କାଳିଦାସ ବିରଚିତ ‘ଅଭିଜ୍ଞାନ ଶାକୁନ୍ତଳମ୍’ ନାଟକର ଅନ୍ତିମ ଶ୍ଲୋକ (ଭରତବାକ୍ୟ) ବହୁ ପ୍ରସଙ୍ଗରେ ମନେପଡ଼େ। ସେଥିରେ ତିନିଟି ସୂଚନା ରହିଛି। ରାଜତନ୍ତ୍ର ସୁଶାସନ ନିଶ୍ଚିତ କରୁ, ଜ୍ଞାନୀଜନଙ୍କ ସମ୍ମାନ ସୁରକ୍ଷିତ ରହୁ ଏବ˚ ବ୍ୟକ୍ତି ମୋକ୍ଷକାମୀ ହେଉ। ଏ ତିନିଟି କାମନାରେ ଗୋଟିଏ ସଭ୍ୟତାର ସାରା˚ଶ ଉପଲବ୍ଧ। ଭିନ୍ନ ଭିନ୍ନ ମନେ ହେଉଥିଲେ ସୁଦ୍ଧା ସେ ତିନିଟି ଗଭୀର ରୂପେ ପରସ୍ପର ସହ ସ˚ପୃକ୍ତ। ସେଭଳି ସାମଗ୍ରିକ ସାର୍ଥକତା ନିମନ୍ତେ ଗୋଟିଏ ସୁସ୍ଥ ରାଜନୈତିକ-ସା˚ସ୍କୃତିକ ପରିବେଶ ଆବଶ୍ୟକ ହୋଇଥାଏ ଏବ˚ ସେଇ ପରିବେଶ ପାଇଁ ପ୍ରଶାସନ ମଣ୍ତଳ ଏବ˚ ବିଦ୍ୟା ମଣ୍ତଳ ମଧୢରେ ଏକ ସୁସନ୍ତୁଳିତ, ମର୍ଯ୍ୟାଦାପୂର୍ଣ୍ଣ ପାରସ୍ପରିକତା ଆବଶ୍ୟକ ହୋଇଥାଏ। ପ୍ରତ୍ୟେକଟି କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଏବ˚ ପ୍ରତ୍ୟେକଟିର ସ୍ବାତନ୍ତ୍ର୍ୟ, ନିୟମାନୁଗତ ସ୍ବାୟତ୍ତତା ଓ ପାରଦର୍ଶିତା ସୁନିଶ୍ଚିତ ନ କରି ସୁସ୍ଥ, ପ୍ରଗତିଶୀଳ ସମାଜ ନିର୍ମାଣ ସମ୍ଭବପର ନୁହେଁ। ପ୍ରାଚୀନ ଭାରତ ଜ୍ଞାନପୀଠ ଓ ଶାସନପୀଠ ମଧୢରେ ମର୍ଯ୍ୟାଦାବନ୍ତ ସମ୍ପର୍କ ସୁନିଶ୍ଚିତ କରି ତାହାର ମହାର୍ଘତା ପ୍ରତ୍ୟକ୍ଷ କରିପାରିଥିଲା। ପ୍ରଶାସନ ଉପଯୋଗୀ ଜ୍ଞାନ ଏବ˚ ଶୃଙ୍ଖଳାକୁ ଆଚରଣସିଦ୍ଧ କରିବାରେ ଜ୍ଞାନପୀଠର ଭୂମିକା ମହତ୍ତ୍ବପୂର୍ଣ୍ଣ ଥିଲା। ରାଜାଙ୍କ ଠାରୁ ବହୁ ଗୁଣ ସମ୍ମାନର ଅଧିକାରୀ ହେଉଥିଲେ ସେକାଳର କୁଳପତି। ମାତ୍ର କୌଣସି ତପସ୍ବୀ ରାଜ୍ୟର ନିୟମ ଭଙ୍ଗ କରୁଥିଲେ ରାଜ ଦରବାରରେ ହିଁ ତାଙ୍କର ଶାସ୍ତି ନିରୂପିତ ହେଉଥିଲା। ଏବ˚ କୌଣସି ରାଜା ନିର୍ଦ୍ଦିଷ୍ଟ କିଛି ଅଧୢାତ୍ମ ଜ୍ଞାନର ଅଧିକାରୀ ହେଉଥିଲେ ପରିଣତ ବୟସ୍କ ଋଷିମୁନି ଶିଷ୍ୟ ଭଳି ସମିଧ ହାତରେ ଧରି ସବିନୟ ତାଙ୍କଠୁ ଶିକ୍ଷାଲାଭ କରୁଥିଲେ। ପୁରାଣ ତଥା ଉପନିଷଦରେ ଏହାର ଅନେକ ଦୃଷ୍ଟାନ୍ତ ରହିଛି। ସମୟର ପରିବର୍ତ୍ତନ କ୍ରମେ ଜ୍ଞାନ କ୍ଷେତ୍ର ଏବ˚ ଶାସନ କ୍ଷେତ୍ର ମଧୢରେ ଗଢ଼ାଯାଇଥିବା ବ୍ୟାବହାରିକ ସମ୍ପର୍କ ବଦଳିଗଲା। ମାତ୍ର ସେଇ ମୌଳିକ ମୂଲ୍ୟବୋଧଟି ସର୍ବକାଳୀନ ବୋଲି ବୁଝିବା ମାନବ ସଭ୍ୟତା ପାଇଁ ନିତାନ୍ତ ଆବଶ୍ୟକ।
ଏବେ ପାରିତ ହୋଇଥିବା ବିଶ୍ବବିଦ୍ୟାଳୟ ପରିଚାଳନା ସମ୍ପର୍କିତ ଆଇନ ଘେନି ଅନେକ ତର୍ଜମା ଚାଲିଛି। କେତେକ ସାଧାରଣ ବିଚାର ତାହାର ପୃଷ୍ଠଭୂମି ଓ ଭାବବୋଧକୁ ଉପଯୁକ୍ତ ରୂପେ ପ୍ରସଙ୍ଗୀଭୂତ କରିବ। ଗୋଟିଏ ଅବକ୍ଷୟୀ ସମାଜର ଅଙ୍ଗ ଭାବେ ବିଶ୍ବବିଦ୍ୟାଳୟମାନଙ୍କର କିଛି ଅବକ୍ଷୟ ସ୍ବାଭାବିକ। ସେଭଳି ଅବକ୍ଷୟ ରୋକିବା ନିମନ୍ତେ ନୂଆ ଆଇନ ତିିଆରି ଥିବା ମଧୢ ସ୍ବାଭାବିକ। ମାତ୍ର ଏହି ପ୍ରସଙ୍ଗରେ ତିନିଟି ବିଷୟ ମନେ ରଖିବା ଆବଶ୍ୟକ। ପ୍ରଥମଟି ହେଲା, ଅବକ୍ଷୟ ପ୍ରଶାସନିକ କ୍ଷେତ୍ରକୁ ମଧୢ ଆକ୍ରାନ୍ତ କରିଛି। ମାତ୍ର ଏ କଥାଟି ଶିକ୍ଷା ପରିସରର ଅବକ୍ଷୟ ପ୍ରସଙ୍ଗରେ ଶିକ୍ଷକ ଓ ବିଦ୍ୟାର୍ଥୀ ସମାଜର ଉତ୍ତରଦାୟିତ୍ବ ଲଘୁ କରିଦେବ ନାହିଁ। ଅବକ୍ଷୟର ପ୍ରତିବିଧାନ ସେଇ ସମାଜ ହିଁ ସଫଳ ରୂପେ କରିପାରିବ। ତାଙ୍କ କ୍ଷେତ୍ରରେ ବିଚ୍ୟୁତି ଅଧିକ ଅଗ୍ରହଣୀୟ, କାରଣ ସମାଜ ପାଇଁ ତାହା ଅଧିକ କ୍ଷତିକାରକ। ଦ୍ବିତୀୟ ବିଷୟ ହେଲା, ଏ ଅବକ୍ଷୟ ହଠାତ୍ ଚାଲିଆସି ନାହିଁ। ତାହାର ଇତିହାସ ସୁଦୀର୍ଘ। ଏବ˚ ତୃତୀୟ ବିଷୟ ହେଲା, ସେଇ କାଳଖଣ୍ତରେ ବିଶ୍ବବିଦ୍ୟାଳୟମାନଙ୍କର ବୌଦ୍ଧିକ ବ୍ୟାପୃତି ଯଥାସମ୍ଭବ ସୁରକ୍ଷିତ ରହିଛି। ହୁଏତ ସମସ୍ତ ଶିକ୍ଷକ ସମ ଭାବରେ ନିଷ୍ଠାପର ରହି ନ ଥିବେ। ହୁଏତ ସମସ୍ତ ବିଶ୍ବବିଦ୍ୟାଳୟରେ ସମାନ ମାନ ବା ପରିମାଣର ଗବେଷଣାତ୍ମକ ରଚନା ପ୍ରସ୍ତୁତ ହୋଇ ନ ଥିବ। ମାତ୍ର ଦୀର୍ଘକାଳ ଧରି ଶିକ୍ଷକ ନିଯୁକ୍ତି ବନ୍ଦ କରି ଦେବା, ଆବଶ୍ୟକୀୟ ସମ୍ବଳ ଯଥା ରୀତି ଯଥା କାଳରେ ଯୋଗାଇ ନ ଦେବା ଏବ˚ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପ୍ରଶାସନିକ କର୍ମରେ ଲିପ୍ତ କରିବା ଭଳି ଅବ୍ୟବସ୍ଥା ସ୍ମରଣ ରଖିବା ଆବଶ୍ୟକ ଥିଲା। ଏସବୁ ବାଧକର ନିରାକରଣ ପାଇଁ ପ୍ରବିଧି ବ୍ୟବସ୍ଥିତ କରିବା ନିମନ୍ତେ ତଥା ସେଇ ସବୁ ପ୍ରସଙ୍ଗରେ ପ୍ରଶାସନିକ ଉତ୍ତରଦାୟିତ୍ବ ନିଶ୍ଚିତ କରିବା ନିମନ୍ତେ ମଧୢ ନିୟମ ପ୍ରଣୟନ କରାଯାଇଥିଲେ ଆଗକୁ ଅବକ୍ଷୟର ଗତିରୋଧ କରାଯାଇପାରିଥାନ୍ତା। କେବଳ ଅଧିକ କିଛି ପ୍ରଶାସକଙ୍କୁ ବିଶ୍ବବିଦ୍ୟାଳୟର ବିଭିନ୍ନ ପ୍ରଣାଳୀରେ ଅଙ୍ଗୀଭୂତ କରି ଗୁଣାତ୍ମକ ଉନ୍ନତି ଆଶା କରିବା ଯୁକ୍ତିଯୁକ୍ତ ମନେ ହେଉନାହିଁ।
ଯାହା ଜଣାପଡ଼ିଲା, ଏ ଆଇନ ପାଇଁ ପ୍ରସ୍ତୁତି ଦୀର୍ଘ ସମୟରୁ ଚାଲି ଆସିଛି। ଏ ଆଇନର କେତେକ ଅ˚ଶ ସ୍ବାଗତଯୋଗ୍ୟ। କିଛି ଅ˚ଶରେ ଗୋଟିଏ ସମୟରେ ଆଇନ ବିଭାଗର ଅସମ୍ମତି ସତ୍ତ୍ବେ ସରକାର ସେ ଦିଗରେ ଆଗେଇ ଚାଲିଲେ। ଅର୍ଥାତ୍ ସରକାରଙ୍କର ଗୋଟିଏ ବିଶ୍ବାସ ଦୃଢ଼ୀଭୂତ ହୋଇଥିଲା ଯେ ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ବିଭ୍ରାଟ ଉପୁଜିଛି ଏବ˚ ତାହାର ଏଭଳି ସ˚ଶୋଧନ ବିଶ୍ବବିଦ୍ୟାଳୟ ସବୁକୁ ଅଧିକ ପାରଦର୍ଶୀ କରିବ। ବିଶ୍ବବିଦ୍ୟାଳୟଗୁଡ଼ିକୁ ଅଧିକ ଅନୁଗତ କରିବାର ଉଦ୍ଦେଶ୍ୟର ଆରୋପ ବୋଧହୁଏ ଅମୂଳକ। କାରଣ ସରକାରଙ୍କର ଉଭୟ ପ୍ରତ୍ୟକ୍ଷ ଏବ˚ ପରୋକ୍ଷ ପ୍ରଭାବ ବିଶ୍ବବିଦ୍ୟାଳୟ ସବୁରେ ପୂର୍ବରୁ ରହି ଆସିଛି। ଏ ପ୍ରସଙ୍ଗରେ କେଉଁ ବିଶେଷ ଏବ˚ ନିର୍ଦ୍ଦିଷ୍ଟ କାରଣ ସବୁ ହେତୁ ସରକାର ଏଭଳି ପଦକ୍ଷେପ ନେବାକୁ ଚିିନ୍ତା କଲେ ତାହା ଆଗରୁ ପ୍ରକାଶ କରିଦେବା ଉଚିତ ହୋଇଥାନ୍ତା। ପରିମାର୍ଜନର ଆବଶ୍ୟକତା ତଥା ତାହାର ପ୍ରଣାଳୀ ସମ୍ପର୍କରେ ମତାମତ ଦେବା ପାଇଁ ବିଶ୍ବବିଦ୍ୟାଳୟର ଶିକ୍ଷକ ସମାଜ ଓ ବୃହତ୍ତର ବୁଦ୍ଧିଜୀବୀ ଗୋଷ୍ଠୀଙ୍କୁ ସୁଯୋଗ ପ୍ରଦାନ କରିବା ଉଚିତ ହୋଇଥାନ୍ତା। ସେଇ କ୍ରମରେ ହୁଏତ କିଛି ବିଳମ୍ବ ଘଟିଥାନ୍ତା। କିନ୍ତୁ ଗଣତାନ୍ତ୍ରିକ ଆଦର୍ଶର କାର୍ଯ୍ୟକାରିତା ସମୟସାପେକ୍ଷ ହେଲେ ହେଁ ଅଧିକ ନିରାପଦ ଏବ˚ ବିଶ୍ବସନୀୟ ହୋଇଥାଏ। ମନେହୁଏ ସେଭଳି କରିଥିଲେ ଆଇନକୁ ଅଧିକ ଗଠନମୂଳକ ଏବ˚ ସୁସ˚ହତ କରିବା ପାଇଁ ସରକାର ଅଧିକ ସୁଯୋଗ ପାଇଥାନ୍ତେ। ଆମର ଏକ ସମୃଦ୍ଧ ଦିଗ୍ଦର୍ଶନ-ସମ୍ବଳ ରହିଛି ଯାହାର ଏ କ୍ଷେତ୍ରରେ ମଧୢ ଉପଯୋଗ ହୋଇ ନ ପାରିବା ଦୁର୍ଭାଗ୍ୟଜନକ। ବହୁ ବିଜ୍ଞ ଅନୁଭୂତିସମ୍ପନ୍ନ ଅବସରପ୍ରାପ୍ତ ଶିକ୍ଷକ ଓ ପ୍ରଶାସକ ରହିଛନ୍ତି, ଯେଉଁମାନଙ୍କ ବିଭିନ୍ନ କ୍ଷେତ୍ରରେ ପରାମର୍ଶ ଲୋଡ଼ା ଯାଇପାରନ୍ତା। ଏବ˚ ଅନାହୂତ ହୋଇ ମଧୢ ଜନକଲ୍ୟାଣକର ପରାମର୍ଶ ଦେବା ପେନ୍ସନ୍ଭୋଗୀ ସେଇ ପରିଣତଚେତା ବ୍ୟକ୍ତିମାନଙ୍କ ଏକ ନୈତିକ ଦାୟିତ୍ବ ଅଟେ। ଉପସ୍ଥିତ ବିଷୟରେ ସେମାନଙ୍କ ବୌଦ୍ଧିକ ସହଯୋଗିତା କାମ୍ୟ ଥିଲା। ସେମାନେ ଅଭିଜ୍ଞ। ଦିନ ଥିଲା, ସେମାନେ ମଧୢ କିଛି ଅବକ୍ଷୟର ଅ˚ଶବିଶେଷ ଥିଲେ ଏବ˚ ବିକାଶର ମଙ୍ଗ ମଧୢ ଧରିଥିଲେ। ସମସ୍ତେ ଜାଣନ୍ତି, ବିଶ୍ବବିଦ୍ୟାଳୟଗୁଡ଼ିକ ସରକାରୀ ଚାପର ବାହାରେ ରହିବା ବାଞ୍ଛନୀୟ ଅଟେ ଏବ˚ ସ୍ବାଧୀନତା ନାଁରେ ଯଥେଚ୍ଛାଚାର ଅଗ୍ରହଣୀୟ। ଏ ଦୁଇଟି ପ୍ରମାଦରୁ ଦୂରେଇ ରଖି ସରକାର ଚାହୁଁଥିବା ସୁଶୃଙ୍ଖଳିତ ବିଶ୍ବବିଦ୍ୟାଳୟ ପରିଚାଳନା ନିଶ୍ଚିତ କରିବା ନିମନ୍ତେ ସନ୍ତୁଳିତ ବୈଧାନିକ ପରାମର୍ଶ ଯୋଗାଇ ଦେବାର ଦକ୍ଷତା ସେଇ ଗୋଷ୍ଠୀରେ ରହିଛି। ଏବେ ମଧୢ ତାହାର ସୁଯୋଗ ନିଆଯାଇପାରେ। ସଦ୍ୟ ପ୍ରଣୀତ ବିଧାନର ଆୟୁ ଯାବତ୍ ଚନ୍ଦ୍ରାର୍କ ନୁହେଁ। ଉପଯୁକ୍ତ ପରିମାର୍ଜନ ନିମନ୍ତେ ଆଜିଠାରୁ ଆଲୋଚନା ଆରମ୍ଭ ହେଉ।
ଏ ଆଇନଟି ନ୍ୟାୟପାଳିକାର ବିଚାର ପାଇଁ ଯିବା ସମ୍ଭାବିତ। ମାତ୍ର ତାହା ମଧୢ ସୀମିତ ଉଦ୍ଦେଶ୍ୟ ସାଧନ କରିବ। ସମସ୍ୟାର ପ୍ରକୃତ ସମାଧାନର ଚାବି ସ˚ଯୁୁକ୍ତ ଭାବେ ବୁଦ୍ଧିଜୀବୀ, ଶିକ୍ଷକ ଓ ପ୍ରଶାସକଙ୍କ ହାତରେ ରହିଛି। ଅନ୍ୟ ଏକ ସମ୍ଭାବିତ ବିଷୟ ହେଉଛି କରୋନା-ଆତଙ୍କ ପ୍ରଶମିତ ହେବା ପରେ ଛାତ୍ରସମାଜ ମଧୢ ଏ ଆଇନ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିବେ। ତା’ମଧୢକୁ ଦଳୀୟ ରାଜନୀତିର ଅନୁପ୍ରବେଶ ମଧୢ ସମ୍ଭାବିତ। ଏବେ ଗୋଟିଏ ଗଠନମୂଳକ ଭାବବୋଧ ପ୍ରସାରିତ ହେବା କାମ୍ୟ। ଉଭୟ ବିଶ୍ବବିଦ୍ୟାଳୟର ଶିକ୍ଷକ ସମାଜ ଏବ˚ ରାଜ୍ୟ ପ୍ରଶାସନ ପ୍ରଥମେ ଆତ୍ମନିରୀକ୍ଷଣ କରି ବିଶ୍ବବିଦ୍ୟାଳୟର ମୌଳିକ ମୂଲ୍ୟବୋଧ ଯେମିତି ସୁରକ୍ଷିତ ରହେ ଏବ˚ ତାହାର ପରିଚାଳନା ପ୍ରଣାଳୀ ଯେମିତି ଅଧିକ ପାରଦର୍ଶୀ ହୁଏ, ସେ ଦିଗରେ ବିଶ୍ବାସପୂର୍ଣ୍ଣ ଭାବ ବିନିମୟ କରିବାର ଗୋଟିଏ ବାଟ ଫିଟୁୁ। ସ୍ବାଧୀନଚେତା ରହିବା ଏକ ସ˚ସ୍କୃତି ଏବ˚ ମାନସିକତା; ସ୍ବାଭିମାନ ଏକ ଆଚରଣର ବିଷୟ। ନୂତନ ଆଇନ ବିଶ୍ବବିଦ୍ୟାଳୟର ପରିଚାଳନା କ୍ଷେତ୍ରକୁ ଏବ˚ ସେଇ କ୍ରମରେ ଶୈକ୍ଷିକ ପରିବେଶକୁ ପ୍ରଭାବିତ କରିପାରେ। ମାତ୍ର ଶ୍ରେଣୀକକ୍ଷର ସ୍ବାଭିମାନକୁ ତାହା ଅବନତ କରିପାରିବ ନାହିଁ। ତାହା ସତ୍ତ୍ବେ ବିଶ୍ବବିଦ୍ୟାଳୟ ପରିସରରେ ମୁକ୍ତ ବୌଦ୍ଧିକ ଚିନ୍ତନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏବ˚ ଆଗକୁ ଅଧିକ ଗଠନମୂଳକ ପ୍ରସ୍ତୁତି ପାଇଁ ସରକାର ଗୋଟିଏ ଆଶୁ ପଦକ୍ଷେପ ନେଲେ ଭଲ ହେବ। NAAC ତଥା Outlook ପତ୍ରିକା ପରି ଯେଉଁସବୁ ସ˚ସ୍ଥା ବିଶ୍ବବିଦ୍ୟାଳୟଗୁଡ଼ିକର ମାନ ବିଚାର କରନ୍ତି, ସେମାନଙ୍କ ନିରୂପିତ ଦେଶର ପ୍ରଥମ କୋଡ଼ିଏଟି ବିଶ୍ବବିଦ୍ୟାଳୟର କୁଳପତି, କେଇଜଣ ଖ୍ୟାତନାମା ଶିକ୍ଷା-ଚିନ୍ତକ ଏବ˚ ରାଜ୍ୟର ଅବସରପ୍ରାପ୍ତ ଶିକ୍ଷକ ଓ ପ୍ରଶାସକଙ୍କ ମଧୢରୁ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ସଦ୍ୟ ପାରିତ ନିୟମ ସମ୍ପର୍କରେ ମତାମତ ସ˚ଗ୍ରହ କରାଯାଉ। ସେ ସବୁର ଅନୁଧୢାନ କ୍ରମେ ଗ୍ରହଣଯୋଗ୍ୟ ପରାମର୍ଶ ଗୁଡ଼ିକୁ ଆଗକୁ କାର୍ଯ୍ୟକାରୀ କରାଯାଇପାରେ। ଶିକ୍ଷା ସ˚ସ୍କାରର ବିଚାର ଏକ ବିରାମହୀନ ଗତିଶୀଳ ପ୍ରକ୍ରିୟା। ଏଭଳି ନିଷ୍ପତ୍ତିଟିଏ ନେବାରେ କୌଣସି ଅସଙ୍ଗତି ନାହିଁ।
ସେଇ ଗୋଟିଏ ଶୈକ୍ଷିକ ବ୍ୟବସ୍ଥାରୁ ପ୍ରସୂତ ଶିକ୍ଷକ ଏବ˚ ପ୍ରଶାସକ ଗୋଷ୍ଠୀଙ୍କ ଜୈବିକ ସମ୍ପର୍କଟିଏ ରହିଛି। ଏଣୁ ବିଶ୍ବବିଦ୍ୟାଳୟ ଏବ˚ ସଚିବାଳୟ ମଧୢରେ ଏକ ସୃଷ୍ଟିଶୀଳ, ମର୍ଯ୍ୟାଦାବନ୍ତ ପାରସ୍ପରିକତାର ମୂଳଦୁଆ ପଡ଼ିବା କ୍ରମଟି ଏବେ ଆରମ୍ଭ ହେଉ ଏବ˚ ଯଜୁର୍ବେଦ (ଅଧୢାୟ ୨୦, ମନ୍ତ୍ର ୨୫)ରେ ଋଷି ଯାହା ସୂଚାଇଛନ୍ତି ସେଭଳି ସ˚ସ୍କୃତିଟିଏ କ୍ରମେ ବିକଶିତ ହେଉ। ଇତିହାସ ସାକ୍ଷୀ ରହିଛି, ଦିନେ ଅବାସ୍ତବ ମନେ ହେଉଥିବା ଅନେକ ଆଦର୍ଶ ଓ ତଥ୍ୟ ପର କାଳରେ ସଭ୍ୟତାକୁ ସମୃଦ୍ଧ କରିଛିି।
ଋଷିଙ୍କ ଉଦାତ୍ତ ଉଚ୍ଚାରଣ ହେଉଛି-
ଯତ୍ର ବ୍ରହ୍ମ ଚ କ୍ଷତ୍ର˚ ଚ ସମ୍ୟ˚ଚୌ ଚରତ˚ ସହ
ତଲ୍ଲୋକ˚ ପୁଣ୍ୟ˚ ପ୍ରଜ୍ଞେଷ˚ ଯତ୍ର ଦେବା ସହାଗ୍ନିନା।
ଅର୍ଥାତ୍, ଯେଉଁଠାରେ ଜ୍ଞାନ ଶକ୍ତି ଓ କ୍ଷାତ୍ର ଶକ୍ତି ପ୍ରୀତିପୂର୍ଣ୍ଣ ଭାବେ ମିଳିମିଶି ବ୍ୟବହାର କରନ୍ତି, ଯେଉଁଠି ଶକ୍ତିଶାଳୀ ଲୋକେ ଜ୍ଞାନୀଗଣଙ୍କ ସହ ବିଚରଣ କରନ୍ତି, ସେଇ ରାଷ୍ଟ୍ର ପୁଣ୍ୟ ସୁଖସ୍ବରୂପ ବୋଲି ମୁଁ ପ୍ରକୃଷ୍ଟ ରୂପେ ଜାଣୁଅଛି।
(ପ୍ରିୟବ୍ରତ ଦାସ, ଯଜୁର୍ବେଦ ସୌରଭ, ପୃ. ୭୮)
ସର୍ବକାଳୀନ ଏ ମନ୍ତ୍ରଟିକୁ କର୍ମୋପଯୋଗୀ କରିବା ଆମ ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ।
ରୁଗୁଡ଼ିପଡ଼ା, ବଲାଙ୍ଗୀର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/higher-education.jpg)