କରୋନା ଓ ମଦ୍ୟାସକ୍ତି

ପଦ୍ମଚରଣ ନାୟକ

କରୋନା ଭୂତାଣୁର ଟିକା ବାହାରିବା ପର୍ଯ୍ୟନ୍ତ ସାଧାରଣ ଭାବରେ ଭୟର ଏକ ବାତାବରଣ ଲାଗି ରହିଛି। ଏହାର ପ୍ରଥମ ଲହଡ଼ି ପରେ ଦ୍ବିତୀୟ ଲହଡ଼ି କେତେକ ଦେଶରେ ଦେଖାଦେଇଛି। ତେବେ ଗତ ନଅ ମାସ ମଧ୍ୟରେ ଭାରତବର୍ଷର ବିଭିନ୍ନ ରାଜ୍ୟରେ ଓ ବିଭିନ୍ନ ଦେଶରେ ଏହା ଯେଭଳି ଗତି କରୁଛି, ତହିଁରୁ ବୈଜ୍ଞାନିକମାନେ ଏହାର ଢଙ୍ଗ ରଙ୍ଗ ସମ୍ପର୍କରେ କିଛି କହିପାରୁ ନାହାଁନ୍ତି।

ଏ ଦିଗରେ ଫର୍ମୋଜା, ଜାପାନ ଓ ଦକ୍ଷିଣ କୋରିଆ ଏବ˚ ଭିଏତ୍‌ନାମର ସାଫଲ୍ୟର କାରଣ ଭାବେ ଲୋକଙ୍କ ସଚେତନତା ଓ ସ୍ବାସ୍ଥ୍ୟସେବାର ଦକ୍ଷତାକୁ ଦର୍ଶାଯାଉଛି। କିନ୍ତୁ ପାକିସ୍ତାନ, ବଙ୍ଗଳାଦେଶ, ଆଫଗାନିସ୍ତାନ ଭଳି ଏ ସବୁ ଦିଗରେ ପଛୁଆ ଦେଶମାନଙ୍କରେ କରୋନାର ଉତ୍ପାତ ଖୁବ୍‌ କମ୍‌ ଦେଖାଯାଉଛି।

ଭାରତବର୍ଷରେ ପ୍ରଥମ ପର୍ଯ୍ୟାୟରେ କେରଳରେ କରୋନା ସ˚କ୍ରମଣ ଓ ମୃତ୍ୟୁ ହାର ଊଣା ହେବାକୁ ସେଠାକାର ଲୋକଙ୍କ ସ୍ବାସ୍ଥ୍ୟ ସଚେତନତା ଓ ଆଦର୍ଶ ସ୍ଥାନୀୟ ସ୍ବାସ୍ଥ୍ୟସେବା ଯୋଗୁ ଏଭଳି ସମ୍ଭବ ହେଲା ବୋଲି କୁହାଯାଉଥିଲା। କିନ୍ତୁ ଏ ସବୁ ଥାଇ ବି ଏବେ କେରଳରେ କରୋନା ଏଭଳି ବ୍ୟାପିବାରେ ଲାଗିଛି ଯେ ତାହାର କାରଣ ସମ୍ପର୍କରେ କିଛି କୁହାଯାଉନାହିଁ।

ଉଲ୍ଲେଖଯୋଗ୍ୟ ଯେ ସ୍ବାସ୍ଥ୍ୟ ସଚେତନତା ଓ ସ୍ବାସ୍ଥ୍ୟସେବା ଦିଗରେ ସବୁଠାରୁ ପଛରେ ଥିବା ବିହାରରେ କରୋନାରେ ଆକ୍ରାନ୍ତ ହେବା ଏବ˚ ମୃତ୍ୟୁମୁଖରେ ପଡୁଥିବା ଲୋକଙ୍କ ସ˚ଖ୍ୟା ସମଗ୍ର ଭାରତବର୍ଷରେ କମ୍‌!

ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ କରୋନା ଆକ୍ରମଣ ଊଣା ଏବ˚ କରୋନା ସ˚କ୍ରମିତ ହେଲେ ଆରୋଗ୍ୟ ଲାଭ କରିବା ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞମାନଙ୍କ ମତ। ଏଣୁ ସମ୍ଭବତଃ ବିହାରୀ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ପ୍ରାୟ ଅଧିକ ଯେଉଁ କାରଣରୁ ସେଠାରେ ଦେଶର ସବୁ ସ୍ବାସ୍ଥ୍ୟ ସଚେତନ ଏବ˚ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁଥିବା କେରଳ ଠାରୁ କମ୍‌ ‌ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏ ବିଷୟ ଆଲୋଚନା ବେଳେ ଗୋଟିଏ କଥା ମନକୁ ଆସେ ଯେ, କେରଳ ଲୋକଙ୍କର ଅତିରିକ୍ତ ମଦ୍ୟାସକ୍ତି ଏହାର କାରଣ କି? ଏ କଥା ପ୍ରମାଣିତ ଯେ ମଦ ତଥା ଅନ୍ୟାନ୍ୟ ନିଶା ସେବନ ଫଳରେ ମଧୁମେହ (ଡାଏବେଟିସ୍‌) ରୋଗ ହୋଇଥାଏ ଯାହା କର୍କଟ ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ରୋଗ ପାଇଁ ବାଟ ସଫା କରିଦିଏ। ବିହାରରେ ପାଞ୍ଚବର୍ଷ ଧରି ନିଶା ନିବାରଣ ଆଇନ କାର୍ଯ୍ୟକାରୀ ହୋଇଛି। ଅନ୍ୟ ପଡ଼ୋଶୀ ରାଜ୍ୟରୁ ମଦ ଆସୁଥିଲେ ବି ତାହା ପୂର୍ବ ତୁଳନାରେ ବହୁତ କମ୍‌। ଏହି କାରଣରୁ ବିହାରରେ କରୋନା ଉତ୍ପାତ କମ୍‌ କି?

ଅନ୍ୟ ପକ୍ଷରେ ପାକିସ୍ତାନ, ବଙ୍ଗଳାଦେଶ, ଆଫଗାନିସ୍ତାନ ଭଳି ଇସ୍‌ଲାମ ଧର୍ମାବଲମ୍ବୀ ଦେଶରେ ମଦର ପ୍ରଚଳନ ଅତି ଚୋରାରେ ହୋଇଥାଏ, ତେଣୁ ସେଠାକାର ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ହୁଏତ ଅଧିକ ବୋଲି ସେସବୁ ଦେଶରେ କରୋନାର ଉତ୍ପାତ ବହୁତ କମ୍‌।

ଅବଶ୍ୟ ଇରାନ ଏକ ଇସ୍‌ଲାମୀୟ ଦେଶ ହୋଇଥିଲେ ବି ସେଠାରେ କରୋନାର ଉତ୍ପାତ ଅଧିକ। ଏ ସମ୍ପର୍କରେ ସବୁ ଇସ୍‌ଲାମୀୟ ଦେଶରେ କରୋନାର ଉତ୍ପାତ ପରିସ˚ଖ୍ୟାନ ଜଣାଗଲେ ଏ ଦିଗରେ ଏକ ଗ୍ରହଣଯୋଗ୍ୟ ମତ ମିଳିିପାରେ।

ପୃଥିବୀର ସବୁଠାରୁ କରୋନା ଜର୍ଜରିତ ଦେଶ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ସେଠାରେ ନିଶା ସେବନର ପ୍ରାବଲ୍ୟ ଛଡ଼ା ଜୀବନଚର୍ଯ୍ୟାର ଉଲ୍ଲେଖନୀୟ ବିଶୃଙ୍ଖଳା ଏହାର କାରଣ ହୋଇପାରେ।

କରୋନା ଉତ୍ପାତର ଅନ୍ତ ପରେ ଏ ଦିଗରେ ହୁଏତ ବିଶ୍ବବ୍ୟାପୀ ସମୀକ୍ଷା ହେବ ଏବ˚ ଏହାର କିଛି ଗ୍ରହଣଯୋଗ୍ୟ କାରଣ ବି ଜଣାଯିବ।

ତେବେ କରୋନା ଉତ୍ପାତ କାଳରେ ବମ୍ବେ ସହରର ‘ଧରାଭି’ ନାମକ ଅସ୍ବାସ୍ଥ୍ୟକର ତଥା ଘନ ଜନବସତି ଥିବା ବସ୍ତିରେ କରୋନା ଲାଗି ରହିବ ଓ ବହୁତ କ୍ଷତି କରିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ସ୍ବେଚ୍ଛାସେବୀ ସ˚ଗଠନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ସେଠାରେ ଆଶ୍ଚର୍ଯ୍ୟଜନକ ଭାବରେ କରୋନା ତଳ ମୁହାଁ ହୋଇଛି। ଟିକା ବାହାରିବାର ସମ୍ଭାବନାକୁ ଅପେକ୍ଷା ନକରି ସେମାନେ ସେଠାରେ ଘରେ ଘରେ ବୁଲି ଆର୍ସେନିକ୍‌ ଆଲବମ୍‌-୩୦ ନାମକ ହୋମିଓପାଥି ପ୍ରତିରୋଧକ ଔଷଧ ଦେଇଥିଲେ। ତା’ ପରେ ସୁରତ ଓ ଅହମ୍ମଦାବାଦରେ ମଧ୍ୟ ଏହି ଔଷଧ ବ୍ୟାପକ ଭାବରେ ପ୍ରୟୋଗ କରାଯାଇଛି।

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରଥମ ଅବସ୍ଥାରେ କରୋନା ଏଭଳି ବ୍ୟାପିଲା ଯେ ଗଞ୍ଜାମ ଲୋକଙ୍କୁ ଅନ୍ୟ ଜିଲ୍ଲା ଲୋକେ ଯାତାୟାତ ଲାଗି ବାରଣ କଲେ। ଏବେ ଗଞ୍ଜାମ ମଡେଲର ଭାରି ପ୍ରଚାର ହେଉଛି। ସେଠାକାର ପ୍ରଶାସନ କିଭଳି କରୋନା ଆକ୍ରାନ୍ତ ଅଞ୍ଚଳକୁ ଘେରି ଲୋକଙ୍କୁ ମୁଖା ପିନ୍ଧିବା ଓ ରୋଗୀ ଠାରୁ ଦୂରେଇ ରହିବା ଏବ˚ ଗହଳି ନକରିବା ଆଦି କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ବୋଲି କୁହାଯାଉଛି। ଏହା ସହିତ ସେହି ଜିଲ୍ଲାରେ ମଧ୍ୟ ଆର୍ସେନିକ୍‌ ଆଲବମ୍‌-୩୦ର ବ୍ୟାପକ ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ମଧ୍ୟ ତାହା ଯୋଗାଇ ଦିଆଯାଇଥିଲା। ଗୋଟିଏ ସମୟରେ ଗଞ୍ଜାମରେ ରୋଗର ସ˚କ୍ରମଣ କମ୍‌ ହେଉଥିଲେ ବି ମୃତ୍ୟୁ ସ˚ଖ୍ୟା ଅଧିକ ହେଉଥିଲା। ଏହା ପଛରେ ଗଞ୍ଜାମ ଲୋକଙ୍କର ମଦ୍ୟାସକ୍ତି ହୁଏତ କାରଣ ହୋଇପାରେ, ଯାହା ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମାଇ ଦେଇଥାଏ।

ସଭାପତି, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ମୋ: ୯୯୩୮୮୯୦୪୪୫

ସମ୍ବନ୍ଧିତ ଖବର