ମାଙ୍କଡ଼ ପ୍ରାଦୁର୍ଭାବର ମୁକାବିଲା କରିବା ପାଇଁ ହରିୟାଣା ରାଜ୍ୟ ସରକାର ଦେଶରେ ପ୍ରଥମ ଥର ପାଇଁ ମୋବାଇଲ୍ ଆପ୍ର ସହାୟତା ନେବାକୁ ଯାଉଛନ୍ତି। ଡେରାଡୁନ ସ୍ଥିତ ‘ଵାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ (ଡବ୍ଲ୍ୟୁଆଇଆଇ) ବା ‘ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ’ ଦ୍ବାରା ବିକଶିତ ଏକ ଆପ୍କୁ ମାଙ୍କଡ଼ ଗଣନା ପାଇଁ ସ୍ବତନ୍ତ୍ର ଭାବେ ବ୍ୟବହାର କରାଯିବ। ମାଙ୍କଡ଼ ସଂକଟାପନ୍ନ ଜାତିର ଜୀବ ନୁହନ୍ତି; ବରଂ ସେମାନଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସାଧାରଣତଃ ସେମାନଙ୍କର ଗଣନା କରାଯାଏ ନାହିଁ। କିନ୍ତୁ ଏବେ ଏମାନଙ୍କ ମାତ୍ରାଧିକ ସଂଖ୍ୟା ବୃଦ୍ଧି ଫଳରେ ହରିୟାଣା ସମେତ ଅନେକ ରାଜ୍ୟରେ ମାନବ-ମାଙ୍କଡ଼ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ମାଙ୍କଡ଼ମାନେ ଫସଲରୁ ଆରମ୍ଭ କରି ଘରୋଇ ଆସବାବପତ୍ର ନଷ୍ଟ କରୁଛନ୍ତି। ଏପରିକି ଛୋଟ ଛୁଆଙ୍କୁ ମଧ୍ୟ ସୁଯୋଗ ପାଇଲେ ଆକ୍ରମଣ କରୁଛନ୍ତି। ସୁତରାଂ, ଏବେ ସମସ୍ତେ ଏହି ସମସ୍ୟା ହେତୁ ବ୍ୟତିବ୍ୟସ୍ତ।
ଏହି ପରିପ୍ରେକ୍ଷୀରେ ମାଙ୍କଡ଼ ପ୍ରାଦୁର୍ଭାବର ମୁକାବିଲା ସକାଶେ ପ୍ରଥମେ ମାଙ୍କଡ଼ଙ୍କ ସଂଖ୍ୟା କଳିବା ଅତ୍ୟନ୍ତ ଜରୁରୀ। ତେବେ ସେମାନଙ୍କ ସଂଖ୍ୟାଧିକ୍ୟ ହେତୁ ଗଣନା ଏକ କଷ୍ଟକର ବ୍ୟାପାର ହୋଇଥିବାରୁ ଆଧୁନିକ ପ୍ରଯୁକ୍ତିର ସାହାଯ୍ୟ ନେଇ ଏହି ଆପ୍ ତିଆରି କରାଯାଇଛି।
ହରିୟାଣା ବନ୍ୟଜନ୍ତୁ ସର୍ବେକ୍ଷଣ ୨୦୨୦-୨୧ର ଏକ ଅଂଶ ଭାବେ ମାଙ୍କଡ଼ ଗଣନା କରାଯିବ ଏବଂ ତହିଁରେ ଏହି ମୋବାଇଲ୍ ଆପ୍ ବିଶେଷ ସହାୟକ ହେବ ବୋଲି ବନ୍ୟଜନ୍ତୁ ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି। ପ୍ରାଥମିକ ଭାବେ କେବଳ ବନ କର୍ମଚାରୀମାନେ ଏହାର ବ୍ୟବହାର କରିବେ। ପରବର୍ତ୍ତୀ ସମୟରେ ସାଧାରଣ ନାଗରିକ ମଧ୍ୟ ଏହି ଆପ୍ ସାହାଯ୍ୟରେ ମାଙ୍କଡ଼ଙ୍କ ଫଟୋ ସହିତ ବିସ୍ତୃତ ବିବରଣୀ ଦାଖଲ କରିପାରିବେ। ଏହି ଗଣନା କାର୍ଯ୍ୟ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ତେବେ ଗଣନା ପରେ ମାଙ୍କଡ଼ ଦମନ ପାଇଁ କ’ଣ ପଦକ୍ଷେପ ନିଆଯିବ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ମାଙ୍କଡ଼ ହେଉଛି ଏକ ସଂରକ୍ଷିତ ପ୍ରାଣୀ, ଯାହା ଏକ ବଡ଼ ଅସୁବିଧାର କାରଣ ହେଲାଣି। ଅେନକ ରାଜ୍ୟ ଭଳି ଆମ ରାଜ୍ୟ ମଧ୍ୟ ମାଙ୍କଡ଼ଙ୍କ ଉତ୍ପାତରେ ଅସ୍ତବ୍ୟସ୍ତ। ଆଶା ଏହି ନୂଆ ପ୍ରଯୁକ୍ତିରୁ ଆମ ରାଜ୍ୟ ଲାଗି ମଧ୍ୟ ମାର୍ଗ ଖୋଲିପାରେ।