କୋଭିଡ୍ ସଂକ୍ରମଣ କାଳରେ ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଓ ରାଜ୍ୟପାଳ ଭଗତ ସିଂହ କୋଶୟାରି ଏବେ ସାମନାସାମନି। ଏହି ସଂଦର୍ଭରେ ରାଜ୍ୟପାଳ ମହୋଦୟ ମୁଖ୍ୟମନ୍ତ୍ରୀ ଠାକ୍ରେଙ୍କୁ ଲେଖିଥିବା ପତ୍ର ଏବେ ଚର୍ଚ୍ଚାରେ। ରାଜ୍ୟପାଳ ସେହି ଚିଠିରେ ଯାହା ଲେଖିଛନ୍ତି, ତାର ମର୍ମାର୍ଥ ହେଲା ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ବରୁ ହିନ୍ଦୁତ୍ବର ଜଣେ ଦୃଢ଼ ସମର୍ଥକ ଥିବା ବେଳେ ହଠାତ୍ କେମିତି ଧର୍ମ ନିରପେକ୍ଷ ପାଲଟିଲେ? ସୁତରାଂ, ମନ୍ଦିର ଖୋଲା ଯିବା ବା ନ ଯିବା ପ୍ରସଙ୍ଗରେ ମହାରାଷ୍ଟ୍ର ଭୋଗୁଥିବା କରୋନା ସଂକ୍ରମଣର ବିପତ୍ତି କଥା ବିଚାର ନ କରି ରାଜ୍ୟପାଳ ତାକୁ ଧର୍ମ ନିରପେକ୍ଷତାବାଦୀଙ୍କ ଆଭିମୁଖ୍ୟ ସହିତ ଯୋଡ଼ିଛନ୍ତି। ଏଠାରେ ସ୍ମରଣ କରାଯାଇପାରେ କିଭଳି ଏହି ରାଜ୍ୟପାଳ ମହୋଦୟ ମହାରାଷ୍ଟ୍ର ନିର୍ବାଚନ ପରେ ଝୁଲା ପରିଣାମ ଦେଖି ତରବରିଆ ଭାବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଅଚାନକ ରାତି ଅଧରେ ଡକାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦିଆଇ ଦେଇଥିଲେ। ଏହା ପ୍ରମାଣ କରୁଛି ଯେ ରାଜ୍ୟପାଳ ଭଳି ଏକ ଗରିମାଯୁକ୍ତ ସାମ୍ବିଧାନିକ ପଦରେ ରହି ସୁଦ୍ଧା କୋଶିୟାରି ତାଙ୍କର ଦଳୀୟ ଆନୁଗତ୍ୟ ଭୁଲି ନାହାନ୍ତି ଏବଂ ଦଳର ଏକ ମାମୁଲି ସିପାହି ଭାବେ କାମ କରୁଛନ୍ତି।
ଏହା କେବଳ ଗୋଟିଏ ଉଦାହରଣ ମାତ୍ର। ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ରାଜ୍ୟପାଳମାନେ ଏଭଳି ମନୋଭାବ ପ୍ରଦର୍ଶନ କରି ସେହି ସବୁ ରାଜ୍ୟର ସରକାର ବା ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମୁହାଁମୁହିଁ ହେଉଛନ୍ତି, ଯାହା ଦେଶର ଗଣତାନ୍ତ୍ରିକ ପରମ୍ପରାରେ କଳା ଦାଗ ସୃଷ୍ଟି କରୁଛି। ଏଥିରେ ରାଜ୍ୟପାଳଙ୍କ ପଦର ଗରିମା କ୍ଷୁଣ୍ଣ ହେବା ସହିତ ରାଜ୍ୟ ସରକାର ଅଯଥା ରାଜନୀତୀକରଣର ଯେ ଶିକାର ହେଉଛନ୍ତି, ତାହା କହିବା ବାହୁଲ୍ୟ ମାତ୍ର।
ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରଥମ ପାଳିର ସରକାରରେ ରାଜ୍ୟପାଳ ଅନୀଲ ବୈଜାଲଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଗଲା ସାଧାରଣତନ୍ତ୍ର ଦିବସରେ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ବାମୀ ଓ ଉପରାଜ୍ୟପାଳ କିରଣ ବେଦୀଙ୍କ ମଧ୍ୟରେ ବିବାଦ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ସେଠାରେ ସାଧାରଣତନ୍ତ୍ର ଦିବସ ଉପଲେକ୍ଷ ପଦ୍ମ ସମ୍ମାନ ପାଇଥିବା ପ୍ରଖ୍ୟାତ ଲେଖକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି.କେ. ମୁନୁସ୍ବାମୀ କୃଷ୍ଣପାକଥରଙ୍କ ସକାଶେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଜଭବନରେ ଅୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀ ସେଠାରୁ ଏହା କହି ଚାଲି ଯାଇଥିଲେ ଯେ ସେହି ଉତ୍ସବ ବାବଦରେ ତାଙ୍କୁ ପୂର୍ବରୁ ଖବର ଦିଆଯାଇ ନ ଥିଲା। ଅବଶ୍ୟ ଦିଲ୍ଲୀ ଭଳି ପୁଡୁଚେରୀ ମଧ୍ୟ ଏକ ଆଂଶିକ ରାଜ୍ୟ। କିନ୍ତୁ ସେଠାକାର ନିର୍ବାଚିତ ସରକାର ନିଜ କାର୍ଯ୍ୟ ସକାଶେ ସ୍ବାଧୀନତା ଲୋଡ଼ିବା ସ୍ବାଭାବିକ, ଯେଉଁଥିରେ ରାଜ୍ୟପାଳମାନେ ଅନ୍ତରାୟ ହେଉଥିବାର ଅଭିଯୋଗ ହେଉଛି।
ଏହାର କାରଣ ଏବେ ଦେଖାଯାଉଛି ଯେ କେନ୍ଦ୍ର ଦ୍ବାରା ନିଯୁକ୍ତ ରାଜ୍ୟପାଳମାନେ ନିଜକୁ ଦଳୀୟ ବ୍ୟକ୍ତିବିଶେଷ ଭାବେ ଅଧିକ ଏବଂ ଏକ ସାମ୍ବିଧାନିକ ପଦର ଅଧିକାରୀ ଭାବେ କମ୍ ରୂପେ ବିଚାର କରୁଛନ୍ତି। େତଣୁ ସେମାନେ ରାଜ୍ୟପାଳ ହେଉଥିବା ରାଜ୍ୟରେ ଯଦି ବିରୋଧୀ ଦଳର ସରକାର ଅଛି, ତେବେ ସେମାନେ ନିଜ ପଦର ଦୁରୁପଯୋଗ କରି ରାଜ୍ୟ ସରକାରକୁ ବିଭିନ୍ନ ଉପାୟରେ ହଇରାଣ କରୁଛନ୍ତି। ଏପରିକି ଅନ୍ୟାୟୋଚିତ ଭାବେ ରାଜ୍ୟ ସରକାରଗୁଡ଼ିକୁ ବରଖାସ୍ତ କରିବା ପର୍ଯ୍ୟନ୍ତ ଚକ୍ରାନ୍ତ କରିବାରେ ମଧ୍ୟ ଲିପ୍ତ ରହୁଛନ୍ତି। ରାଜଭବନର ଏତାଦୃଶ ଅବକ୍ଷୟ ଚିନ୍ତାର କାରଣ ହେଲାଣି।
ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ କଥା ଦେଖନ୍ତୁ। ନିର୍ବାଚନ ଯେତିକି ନିକଟତର ହେଉଛି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ସେତିକି ଶବ୍ଦମୟ ହୋଇଉଠୁଛି। ସେଥିରେ ଯେଉଁ ବାଦାନୁବାଦ ହେଉଛି ତହିଁରୁ ବୋଧ ହେଉଛି ଯେ ରାଜ୍ୟପାଳ ଦଳ ପ୍ରତି ଆନୁଗତ୍ୟକୁ ଭୁଲି ପାରୁ ନାହାନ୍ତି।
ଆମ ଦେଶରେ ରାଜ୍ୟପାଳମାନେ ପ୍ରମୁଖ ଭାବେ କେନ୍ଦ୍ରରେ ଶାସନ କରୁଥିବା ଦଳରୁ ହିଁ ଆସିଥାଆନ୍ତି। କିନ୍ତୁ ପୂର୍ବେ ରାଜ୍ୟପାଳ ହେଉଥିବା ବ୍ୟକ୍ତି ଗଣ ଏହି ପଦର ଗରିମାକୁ ବଜାୟ ରଖିବା ଲାଗି ଦଳୀୟ ରାଜନୀତିର ଊର୍ଦ୍ଧ୍ବକୁ ଯାଉଥିଲେ; ନିରପେକ୍ଷତା ବଜାୟ ରଖୁଥିଲେ ଓ ନିର୍ବାଚିତ ସରକାରକୁ ସମ୍ମାନ ଦେଉଥିଲେ। କିନ୍ତୁ ଏବେ ସେହି ଧାରାରେ ପରିବର୍ତ୍ତନ ଆସିଛି। ସମ୍ବିଧାନର ୧୬୩ ଅନୁଚ୍ଛେଦ ଅନୁସାରେ, କେତେକ ବିଶେଷ କାର୍ଯ୍ୟକୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ସଂପାଦନାରେ ରାଜ୍ୟପାଳ ରାଜ୍ୟ ମନ୍ତ୍ରୀ ପରିଷଦର ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଆବଶ୍ୟକ। କିନ୍ତୁ, ଏବେ ରାଜଭବନ ଏକ ବିକଳ୍ପ ଶକ୍ତିି କେନ୍ଦ୍ର ଭାବେ ଉଭା ହେଉଛି। ଅବଶ୍ୟ ୧୯୬୦ ମସିହାରୁ କିଛି ରାଜ୍ୟପାଳ ଦଳୀୟ ନେତୃତ୍ବର ବଚସ୍କର ହୋଇଥିବାର ପ୍ରମାଣ ରହିଛି, କିନ୍ତୁ ସେମାନେ ଥିଲେ ସଂଖ୍ୟାରେ ଖୁବ୍ କମ୍। ଏବେ କିନ୍ତୁ ସେଭଳି ରାଜ୍ୟପାଳମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯାହା ଚିନ୍ତାଜନକ।
ମୋ- ୯୪୩୭୪୪୯୬୪୪
[email protected]