏ ଯେ ସେମାନେ ତିନି ମାସ ଭିତରେ ନିଜ ବ୍ଲକ୍‌ର ପ୍ରତି ଗ୍ରାମକୁ ଯାଇ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ଲୋକେ ପାଉଛନ୍ତି ନା ନାହିଁ ତାହା ତଦାରଖ କରିବେ ଓ ଯେପରି ଜଣେ ବି କେହି ଭୋକ ଉପାସରେ ନ ରହନ୍ତି, ତାହା ସୁନିଶ୍ଚିତ କରିବେ। ତା’ ସହିତ ଯଦି କେହି ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଂଚିତ ଥାଆନ୍ତି, ତେବେ ତାଙ୍କୁ ସେହି ଯୋଜନାରେ ସାମିଲ କରିବା ସହିତ ସେହି ଦିନ, ସେହି ଗାଁରେ ତାଙ୍କୁ ଭତ୍ତା ଓ ଚାଉଳ ଆଦି ପ୍ରଦାନ କରିବେ। ଏଥିପାଇଁ ଆମେ ନୟାଗଡ଼ ଜିଲ୍ଲାରେ ‘ଗାଁ’କୁ ଚାଲ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ତା’ ସହିତ ଜିଲ୍ଲାପାଳ ମଧ୍ୟ ପ୍ରତି ସପ୍ତାହରେ ଗୋଟିଏ ଗାଁକୁ ଯାଇ ସରକାରୀ ଯୋଜନାର ରୂପାୟନର ତଦାରଖ କରିବେ।

ସୁତରାଂ, ଗ୍ରୀଷ୍ମ ଋତୁର ଏକ ସକାଳେ ଦଶପଲ୍ଲାର ଏକ ବଣ ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ିଆ ଗାଁକୁ ବାହାରିଲୁ। ଗାଁ’କୁ ଗାଡ଼ି ମୋଟର ଯିବାର ସୁବିଧା ନ ଥିଲା। ପ୍ରାୟ ତିନି ଚାରି କିଲୋମିଟର ଚାଲିଚାଲି ଯିବା ପରେ ଆମେ ସେହି ଗାଁରେ ପହଞ୍ଚିଲୁ। ଗାଁ’ଟିରେ ପ୍ରାୟ ୫୦/୬୦ ପରିବାର ରହୁଥିଲେ ଓ ସମସ୍ତେ ଶ୍ରମଜୀବୀ ଶ୍ରେଣୀର। ସେଠାରେ ଆମେ ପହଂଚିଲା ବେଳକୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠି ସାରିଥିଲା। ଗରମ ହେଉଥାଏ। ଗାଁ’ର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଯାଇ ବସିଲୁ। ଆମେ ବସିବା ପରେ ଗାଁ’ର ଲୋକ ରୁଣ୍ଡ ହୋଇଗଲେ। ସେମାନଙ୍କ ସହିତ ଆମର କଥାବାର୍ତ୍ତା ଚା‌ଲିଲା। ଅଧିକାଂଶ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ଥିଲେ। ସେତିକିବେଳେ ଜଣାପଡ଼ିଲା ଯେ ଗ୍ରାମର ଏକ କମାର ଦମ୍ପତି ବହୁ ଚେଷ୍ଟା ସତ୍ତ୍ୱେ ସରକାରଙ୍କ କୌଣସି ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି। ସଙ୍ଗେ ସଙ୍ଗେ ସେହି ବୃଦ୍ଧ ଦମ୍ପତିଙ୍କୁ ଡାକି ଆଣିବାକୁ ମୁଁ ରାଜସ୍ବ ନିରୀକ୍ଷକଙ୍କୁ ପଠାଇଲି।

ଖବର ପାଇ ୭୫ ବା ୮୦ ବର୍ଷ ବୟସର ଜଣେ ବୃଦ୍ଧ ଓ ତାଙ୍କ ପତ୍ନୀ ଆସିଲେ। ସେମାନଙ୍କ ଠାରୁ ଜଣାପଡ଼ିଲା ଯେ ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେମାନେ ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ବାରମ୍ବାର ନେହୁରା ହୋଇଛନ୍ତି, କିନ୍ତୁ ଲାଭ ମିଳିନାହିଁ। ଖର୍ଚ୍ଚାନ୍ତ ହୋଇ ବିଧାୟକଙ୍କୁ ଭେଟିବାକୁ ଯାଇଛନ୍ତି, କିନ୍ତୁ ତାଙ୍କ ଦେଖା ପାଇନାହାନ୍ତି; ବିଡିଓଙ୍କୁ ଭେଟିବାକୁ ଯାଇ ସମ ଦଶା ଭୋଗିଛନ୍ତି। ସେଥି ଲାଗି ସେ ଭୋକ ଶୋଷରେ ରହିଛନ୍ତି, ଅଜଣା ଜାଗାରେ ଅପରିଚିତ ଲୋକଙ୍କ ଘର ବାରଣ୍ଡାରେ ରାତି କାଟିଛନ୍ତି କିନ୍ତୁ କିଛି ଫଳ ପାଇ ନାହାନ୍ତି। ତେବେ ସେ ଶୁଣିଛନ୍ତି ଯେ ଗଡ଼ରେ ଜଣେ ବାବୁ ଅଛନ୍ତି, ଯିଏ ଭତ୍ତାର ବ୍ୟବସ୍ଥା କରି ପାରିବେ, ହେଲେ ଗଡ଼ (ଦଶପଲ୍ଲାର ଲୋକେ ନୟାଗଡ଼କୁ ଗଡ଼ ବୋଲି କହନ୍ତି) ଯିବାକୁ ବଳ ବା ସାହସ କାହିଁ? ବୃଦ୍ଧ କହିଲେ- ‘ଗଡ଼ କେଉଁଠି, ଆଉ ଆମେ କେଉଁଠି!’ ଗାଁ ଲୋକଙ୍କ ଆଶ୍ରାରେ ପଡ଼ିରହିଥିବା ବୃଦ୍ଧ ଦଂପତିଙ୍କ ଅସହାୟତା ସତରେ ହୃଦୟଙ୍ଗମ କରି ହେଉଥିଲା।

ସେ ଦିନ ସେଠାରେ ବୁଝି ପାରୁଥିଲି ଦରିଦ୍ର ଅସହାୟମାନେ କିଭଳି ଅପାଂକ୍ତେୟ ହୋଇପଡ଼ନ୍ତି; କିଭଳି ଉଭୟ ଜନପ୍ରତିନିଧି ଏବଂ ପ୍ରଶାସନ ଠାରୁ ନିରାଶ ହୋଇ ଭାଗ୍ୟକୁ ଆଦରି ପଡ଼ି ରହିବାକୁ ବାଧ୍ୟ ହୁଅନ୍ତି। ସେ ଦିନ ମୁଁ ଏହା ବି ଜାଣି ପାରୁଥିଲି ଯେ ଗାଁର ଅନେକ ହିତାଧିକାରୀ ସରକାରୀ ସାହାଯ୍ୟ ପାଇବାକୁ ଅଯୋଗ୍ୟ ଥିଲେ। କିନ୍ତୁ ମୋର ତ ଉଦ୍ଦେଶ୍ୟ ନ ଥିଲା ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ କାଟିବା! ମୁଁ ଚାହୁଁଥିଲି ଯେ କୌଣସି ଯୋଗ୍ୟ ବ୍ୟକ୍ତି ତାଲିକାରୁ ବାଦ୍ ନ ପଡ଼ନ୍ତୁ। ସୁତରାଂ, ‘ଗାଁ’କୁ ଚାଲ’ କାର୍ଯ୍ୟକ୍ରମ ଅନୁସାରେ ସେହି ଠାରେ ତାତ୍କାଳିକ ନିଷ୍ପତ୍ତି ନେଇ ଦମ୍ପତିଙ୍କୁ ସେହି ଦିନ ଭତ୍ତା ଓ ରାସନ୍ ବାବଦ ଚାଉଳ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲି।

ସେମାନେ ନିଜର ମର୍ମସ୍ପର୍ଶୀ କାହାଣୀ କହିଲା ବେଳକୁ ମୋର ପରିଚୟ ଜାଣି ନଥିଲେ। ଗାଁରେ ଯେ ଗଡ଼ର ବାବୁ ପହଞ୍ଚିଛନ୍ତି ତାହା ତାଙ୍କୁ ଜଣା ନଥିଲା। ତେବେ ପ୍ରକଳ୍ପ ନିର୍ଦ୍ଦେଶକ ଯେତିକିବେଳେ ବୃଦ୍ଧଙ୍କ ହାତରେ ଶହେ ଟଙ୍କିଆ ନୋଟ୍‌ଟିଏ ଧରାଇ ଦେଇ କହିଲେ- ‘ଯେଉଁ ଗଡ଼ର ବାବୁଙ୍କୁ ତୁମେ ଦେଖା କରିବାକୁ ଚାହୁଁଥିଲ, ୟେ ସେହି ଗଡ଼ର ବାବୁ। ଆସନ୍ତା ମାସରୁ ତୁମେ ଅନ୍ୟମାନଙ୍କ ଭଳି ଭତ୍ତା ଓ ଚାଉଳ ପାଇବ।’

ସେମାନଙ୍କ ଜୀବନର ପ୍ରଥମ ଭତ୍ତା ସେହି ଶହେ ଟଙ୍କିଆ ନୋଟ୍‌ଟି ଧରି ବୃଦ୍ଧ ଦଂପତି କାନ୍ଦି ଉଠିଲେ। ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୋତକ ଭରି ଯାଇଥିଲା। ଓଦା କଣ୍ଠରେ ବୃଦ୍ଧ କହିଲେ- ‘ଆମେ ନିଃସନ୍ତାନ। ପିଲାଝିଲା ଥିଲେ ହୁଏତ ଆମ ଦାୟିତ୍ବ ନେଇଥାନ୍ତେ। ସେତକ ଭାଗ୍ୟରେ ନାହିଁ। ତା’ ପରେ ସରକାରୀ ସୁବିଧା ଟିକିଏ ପାଇବା ଲାଗି ଆମେ ‌େକ‌ତେ ଦହଗଞ୍ଜ ନ ହୋଇଛୁ ସତେ!। ହେଲେ, ଭାଗ୍ୟ ଦେଖ ଯେ ଗଡ଼ର ବାବୁ ନିଜେ ଆମ ଦୁଆରକୁ ଆସି ଆମକୁ ଭତ୍ତା ଦେଇଗଲେ।’

ବେଳେ ବେଳେ କିଛି ଅନୁଭୂତି ମଣିଷକୁ ନିଜ ସହିତ ମୁହାଁମୁହିଁ କରିଦିଏ। ସେହି ଅନୁଭୂତି ଥିଲା ସେହିଭଳି। ଜଣେ ପ୍ରଶାସକ ଭାବେ ହୃଦ୍‌ବୋଧ ହୋଇଥିଲା ଯେ କେଉଁଠି ଟିକିଏ ଆନ୍ତରିକତାର ଅଭାବ ବା କେଉଁଠି ଟିକିଏ ସମନ୍ବୟର ଅନୁପସ୍ଥିତି ବା କେଉଁଠି ଟିକିଏ ଅବହେଳା ବା ସମ୍ବେଦନହୀନତା ଲାଗି କାହା କାହା ଜୀବନ ଅକାରଣେ ମରୁମୟ ହୋଇଉଠେ। ଏହି ବୃଦ୍ଧ ଦଂପତିଙ୍କ ଭଳି ଅନେକ ଅସହାୟ ମଣିଷ ବିଭିନ୍ନ ଗାଁରେ ନିଶ୍ଚୟ ଥିବେ ବୋଲି ଜାଣିଥିଲି। ମନେ ମନେ ଭାବୁଥିଲି ପ୍ରଶାସନ ସେ ସମସ୍ତଙ୍କ ପାଖରେ ପହଞ୍ଚି ପାରନ୍ତା କି? ସେମାନଙ୍କ ସମସ୍ୟାର ସମାଧାନ ହୋଇଯାଆନ୍ତା କି? ଗଡ଼କୁ ଯିବାକୁ ଭରସି ପାରୁ ନ ଥିବା ଲୋକଙ୍କ ପାଖକୁ ଗଡ଼କର୍ତ୍ତାମାନେ ଆସନ୍ତେ କି? ତା’ ସହିତ କାର୍ଯ୍ୟର ସନ୍ତୋଷ ବୋଇଲେ କ’ଣ ତାହା ମଧ୍ୟ ସେହି ଦିନ ଉପଲବ୍‌ଧି କରି ପାରିଥିଲି।

ମୋ- ୯୪୩୭୦୩୨୦୦୨

ସମ୍ବନ୍ଧିତ ଖବର