ଖାଲି କ’ଣ ରୁପା ଜହ୍ନ? ଇଏ ତ କାହା ପାଇଁ ପାଉଁଶ ତଳର ନିଆଁ, ଆଉ କାହା ପାଇଁ ପାନ୍ଥଶାଳା କାନ୍ଥରେ ଅଙ୍ଗାରରେ ଲେଖା ନାଆଁ। ସ୍ମୃତି ହେଉଛି ବଞ୍ଚିବାର ଅମୃତ ଫଳ। ଏଇଥିରୁ ସୁଖ, ଦୁଃଖ, ଯନ୍ତ୍ରଣା- ସବୁ କିଛିର ଜନ୍ମ। ସ୍ମୃତିର ଉପସ୍ଥିତି ହିଁ ମନୁଷ୍ୟକୁ ବଞ୍ଚି ରହିବାର ରାହା ଯୋଗାଏ। ସ୍ମୃତି ନଥିଲେ ଅତୀତ ମଧ୍ୟ ନଥାନ୍ତା। କେବଳ ବର୍ତ୍ତମାନକୁ ନେଇ ମନୁଷ୍ୟ ବଞ୍ଚିରହନ୍ତା। ଗଡ଼ି ଚାଲିଥିବା ସମୟର ମୂଳ ତତ୍ତ୍ବ ଦୁର୍ବୋଧ୍ୟ ହୋଇ ଯାଆନ୍ତା। ବର୍ତ୍ତମାନଟା ବି ଆମର ହୋଇ ରହନ୍ତାନି। ଆତ୍ମ ପରିଚୟ ହରାଇ ମନୁଷ୍ୟ ପଶୁ ପାଲଟିଯାଆନ୍ତା।
ମନେକର ସକାଳୁ ନିଦରୁ ଉଠି ଜଣେ ଅନୁଭବ କଲେ ତାଙ୍କ ସ୍ମରଣ ଶକ୍ତି ନଷ୍ଟ ହୋଇଯାଇଛି। ତା’ପରେ କ’ଣ ହେବ? ସେ ଭାବି ବସିବେ, ‘ମୁଁ’ କିଏ? ମୋର ପରିଚୟ କ’ଣ? ତା’ପରେ ସେ କେବଳ ‘ମୁଁ’କୁ ହିଁ ଖୋଜି ବୁଲିବେ। ଆତ୍ମ ପରିଚୟର ଅନୁଭବ ତ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ସ୍ମୃତିର କ୍ରମ ପ୍ରବହମାନ ଚେତନା ଉପରେ ନିର୍ଭର କରେ। ସ୍ମୃତି ନାହିଁ ତ, ଗତ କାଲିଟା ବି ଆମର ହଜିଯିବ। ଆଉ ଗତ କାଲିଟି ହଜିଗଲେ ବର୍ତ୍ତମାନକୁ ଜଣେ ଅନୁଭବ କରିବବା କେମିତି?
ଆଚ୍ଛା, ଏ ସ୍ମୃତିଟି କ’ଣ? ଦାର୍ଶନିକ ଓ ମନସ୍ତତ୍ତ୍ବବିତ୍ମାନେ ଏହାର ମୂଳ ତତ୍ତ୍ବ ନିଜ ନିଜ ଦୃଷ୍ଟିକୋଣରୁ ବିଚାର କରିଛନ୍ତି। ମନସ୍ତତ୍ତ୍ବବିତ୍ମାନଙ୍କ ମତରେ ଆମ ମସ୍ତିଷ୍କର ଚୈତନେନ୍ଦ୍ରିୟ ଗୁଡ଼ିକ ତିନି ପ୍ରକାରର ସ୍ମୃତିକୁ ସାଇତି ରଖେ। ଅବବୋଧାତ୍ମକ ସ୍ମୃତି, କ୍ଷଣସ୍ଥାୟୀ ସ୍ମୃତି ଓ ଦୀର୍ଘସ୍ଥାୟୀ ସ୍ମୃତି। ଦାର୍ଶନିକ ପ୍ଳାଟୋଙ୍କର ଯୁକ୍ତି ହେଲା, ଜଉର ଥାଳିଆ ଉପରେ ସଙ୍ଗୀତ ଲିପିବଦ୍ଧ ହେବା ପରି ମନ ଆମର ବର୍ତ୍ତମାନଟିକୁ ଲିପିବଦ୍ଧ କରିଚାଲିଥାଏ। ଆରିଷ୍ଟୋଟଲଙ୍କ ତଥ୍ୟ ଟିକିଏ ଭିନ୍ନ। ସେ କୁହନ୍ତି, ସଂସ୍ପର୍ଶ, ସାଦୃଶ୍ୟ ଓ ବୈଷମ୍ୟର ସନ୍ତୁଳନ ଦ୍ବାରା ହିଁ ଘଟଣାଗୁଡ଼ିକୁ ଆମେ ମନେ ରଖିପାରୁ। ଏ ସବୁ ତତ୍ତ୍ବ ମଧ୍ୟକୁ ନଯାଇ ସଂକ୍ଷେପରେ କହିଲେ, ମନ ଭିତରେ ଦୁଇ ପ୍ରକାର ସ୍ମୃତି ପେଟିକା ରହିଛି। ଅର୍ଥ ଭିତ୍ତିକ ବା ‘ସେମାଣ୍ଟିକ ମେମୋରି’, ପ୍ରସଙ୍ଗ ଭିତ୍ତିକ ବା ‘ଏପିସୋଡିକ୍ ମେମୋରି’।
ଅର୍ଥ ଭିତ୍ତିକ ସ୍ମୃତି ହେଲା, ଭାରତର ରାଜଧାନୀ ନାଁ ପଚାରିଲେ ସମସ୍ତେ କହିବେ ‘ଦିଲ୍ଲୀ’। ଏ ସ୍ମୃତିଟି ସମସ୍ତଙ୍କ ପାଇଁ ସମାନ। ପ୍ରସଙ୍ଗ ଭିତ୍ତିକ ସ୍ମୃତି ସମସ୍ତଙ୍କର ଅଲଗା। କାରଣ, ପ୍ରତ୍ୟେକ ମନୁଷ୍ୟର ମନ ଭିତରେ ବିଭିନ୍ନ ପ୍ରକାରର ହଜାର ସଂଖ୍ୟାରେ ବ୍ୟକ୍ତିଗତ ପ୍ରସଙ୍ଗ ସାଇତା ହୋଇ ରହିଛି। ଏହା ପୁଣି ଆଉ ତିନି ପ୍ରକାରର। ସୁଖଦ, ଦୁଃଖଦ ଓ ଭୟାନକ ସ୍ମୃତି।
ଉଦାହରଣଟିଏ ନେବା- ମତେ ଯେତେବେଳେ ପାଞ୍ଚ ବର୍ଷ, ଆମ ଗାଁରେ ଥରେ ନିଆଁ ଲାଗିଗଲା। ସମସ୍ତଙ୍କର ଚାଳ ଛପର ଘର। ଭୟଙ୍କର ନିଆଁ ଗ୍ରାସି ଚାଲିଥାଏ ପୂରା ଗାଁ’ଟିକୁ। ଆକାଶରେ ଅଗ୍ନି ସ୍ଫୁଲିଙ୍ଗର ବନ୍ୟା ସାଙ୍ଗକୁ ଲୋକଙ୍କର ଆର୍ତ୍ତ ଚିତ୍କାର ଓ ପଶୁମାନଙ୍କର ରଡ଼ି ସେଇ ଶୀତ ଦିନର ଅନ୍ଧାର ରାତିକୁ ଭୟାନକ କରିଦେଇଥାଏ। ଆମେ ସବୁ ବାରି ପଟେ ଠିଆହୋଇ ନିଜ ଘର ଓ ଆସବାବପତ୍ର ଜଳି ଯାଉଥିବାର ଦୃଶ୍ୟ ଦେଖୁଥାଉ। ଏତେ ଛୋଟ ବୟସର ଘଟଣା ହେଲେ ମଧ୍ୟ ଏ ଭୟାନକ ସ୍ମୃତିଟି ଏବେ ବି ମୋର ମନେ ଅଛି।
ଆଉ ଗୋଟିଏ ହେଲା ସୁଖଦ ସ୍ମୃତି। ସୁଖ ସବୁବେଳେ କ୍ଷଣସ୍ଥାୟୀ ହେଲା ପରି ତା’ର ସ୍ମୃତିଟି ମଧ୍ୟ କ୍ଷଣସ୍ଥାୟୀ। ଘଟଣାଟିଏ କହୁଛି- ପ୍ରାୟ ପଚାଶ ବର୍ଷ ତଳର କଥା। ଆମେ ସବୁ ମାଇନର ସ୍କୁଲରେ ପଢ଼ୁଥିବା କିଛି ବନ୍ଧୁ ଥରେ ଗାଁ ପାଖ ଜଙ୍ଗଲରେ ବଣଭୋଜି କରୁଥାଉ। ପାଖରେ ଏକ ଛୋଟ ଡାକ ବଙ୍ଗଳା। ପରିତ୍ୟକ୍ତ ସେଇ ଘରର କାନ୍ଥରେ ଭୋଜି ପାଇଁ ଆସୁଥିବା ଲୋକମାନେ ନିଜର ନାମଟି ମାନ ଲେଖିଲେଖି ଭର୍ତ୍ତି କରିଦେଇଥାନ୍ତି। ଆମେ ଚାରିବନ୍ଧୁ ସେ ଦିନ ଘରର ଗୋଟେ କୋଣର ଉପରକୁ କଳା କାଳିରେ ନିଜ ନିଜର ନାଁ ଲେଖି ଆସିଥିଲୁ। କିଏ ଆଉ ଏ ସାଧାରଣ କଥାଟି ମନେରଖେ! ଅନେକ ବର୍ଷ ପରେ ଥରେ ସେ ସ୍ଥାନକୁ ଯାଇଥିବା ବେଳେ ଭାଙ୍ଗିରୁଜି ଯାଇଥିବା ଘରର କାନ୍ଥ କୋଣରେ ଦୃଷ୍ଟି ପଡ଼ିଗଲା। ଚାରିଟି ନାଁ ସେମିତି ଲେଖା ହୋଇ ରହିଛି। ପୁରୁଣା ଦିନର ଭୁଲି ଯାଇଥିବା ସ୍ମୃତିଟି ପୁଣି ତାଜା ହୋଇଗଲା। କେଡ଼େ ସୁଖଦ ସ୍ମୃତିଟିଏ, ମନରୁ କେମିତି ପୋଛି ହୋଇଯାଇଥିଲା ଦେଖନ୍ତୁ।
ଆଉ ଗୋଟିଏ ହେଉଛି ଦୁଃଖଦ ସ୍ମୃତି। ଏହାର ଉଦାହରଣ ଅନାବଶ୍ୟକ। ଆମ ସମସ୍ତଙ୍କ ମନରେ ଏହା ଭର୍ତ୍ତି ହୋଇ ରହିଛି। ଏ ସ୍ମୃତି ହେଉଛି ପାଉଁଶ ତଳର ନିଆଁ।, ଉଖାରି ଦେଲେ ହାତ ପୋଡ଼ିଯିବ। ଉପରେ ପାଉଁଶ ଥିଲେ ମଧ୍ୟ ଭିତରେ ଏହା ସବୁବେଳେ କୁହୁଳୁଥାଏ।
ଆଉ କିଛି ସ୍ମୃତି ଅଛି, ଯାହା ମନକୁ ଆସିଲେ ତା’ ସହିତ ଯୋଡ଼ି ହୋଇ ରହିଥିବା ଅନ୍ୟ ସ୍ମୃତିଟି ମନେ ପଡ଼ିଯାଏ। ଆରିଷ୍ଟୋଟଲଙ୍କର ଏହା ‘ସାଦୃଶ୍ୟ ସ୍ମୃତି’ର ନିୟମ ବା ଲ’ ଅଫ୍ ସିମିଲାରିଟି। ଏବେ ମୋର ଜଣେ କଲେଜ ଦିନର ସହପାଠୀ ମୋ ନମ୍ବର କେଉଁଠୁ ପାଇ ଫୋନ୍ କଲେ। ଅତୀତର କଥା ମନେପକାଇ ଯେତେ ପରିଚୟ ଦେଲେ ମଧ୍ୟ ତାଙ୍କୁ ମନେ ପକାଇ ପାରିଲିନି। ଶେଷରେ ସେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ନାଁ କହି ତାଙ୍କରି ସହିତ ସେତେବେଳେ ସେ ଏକାଠି ରହୁଥିବା କଥା କହିବାରୁ ସବୁ ସ୍ମୃତି ପୁଣି ତାଜା ହୋଇ ଉଠିଲା।
ସେଇଥି ପାଇଁ ଅତୀତକୁ ଦେଖିବା ସକାଶେ ସ୍ମୃତି ହେଉଛି ଏକ ଝରକା, ଆମ ଭାବନା ଗୁଡ଼ିକର ସଂଯୋଜକ। ସ୍ମୃତି ହେଉଛି ଆମର ଗଭୀର ଅନୁଭବ ଓ ବର୍ତ୍ତମାନର କର୍ମପ୍ରେରଣା। ସ୍ମୃତି ହଜିଗଲେ ଆମେ ନିଜ ସହିତ ନିଜର ଯୋଗସୂତ୍ର ହରାଇ ବସିବା।
ଶାସ୍ତ୍ର କୁହେ ସ୍ମୃତିରୁ ଆସକ୍ତିର ଉତ୍ପତ୍ତି। ସ୍ମୃତି ଦୁର୍ବଳ ହେଲେ ଯାଇ ବୈରାଗ୍ୟ ଆସିବ ଓ ଭଗବତ୍ ପ୍ରାପ୍ତି ସହଜ ହେବ। ଏଇଟି କିନ୍ତୁ କାର୍ଯ୍ୟତଃ ଅସମ୍ଭବ ନୁହେଁ କି? ଯଦି ଜଣେ ନିଜର ସମସ୍ତ ପୂର୍ବ ସ୍ମୃତି ହରାଇ ବସିବ, ଶେଷରେ କେବଳ ଗୋଟିଏ ପ୍ରଶ୍ନ ତା’ ସମ୍ମୁଖରେ ରହିଯିବ- ‘ମୁଁ କିଏ’? ସେଇଠି ହିଁ ମନୁଷ୍ୟ ଅଟକି ରହିବ। ଅନ୍ଧାର ଦ୍ବାରା ଆଲୋକର ଉପସ୍ଥିତି ବାରି ହେବା ପରି ଭୁଲିଯିବା ମାଧ୍ୟମରେ ହିଁ ତ ସ୍ମୃତି-ଗନ୍ତାଘରର ଦ୍ବାର ଫିଟେ।
ତେବେ, ଏହା ସତ ଯେ ଆମକୁ ଅନାବଶ୍ୟକ ସ୍ମୃତି ଗୁଡ଼ିକ ଭୁଲିବାକୁ ପଡ଼ିବ, ଠିକ୍ ଫୋନ୍ ଓ କମ୍ପ୍ୟୁଟର ମେମୋରିକୁ ସଫା କଲା ପରି। କାରଣ, ସମୟର ପଛକୁ ଯାଇ କିଛି ପରିବର୍ତ୍ତନ କରିପାରିବା ଅସମ୍ଭବ। ଭୁଲିଯିବାଟା ହିଁ ମନକୁ ଚାପମୁକ୍ତ କରିପାରିବ।
ସୁଖର ସ୍ମୃତି ଗୁଡ଼ିକ ଆମର ଅମୂଲ୍ୟ ସମ୍ପଦ। ଏହା ହିଁ ଆମର ମସ୍ତିଷ୍କରେ ସାଇତା ରତ୍ନ, ଯାହା ହଜେ ସିନା, ଚୋରି ହୋଇ ପାରେନା। ସ୍ମୃତି ସବୁ ଆମର ଅତିଥି ପରି। କିଛି ଆମନ୍ତ୍ରିତ, କିଛି ଅନାମନ୍ତ୍ରିତ। ଆମେ ଆମନ୍ତ୍ରିତ ଅତିଥିଙ୍କର ଯତ୍ନ ନେବା, ଅଲୋଡ଼ା ଅତିଥିଙ୍କୁ ଯଥାଶୀଘ୍ର ବିଦାୟ ଦେବା, ତା’ହେଲେ ଯାଇ ବର୍ତ୍ତମାନଟି ଆମର ସୁଖପ୍ରଦ ହେବ।
ଅତୀତର ତିକ୍ତ ସ୍ମୃତି ଆମକୁ ଦୁଃଖ ଦିଏ, ମଧୁର ସ୍ମୃତି ଦିଏ ଆନନ୍ଦ। ଏ ଉଭୟର ଉପସ୍ଥିତି ହିଁ ଆମର ମନ ଓ ହୃଦୟକୁ ପ୍ରାଣବନ୍ତ କରେ। ନିଜର ଛାଇ ପରି ଆମ ସ୍ମୃତିଗୁଡ଼ିକ ମଧ୍ୟ ଆମ ପଛେ ପଛେ ଚାଲୁଥାନ୍ତି। ଭୁଲର ପୁନରାବୃତ୍ତି କରିବାରୁ ଆମକୁ ପରୋକ୍ଷରେ ସଜାଗ କରାନ୍ତି। ବର୍ତ୍ତମାନର ଚଟାଣ ଉପରେ ଠିଆ ହୋଇଥିବା ଆମେ ସବୁ ଜଣେ ଜଣେ ପରିବ୍ରାଜକ। ଆମ ଆଗରେ ଭବିଷ୍ୟତ ଏକ ଉଦ୍ଭଟ୍ଟ ଅନ୍ଧକାର। କେବଳ ଅତୀତର ସ୍ମୃତି ହିଁ ଆମର ଏକମାତ୍ର ପାଥେୟ।
ନିରୋଳାରେ ଥରେ ଆଖି ବନ୍ଦ କରି ଚୁପଚାପ ବସି ଧୀରେ ଧୀରେ ଅତୀତକୁ ଫେରିଚାଲନ୍ତୁ। ଅନେକ ସ୍ମୃତି ସାମନାକୁ ଆସିବେ। ଅଟକି ନଯାଇ ଆଗକୁ ବଢ଼ନ୍ତୁ, ଦେଖିବେ ଜୀବନର ସବୁଠାରୁ ମଧୁର ସ୍ମୃତିଟି ନିକଟରେ ଆପଣ ପହଞ୍ଚି ଯାଇଛନ୍ତି, ଆଉ ଠିକ୍ ସେତିକିବେଳେ ମନ ଆକାଶରେ ଉଙ୍କିମାରୁଥିବ ରୁପା ଜହ୍ନ। ଉର୍ଦ୍ଦୁ କବି ବସୀର ବଦର ଲେଖିଥିଲେ- “ଉଜାଲେ ଅପନି ୟାଦୋଁକୋ ହମାରେ ସାଥ୍ ରହନେ ଦୋ, ନ ଜାନେ କିସ୍ ଗଲିମେଁ ଜୀନ୍ଦେଗୀକି ଶାମ୍ ହୋ ଯାଏ”।
ଜୀବନଟା ବିଡ଼ାଏ ସ୍ମୃତି ଛଡ଼ା ଆଉ କ’ଣ ବା ହୋଇପାରେ?