ବାଇଡେନ୍ଙ୍କ ବିଜୟର ବାର୍ତ୍ତା
ଆମେରିକା ନିର୍ବାଚନ - ଅଭିରାମ ବିଶ୍ବାଳ
ଏଥରକର ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଅଧିକା˚ଶ ମହଲ ତରଫରୁ ମୋଟାମୋଟି ଯେଉଁ ପୂର୍ବାନୁମାନ କରାଯାଉଥିଲା ପରିଶେଷରେ ତାହା ସତ ପ୍ରମାଣିତ ହେଲା। ରିପବ୍ଲିକାନ୍ ଦଳର ଡୋନାଲଡ୍ ଟ୍ରମ୍ପ୍ଙ୍କୁ ହରେଇ ବିଜୟୀ ହେଲେ ୭୭ ବର୍ଷ ବୟସ୍କ ଡିମୋକ୍ରାଟିକ୍ ଦଳର ଜୋ ବାଇଡେନ୍। ବାଇଡେନ୍ ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି; ବୟସ ଦୃଷ୍ଟିରୁ ଦେଖିଲେ ତାଙ୍କ ଦେଶର ସବୁଠୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି। ବାରାକ୍ ଓବାମା ରାଷ୍ଟ୍ରପତି ଥିଲାବେଳେ ଆଠ ବର୍ଷ ଧରି ଅର୍ଥାତ୍ ୨୦୦୮ରୁ ୨୦୧୬ ଯାଏ ଜୋ ଥିଲେ ଆମେରିକାର ଉପରାଷ୍ଟ୍ରପତି। ନରମ, ମଧୢମପନ୍ଥୀ ସ୍ବଭାବ ସ˚ପନ୍ନ ବାଇଡେନ୍ ନିଜର ବିଜୟ ବାବଦରେ ନିଶ୍ଚିତ ହେଲାପରେ କହିଛନ୍ତି- ସିଏ ସାରା ଦେଶକୁ ଯୋଡ଼ିବେ; ସୃଷ୍ଟ କ୍ଷତର ଉପଶମ କରିବେ; ନୀଳ ରାଜ୍ୟ ବନାମ ଲୋହିତ ରାଜ୍ୟ ବଦଳରେ ଯୁକ୍ତରାଷ୍ଟ୍ର ଆମେରିକା କଥା ଭାବିବେ ଏବ˚ ସିଏ ସବୁ ଆମେରିକୀୟଙ୍କ ରାଷ୍ଟ୍ରପତି ସାଜିବେ। ହେଲେ ଅନ୍ୟ ପଟେ ଟ୍ରମ୍ପ୍ ଭୋଟ ଗଣନା ଚାଲିଥିଲା ବେଳେ କହି ବସିଲେ ସିଏ ହିଁ ଜିତିଛନ୍ତି। ପୁଣି କହିଲେ କେତେକ ରାଜ୍ୟର ଭୋଟ୍ ଗଣନା ବନ୍ଦ କରାଯାଉ। ଆହୁରି ଅଭିଯୋଗ କଲେ ଡାକ ଭୋଟ୍ ନାଁରେ, ନିର୍ବାଚନ ନାଁରେ ଚୋରି ଓ ଜାଲିଆତି ହେଉଛି ବା ହୋଇଛି। ଯାହା ସିଏ ଲୋକଙ୍କ ଠାରୁ ଭୋଟ୍ ବଳରେ ପାଇଲେନି ତାହା ସିଏ କୋର୍ଟ ବାଟେ ପାଇଯିବେ ବୋଲି ଭାବୁଛନ୍ତି! ଅନେକଙ୍କର ଆଶଙ୍କା ସାମ୍ପ୍ରତିକ ରାଜନୀତିକ ଧ୍ରୁବୀକରଣ ଆଗକୁ ଆମେରିକାରେ ବ୍ୟାପକ ସାମାଜିକ ବିଭେଦ ଓ ବିଭାଜନର ରୂପ ଧାରଣ କରିବ ନାହିଁ ତ? ଲାଗୁଛି ଏବେ ଆମେରିକା ଗୋଟିଏ ଦେଶ ହେଲେ ମଧୢ ଦୁଇଟି ଜାତି! ଆମେରିକାର, ଆମେରିକୀୟ ଗଣତନ୍ତ୍ରର ଆତ୍ମାକୁ ଉଦ୍ଧାର କରି ବଞ୍ଚେଇ ରଖିବା ତେଣୁ ସବୁ ପକ୍ଷ ପାଇଁ ଏକ ବଡ଼ ଆହ୍ବାନ। ଯେଉଁଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟର ମୌଳିକ ଆବଶ୍ୟକତା ହେଲା ବିଜୟ ମୁହୂର୍ତ୍ତରେ ମହାନୁଭବତା ଓ ପରାଜୟ କାଳରେ ସୁଶୀଳ ଭାବର ପ୍ରମାଣ ଦେବା।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ସ˚କ୍ରମଣର କୁପରିଚାଳନା, କୃଷ୍ଣକାୟଙ୍କ କଷଣ ଏବ˚ ଚାରିବର୍ଷ ଧରି ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଉଗ୍ର, ଚରମ ଓ ଦକ୍ଷିଣପନ୍ଥୀ ଆଭିମୁଖ୍ୟ- ଅତିକମ୍ରେ ଏ ତିନିଟି ଥିଲା ଚଳିତ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନର ତିନି ପ୍ରମୁଖ ପ୍ରସଙ୍ଗ। ଯେଉଁମାନେ ଟ୍ରମ୍ପ୍ଙ୍କୁ ସ˚ପୂର୍ଣ୍ଣ ନାପସନ୍ଦ କରୁଥିଲେ ସେମାନେ ବାଇଡେନ୍ଙ୍କୁ ଚାହାଁନ୍ତୁ ବା ନ ଚାହାଁନ୍ତୁ ବାଛିଛନ୍ତି। ସର୍ବଗ୍ରାହୀ ବା ସର୍ବେ ସାମିଲ୍ (ଇନ୍କ୍ଲୁସିଭ୍) ମତାଦର୍ଶର ପ୍ରବକ୍ତା ଓ ପ୍ରୟୋଗକାରୀ ଭାବେ ଟ୍ରମ୍ପ୍ଙ୍କୁ ନିଆଯାଏ ନାହିଁ। ବିଶେଷଜ୍ଞଙ୍କ ମତ ମୁତାବକ ସିଏ ଜଣେ ମହା ଓ ପରମ ଜାତୀୟତାବାଦୀ ଯାହାଙ୍କ ‘‘ସବା ଆଗ ଆମେରିକା’’ (ଆମେରିକା ଫାଷ୍ଟ୍) ସ୍ଲୋଗାନ୍ର ପ୍ରକୃତ ଅର୍ଥ ହୋଇଥାଇପାରେ ‘‘ସବା ଆଗ ଶ୍ବେତାଙ୍ଗ’’। ଟ୍ରମ୍ପ୍ ପୁଣି କୁଆଡ଼େ ଜଣେ ‘‘ଆଲ୍ଫା ପୁରୁଷ’’ ଯାହାଙ୍କର ମହିଳା, କୃଷ୍ଣକାୟ, ବହିରାଗତ, ଅଣଶ୍ବେତାଙ୍ଗ ଓ ଏସୀୟ-ଆଫ୍ରିକୀୟ-ଲାଟିନ୍ ଆମେରିକୀୟ ମୂଳ ଠିକଣା ପ୍ରତି ଅନୁକୂଳ ମନୋଭାବ ନ ଥିଲା। କୋଭିଡ୍ ଆକ୍ରାନ୍ତ ହୋଇ ମଧୢ ସିଏ ଅନେକ ସମୟରେ ମାସ୍କ ପରିଧାନ କରୁନଥିଲେ। ଦମ୍ଭୋକ୍ତିର ସହ କହୁଥିଲେ- କରୋନା ମୋର କିଛି ବିଗାଡ଼ିପାରିବନି। ମୋ ଡି.ଏନ୍.ଏର ନାଁ ୟୁ.ଏସ୍.ଏ! ଖାଣ୍ଟି ଧାର୍ମିକ ଓ ଶ୍ବେତକାୟଙ୍କ ପାଇଁ ସିଏ ଲାଗୁଥାଇ ପାରନ୍ତି ତ୍ରାଣକର୍ତ୍ତାସମ। ବିଦ୍ବାନ୍-ବିଦୁଷୀମାନଙ୍କ ବିଶ୍ଳେଷଣ କହୁଛି ଆଉ କୋଡ଼ିଏ ବର୍ଷ ପରେ ଆମେରିକାରେ ଅଣଶ୍ବେତାଙ୍ଗ ଓ ମିଶ୍ରରଙ୍ଗର ଲୋକଙ୍କ ସ˚ଖ୍ୟା ଦେଶର ଜନସ˚ଖ୍ୟାର ଅଧାରୁ ଅଧିକ ହୋଇଯିବ ଏବ˚ ସେଠାକାର ଶ୍ବେତକାୟମାନେ ସ˚ଖ୍ୟାଲଘୁ ହୋଇଯିବେ। ପୁଣି ଆଉ ଏକ ହିସାବ କହୁଛି ଏ ବର୍ଷ ଆମେରିକାର ସାଢ଼େ ସାତ କୋଟି ପିଲାଙ୍କ ଭିତରୁ ଅଧିକା˚ଶ ଅଣଶ୍ବେତାଙ୍ଗ। ଉପାଖ୍ୟାନ ସୂତ୍ରରୁ ଜାଣିବାକୁ ମିଳେ- ଆଜିକାଲି ଆମେରିକାର ଶ୍ବେତାଙ୍ଗୀ ମା’ମାନେ ସେମାନଙ୍କ ପିଲାମାନଙ୍କୁ ନବ୍ୟ ନାନାବାୟା ଗୀତ ଶୁଣେଇ କହୁଛନ୍ତି: ଧନରେ, ରତନରେ, ଭଲକରି ଖିଆପିଆ କରି, ପଢ଼ାପଢ଼ି କର; ନୋହିଲେ ବାହାର ଦେଶର ପିଲାମାନେ ଆସି ଏଠି ରହି ବଢ଼ିଆ ବଢ଼ିଆ ଚାକିରି ଭିତରେ ପଶିଯିବେ। ଆଗରୁ ସେଠାକାର ମା’ମାନେ କହୁଥିଲେ- ସୁନାରେ, ବାବୁରେ ଶୀଘ୍ର ଶୀଘ୍ର ଖାଇଦେ; ନ ହେଲେ ତୃତୀୟ ବିଶ୍ବର କେତେକ ଦେଶର ଭୋକିଲା ପିଲାଏ ପହଞ୍ଚି ଖାଦ୍ୟ ଛଡ଼େଇନେବେ! ଏ ଭଳି ପୃଷ୍ଠଭୂମିମାନ ଦୃଷ୍ଟିରେ ରଖିଲେ ଟ୍ରମ୍ପ୍ଙ୍କ ସପକ୍ଷରେ ଯାଇଥିବା ଶତକଡ଼ା ୪୮ ଓ ସାତ କୋଟିରୁ ଅଧିକ ଭୋଟ୍ର ଅନ୍ତରାଳ ବାସ୍ତବତା ବୁଝିବା ସହଜ ହୁଏ।
ସୁଦୂରପ୍ରସାରୀ ମହତ୍ତ୍ବ ଦୃଷ୍ଟିରୁ ରାଷ୍ଟ୍ରପତି ଭାବେ ବାଇଡେନ୍ଙ୍କ ବିଜୟ ଅପେକ୍ଷା ଅଧିକ ଆଲୋଡ଼ନ ସୃଷ୍ଟି କରିପାରିଛି ଉପରାଷ୍ଟ୍ରପତି ଭାବେ କମଳା ହାରିସ୍ଙ୍କ ବିଜୟ। ସେ ପଦକୁ ଯିବାରେ କମଳା ହେଉଛନ୍ତି ପ୍ରଥମ ମହିଳା, କୃଷ୍ଣକାୟ ଏବ˚ ଏସିଆ ଓ ଆଫ୍ରିକା ସହ ସ˚ପର୍କ ଥିବା ବ୍ୟକ୍ତି। ତାଙ୍କଠିଁ ରଙ୍ଗ, ଲିଙ୍ଗ, ଏସିଆ, ଆଫ୍ରିକା, ଆମେରିକା, ଓକିଲାତି ଓ ସିନେଟର୍ ଭାବେ ପ୍ରତିନିଧିତ୍ବ- ଏ ଭଳି ସପ୍ତଗୁଣର ଇନ୍ଦ୍ରଧନୁ ସାମ୍ମୁଖ୍ୟ ବାରି ହୁଏ। ତାଙ୍କ ମା’ ଶ୍ୟାମଳା ଗୋପାଲନ୍ ଥିଲେ ଭାରତୀୟ। ବାପା ଡୋନାଲ୍ଡ୍ ହାରିସ୍ ଜାମାଇକାର। ଆମେରିକୀୟ ନାଗରିକ ଭାବେ ତାଙ୍କ ରାଜନୀତିକ ଅସ୍ମିତା ବଜାୟ ରଖିବା ସା˚ଗକୁ କମଳା ତାଙ୍କ ଭାରତୀୟ ଐତିହ୍ୟକୁ ଅକ୍ଷୁଣ୍ଣ ରଖିଥିବା ସଭିଏଁ କହନ୍ତି। ଏଗାର ବର୍ଷ ତଳେ ତାଙ୍କ ମା’ ଚାଲିଗଲା ପରେ ତାଙ୍କ ଚିତାଭସ୍ମ ଆଣି ସିଏ ବିସର୍ଜନ କରିଥିଲେ ଚେନ୍ନାଇ ସନ୍ନିକଟ ସମୁଦ୍ର ଜଳରେ। ଆରମ୍ଭରୁ ଦ୍ବିମତ-ବିରୋଧ- ସମାଲୋଚନାଧର୍ମୀ ସକ୍ରିୟତାବାଦ (ଆକ୍ଟିଭିଜମ୍)ରେ ବିଶ୍ବାସ କରୁଥିବା ଓ ଝାସ ଦେଇଥିବା କମଳା ସମୟକ୍ରମେ ମୁଖ୍ୟସ୍ରୋତ ରାଜନୀତି ଆଡ଼କୁ ଆକର୍ଷିତ ହେଲେ; କାରଣ ସିଏ ଭାବିଲେ ବ୍ୟବସ୍ଥା ଭିତରେ ଥାଇ ଓ ତା’ ବାଟ ଦେଇ ଅନେକ ମୂର୍ତ୍ତିମନ୍ତ, ଫଳପ୍ରଦ ପରିବର୍ତ୍ତନ ସମ୍ଭବ କରେଇ ହେବ। ଏ ନିର୍ବାଚନରେ କମଳାଙ୍କ ଅ˚ଶଗ୍ରହଣ ଓ ଲଢ଼େଇ ତାଙ୍କ ସପକ୍ଷରେ ଏବ˚ ବାଇଡେନ୍ଙ୍କ ସପକ୍ଷରେ ବହୁ ସ˚ଖ୍ୟାରେ ମହିଳା, କୃଷ୍ଣକାୟ ଓ ବହିରାଗତ ଭୋଟ୍ ଜୁଟେଇ ଜୋ-କମଳା ଯୋଡ଼ିଙ୍କ ବିଜୟ ପଥ ସୁଗମ କରିପାରିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କମଳାଙ୍କୁ ହତୋତ୍ସାହିତ ଓ ନ୍ୟୂନ କରିବା ପାଇଁ ପ୍ରତିପକ୍ଷ ଶିବିର ଦ୍ବାରା ତାଙ୍କ ନାଁର ଜାଣିଶୁଣି ଭୁଲ୍ ଉଚ୍ଚାରଣ କରାଯାଉଥିଲା। ନିର୍ବାଚନୀ ଫଳାଫଳ ସ୍ପଷ୍ଟ ହେବା ପରେ କମଳା ତା’ଙ୍କ ମା’ଙ୍କ ଅବଦାନ ମନେପକାଇ ଆଉ ଯାହା କହିଲେ ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ- ଆମ ବିଜୟ ହେଉଛି ଆଶା, ଏକତା, ସୌଜନ୍ୟ, ବିଜ୍ଞାନ ଓ ସତ୍ୟର ବିଜୟ। ମୁଁ ଏ ପଦ ପାଇବାରେ ପ୍ରଥମ ମହିଳା; କିନ୍ତୁ ସେଭଳି ବା ତା’ଠୁଁ ଅଧିକ ଆରୋହଣ ସକାଶେ ଶେଷ ମହିଳା ହୋଇନପାରେ। ୨୦୨୪ ମସିହାରେ ଯଦି କମଳା ହାରିସ୍ କିମ୍ବା ବାରାକ୍ ଓବାମାଙ୍କ ପତ୍ନୀ ମିଚେଲ୍ ଓବାମା ଆମେରିକାର ରାଷ୍ଟ୍ରପତି ହୋଇପାରିବେ ତେବେ ସେଥିରେ ସବୁ ଗଣତନ୍ତ୍ରପ୍ରେମୀ ଆନନ୍ଦ ଓ ସନ୍ତୋଷ ଅନୁଭବ କରିବେ।
ଚିହ୍ନ ମାଧୢମରେ କହିଲେ ଏଥରକର ନିର୍ବାଚନରେ ଆମେରିକାରେ ଗଧ ଚିହ୍ନ ଜିତିଲା, ହାତୀ ହାରିଲା। ଗଧ ଚିହ୍ନ ଡିମୋକ୍ରାଟିକ୍ ଦଳର ଓ ହାତୀ ଚିହ୍ନ ରିପବ୍ଲିକାନ୍ ଦଳର। ଆମେରିକା ଭଳି ଦେଶରେ ଦୁଇଟି ପ୍ରମୁଖ ରାଜନୀତିକ ଦଳର ଚିହ୍ନ ପଶୁ ଜଗତ୍ରୁ ନିଆଯାଇଛି। ୧୮୨୮ରେ ଆରମ୍ଭ ହୋଇଥିଲା ଡିମୋକ୍ରାଟିକ୍ ଦଳ ଯାହାର ପ୍ରତିଷ୍ଠାତା ଥିଲେ ଆଣ୍ଡ୍ର୍ୟୁ ଜ୍ୟାକ୍ସନ୍। ନିର୍ବାଚନ ଲଢ଼ି ସିଏ ହୋଇପାରିଥିଲେ ତାଙ୍କ ଦଳ ତରଫରୁ ଜିତିଥିବା ପ୍ରଥମ ରାଷ୍ଟ୍ରପତି। ହେଲେ ତାଙ୍କୁ ତାଚ୍ଛଲ୍ୟ କରି କୁହାଯାଇଥିଲା ଜ୍ୟାକ୍ଆସ୍; ମୂର୍ଖ, ଗଧ, ନିର୍ବୋଧ! ତାଙ୍କ ଦଳ ତରଫରୁ ତେଣୁ ପୋଷ୍ଟରରେ ଗଧ ଚିହ୍ନର ବ୍ୟବହାର କରାଯାଇଥିଲା। ହାତୀ ଚିହ୍ନ ରିପବ୍ଲିକାନ୍ ଦଳ ପାଇଁ ତିଆରି କରିଥିଲେ ବିଶ୍ବବିଶ୍ରୁତ ବ୍ୟଙ୍ଗ ଚିତ୍ରକର ଥମାସ୍ ନାଷ୍ଟ୍ ଯାହାଙ୍କୁ କି ଆମେରିକୀୟ ବ୍ୟଙ୍ଗଚିତ୍ରର ଜନକ କୁହାଯାଏ। ୧୮୬୪, ୧୮୮୮ ଓ ୧୮୭୨ ମସିହାରେ ରିପବ୍ଲିକାନ୍ ପ୍ରାର୍ଥୀଙ୍କୁ ଜିତେଇବାରେ ନାଷ୍ଟ୍ଙ୍କର ଭୂମିକା ମାମୁଲି ନ ଥିଲା। ସେତେବେଳେ କୁହାଯାଉଥିଲା- ଏ ସବୁ ନାଷ୍ଟ୍ଙ୍କ ପେନ୍ସିଲ୍ର କରାମତି। ୧୯୬୪ ବେଳକୁ ଆମେରିକାରେ ଗୃହଯୁଦ୍ଧ ପରିସ୍ଥିତି ଥାଏ ଓ ରାଷ୍ଟ୍ରପତି ଥାଆନ୍ତି ଲିଙ୍କନ୍। ଆମେରିକୀୟ ସା˚ସ୍କୃତିକ, ଧାର୍ମିକ ଓ ଦୃଶ୍ୟ ସ˚ରଚନାର ଦୁଇ ପବିତ୍ର ସନ୍ତକ ସାନ୍ତାକ୍ଲଜ୍ ଓ ଅଙ୍କଲ୍ ସାମ୍ର ଆଧୁନିକ ରୂପରେଖ ମଧୢ ପ୍ରସ୍ତୁତ କରିଥିଲେ ନାଷ୍ଟ୍। ଆମେରିକୀୟ ରାଷ୍ଟ୍ରପତି ଓ ରାଜନେତା- ରାଜନେତ୍ରୀ ତାଙ୍କ ସହ ରାତ୍ରଭୋଜନ କରିପାରିଲେ ନିଜକୁ ଧନ୍ୟ ମଣୁଥିଲେ। ଇଟାଲିର ଏକତ୍ରୀକରଣରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଗାରିବାଲ୍ଡିଙ୍କ ଉପରେ ମଧୢ ଅନେକ ରେଖାଚିତ୍ର ଆଙ୍କିଥିଲେ ନାଷ୍ଟ୍। ନାଷ୍ଟ୍ ଥିଲେ ଆମେରିକାର ୧୫ତମ ସମ୍ବିଧାନ ସ˚ଶୋଧନ ଆଇନର ସମର୍ଥକ। ସେ ଆଇନ କହିଥିଲା ବର୍ଣ୍ଣ, ରଙ୍ଗ ଓ ଦାସତ୍ବ ଆଧାରରେ ଆମେରିକାରେ ଦେଶ କିମ୍ବା ରାଜ୍ୟ କାହାକୁ ଭୋଟ୍ଦାନରୁ ବଞ୍ଚିତ କରିପାରିବେ ନାହିଁ।
ଗଲା ୧୨୦ ବର୍ଷ ଭିତରେ ଏଥରକର ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ସର୍ବାଧିକ ୧୬ କୋଟିରୁ ଅଧିକ ମତଦାତା ଭାଗ ନେଇଛନ୍ତି। ଶତକଡ଼ା ପ୍ରାୟ ୭୦ ଭାଗ ମତଦାତାଙ୍କ ଅ˚ଶ ଗ୍ରହଣ ପୁଣି ୧୯୦୦ ମସିହା ପରେ ଏକ ନୂଆ ରେକର୍ଡ। ୨୦୧୬ ମସିହାର ନିର୍ବାଚନରେ ତାହା ଥିଲା ଶତକଡ଼ା ପ୍ରାୟ ୫୬। ଗଲା ନିର୍ବାଚନ ତୁଳନାରେ ଏଥରକ ଟ୍ରମ୍ପ୍ ପ୍ରାୟ କୋଟିଏ ଅଧିକ ଭୋଟ୍ ପାଇଛନ୍ତି, ତା’ସତ୍ତ୍ବେ ହାରିଛନ୍ତି। ଆଉ ଚଳିତ ନିର୍ବାଚନରେ ବାଇଡେନ୍ ପାଇଥିବା ୭.୫ କୋଟିରୁ ଅଧିକ ଭୋଟ୍ ଓବାମାଙ୍କ ନାଁରେ ଥିବା ପୁରୁଣା ରେକର୍ଡକୁ ଭାଙ୍ଗିଛି। ୨୮ ବର୍ଷ ପରେ ରାଷ୍ଟ୍ରପତି ପଦରେ ଥାଇ ଆଉ ଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢୁଥିବା ଟ୍ରମ୍ପ୍ ଜିତିପାରିନାହାନ୍ତି। ବାଇଡେନ୍ଙ୍କ ବିଜୟର ବାର୍ତ୍ତାଟି ଲାଗେ ଏଇଆ- ଉଗ୍ର ଓ ଚରମ ମତାଦର୍ଶ ଭିତ୍ତିକ ରାଜନୀତି ଆପଣେଇ ନେଉଥିବା ପରାକ୍ରମୀ ବ୍ୟକ୍ତି ବିଶେଷଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କଲାବେଳେ କହନ୍ତି: ଯାଆନ୍ତୁ, ଏବେ ଆପଣଙ୍କ ପ୍ରସ୍ଥାନର ସମୟ। ସେଇଥିପାଇଁ ତ ପ୍ରସିଦ୍ଧ ‘‘ଟାଇମ୍’’ ପତ୍ରିକାର ପ୍ରଚ୍ଛଦରେ ସୂଚେଇ ଦିଆଯାଇଛି: ଟାଇମ୍ … ଟୁ ଗୋ। ଅର୍ଥାତ୍, କେବେ ବି କେଉଁଠି ଅନେକ ଦିନ ବା ସବୁଦିନ ପାଇଁ କ୍ଷମତାପ୍ରମତ୍ତ ଉଗ୍ର ଓ ଚରମ ରାଜନୀତି ତିଷ୍ଠି ରହେନି, ରହିନି ବା ରହିବନି। ସ୍ପଷ୍ଟ ସମ୍ଭାବନା ଓ ସୁଯୋଗର ଭୂଖଣ୍ତ ଆମେରିକା ତାହା ସାବ୍ୟସ୍ତ କଲା।
ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬