ବିହାରରେ ବିଧାନସଭା ନିର୍ବାଚନ ନିମନ୍ତେ ପର୍ଯ୍ୟାୟ କ୍ରମେ ମତଦାନ ଆରମ୍ଭ ହୋଇଯାଇଛି। ତେବେ, ଏହାକୁ ନେଇ ମୁଁ କୌଣସି ବିଶେଷ ଉତ୍ସାହ-ଉଦ୍ଦୀପନା ଅନୁଭବ କରୁନାହିଁ। ମୋ ଭଳି ଜଣେ ନିର୍ବାଚନ-ଖୋର (election junkie) ପାଇଁ ଏ ଭଳି ଅନୁଭବ ନିଶ୍ଚିତ ଭାବେ ବିଚିତ୍ର; କାରଣ, ପେସା, ଆବେଗ ଓ ରାଜନୈତିକ ଦୃଷ୍ଟିକୋଣରୁ ଗତ ତିନି ଦଶନ୍ଧି ହେଲା ମୁଁ ନିର୍ବାଚନଗୁଡ଼ିକ ଉପରେ ବିେଶଷ ନଜର ରଖିଆସିଛି।
ମୋ କ୍ଷେତ୍ରରେ ଏ ପରି ଘଟିବାର କାରଣ କେବଳ କ୍ଳାନ୍ତି ନୁହେଁ। ଫଳାଫଳ କ’ଣ ହେବାକୁ ଯାଉଛି, ପ୍ରଥମରୁ ପ୍ରାୟ ଜଣାଥିଲା। ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବା ପରେ ବି ମୁଁ କୌଣସି ଉତ୍ସାହ-ଉଦ୍ଦୀପନା ଅନୁଭବ କଲିନାହିଁ। ଏହି ନିର୍ବାଚନର କିଛି ନା କିଛି ଫଳାଫଳ ନିଶ୍ଚୟ ଆସିବ। ଏହା କୋଭିଡ୍-ପରବର୍ତ୍ତୀ କାଳର ପ୍ରଥମ ନିର୍ବାଚନ। ବିହାର ବିଧାନସଭାର ଏହି ନିର୍ବାଚନ ପରେ ଏନ୍ଡିଏ ସରକାର ଗଢ଼ି ପାରୁଛି କି ନା, ଏହା ଉପରେ ମୋଦୀ ସରକାରର ଆଗାମୀ କିଛି ଦିନର କାର୍ଯ୍ୟ-କଳାପ ନିର୍ଭରଶୀଳ। ଫଳାଫଳ କ’ଣ ହେବାକୁ ଯାଉଛି, ଜାଣିବା ପାଇଁ ମୁଁ କୌତୂହଳୀ; ତେବେ, ନିର୍ବାଚନର ପୁଙ୍ଖାନୁପୁଙ୍ଖ ତର୍ଜମା ଓ ବିଶ୍ଳେଷଣ କରିବା ପାଇଁ ମୁଁ ଆଗ୍ରହୀ ନୁହେଁ।
କାହିଁକି ଜାଣନ୍ତୁ। ବିହାରର ଏହି ବିଧାନସଭା ନିର୍ବାଚନ ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ କୌଣସି ଦୃଷ୍ଟିରୁ ବିଶେଷ ମହତ୍ତ୍ବପୂର୍ଣ୍ଣ ନୁହେଁ। କାରଣ, ଆମ ଜାତୀୟ ଜୀବନରେ ବିହାରର ଭୂମିକା ପୂର୍ବ ତୁଳନାରେ କମ୍ ହୋଇଛି। ପୁଣି, ପ୍ରାଦେଶିକ ରାଜନୀତି, ଜାତୀୟ ରାଜନୀତି ତୁଳନାରେ କମ୍ ଗୁରୁତ୍ବପୂର୍ଣ୍ଣ ଏବ˚ ଆମ ଗଣତନ୍ତ୍ରର ଭବିଷ୍ୟତ୍ କ୍ଷେତ୍ରରେ ମଧ୍ୟ ନିର୍ବାଚନର ଭୂମିକା କ୍ରମଶଃ ଗୌଣ ହୋଇଚାଲିଛି।
ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବିହାର ଏକଦା ଏକ ବିଶେଷ ସ୍ଥାନ ଅଧିକାର କରିଥିଲା। ଏହା ଏ ଭଳି ଏକ ମାତ୍ର ହିନ୍ଦୀ ଭାଷୀ ରାଜ୍ୟ ଥିଲା, ଯାହାର ସାମାଜିକ ସ˚ସ୍କୃତି ଓ ରାଜନୈତିକ ପରିଚୟ ଅଦ୍ବିତୀୟ। ଉତ୍ତର ଭାରତୀୟ ରାଜନୀତିରେ ଏହା ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେଉଥିଲା। ଭାରତର ରାଜନୈତିକ ଚିତ୍ର ବଦଳାଇ ଦେଇଥିବା ଜୟ ପ୍ରକାଶଙ୍କ ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଥିଲା। ଏକଦା ପ୍ରତ୍ୟେକ ବିହାରୀ ଗର୍ବର ସହ କହୁଥିଲେ, ଦେଶର ମନ ଓ ମିଜାଜ ବଦଳାଇ ଦେବାକୁ ସମର୍ଥ ସମସ୍ତ ଆନ୍ଦୋଳନର ସୃଷ୍ଟି କେବଳ ବିହାରରୁ। ଅନ୍ୟ ହିନ୍ଦୀ ଭାଷୀ ଅଞ୍ଚଳରେ କ’ଣ ଘଟିବ, ତାହା ବିହାରର ନିର୍ବାଚନ ଫଳାଫଳରୁ ଅନୁମାନ କରାଯାଉଥିଲା। ୧୯୯୦ ଓ ୧୯୯୫ରେ ବିହାର ନିର୍ବାଚନ ଫଳାଫଳରୁ ଦେଶରେ ମଣ୍ତଳ ରାଜନୀତି ଆରମ୍ଭ ହେବାର ସୂଚନା ମିଳିଥିଲା। ସେହିପରି ୨୦୦୫ ଓ ୨୦୧୦ରେ ନୀତୀଶଙ୍କ ବିଜୟରୁ ସାମାଜିକ ନ୍ୟାୟ ନାମରେ ଚାଲିଥିବା ରାଜନୀତି ଦୁର୍ବଳ ହେବା ଏବ˚ ଆଗାମୀ ଦିନରେ ବିଜୁଳି, ସଡ଼କ ଓ ପାଣି ନିର୍ବାଚନୀ ରାଜନୀତିର ସ୍ଥାନ ନେବାର ସୂଚନା ମିଳିଥିଲା।
ତେବେ, ଗତ ଦଶ ବର୍ଷ ହେଲା ବିହାର ଆଉ ଉତ୍ତର ଭାରତୀୟ ରାଜନୀତିରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ନୁହେଁ। ଅବଶିଷ୍ଟ ଉତ୍ତର ଭାରତରେ ମୁଣ୍ତ ଟେକିଥିବା ‘ହିନ୍ଦୁତ୍ବ’ ଲହରି ପଛେ ପଛେ ଏହା ଚାଲିଛି। ଭାଜପା ଉତ୍ତର ପ୍ରଦେଶରେ ପ୍ରଥମେ ଉଚ୍ଚ ଜାତି ସହ କିଛି ଅନ୍ୟ ଅନଗ୍ରସର ଜାତିର ସାମାଜିକ ମେଣ୍ଟ ରାଜନୀତି ଆରମ୍ଭ କଲା। ପୁରୁଣା ଶୈଳୀର ମଣ୍ତଳ ରାଜନୀତି କ୍ରମଶଃ ଫିକାପଡ଼ିଗଲା; ନା ସେଥିରେ କିଛି ପରିବର୍ତ୍ତନ ଅଣାଗଲା ନା ତାହା ବଦଳରେ ଆଉ କିଛି ଗ୍ରହଣ କରାଗଲା। ଏ ଥର ଆର୍ଜେଡି ଯାଦବ-ମୁସଲମାନ ମେଣ୍ଟ, ନିଜ ସହ କିଛି ଉଚ୍ଚ ଜାତିର ମତଦାତାଙ୍କୁ ସାମିଲ କରିବା ପାଇଁ ଉଦ୍ୟମ କରିଛି। ତେବେ, ଏହା କାମ କରିବା ଭଳି ଲାଗୁନାହିଁ। ଏ ଥର ବେରୋଜଗାରି ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହେବ କି? ଏହା ଅନ୍ୟ ରାଜ୍ୟରେ ପ୍ରତିଫଳିତ ହେବ କି? ଏହା ଯଦି ନ ଘଟେ, ମୋ ବିହାରୀ ବନ୍ଧୁମାନେ ହତାଶ ହେବେ। ମୁଁ ମଧ୍ୟ ହତାଶାର ସହ କହିବି, ବିହାର ଆଉ ଉତ୍ତର ଭାରତୀୟ ରାଜନୀତିରେ ଅଗ୍ରଣୀ ଭୂମିକା ନେଇପାରିବ ନାହିଁ। ଏହି ନିର୍ବାଚନ ଆମକୁ ବିହାର ବାବଦରେ କିଛି କହିବ; ଅନ୍ୟ ପ୍ରଦେଶ ବାବଦରେ ନୁହେଁ।
ଆଜିକାଲି ଏହି ବେରୋଜଗାରି ପ୍ରସଙ୍ଗଟି ସବୁ ରାଜ୍ୟ ପ୍ରତି ପ୍ରଯୁଜ୍ୟ। ବିହାର ନିର୍ବାଚନ ଫଳାଫଳ ଯାହା ବି ଆସୁ ନା କାହିଁକି, ଟେଲିଭିଜନ୍ରେ ତାହାକୁ ଦେଶର ମନ ଓ ମାନସ ରୂପରେ ଚର୍ଚ୍ଚା କରାଯିବ। କାରଣ, ଆମ ରାଜନୈତିକ ବିଶ୍ଳେଷଣର ଭାଷା ପୁରୁଣା। ବାସ୍ତବତା ବଦଳିଥିବା ସତ୍ତ୍ବେ ବିଚାର-ବିଶ୍ଳେଷଣର ଭାଷା ପୁରୁଣା ହୋଇରହିଛି। ୧୯୯୦-୨୦୧୩ ପର୍ଯ୍ୟନ୍ତ ଜାତୀୟ ରାଜନୀତିକୁ ବୁଝିବା ପାଇଁ ପ୍ରାଦେଶିକ ରାଜନୀତି ମହତ୍ତ୍ବପୂର୍ଣ୍ଣ ଥିଲା। ପ୍ରାଦେଶିକ ସ୍ତରର ନିର୍ବାଚନଗୁଡ଼ିକର ଫଳାଫଳ ଅନୁଯାୟୀ ଜାତୀୟ ରାଜନୀତି ରୂପ ନେଉଥିଲା। ୧୯୭୦ ଓ ୧୯୮୦ରେ ପ୍ରାଦେଶିକ ସ୍ତରରେ ମତଦାତା ଏ ଭଳି ମତ ଦେଉଥିଲେ, ଯେପରି ପ୍ରଧାନମନ୍ତ୍ରୀ ବାଛୁଛନ୍ତି। ୧୯୯୦-୨୦୧୩ ଲୋକସଭା ନିର୍ବାଚନରେ ଏ ଭଳି ମତ ଦେଇଥିଲେ, ଯେପରି ନିଜର ମୁଖ୍ୟମନ୍ତ୍ରୀ ବାଛୁଛନ୍ତି। ପ୍ରଫେସର୍ ପଲଶୀକର ଓ ମୁଁ ଏହାକୁ ନାମ ଦେଇ କହିଥିଲୁ- ରାଜନୀତି ରଣକ୍ଷେତ୍ରରେ ରାଜ୍ୟଗୁଡ଼ିକର ଅଭ୍ୟୁଦୟ।
୨୦୧୪ ସହ ସବୁ କିଛି ବଦଳିଗଲା। ଏହା ପରଠାରୁ ଜାତୀୟ ସ୍ତରରେ କ’ଣ ଘଟିବ, ତାହାର ସୂଚନା ପ୍ରାଦେଶିକ ସ୍ତରର ନିର୍ବାଚନଗୁଡ଼ିକରୁ ଜଣାପଡ଼ୁନାହିଁ। ଆମେ ଏବେ ଏମିତି ଏକ ଯୁଗରେ ଅଛୁ, ଯେଉଁଠି ଗୋଟିଏ ଦିନରେ ଦୁଇ ପ୍ରକାରର ନିର୍ବାଚନ ଅନୁଷ୍ଠିତ ହେଉଥିଲେ ସୁଦ୍ଧା, ଏକା ମତଦାତା ଭିନ୍ନ ଭିନ୍ନ ପ୍ରକାରେ ମତ ଦେଉଛି। ଦୃଷ୍ଟାନ୍ତ- ୨୦୧୯ରେ ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ। ଗୋଟିଏ ଦିନରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବ˚ ମତଦାତା ଲୋକସଭା ନିମନ୍ତେ ଭାଜପାକୁ ବାଛିଥିବା ବେଳେ ବିଧାନସଭା ପାଇଁ ବିଜେଡିକୁ ବାଛିଥିଲେ। ଆଉ ଏକ ଦୃଷ୍ଟାନ୍ତ- ଲୋକସଭା ନିର୍ବାଚନ ବେଳେ ଦିଲ୍ଲୀର ମତଦାତା ଆମ ଆଦମୀ ପାର୍ଟିକୁ ସ˚ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ ହେଁ କିଛି ମାସ ପରେ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ବିହାରରେ ମଧ୍ୟ ଏହା ଘଟିପାରେ। ଯଦି ଭାଜପା ଭଲ କରେ, ତାହାର ଶ୍ରେୟ ପାଇବେ ପ୍ରଧାନମନ୍ତ୍ରୀ ମୋଦୀ। ତାଙ୍କର କୋଭିଡ୍-୧୯ ମହାମାରୀ ପରିଚାଳନା ଓ ଅର୍ଥନୈତିକ ସ˚ସ୍କାର, ଚାଇନା ନୀତି ଆଦିକୁ ମତଦାତା ଠିକ୍ ବୁଝିପାରିଛନ୍ତି ବୋଲି ଜାଣିବା। ତେବେ, ଯଦି ବିପରୀତ ଘଟେ! ଏହି ନିର୍ବାଚନ ପ୍ରାଦେଶିକ ସ୍ତରରେ ବିହାରୀ ମତଦାତାଙ୍କ ମନ-ମାନସ ବାବଦରେ ଅନେକ କିଛି ବୟାନ କରିବ। ତେବେ, ସେମାନଙ୍କ ଜାତୀୟ ପସନ୍ଦ ବାବଦରେ ଏହା କିଛି ବୟାନ କରି ନ ପାରେ, ଯାହା ପ୍ରକୃତରେ ମହତ୍ତ୍ବ ରଖେ।
ଏହା ଅତି ଯନ୍ତ୍ରଣାଦାୟକ ଯେ, ରାଜ୍ୟ ସ୍ତରରେ ହେଉ ବା ରାଷ୍ଟ୍ର ସ୍ତରରେ, ଆମ ରାଜନୈତିକ ଜୀବନରେ ନିର୍ବାଚନ ଆଉ ମହତ୍ତ୍ବପୂର୍ଣ୍ଣ ଭୂମିକାରେ ନାହିଁ। ଆମ ଦେଶରେ ଅନୁଷ୍ଠାନଗୁଡ଼ିକ ଦୁର୍ବଳ। ତେଣୁ, ନିର୍ବାଚନ ଲୋକଙ୍କୁ କ୍ଷମତା ସହ ସ˚ଯୁକ୍ତ କରିବାରେ ଏକ ମାତ୍ର ସେତୁ। ଏହି ଦୃଷ୍ଟିରୁ ନିର୍ବାଚନ ଆମ ଗଣତନ୍ତ୍ର ପାଇଁ ସବୁଠାରୁ ଅଧିକ ଗୁରୁତ୍ବ ବହନ କରିବା କଥା। ଏହା ଅଳ୍ପ କିଛି କାଳ ପାଇଁ ହେଉ ପଛକେ ଆମ ମତଦାତାଙ୍କୁ ସାର୍ବଭୌମ ସାବ୍ୟସ୍ତ କରିବାର ଅଧିକାର ଦିଏ। ୧୯୭୭, ୧୯୮୦ ଏବ˚ ୧୯୮୪ର ନାଟକୀୟ ନିର୍ବାଚନଗୁଡ଼ିକୁ ମନେ ପକାନ୍ତୁ। ୧୯୯୦ କଥା ମଧ୍ୟ ମନେ ପକାନ୍ତୁ, ଯେତେବେଳେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା ଏବ˚ ପ୍ରାଦେଶିକ ଓ ଜାତୀୟ ସରକାର ନିୟମିତ କ୍ଷମତା ହରାଉଥିଲେ। ନିର୍ବାଚନ କେବଳ ନେତା ବା ଦଳ ବା ସରକାରର ଭାଗ୍ୟ ନିର୍ଦ୍ଧାରଣ କରେନାହିଁ; ଏହା ମଧ୍ୟ ସାମାଜିକ ପଦାନୁକ୍ରମ ଓ ସ୍ଥାନୀୟ ସ˚ପର୍କର ସ୍ବରୂପ ନିର୍ଦ୍ଧାରଣ କରିଥାଏ। ନିର୍ବାଚନ କୌଣସି ମହୋତ୍ସବଠାରୁ କମ୍ ନୁହେଁ। ତେଣୁ, ଭୋଟ୍ ଗଣତି ଦିନ ଲୋକେ ଟେଲିଭିଜନ୍ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ବସିରହନ୍ତି।
୨୦୦୪ ପରେ ପରିବର୍ତ୍ତନ ଆସିଥିଲା। ଏହା ପ୍ରାର୍ଥୀ ଓ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହେଲା ଏବ˚ ମତଦାତାଙ୍କ ପାଇଁ ଗୌଣ। ଏହା ଟଙ୍କା, ଗଣମାଧ୍ୟମ ଓ ପରିଚାଳନାର ଖେଳ ପାଲଟିଲା। ଗଣ ସହ ଏହାର ବିଶେଷ ସ˚ପର୍କ ରହିଲାନାହିଁ। ଏବେ ନିର୍ବାଚନ ସହ ଲୋକଙ୍କର ସ˚ପର୍କ ମୁଖ୍ୟ ନେତାଙ୍କ ଉପରେ ନିର୍ଭରଶୀଳ। ୨୦୧୪ ପରେ ଏହା ଅଧିକ ଘନୀଭୂତ ହୋଇଛି। ଯେକୌଣସି ପ୍ରକାରେ ନିର୍ବାଚନରେ ବିଜୟ ଉପରେ ଭାଜପା କ୍ରମଶଃ ଅଧିକରୁ ଅଧିକ ଗୁରୁତ୍ବ ଦେଇଚାଲିଛି। ନିର୍ବାଚନ ଏବେ କେବଳ ଏକ ଯୋଜନାବଦ୍ଧ ପରିଚାଳନା ପାଲଟିଛି। ଲୋକଙ୍କ ପ୍ରବୃତ୍ତି ଓ ଜନମତ ସହ ଏହାର ବିଶେଷ ସ˚ପର୍କ ନାହିଁ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏବେ ନିର୍ବାଚନ ଆଉ ବିରୋଧର ମାଧ୍ୟମ ହୋଇରହିନାହିଁ। ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କ ସ୍ବେଚ୍ଛାଚାରିତା ବିରୋଧରେ ଗୁଜରାଟ ଓ ବିହାରରେ ବିରୋଧ ହୋଇଥିଲା। ଏବେ ଭାଜପାର ନିରଙ୍କୁଶ କାର୍ଯ୍ୟକଳାପର ନିର୍ବାଚନୀ ବିରୋଧ ଦୃଷ୍ଟିଗୋଚର ହେଉନାହିଁ। ତେଣୁ, ଆମକୁ ରାଜ-ରାସ୍ତାକୁ ବାହାରିବାକୁ ହେବ ଏବ˚ ପ୍ରତିବାଦ କରିବାକୁ ହେବ। ଏ ଥର ଏହା ବିହାରରୁ ଆରମ୍ଭ ହେବାର ସ˚ଭାବନା ନାହିଁ।
ବିହାରର ବିଧାନସଭା ନିର୍ବାଚନ କେବେ ଭାରତୀୟ ଲୋକତନ୍ତ୍ର ପାଇଁ ଦିଗ ସୂଚକ ହେଉଥିଲା। ଏହା ବଞ୍ଚିତ ଜନତାର ଲୋକତାନ୍ତ୍ରିକ ଅଭ୍ୟୁଦୟକୁ ସୂଚାଉଥିଲା। ଆଉ ଏବର ନିର୍ବାଚନ କେବଳ- ‘କିଏ ହେବ ମୁଖ୍ୟମନ୍ତ୍ରୀ?’ ମଧ୍ୟରେ ସୀମିତ। ଯଦି କେବଳ ଏହି ଗୋଟିଏ ପ୍ରଶ୍ନରେ ଅଟକି ରହିନାହାନ୍ତି, ଦଶ ନଭେମ୍ବର୍ ଅପରାହ୍ଣ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ମୁଁ ବି ଅପେକ୍ଷା କରିଛି।