ଅଫ୍ ଲାଇନରେ ନାଗାନନା

ସତ୍ୟନାରାୟଣ ଗନ୍ତାୟତ

ନିନ୍ଦୁକେ ମନା କରନ୍ତୁ ପଛକେ ସତ୍ୟେନ୍ଦୁ ସକାଳୁ ଉଠୁଉଠୁ ପହିଲେ ମୋବାଇଲ ହିଁ ଧରେ। ତା’ ପ୍ରିୟଜନଙ୍କୁ ମେସେଜ ପଠାଇବାକୁ ହମହମ ହୁଏ। କିଛି ଆପଣାର ଲୋକ ବି ତାକୁ ଶୁଭକାମନା ଜଣାନ୍ତି।

ଯେତେ ନିୟମିତ ମେସେଜ ଦେଉଥିଲେ ବି ଥରେ ଅଧେ କେହି କେହି କୌଣସି ନା କୌଣସି କାରଣରୁ ଦେଇ ନ ପାରନ୍ତି ସିନା, ସତ୍ୟେନ୍ଦୁର ସ୍କୁଲ ସାଙ୍ଗ ନାଗାନନା କିନ୍ତୁ ନିୟମିତ ମେସେଜ ଦେଇଥାଏ। ସ୍କୁଲସାଙ୍ଗମାନଙ୍କୁ ନନା ଡାକିବାର ଆଞ୍ଚଳିକ ଚଳଣି ମୁତାବକ ସତ୍ୟେନ୍ଦୁ ନାଗାନନାକୁ ସେମିତି ଡାକେ ସିନା, ଅସଲରେ ନାଗାନନା ନାଗାରାଜୁ ନାମରେ ସହର ସାରା ଜଣାଶୁଣା ଓ ତାଙ୍କ ‘ଏ ଟୁ ଜେଡ୍ ଜେନେରାଲ ଷ୍ଟୋର’ ବି ସବୁରି ପସନ୍ଦର ଦୋକାନ। ସେଠି ଔଷଧ ଓ ବହି ଭଳି ଅତି କମ୍ ଚିଜଙ୍କୁ ଛାଡ଼ିଦେଲେ ବାକି ପ୍ରାୟ ସବୁ ଜିନିଷ ମିଳେ, ଯାହାକୁ ଲୋକେ ନିତି ଦିନ ଲୋଡ଼ନ୍ତି।

ନାଗାନନା ଭାରି ଭଲପାଏ ତାର ସ୍କୁଲ କଲେଜ ବେଳର ସାଙ୍ଗଙ୍କୁ। କୋଉ ସାଙ୍ଗ ଏବେ କୋଉଠି କ’ଣ କରୁଛି, ସବୁ କିଛି ନନା ଜାଣେ। ନାଗାନନାକୁ ବି କେହି ଭୁଲି ପାରିବେନି। କାରଣ ସ୍କୁଲ ବେଳୁ ସେ ଏନ୍‌. ସି. ସି. କ୍ୟାମ୍ପ୍‌ମାନଙ୍କରେ ଥିଲା ଆକର୍ଷଣର କେନ୍ଦ୍ର। ପୁଣି ବାମହାତୀ ସ୍ପିନ୍ ବୋଲିଂ ଏତେ ମାରାତ୍ମକ ଢଙ୍ଗରେ କରୁଥିଲା ଯେ ମହା ମହା ବ୍ୟାଟ୍‌ସ୍‌ମ୍ୟାନ୍‌ ତାକୁ ଡରୁଥିଲେ। କେହି କେହି ତ ତାକୁ ବୋଲର୍ ନ କହି କିଲର୍ ବୋଲି କହୁଥିଲେ।

ଏତେ ସବୁ ଗୁଣଗ୍ରାମଧାରୀ ନାଗାନନା ଏବେ ସତ୍ୟେନ୍ଦୁ ଭଳି ଅନେକ ବନ୍ଧୁଙ୍କୁ ନିତି ସକାଳ, ଅପରାହ୍‌ଣ, ସଂଧ୍ୟା ଓ ରାତି ତଥା ନାନାଦି ପର୍ବପର୍ବାଣି ସମେତ ଜନ୍ମ ଦିନମାନଙ୍କରେ ବରାବର ଶୁଭେଚ୍ଛା ଜଣାଇ ଆସୁଛି। ପୁଣି ବଡ଼ କଥା ହେଲା, ଏଥକୁ ତାର କିଛି ପ୍ରତ୍ୟାଶା ନାହିଁ। ଅନେକ ତାକୁ ସମାନୁପାତିକ ଶୁଭକାମନା ନ ଜଣାଇଲେ ବି ସେ ତା’ କାମ ବାରମାସୀ ଅଷ୍ଟକାଳୀ କରି ଆସୁଚି। ଏହି କାରଣରୁ ନାଗାନନାକୁ ଭାରି ଭଲ ପାଏ ସତ୍ୟେନ୍ଦୁ।

ତେବେ ଏ ବର୍ଷ ଶୀତ ପଡୁ ନ ପଡୁଣୁ ଏମିତି ଏକ ଘଟଣା ଘଟିଲା, ଯାହା ନାଗାନନାକୁ ନେଇ ସତ୍ୟେନ୍ଦୁକୁ ଭୀଷଣ ଭାବପ୍ରବଣ କରି ପକାଇଲା। ଘଟଣାଟି ଏମିତି। ଦିନେ ସକାଳୁ ଉଠିଲା ବେଳକୁ ସତ୍ୟେନ୍ଦୁ ଥରି ଯାଉଥିଲା ଜ୍ବରରେ। କରୋନା ସମୟରେ ଜ୍ବର! ପ୍ରଥମେ ଏକ ଭୟର ଶିହରଣ ଖେଳିଗଲା ତାର ଶରୀରରେ। ଅଗତ୍ୟା ସେ ଠିକ କଲା ଯେ ଜ୍ବର ଥିବା ସମୟ ତକ ଅତି ଜରୁରୀ ଚିକିତ୍ସା ଲାଗି, ନ ହେଲେ ସେ ମୋବାଇଲ୍‌ ବନ୍ଦ ରଖିବ। ସେ ଏହା ବି ଠିକ୍ କଲା ଯେ କିଛି ଆପଣାର ଲୋକଙ୍କୁ ତାର ଜ୍ବର ବିଷୟରେ ଜଣାଇଦେବ। ତ ଏଇ କ୍ରମରେ କିଛି ସମ୍ପର୍କୀୟଙ୍କୁ ଜଣାଇବା ସହ ସେ କଥା ନାଗାନନାକୁ ବି ଜଣାଇଲା। କିଛି ବନ୍ଧୁ ଶୀଘ୍ର ଆରୋଗ୍ୟ ହେବାକୁ ଶୁଭ କାମନା ଜଣାଇଲେ। କିନ୍ତୁ ନାଗାନନାଠୁ ଆସିଲା ଘନଘନ ଫୋନ୍। ନନା କହିଲା- ‘କରୋନା କାଳରେ ଜ୍ବର ଲାଗି କିଛି ଭାବୁଛ କି? ମୁଁ କିନ୍ତୁ ତୁମ ଘରକୁ ଆସି ସାହାଯ୍ୟ କରିବାକୁ ରେଡି।’ ସତ୍ୟେନ୍ଦୁର ମନ ପୂରି ଉଠିଲା। କରୋନା କାଳରେ ତ ଜ୍ବର ଆସିବା ମାତ୍ରକେ ଲୋକଟି ଅସ୍ପୃଶ୍ୟ ହୋଇଯାଏ, ୟେ ନାଗାନନା କ’ଣ ଓଲଟା କଥା କହିଲାଣି?

ସେ ଯାହା ହେଉ, ସତ୍ୟେନ୍ଦୁର ଜ୍ବର ସଂଧ୍ୟା ସୁଦ୍ଧା ଭଲ ହୋଇଗଲା। ସତ୍ୟେନ୍ଦୁ ତେଣୁ ରାତିରେ ଶୋଇବା ପୂର୍ବରୁ ତାର ଶୁଭରାତ୍ରି ମେସେଜରେ ନାଗାନନାକୁ ଏହି କଥା ଜଣାଇଦେଲା।

ପରଦିନ ସକାଳ ହେଉ ହେଉ ସତ୍ୟେନ୍ଦୁ ଘରର କଲିଂ ବେଲ୍ ବାଜି ଉଠିଲା। ନାଗାନନା ହାଜର। ହାତରେ ଯୋଡ଼େ ବଡ଼ ହଟ୍ କ୍ୟାରିଅର୍। ନନା କହିଲା: ଜ୍ବରରୁ ଉଠି ଖାଇବ ବୋଲି ତା’ ମନ ପସନ୍ଦର ଗରମାଗରମ ସମ୍ବର ଓ ଇଡଲି ଘରୁ ବନାଇ ଆଣିଛି। ଆଜି ମୋ ନନାକୁ ଖୁଆଇବି ଓ ତା’ ସହ ମିଶି ଏଠି ଖାଇକି ହିଁ ଘରକୁ ଯିବି। ସୁତରାଂ, ସାରା ପରିବାରର ପ୍ରାତଃ ଭୋଜନ ଲାଗି ସମ୍ବର ଓ ଇଡଲି ଧରି ପହଞ୍ଚି ଯାଇଥିଲା ନାଗା ନନା।

ଡେରିରେ ଉଠିବା ପାଇଁ ଠିକ୍ କରି ଶୋଇ ରହିଥିବା ସତ୍ୟେନ୍ଦୁ ଏତେବେଳକୁ ବିଛଣାରୁ ଉଠି ତା ଡ୍ରଇଂ ରୁମ୍‌କୁ ଚାଲି ଆସିଥିଲା। ଭାବାବେଗରେ ନାଗାନନାକୁ କୁଣ୍ଢାଇ ପକାଇବାର ଲୋଭକୁ କୌଣସିମତେ ସମ୍ବରଣ କଲା ସେ। ଅହର୍ନିଶ ଅନଲାଇନରେ ରହି ସବୁରି ଶୁଭକାମନା କରୁଥିବା ନାଗାନନାକୁ ସେ କ୍ଷଣି ସେ ଦେଖୁଥିଲା ତାର ଅଫ ଲାଇନ ରୂପରେ; ଯେଉଁଠି ଥିଲା ନିରୁତା ପ୍ରେମରେ ଝଲମଲ ହେଉଥିବା ଏକ ଅତ୍ୟନ୍ତ ବିଶାଳ ହୃଦୟଧାରୀ ମଣିଷ।

ସୁହାସିତମ୍, କସ୍ତୁରୀ ନଗର, ରାୟଗଡା-୭୬୫୦୦୧ ମା:୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର

Comments are closed.