ରାଜ୍ୟ ଉପଯୋଗୀ ବିକାଶ

ସୁଧାଂଶୁ ରଞ୍ଜନ ଦାସ

ଆଜି ସମଗ୍ର ଦେଶରେ ବଡ଼ ବଡ଼ ପୋଲ, ଫ୍ଲାଇଓଭର, ସପିଂ ମଲ୍‌, ମେଟ୍ରୋ ରେଳ ଓ ହୋଟେଲ ଆଦିକୁ ବିକାଶର ମାନଦଣ୍ଡ ବୋଲି କୁହାଯାଉଛି। ବିଶ୍ୱ ବ୍ୟାପାର ସହିତ ସଂଯୁକ୍ତ ଥିବା ସାମାନ୍ୟ କେତେକ ଅର୍ଥନୈତିକ ଗତିବିଧି ଯଥା ସୂଚନା ପ୍ରଯୁକ୍ତି, ସେବା ଓ ଗୃହ ନିର୍ମାଣ ଆଦି କ୍ଷେତ୍ର ଉପରେ ବେଶୀ ଧ୍ୟାନ ଦିଆଯାଉଥିବାରୁ ଏହା ଭାରତର ଅର୍ଥନୈତିକ ବିଭିନ୍ନତାକୁ ନଷ୍ଟ କରିବାକୁ ବସିଲାଣି। ଫଳରେ ବେରୋଜଗାରି, ପାରିବାରିକ ଅଶାନ୍ତି, ହିଂସା, ଠକେଇ ଏବଂ ଅନ୍ୟାନ୍ୟ ଅପରାଧ ଘଟୁଛି। ଏହି ବିକାଶମୂଳକ କାମ ଉପରକୁ ଜନ ଉପଯୋଗୀ ଦେଖାଗଲେ ମଧ୍ୟ ମୁଷ୍ଟିମେୟ ବିଶ୍ୱ ବେପାରୀ, ବଡ଼ ବଡ଼ ଠିକାଦାର, ଦଲାଲ, ବିଳାସ ସାମଗ୍ରୀର ବିକ୍ରେତା, ଖଣି ମାଲିକ ଓ ଗୃହ ନିର୍ମାଣକାରୀମାନଙ୍କ ପାଇଁ ହିଁ ଲାଭପ୍ରଦ ହୋଇଥାଏ। ଏଭଳି ଆଭିମୁଖ୍ୟ ଦ୍ବାରା ସର୍ବାଙ୍ଗୀନ ବିକାଶ ସମ୍ଭବ ହେଉନାହିଁ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା କଥା ଚିନ୍ତା କଲେ ବୁଝି ହୁଏ ଯେ ଆମ ରାଜ୍ୟ ପାଇଁ ଦରକାର ଏକ ସୁପରିକଳ୍ପିତ ରାଜ୍ୟ ଉପଯୋଗୀ ଯୋଜନା, ଯାହା ରାଜ୍ୟର ଅଧିକାଂଶ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇବା ସହିତ ଓଡ଼ିଶାବାସୀଙ୍କୁ କର୍ମଠ ଓ ଦକ୍ଷ କରିବ। ଏହା ଓଡ଼ିଶାକୁ ଅଧିକ ସମୃଦ୍ଧ କରିବ।

ଯେଉଁମାନେ ଚାଷ ଉପରେ ଲକ୍ଷ୍ୟ ରଖିଛନ୍ତି ସେମାନେ ଜାଣନ୍ତି ଯେ ଆମ ରାଜ୍ୟ ତାହାର ଫସଲର ବିଭିନ୍ନତାକୁ ନଷ୍ଟ କରି ଦେଇଛି। ତେବେ କେବଳ ବଡ଼ ବଡ଼ ସହରଗୁଡ଼ିକ ଆଖପାଖରେ ଥିବା ଗାଁ ଗୁଡ଼ିକର ଚାଷୀମାନେ ଭିନ୍ନ ଭିନ୍ନ ପ୍ରକାର ଫସଲ ଚାଷ କରୁଛନ୍ତି। ସହର ପାଖରେ ରହୁଥିବାରୁ ସେମାନଙ୍କ ଲାଗି ନିଜ କୃଷିଜକୁ ବିକ୍ରି କରିବା ସୁବିଧାଜନକ ହୋଇଥାଏ। କିନ୍ତୁ ଯାହା ଦେଖିବାକୁ ମିଳୁଛି ତାହା ହେଲା ରାଜ୍ୟର ଚାଷୀମା‌େନ ପ୍ରମୁଖତଃ କେବଳ ଧାନ ଚାଷ ହିଁ କରୁଛନ୍ତି। ତେଣୁ ଅନ୍ୟାନ୍ୟ ଅର୍ଥକରୀ ଫସଲର ଆର୍ଥିକ ଲାଭ ଉଠା‌ଇବାରେ ଆମ ଚାଷୀମାନେ ଅସମର୍ଥ ହେଉଛନ୍ତି, ଯାହା ସେମାନଙ୍କ ବିକାଶରେ ବାଧକ ହୋଇଛି। ମହାରାଷ୍ଟ୍ରର ବିଦର୍ଭ କ୍ଷେତ୍ରରେ ଆଜି ଦେଶର ସବୁଠାରୁ ବେଶୀ ଚାଷୀ ଆତ୍ମହତ୍ୟା କରିଥାନ୍ତି। ତୁଳା ଚାଷରୁ ଅଧିକ ଲାଭ କରିବା ପାଇଁ ଚାଷୀମାନଙ୍କୁ ଲୋଭ ଦେଖାଇ ମଞ୍ଜି କମ୍ପାନିମାନେ ବିଟି ତୁଳା ମଞ୍ଜି ବିକ୍ରି କରିଥିଲେ। ଚାଷୀମାନେ ପ୍ରଥମ ଚାରି ପାଞ୍ଚ ବର୍ଷରେ ଅଧିକ ଲାଭ କରି ସମୁଦାୟ ଚାଷ ଜମିର ୭୦ ଭାଗରେ କେବଳ ତୁଳା ଚାଷ କଲେ। ଯେତେବେଳେ ଆନ୍ତର୍ଜାତିକ ବଜାରରେ ତୁଳାର ଦାମ୍‌ କମିଗଲା, ଚାଷୀମାନଙ୍କୁ ପ୍ରବଳ କ୍ଷତି ସହିବାକୁ ପଡ଼ିଲା। ତୁଳା ଚାଷ କରି ଫସଲର ବିଭିନ୍ନତାକୁ ନଷ୍ଟ କରିଦେଇଥିବାରୁ ଅନ୍ୟାନ୍ୟ ଫସଲରୁ ଚାଷୀମାନେ ଆଉ ଲାଭବାନ ହୋଇପାରିନଥିଲେ। ତେଣୁ ଆର୍ଥିକ ବିକାଶ ଲାଗି ଯଦି କୃଷିକୁ ଏକ ସମର୍ଥ ମାଧ୍ୟମ ଭାବେ ବ୍ୟବହାର କରାଯିବା ଉଚିତ ବୋଲି ମନେ କରାଯାଉଥାଏ, ତେବେ ଚାଷରେ ବିଭିନ୍ନତା ରକ୍ଷା ଗୁରୁତ୍ବ ପାଇବା ଆବଶ୍ୟକ।

ସୁଖର ବିଷୟ ଏବେ ବି ଓଡ଼ିଶାରେ ଫସଲର ବିଭିନ୍ନତା ବଞ୍ଚି ରହିଛି ଯାହାକୁ ପାଥେୟ କରି ଓଡ଼ିଶା ଲାଭବାନ ହୋଇପାରିବ। ପାଟକପୁରା ଓ ଚମ୍ପା ଭଳି କଦଳୀ, ପୋଟଳ, କୁନ୍ଦୁରି, ବାଇଗଣ ଓ ସଜନା ଛୁଇଁ ଭଳି ପରିବା, ପିଜୁଳି, ଆତ, ଜାମୁକୋଳି, ଜାମୁରୋଳ, ତାଳସଜ ଭଳି ଫଳ, ଛତୁ, ହଳଦୀ ପତ୍ର ଭଳି ଅନେକ କୃଷିଜାତ ଦ୍ରବ୍ୟର ପ୍ରବଳ ଚାହିଦା ଅନ୍ୟାନ୍ୟ ରାଜ୍ୟରେ ଅଛି। ମହାରାଷ୍ଟ୍ରର ଭୁସାବଳ କଦଳୀ ପ୍ରସିଦ୍ଧ। ଭାରତୀୟ ରେଳ ତରଫରୁ ଭୁସାବଳକୁ ପ୍ରତିଦିନ ଚାରିଟି ରେଳ ୱାଗନରେ କଦଳୀ ମୁମ୍ବାଇ ଓ ପୁନେ ସହରକୁ ନିଆଯାଇଥାଏ। କିନ୍ତୁ ଓଡ଼ିଶାରେ ଏତେ ବଢ଼ିଆ କଦଳୀ ପ୍ରଜାତି ଥିବା ବେଳେ ତାକୁ ପରିଚିତି ପ୍ରଦାନ କରାଯାଇପାରିନାହିଁ କି ତାକୁ ବାହାରକୁ ଯୋଗାଣ କରିବା ଲକ୍ଷ୍ୟରେ ଚାଷବାସ କରାଯାଉନାହିଁ। ସେଥିଲାଗି ଆବଶ୍ୟକ ଥିବା ପଦକ୍ଷେପ ଯଦି ସରକାର ନିଅନ୍ତି, ତେବେ ରାଜ୍ୟ ନିଶ୍ଚିତ ତହିଁରୁ ଲାଭବାନ ହେବ।

ଆଜି ଲକ୍ଷ ଲକ୍ଷ ଓଡ଼ିଆ ପେଟ ପୋଷିବା ଲାଗି ପଂଜାବ, କେରଳ, କର୍ଣ୍ଣାଟକ ଓ ଗୁଜରାଟ ଆଦି ରାଜ୍ୟକୁ ଚାଲି ଯାଉଛନ୍ତି। ଏହାର କାରଣ ଆମ ରାଜ୍ୟର ଯୁବକମାନେ ନା ଚାଷ ଜମି ନା ଉଦ୍ୟୋଗ କେଉଁଥିରୁ ହେଲେ ଅଧିକ ଉପାର୍ଜନ କରିପାରୁ ନାହାନ୍ତି। କୃଷି ଉତ୍ପାଦନ ଭଳି ଦ୍ରବ୍ୟ ଉତ୍ପାଦନରେ ମଧ୍ୟ ରୋଜଗାରର ସମ୍ଭାବନା ଅଧିକ। ଆମ ରାଜ୍ୟର ଅନେକ ଶିକ୍ଷିତ ଯୁବକ ସିକ୍ୟୁରିଟି ଗାର୍ଡ ଭଳି ଏକ ଅଣ-ଉତ୍ପାଦନଶୀଳ କାର୍ଯ୍ୟରେ ନିୟୋଜିତ ରହିବା ଦୁର୍ଭାଗ୍ୟଜନକ। ଯଦି ଗୁଜରାଟର ସୂତାକଳକୁ ଆମ ଓଡ଼ିଆ ପିଲାଏ ବଞ୍ଚାଇ ରଖିଛନ୍ତି, ସେମାନେ ଓଡ଼ିଶାରେ ସୂତା କଳ ଚଳାଇ ପାରିବେ ନାହିଁ କାହିଁକି? କିନ୍ତୁ ଓଡ଼ିଶାରେ ସବୁ ସୂତା କଳ ବନ୍ଦ ହୋଇ ଯାଇଛି। ତେଣୁ କପା ଚାଷକୁ ପ୍ରୋତ୍ସାହନ ଦେଇ ସୂତା କଳ ଚଳାଇବା ଦିଗରେ ଉଦ୍ୟମ କରାଯିବା ଉଚିତ ନୁହେଁ କି?

ଓଡ଼ିଶାରେ କୃଷି, ମତ୍ସ୍ୟ ଉତ୍ପାଦନ, ପଶୁପାଳନ, ଖାଦ୍ୟ ପ୍ରକ୍ରିୟା‌କରଣ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି। ଏହି କ୍ଷେତ୍ରରେ କାମ କଲେ ତାହା ରାଜ୍ୟର ସାମୂହିକ ବିକାଶ ଲାଗି ଅନୁକୂଳ ହେବ। କିନ୍ତୁ ଏଥି ଲାଗି ଦରକାର ସୁପରିକଳ୍ପିତ ଯୋଜନା, ପ୍ରବଳ ରାଜନୈତିକ ଇଛାଶକ୍ତି ଓ ପ୍ରକୃତି ଭିତ୍ତିକ ଅର୍ଥନୀତି ଉପ‌େର ଗଭୀର ଜ୍ଞାନ। କୋଠାବାଡ଼ି ବା ପୋଲ ଆଦିର ନିର୍ମାଣ ଯେଉଁ ଅର୍ଥ କାରବାରକୁ ଜନ୍ମ ଦେଇଥାଏ, ତାହା କୌଣସି ରାଜ୍ୟର ଧାରଣକ୍ଷମ ବିକାଶରେ ସହାୟକ ହୁଏ ନାହିଁ। ସୁତରାଂ, ଧାରଣକ୍ଷମ ବିକାଶ ହିଁ ମୂୂଳମନ୍ତ୍ର ହେବା ଉଚିତ।

ମୋ- ୭୭୦୨୩୮୩୮୮୦
[email protected]

ସମ୍ବନ୍ଧିତ ଖବର