ଅପପୁଷ୍ଟିର ଅଭିଶାପ

ଶେଖ୍‌ ଫରିଦ୍‌ଉଦ୍ଦିନ

ଆମ ଦେଶରେ ଅପପୁଷ୍ଟି ଉଦ୍‌ବେଗ ସୃଷ୍ଟି କରିଛି। ଖାଦ୍ୟାଭାବ, ରୋଗ, ଶିକ୍ଷା, ସଚେତନତାର ଅଭାବ ଇତ୍ୟାଦି ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଥିଲେ ସୁଦ୍ଧା ତାହା ବିଶେଷ ସଫଳ ହେଉନି। ଆମ ଦେଶରେ ପୁଷ୍ଟିହୀନତାର ଶିକାର ହେଉଥିବା ମହିଳା, ପୁରୁଷ ଓ ଶିଶୁଙ୍କ ସ˚ଖ୍ୟା ଯଥେଷ୍ଟ ଅଧିକ। ବିଶ୍ବ ବ୍ୟାଙ୍କ୍‌ ସୂଚନା ଅନୁଯାୟୀ ବୁଭୁକ୍ଷୁ ସୂଚକାଙ୍କରେ ଥିବା ୮୦ଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୬୭। ପ୍ରାୟ ୫୩ ପ୍ରତିଶତ ମହିଳା ଓ ୨୪ ପ୍ରତିଶତ ପୁରୁଷ ଅପପୁଷ୍ଟି ଯୋଗୁଁ ବିଭିନ୍ନ ରୋଗ ବ୍ୟାଧିର ଶିକାର ହେଉଛନ୍ତି। ଅପପୁଷ୍ଟି ଯୋଗୁଁ ରକ୍ତହୀନତା ଏକ ସାଧାରଣ କଥାରେ ପରିଣତ ହୋଇଛି। ତେଣୁ ସମସ୍ତଙ୍କୁ ସୁଷମ ଖାଦ୍ୟ ଯୋଗାଣ ଲକ୍ଷ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯାଇଛି। ହେଲେ ଅପପୁଷ୍ଟିକୁ ଦୂର କରାଯାଇ ପାରୁନାହିଁ।

ସ୍ବାସ୍ଥ୍ୟସେବା ରିପୋର୍ଟ ଅନୁଯାୟୀ ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ଼, ତାମିଲନାଡୁ, ବିହାର, ମହାରାଷ୍ଟ୍ର, ଆସାମ, ରାଜସ୍ଥାନ, ମଧ୍ୟପ୍ରଦେଶ ଇତ୍ୟାଦି ରାଜ୍ୟରେ ପୁରୁଷମାନେ ଅଧିକ ସ˚ଖ୍ୟାରେ ଅପପୁଷ୍ଟିର ଶିକାର ହେଉଛନ୍ତି। ପୁଷ୍ଟିହୀନତା କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟରେ ରହିଛି। ଆବଶ୍ୟକତା ଠାରୁ କମ୍‌ ଓଜନ କ୍ଷେତ୍ରରେ ମହିଳାଙ୍କ ସ୍ଥାନ ପ୍ରଥମରେ ରହିଛି। ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଅପପୁଷ୍ଟିର ଶିକାର ହୋଇଥିବା ରାଜ୍ୟ ଉପରେ ସର୍ଭେ କରାଯାଇଥିଲା। ସ˚ପୃକ୍ତ ରାଜ୍ୟର ଆର୍ଥିକ ସ୍ଥିତି, ଜନସ˚ଖ୍ୟା, ଆୟ, ଜୀବନ ଧାରଣର ମାନ, ପୁଷ୍ଟିହୀନତା ନିରାକରଣ ଲାଗି ଉଦ୍ଦିଷ୍ଟ ସରକାରୀ ଯୋଜନା ଇତ୍ୟାଦି ଉପରେ ସର୍ଭେ କରାଯାଇ ଅପପୁଷ୍ଟିର ସ୍ଥିତି ନିର୍ଦ୍ଧାରଣ କରାଯାଇଥିଲା। ଏହି ଆକଳନ ଅନୁଯାୟୀ ମଧ୍ୟପ୍ରଦେଶରେ ଶିଶୁଙ୍କ ପୁଷ୍ଟିହୀନତା ସର୍ବାଧିକ। ସେହିପରି ଅଧିକ ଶିକ୍ଷିତ ରାଜ୍ୟ ତାମିଲନାଡୁରେ ମଧ୍ୟ ପୁଷ୍ଟିହୀନତା ସମସ୍ୟା କିଛି କମ୍‌ ନାହିଁ। ଆମ ରାଜ୍ୟ ଓଡ଼ିଶା ପୁରୁଷ ପୁଷ୍ଟିହୀନତାର ଶୀର୍ଷରେ ରହିଛି। ରାଜ୍ୟରେ ପୁରୁଷ ଅପପୁଷ୍ଟି ହାର ୩୬.୧% ଓ ସେହି ତୁଳନାରେ ବିହାରରେ ଏହା ଯଥେଷ୍ଟ କମ୍‌। ସର୍ବାଧିକ ଜନବହୁଳ ତଥା ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ପୁରୁଷ ପୁଷ୍ଟିହୀନତାର ହାର ପ୍ରାୟ ୩୨%। ବିହାରରେ ଏହି ହାର ୩୩.୭% ଥିବା ବେଳେ ମହିଳା ପୁଷ୍ଟିହୀନତା କ୍ଷେତ୍ରରେ ଆମ ରାଜ୍ୟ ତୃତୀୟ ସ୍ଥାନରେ ରହିଛି। ଆମ ରାଜ୍ୟରେ ୩୨.୨% ମହିଳା ପୁଷ୍ଟିହୀନତାର ଶିକାର ହୋଇ ରକ୍ତହୀନତା ଭଳି ବିଭିନ୍ନ ରୋଗରେ ପୀଡ଼ିତ ଥିବା ଜଣା ପଡ଼ିଛି। ପୁଷ୍ଟିହୀନତାରେ ମହିଳାଙ୍କ କ୍ଷେତ୍ରରେ ବିହାର ପ୍ରଥମ ଓ ରାଜସ୍ଥାନ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଆମ ରାଜ୍ୟରେ ୧୮ରୁ ୫୯ ବୟସର ମହିଳା ଅଧିକ ସ˚ଖ୍ୟାରେ ପୁଷ୍ଟିହୀନତା ଦ୍ବାରା ପ୍ରଭାବିତ। ଛତିଶଗଡ଼ରେ ମହିଳା ପୁଷ୍ଟିହୀନତାର ହାର ୩୦% ହୋଇଥିବା ବେଳେ ମଧ୍ୟପ୍ରଦେଶରେ ଏହା କମ୍‌। ଶିଶୁ ଅପପୁଷ୍ଟିକୁ ବିଚାର କରାଗଲେ ମାଲକାନାଗିରି ଜିଲ୍ଲାରେ ଏହି ସ˚ଖ୍ୟା ଅଧିକ। ଏଠାରେ ୬୪.୪% ଶିଶୁ ଅପପୁଷ୍ଟିଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ। ସୁଷମ ଖାଦ୍ୟ, ଆବଶ୍ୟକ ଯତ୍ନ, ସ୍ବାସ୍ଥ୍ୟସେବା ଅଭାବରୁ ମାଲକାନାଗିରିରେ ଆବଶ୍ୟକତା ଠାରୁ କମ୍‌ ଓଜନର ଶିଶୁଙ୍କ ସ˚ଖ୍ୟା ବଢ଼ି ଚାଲିଛି ଓ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନରେ ରହିଛି। ଜାତୀୟ ସ୍ତରରେ ୫୦ଟି ଜିଲ୍ଲାର ସ୍ଥିତି ଆକଳନ କରାଯାଇ ଶିଶୁ ପୁଷ୍ଟିହୀନତାର ସ୍ଥିତି ନିର୍ଦ୍ଧାରଣ କରାଯାଇଛି। ବୟସ ତୁଳନାରେ କମ୍‌ ଓଜନର ଶିଶୁଙ୍କ ହାର ରାୟଗଡ଼ାରେ ୩୦%, ଦେବଗଡ଼ରେ ୩୦%, ବୌଦ୍ଧରେ ୨୮.୭%, ବଲାଙ୍ଗୀରରେ ୨୭.୫%, କଳାହାଣ୍ତି ଜିଲ୍ଲାରେ ୨୬.୯%।

ଉଲ୍ଲେଖନୀୟ ଯେ, ଅପପୁଷ୍ଟି ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସୁଷମ ଖାଦ୍ୟ ଯୋଗାଣ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା, ସ୍ବାସ୍ଥ୍ୟସେବା ପାଇଁ ଜାତୀୟ ସ୍ବାସ୍ଥ୍ୟ ବୀମା ଯୋଜନା ରହିଛି। ଶିକ୍ଷା ଓ ସଚେତନତା ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ କରାଯାଉଛି। ତେଣୁ ଅପପୁଷ୍ଟିର ଅଭିଶାପର ମାତ୍ରା ଧୀରେ ଧୀରେ କମିବାକୁ ଲାଗିଛି। କିନ୍ତୁ ଯେ ପର୍ଯ୍ୟନ୍ତ ଅପପୁଷ୍ଟିର ରାକ୍ଷସ ସଂପୂର୍ଣ୍ଣ ହଟିନାହିଁ, ସେ ପର୍ଯ୍ୟନ୍ତ ଏକ ସୁସ୍ଥ ସମାଜ ଅସମ୍ଭବ ଏବଂ ସେ ଦିଗରେ ପ୍ରୟାସ ଜାରି ରହିବା ଉଚିତ।

ଦୂରସଂଚାର ଭବନ, କଟକ
ମୋ: ୯୪୩୭୦୦୪୮୮୮

ସମ୍ବନ୍ଧିତ ଖବର