୧୯୯୪ରେ, ନିଉୟର୍କ୍ରେ ପ୍ରଥମ ଥର ପାଇଁ ଇନୁଗା ଶ୍ରୀନିବାସଲୁ ରେଡ଼ୀଙ୍କୁ ଭେଟିଥିଲି। ଗୋପାଳକୃଷ୍ଣ ଗାନ୍ଧୀଙ୍କଠାରୁ ପ୍ରଥମେ ତାଙ୍କ ବାବଦରେ ଶୁଣିଥିଲି। ମହାତ୍ମା ଗାନ୍ଧୀଙ୍କ ଉପରେ ଇଏସ୍ ରେଡ଼ୀ ଅନେକ କିଛି ଜାଣିଥିବା ଏବଂ ଜଣେ ଗାନ୍ଧୀ-ବିଦ୍ବାନ୍ ବୋଲି ଗୋପାଳକୃଷ୍ଣ କହିଥିଲେ। ପରବର୍ତ୍ତୀ ପଚିଶ ବର୍ଷ ଧରି ଗୋପାଳକୃଷ୍ଣଙ୍କ ଉକ୍ତ କଥା ପଦକର ସତ୍ୟତାର ମୁଁ ମୂକସାକ୍ଷୀ। ତାହାର କିଛି ପ୍ରମାଣ ବେଙ୍ଗାଲୁରୁସ୍ଥିତ ମୋ ଡେସ୍କ୍ଟପ୍ କ˚ପ୍ୟୁଟର୍ରେ ଅଛି। ସେଥିରେ ତିନିଟି ବିଶାଳ ଫୋଲ୍ଡର୍ ଅଛି, ଯାହା ‘ଇଏସ୍ ରେଡ଼ୀ ମାଟେରିଆଲ୍: ଇନ୍ଷ୍ଟଲ୍ମେନ୍ଟ-୧, ୨ ଓ ୩’ ଭାବେ ନାମିତ। ସେଥିରେ ଅଛି, ଗୋପାଳକୃଷ୍ଣଙ୍କର ବନ୍ଧୁ (ପରେ ମୋର ମଧ୍ୟ ବନ୍ଧୁ), ମୋତେ ଉପହାର ଦେଇଥିବା ଶହ ଶହ ଫାଇଲ୍। ବିଗତ ବର୍ଷଗୁଡ଼ିକରେ ସେ ସବୁ କେତେ ବେଳେ ଇ-ମେଲ୍ ଆକାରରେ ଆସିଛି ତ କେତେ ବେଳେ ସିଡି ଆକାରରେ କୁରିଅର୍ ମାଧ୍ୟମରେ ଆସିଛି। ତାହା ମଧ୍ୟରେ ଅଛି ପ୍ରାୟ ଅଧ ଡଜନ୍ ଭାଷାରେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ଗୁଡ଼ିଏ ନିବନ୍ଧ; ତିନିଟି ଦେଶରେ ଥିବା ଗାନ୍ଧୀଙ୍କର ସହକର୍ମୀଙ୍କର ବିବରଣୀ; ତାଙ୍କ ମୃତ୍ୟୁ ପରେ ପ୍ରକାଶିତ ଗୁରୁତ୍ବପୂର୍ଣ୍ଣ ଟୀକା; ଏବ˚ ଆହୁରି ଅନେକ କିଛି।
ବିଶ୍ବର ମହାନ ଗାନ୍ଧୀ-ବିଦ୍ବାନ୍ ହେବା ପୂର୍ବରୁ ଇଏସ୍ ରେଡ଼ୀ, ଅନ୍ୟ ଏକ କ୍ଷେତ୍ରରେ କୃତିତ୍ବ ହାସଲ କରିଥିଲେ। ତାଙ୍କର ଜନ୍ମ ୧୯୨୪ରେ, ଏକ ସ୍ବାଧୀନତା ସ˚ଗ୍ରାମୀ ପରିବାରରେ ହୋଇଥିଲା। ବଢ଼ିଥିଲେ ଦକ୍ଷିଣ ଭାରତରେ। ପେସାଦାର ଜୀବନରେ ସେ ନିଉୟର୍କ୍ସ୍ଥିତ ‘ଜାତିସ˚ଘ’ର ମୁଖ୍ୟ କାର୍ଯ୍ୟାଳୟରେ କାମ କରୁଥିଲେ। ବର୍ଣ୍ଣବୈଷମ୍ୟବାଦ ବିରୋଧରେ କାର୍ଯ୍ୟ କରୁଥିବା ‘ଜାତିସ˚ଘ’ର ବିଭାଗ ସହ ସେ ଅଧିକତର ସ˚ପୃକ୍ତ ଥିଲେ। ଦକ୍ଷିଣ ଆଫ୍ରିକା ବାହାରେ ସ˚ଭବତଃ ଇଏସ୍ ରେଡ଼ୀ, ସେହି ଦେଶରେ ବର୍ଣ୍ଣବୈଷମ୍ୟବାଦୀ ଶାସନର ଲୋପ ପାଇଁ ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ତୁଳନାରେ ସର୍ବାଧିକ ପ୍ରଚେଷ୍ଟା କରିଥିଲେ। ଷାଠିଏ ବର୍ଷ ବୟସ ହେବା ପରେ ସେ ଅବସର ନେବା ସହ ଗାନ୍ଧୀ ସ˚ପର୍କିତ ଅଧ୍ୟୟନକୁ ଅଧିକ ସମୟ ଦେବାକୁ ସମର୍ଥ ହୋଇଥିଲେ। ସେ ଗାନ୍ଧୀ ତଥା ତାଙ୍କର ପ୍ରଭାବ ଓ ଉତ୍ତରାଧିକାର ବାବଦରେ ଡଜନେରୁ ଅଧିକ ବହି ଲେଖିଥିଲେ ବା ସ˚ପାଦନା କରିଥିଲେ। ତାଙ୍କ ଦ୍ବାରା ରଚିତ ଆଉ ଦୁଇଟି ବହି ଏବେ ପ୍ରକାଶନ ଅପେକ୍ଷାରେ। ଯେଉଁ ବିଷୟ ହେଉ ନା କାହିଁକି ଅନ୍ୟ ବିଦ୍ବାନ୍ଙ୍କ ଭଳି ସେ ଅଧିକାରବାଦୀ ନ ଥିଲେ। ତାଙ୍କ ନିକଟରେ ଯାହା କିଛି ଜ୍ଞାନ ସମ୍ବଳିତ ସାମଗ୍ରୀ ଥିଲା, ଯିଏ ଚାହୁଁଥିଲେ ତାଙ୍କୁ ଯୋଗାଇ ଦେଉଥିଲେ। ଶିକ୍ଷାର୍ଥୀ ଓ ଗବେଷକମାନଙ୍କୁ ସାହାଯ୍ୟ କରୁଥିଲେ। ସହସ୍ରାଧିକ ବିରଳ ନଥି, ‘ନେହରୁ ମେମୋରିଆଲ୍ ମିଉଜିଅମ୍ ଆଣ୍ତ୍ ଲାଇବ୍ରେରି’ ଓ ‘ୟେଲ୍ ୟୁନିଭର୍ସିଟି’ ଭଳି ଅନୁଷ୍ଠାନକୁ ଦାନ କରିଥିଲେ। ଅହମଦାବାଦସ୍ଥିତ ସାବରମତୀ ଆଶ୍ରମର ପ୍ରଥମ କ˚ପ୍ୟୁଟର୍ କିଣିବା ପାଇଁ ଇଏସ୍ ରେଡ଼ୀ ହିଁ ଅର୍ଥ ଦେଇଥିଲେ; ଯାହା ଦ୍ବାରା ଆଶ୍ରମରେ ଥିବା ଗାନ୍ଧୀଙ୍କର ଦୁର୍ମୂଲ୍ୟ ଚିଠି-ପତ୍ରର ଡିଜିଟାଲାଇଜେସନ୍ ହୋଇ ପାରିଥିଲା।
ଗତ ସପ୍ତାହରେ ଇଏସ୍ ରେଡ଼ୀଙ୍କର ବିୟୋଗ ହୋଇଯାଇଛି। ତାଙ୍କ ସମ୍ମାନାର୍ଥେ ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ମୁଁ ଏକ ଶ୍ରଦ୍ଧାଞ୍ଜଳି ଲେଖିଥିଲି। ସେଥିରେ ତାଙ୍କ ଜୀବନ ଓ କାର୍ଯ୍ୟ ସ˚ପର୍କିତ କିଛି ମହତ୍ତ୍ବପୂର୍ଣ୍ଣ ବିବରଣୀ ଦେଇଥିଲି। ଏହି ସ୍ତମ୍ଭରେ ମୁଁ ଅଧିକ ବ୍ୟକ୍ତିଗତ ସ୍ତରର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି; ମୋ ଭଳି ଅନ୍ୟ ଗାନ୍ଧୀ ଗବେଷକଙ୍କ ଲାଗି ସେ କିପରି ମହତ୍ତ୍ବ ରଖୁଥିଲେ, ତାହା ଲେଖିବି।
ଇଏସ୍ ରେଡ଼ୀ, ମୋତେ କ୍ରମାଗତ ଭାବେ ଅନେକ ପ୍ରାଥମିକ ସାମଗ୍ରୀ ଯୋଗାଇବା ଛଡ଼ା, କେତେକ ପୁସ୍ତକ ପାଠ କରିବା ପାଇଁ ପରାମର୍ଶ ଦେଇଥିଲେ। ଦୃଷ୍ଟାନ୍ତ ସ୍ବରୂପ ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହ ଉପରେ ଲେଖା ଯାଇଥିବା ଦୁଇଟି ପ୍ରତ୍ୟକ୍ଷଦର୍ଶୀ ବିବରଣୀ ପାଠ କରିବାକୁ କହିଥିଲେ। ସେହି ଦୁଇଟି ଲେଖିଥିଲେ- ଭବାନୀ ଦୟାଲ ଓ ରାଓଜୀଭାଇ ପଟେଲ। ମୁଁ ଥରେ ଗାନ୍ଧୀଙ୍କର ଏକ ଜୀବନୀ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ସେଥିରେ ଉଲ୍ଲେଖିତ କେତେକ ନିର୍ଦିଷ୍ଟ ବିଷୟକୁ ଯତ୍ନର ସହ ଅନୁଧ୍ୟାନ କରିବା ପାଇଁ ସେ ପୂର୍ବରୁ ସୂଚାଇ ଦେଇଥିଲେ। ଗୋଟିଏ ପତ୍ରରେ ସେ ଲେଖିଥିଲେ: ‘ଗାନ୍ଧୀ ଓ ଇହୁଦୀମାନଙ୍କ ଉପରେ ଲେଖାଯାଇଥିବା ଏକ ଅଧ୍ୟାୟ ପ୍ରତି ବିଶେଷ ଧ୍ୟାନ ଦେବେ। ଗାନ୍ଧୀଙ୍କ ସହ ବନ୍ଧୁତା ଥିବା ପାଶ୍ଚାତ୍ୟର ବିଦ୍ବାନ୍ମାନେ ଏହି ଅଧ୍ୟାୟକୁ ସ୍ପର୍ଶ କରିବାକୁ ଚାହୁଁ ନ ଥିଲେ। କାରଣ, ଜର୍ମାନିର ଇହୁଦୀମାନେ ସାମୂହିକ ଆତ୍ମହତ୍ୟା କରିବା ଉଚିତ ବୋଲି ଲୁଇ ଫିସର୍ଙ୍କ ପୁସ୍ତକରେ ଠାଏ ଲିଖିତ। ଏହି ବିଷୟରେ ମୁଁ ସ˚ଗ୍ରହ କରିଥିବା କିଛି ତଥ୍ୟ ପଠାଇଲି। ଏଥିରେ ଅଛି, ଆରବୀମାନଙ୍କ ସହ ବନ୍ଧୁତା ଚାହୁଁଥିବା ହିବ୍ରୁ (ଇହୁଦୀ)ୟୁନିଭର୍ସିଟିର ଦୁଇ ମୁଖ୍ୟ ମାର୍ଟିନ୍ ବୁବର୍ ଓ ଜୁଡା ଏଲ୍ ମାଗ୍ନେସ୍, ମହାତ୍ମା ଗାନ୍ଧୀଙ୍କୁ ଲେଖିଥିବା ପତ୍ର।’
ଗାନ୍ଧୀ ନିଜ ସ୍ମୃତି-କଥାରେ ପ୍ରବାସରେ ତାଙ୍କର ସ˚ଘର୍ଷକୁ ‘ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ’ ନାମ ଦେଇଥିଲେ। ଗାନ୍ଧୀ ନିଜେ ଯାହା ଲେଖିଥିଲେ, ତାହା ବାହାରକୁ ଯିବା ପାଇଁ ଇଏସ୍ ରେଡ଼ୀ, ମୋତେ ଅନୁରୋଧ କରିଥିଲେ। ୨ ଅକ୍ଟୋବର୍ ୨୦୦୯ରେ, ମହାତ୍ମାଙ୍କ ଶହେ ଚାଳିଶତମ ଜନ୍ମବାର୍ଷିକୀ ଅବସରରେ ମୋ ପାଖକୁ ଏକ ପତ୍ରରେ ଲେଖିଥିଲେ: ‘ଗାନ୍ଧୀ ସତ୍ୟାଗ୍ରହରେ ତାମିଲମାନଙ୍କୁ ବିଶେଷ ସ୍ବୀକୃତି ଦେଇଥିବା ମୁଁ ଭାବୁନାହିଁ। ସେ ଗୁଜରାଟୀମାନଙ୍କର ବିଶେଷ ପ୍ରଶ˚ସା କରିଥିଲେ; ଯଥା- କଚାଲିୟା, ରୁସ୍ତମଜୀ, ଅଦଜାନିୟା ଆଦି। ହୁଏ ତ ଗୁଜରାଟୀଙ୍କ ସହ ଅନ୍ତରଙ୍ଗ ସାମାଜିକ ସ˚ପର୍କ ଏହାର କାରଣ ହୋଇପାରେ। କିନ୍ତୁ, ତାମିଲମାନେ ଅମ୍ବି ନାଇଡୁଙ୍କ ନେତୃତ୍ବରେ ସତ୍ୟାଗ୍ରହ ଜାରି ରଖିଥିଲେ, ଯେତେ ବେଳେ ଗୁଜରାଟୀ ବ୍ୟବସାୟୀମାନେ ଛାଡ଼ି ଚାଲିଯାଇଥିଲେ।’
ଇଏସ୍ ରେଡ଼ୀ ଆହୁରି ମଧ୍ୟ ପ୍ରବାସରେ ଗାନ୍ଧୀଙ୍କର ସାମାଜିକ ଦୃଷ୍ଟିଭଙ୍ଗୀର ବିଶାଳତା କଥା ମନେ ପକାଇ ଦେଇଥିଲେ। ତାଙ୍କ ଭାଷାରେ: ‘ଦକ୍ଷିଣ ଆଫ୍ରିକାରେ ନିଜର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସେ କୃଷକ, ଶ୍ରମିକ ଓ ମହିଳାଙ୍କୁ ଆନ୍ଦୋଳନରେ ସାମିଲ କରିଥିଲେ। ଅନେକ ବ୍ୟବସାୟୀ ଆନ୍ଦୋଳନରୁ ଦୂରେଇ ଯିବା ପରେ ସ˚କଟରେ ଥିଲେ ବି ଗରିବ ଲୋକେ ଆଶାତୀତ ଭାବେ ସମର୍ଥନ ଦେଇଥିଲେ; ଯଦିଓ ଗାନ୍ଧୀ, ସେମାନଙ୍କୁ ବିଶେଷ କିଛି ଶିକ୍ଷା ଦେଇ ନ ଥିଲେ। ୧୯୧୩ ମହିଳାମାନଙ୍କୁ ଯୋଗ ଦେବା ପାଇଁ ସେ ଆମନ୍ତ୍ରଣ କରିଥିଲେ, ଯାହାର ପ୍ରତିକ୍ରିୟା ଉଲ୍ଲେଖନୀୟ ଥିଲା। ଯଦିଓ ସେମାନେ ବହୁ ସ˚ଖ୍ୟାରେ ଆସି ନ ଥିଲେ, ଯେଉଁମାନେ ଆସିଥିଲେ, ସ˚ପୂର୍ଣ୍ଣ ଦୃଢ଼ତାର ସହ ଆସିଥିଲେ।’
ଗାନ୍ଧୀଙ୍କ ଜୀବନ ଓ କାର୍ଯ୍ୟକ୍ରମ ଉପରେ ଇଏସ୍ ରେଡ଼ୀଙ୍କର ଗଭୀର ଜ୍ଞାନ ଥିଲା। ଯିଏ ଚାହୁଁଥିଲେ, ସେ ବିଶ୍ବର ଯେଉଁ ଅଞ୍ଚଳର ହୁଅନ୍ତୁ ନା କାହିଁକି, ତାଙ୍କ ସାହାଯ୍ୟ ପାଉଥିଲେ। ତାଙ୍କ ପାଖରେ ତଥ୍ୟ ଥିଲା। ତାହା ଛଡ଼ା ସେ ଗାନ୍ଧୀଙ୍କ ଚରିତ୍ର ଓ ବ୍ୟକ୍ତିତ୍ବକୁ ଭଲ ଭାବେ ବୁଝିଥିଲେ। ୨୦୧୧ରେ ଆମ ଭିତରେ ଏ ସ˚ପର୍କରେ ଭାବ-ବିନିମୟ ହୋଇଥିଲା, ଯେତେବେଳେ ମୁଁ ଆମ ସମୟର ପ୍ରଚାର ଚାହୁଁଥିବା ବାବାମାନଙ୍କ ସହ ଗାନ୍ଧୀଙ୍କ ତୁଳନା କରି ଏକ ନିବନ୍ଧ ପ୍ରକାଶ କରିଥିଲି। ମୁଁ ମୁଖ୍ୟତଃ ବାବା ରାମଦେବଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲି, ଯିଏ ନୂଆଦିଲ୍ଲୀରେ ଦୁର୍ନୀତି ବିରୋଧରେ ଅନଶନରେ ବସିଥିଲେ; କିନ୍ତୁ, ଯେତେବେଳେ ପୁଲିସ୍ ପହଞ୍ଚିଥିଲା, ଅନଶନ ସ୍ଥଳ ଛାଡ଼ି ପଳାୟନ କରିଥିଲେ।
ନିଜ ସ୍ତମ୍ଭରେ ମୁଁ ଲେଖିଥିଲି, ଗାନ୍ଧୀ ଥିଲେ ଜଣେ ରାଜନୈତିଜ୍ଞ, ସମାଜ ସ˚ସ୍କାରକ ଏବ˚ ଯାହାଙ୍କ ପାଇଁ ଉଭୟ ନୈତିକ ଓ ଆଧ୍ୟାତ୍ମିକ ଜୀବନ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ ଥିଲା। ମୁଁ ଆହୁରି ମଧ୍ୟ ଲେଖିଥିଲି, ତାଙ୍କ ରାଜନୈତିକ କାର୍ଯ୍ୟ-କଳାପ ସାର୍ବଜନୀନ ଥିଲା; ତେବେ, ତାଙ୍କ ନୈତିକ ଅନ୍ବେଷଣ ନିଜ ଆଶ୍ରମରେ ଏକାନ୍ତରେ, ବ୍ୟକ୍ତିଗତ ସ୍ତରରେ ହେଉଥିଲା। ତାଙ୍କ କ୍ଷେତ୍ରରେ ଏକାନ୍ତତା ଓ ଆଧ୍ୟାତ୍ମିକତା ଏକ ସଙ୍ଗେ ଚାଲିଥିଲା। ତେଣୁ, ରାଜନୈତିକ କାର୍ଯ୍ୟକଳାପ ମଧ୍ୟରେ ସୁଦ୍ଧା ସେ ମାସ ମାସ ଧରି ସାବରମତୀ ବା ସେବାଗ୍ରାମରେ ସମୟ କାଟୁଥିଲେ; ଚିନ୍ତନ କରୁଥିଲେ, ଅନ୍ବେଷଣ କରୁଥିଲେ। ଅପରପକ୍ଷେ, ଆମର ଏବର ଗୁରୁମାନେ ଦିନଟିଏ ହେଲେ ଏକଲା ରହିପାରିବେନାହିଁ। ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ଭୟ କରି ବାବା ରାମଦେବ ଦିଲ୍ଲୀରୁ ପଳାୟନ କଲା ପରେ କହିଲେ, ନିଜର ହରିଦ୍ବାରସ୍ଥିତ ଆଶ୍ରମରେ ସତ୍ୟାଗ୍ରହ ଜାରି ରଖିବେ। ତେବେ, ହରିଦ୍ବାରରେ ଚବିଶ ଘଣ୍ଟା ନ ପୂରୁଣୁ, ସେହି ସ୍ଥାନ ଛାଡ଼ି ଦେଇଥିଲେ, ଯେମିତିକି ଗଣମାଧ୍ୟମରେ ଥିବା ନିଜ ବନ୍ଧୁଙ୍କ ଗହଣରେ ରହିପାରିବେ। ଅଧିକା˚ଶ ଟେଲିଭିଜନ୍ ଚାନେଲ୍ର ମୁଖ୍ୟ କାର୍ଯ୍ୟାଳୟ ନୋଏଡ଼ାରେ ରହିଛି ବୋଲି ରାମଦେବଙ୍କୁ ଜଣା ଥିଲା। ଏହି ଚାନେଲ୍ଗୁଡ଼ିକ ପକ୍ଷରୁ ଉତ୍ତରାଖଣ୍ତକୁ ପ୍ରତିନିଧି ପଠାଯିବାର ସ˚ଭାବନା ନ ଥିବାରୁ, ରାମଦେବ ସ୍ବୟ˚ ସେମାନଙ୍କ ପାଖକୁ ଆସିଯାଇଥିଲେ।
ଇଏସ୍ ରେଡ଼ୀ, ମୋ ନିବନ୍ଧ ପଢ଼ିବା ପରେ ମୋ ପାଖକୁ ଏକ ଲମ୍ବା ପତ୍ର ଲେଖିଥିଲେ। ରାମଦେବ ବାବା ଆଧ୍ୟାତ୍ମିକ ତୁଳନାରେ ଅଧିକ ପ୍ରଚାର-ପ୍ରିୟ, ମୋର ଏହି ମତାମତର ସେ ବିରୋଧ କରି ନ ଥିଲେ। ତେବେ, ଗାନ୍ଧୀଙ୍କ ସ˚ପର୍କରେ ମୋର ମନ୍ତବ୍ୟକୁ ସେ ଗ୍ରହଣ କରିପାରି ନ ଥିଲେ। ଲେଖିଥିଲେ: ‘ଗାନ୍ଧୀ କେବେ ହେଲେ ଫଟୋଗ୍ରାଫର୍ଙ୍କ ପାଇଁ ପୋଜ୍ ଦେଉ ନ ଥିଲେ କି˚ବା ଖବରରେ ରହିବାକୁ ଚାହୁଁ ନ ଥିଲେ। ହେଲେ, ସେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ରକ୍ଷାକୁ ଗୁରୁତ୍ବ ଦେଉଥିଲେ। ନିଜର ଗସ୍ତ ବେଳେ ସେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ; ନିଜର ସାପ୍ତାହିକ ପତ୍ରିକା ‘ହରିଜନ’ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରୁଥିଲେ। ସ୍ବାଧୀନତା ସ˚ଗ୍ରାମ ସ˚ପର୍କିତ ରାଜନୈତିକ ବିଷୟରେ ଉଭୟ ଭାରତୀୟ ଓ ବିଦେଶୀ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଉଥିଲେ। ସେ ନିଜ ପାଇଁ ପ୍ରଚାର ଲୋଡ଼ୁ ନ ଥିଲେ। କାରଣ ସେ ସମ୍ମାନ, ପ୍ରତିଷ୍ଠା, କ୍ଷମତା, ପଦ ଓ ଅର୍ଥ ଆଦି ଚାହୁଁ ନ ଥିଲେ। ସେ ଯେଉଁଥି ପାଇଁ ଲଢ଼ୁଛନ୍ତି, କେବଳ ତାହାର ପ୍ରଚାର ଚାହୁଁଥିଲେ। ଏହାର ପରିଣାମ ସ୍ବରୂପ ଉଭୟଙ୍କର ପ୍ରଚାର ହେଉଥିଲା।’
ଇଏସ୍ ରେଡ଼ୀ ଆହୁରି ମଧ୍ୟ ଲେଖିଥିଲେ: ‘ଗାନ୍ଧୀ ଏକାନ୍ତରେ ବ୍ୟକ୍ତିଗତ ଭାବେ ଧ୍ୟାନ କରୁଥିଲେ। କିନ୍ତୁ, ତାଙ୍କର ଧର୍ମ ବ୍ୟକ୍ତିିଗତ ନ ଥିଲା। ତାଙ୍କର ପ୍ରାର୍ଥନା ସଭାଗୁଡ଼ିକ ସାର୍ବଜନୀନ ଥିଲା। ସମସ୍ତ ଧର୍ମକୁ ସେ ସମ୍ମାନ ଦେଉଥିଲେ। ତାଙ୍କ ଆଧ୍ୟାତ୍ମିକତା, ତାଙ୍କୁ ରାଜନୀତି କ୍ଷେତ୍ରରେ ପ୍ରବେଶ କରାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା, ଅନ୍ୟାୟର ଅନ୍ତ ଘଟାଇବା। ସେ ଅରବିନ୍ଦଙ୍କ ଭଳି ନିଜକୁ ଆଶ୍ରମ ମଧ୍ୟରେ ସୀମିତ ରଖି ନ ଥିଲେ। ତାଙ୍କ ଆଧ୍ୟାତ୍ମିକତା ଯୋଗୁଁ ଲୋକେ ତାଙ୍କୁ ଅନୁସରଣ କରନ୍ତୁ, ଏହା ମଧ୍ୟ କହୁ ନ ଥିଲେ। ସେ ଗେରୁଆ ବସ୍ତ୍ର ଧାରଣ କରୁ ନ ଥିଲେ; ସାଧାରଣ ଗରିବ କୃଷକର ପୋଷାକ ପିନ୍ଧୁଥିଲେ। ସେ ମହାତ୍ମା ଉପାଧିକୁ ପ୍ରତ୍ୟାଖ୍ୟାନ କରିଥିଲେ; କାରଣ ସେ ନିଜର ବିଫଳତା ବାବଦରେ ଅବଗତ ଥିଲେ। ସେ ଅନ୍ଧ-ଭକ୍ତ ବା ଅନ୍ଧ-ଅନୁଗାମୀ ଚାହୁଁ ନ ଥିଲେ। ଧର୍ମର ବ୍ୟବହାର ବିନା ଲୋକଙ୍କୁ ପ୍ରବର୍ତ୍ତାଇବାକୁ ସର୍ବଦା ଉଦ୍ୟମ କରୁଥିଲେ।
ଗାନ୍ଧୀଙ୍କର ନିଜ ପିଲାଙ୍କ ସହ ଅସହଜ ସ˚ପର୍କ ବାବଦରେ ତର୍ଜମା କରିବା ପାଇଁ ଇଏସ୍ ରେଡ଼ୀ ମୋତେ ପରାମର୍ଶ ଦେଇଥିଲେ। ତାହା ଥିଲା ଏହି ପରି: ‘ଏଥିରେ ସନ୍ଦେହ ନାହିଁ ଯେ, ଗାନ୍ଧୀ ନିଜର ପୁତ୍ର ହରିଲାଲଙ୍କ ବାବଦରେ ଅସମ୍ବେଦନଶୀଳ ଥିଲେ। ସେ ନିଜର ପୁତ୍ରମାନଙ୍କୁ ସର୍ବଦା କହୁଥିଲେ- ମୋ ସେବା କର, ଯାହା ଏକ ପିତୃ-ପ୍ରଧାନ ପ୍ରବୃତ୍ତି ଥିଲା।’ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଙ୍କର ସମାଲୋଚନା ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେବାକୁ ସେ, ମୋତେ ଅନୁରୋଧ କରିଥିଲେ।
ଜଣେ ଜାଣିଥିବା ମଣିଷଙ୍କୁ ଗୁଗୁଲ୍ରେ ଖୋଜେନାହିଁ କି ବନ୍ଧୁମାନଙ୍କ ସ˚ପର୍କରେ ସୂଚନା ଓ ତଥ୍ୟ ଵିକିପେଡିଆରେ ଖୋଜେନାହିଁ। ତେବେ, ଇଏସ୍ ରେଡ଼ୀଙ୍କୁ ପ୍ରଥମ ଥର ଭେଟିବାର ପ୍ରାୟ ଦୁଇ ଦଶନ୍ଧି ପରେ, ତାଙ୍କ ଵିକିପେଡିଆ ପୃଷ୍ଠା ପାଇଲି। ସେ ୧ ଜୁଲାଇରେ ଜନ୍ମ ହୋଇଥିବା, ସେଠାରେ ଆବିଷ୍କାର କଲି। ସେ ପ୍ରକୃତରେ ସେହି ଦିନରେ ଜନ୍ମ ହୋଇଥିଲେ କି ନା ଜାଣିବା ପାଇଁ ତାଙ୍କୁ ପତ୍ର ଲେଖିଲି। ଉକ୍ତ ଜନ୍ମ ତାରିଖ ଓ ମସିହାକୁ ନେଇ ମୁଁ କୌତୂହଳୀ ହୋଇଥିଲି। କାରଣ, ମୋ ପିତା ଠିକ୍ ସେହି ଦିନ, ମାସ ଓ ବର୍ଷରେ ଜନ୍ମ ହୋଇଥିଲେ। ତେବେ, ସେ ଉତ୍ତର ଦେଇ ନ ଥିଲେ; ନା ନିଶ୍ଚିତ କରିଥିଲେ, ନା ମନା କରିଥିଲେ। ସେ ଯାହା ହେଉ ଗାନ୍ଧୀ-ଗବେଷକ ଭାବେ ମୋ ଯାତ୍ରାରେ ସେ ମୋ ‘ପିତା’ ସମ।
କେବଳ ମୋର ନୁହେଁ, ଅନ୍ୟ ଗାନ୍ଧୀ-ଗବେଷକଙ୍କ କ୍ଷେତ୍ରରେ ମଧ୍ୟ। ସେମାନଙ୍କ ମଧ୍ୟରେ ଅଛନ୍ତି ମାର୍କିନ୍ ଐତିହାସିକ ନିକୋ ସ୍ଲେଟ୍, ଦିନ୍ୟାର ପଟେଲ ଓ ଇଆନ୍ ଦେଶାଇ; ଦକ୍ଷିଣ ଆଫ୍ରିକୀୟ ଐତିହାସିକ ଉମା ମିସ୍ତ୍ରୀ, ଗୁଲାମ ଵହୀଦ ଓ କଳ୍ପନା ହୀରାଲାଲ ଏବ˚ ଭାରତୀୟ ଐତିହାସିକ ଅନିଲ ନୌରିୟା, ବେନୁ ମାଧବ ଗୋଭିନ୍ଦୁ, ଗୋପାଳକୃଷ୍ଣ ଗାନ୍ଧୀ ଓ ତ୍ରିଦୀପ ସୁହୃଦ। ଏ ସମସ୍ତ ଗାନ୍ଧୀ-ଶିକ୍ଷାର୍ଥୀ, ଇଏସ୍ ରେଡ଼ୀଙ୍କ ସହାୟତା ଲାଭ କରିଥିଲେ; ତାଙ୍କ ଉପଦେଶ-ପରାମର୍ଶ ପାଇଥିଲେ ଏବ˚ ତାଙ୍କ ମାର୍ଗରେ ଆଗେଇଥିଲେ।
ସକ୍ରିୟତାବାଦୀମାନେ ଅନେକ ସମୟରେ ଭାବପ୍ରବଣ ଓ ଆତ୍ମ-ବିଚାରବୋଧ କୈନ୍ଦ୍ରିକ। ଶିକ୍ଷାର୍ଥୀମାନେ ପ୍ରାୟତଃ ସ୍ବାର୍ଥପର ଓ ଗୋପନୀୟତା ଅବଲମ୍ବନ କରୁଥିବା ବ୍ୟକ୍ତି। ତେବେ, ଇଏସ୍ ରେଡ଼ୀ ଉଭୟ ଶିକ୍ଷାର୍ଥୀ ଓ ସକ୍ରିୟତାବାଦୀ ଥିଲେ ବି ତାଙ୍କଠାରେ ଉପରିବର୍ଣ୍ଣିତ ବୈଶିଷ୍ଟ୍ୟ ନ ଥିଲା। ସେ ଥିଲେ ସାହସୀ ଓ ଜ୍ଞାନୀ; ଦୟାଳୁ ଓ ନ୍ୟାୟପରାୟଣ। ମୁଁ ଜାଣିଥିବା ଜଣେ ମହାନ ମଣିଷ ହେଉଛନ୍ତି ଇଏସ୍ ରେଡ଼ୀ। ତାଙ୍କର ଉତ୍ତରାଧିକାରତ୍ବ, ସେହିମାନଙ୍କ ମାଧ୍ୟମରେ ତିଷ୍ଠି ରହିବ, ଯେଉଁମାନଙ୍କୁ ସେ ଦକ୍ଷିଣ ଆଫ୍ରିକା, ଭାରତ ତଥା ବିଶ୍ବର ଅନ୍ୟ ଅଞ୍ଚଳରେ ଉତ୍ସାହିତ ଓ ଅନୁପ୍ରାଣିତ କରିଥିଲେ।