ଗୁର୍ଖା ରେଜିମେଣ୍ଟ ଭାଙ୍ଗିବାକୁ ଚୀନା ଚକ୍ରାନ୍ତ

ଆନ୍ତର୍ଜାତିକୀ - ଶରତ ଚନ୍ଦ୍ର ମିଶ୍ର

କେତେକ ପାଶ୍ଚାତ୍ୟ ରଣକୌଶଳବିତ୍‌ଙ୍କ ମତରେ ଭାରତ ଏକ ଦେଶ ନୁହେଁ, ଏହା ଏକ ମହାଦେଶ। ତେଣୁ ଭାରତରେ ପ୍ରଚୁର ବିବିଧତା। ଦେଶକୁ ଏକାଠି କେତୋଟି ଅନୁଷ୍ଠାନ ଧରି ରଖିଛନ୍ତି ଓ ତା’ ମଧୢରେ ସୈନ୍ୟବାହିନୀ ହିଁ ପ୍ରଧାନ। ଭାରତୀୟ ସୈନ୍ୟବାହିନୀକୁ ଦୁର୍ବଳ କରିବାକୁ ହେଲେ, ତା’ର ଦୁଇ ପ୍ରଧାନସ୍ତମ୍ଭ, ଶିଖ୍‌ ଓ ଗୁର୍ଖାମାନଙ୍କ ଆନୁଗତ୍ୟକୁ ଲୋପ କରିବାକୁ ହେବ। ଏଇ ଚିନ୍ତାଧାରାରେ ପ୍ରଭାବିତ ହୋଇ ପାକିସ୍ତାନ ଖଲିସ୍ତାନ ଆନ୍ଦୋଳନକୁ ସାହାଯ୍ୟ ଓ ପ୍ରୋତ୍ସାହନ ପ୍ରଦାନ କରୁଥିଲା। ଚୀନ୍‌ ମଧୢ ଏଇ ବିଚାରଧାରାରେ ବିଶ୍ବାସୀ। ଖଲିସ୍ତାନ ଆନ୍ଦୋଳନ ଫଳପ୍ରଦ ନ ହେବା ପରେ ବର୍ତ୍ତମାନ ବିରୋଧୀ ଦେଶ ଦ୍ବୟଙ୍କର ଗୁର୍ଖା ବାହିନୀ ଉପରେ ନଜର ପଡ଼ିଚି। ଗଲା କେତେ ମାସ ହେଲା ଲାଦାଖ ଅଞ୍ଚଳରେ ଭାରତୀୟ ଓ ଚୀନା ସୈନ୍ୟ ମୁହାଁମୁହିଁ ହୋଇ ଅଛନ୍ତି ଓ ଗଲଵାନ ଉପତ୍ୟକାରେ ଉଭୟ ସୈନ୍ୟବାହିନୀର ସୀମିତ ସ˚ଘର୍ଷରେ ଭାରତ ପକ୍ଷରୁ ଗୁର୍ଖାମାନେ ମଧୢ ଯୁଦ୍ଧ କରିଥିଲେ। ଚୀନ୍‌ ଏଥିରେ ଉତ୍‌କ୍ଷିପ୍ତ ହୋଇ ଭାରତୀୟ ସେନାରେ ନେପାଳୀ ଗୁର୍ଖାମାନେ ଯୋଗ ଦେବାକୁ କାହିଁକି ଯାଉଛନ୍ତି ତାହାର ସାମାଜିକ ଓ ଅର୍ଥନୈତିକ କାରଣ ଖୋଜି ବାହାର କରିବାକୁ ଗବେଷଣା ଆରମ୍ଭ କରିଛି। ନେପାଳର ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି କମ୍ୟୁନିଷ୍ଟ ଦଳର ଓ ଚୀନ୍‌ ଦ୍ବାରା ପ୍ରଭାବିତ। କାଠମାଣ୍ତୁର ଅବସ୍ଥାପିତ ଚୀନ୍‌ର ମହିଳା ରାଷ୍ଟ୍ରଦୂତଙ୍କ ସହିତ ତାଙ୍କର ନିବିଡ଼ ସମ୍ପର୍କ ଓ ରାଷ୍ଟ୍ରଦୂତ ହୁୟାଙ୍ଗି କାଠମାଣ୍ତୁରେ ବର୍ତ୍ତମାନ ଜଣେ ଅତି ପ୍ରଭାବଶାଳୀ ବ୍ୟକ୍ତି। ନିକଟ ଅତୀତରେ ଦଳର ବିଦ୍ରୋହରୁ ପ୍ରଧାନମନ୍ତ୍ରୀ ଓଲିଙ୍କୁୁ ଚୀନ୍‌ ସପକ୍ଷବାଦୀ ଗୋଷ୍ଠୀ ରକ୍ଷା କରିଛନ୍ତି। ନେପାଳ ସରକାର ବିଦେଶୀ ସେନାବାହିନୀରେ ଗୁର୍ଖାଙ୍କ ନିଯୁକ୍ତି ସମ୍ବନ୍ଧରେ ଏକ ପାର୍ଲାମେଣ୍ଟାରି କମିଟି ଗଠନ କରିଥିଲେ ଓ ସେ କମିଟି- ବିଦେଶୀ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରିବାକୁ ସୁପାରିସ କରିଛନ୍ତି। ସରକାର ଏ ସୁପାରିସକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

ନେପାଳର କମ୍ୟୁନିଷ୍ଟମାନଙ୍କର ଯୁକ୍ତି ଯେ ଅନ୍ୟ ଦେଶର ସେନାବାହିନୀରେ ନେପାଳୀମାନେ କାର୍ଯ୍ୟ କରିବା ନେପାଳ ଦେଶର ସମ୍ମାନ ହାନି କରୁଛି। ବିଦେଶରୁ କିଛି ଅର୍ଥ ପାଇବା ଅପେକ୍ଷା ଦେଶର ସମ୍ମାନ ଅଧିକ ମୂଲ୍ୟବାନ। ଭାରତୀୟ ସେନାବାହିନୀରେ ଯୋଗ ଦେଇ ଚୀନ୍‌ ବିରୋଧରେ ଯୁଦ୍ଧ କରିବା ଦ୍ବାରା ନେପାଳର ଚୀନ୍‌ ସହିତ ବନ୍ଧୁତାକୁ ଏହା ବ୍ୟାହତ କରୁଛି ଓ ନିରପେକ୍ଷ ବୈଦେଶିକ ନୀତିର ଏହା ପରିପନ୍ଥୀ। ଭାରତ ଓ ବ୍ରିଟେନ ସହିତ ହୋଇଥିବା ଏ ସମ୍ବନ୍ଧୀୟ ଚୁକ୍ତିକୁ ବାତିଲ କରିବାକୁ ସେମାନେ ଦାବି କରୁଛନ୍ତି ଓ ତାଙ୍କ ମତ ସପକ୍ଷରେ ଜନ ସମର୍ଥନ ସ˚ଗ୍ରହ କରୁଛନ୍ତି।

ପକ୍ଷାନ୍ତରେ ନେପାଳର ଯୁବଗୋଷ୍ଠୀ ସରକାରୀ ନୀତିର ବିରୋଧ କରୁଛନ୍ତି। ସେମାନଙ୍କର କହିବା ଅନୁସାରେ ନେପାଳରେ ବେକାରି ସମସ୍ୟା ଉତ୍କଟ। ସରକାର ଲୋକଙ୍କୁ କର୍ମଯୋଗାଣ କରି ପାରୁ ନ ଥିବା ସମୟରେ, ଗୋଟିଏ ନିଶ୍ଚିତ କର୍ମ ପ୍ରାପ୍ତିର ମାଧୢମକୁ ବନ୍ଦ କରିଦେବା ଅବିବେକୀର କାର୍ଯ୍ୟ। ବିଦେଶ ନିଯୁକ୍ତି ବନ୍ଦ ହେଲେ, ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବ ଓ ଗ୍ରାମାଞ୍ଚଳରେ ଯେଉଁମାନେ ବିଦେଶାଗତ ଅର୍ଥ ଉପରେ ନିର୍ଭରଶୀଳ, ସେମାନେ ଦାରିଦ୍ର୍ୟର ସମ୍ମୁଖୀନ ହେବେ। ନେପାଳ ସରକାର ଏ ସମ୍ବନ୍ଧରେ କୌଣସି ପ୍ରସ୍ତାବ ଏ ପର୍ଯ୍ୟନ୍ତ ଭାରତ ଓ ଇ˚ଲଣ୍ତ ସରକାରଙ୍କୁ ଦେଇନାହାନ୍ତି ଯଦିଓ ଚୀନ୍‌ ସରକାରଙ୍କ ଚାପ ନେପାଳର କମ୍ୟୁନିଷ୍ଟ ସରକାର ଉପରେ ଅବ୍ୟାହତ ରହିଛି।
ଭାରତୀୟ ସେନାରେ ବର୍ତ୍ତମାନ ୩୯ ବାଟାଲିଅନରେ ୪୦୦୦୦ ଗୁର୍ଖା କର୍ମରତ। ତା’ ବ୍ୟତୀତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ ଆସାମ ରାଇଫଲ୍‌ସରେ ୨୫୦୦୦ ଗୁର୍ଖା କାମ କରନ୍ତି। ନେପାଳରେ ୭୯ ହଜାର ଅବସରପ୍ରାପ୍ତ ସୈନ୍ୟ, ୧୧୦୦୦ ବିଧବା, ଆସାମ ରାଇଫଲ୍‌ସର ସତର ହଜାର (୧୭୦୦୦) ପେନସନଭୋଗୀ ଅଛନ୍ତି। ଭାରତ ସରକାର ଗୁର୍ଖା ପେନସନଭୋଗୀଙ୍କ ପିଛା ବାର୍ଷିକ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରନ୍ତି। ପେନସନ୍‌ଭୋଗୀ ସୈନ୍ୟ ଓ ସେମାନଙ୍କର ପରିବାର ଓ ବିଧବାମାନଙ୍କ ଚିକିତ୍ସା ପାଇଁ ନେପାଳର କେତେ ଜାଗାରେ ଭାରତ ସରକାରଙ୍କର ବ୍ୟବସ୍ଥା ଅଛି। ଗୁର୍ଖାମାନେ ଅନ୍ୟ ବୃତ୍ତି ଅପେକ୍ଷା ସୈନ୍ୟ ହେବାକୁ ପସନ୍ଦ କରନ୍ତି। କାରଣ ସେମାନେ ଅତ୍ୟନ୍ତ ସାହସୀ। ନେପାଳର ଗ୍ରାମାଞ୍ଚଳରେ ଭାରତୀୟ ସେନାରେ ଯୋଗ ଦେବାଟା ଏକ ବିରାଟ ସଫଳତା ବୋଲି ବିବେଚିତ ହୁଏ ଓ ନିଯୁକ୍ତି ନିମନ୍ତେ ବହୁ ଲୋକ ଦରଖାସ୍ତ କରନ୍ତି। ଭାରତରେ ପ୍ରତିବର୍ଷ ୧୩୦୦ ସୈନ୍ୟ ନିଯୁକ୍ତି ନିମନ୍ତେ ହଜାର ହଜାର ସ˚ଖ୍ୟାରେ ଦରଖାସ୍ତ ଆସେ। ଇ˚ଲଣ୍ତ ମଧୢ ବର୍ଷକୁ ଦୁଇଶହ ସୈନ୍ୟଙ୍କୁ ନିଯୁକ୍ତି ପ୍ରଦାନ କରେ। ନେପାଳର ନିଜର ୯୨୦୦୦ ସୈନ୍ୟ ଅଛନ୍ତି ଓ ପ୍ରତିବର୍ଷ ପ୍ରାୟ ୩୦୦୦ ନୂତନ ନିଯୁକ୍ତି ହୁଏ। ଏ ତିନିଟିରୁ ପ୍ରାର୍ଥୀମାନଙ୍କର ପ୍ରଥମ ପସନ୍ଦ ହେଉଛି ଭାରତୀୟ ସେନା ଓ ଦ୍ବିତୀୟ ପସନ୍ଦ ଇ˚ଲଣ୍ତର ସେନା। ଭାରତୀୟ ସେନାରେ ଗୁର୍ଖାମାନେ ପ୍ରାୟ ପଦାତିକ ବାହିନୀ (Infantry)ରେ କାମ କରନ୍ତି। ଅଳ୍ପ କିଛି ଇଞ୍ଜିନିୟର ଓ ସିଗ୍‌ନାଲ୍‌ ବିଭାଗରେ କାର୍ଯ୍ୟରତ। କେନ୍ଦ୍ର ନେପାଳରୁ ଗୁରଙ୍ଗ ଓ ମିଶାର ଓ ପୂର୍ବ ନେପାଳରୁ ରାଵଢ଼ ଓ ଲିମସ ଉପଜାତିର କୃଷକମାନେ ଭାରତୀୟ ସେନାରେ ଯୋଗ ଦିଅନ୍ତି।

ଭାରତୀୟ ସେନାରେ ଯୋଗ ଦେଲେ ସେମାନେ ଭାରତର ବିଭିନ୍ନ ଜାଗା ଭ୍ରମଣ କରିପାରିବେ। ତାଙ୍କର ପିଲାମାନେ ଆର୍ମି ବିଦ୍ୟାଳୟମାନଙ୍କରେ ଉତ୍ତମ ଶିକ୍ଷା ପ୍ରାପ୍ତ ହେବେ ଓ ଭାରତ ବର୍ଷରେ ପିଲାମାନେ ଚାକିରି ପାଇପାରିବେ ଓ ପରିଣତ ବୟସରେ ପେନ୍‌ସନ ଓ ଚିକିତ୍ସା ସୁବିଧା ମିଳିବ। ସେଇ ହେତୁ ଭାରତୀୟ ସେନା ପ୍ରଥମ ପସନ୍ଦ। ଇ˚ଲଣ୍ତର ନିଯୁକ୍ତି ସୀମିତ ଓ ପ୍ରାୟ ଅର୍ଧେକ (୨୦୦୦) ବ୍ରୁନେଇର ସୁଲତାନଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ। ଭାରତବର୍ଷ ଭଳି ବ୍ରୁନେଇକୁ ନିଜର ଦେଶ ଭଳି ଭାବିବା ସମ୍ଭବପର ନୁହେଁ। ବହୁଦିନ ପର୍ଯ୍ୟନ୍ତ ଇ˚ଲଣ୍ତରେ ଇ˚ରେଜମାନେ ଗୁର୍ଖାମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଦରମା ଓ ପେନସନ ପାଉଥିଲେ। ଗୁର୍ଖା ସୈନ୍ୟମାନେ ମୋକଦ୍ଦମା କଳାରୁ ୨୦୦୭ ମସିହା ଠାରୁ ସମାନ ଦରମା ଓ ପେନସନ ପାଉଛନ୍ତି। ଭାରତରେ କିନ୍ତୁ ଗୁର୍ଖାମାନେ ମୂଳରୁ ସମାନ ଦରମା ଓ ପେନସନ ପାଆନ୍ତି। ଭାରତୀୟ ସେନାରେ ଗୁର୍ଖାମାନଙ୍କୁ ଅଫିସର ପଦ ମଧୢ ମିଳେ ଓ ନେପାଳର ପ୍ରଧାନ ସେନାପତିଙ୍କୁ ଭାରତୀୟ ସେନାବାହିନୀରେ ଅନରାରି ଲେଫ୍‌ଟନାଣ୍ଟ ଜେନେରାଲ ପଦ ପ୍ରଦାନ କରାଯାଏ।

ଭାରତୀୟ ସେନାବାହିନୀରେ ଗୁର୍ଖାମାନେ ଯେଉଁ ସ୍ବୀକୃତି ପାଆନ୍ତି ତାହା ଇ˚ଲଣ୍ତରେ ସମ୍ଭବ ନୁହେଁ। ଇ˚ଲଣ୍ତ ସେନାବାହିନୀରେ ବିଜୟ କୁମାର ରାଵତ ପ୍ରଥମ କରି ୧୯୯୫ରେ ଲେଫ୍‌ଟନାଣ୍ଟ କର୍ଣ୍ଣେଲ ପଦ ହ˚କ˚ଠାରେ ପ୍ରାପ୍ତ ହୋଇଥିଲେ। ଭାରତ ସେନାବାହିନୀରେ ବହୁ ସ˚ଖ୍ୟାରେ ବରିଷ୍ଠ ଗୁର୍ଖା ଅଫିସର ଅଛନ୍ତି ଓ ଗୁର୍ଖା ରେଜିମେଣ୍ଟରେ ଫିଲ୍‌ଡ ମାର୍ଶାଲ ମାନକେସା, ଜେନେରାଲ ବିପିନ ରାଵତଙ୍କ ସମେତ ତିନି ଜଣ ଭାରତରେ ପ୍ରଧାନ ସେନାପତି କାର୍ଯ୍ୟ କରିଥିଲେ। ଇ˚ଲଣ୍ତରେ ବର୍ତ୍ତମାନ ପ୍ରାୟ ୩୫୦୦ ଗୁର୍ଖା ସୈନିକ ଅଛନ୍ତି ଓ ସେମାନଙ୍କ ମଧୢରୁ ଅଧିକା˚ଶ ବ୍ରୁନେଇ ଓ ଆଫଗାନିସ୍ତାନରେ ଅବସ୍ଥାପିତ। ସିଙ୍ଗାପୁର ପୁଲିସ ବାହିନୀକୁ ଇ˚ଲଣ୍ତ ୨୦୦୦ ଗୁର୍ଖା ସୈନ୍ୟ ଅର୍ଥ ବଦଳରେ ଯୋଗାଇ ଦେଇଛି। ସେମାନେ ସିଙ୍ଗାପୁରରେ ରିଜର୍ଭ ବାହିନୀ ଓ ବିଦ୍ରୋହ ଦମନ କାମରେ ନିଯୁକ୍ତ।

ଭାରତୀୟ ସେନାରେ ଗୁର୍ଖାଙ୍କ ଉପସ୍ଥିତି ବହୁ ପୁରାତନ। ଇଷ୍ଟ ଇଣ୍ତିଆ କମ୍ପାନି ଓ ନେପାଳ ମଧୢରେ ଯୁଦ୍ଧ (୧୮୧୪-୧୮୧୬)ରେ ଇଷ୍ଟ ଇଣ୍ତିଆ କମ୍ପାନି ଜୟଯୁକ୍ତ ହେଲେ ମଧୢ କମ୍ପାନିର ବହୁ ସୈନ୍ୟ ପ୍ରାଣ ହରାଇଥିଲେ। ଗୁର୍ଖାମାନଙ୍କ ବୀରତ୍ବରେ ପ୍ରଭାବିତ ହୋଇ ଶାନ୍ତି ଚୁକ୍ତିରେ ଗୁର୍ଖାମାନଙ୍କୁ କମ୍ପାନି ସେନାରେ ଯୋଗ ଦେବାକୁ ଅନୁମତି ଦେବାକୁ ନେପାଳ ରାଜାଙ୍କୁ ଅନୁରୋଧ କରାଯାଇଥିଲା। ରାଜା ସେ ଅନୁରୋଧ ଗ୍ରହଣ କରିବାରୁ ଗୁର୍ଖାମାନେ ୧୮୧୬ରେ କମ୍ପାନି ସେନାରେ ଯୋଗ ଦେବା ଆରମ୍ଭ କଲେ। ସିପାହି ବିଦ୍ରୋହ (୧୮୫୭) ସମୟରେ ସେମାନେ ଇ˚ରେଜଙ୍କ ପ୍ରତି ବିଶ୍ବସ୍ତ ରହିଲେ ଓ ଆଫଗାନ ଯୁଦ୍ଧ ଓ ଦୁଇଟିଯାକ ବିଶ୍ବଯୁଦ୍ଧରେ ନିଜର ଦକ୍ଷତା ପ୍ରତିପାଦନ କଲେ।
ଭାରତ ସ୍ବାଧୀନ ହେଲା ବେଳକୁ ସେନାବାହିନୀରେ ୧୦ଟି ଗୁର୍ଖା ରେଜିମେଣ୍ଟ ଥିଲା। ଭାରତ, ବ୍ରିଟେନ ଓ ନେପାଳ ମଧୢରେ ଏକ ତ୍ରିପାକ୍ଷିକ ଚୁକ୍ତି (୧୯୪୭) ହୋଇ ଛଅଟି ରେଜିମେଣ୍ଟ ଭାରତକୁ ଆସିଲା ଓ ଚାରିଟି ରେଜିମେଣ୍ଟ ବ୍ରିଟିସ ସରକାର ନେଲେ। କାଳକ୍ରମେ ଭାରତରେ ଗୁର୍ଖା ସୈନ୍ୟଙ୍କ ସ˚ଖ୍ୟା ବୃଦ୍ଧି ପାଇଲା ଓ ଇ˚ଲଣ୍ତର ଉପନିବେଶ ସବୁ ସ୍ବାଧୀନ ହୋଇଗଲା ପରେ ଗୁର୍ଖା ସୈନ୍ୟଙ୍କ ସ˚ଖ୍ୟା ହ୍ରାସ ପାଇଲା। ଦେଶ ବିଭାଜନ ସମୟ‌େର ପାକିସ୍ତାନ ଦୁଇଟି ଗୁର୍ଖା ରେଜିମେଣ୍ଟ ନେବାକୁ ଦାବି କରିଥିଲେ ମଧୢ ଭାରତ ସରକାରଙ୍କ ପ୍ରବଳ ପ୍ରତିରୋଧ ଯୋଗୁ ସଫଳ ହୋଇପାରିନଥିଲା।

ଯଦି ନେପାଳ ସରକାର ଭାରତର ରିକ୍ରୁଟିଙ୍ଗ ସେଣ୍ଟର ଗୁଡ଼ିକ ବନ୍ଦ କରିଦେବା ନିମନ୍ତେ ନିଷ୍ପତ୍ତି ନିଅନ୍ତି ଭାରତ କୂଟନୈତିକ ଚାପ ପକାଇ ତାକୁ ବଦଳାଇବାକୁ ଚେଷ୍ଟା କରିବ। ଚାପ ପ୍ରୟୋଗ ଅସଫଳ ହେଲେ ଭାରତବର୍ଷରେ ହିଁ ନିଯୁକ୍ତି ହେବ ଓ ଗୁର୍ଖାମାନେ ଭାରତ ଆସି ନିଯୁକ୍ତି ନିମନ୍ତେ ଚେଷ୍ଟା କରିବେ। ଭାରତରେ ମଧୢ ଦୁଇଟି ଗୁର୍ଖା ଅଞ୍ଚଳ ଅଛି। ପଶ୍ଚିମବଙ୍ଗର ଦାର୍ଜିଲି˚ ଅଞ୍ଚଳ ଓ ନେପାଳର ପଶ୍ଚିମରେ ଉତ୍ତରାଖଣ୍ତରେ ଏକ ଅଞ୍ଚଳ। ସେଇ ସ୍ଥାନ ମାନଙ୍କରୁ ବାର୍ଷିକ ୧୩୦୦ ସୈନ୍ୟବାହିନୀ ନିମନ୍ତେ ଓ ପ୍ରାୟ ୮୦୦ ଆସାମ ରାଇଫଲ୍‌ସ ନିମନ୍ତେ ନିଯୁକ୍ତି ପ୍ରଦାନ କରି ଗୁର୍ଖା ରେଜିମେଣ୍ଟ ବଞ୍ଚାଇ ରଖିବାକୁ ହେବ। ଚୀନ୍‌ର ଏଇ ଚକ୍ରାନ୍ତ ଭାରତୀୟ ବୈଦେଶିକ ନୀତି ପ୍ରତି ଏକ ବଡ଼ ଆହ୍ବାନ ଓ ତାର ମୁକାବିଲା ଦକ୍ଷତାର ସହିତ କରିବା ଆବଶ୍ୟକ।

ପ୍ଲଟ୍‌ ନ˚- ଡି/୨୮, ବିଜେବି ନଗର, ଭୁବନେଶ୍ବର
ମୋ: ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର