ପ୍ରସିଦ୍ଧ ଲେଖିକା ଝୁମ୍ପା ଲାହିଡ଼ି ନିକଟ ଅତୀତରେ ଅନୁବାଦର ଭୂୟସୀ ପ୍ରଶ˚ସା କରିବା ସହିତ ଅନୁବାଦ କାମରେ ନିହିତ ଥିବା ଆହ୍ବାନ ଏବ˚ ଆନନ୍ଦ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଏବେ ପ୍ରିନ୍ସଟନ୍ ବିଶ୍ବବିଦ୍ୟାଳୟର ‘ସର୍ଜନାତ୍ମକ ଲେଖା’ କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ଅଛନ୍ତି। ଲାହିଡ଼ି କହିଛନ୍ତି-‘ଯେ କୌଣସି ମୁହୂର୍ତ୍ତରେ ଜଣେ ଦଶ, କୋଡ଼ିଏ ବା ଦୁଇଶହ ସଫଳ ଅନୁବାଦ କରିପାରିବ, କାରଣ ଅନୁବାଦ ଏକ ବ୍ୟାଖ୍ୟାନ ଏବ˚ ତାହା ଅନୁବାଦକର ଦୃଷ୍ଟିଭଙ୍ଗୀ ଉପରେ ନିର୍ଭରଶୀଳ।’ ଅନୁବାଦର ଲେଖକୀୟ କଳା ଉପରେ ଅନୁବାଦ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନେ ମଧୢ ଅନୁରୂପ ମତ ପୋଷଣ କରିଥାଆନ୍ତି। ୧୯୭୦ ଓ ୧୯୮୦ ଦଶକର ଅନୁବାଦ-ମନସ୍କତା ଏଠାରେ ସ୍ମରଣଯୋଗ୍ୟ। ସେହି କାଳଖଣ୍ତକୁ ନିକଟରୁ ଅନୁଧୢାନ କରିଥିବା ଜଣେ ବ୍ୟକ୍ତି ହେଲେ କାନାଡାର ମଣ୍ଟ୍ରିଲ୍ ବିଶ୍ବବିଦ୍ୟାଳୟରେ ଏକଦା ପ୍ରାଧୢାପକ ଥିବା ପଲ୍ ସେଣ୍ଟ-ପିୟର। ତାଙ୍କ ରଚିତ ‘ଟ୍ରାନ୍ସଲେଟିଙ୍ଗ୍ ଓଡ଼ିଶା’ (ଧଉଳି ବୁକ୍ସ୍ ଦ୍ବାରା ପ୍ରକାଶିତ) ଲାହିଡ଼ିଙ୍କ ମନ୍ତବ୍ୟ ତଥା ଅନୁବାଦ ସ˚ଦର୍ଭରେ ଉପର ବର୍ଣ୍ଣିତ ତତ୍ତ୍ବକୁ ପ୍ରମାଣିତ କଲା ଭଳି ଏକ ବଳିଷ୍ଠ ତଥ୍ୟଭିତ୍ତିକ ଉପସ୍ଥାପନା। ଏହି ତଥ୍ୟ ଓଡ଼ିଶାରୁ ସ˚ଗୃହୀତ ଏବ˚ ଓଡ଼ିଶା ଉପରେ ପର୍ଯ୍ୟବସିତ। ଇଂରେଜୀ ସମେତ ଅନ୍ୟାନ୍ୟ ଭାଷାରୁ ଓଡ଼ିଆ ଭାଷାକୁ ଅନୁବାଦର ବିଭିନ୍ନ ବିଭାବ ଉପରେ ଏହାର ଧ୍ୟାନ କେନ୍ଦ୍ରୀଭୂତ।
ସେଣ୍ଟ୍-ପିୟର ବିଗତ ତିରିଶ ବର୍ଷ ଧରି ଓଡ଼ିଶାକୁ ଆସୁଛନ୍ତି। ତାଙ୍କର ସହଯୋଗିତାରେ ବହୁ ରଚନା ଇ˚ରେଜୀରେ ଅନୂଦିତ ହୋଇପାରିଛି। ‘ଟ୍ରାନ୍ସଲେଟିଙ୍ଗ୍ ଓଡ଼ିଶା’ ବହିର ଶେଷ ଓ ସପ୍ତମ ଭାଗରେ ଚଉରାଳିଶଟି ଅନୁବାଦର ନାମୋଲ୍ଲେଖ ରହିଛି। ତନ୍ମଧୢରେ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍ ଦ୍ବାରା ୨୦୧୯ରେ ପ୍ରକାଶିତ ସମଷ୍ଟିଗତ ଓଡ଼ିଆ ଉପନ୍ୟାସ ‘ବାସନ୍ତୀ’ର ଇ˚ରେଜୀ ଅନୁବାଦ ଅନ୍ୟତମ। ଆହୁରି ମଧୢ ରହିଛି ଫକୀର ମୋହନ ସେନାପତିଙ୍କ କାଳଜୟୀ ଉପନ୍ୟାସ ‘ଛ ମାଣ ଆଠ ଗୁଣ୍ଠ’ର ଇ˚ରେଜୀ ଅନୁବାଦ ‘ସିକ୍ସ ଏକର୍ସ୍ ଆଣ୍ତ ଏ ଥାର୍ଡ୍’। ତେବେ ସେଣ୍ଟ୍-ପିୟରଙ୍କ ‘ଟ୍ରାନ୍ସଲେଟିଙ୍ଗ୍ ଓଡ଼ିଶା’ ପୁସ୍ତକ ଆମକୁ ପରିଚିତ କରାଏ ଲେଖକଙ୍କ ଅନ୍ୟ ଏକ ବିଶିଷ୍ଟ ଦିଗ ସହିତ, ଯାହା ସାଧାରଣରେ ଅନାଲୋଚିତ ହୋଇ ରହିଛି। ତାହା ହେଉଛି ଅନୁବାଦର ଇତିହାସ। ବିଗତ ଦୁଇ ଶହ ବର୍ଷରେ ଓଡ଼ିଶାରେ ହୋଇଥିବା ଓଡ଼ିଆର ଅନୁବାଦ କାର୍ଯ୍ୟ ଉପରେ ଦୃଷ୍ଟି ନିବଦ୍ଧ କରି ସେଣ୍ଟ-ପିୟର ଉଭା ହୋଇଛନ୍ତି ଅନୁବାଦର ଇତିହାସକାର ଭାବେ, ଅନୁବାଦକ ଭାବେ ନୁହେଁ। ପ୍ରକୃତରେ ଦୁଇ ଶତାବ୍ଦୀ ଧରି ଓଡ଼ିଆକୁ ବା ଓଡ଼ିଆରେ ଅନୁବାଦ କାର୍ଯ୍ୟକ୍ରମର ଇତିବୃତ୍ତ ହିଁ ‘ଟ୍ରାନ୍ସଲେଟିଙ୍ଗ୍ ଓଡ଼ିଶା’ ପୁସ୍ତକର ମହତ୍ତ୍ବ।
ସେଣ୍ଟ-ପିୟର ଏହି ବହି ମାଧୢମରେ ବୁଝାଇବାକୁ ଚାହିଛନ୍ତି ଅନୁବାଦ ସମାଜର ଏକ ଦର୍ପଣ ସଦୃଶ ଓ ଏହା ସାମାଜିକ ବିକାଶର ଦସ୍ତାବିଜ୍ ଭଳି କାର୍ଯ୍ୟ କରେ। ଏଠାରେ ଏକ ଉଦାହରଣ ଦେବା ନିତାନ୍ତ ଜରୁରୀ।
ଗୋଟିଏ ପ୍ରବନ୍ଧରେ ସେଣ୍ଟ-ପିୟର ଦୁଇ ଭିନ୍ନ ବର୍ଷରେ ଓଡ଼ିଆରେ ହୋଇଥିବା ଅନୁବାଦ କାମର ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିଛନ୍ତି- ୧୯୬୫ ମସିହାରୁ ୧୯୯୫ ପର୍ଯ୍ୟନ୍ତ ତିରିଶ ବର୍ଷ ବ୍ୟବଧାନ ମଧୢରେ କେବଳ ଏହି ଦୁଇଟି ବର୍ଷରେ ସମାନ ସ˚ଖ୍ୟକ ପୁସ୍ତକ ଓଡ଼ିଆକୁ ଅନୂଦିତ ହୋଇଥିଲା। ସ˚ଖ୍ୟା ଥିଲା ବାଉନ। କିନ୍ତୁ କ’ଣ ଅନୂଦିତ ହୋଇଥିଲା ଜାଣିଲେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସେ। ୧୯୬୫ରେ ଅନୂଦିତ ବାଉନଟି ପୁସ୍ତକ ମଧୢରୁ ୩୦ର ମୂଳ ଭାଷା ଥିଲା ବିଦେଶୀ। ୧୯୯୫ରେ କିନ୍ତୁ ମୂଳ ପାଶ୍ଚାତ୍ୟ ଭାଷାର ସ˚ଖ୍ୟା ସଙ୍କୁଚିତ ହୋଇଯାଇ ପହଞ୍ଚିଥିଲା ୧୨ରେ। ଅବଶିଷ୍ଟ ଚାଳିଶଟି ପୁସ୍ତକ ବିଭିନ୍ନ ଭାରତୀୟ ଭାଷାରୁ ବା ଭାରତୀୟମାନେ ଇ˚ରେଜୀରେ ଲେଖିଥିବା ରଚନାରୁ ଅନୂଦିତ ହୋଇଥିଲା। ଏହା ଅନୁବାଦ କ୍ଷେତ୍ରରେ ଏକ ବିରାଟ ପଟ ପରିବର୍ତ୍ତନର ସୂଚନା ଦେଇଥାଏ। ଏହା କହିଥାଏ ଯେ ୧୯୬୫ ମସିହାରେ ଓଡ଼ିଶା ପାଶ୍ଚାତ୍ୟ ଜଗତ୍କୁ ଚାହିଁ ରହିଥିଲା ଓ ନିଜ ପରିବେଶ ବା ଦେଶ ପ୍ରତି କମ୍ ଦୃଷ୍ଟି ଦେଉଥିଲା। ୧୯୯୫ରେ କିନ୍ତୁ ଏହାର ଓଲଟା ପରିସ୍ଥିତି ଦେଖା ଦେଇଥିଲା। ଏହି ସମୟରେ ଓଡ଼ିଶାର ଅନୁବାଦ କାର୍ଯ୍ୟକ୍ରମରେ ସ୍ଥାନୀୟତାର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା।
‘ଟ୍ରାନ୍ସଲେଟିଙ୍ଗ୍ ଓଡ଼ିଶା’ର ଦ୍ବିତୀୟ ଭାଗରେ ଥିବା ପାଞ୍ଚଟି ପ୍ରବନ୍ଧରେ ୧୮୦୭ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ କାଳଖଣ୍ତରେ ଓଡ଼ିଆରେ ଅନୂଦିତ ପ୍ରାୟ ଛଅ ହଜାର ପୁସ୍ତକରେ ପ୍ରତିଫଳିତ ସା˚ସ୍କୃତିକ ଓ ସାମାଜିକ ଧାରାର ବିଶ୍ଳେଷଣ ରହିଛି। ଫଳସ୍ବରୂପ ଓଡ଼ିଆ ସମାଜର କ୍ରମବିବର୍ତ୍ତନର କାଳଖଣ୍ତମାନ ସ୍ପଷ୍ଟ ହୋଇଯାଇଛି- ଯେମିତିକି ୧୮୦୭ରୁ ୧୮୬୬ ମଧୢରେ ପାଦ୍ରିମାନଙ୍କ କୃତ ଅନୁବାଦ, ୧୮୬୭ରୁ ୧୯୪୧ ମଧୢରେ ଓଡ଼ିଆ ଅସ୍ମିତାର ପୁନଃ ସ୍ଥାପନ, ୧୯୪୯ରୁ ୧୯୭୩ ଭିତରେ ଓଡ଼ିଆ ସତ୍ତାର ବିଶ୍ବ-ପ୍ରକାଶ ଓ ୧୯୭୪ରୁ ୨୦୦୪ ମଧୢରେ ଓଡ଼ିଶାକୁ ଭାରତ ସହ ସ˚ଯୋଗୀକରଣ।
ଉଲ୍ଲେଖଯୋଗ୍ୟ ଯେ ପ୍ରଫେସର ହିମାଂଶୁ ଶେଖର ମହାପାତ୍ରଙ୍କ ଦ୍ବାରା ଏହି ପୁସ୍ତକର ଏକ ସମୀକ୍ଷା ‘ହଫିଙ୍ଗ୍ଟନ୍ ପୋଷ୍ଟ’ରେ ପ୍ରକାଶିତ ହୋଇସାରିଛି। ଏହା ଫଳରେ ଏହାର ଚର୍ଚ୍ଚାର କ୍ଷେତ୍ର ପ୍ରଶସ୍ତ ହୋଇଛି। ଗୋଟିଏ ପଟେ ଏହା ସେହି ପାଠକମାନଙ୍କୁ ଆକୃଷ୍ଟ କରିବ ଯେଉଁମାନେ ସମାଜ ଓ ସ˚ସ୍କୃତିକୁ ଅନୁବାଦର ଯବକାଚ ମାଧୢମରେ ଅବଲୋକନ କରିବାକୁ ଚାହାନ୍ତି। ଅନ୍ୟ ପଟେ ଏହା ଅନୁବାଦ ପାଠର ବିଶ୍ବ-ଦୃଷ୍ଟିକୁ ଆଞ୍ଚଳିକ ବା ସ୍ଥାନୀୟ ବା ଉପାନ୍ତ ଅଞ୍ଚଳର ସାହିତ୍ୟ ଓ ସ˚ସ୍କୃତି ଦିଗକୁ ସମ୍ପ୍ରସାରିତ କରିବ। ଏହି ଦୁଇ ପରସ୍ପର ବିରୋଧୀ ଚେତନା ଜଗତ୍ ମଧୢରେ ଯୋଗସୂତ୍ର ସ୍ଥାପନ କରିବାର ସୂତ୍ର ମଧୢ ଏହି ପୁସ୍ତକରେ ଉପଲବ୍ଧ।
ମୋ: ୮୮୯୫୪୨୦୩୦୦