ଗଣତନ୍ତ୍ରର ଗତିପଥ

ଅମିୟ ଭୂଷଣ ତ୍ରିପାଠୀ

ବିଭିନ୍ନ ଚିନ୍ତାଜନକ, ଚମକପ୍ରଦ ଓ ହାସ୍ୟାସ୍ପଦ ଘଟଣାମାନ ଦେଶରେ ଅଶାନ୍ତ, ଅସ୍ଥିର ଓ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟି କରିବା ଛଡ଼ା ବିଶ୍ବ ଦରବାରରେ ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ କରୁଛି। ମନରେ ଉଙ୍କି ମାରୁଛି ଅସୁମାରି ପ୍ରଶ୍ନ, କୁଆଡ଼େ ଗଲା ଆମର ମହାଭାରତୀୟ ଭାବ, ଏ ଦେଶର ମହନୀୟତା। ଏହାର ସାର୍ବଜନୀନ ଦର୍ଶନ ବସୁଧୈବ କୁଟୁମ୍ବକମ୍‌, ସର୍ବ ଧର୍ମ ସମନ୍ବୟର ଜାଜ୍ବଲ୍ୟମାନ ପ୍ରତୀକ। ବିଶ୍ବର ବୃହତ୍ତମ ଗଣତନ୍ତ୍ରର ଗଣତାନ୍ତ୍ରିକ ଉଦାରବାଦ ଓ ସହନଶୀଳତା କିପରି ଗୋଟିଏ ପରେ ଗୋଟିଏ କୁଠାରାଘାତର ସମ୍ମୁଖୀନ ହେଉଛି ସେ ବିଷୟରେ କିଛି ଆଲୋଚନା ଏ ଆଲେଖ୍ୟର ଉଦ୍ଦେଶ୍ୟ।

ପ୍ରଥମେ ହେଲା ସମ୍ବିଧାନର ଧାରା ୩୭୦ ଉଚ୍ଛେଦନ ଉପରେ କାଶ୍ମୀରର ନ୍ୟାସନାଲ କନ୍‌ଫରେନ୍‌ସର ବରିଷ୍ଠ ନେତା ଫାରୁକ ଅବଦୁଲ୍ଲାଙ୍କ ବୟାନ। ସେ କହିଲେ ବର୍ତ୍ତମାନ ଚୀନ୍‌ର ସହାୟତାରେ ଧାରା ୩୭୦କୁ ପୁଣି ସମ୍ବିଧାନରେ ସ୍ଥାନୀତ କରିବାକୁ ପଡ଼ିବ। ଏ ବିବୃତି କେବଳ ଅଦ୍‌ଭୁତ ନ ଥିଲା, ଅବାନ୍ତର ମଧୢ। ଅବଦୁଲ୍ଲା ପରିବାର ସ୍ବାଧୀନତା ପ୍ରାପ୍ତି ଆଗରୁ କାଶ୍ମୀର ମହାରାଜାଙ୍କ ବିରୋଧୀ ଓ ଭାରତ ସ୍ବାଧୀନତାର ସମର୍ଥକ ଥିଲେ। ମହାରାଜା ଏକ ସ୍ବତନ୍ତ୍ର କାଶ୍ମୀର ଦେଶ ସପକ୍ଷରେ ଥିଲେ, ଏପରିକି ପାକିସ୍ତାନର ପ୍ରଲୋଭନରେ ଜିନ୍ନାଙ୍କ ସଙ୍ଗେ ପାକିସ୍ତାନରେ ମିଶିବା ପାଇଁ ସଲା ସୁତୁରା କରୁଥିଲେ। ଫାରୁକଙ୍କ ବାପା ଶେଖ ଅବଦୁଲ୍ଲା ଭାରତ ସହିତ ମିଶ୍ରଣ ପାଇଁ ଏକ ସର୍ତ୍ତ ରଖିଥିଲେ; ତାହା ଥିଲା କାଶ୍ମୀରବାସୀଙ୍କ ସ୍ବତନ୍ତ୍ର ରକ୍ଷା ଯାହା ସମ୍ବିଧାନର ଅ˚ଶ ହୋଇ ରହିବ। ଏଥିରେ ନେହରୁ ଓ ସର୍ଦ୍ଦାର ପଟେଲ ରାଜି ହେଲେ। ୩୭୦ ଧାରାକୁ ପଟେଲ ଅନୁମୋଦନ କରି ନେହରୁଙ୍କ ପାଖକୁ ପଠାଇଥିଲେ। ୩୭୦ ଧାରାରେ ବିଭିନ୍ନ ସୁବିଧାମାନଙ୍କୁ କାଳକ୍ରମେ ଉଚ୍ଛେଦନ କରିବାର ବ୍ୟବସ୍ଥା ମଧୢ ରହିଲା। ନିର୍ବାଚିତ ସରକାରଙ୍କ ପ୍ରସ୍ତାବ ଉପରେ ବିଭିନ୍ନ ସମୟରେ ବିଭିନ୍ନ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। କାଳକ୍ରମେ ଏ ଧାରାକୁ ସୁପ୍ରିମକୋର୍ଟ ଚିରସ୍ଥାୟୀ ବୋଲି ରାୟ ଦେଲେ, ଅଟଳ ବିହାରୀ ବାଜପେୟୀ ‘କାଶ୍ମୀରିୟତ, ଇନସାନିୟତ ଓ ଜମ୍‌ହୁରିୟତ’ ଉପରେ ଜୋର ଦେଲେ। ବର୍ତ୍ତମାନ ସରକାର ତାଙ୍କ ନିର୍ମମ ସ˚ଖ୍ୟାଗରିଷ୍ଠତାର ସୁବିଧା ନେଇ ଜାମ୍ମୁ ଓ କାଶ୍ମୀରକୁ ତ୍ରିଖଣ୍ତିତ କରି ରାଜ୍ୟପାଳ ଶାସନ ଜାରି କଲେ ଓ ରାଜ୍ୟପାଳଙ୍କ ପ୍ରସ୍ତାବ କ୍ରମେ ସ˚ସଦରେ ୩୭୦ ଧାରା ଉଚ୍ଛେଦନ ହେଲା। ଏପରି ଏକ ଅବସ୍ଥା ସମ୍ବିଧାନର ପ୍ରଣେତାମାନେ କଳ୍ପନା ମଧୢ କରି ନ ଥିବେ। ଖଣ୍ତିତ ମୁସଲମାନ ବହୁଳ ଏକ ବନ୍ଦୀ ରାଜ୍ୟ ହୋଇ ରହିଲା ଓ ରହିଛି ମଧୢ। କାଶ୍ମୀରର ସ୍ଥିତି ସାଧାରଣ ଓ କାଶ୍ମୀର ସମସ୍ୟାର ସମାଧାନ ହୋଇଗଲା ବୋଲି ଜୋରରେ କହୁଥିବା ସରକାରଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି କଲାଣି ଚୀନ୍‌ ଦାବି କରୁଥିବା ଲଦାଖର ଗଲଵାନ ଉପତ୍ୟକାରେ ଉତ୍ତେଜନା ଓ ସ˚ଘର୍ଷ। ପ୍ରମୁଖ ରାଜନୀତିକ ଦଳର ନେତାମାନେ ଏକଜୁଟ ହୋଇ ସ˚ଗ୍ରାମର ଆହ୍ବାନ ଦେଇ ସାରିଲେଣି। ବର୍ଷେ ହେଲାଣି ସୁପ୍ରିମକୋର୍ଟ ଏ ସ୍ପର୍ଶକାତର ପ୍ରସଙ୍ଗ ଉପରେ ଆଖି ପକାଉ ନାହିଁ।

ତା’ପରେ ଦେଖିବା ଗଲଵାନ ପ୍ରସଙ୍ଗ। ଛଅ ମାସ ପରେ ମଧୢ ଏ ଉପତ୍ୟକାରେ ଉତ୍ତେଜନା ଜାରି ରହିଛି, ଚୀନ୍‌ ସେନା ତଥାକଥିତ ପ୍ରକୃତ ନିୟନ୍ତ୍ରଣ ରେଖା ଲ˚ଘନ କରି ଯେ ଭାରତର ଅଞ୍ଚଳ ଅଧିକାର କରିଛନ୍ତି ଏଥିରେ ସନ୍ଦେହ ନାହିଁ। ସ˚ଘର୍ଷ ହେଲା ଓ ଦୁଇ ପକ୍ଷରୁ ମୃତାହତ ହେଲେ। ପ୍ରଧାନମନ୍ତ୍ରୀ ମୁକ୍ତ କଣ୍ଠରେ କହିଲେ ଚୀନ୍‌ ସୀମାରେଖା ଲ˚ଘନ କରିନାହିଁ। ସେ ଏହା କହିବା ପରେ ଚୀନ ତାର ସୁଯୋଗ ନେଇ କହିଲା ଯେ ଏହାର ଅର୍ଥ ଚୀନ ସେନା ଯେଉଁଠି ଅଛନ୍ତି ତାହା ଭାରତର ନୁହେଁ, ଚୀନର। ଏହା ଦ୍ବାରା ଅଜାଣତରେ ଭାରତର ଦୁର୍ବଳତାକୁ ଯେପରି ସ୍ବୀକାର କରିଦିଆଗଲା। ବର୍ତ୍ତମାନ ବାସ୍ତବତା ଉପଲବ୍‌ଧି କରି ମୋଦୀଜୀ କହିଲେଣି ପରିସ୍ଥିତି ଅତି ଜଟିଳ ଓ ଆଶୁ ସମାଧାନର ସମ୍ଭାବନା ନାହିଁ। ଚୀନ୍‌ ସଙ୍ଗେ ଆମେରିକାର ସମ୍ପର୍କ ଅତି ତିକ୍ତ ହେଲା ପରେ ଆମେରିକା ଏବେ କୁଆଡ଼େ (ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମାଧୢମରେ) ଭାରତକୁ ସମର୍ଥନ କରୁଛି। ଉଦ୍ଦେଶ୍ୟ ଭାରତ ତା’ ଉପରେ ନିର୍ଭର କରୁ। ଏହା ଜଟିଳ ସମୟ, ବାସ୍ତବତା ହେଉଛି ଚୀନ୍‌ ସଙ୍ଗେ ଆମେରିକାର ବାଣିଜ୍ୟ ସମ୍ପର୍କ ଅତୁଟ ରହିବ। ପୁଣି ଏବେ ବାଇଡେନ୍‌ ରାଷ୍ଟ୍ରପତି ବୋଲି ଘୋଷିତ ହୋଇଥିବାରୁ ଆମେରିକାର ଚୀନ ସଙ୍ଗେ ସମ୍ପର୍କରେ ଉନ୍ନତି ହେବାର ଆଶା ଅଧିକ। ବର୍ତ୍ତମାନ କରୋନା ମହାମାରୀ ପ୍ରଭାବରେ ଅର୍ଥନୀତିରେ ଯେଉଁ ସ˚କଟ ସୃଷ୍ଟି ହୋଇଛି, ସେଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଭାରତ। ଆମ ପଡ଼ୋଶୀ ରାଜ୍ୟମାନଙ୍କ ଅଭିବୃଦ୍ଧି ବିଯୁକ୍ତ ପ୍ରତିଶତରେ ଥିଲା ବେଳେ, ବା˚ଲାଦେଶରେ ଏହା ଯୁକ୍ତ ୩ ପ୍ରତିଶତ (+୩) ଓ ଚୀନ୍‌ରେ ଯୁକ୍ତ ୨ ପ୍ରତିଶତ (+୨)। ଭାରତରେ ଅଭିବୃଦ୍ଧି ବିଯୁକ୍ତ ୧୦ ପ୍ରତିଶତ (-୧୦) ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପକ୍ଷରୁ ଆକଳନ କରାଯାଇଛି।
କରୋନା ନିୟନ୍ତ୍ରଣ କଥା ନ କହିଲେ ଚଳେ। ଭାରତରେ ପରିସ୍ଥିତି ବର୍ତ୍ତମାନ ଅତି ଭୟାବହ। କିନ୍ତୁ ଅସତ୍ୟ ଓ ଅର୍ଧସତ୍ୟ ପରିବେଷଣ କରିବାରେ ସରକାରୀ କଳ ବ୍ୟସ୍ତ। ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏ ସ˚ଗ୍ରାମ (ଯାହା ଖୋଳ, ଗିନି, ବାଜା ବଜାଇ ଆରମ୍ଭ କରାଯାଇଥିଲା। ୨୧ ଦିନରେ କରୋନାକୁ ନିର୍ମୂଳ କରିବାକୁ ପଣ କରାଯାଇଥିଲା) ଏବେ ଅଷ୍ଟମ ମାସରେ ପହଞ୍ଚିଛି, ଯହିଁରୁ ତ୍ରାହି ନାହିଁ। ବିଶ୍ବଗୁରୁ ରୂପେ ଚିତ୍ରିତ ଭାରତ ଏବେ ଜନସ˚ଖ୍ୟାରେ ପୃଥିବୀରେ ଦ୍ବିତୀୟ, ଯାହା ଅଚିରେ ପ୍ରଥମ ହୋଇଯାଇପାରେ। ଆରମ୍ଭରୁ ଆମ ସରକାର ତୁଳନାତ୍ମକ ଚିତ୍ର ପ୍ରଦାନ କଲାବେଳେ ବିଭିନ୍ନ ସମୟରେ କେବଳ ଆକ୍ରାନ୍ତଙ୍କ ସ˚ଖ୍ୟା କହି, ଭାରତରେ କିପରି ୟୁରୋପ, ଆମେରିକା ଓ ଦକ୍ଷିଣ ଆମେରିକାରେ ଆକ୍ରାନ୍ତଙ୍କ ଅପେକ୍ଷା ବହୁତ କମ୍‌ ବୋଲି କହି ସମସ୍ୟାକୁ ଆଡ଼େଇ ଯାଆନ୍ତି। ଆଠ ମାସ ପରେ ସବୁ ଆକଳନ ଭୁଲ ହେଲା ପରେ ବର୍ତ୍ତମାନ କୁହାଯାଉଛି ଆମେରିକା ଓ ବ୍ରାଜିଲ ତୁଳନାରେ ଭାରତରେ କରୋନା ସ୍ଥିତି ଉତ୍ତମ। ସତ ହେଉଛି ଆମେରିକାରେ ପ୍ରତି ୧୦ ଲକ୍ଷରେ ପରୀକ୍ଷା କରାଯାଇଥିବା ସ˚ଖ୍ୟାକୁ ଦେଖିଲେ ଭାରତରେ ବର୍ତ୍ତମାନ କରୋନା ଆକ୍ରାନ୍ତ ୫ କୋଟି ହୋଇସାରିଥିବ। ଏ ପରିପ୍ରେକ୍ଷୀରେ ଆୟୁଷ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତି ପ୍ରଣିଧାନଯୋଗ୍ୟ। ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ଓ ପ୍ରତିରୋଧ ଶକ୍ତିବର୍ଦ୍ଧନ ସକାଶେ ବିଭିନ୍ନ ଆୟୁର୍ବେଦ ଔଷଧ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଅଛି। ଆୟୁର୍ବେଦ ପଦ୍ଧତି ପାଇଁ ସମସ୍ତଙ୍କ ସମ୍ମାନ ଅଛି ଓ ଆମେ କିଛି ନା କିଛି ଆୟୁର୍ବେଦ ଔଷଧ ସେବନ କରୁ। କିନ୍ତୁ ଯଦି ଏ ପଦ୍ଧତିରେ କରୋନାର ଚିକିତ୍ସା କରାଯାଇପାରିବ, ତାହା ହେଲେ ଆରମ୍ଭରୁ ଏହା କରିଥିଲେ ଭାରତ ଏପରି ସ˚କଟରେ ପଡ଼ିନଥାନ୍ତା। ତେବେ, କେଉଁ ଗବେଷଣାତ୍ମକ ପ୍ରଣାଳୀ ମାଧୢମରେ ଏ ସିଦ୍ଧାନ୍ତ ନିଆଯାଉଛି, ତାହା ଲୋକଲୋଚନକୁ ଆସିବା ଉଚିତ। ଆମ ମହାନ ଅତୀତ ପାଇଁ ଆମେ ନିଶ୍ଚୟ ଗୌରବାନ୍ବିତ, କିନ୍ତୁ ଉଚ୍ଚ ସ୍ତରୀୟ ଗବେଷଣା କରା ନ ଯାଇ ଏଭଳି ଦାବି କରାଯିବା ଅର୍ଥ ପରିହାସର ପାତ୍ର ହେବା।

ଏ କରୋନା ମହାମାରୀ ସମୟରେ ସମସ୍ତଙ୍କୁ ଆଚମ୍ବିତ କରିଛି ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ମନ୍ଦିର ଖୋଲିବାର ଜରୁରୀ ଆବଶ୍ୟକତା ନେଇ ରାଜ୍ୟପାଳ କୋସିଆରିଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପତ୍ର ପ୍ରେରଣ। ଏ ପତ୍ରରେ ହିନ୍ଦୁତ୍ବବାଦୀ ରାଜ୍ୟପାଳ ତାଚ୍ଛଲ୍ୟପୂର୍ଣ୍ଣ ଭାଷାରେ ପଚାରିଛନ୍ତି, କୁଆଡ଼େ ଗଲା ତୁମ ହିନ୍ଦୁତ୍ବ? କେବେଠୁ ହେଲ ନିରପେକ୍ଷ? ଇତ୍ୟାଦି। ସମ୍ବିଧାନ ଛୁଇଁ ଯେ ଧର୍ମ ନିରପେକ୍ଷତା ରକ୍ଷା କରିବେ ବୋଲି ଶପଥ ଗ୍ରହଣ କରିଥିଲେ ତାଙ୍କ ପାଇଁ ଏ ମହା ସ˚କଟରେ ଜୀବନରକ୍ଷା ଅପେକ୍ଷା ମନ୍ଦିର ଖୋଲିବା ଅଧିକ ମହତ୍ତ୍ବପୂର୍ଣ୍ଣ। ଏହା ପଛରେ ରାଜ୍ୟପାଳଙ୍କ ଦେବଦେବୀଙ୍କ ପ୍ରତି ଭକ୍ତି ଯେତିକି ନାହିଁ, ଅଧିକ ଅଛି କ୍ଷମତାସୀନ ଶିବସେନା ବିରୋଧରେ ଏକ ପ୍ରତିକୂଳ ବାତାବରଣ ସୃଷ୍ଟି କରି କ୍ଷମତାଚ୍ୟୁତ ବିଜେପିକୁ ସାହାଯ୍ୟ କରିବାର ଅଭିସନ୍ଧି। ରାଜ୍ୟପାଳମାନେ କେନ୍ଦ୍ରର କ୍ରୀଡ଼ନକ ସାଜିଥିଲା ବେଳେ ମହାରାଷ୍ଟ୍ର, ପଶ୍ଚିମବଙ୍ଗଳାରେ ଏହା ସୀମା ଅତିକ୍ରମ କରୁଛି।

କ୍ଷମତାର ଅପବ୍ୟବହାରର ଏକ ନଗ୍ନ ଉଦାହରଣ କେତେ ମାସ ହେଲା ମୁମ୍ବାଇରେ ଦେଖିବାକୁ ମିଳିଛି। ଏକ ଅପମୃତ୍ୟୁର ଦୁଃଖଦ କାହାଣୀକୁ ରାଜନୀତିର ପଶାପାଲିରେ ପକାଇ ଅତି ନୀଚ ଓ ହାସ୍ୟାସ୍ପଦ ସ୍ତରକୁ ଠେଲି ଦିଆଯାଉଛି। ବିହାରରୁ ଆସିଥିବା ପ୍ରତିଭାବାନ ଯୁବକ ସୁଶାନ୍ତ ସି˚ ରାଜପୁତ ବଲିଉଡ଼ରେ ଏକ ସଫଳ ନାୟକ ରୂପେ ନିଜକୁ ପ୍ରତିଷ୍ଠିତ କରିଥିଲେ। ମାନସିକ ଅବସାଦଗ୍ରସ୍ତ ସୁଶାନ୍ତ ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ହୋଇ ଔଷଧ ମଧୢ ଖାଉଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କ ବାନ୍ଧବୀ ଥିଲେ ବଙ୍ଗୀୟ ଲଳନା ରିୟା ଚକ୍ରବର୍ତ୍ତୀ ଯେ ତାଙ୍କ ସଙ୍ଗେ ରହୁଥିଲେ। ମନାନ୍ତର ଯୋଗୁଁ ସେ ଜୁନ୍‌ ୮ ତାରିଖରେ ତାଙ୍କ ଘର ଛାଡ଼ିଲେ, ଜୁନ ୯ ତାରିଖରେ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିୟାନ ଆତ୍ମହତ୍ୟା କଲେ ଓ ୧୪ ତାରିଖରେ ସୁଶାନ୍ତ ଆତ୍ମହତ୍ୟା କଲେ। ତା’ପରେ ମୁମ୍ବାଇ ପୁଲିସ ଅପମୃତ୍ୟୁ କେସ୍‌ ଦାୟର କରି ତଦନ୍ତ ଆରମ୍ଭ କଲେ। ପ୍ରସଙ୍ଗ ଥିଲା ନିରୀହ ସୁଶାନ୍ତ ବିହାରରୁ ଆସି ବଲିଉଡ଼ରେ ପକ୍ଷପାତିତାର ଶିକାର ହୋଇ ଆତ୍ମହତ୍ୟା କଲେ। ଜଣେ ମାନସିକ ଅବସାଦ ଗ୍ରସ୍ତ କଳାକାରର ମୃତ୍ୟୁରେ ମନୋବୈଜ୍ଞାନିକ କୋଣକୁ ଆଡ଼େଇ ଦିଆଗଲା। ତା’ପରେ ଆସିଲା ନିଶା ଔଷଧ ସେବନ ଓ ରିୟାଙ୍କ ଭୂମିକା। ସୁଶାନ୍ତଙ୍କ ପିତା ପାଟନାର ପ୍ରଭାବଶାଳୀ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କଲେ ଓ କହିଲେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ। ତା’ପରେ ଯେତେ ଚମକପ୍ରଦ ଘଟଣା ଘଟିଲା ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ବିହାରର ପାରିବାର ଡି.ଜିଙ୍କ ଏଫ.ଆଇ.ଆର ଦାୟର, ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରକୁ ଚିଠି ସିବିଆଇ ଅନୁସନ୍ଧାନ ପାଇଁ, ନିର୍ବାଚନ ଦୃଷ୍ଟିରୁ ତତ୍‌କ୍ଷଣାତ୍‌ କେନ୍ଦ୍ରର ଆଦେଶ ପ୍ରଦାନ, ରିୟାଙ୍କ ସୁପ୍ରିମକୋର୍ଟ ଗମନ, ସୁପ୍ରିମକୋର୍ଟଙ୍କ ଦ୍ବାରା ପାଟନା ଏଫ.ଆଇ.ଆର କାୟମ, ମୁମ୍ବାଇକୁ ସିବିଆଇର ଆଗମନ, ଇ.ଡ଼ିର ଆମଗନ ଇତ୍ୟାଦି। କୁଆଡ଼େ ଗଲା ୧୫ କୋଟି? ନାରକୋଟିକ୍‌ସ ବ୍ୟୁରୋର ଅନୁସନ୍ଧାନ ଆରମ୍ଭ ଓ ପଙ୍କିଳ ବଲିଉଡ଼ରୁ ମାଦକ ଦ୍ରବ୍ୟର ମୂଳ ଉତ୍ପାଟନ ପାଇଁ ରିପବ୍ଲିକ୍‌ ଟିଭି ଓ ଟାଇମ୍‌ସ ଟିଭିର ରଣ ହୁଙ୍କାର। ସୁଶାନ୍ତଙ୍କ ଆତ୍ମହତ୍ୟାକୁ ହତ୍ୟା ରୂପ ଦେଇ ରିୟାଙ୍କୁ ଜେଲ ପଠାଗଲା। ଆହୁରି ଚମକପ୍ରଦ ହେଲା ଏ ପ୍ରକରଣରେ ହିମାଚଳ ପୁତ୍ରୀ କଙ୍ଗନା ରଣାୱତଙ୍କ ଆବିର୍ଭାବ ଘଟି ସବୁ ଦିଗକୁ ସମସ୍ତଙ୍କୁ ଆକ୍ରମଣ କରି ଏକ ମହାଭାରତ ସୃଷ୍ଟି କରିବା। ମୁମ୍ବାଇ ପୁଲିସ, ବିହାର ପୁଲିସ, କେନ୍ଦ୍ରର ୩ଟି ଅଗ୍ରଣୀ ଅନୁସନ୍ଧାନକାରୀ ସ˚ସ୍ଥା, ମହାରାଷ୍ଟ୍ର, ବିହାର, କେନ୍ଦ୍ର ସରକାର ଓ ଗଣମାଧୢମ ପରସ୍ପର ଦୋଷାରୋପରେ ବ୍ୟସ୍ତ ରହିଲେ। ଶେଷରେ ଫଳ ହେଲା ଯଥା ପୂର୍ବ˚ ତଥା ପର˚। ମୁମ୍ବାଇ ପୁଲିସର ଅନୁସନ୍ଧାନ କାୟମ ରହିଲା।

ଶେଷରେ ପଦେ ସାହିନବାଗ ଉପରେ। ଏ ବିଷୟରେ ଆମେରିକାର ପ୍ରସିଦ୍ଧ ଟାଇମ ପତ୍ରିକାକୁ ଉଦ୍ଧୃତ କରିବି। ୨୦୨୦ରେ ପୃଥିବୀର ୧୦୦ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧୢରେ ଅଛନ୍ତି ୩ ଜଣ ଭାରତୀୟ। ବଲିଉଡ଼ ନାୟକ ଆୟୁଷ୍ମାନ ଖୁରାନାଙ୍କୁ ଛାଡ଼ି ଦେଲେ ବାକି ଦୁଇଜଣଙ୍କ ମଧୢରୁ ପ୍ରଭାବଶାଳୀ ନରେନ୍ଦ୍ର ମୋଦୀ ଜଣେ। ଅନ୍ୟ ଜଣକ ଅଜଣା ଅଶୁଣା ୮୨ ବର୍ଷ ବୟସ୍କ ମହିଳା ବିିଲକିସ ଯେ ସାହିନବାଗ ଆନ୍ଦୋଳନର ପ୍ରେରଣା ଦାୟିନୀ ଥିଲେ। ଅନେକଙ୍କ ମତରେ ନାଗରିକ ସ˚ଶୋଧନ ଆଇନ ବି‌େରାଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସେ ଥିଲେ ଗଣତନ୍ତ୍ରର ଆଲୋକବର୍ତ୍ତିକା।

(ମତାମତ ଲେଖକଙ୍କ ନିଜସ୍ବ)
୯୮-A, ସୂର୍ଯ୍ୟନଗର
[email protected]

ସମ୍ବନ୍ଧିତ ଖବର