୧୯୮୦ ଦଶକରେ ଆଣ୍ଟାର୍କଟିକାରୁ ମିଳିଥିବା ଫସିଲ ବା ଜୀବାଶ୍ମ ଏକ ବିଶାଳକାୟ ପକ୍ଷୀର ବୋଲି ଆମେରିକା ଓ ଚୀନ୍ର ଜୀବ ବିଜ୍ଞାନୀମାନଙ୍କର ଏକ ଦଳ ନିକଟରେ ଏକ ନିଷ୍କର୍ଷରେ ପହଞ୍ଚିଛନ୍ତି। ଏହି ପକ୍ଷୀର ନାମ ଥିଲା ‘ପେଲାଗୋର୍ନିଥିଡ୍’ ଯାହା ଛଅ କୋଟି ବର୍ଷ ପୂର୍ବେ ଦକ୍ଷିଣ ମହାସାଗର ଅଞ୍ଚଳରେ ବିପୁଳ ସଂଖ୍ୟାରେ ଉଡ଼ି ବୁଲୁଥିଲେ। ଏହି ପକ୍ଷୀର ଵିଙ୍ଗ୍-ସ୍ପାନ୍ ବା ଡେଣାର ଦୈର୍ଘ୍ୟ ଥିଲା ୨୧ ଫୁଟ୍ ବା ତଦୂର୍ଦ୍ଧ୍ବ। ବର୍ତ୍ତମାନର ସର୍ବବୃହତ୍ ପକ୍ଷଯୁକ୍ତ ପକ୍ଷୀ ‘ଵାଣ୍ଡରିଙ୍ଗ୍ ଆଲବାଟ୍ରୋସ୍’ର ଡେଣାର ଦୈର୍ଘ୍ୟର ପ୍ରାୟ ଦୁଇ ଗୁଣ। ପେଲାଗୋର୍ନିଥିଡ୍ ଦେଖିବାକୁ ‘ଵାଣ୍ଡରିଙ୍ଗ୍ ଆଲବାଟ୍ରୋସ୍’ ଭଳି ଥିଲା। ଏହାର ଲମ୍ବା ଥଣ୍ଟରେ ଥିଲା କରତ ଭଳି ଦାନ୍ତ। ଏହି ଥଣ୍ଟରେ ପକ୍ଷୀଟି ସମୁଦ୍ର ମଧ୍ୟରେ ଶିକାର କରୁଥିଲା।
ବୈଜ୍ଞାନିକଙ୍କ ଅନୁମାନ କହେ ଯେ ପୃଥିବୀ କ୍ରମେ ଶୀତଳ ହୋଇ ହିମ ଯୁଗ ଆରମ୍ଭ ହେବା ବେଳକୁ ଅର୍ଥାତ୍ ୨୫ ଲକ୍ଷ ବର୍ଷ ପୂର୍ବେ ପେଲାଗୋର୍ନିଥିଡ୍ ପକ୍ଷୀ ପୃଥିବୀ ପୃଷ୍ଠରୁ ସବୁଦିନ ପାଇଁ ବିଲୁପ୍ତ ହୋଇ ସାରିଥିଲେ। ତେବେ ଏମାନଙ୍କ ବିଲୁପ୍ତିର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ।