ଏ ବର୍ଷର ‘ଶାରଳା ପୁରସ୍କାର’ ପ୍ରଦାନ ଉତ୍ସବ ସରିଯାଇଛି। କିନ୍ତୁ ପୁରସ୍କାର-ଘୋଷଣା ଖବର ପରି, ସେ ଖବର ବି ଓଡ଼ିଶାର ସାହିତ୍ୟ ଜଗତରେ ପ୍ରାୟ କିଛି ଚହଳ ସୃଷ୍ଟି କରିପାରି ନାହିଁ। ଏପରି ନିସ୍ପୃହତା ଶାରଳା ପୁରସ୍କାର କ୍ଷେତ୍ରରେ କେବେ ବି ଦେଖାଯାଇ ନଥିଲା। ସପକ୍ଷ ହେଉ ବା ବିପକ୍ଷ- ମୁଦ୍ରଣ, ଦୃଶ୍ୟ-ଶ୍ରାବ୍ୟ ଓ ସାମାଜିକ ଗଣମାଧ୍ୟମରେ ଏ ପୁରସ୍କାର ବାବଦରେ ପ୍ରଚୁର ପ୍ରତିକ୍ରିୟା ପ୍ରକାଶ ପାଇ ଆସୁଥିଲା।

Advertisment

ଏହା ଥିଲା ଶାରଳା ପୁରସ୍କାରର ୪୧ତମ ସଂସ୍କରଣ। ଅର୍ଥରାଶି ଦୃଷ୍ଟିରୁ ଏହା ଓଡ଼ିଶାର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର। ୧୯୮୦ରେ ‘କୁଳବୃଦ୍ଧ’ ପାଇଁ ସୁରେନ୍ଦ୍ର ମହାନ୍ତିଙ୍କୁ ପ୍ରଥମ ଶାରଳା ପୁରସ୍କାର ପ୍ରଦାନ କରାଯିବା ବେଳେ, ଏହାର ଅର୍ଥ ଥିଲା କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରଠାରୁ ଦୁଇଗୁଣ ଅଧିକ- ଦଶହଜାର ଟଙ୍କା। ଆଜି ଏହାର ଅର୍ଥ ସେହି ପୁରସ୍କାରଠାରୁ ପାଞ୍ଚଗୁଣ ଅଧିକ- ପାଞ୍ଚଲକ୍ଷ ଟଙ୍କା। ଅବଶ୍ୟ ରାଜ୍ୟ ସରକାର ଏ ଭିତରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ର ଅର୍ଥରାଶିକୁ ପାଞ୍ଚଗୁଣ ବୃଦ୍ଧି କରି ପାଞ୍ଚଲକ୍ଷ କରିଛନ୍ତି; କିନ୍ତୁ ତାହା ଏ ଯାଏ କାର୍ଯ୍ୟକାରୀ ହୋଇନାହିଁ। କିନ୍ତୁ ଏ ବର୍ଷକୁ ମିଶାଇ ଛଅବର୍ଷ ହେଲା ଶାରଳା ପୁରସ୍କାରର ଅର୍ଥରାଶି ପାଞ୍ଚଲକ୍ଷ ହୋଇଛି।

କିଛି ବର୍ଷ ପୂର୍ବେ ଜଣେ ବିଶିଷ୍ଟ ଓଡ଼ିଆ ସମାଲୋଚକ ଆମ ସାହିତ୍ୟ ପୁରସ୍କାର ବାବଦରେ ଲେଖିଥିଲେ, “ଡିନାମାଇଟ୍‌ଠାରୁ ବି ଭୟଙ୍କର ପୁରସ୍କାରର ବିସ୍ଫୋରଣ।” ନୋବେଲ୍ ପୁରସ୍କାରର ପ୍ରତିଷ୍ଠାତା ଆଲଫ୍ରେଡ୍ ନୋବେଲ୍ ଥିଲେ ଡିନାମାଇଟ୍‌ର ଉଦ୍ଭାବକ। ତାହାକୁ ଦୃଷ୍ଟିରେ ରଖି ହିଁ ସେ ସେଇ କଥାଟି କହିଥିଲେ। କୌଣସି ଏକ ବଡ଼ ପୁରସ୍କାର ଘୋଷଣା ହେବା ପରେ ତାହାକୁ ନେଇ ହେଉଥିବା ବିବାଦ ଓ ବିତର୍କକୁ ସେ ସେଥିରେ ଇଙ୍ଗିତ କରିଥିଲେ। କିନ୍ତୁ ଅକ୍ଟୋବର ୭ରେ ଏ ବର୍ଷ ପାଇଁ ୪୧ତମ ଶାରଳା ପୁରସ୍କାର ଘୋଷିତ ହେବା ପରେ, ସେପରି କିଛି ବିସ୍ଫୋରଣ ତ ଦୂରର କଥା, ସାମାନ୍ୟତମ ଗୁଞ୍ଜରଣ ବି ଓଡ଼ିଶାର ସାହିତ୍ୟିକ ମହଲରେ ହେଲାନାହିଁ। ବରଂ ସେଦିନ, ଭୁବନେଶ୍ୱରର ଏକ ପେଟ୍ରୋଲ୍ ପମ୍ପ୍‌ରେ ଘଟିଥିବା ଭୟଙ୍କର ବିସ୍ଫୋରଣକୁ ନେଇ ଚର୍ଚ୍ଚା ଥିଲା ସରଗରମ।

ସେଦିନ ସଂଧ୍ୟାରେ ପୁରସ୍କାର ଘୋଷିତ ହେବା ପରେ, ପୁରସ୍କାର କମିଟିର ସଂଯୋଜକ ହିଁ ପ୍ରଥମେ ସେ କଥା ଗଣମାଧ୍ୟମ (ଫେସ୍‌ବୁକ୍‌)ରେ ଜଣାଇଲେ। ସ୍ୱାଭାବିକ ଭାବରେ କିଛି ‘ଲାଇକ୍‌’ ଏବଂ ଇଂ‌େରଜୀ ଓ ଓଡ଼ିଆରେ କିଛି ଅଭିନନ୍ଦନ ପୁରସ୍କୃତ କବିଙ୍କୁ ମିଳିଲା। ପୁରସ୍କାର ପାଇଥିବା ପୁସ୍ତକର ପୃଷ୍ଠ ପ୍ରଚ୍ଛଦରେ ଥିବା କବିଙ୍କ ଫଟୋଚିତ୍ରଟିକୁ ହିଁ ସଂଯୋଜକ ତାଙ୍କ ‘ପୋଷ୍ଟ’ରେ ଦେଇଥିଲେ। ପରେ ଚୂଡ଼ାନ୍ତ ଚୟନମଣ୍ଡଳୀରେ ଥିବା ଜଣେ ଗାଳ୍ପିକା ପୁରସ୍କାରପ୍ରାପ୍ତ ପୁସ୍ତକ (‘ସେତେବେଳକୁ ନଥିବି’)ରୁ ଶୀର୍ଷକ କବିତାଟିକୁ ବି ‘ପୋଷ୍ଟ’ କଲେ। କିନ୍ତୁ କବିଙ୍କର ଆଉ କିଛି ଅଲଗା ଫଟୋ, ଆଉ କିଛି କବିତା ବା ବହି କିମ୍ବା ତାଙ୍କ ସଂପର୍କରେ ଅଧିକ ବିବରଣୀ ପ୍ରାୟ କେହି ନିଜ ‘ପୋଷ୍ଟ’ରେ ଦେଲେ ନାହିଁ। ଏହାର କାରଣ ସମ୍ଭବତଃ ଏହା ଯେ ପୁରସ୍କାରପ୍ରାପ୍ତ କବିଜଣକ ଆମ ରାଜ୍ୟର ଓ ଆମ ସମୟର ହେଲେ ମଧ୍ୟ, ଆମେ ତାଙ୍କ ସଂପର୍କରେ ସେ ଯାଏ ହୁଏତ ବେଶି କିଛି ଜାଣିନଥିଲୁ ବା ତାଙ୍କ ବାବଦରେ ସେମିତି କିଛି ଖବର ରଖି ନଥିଲୁ। ଏପରିକି, ରାଜ୍ୟର ପ୍ରମୁଖ ଗଣମାଧ୍ୟମଗୁଡ଼ିକୁ ବି ହୁଏତ ସେଯାଏ କବିଙ୍କ ନାମ ବା ଠିକଣା କିଛି ଜଣା ନଥିଲା।

ଏହା ନିଶ୍ଚିତ ଭାବରେ ଏକ ବିଡ଼ମ୍ବନାର ବିଷୟ। ବିଡ଼ମ୍ବନା ଏଇଥିପାଇଁ, ଯେ ଏ ବର୍ଷର ଶାରଳା ପୁରସ୍କାରପ୍ରାପ୍ତ କବି ନିତ୍ୟାନନ୍ଦ ନାୟକଙ୍କ ପରି କେହି ଜଣେ ଯଦି ନିଭୃତରେ, ନିଷ୍ଠାପର ଭାବରେ ସାଧନାରତ ରହେ, ଅଥଚ ଆଜିର ସାମାଜିକ ଗଣମାଧ୍ୟମ ବା ସେପରି କିଛି ପ୍ରଚାର, ପ୍ରସାର ମଞ୍ଚରେ ସେ ନଥାଏ; ବା ଯଦି ସେ କୌଣସି ସାହିତ୍ୟିକ ଗୋଷ୍ଠୀର ଅନ୍ତର୍ଭୁକ୍ତ ନୁହେଁ କି କୌଣସି ପ୍ରଭାବଶାଳୀ ସାହିତ୍ୟକେନ୍ଦ୍ର ସହ ସଂପୃକ୍ତ ନୁହେଁ; ତେବେ ତାହାର ସ୍ଥାନ ଆମ ସାହିତ୍ୟିକମାନଙ୍କ ମଧ୍ୟରେ ନାହିଁ। ‘ଶାରଳା ପୁରସ୍କାର’ ପରି କୌଣସି ଏକ ପୁରସ୍କାର ହିଁ ତାଙ୍କୁ କିଛିଟା ଚର୍ଚ୍ଚାକୁ ଆଣିପାରେ। ସେଇଥିପାଇଁ ବୋଧହୁଏ, ଏହି ପୁରସ୍କାରଗ୍ରହଣ ଅବସରରେ ନିଜର ଅଭିଭାଷଣରେ କବି ନିତ୍ୟାନନ୍ଦ ନାୟକ କହିଛନ୍ତି, “ମୋ ବହି ‘ସେତେବେଳକୁ ନଥିବି’ ପାଇଁ ମୁଁ ସମ୍ବର୍ଦ୍ଧିତ ହେଉଛି ଏବଂ ମୋ ମନରେ ଗୋଟିଏ ବିଶ୍ୱାସ ଆସିଛି ଯେ ମୁଁ ନଥିବି ନୁହେଁ; ମୁଁ ଅଛି।”

ଅନେକେ ଯେ ‘ସେତେବେଳକୁ ନଥିବି’ର କବି ନିତ୍ୟାନନ୍ଦ ନାୟକଙ୍କୁ ଠିକ୍ ଭାବେ ଜାଣି ନାହାନ୍ତି, ତାହାର ଏକ ପ୍ରମାଣ ହେଉଛି, ଲେଖକ-ପରିଚୟ-ପୁସ୍ତକ ବା ସାହିତ୍ୟର କୋଷଗ୍ରନ୍ଥଗୁଡ଼ିକରେ ତାଙ୍କର ନିର୍ଭୁଲ ପରିଚୟ ନାହିଁ। ତେଣୁ ତାଙ୍କ ସଂପର୍କରେ ସଂକ୍ଷେପରେ ଏଠି ସୂଚେଇଦେବା ଆବଶ୍ୟକ ଯେ ୧୯୪୦ ମସିହା, ଅଗଷ୍ଟ ମାସ ୧୨ ତାରିଖରେ, ଭଦ୍ରକର ଚିରୋଳ, ଗୁଆଗଡ଼ିଆ ଗ୍ରାମରେ ତାଙ୍କର ଜନ୍ମ। ପିତା- ଶଶଧର ନାୟକ ଓ ମାତା- କ୍ଷୀରୋଦା ଦେବୀ। ଭଦ୍ରକ ଜିଲ୍ଲା, ବାସୁଦେବପୁରର ଅଟଳ ବିହାରୀ ହାଇସ୍କୁଲ୍ ଓ ଭଦ୍ରକ କଲେଜର ପାଠପଢ଼ା ପରେ, ସେ କଟକ ଆସି ରେଭେନ୍‌ସା କଲେଜରେ ଇଂ‌େରଜୀର ସ୍ନାତକୋତ୍ତର ଶିକ୍ଷା ଲାଭ କରନ୍ତି ଏବଂ ୧୯୬୪ରେ ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦିଅନ୍ତି। ଶେଷରେ, ୨୦୦୦ରେ ପୁଣି ସେହି କଲେଜକୁ ଆସି, ସେଠାରୁ ହିଁ ସେ ଅବସର ଗ୍ରହଣ କରନ୍ତି। ‘ବିଦୀର୍ଣ୍ଣ ମରାଳ’ (୧୯୭୬)ଠାରୁ ସଦ୍ୟ ପୁରସ୍କୃତ ‘ସେତେବେଳକୁ ନଥିବି’ (୨୦୧୭) ପର୍ଯ୍ୟନ୍ତ ନଅଟି କବିତା ପୁସ୍ତକର ସେ ରଚୟିତା। ଅନ୍ୟ ପୁସ୍ତକଗୁଡ଼ିକ ହେଉଛି, ‘ତ୍ରସ୍ତ ପଦ୍ମାସନ’ (୧୯୮୩), ‘ଭୋର ଆକାଶ’ (୧୯୮୯), ‘କନ୍ୟାକୁମାରୀ’ (୧୯୯୯), ‘ଫେରିବା ବେଳ’ (୨୦୦୪), ‘ପାନ୍ଥଶାଳା’ (୨୦୦୯), ‘କେବଳ ଅନାମିକା’ (୨୦୧୧) ଓ ‘ଯେଝା ଯେଝା ବାଟରେ’ (୨୦୧୩)। ୧୯୮୫ରେ କର୍ଣ୍ଣାଟକର ‘ଓଡ଼ିଆ ଓ କନ୍ନଡ଼ ଦ୍ୱିଭାଷିକ ସାହିତ୍ୟ ସମାରୋହ’ଠାରୁ ଆରମ୍ଭ କରି ଏ ବର୍ଷର ୪୧ତମ ‘ଶାରଳା ପୁରସ୍କାର’ ପର୍ଯ୍ୟନ୍ତ, ପ୍ରାୟ ୨୦ଟି ପୁରସ୍କାର ଓ ସମ୍ମାନ ସେ ପାଇଛନ୍ତି। ସେ ସବୁ ମଧ୍ୟରେ, ‘ଭୋର ଆକାଶ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୧), କଟକ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ (୨୦୧୩), ଉତ୍କଳ ସାହିତ୍ୟ ସମାଜର ‘ଗଙ୍ଗାଧର ମେହେର କବିତା ସମ୍ମାନ’ (୨୦୧୨), ପ୍ରଜାତନ୍ତ୍ର ପ୍ରଚାର ସମିତି, କଟକର ‘ବିଷୁବ ପୁରସ୍କାର’ (୨୦୧୩) ଓ ଗୌହାଟୀର ‘ନର୍ଥ-ଇଷ୍ଟ ବୁକ୍ ଫେୟାର ସମ୍ମାନ’ (୨୦୧୩) ଆଦି ପ୍ରମୁଖ।

କବି ଭାବରେ ନିତ୍ୟାନନ୍ଦ ନାୟକଙ୍କର ବିଶେଷତ୍ୱ ହେଉଛି, ସେ କଲେଜରେ ଇଂ‌େରଜୀ ପଢ଼ାଉଥିଲେ, ଅଥଚ ଘରକୁ ଆସି ଓଡ଼ିଆ କବିତା ଲେଖୁଥିଲେ। ଶାରଳା ପୁରସ୍କାର ପାଇବା ପରେ ଏହି ଲେଖକ ସହ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି, “ଗାଁର ପ୍ରକୃତି ମୋ’ କବି ଜୀବନର ମୂଳ ଉତ୍ସ। ପ୍ରାଇମେରି ସ୍କୁଲ୍‌ରେ ପଢ଼ିଲାବେଳେ ଗାଁ ମଝିରେ ନୀଳକଇଁ ଫୁଟିଥିବା ପୋଖରୀ ହୁଡ଼ାରେ ଘଣ୍ଟା ଘଣ୍ଟା ଧରି ବସି ରହିବା, କୋଇଲି ଗୀତ ପଛରେ ଦୌଡ଼ି ଦୌଡ଼ି ବୁଲିବା, କିଆଫୁଲ ବାସ୍ନାରେ ବିହ୍ୱଳ ହୋଇଯିବାର ଅନୁଭବ ମୋର ଏଯାବତ୍ ମନେ ଅଛି। ବାପାବୋଉଙ୍କ ପାଖରେ ସଞ୍ଜବେଳେ ବସି ରାମାୟଣ, ମହାଭାରତଠାରୁ ଆରମ୍ଭ କରି ଅନ୍ୟ ପୁରାଣ ସବୁର କାହାଣୀ ଶୁଣିବା ମୋତେ ଲେଖିବାପାଇଁ ପ୍ରେରଣା ଦେଇଥିଲା। ମୋ ବୋଉ ସୁନ୍ଦର ଭାବେ ସ୍ୱର ଧରି ‘କପଟପାଶା’ ବୋଲୁଥିଲା। ସଞ୍ଜ ହେଲେ ବାରମ୍ବାର ତାକୁ ମୁଁ ସେ ଗୀତ ବୋଲିବାପାଇଁ ଅନୁରୋଧ କରୁଥିଲି ଏବଂ ବଡ଼ ହେଲେ ସେଇମିତି ଗୀତ ଲେଖିବାପାଇଁ ବୋଉ ମୋତେ କହୁଥିବା କଥା ମୋର ମନେ ଅଛି। ହାଇସ୍କୁଲ୍ ଜୀବନ ଆରମ୍ଭରୁ ସେଇ ଗୀତ (?) ଲେଖିବା ମୁଁ ଆରମ୍ଭ କରିଦେଇଥିଲି।”

ସେଇଦିନୁ ହିଁ ସେ ସେଇ ଗୀତ ବା କବିତାରେ ରହି ଆସିଛନ୍ତି ଏବଂ ଏହି ଲେଖକକୁ କହିଛନ୍ତି, “ନିରବଚ୍ଛିନ୍ନ ଭାବେ କବିତା ଲେଖିଆସୁଚି। ପ୍ରତିମୁହୂର୍ତ୍ତରେ କବିତା ଲେଖୁଥିବାର ଅନୁଭବ ମୋର ରହିଚି। ସେଇଥିପାଇଁ ବଞ୍ଚି ରହିପାରୁଚି।” ପୁରସ୍କୃତ ପୁସ୍ତକ ‘ସେତେବେଳକୁ ନଥିବି’ର ‘ମୁଖବନ୍ଧ’ରେ ବି ସେ କହିଛନ୍ତି, “ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା, ଚିର ଆନନ୍ଦମୟୀ, ଆହ୍ଲାଦିନୀ କବିତା ସବୁବେଳେ ମୋର ପ୍ରତିଟି ନିଃଶ୍ୱାସ ପ୍ରଶ୍ୱାସରେ ଯା’ଆସ କରୁଥାଉ; ଯେମିତିକି ଶେଷନିଃଶ୍ୱାସରେ ଅଟକି ଯାଇଥିବ ଅଧାଲେଖା କବିତାଟିଏ।” ସମ୍ଭବତଃ ଏହାକୁ ହିଁ ଲକ୍ଷ୍ୟକରି ପୁରସ୍କାର ଉପଦେଷ୍ଟାମଣ୍ଡଳୀର କାର୍ଯ୍ୟକାରୀ ସଭାପତି ଡକ୍ଟର ମାଳବିକା ରାୟ କବି ଶ୍ରୀ ନାୟକଙ୍କୁ “ଜଣେ ବୟସ୍କ ଶିଶୁ” ବୋଲି କହିଛନ୍ତି। ପୁରସ୍କାର ଦୌଡ଼ରେ କେବେ ବି ନଥିବା ଏପରି ଜଣେ ନିରବଚ୍ଛିନ୍ନ ଓ ନିଷ୍ଠାପର କବିଙ୍କର ନିଷ୍କଳୁଷ କବିତା ପୁସ୍ତକ ୪୧ତମ ଶାରଳା ପୁରସ୍କାର ପାଇବା ନିଶ୍ଚିତ ଭାବରେ ଏକ ଖୁସିର କଥା।

କିନ୍ତୁ ଖେଦ କ’ଣ?

ଗୋଟିଏ ନୁହେଁ; ଅନେକ ଖେଦ ଅଛି। ଏଠି ସଂକ୍ଷେପରେ କେବଳ ଗୋଟିଏ-ଦୁଇଟିର କଥା।

ଏ ପୁରସ୍କାର ଚୟନଟି ତିନି ଥାକିଆ। ପ୍ରଥମ ପର୍ଯ୍ୟାୟରେ ‘ସୁପାରିସ ପତ୍ର’। ଏଥିରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ପକ୍ଷରୁ କେତେକ ସାହିତ୍ୟିକଙ୍କଠାରୁ ନିର୍ଦ୍ଦିଷ୍ଟ ଫର୍ଦ୍ଦରେ ସୁପାରିସ ଆହ୍ୱାନ କରାଯାଇଥାଏ। ଦ୍ୱିତୀୟ ପର୍ଯ୍ୟାୟରେ ସେମାନେ ସୁପାରିସ କରିଥିବା ପୁସ୍ତକଗୁଡ଼ିକର ତାଲିକା ‘ପୁସ୍ତକ ଚୟନ ମଣ୍ଡଳୀ’କୁ ପଠାଯାଏ। ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ‘ଉପଦେଷ୍ଟା ମଣ୍ଡଳୀ’ ପୁରସ୍କାରର ବିଚାର କରନ୍ତି।

କିନ୍ତୁ ଖେଦର ବିଷୟ ଏହି, ଯେ ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କ ନିକଟକୁ ପୁସ୍ତକ ସୁପାରିସ କରିବା ପାଇଁ ପତ୍ର ପଠାଯାଏ- ସେମାନଙ୍କ ନିମନ୍ତେ କେବଳ ଗୋଟିଏ ନିଷେଧାନୁରୋଧ ଅଛି। ସେଥିରେ କୁହାଯାଇଛି, “ସୁପାରିସକାରୀମାନଙ୍କୁ ସ୍ୱରଚିତ ପୁସ୍ତକକୁ ସୁପାରିସ ନକରିବା ଲାଗି ଅନୁରୋଧ କରୁଅଛୁ।” ଫଳରେ ସେମାନେ ନିଜର ପୁସ୍ତକ ଅବଶ୍ୟ ସୁପାରିସ କରନ୍ତି ନାହିଁ; କିନ୍ତୁ ନିଜ ପରିବାର ବା ସଂପର୍କୀୟମାନଙ୍କର ପୁସ୍ତକ ସୁପାରିସ କରିବାକୁ କୁଣ୍ଠିତ ହୋଇନଥାନ୍ତି।

ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁସାରେ, ଏ ବର୍ଷର ପୁରସ୍କାର ପାଇଁ ଏପରି କେତେକ ପୁସ୍ତକ ସୁପାରିସ ହୋଇଥିଲା। ଏହାର ଗୋଟିଏ ଦୃଷ୍ଟାନ୍ତ ହେଉଛି କବୟିତ୍ରୀ ରଂଜିତା ନାୟକଙ୍କ ପୁସ୍ତକ ‘ନିଜ ଝରକାରୁ ଆକାଶ’। ଯେଉଁ ତିନିଜଣ ଏ ପୁସ୍ତକ ପାଇଁ ସୁପାରିସ କରିଥିଲେ, ସେ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି- କବୟିତ୍ରୀଙ୍କ ସ୍ୱାମୀ ପ୍ରଭାକର ସ୍ୱାଇଁ ଓ ଦିଅର ପ୍ରସନ୍ନ କୁମାର ସ୍ୱାଇଁ। ଶାରଳା ପୁରସ୍କାର ପାଇଁ ଗୋଟିଏ ବହିର ଯୋଗ୍ୟତାର ଅବଧି ଦଶବର୍ଷ। ଏ ଦୃଷ୍ଟିରୁ ଏ ବର୍ଷ ପାଇଁ ଯୋଗ୍ୟ ପୁସ୍ତକର ଅବଧି ଥିଲା ୨୦୧୦ରୁ ୨୦୧୯। ଅଥଚ ଏହି ଦଶବର୍ଷର ଅବଧି ଭିତରେ ଏ ଦୁଇ ସୁପାରିସକାରୀଙ୍କୁ ଶାରଳା ପୁରସ୍କାରପାଇଁ ଯୋଗ୍ୟତମ ବହି ଭାବରେ ଦିଶିଲା କେବଳ ‘ନିଜ-ଝରକା’ଟି। ଦୁହେଁ ଯଥାକ୍ରମେ ନିଜ ସ୍ତ୍ରୀ ଓ ନିଜ ଭାଉଜଙ୍କ ବହିଟିକୁ ହିଁ ପୁରସ୍କାରପାଇଁ ସୁପାରିସ କଲେ। ଏହି ପୁସ୍ତକକୁ ସୁପାରିସ କରିଥିବା ତୃତୀୟ ବ୍ୟକ୍ତି ହେଉଛନ୍ତି ‘ସାରଳା ସାହିତ୍ୟ ସଂସଦ’ର ପ୍ରତିଷ୍ଠା ଓ ତାହାର ପ୍ରତିଷ୍ଠାତା ପ୍ରଭାକର ସ୍ୱାଇଁଙ୍କ ସହ ଆରମ୍ଭ ଦିନରୁ ଘନିଷ୍ଠ ଭାବରେ ଜଡ଼ିତ କବିବର ପରିଡ଼ା।

‘ନିଜ-ଝରକା’ର ଏମିତି ଆଉ ଏକ ‘ଆକାଶ’ ହେଉଛି, ଅନୀଲ କୁମାର ପାଢ଼ୀଙ୍କ ‘ଅନ୍ଧାର ଯେତିକି’। ସୂଚନା ଅନୁସାରେ, ଏ ବହିଟିକୁ ସୁପାରିସ କରିଥିବା ବ୍ୟକ୍ତି ଆଉ କେହି ନୁହନ୍ତି, ଶ୍ରୀ ପାଢ଼ୀଙ୍କ ଲେଖିକା ପତ୍ନୀ ମମତାମୟୀ ଚୌଧୁରୀ। ଅର୍ଥାତ୍‌, ୨୦୧୦ରୁ ୨୦୧୯ ମଧ୍ୟରେ ଶାରଳା ପୁରସ୍କାର ପାଇଁ ନିଜ ସ୍ୱାମୀଙ୍କ ବହିଟି ହିଁ ତାଙ୍କୁ ସବୁଠୁ ଶ୍ରେଷ୍ଠ ମନେ ହୋଇଛି।

ଏ ଧାରା କିନ୍ତୁ ଆରମ୍ଭରୁ ନଥିଲା। ଏହାର ପ୍ରମାଣ ହେଉଛି, ଶାରଳା ପୁରସ୍କାରର ‘ପ୍ରଥମ ସାରସ୍ୱତ ଉତ୍ସବ-୧୯୭୯’ର ସ୍ମାରକୀ ପୁସ୍ତିକା। ସେତେବେଳେ ଏ ପୁରସ୍କାରର ସଂପାଦକ ଥିଲେ ନିତ୍ୟାନନ୍ଦ ଶତପଥୀ। ସେ ଯେଉଁ ‘ସଂପାଦକଙ୍କ ବିବରଣୀ’ ରାଜ୍ୟର ସାହିତ୍ୟାନୁରାଗୀଙ୍କ ଅବଗତି ପାଇଁ ଦେଉଥିଲେ, ଏବେ ସେ ଧାରା ଆଉ ନାହିଁ। ଅଧିକରୁ ଅଧିକ ତଥ୍ୟ ଗୋପନ ହିଁ ରଖାଯାଉଛି। ପ୍ରଥମବର୍ଷର ପୁରସ୍କାର ସଂପର୍କରେ ସେ ସେଥିରେ ଲେଖିଥିଲେ, “ପ୍ରଥମ ପର୍ଯ୍ୟାୟର ବିଚାରକମଣ୍ଡଳୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣଙ୍କ ସୁପାରିସକ୍ରମେ ସର୍ବମୋଟ ୧୯ଟି ପୁସ୍ତକର ତାଲିକା ଦ୍ୱିତୀୟ ପର୍ଯ୍ୟାୟର ଦଶଜଣ ବିଚାରକଙ୍କ ବିଜ୍ଞ ସୁପାରିସ ନିମନ୍ତେ ପଠାଯାଇଥିଲା। ଏହି ପର୍ଯ୍ୟାୟର ବିଚାରକମଣ୍ଡଳୀଙ୍କର ନିଜସ୍ୱ ବା କୌଣସି ସଂପର୍କୀୟଙ୍କ ପୁସ୍ତକ ଏହି ୧୫ଟି ପୁସ୍ତକ ମଧ୍ୟରେ ଅନ୍ତର୍ଭୁକ୍ତ ନଥିଲା।” କିନ୍ତୁ ଏ ଧାରାକୁ ଯେ ଆଜିର ଉପଦେଷ୍ଟାମଣ୍ଡଳୀ ଚୟନ ନିୟମରୁ ବାଦ୍ ଦେଇଛନ୍ତି, ଏହା ହିଁ ଖେଦର ବିଷୟ।

ଏ ଖେଦ ଶାରଳା ପୁରସ୍କାର କର୍ତ୍ତୃପକ୍ଷ ଦୂର କରିବା ଆବଶ୍ୟକ। ତା’ ନହେଲେ ‘ନିଜ ଝରକାରୁ ଆକାଶ’ ହିଁ ଅଧିକରୁ ଅଧିକ ଦେଖାଯିବ ଏବଂ ‘ଯେତିକି ଅନ୍ଧାର’ ଅଛି, ତାହା ଆହୁରି ଗାଢ଼ ହେବ।

ମୋ: ୯୪୩୭୦ ୩୪୮୦୪
[email protected]