କାଲାଲୋକ ଓ ରୁଗ୍‌ଣ ପଡ଼ୋଶୀ

ସମାଜ ଆଲୋଚନା - ସହଦେବ ସାହୁ

ତ୍ରୟୋଦଶ ଶତାବ୍ଦୀର ପାରସ୍ୟ କବି ଓ ଦାର୍ଶନିକ ରୁମିଙ୍କର ଗୋଟିଏ ଗପ ଅଛି, ‘କାଲାଲୋକ ଓ ରୁଗ୍‌ଣ ପଡ଼ୋଶୀ’। ସ˚କ୍ଷେପରେ ଗପଟି ଏହିପରି: ଜଣେ କାଲା ଲୋକ ଥିଲା ଏବ˚ ସେ ନିଜେ କାଲା ବୋଲି କାହାକୁ ଜଣାଇବାକୁ ଚାହୁଁ ନ ଥିଲା। ତା’ର ପଡ଼ୋଶୀ ବ୍ୟାଧିଗ୍ରସ୍ତ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ସୌଜନ୍ୟ ଦୃଷ୍ଟିରୁ କାଲା ଲୋକ ପଡ଼ୋଶୀଙ୍କୁ ଦେଖା କରିବାକୁ ଗଲା। ସେ ଜାଣେ ତା’ର ଶ୍ରବଣ ଶକ୍ତି ବହୁତ ଦୁର୍ବଳ ଏବ˚ ତାହା ଯେମିତି କେହି ଜାଣିପାରିବେ ନାହିଁ। ସେ ଚିନ୍ତା କରି ଯାଇଥିଲା ସେ କ’ଣ ପ୍ରଶ୍ନ କରିବ ଏବ˚ ପଡ଼ୋଶୀ ସେହି ପ୍ରଶ୍ନର କି ଉତ୍ତର ଦେବ ଏବ˚ ତା’ପରେ ସେ କ’ଣ ପଚାରିବ।

କାଲା ଲୋକଟି ପଚାରିଲା, ଆପଣ କିପରି ଅଛନ୍ତି। ସେ ଭାବିଥିଲା, ତା’ର ପଡ଼ୋଶୀ ଉତ୍ତର ଦେବ, ଭଲ ଅଛି। କିନ୍ତୁ ପଡ଼ୋଶୀ ଉତ୍ତର ଦେଲା, ମୁଁ ମରିଯିବି। କାଲା ଲୋକ ଶୁଣିପାରିନଥିଲା ଏବ˚ ସେ ସ˚ଭାବ୍ୟ ଉତ୍ତର ଦେଇଛି ଭାବି କହିଲା, ଭଗବାନଙ୍କୁ ଅଜସ୍ର କୃତଜ୍ଞତା ଏବ˚ ଦ୍ବିତୀୟ ପ୍ରଶ୍ନ ପଚାରିଲା, ଆଜି କ’ଣ ଖାଇଥିଲେ?

ରୋଗୀଟି ପଡ଼ୋଶୀ କାଲା ଲୋକର ମନ୍ତବ୍ୟରେ ଚିଡ଼ିଯାଇଥିଲା। ସେ କହିଲା, ବିଷ। କିନ୍ତୁ କାଲା ଲୋକଟି ଭାବିଥିଲା ସେ ଉତ୍ତର ଦେଇଥିବ, ପରିବା ସୁପ୍‌ ଓ ଥଣ୍ତା ସରବତ୍‌। ତେଣୁ ସେ କହିଲା, ଆଶା କରୁଛି ତୁମେ ଖାଦ୍ୟକୁ ଉପଭୋଗ କରୁଛ। ସେ ତା’ର ତୃତୀୟ ପଶ୍ନ ପଚାରିଲା, କୋଉ ଡାକ୍ତରଙ୍କୁ ପରାମର୍ଶ କରୁଛ?

ଏଥର ପଡ଼ୋଶୀ ଖୁବ୍‌ ରାଗିଯାଇଥିଲା ଏବ˚ କହିଲା, ଯମ, ମୃତ୍ୟୁର ଈଶ୍ବର। କିନ୍ତୁ କାଲା ଲୋକଟି ଭାବିଥିଲା, ସେ ତାଙ୍କ ବସ୍ତିରେ ରହୁଥିବା ଡାକ୍ତରଙ୍କ ନାମ କହିଥିବ। ସେ କହିଲା ଈଶ୍ବରଙ୍କର ଅସୀମ କରୁଣା। ତାଙ୍କର ଉପସ୍ଥିତି ସବୁ ସମୟରେ ଏକ ଭଲ ଖବର। ସେ ଯାହା ପାଖକୁ ଯାଆନ୍ତି, ତାଙ୍କର ସମସ୍ତ ଯନ୍ତ୍ରଣାରୁ ମୁକ୍ତ କରିଦିଅନ୍ତି।

ଏବେ ଟ୍ବିଟର, ଫେସ୍‌ବୁକ୍‌, ହ୍ବାଟ୍‌ସ୍‌ଆପ୍‌ ଆଦି ଶକ୍ତିଶାଳୀ ସାମାଜିକ ଗଣମାଧୢମ ହୋଇଯାଇଛି। ଖବରକାଗଜ, ଟିଭିରୁ ସମ୍ବାଦ ଜାଣିବା ପୂର୍ବରୁ ଜଣେ ଏହି ସବୁ ସାମାଜିକ ଗଣମାଧୢମରୁ ଆଗ ଖବର ପାଇଯାଉଛି ଏବ˚ ଅନ୍ୟମାନଙ୍କର ମତାମତ ଜାଣିବା ସହିତ ନିଜର ମତାମତ ମଧୢ ଦେଇପାରୁଛି। ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଥିବା ବ୍ୟକ୍ତି ଫେସ୍‌ବୁକ୍‌ ଏବ˚ ଏକାଧିକ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌ର ସଦସ୍ୟ। କିନ୍ତୁ ଅଧିକା˚ଶ କ୍ଷେତ୍ରରେ ଦେଶବିଦେଶରେ ସାମ୍ପ୍ରତିକ ଘଟଣା ଉପରେ ମତାମତ ଯୁକ୍ତିତର୍କ ରୁମିଙ୍କର କାଲାଲୋକ ଓ ରୁଗ୍‌ଣ ପଡ଼ୋଶୀ ପରି ହେଉଛି।

କିଛିଦିନ ତଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କର ମୋଟର ସାଇକେଲ ଚଢ଼ିବା ଏବ˚ ବିଗତ ଛଅବର୍ଷର ସୁପ୍ରିମକୋର୍ଟର କାର୍ଯ୍ୟକଳାପକୁ ନେଇ ପ୍ରଶାନ୍ତ ଭୂଷଣ ଟ୍ବିଟରରେ ଟିପ୍ପଣୀ ଦେଇଥିଲେ। ସେହି ଟ୍ବିଟରର ଟିପ୍ପଣୀ ପାଇଁ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ନ୍ୟାୟାଳୟ ଅବମାନନା କେସ୍‌ ରୁଜୁ କରି ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ। ଏହି ଘଟଣା ଜାତୀୟ ସ୍ତରର ଖବରକାଗଜ ଓ ଟିଭିରେ ଚର୍ଚ୍ଚିତ ହୋଇପଡ଼ିଥିଲା। ଗୋଟିଏ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଜଣେ ବ୍ୟକ୍ତି, ଯିଏ ଜଣେ ଅବସରପ୍ରାପ୍ତ ପ୍ରାଧୢାପକ, ମନ୍ତବ୍ୟ ଦେଲେ, ଏବେ ପ୍ରଶାନ୍ତ ଭୂଷଣ ପାନେ ପାଇବ, ସେ ବଢ଼ି ବଢ଼ି ଯାଉଛି, ସୁପ୍ରିମକୋର୍ଟ ତାକୁ ‘ସାଇଜ୍‌’ କରିଦେବ।

ଅନ୍ୟ ଜଣେ ସଦସ୍ୟ ପ୍ରଶ୍ନ କଲେ, ମୁଖ୍ୟ ପ୍ରସଙ୍ଗ ହେଲା, ସୁପ୍ରିମକୋର୍ଟର ଜଜ୍‌ଙ୍କୁ ବା ସୁପ୍ରିମକୋର୍ଟର କାର୍ଯ୍ୟକଳାପ ଉପରେ ମନ୍ତବ୍ୟ ଦେବା ସମାଲୋଚନା ପର୍ଯ୍ୟାୟଭୁକ୍ତ ହେବ ନା ଏହା ନ୍ୟାୟାଳୟର ଅବମାନନା ଗଣାଯିବ? ସେହି ବ୍ୟକ୍ତି ପ୍ରତ୍ୟୁତ୍ତର ରଖିଲେ, ଏମାନେ ନିଜକୁ କ’ଣ ଭାବୁଛନ୍ତି? ଲିନ୍‌ଚିଂ ବା ଭିଡ଼ହତ୍ୟା ହେଲାବେଳକୁ ଏମାନେ ଆଵାର୍ଡ ଵାପସି ବା ପୁରସ୍କାର ଫେରସ୍ତ କଲେ, କେବେ ଏମାନେ କୌଣସି ହିନ୍ଦୁଙ୍କ ପାଇଁ ସ୍ବର ଉଠେଇଛନ୍ତି? ତା’ପରକୁ ଚାଲିଲା ଏମିତି ଯୁକ୍ତି, ପ୍ରସଙ୍ଗ କ’ଣ, ଏମାନେ କହି ଚାଲିଲେ ପ୍ରଶାନ୍ତ ଭୂଷଣଙ୍କ ଠାରୁ ଆଵାର୍ଡ ଵାପସି, ତା’ପରେ କଥା ଗଡ଼ିଲା ଅନ୍ୟ କୁଆଡ଼େ।

ଫେସ୍‌ବୁକ୍‌ କିମ୍ବା ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ ନିଜର ମତାମତ ରଖିବାକୁ ଜଣଙ୍କର ସମ୍ପୂର୍ଣ୍ଣ ସ୍ବାଧୀନତା ରହିଛି, ଏଥିରେ କେହି ସମ୍ପାଦକ କିମ୍ବା ଚୟନକର୍ତ୍ତା ନାହାନ୍ତି। ନିଜର ବକ୍ତବ୍ୟ ବା ମତାମତ ଦେବା ପାଇଁ କିଛି କଟକଣା ନାହିଁ, ପ୍ରକାଶନ ପାଇଁ ଅଗ୍ରାହ୍ୟ ହେବାର ପ୍ରଶ୍ନ ନାହିଁ। ଏବେ ଦେଖାଯାଉଛି, ସାମ୍ପ୍ରତିକ କୌଣସି ଘଟଣା ବା ସରକାରଙ୍କର ଭୂମିକାକୁ ଯଥାର୍ଥ ସାବ୍ୟସ୍ତ କରିବାକୁ ଅତୀତରୁ ଉଦ୍ଧାର କରି ଇତିହାସର ଚରିତ୍ରଙ୍କୁ ନିନ୍ଦା କରାଯାଉଛି। କାଶ୍ମୀର ପ୍ରସଙ୍ଗ ହେଉ ବା ଚୀନ୍‌ ସହିତ ସୀମା ବିବାଦ ହେଉ, ସାମାଜିକ ଗଣମାଧୢମରେ ଯଦି କେହି ଆଲୋଚନା କଲା କିମ୍ବା କୌଣସି ଘଟଣା ପରେ ସମାଲୋଚନାର ଆଶଙ୍କା ଦେଖାଗଲା, ତେବେ ହ୍ବାଟ୍‌ସଆପ୍‌ କିମ୍ବା ଫେସ୍‌ବୁକ୍‌ରେ ଜଵାହରଲାଲ ନେହରୁ କ’ଣ କ’ଣ ଭୁଲ କରିଥିଲେ, ତାଙ୍କ ପାଇଁ ଏସବୁ ସମସ୍ୟା, ଏପରିକି ନେହରୁଙ୍କର ବ୍ୟକ୍ତିଗତ ଜୀବନ ଉପରେ ଲମ୍ବା ଲମ୍ବା ବକ୍ତବ୍ୟ ଆସୁଛି। କିଛିଦିନ ତଳେ ହ୍ବାଟ୍‌ସଆପ୍‌ରେ ‘ଲଭ୍‌ ଜିହାଦ’ ବା ମୁସଲିମ୍‌ ଯୁବକ ଛଳନା କରି ହିନ୍ଦୁ ଝିଅକୁ ପ୍ରେମବିବାହ କରି ଧର୍ମାନ୍ତରୀକରଣ ଉପରେ ଜଣେକେହି ଏକ ଦୀର୍ଘ ମନ୍ତବ୍ୟ ବା ସନ୍ଦର୍ଭ ରଖିଥିଲେ। ସେଥିରେ ସେ ଲେଖିଥିଲେ, ଲଭ୍‌ ଜିହାଦ ଆକବର, ଜାହାଙ୍ଗୀର, ଶାହାଜାହାନ ବା ଅନ୍ୟାନ୍ୟ ମୁସଲମାନ ଶାସକମାନେ କରୁଥିଲେ। ସେମାନେ ତାଙ୍କ ହାରେମରେ ରାଜପୁତ୍ର ବା ହିନ୍ଦୁ ମହିଳାଙ୍କୁ ରଖୁଥିଲେ ଏବ˚ ଯୁଦ୍ଧ କରି ବା ଭୟଭୀତ କରାଇ ହିନ୍ଦୁ ମହିଳାଙ୍କୁ ବିବାହ କରୁଥିଲେ।

ଏହିସବୁ ବକ୍ତବ୍ୟରେ ଉପସ୍ଥାପିତ ଐତିହାସିକ ତଥ୍ୟ କିମ୍ବା ତର୍ଜମା କେତେ ଠିକ୍‌ ବା ଭୁଲ୍‌ ତାହା ଏଠି ଆଲୋଚନା କରାଯାଉନିି। ନେହରୁଙ୍କ ସମୟରେ ପରିସ୍ଥିତି କ’ଣ ଥିଲା, ସେ ସେତେବେଳେ ଯୋଉ ନିଷ୍ପତ୍ତି ନେଇଥିଲେ, କାହିଁକି ନେଇଥିଲେ ବା କୋଉ ପରିସ୍ଥିତିରେ ନେଇଥିଲେ କେହି ଚିନ୍ତା କରୁନାହାନ୍ତି। ଏହା ନିଶ୍ଚିତ ଯେ ତାହା ସେତେବେଳର ସରକାରଙ୍କର ନିଷ୍ପତ୍ତି ଥିଲା, ସେହି ସରକାରଙ୍କର ମୁଖ୍ୟ ନେହରୁ ଥିଲେ କିମ୍ବା ସେପରି ନିଷ୍ପତ୍ତିରେ ତାଙ୍କର ନିଜର ବ୍ୟକ୍ତିଗତ ସ୍ବାର୍ଥ କିଛି ନ ଥିଲା। କଥା ହେଉଛି, ବର୍ତ୍ତମାନର ଦୃଷ୍ଟିରେ ଅତୀତକୁ ବିଚାର କରାଯାଏନା। ଏକବି˚ଶ ଶତାବ୍ଦୀର ମଣିଷ ବର୍ତ୍ତମାନର ସାମାଜିକ, ରାଜନୈତିକ ମୂଲ୍ୟବୋଧ ଦ୍ବାରା ପ୍ରଭାବିତ। ସେ ଗଣତନ୍ତ୍ର, ବ୍ୟକ୍ତି ସ୍ବାଧୀନତା ବା ସାମାଜିକ ସମତାରେ ବିଶ୍ବାସ କରେ। ଆଉରଙ୍ଗଜେବ କିମ୍ବା ଆକବରଙ୍କ ସମୟରେ ସାମାଜିକ, ରାଜନୈତିକ ମୂଲ୍ୟବୋଧ ଭିନ୍ନ ଥିଲା, ଗଣତନ୍ତ୍ର, ବ୍ୟକ୍ତି ସ୍ବାଧୀନତା ଆଦି ସେତେବେଳେ ଚିନ୍ତା କରାଯାଉନଥିଲା। ତେଣୁ ବର୍ତ୍ତମାନରେ ରହି ଅତୀତର କୌଣସି ଐତିହାସିକ ବ୍ୟକ୍ତିଙ୍କୁ ନିନ୍ଦା କରିବା କେବେ ଯୁକ୍ତିଯୁକ୍ତ ନୁହେଁ। ଐତିହାସିକମାନେ କୁହନ୍ତି, ଅତୀତର ଅନୁଷ୍ଠାନକୁ ନିନ୍ଦା କିମ୍ବା ପ୍ରଶ˚ସା କରାଯାଇପାରେ, କିନ୍ତୁ ବ୍ୟକ୍ତିଙ୍କୁ ନୁହେଁ। ସତୀପ୍ରଥା, ଦାସତ୍ବପ୍ରଥା, ସ୍ବେଚ୍ଛାଚାରିତା, ଏକଛତ୍ରବାଦକୁ ନିନ୍ଦା କରାଯିବ, କିନ୍ତୁ ଅତୀତର ଯୋଉ ବ୍ୟକ୍ତି ସତୀ ହେଉଥିଲା, ଦାସ ରଖୁଥିଲା କିମ୍ବା ସ୍ବେଚ୍ଛାଚାରୀ ଥିଲା, ସେମାନଙ୍କୁ ନୁହଁ।

କେବଳ ସାମାଜିକ ଗଣମାଧୢମରେ ନୁହେଁ, ସକାଳ ଚାଲିବା ବେଳେ କିମ୍ବା ଚା’ ଦୋକାନ ସାମନାରେ ସେହି ଏକା ଅବସ୍ଥା। ସକାଳ ଚାଲିବା ସମୟରେ ଏମିତି ଗୋଟେ ଆଲୋଚନା ଚାଲିଥିଲା! ମହାନ୍ତି ବାବୁ କହିଲେ, ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ, ଶ୍ରମିକ ଛଟେଇ ବଢ଼ୁଛି, ଦରଦାମ ଅକାଶଛୁଆଁ। ମହାପାତ୍ର ବାବୁ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ଅନୁଚ୍ଛେଦ ୩୭୦, ୩୫ (କ) ଉଚ୍ଛେଦ ପରେ ଜଣେ ଜାମ୍ମୁ ଓ କାଶ୍ମୀରରେ ଜାଗା କିଣି ଘର କରିପାରିବ, ଏବେ କାଶ୍ମୀର ଭାରତର ଗୋଟେ ଅ˚ଶ ହୋଇଗଲା।

ଦାସବାବୁ କହିଲେ, ଅର୍ଥନୈତିକ ଅବସ୍ଥାର ପୁନରୁଦ୍ଧାର, କାଶ୍ମୀର ସମସ୍ୟା, ଚୀନ୍‌ ସହିତ ସୀମା ବିବାଦ, ଦରଦାମ ବୃଦ୍ଧି ଉପରେ ଆଲୋଚନା ହେବା ଆବଶ୍ୟକ, କିନ୍ତୁ ଟିଭିରେ ଘଣ୍ଟା ଘଣ୍ଟା ଚାଲିଛି ସୁଶାନ୍ତ ସି˚ ରାଜପୁତର ଆତ୍ମହତ୍ୟା ଓ ରିୟା ଚକ୍ରବର୍ତ୍ତୀଙ୍କ ଉପରେ। ପଣ୍ତାବାବୁ କହିଲେ, ଆପଣ ଦେଖିବେ ପାଞ୍ଚବର୍ଷ ଭିତରେ ଆମେ ପାକିସ୍ତାନ ଅଧିକୃତ କାଶ୍ମୀର ଦଖଲକୁ ଆଣିଥିବୁ। ଯୋଉସବୁ ଐତିହାସିକ ଭୁଲ ନେହରୁ-ଗାନ୍ଧୀ ପରିବାର କରିଛନ୍ତି, ସବୁ ଏହି ପାଞ୍ଚବର୍ଷ ଭିତରେ ସଜାଡ଼ି ହୋଇଯିବ।

କେହି କାହାକୁ ଶୁଣିନାହାନ୍ତି, ନିଜ ନିଜର ବିଚାର ଓ ଚିନ୍ତାଧାରା ବ୍ୟକ୍ତ କରିବା ଏବ˚ ସାବ୍ୟସ୍ତ କରିବାକୁ ସମସ୍ତେ ବ୍ୟଗ୍ର। ମହାନ୍ତି, ମହାପାତ୍ର, ଦାସ ଓ ପଣ୍ତାବାବୁ ସମସ୍ତେ ଉଚ୍ଚଶିକ୍ଷିତ, ଅଭିଜ୍ଞ ଓ ସାମାଜିକ, ଅର୍ଥନୈତିକ ଦୃଷ୍ଟିରୁ ପ୍ରତିଷ୍ଠିତ। ସମାଜରେ ଅଭିଜ୍ଞ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କର ପ୍ରମୁଖ ଭୂମିକା ରହିଛି। ସେମାନେ ଜନମତ ସୃଷ୍ଟିକାରୀ, ନିଜର ଗାଁ ଓ ଅଞ୍ଚଳରେ ସେମାନଙ୍କର ଯଥେଷ୍ଟ ସମ୍ମାନ ଅଛି। ସେମାନେ ଯାହା କହିବେ ସାଧାରଣ ଲୋକେ ଶୁଣିବେ, ବିଚାର କରିବେ। କିନ୍ତୁ ସେମାନଙ୍କର ବକ୍ତବ୍ୟ ସାମାଜିକ ବା ରାଜନୈତିକ ଘଟଣା ଉପରେ ପ୍ରାସଙ୍ଗିକ, ଯୁକ୍ତିସିଦ୍ଧ ଏବ˚ ନିରପେକ୍ଷ ହେବା ଆବଶ୍ୟକ। ରାଜନୈତିକ ବ୍ୟକ୍ତି ନିଜର ଦଳୀୟ ଯୁକ୍ତି ବାଢ଼େ, କିନ୍ତୁ ଏବେ ଦେଖାଯାଇଛି ଆମର ନାଗରିକ ସମାଜର ରାଜନୀତୀକରଣ ହୋଇଯାଉଛି, ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ଦଳୀୟ ରାଜନେତା ପରି ଯୁକ୍ତି ବାଢ଼ୁଛନ୍ତି। ସାମାଜିକ ଗଣମାଧୢମକୁ ବ୍ୟବହାର କରୁଛନ୍ତି। କାଲାଲୋକ ଓ ରୁଗ୍‌ଣ ପଡ଼ୋଶୀ ପରି କେହି କାହାକୁ ବୁଝିବାର ଅବସ୍ଥାରେ ନାହାନ୍ତି।

କେ-୮/୫୪୩, କଳିଙ୍ଗ ବିହାର, ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୫୭୮୭୩୩

ସମ୍ବନ୍ଧିତ ଖବର