ହିଂସାର ସମର୍ଥନ ଉଚିତ କି?

କୁମାର ପ୍ରଶାନ୍ତ

ଫ୍ରାନ୍‌ସ ଏବେ ଲହୁ-ଲୁହାଣ। ଅସୀମ ଶାନ୍ତି ଓ ଶ୍ରଦ୍ଧାର ପ୍ରତୀକ ଭାବେ ପ୍ରସିଦ୍ଧ ‘ନୋଟ୍‌ରୋ ଡାମ୍‌ ବେସିଲିକା’ ସମ୍ମୁଖସ୍ଥ ସଡ଼କ ଉପରେ ବହିଥିବା ଲହୁ ଏବେ ବି ତାଜା ଅଛି। ସେଠାରେ ଯେଉଁ ନିରୀହ ଲୋକଙ୍କ ଲହୁ ବହିଲା, ଯେଉଁମାନଙ୍କର ହତ୍ୟା ହେଲା, ତାହା ନିନ୍ଦନୀୟ। ସେଥି ପାଇଁ ଯେଉଁ ଅପରାଧୀ ବା ଅପରାଧୀଙ୍କ ଗୋଷ୍ଠୀ ଦାୟୀ, ସେମାନଙ୍କୁ ଧରିବା ତଥା ଦଣ୍ତ ଦେବା ପାଇଁ ଫ୍ରାନ୍‌ସର ସରକାର ଓ ପ୍ରଶାସନର ଉଦ୍ୟମକୁ ଆମେ ନୈତିକ ସମର୍ଥନ ଦେବା ଉଚିତ। ଭାରତ ଏବ˚ ଅନେକ ଦେଶର ଲୋକେ ଫ୍ରାନ୍‌ସକୁ ସମର୍ଥନ ଦେଇଥିବା ଆନନ୍ଦର ବିଷୟ। ହି˚ସା ବିରୋଧରେ ଯେ କୌଣସି ରାଷ୍ଟ୍ରର ପଦକ୍ଷେପକୁ ନିରବ ସମର୍ଥନ ସଭ୍ୟ ରାଜନୈତିକ ବ୍ୟବହାର ପଦବାଚ୍ୟ। ସାଧାରଣତଃ କୌଣସି କାର୍ଯ୍ୟ ପ୍ରତି ସମର୍ଥନ ଦେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଏ। ଭଲ ଭାବେ ଯାଞ୍ଚ ନ କରି, କେବଳ ଭାବପ୍ରବଣ ହୋଇ, କାହାକୁ ସମର୍ଥନ ଦେବା ଅନୁଚିତ। ହି˚ସା ବିରୋଧରେ ଫ୍ରାନ୍‌ସର ପ୍ରଶାସନିକ ପଦକ୍ଷେପକୁ ଯାଞ୍ଚ କଲେ ଦେଖିବା, ଆରୋପ ଲଗାଇବା ଭଳି କିଛି ନାହିଁ। ପ୍ରଶାସନ କୌଣସି ନାଗରିକର ନ୍ୟାୟପୂର୍ଣ୍ଣ ଅଧିକାର ବା ଅଭିବ୍ୟକ୍ତି ଛଡ଼ାଇନେଇନାହିଁ କି ସ˚କୀର୍ଣ୍ଣ ରାଷ୍ଟ୍ରବାଦ ନାମରେ ପ୍ରତିଶୋଧପରାୟଣ ହୋଇ କୌଣସି ପଦକ୍ଷେପ ନେଇନାହିଁ। ତେଣୁ, ଫ୍ରାନ୍‌ସର ସରକାରୀ କାର୍ଯ୍ୟାନୁଷ୍ଠାନ ଯଥାର୍ଥ।

ଜଣେ ଫରାସୀ ଶିକ୍ଷକ ସମାଜ ବିଜ୍ଞାନ ଶ୍ରେଣୀରେ ନିଜର ଛାତ୍ରମାନଙ୍କୁ ମହାପୁରୁଷ ମହମ୍ମଦଙ୍କର ଏକ ବ୍ୟଙ୍ଗ-ଚିତ୍ର ଦେଖାଇ, କିଛି ବୁଝାଇବାକୁ ଚେଷ୍ଟା କରିଥିଲେ, ଯେଉଁଥି ପାଇଁ ତାଙ୍କର ପ୍ରାଣ ଗଲା। ଶିକ୍ଷକ ଜଣକ ଶ୍ରେଣୀ ଗୃହରେ ବ୍ୟଙ୍ଗ-ଚିତ୍ର ପ୍ରଦର୍ଶିତ କରୁଥିବା ବେଳେ, ଫ୍ରାନ୍‌ସରେ ତଥା ଅବଶିଷ୍ଟ ବିଶ୍ବରେ ଏହାର ପରିଣାମ କ’ଣ ହୋଇପାରେ ବା ତାଙ୍କ ସହ କ’ଣ ଘଟିପାରେ, କେବେ ହେଲେ ଭାବି ନ ଥିବେ। ଏହାର ଏକ କାରଣ ହୋଇପାରେ, ଫ୍ରାନ୍‌ସରେ ଏ ଭଳି ବ୍ୟଙ୍ଗ-ଚିତ୍ର ପ୍ରଦର୍ଶନକୁ ନେଇ କୌଣସି ଆଇନଗତ କଟକଣା ବା ପ୍ରତିବନ୍ଧ ନାହିଁ। ତେଣୁ, ସେ କିଛି ବୁଝାଇବା ପାଇଁ ଅତି ସହଜିଆ ଭାବେ ବ୍ୟଙ୍ଗ-ଚିତ୍ରଟିକୁ ବ୍ୟବହାର କରିଥିଲେ। ଅର୍ଥାତ୍‌, ଏହା ଦ୍ବାରା ସେ କୌଣସି ଫରାସୀ ଆଇନର ଉଲ୍ଲ˚ଘନ କରି ନ ଥିଲେ। ସେ ଯାହା କରିଥିଲେ, ଭଲ ଭାବେ ଜାଣି-ଶୁଣି କରିଥିଲେ ଏବ˚ ଆବଶ୍ୟକ ଥିବା ଭାବି କରିଥିଲେ। କିନ୍ତୁ ଏଥି ଲାଗି ଜଣେ ମୁସଲମାନ ଶରଣାର୍ଥୀ ସ୍ପଷ୍ଟ ଦିବାଲୋକରେ ସର୍ବ-ସମ୍ମୁଖରେ ତାଙ୍କ ଗଳା କାଟି ହତ୍ୟା କଲା। ସେତେ ବେଳେ ତା’ ପାଟିରୁ ବାହାରିଥିଲା- ‘ଅଲ୍ଲାହ-ହୋ-ଅକବର’। ସେ ଏହା ଉଚ୍ଚାରଣ କରିଥିବା ଅନେକ ଶୁଣିଥିଲେ। ‘ନୋଟ୍‌ରୋଡାମ୍‌ ବାସିଲିକା’ ହତ୍ୟାକାଣ୍ତରେ ଜଡ଼ିତ ହତ୍ୟାକାରୀ ତୁଣ୍ତରୁ ମଧ୍ୟ ଏହା ଶୁଣାଯାଇଥିଲା। ଫ୍ରାନ୍‌ସର ଆଇନ ଅନୁଯାୟୀ ଏହା ଅପରାଧ ଏବ˚ ଆଇନ ଅନୁଯାୟୀ ଅପରାଧୀକୁ ଦଣ୍ତ ଦିଆଗଲେ କାହାର ବା କ’ଣ କହିବାର ଅଛି?

ଫ୍ରାନ୍‌ସରେ ଦେବ-ଦେବୀ, ଧର୍ମଗୁରୁ, ଅବତାର ଆଦିଙ୍କ ବ୍ୟଙ୍ଗ-ଚିତ୍ର ଅଙ୍କନ ଓ ପ୍ରଦର୍ଶନକୁ ନେଇ କୌଣସି ଆଇନଗତ କଟକଣା ନାହିଁ। ସେଠାରେ ବ୍ୟଙ୍ଗ-ଚିତ୍ର ବା କାର୍ଟୁନ୍‌ ପତ୍ରିକା ବେଶ୍‌ ଚାଲେ; ପାଠକ ସ˚ଖ୍ୟା ବେଶ୍‌ ଅଧିକ। ଉକ୍ତ ପତ୍ରିକାଗୁଡ଼ିକରେ କୌଣସି ପ୍ରକାରର ସ˚କୀର୍ଣ୍ଣତାକୁ ପ୍ରୋତ୍ସାହନ ଦିଆଯାଏ ନାହିଁ। ରକ୍ଷଣଶୀଳ ଖ୍ରୀଷ୍ଟିଆନଙ୍କ ବିରୋଧରେ ମଧ୍ୟ ବ୍ୟଙ୍ଗ-ଚିତ୍ର ପ୍ରକାଶ ପାଏ। ସମସ୍ତ ପ୍ରକାରର ଧାର୍ମିକ ରକ୍ଷଣଶୀଳତା ଓ କୁସ˚ସ୍କାର ଆଦିର ସମାଲୋଚନା କରାଯାଏ। ସେଠାରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ସ˚ଖ୍ୟା ଅଧିକ ଥିଲେ ହେଁ ଏହି ଧର୍ମ ସ˚ପର୍କିତ ବ୍ୟଙ୍ଗ ଚିତ୍ର ଅଧିକ ପ୍ରକାଶ ପାଏ। ତେଣୁ, ସେଠାକାର ବ୍ୟଙ୍ଗ-ଚିତ୍ର ପତ୍ରିକାଗୁଡ଼ିକୁ ପକ୍ଷପାତୀ କହାଯାଇପାରିବନାହିଁ। ସେମାନେ କୌଣସି ନିର୍ଦିଷ୍ଟ ଧର୍ମକୁ ଦୃଷ୍ଟିରେ ରଖି ଉଦ୍ଦେଶ୍ୟମୂଳକ ଭାବେ ବ୍ୟଙ୍ଗ ଚିତ୍ର ପ୍ରକାଶ କରନ୍ତିନାହିଁ। ଯେହେତୁ ବ୍ୟଙ୍ଗ-ଚିତ୍ରକୁ ନେଇ କୌଣସି ଆଇନଗତ ପ୍ରତିବନ୍ଧ ନାହିଁ, ଏହା ସେହି ଦେଶର ନିଜ ମାମଲା। ଆମେ ଚାହିଁଲେ ଏଥିରେ ଅସହମତ ହୋଇପାରିବା ଏବ˚ ଅସହମତି ଜାହିର କରିପାରିବା। କିନ୍ତୁ, ଏହା ବିରୋଧରେ ଶୋଭାଯାତ୍ରା ବାହାର କରିପାରିବାନାହିଁ କି ଫରାସୀ ରାଷ୍ଟ୍ରଦୂତଙ୍କୁ ହତ୍ୟା କରିବା ନିମନ୍ତେ ଉସକାଇ ପାରିବାନାହିଁ। ଫରାସୀ ରାଷ୍ଟ୍ରପତିଙ୍କ ଫଟୋକୁ ଦଳିବା, ଫରାସୀ ସାମଗ୍ରୀ ବର୍ଜନ କରିବା ଆଦି ସ˚କୀର୍ଣ୍ଣତା ଭିନ୍ନ ଅନ୍ୟ କ’ଣ ହୋଇପାରେ! ଏସବୁ ସ˚କୀର୍ଣ୍ଣ ସା˚ପ୍ରଦାୟିକତାର ପତନଶୀଳ ଉଦାହରଣ। ଏହା ଫ୍ରାନ୍‌ସର ଅଭ୍ୟନ୍ତରୀଣ ମାମଲାରେ ଦଖଲବାଜି ଏବ˚ ନିଜ ଦେଶର ସାମ୍ବିଧାନିକ ଉଦାରତାର ଖାମଖିଆଲି ବ୍ୟବହାର।

ଏହା ମଧ୍ୟ ଆହୁରି ଲଜ୍ଜା ଓ ଭୀରୁତା ଯେ କିଛି ମୁସଲମାନ ଏହି ଘୃଣ୍ୟ ହତ୍ୟାକାଣ୍ତ ସପକ୍ଷରେ ବୟାନ ଦେଉଛନ୍ତି। ସେମାନେ ସାହିତ୍ୟ-ସ˚ସ୍କୃତି ସହ ଜଡ଼ିତ, ସାମାଜିକ ଓ ରାଜନୈତିକ କର୍ମକର୍ତ୍ତା। ଫ୍ରାନ୍‌ସରେ ମୁସଲମାନଙ୍କୁ ସେମାନଙ୍କର ବେଆଇନ କାମ ଲାଗି ଯଦି ଦଣ୍ତ ମିଳେ ଓ ସେଥି ଲାଗି ଭାରତର ମୁସଲମାନ ସଡ଼କକୁ ବାହାରି ‘ଅଲ୍ଲାହ-ହୋ-ଅକବର’ ଧ୍ବନି ଦିଅନ୍ତିି, ହତ୍ୟାକୁ ଯଥାର୍ଥ କହନ୍ତି, ଅନ୍ୟକୁ ହତ୍ୟା କରିବା ପାଇଁ ଉସକାନ୍ତି; ତେବେ ପ୍ରଶାସନର ଦାୟିତ୍ବ କ’ଣ? କେବଳ ଭାରତର ନୁହେଁ, ଏହାକୁ ଦବାଇବା ବା ଏହାର ଦମନ କରିବା ପୃଥିବୀର ଯେକୌଣସି ଦେଶର ପ୍ରଶାସନର ଦାୟିତ୍ବ। ଏ ଭଳି କାର୍ଯ୍ୟ-କଳାପକୁ ସମୂଳ ଦମନ କରିବା ଜରୁରୀ। ଏହା ଫ୍ରାନ୍‌ସର ଅଭ୍ୟନ୍ତରୀଣ ମାମଲା ପ୍ରତି ସମର୍ଥନ ହେବ; ସମ୍ମାନ ବି ହେବ ଏବ˚ ନିଜ ଲୋକଙ୍କ ପ୍ରତି ଏହି ବାର୍ତ୍ତା ଯିବ ଯେ, ସଡ଼କରେ ଅରାଜକତା ସହ୍ୟ କରାଯିବନାହିଁ।

କୌଣସି ହି˚ସା ସପକ୍ଷରେ ସଡ଼କକୁ ବାହାରିବା ତଥା ବାହାରିବା ପାଇଁ ଅନ୍ୟମାନଙ୍କୁ ଉସକାଇବା ବେଆଇନ। ଅନ୍ୟର ଅଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ମଧ୍ୟ ଅନୁଚିତ। ଆମ ଦେଶରେ ତଥା ଅନ୍ୟ ଦେଶରେ ଫ୍ରାନ୍‌ସ ସରକାର ବିରୋଧରେ ବାହାରକରାଯାଇଥିବା ଶୋଭାଯାତ୍ରା ବେଆଇନ। ଏ ଭଳି ବେଆଇନ ଶୋଭାଯାତ୍ରାକୁ ସମର୍ଥନ ନ ଦେବା ଆମର ସାମାଜିକ ଓ ପ୍ରଶାସନିକ ଦାୟିତ୍ବ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର

Comments are closed.