ବିକଳ୍ପ ଭିଟାମିନ୍
ନିରଞ୍ଜନ ନାୟକ
ବର୍ତ୍ତମାନ ଦେହରୁ କମିଯାଉଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବଜାରରେ ଅନେକ ଭିଟାମିନ୍ ଟାବଲେଟ୍ ଓ ଟନିକ୍ ଉପଲବ୍ଧ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିହାତି ଆବଶ୍ୟକ ବୋଲି ଗବେଷକ ଓ ଡାକ୍ତରମାନେ କହନ୍ତି। କିନ୍ତୁ ସେମାନେ ଏହା ମଧ୍ୟ ସତର୍କ କରାଇ ଦିଅନ୍ତି ଯେ ସବୁ ଦିନ ବା ମାତ୍ରାଧିକ ପରିମାଣରେ ଭିଟାମିନ୍ ଟାବଲେଟ୍ ବା ସପ୍ଲିମେଣ୍ଟ ଖାଇବା ସ୍ବାସ୍ଥ୍ୟ ପକ୍ଷରେ ହିତକର ନୁହେଁ। ଏହାଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖା ଦେଇପାରେ। ତେଣୁ ଆମ ପାଖରେ ବା ଆମ ହାତ ପାହାନ୍ତାରେ ରହିଥିବା ଭିଟାମିନ୍ ବା ଜୀବନିକାର ବିକଳ୍ପ ସ୍ରୋତର ଅନୁସନ୍ଧାନ କରିବାକୁ ହେବ ଓ ସେ ସଂପର୍କରେ ଜାଣିବାକୁ ହେବ, ଯାହା ଆମକୁ ସୁସ୍ଥ ଓ ନିରୋଗ କରି ରଖିବ।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତମ ସ୍ବାସ୍ଥ୍ୟ ପାଇବା ପାଇଁ ଭିଟାମିନ୍ରେ ଭରପୂର ଖାଦ୍ୟ ଖାଇବା ଜରୁରୀ। ବିଭିନ୍ନ ‘ଜଙ୍କ ଖାଦ୍ୟ’ (ଆଜିକାଲିକା ପିଜ୍ଜା ବା ବର୍ଗର ଭଳି) ଅତ୍ୟନ୍ତ ସ୍ବାଦିଷ୍ଠ ହୋଇପାରେ, କିନ୍ତୁ ସେସବୁ ଜୀବନିକାଶୂନ୍ୟ। ଅପର ପକ୍ଷରେ ବିଭିନ୍ନ ପନିପରିବା, ଫଳମୂଳ ଠାରୁ ଆରମ୍ଭ କରି ଖାଦ୍ୟ ଶସ୍ୟ ପର୍ଯ୍ୟନ୍ତରେ ପ୍ରାୟ ସମସ୍ତ କୃଷିଜାତ ଦ୍ରବ୍ୟରେ ଭିଟାମିନ୍ ଭରି ରହିଛି। ତେଣୁ ଆମ ଖାଦ୍ୟାଭ୍ୟାସରେ ଏ ସବୁ ପ୍ରାଥମିକତା ଲାଭ କଲେ ଆମ ଶରୀର ଅଧିକ ଜୀବନିକା ପାଇ ରୋଗ ପ୍ରତିରୋଧୀ ହୋଇପାରିବ।
କିନ୍ତୁ ଏବେ ଅମଳକୁ ବହୁ ଗୁଣିତ କରିବା ଲାଗି ଯେଉଁ ପଦ୍ଧତି ଅବଲମ୍ବନ କରାଯାଉଛି, ତହିଁରେ ମାତ୍ରାଧିକ ରାସାୟନିକ ସାର ବା କୀଟନାଶକର ପ୍ରୟୋଗ କରାଯାଉଛି। କିନ୍ତୁ ତାହା ଦ୍ବାରା ଅଧିକାଂଶ ଶସ୍ୟ, ପନିପରିବା ଓ ଫଳମୂଳ ବିଷଯୁକ୍ତ ହୋଇ ବିଭିନ୍ନ ରୋଗ ଏପରିକି ମାରାତ୍ମକ କର୍କଟ ରୋଗର କାରଣ ହେଉଛି। ସେହି କାରଣରୁ ବିଷ-ମୁକ୍ତ ଆହାର ପାଇଁ ଉଦ୍ୟମ ଚାଲିଛି, ଯହିଁରେ ରାସାୟନିକ ସାର ଓ କୀଟନାଶକ ପରିବର୍ତ୍ତେ ଜୈବ କୃଷିକୁ ପ୍ରାଧାନ୍ୟ ଦିଆଯାଉଛି। ସେହି ପରିପ୍ରେକ୍ଷୀରେ ୨୦୧୭ ମସିହାରେ ଆମ ରାଜ୍ୟରେ ପରମ୍ପରାଗତ କୃଷି ବିକାଶ ଯୋଜନା ଏବଂ ଓଡ଼ିଶା ମିଲେଟ ମିସନ ଆରମ୍ଭ କରାଯାଇଛି; ଯାହା ମାଧ୍ୟମରେ କ୍ଷୁଦ୍ର ଦାନା ଶସ୍ୟକୁ ଜୈବିକ ପଦ୍ଧତିରେ ଚାଷ କରାଯିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି।
ମନେ ରଖିବା କଥା ଯେ କ୍ଷୁଦ୍ର ଦାନା ଶସ୍ୟଗୁଡ଼ିକ ସର୍ବାଧିକ ଭିଟାମିନରେ ଭରା। ଏହି ଶସ୍ୟ ମଧ୍ୟରେ ମାଣ୍ଡିଆ, କାଙ୍ଗୁ, ବାଜରା, ସୁଆଁ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ମଧ୍ୟରୁ ମାଣ୍ଡିଆ ଏକ ଅତି ପ୍ରାଚୀନ ପାରଂପରିକ ଖାଦ୍ୟ। ଖ୍ରୀଷ୍ଟପୂର୍ବ ୨୦୦୦ରେ ଭାରତରେ ମାଣ୍ଡିଆ ଚାଷ ହେଉଥିବାର ପ୍ରମାଣ ମିଳେ। ଏହାର ଜନ୍ମ ପୂର୍ବ ଆଫ୍ରିକାରେ। ମାଣ୍ଡିଆରେ ‘ସିଷ୍ଟନ ଟାଇରୋସିନ ଟିପ୍ରପେନ’ ଓ ‘ମିଥିଓନାଇନ’ ସହ ତନ୍ତୁ, ପୁଷ୍ଟିସାର, ଖଣିଜଲବଣ, କ୍ୟାଲ୍ସିଅମ, ଲୌହ, ସ୍ନେହସାର ଭଳି ବାଇଶ ପ୍ରକାର ଭିଟାମିନ୍ ରହିଛି। ଗହମ ଓ ମାଣ୍ଡିଆ ଚୂନାକୁ ୭:୩ ଅନୁପାତରେ ମିଶାଇ ରୁଟି ତିଆରି କରି ପ୍ରତିଦିନ ଖାଦ୍ୟ ଭାବେ ଖିଆ ଯାଇପାରେ। ଉତ୍ତର ଭାରତରେ (ନାଚନୀ ବା ମାଣ୍ଡିଆ) ରୋଟି ଓ ଭାରତର ଅନେକ ସ୍ଥାନରେ ରାଗି ବା ମାଣ୍ଡିଆ ପରଟା ଖୁବ୍ ଲୋକପ୍ରିୟ।
ଆମ ଦେଶର ଜାତୀୟ ଖାଦ୍ୟ ଆଇନରେ ଚାଉଳ ଏବଂ ଗହମକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରାଯାଇଥିଲା। କିନ୍ତୁ ୨୦୧୩ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ନୀତି ଆୟୋଗ ଓ ଜାତୀୟ ଖାଦ୍ୟ ସୁରକ୍ଷା ମିସନର ପରାମର୍ଶ କ୍ରମେ ସମନ୍ବିତ ଖାଦ୍ୟ ଶୃଙ୍ଖଳା ମାଧ୍ୟମରେ ୧୪ ଜିଲ୍ଲାର ୭୨ ବ୍ଲକ୍ର ୧.୬ ନିୟୁତ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ସାତଟି ଜିଲ୍ଲା ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଆଉ ସାତଟି ଜିଲ୍ଲାକୁ ସାମିଲ କରାଯାଇ କେଜି ପିଛା ୧ ଟଙ୍କାରେ ମାଣ୍ଡିଆ ଯୋଗାଇ ଦିଆଯିବା ପାଇଁ ସ୍ଥିର କରାଯାଇଛି।
ଆମ ଦେଶର ଅନେକ ଲୋକ ଆମିଷ ଭୋଜନ କରନ୍ତି ନାହିଁ। ସେମାନଙ୍କ ଠାରେ ପୁଷ୍ଟିସାରର ଅଭାବ ପରିଲକ୍ଷିତ ହୋଇଥାଏ। ସେମାନଙ୍କ ଏହି ଅଭାବ ପୂରଣ କରିବା ଲାଗି ସବୁଠାରୁ ଅଧିକ ଯୋଗ୍ୟ ହେଉଛି ସୋୟାବିନ୍। ଏକ ଶହ ଗ୍ରାମ ସୋୟାରେ ପ୍ରାୟ ୫୦ ଗ୍ରାମ ପୁଷ୍ଟିସାର ରହିଛି, ଯାହା ମାଛ ବା ଅଣ୍ଡା ଭଳି ପୁଷ୍ଟିସାର ସମୃଦ୍ଧ ଖାଦ୍ୟ ସହିତ ସମତୁଲ। ପୁଣି ସୋୟାବିନ୍ରେ ମିଳୁଥିବା ପୁଷ୍ଟିସାରରେ ପ୍ରାୟ ସବୁ ଅର୍ଥାତ୍ ୧୯ ପ୍ରକାର ଆମିନୋ ଏସିଡ୍ ରହିଥାଏ। ବଜାରରେ ଉପଲବ୍ଧ ହେଉଥିବା ସୋୟା ବଡ଼ି ଅପେକ୍ଷାକୃତ ଶସ୍ତା, ଯାହା ଦରିଦ୍ର ଲୋକଙ୍କ ପୁଷ୍ଟି ସାଧନ କରିପାରେ। ଏହି ସଂଦର୍ଭରେ ଦାବି କରାଯାଉଛି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୋୟାକୁ ମଧ୍ୟ ସାମିଲ କରାଯିବା ଉଚିତ।
ଆମ ପାରଂପରିକ ଖାଦ୍ୟର ଏକ ଦୁର୍ବଳତା ହେଲା ଏହା ହେଉଛି ଶ୍ବେତସାର ପ୍ରଧାନ। ଶ୍ବେତସାର ଜାତୀୟ ଖାଦ୍ୟ ଶୀଘ୍ର ଶକ୍ତି ପ୍ରଦାନ କରିଥାଏ ସିନା, ମାତ୍ରାଧିକ ଶ୍ବେତସାରଜାତୀୟ ଖାଦ୍ୟ ମେଦ ବୃଦ୍ଧି କରିଥାଏ ଯାହା ପରବର୍ତ୍ତୀ କାଳରେ ରକ୍ତଚାପ ଓ ମଧୁମେହ ଆଦି ଭଳି ରୋଗର କାରଣ େହାଇଥାଏ। ତେଣୁ ଆମ ପାରଂପରିକ ଖାଦ୍ୟରେ ପନିପରିବା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେବା ଉଚିତ। ସାଧାରଣ ଭାବେ ମିଳୁଥିବା ପନିପରିବା, ଛତୁ, ଫଳମୂଳରେ ସବୁ ପ୍ରକାର ଜୀବନିକା, ଖଣିଜ ଲବଣ ଓ ଖାଦ୍ୟ ସାର ରହିଥାଏ। ତେଣୁ ଏ ସବୁର ଭୋଜନ ଆମ ଲାଗି ଉତ୍ତମ ସ୍ବାସ୍ଥ୍ୟର କାରଣ ହେବ। ତେବେ ରାସାୟନିକ ସାର ବା କୀଟନାଶକର ପ୍ରଭାବରୁ ଆମ ଖାଦ୍ୟକୁ ସୁରକ୍ଷିତ ରଖିବା ଲାଗି କଞ୍ଚା ପରିବାର ଭକ୍ଷଣରୁ ଦୂରେଇ ରହିବାକୁ ଅନେକ ଚିକିତ୍ସକ ମତ ଦେଉଛନ୍ତି। ଯଦିଓ ପରିବା ଓ ଫଳର ସାଲାଡ୍ ଶରୀର ଲାଗି ଅତ୍ୟନ୍ତ ଉପାଦେୟ, ଉପରୋକ୍ତ କାରଣରୁ ଅନେକ ଏହା ଖାଇବାକୁ ଏବେ ଭୟ କଲେଣି। ଏକ ଶୃଙ୍ଖଳିତ ଓ ସମନ୍ବିତ ଖାଦ୍ୟାଭ୍ୟାସ ଓ କିଛି ସମୟର ଶାରୀରିକ ବ୍ୟାୟାମ ଆମକୁ ଏକ ରୋଗମୁକ୍ତ ଜୀବନ ଜିଇବାରେ ସହାୟକ ହେବ। ଭିଟାମିନ୍ର ବିକଳ୍ପକୁ ବଟିକା ବା ଟନିକ୍ରେ ନ ଖୋଜି ଆମ ଆଖପାଖରେ ହେଉଥିବା କୃଷିଜରେ ଖୋଜିବାକୁ ହେବ।
ଟିକିରି, ରାୟଗଡ଼ା
ମୋ- ୯୪୩୭୩୧୭୪୧୭