ନାଲି ବତି ଆଗରେ ଧୈୖର୍ଯ୍ୟ ପରୀକ୍ଷା

ଅଣାକାର

ଆମ ବଡ଼ ନଗର ଓ ମହାନଗରଗୁଡ଼ିକରେ ଟ୍ରାଫିକ୍‌ ଭିଡ଼ରେ ଫସିଥିବା ବେଳେ ଲୋକେ ଯେଉଁ କେତେକ ଶାରୀରିକ ଓ ମାନସିକ ରୋଗର ଲକ୍ଷଣମାନ ପ୍ରଦର୍ଶନ କରନ୍ତି, ତା ଭିତରୁ ବଡ଼ ଲକ୍ଷଣଗୁଡ଼ିକ ହେଲା ଧୈର୍ଯ୍ୟହୀନତା ଓ ଅସ୍ବସ୍ତିଭରା ଉତ୍କଣ୍ଠା। ସେଥି ଲାଗି ଟ୍ରାଫିକ୍‌ ଛକରେ ନାଲି ଆଲୋକ ଦେଖି ଅଟକି ରହିଥିବା ବେଳେ ଅନେକ ସମୟରେ ଧୈର୍ଯ୍ୟଚ୍ୟୁତି କାରଣରୁ ଅବିଶ୍ରାନ୍ତ ଭାବେ ଶ୍ରୁତିକଟୁ ହର୍ଣ୍ଣ ବଜାଇ ଚାଲନ୍ତି। ତାହା ଉତ୍କଟ ଶବ୍ଦ-ପ୍ରଦୂଷଣ ସୃଷ୍ଟି କରେ। ସୁତରା˚, ଏ ସ୍ଥିତିରେ ସୁଧାର ଆଣିବା ଲାଗି ମୁମ୍ବାଇରେ ଏକ ଅଭିନବ ଉପାୟ ଅନୁସରଣ କରାଯାଉଛି। ଯଦି ସେଠାରେ ଅପେକ୍ଷାରତ ଲୋକେ ହର୍ଣ୍ଣ ବଜାଇ ଚାଲନ୍ତି ଏବ˚ ସମ୍ମିଳିତ ସ୍ବର ୮୫ ଡେସିବଲକୁ ଅତିକ୍ରମ କରିଯାଏ, ତେବେ ନାଲି ଆଲୋକର ସମୟ ସୀମା ଆପଣା ଛାଏଁ ବଢିଯିବ; ତାର ଅର୍ଥ ଯେତିକି ଧୈୖର୍ଯ୍ୟହରା ହେବ ସେତିକି ଅଧିକ ସମୟ ଅଟକି ରହିବ।

ଏ କଥାଟି ଏକ ଦୁଇ ମିନିଟ୍‌ର ଭିଡିଓ ମାଧୢମରେ ମୁମ୍ବାଇ ପୁଲିସ ଟ୍ବିଟ୍‌ କରି କହିଛନ୍ତି। ସେଥିରେ ଯାହା କୁହାଯାଇଛି ତାର ଅର୍ଥ ହେଲା: ‘ସିଗ୍‌ନାଲ ନାଲି ଥିବା ବେଳେ ଭାବନ୍ତୁ ନାହିଁ ଯେ ହର୍ଣ୍ଣ ବଜାଇଲେ ସିଗ୍‌ନାଲ ଶୀଘ୍ର ସବୁଜ ପାଲଟି ଯିବ।’ ରାସ୍ତାରେ ଧୈର୍ଯ୍ୟହରା ହୋଇ ପଡୁଥିବା ଗାଡ଼ି ଚାଳକମାନଙ୍କ ଲାଗି ଏହା ସହନଶୀଳତାର ଗୋଟିଏ ପରୀକ୍ଷା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦିଓ ଏହା ସତ ଯେ ଟ୍ରାଫିକ୍‌ ଛକରେ ଅଟକି ରହୁଥିବା ଭାରତୀୟମାନେ ଖୁବ୍‌ ଶୀଘ୍ର ଧୈର୍ଯ୍ୟହରା ହୋଇ ପଡ଼ନ୍ତି, ଏହା ମଧୢ ଦେଖିବାକୁ ମିଳୁଛି ଯେ ଅନେକ ଲୋକ ଏଥିରୁ ରକ୍ଷା ପାଇବା ଲାଗି ଉପାୟ ବି ଖୋଜି ପାଇଲେଣି। କେହି କେହି ଶ୍ରୁତି ମଧୁର ଗୀତ ଶୁଣୁଛନ୍ତି ତ କେହି କେହି ସେହି ସମୟରେ ଖାଲି ବସିବା ଅପେକ୍ଷା ପ୍ରିୟଜନମାନଙ୍କ ସହିତ ଫୋନ୍‌ରେ ଗପସପ ମଧୢ କରୁଛନ୍ତି। ଅନେକ କାର୍ଯ୍ୟବ୍ୟସ୍ତ ପଦସ୍ଥ ହାକିମ ତ ଗାଡ଼ିର ପଛ ସିଟ୍‌ରେ ବସି ଲ୍ୟାପ୍‌ଟପ୍‌ରେ ଦପ୍ତର କାମ ବି କରୁଛନ୍ତି। ଗାଡ଼ି ଜାଣି ସେମାନଙ୍କ ଲାଗି ଚଳନ୍ତିି ଦପ୍ତର! କିନ୍ତୁ ସମସ୍ତେ ଉଦ୍‌ଗ୍ରୀବ ହୋଇ ଚାହିଁ ବସିଥାଆନ୍ତି ଯେ ନାଲି ଆଲୋକ କେତେବେଳେ ସବୁଜ ହେବ ଏବ˚ ସେମାନେ ଊର୍ଦ୍ଧ୍ବ ଶ୍ବାସରେ ଆଗକୁ ଚାଲିବେ!

ଏକ ସମୀକ୍ଷକ ସ˚ସ୍ଥା ‘ଟମ୍‌ ଟମ୍‌ ଟ୍ରାଫିକ୍‌ ଇଣ୍ତେକ୍‌ସ-୨୦୧୯’ର ଅନୁଧୢାନ ସୂଚାଏ ଯେ, ବିଶ୍ବ ଟ୍ରାଫିକ୍‌-ଜାମ୍‌ ସୂଚକାଙ୍କ ତାଲିକାରେ ୫୭ଟି ଦେଶର ୪୧୬ ସହର ମଧୢରେ ବେଙ୍ଗାଲୁରୁ, ମୁମ୍ବାଇ, ପୁନେ ଓ ଦିଲ୍ଲୀ ଯଥାକ୍ରମେ ପ୍ରଥମ, ଚତୁର୍ଥ, ପଞ୍ଚମ ଓ ଅଷ୍ଟମ ଶୀର୍ଷ ସ୍ଥାନରେ ଅଛନ୍ତି। ସୁତରା˚, ଆମ ଦେଶର ବ୍ୟସ୍ତତାବହୁଳ ନଗରୀ ଓ ମହାନଗରୀଗୁଡ଼ିକରେ ସ୍ଥିତି କେତେ ସା˚ଘାତିକ ତାହା ବିଚାର କରନ୍ତୁ। ଏହି ପରିପ୍ରେକ୍ଷୀରେ ଚାଳକମାନଙ୍କୁ ସହନଶୀଳତାର ଶିକ୍ଷା ନ ଦେଇ ଯଦି ଢାଞ୍ଚାଗତ ବିକାଶ ଦ୍ବାରା ଯେମିତିକି ରାସ୍ତା ଘାଟକୁ ପ୍ରଶସ୍ତ କରି ବା ଅଧିକ ଫ୍ଲାଇ ଓଭର ଆଦି କରି ଅଥବା ଅନ୍ୟ କୌଣସି ଉପାୟ ଜରିଆରେ ରାସ୍ତାରୁ ଭିଡ଼ ହ୍ରାସ କରିବାର ବ୍ୟବସ୍ଥା କରାଯାଆନ୍ତା, ତେବେ ଅଧିକ ଭଲ ହୁଅନ୍ତା। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ଯେଉଁମାନେ (ଆମ ନେତା ଓ ମନ୍ତ୍ରୀ) ଏଭଳି ବିକାଶର ଯୋଜନା ବା ବ୍ୟବସ୍ଥା କରନ୍ତି, ସେମାନେ ତ କେବେ ହେଲେ ନାଲି ବତି ଠାରେ ଅଟକି ରହନ୍ତି ନାହିଁ! ଯଦି ଥରେ ଅଧେ ସେମାନେ ଏଭଳି ସହନଶୀଳତାର ପରୀକ୍ଷା ଦେବାର ସୁଯୋଗ ପାଆନ୍ତେ, ତେବେ ସ୍ଥିତିରେ ଶୀଘ୍ର ସୁଧାର ଆସନ୍ତା।

ମୋ: ୯୪୩୭୦୨୬୬୫୧

ସମ୍ବନ୍ଧିତ ଖବର