ଜଵାହରଲାଲ ନେହରୁ ଓ ଓଡ଼ିଶା

ପଞ୍ଚାନନ କାନୁନ୍‌ଗୋ

ଭାରତକୁ ତନ୍ନ ତନ୍ନ କରି ଅନୁଶୀଳନ କରିଥିବା ଓ ‘ଭାରତର ଆବିଷ୍କାର’ ଶୀର୍ଷକ ମହାନ ପୁସ୍ତକ ରଚନା କରିଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହରୁ ଭାରତର ଏକ ସ୍ବତନ୍ତ୍ର ଅଂଶ ଓଡ଼ିଶାକୁ ନିବିଡ଼ ଭାବେ ଭଲ ପାଉଥିଲେ। ଓଡ଼ିଶାର ଅତୀତ ଓ ତାର ଭାଷା ସଂସ୍କୃତି ଆଦିର ସ୍ବତନ୍ତ୍ରତାକୁ କେବଳ ସ୍ବୀକାର କରି ନଥିଲେ ଏହାକୁ ସମ୍ମାନ ଦେଇଥିଲେ। ୧୯୩୧ ମସିହା ଜାନୁଆରି ୧୪ ତାରିଖରେ ଝିଅ ଇନ୍ଦିରା ପ୍ରିୟଦର୍ଶିନୀକୁ ଲେଖିଥିବା ଏକ ଚିଠିରେ ଉତ୍କଳ ବା ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ସଂପର୍କରେ ସୂଚନା ଦେଇଥିଲେ। ଯାହାକି ପୁସ୍ତକ ‘ବିଶ୍ବ ଇତିହାସ ଅବଲୋକନ’ (Glimpses of World History)ରେ ସ୍ଥାନିତ ହୋଇଛି। ସେ ସମୟରେ ଓଡ଼ିଶାର ଭାଷାଭିତ୍ତିକ ରାଜ୍ୟ ଗଠନର ଦାବି ଜୋରଦାର ଥିଲା। ଅଶୋକଙ୍କ କଳିଙ୍ଗ ଦଖଲ ଓ ତା’ର ବିଭୀଷିକା ବିବରଣୀ ନେହରୁଙ୍କୁ ଅତି ମାତ୍ରାରେ ପ୍ରଭାବିତ କରିଥିଲା। ଅଶୋକଙ୍କ ଶିକ୍ଷା ଯେ ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ ଏହାକୁ ସେ ଗ୍ରହଣ କରି ପଞ୍ଚଶୀଳ ନୀତିର ଉପାସକ ହୋଇଥିଲେ। ଏହା ହିଁ ତାଙ୍କ ଓଡ଼ିଶା ବା ପ୍ରାଚୀନ କଳିଙ୍ଗ ସହିତ ଘନିଷ୍ଠତାର ସ୍ବୀକୃତି।

ସ୍ୱାଧୀନତା ପୂର୍ବରୁ ସେ ପ୍ରଥମେ ୧୯୩୬ ମସିହା ନଭେମ୍ବର ମାସରେ ଓଡ଼ିଶା ଆସିଥିଲେ। ତାଙ୍କ ସହିତ କଂଗ୍ରେସ ନେତା ଦିବାକର ପଟ୍ଟନାୟକ, ଭାଗିରଥୀ ମହାପାତ୍ର, ପଣ୍ଡିତ ନୀଳକଣ୍ଠ ଦାସ ଆଦି ଥିଲେ। ନେହରୁ ଗଞ୍ଜାମର ଆଠଗଡ଼ଠାରେ ଏକ ବିରାଟ ସଭାରେ ଓଡ଼ିଶା ଚାଷୀମାନଙ୍କ ସଂପର୍କରେ ଯେଉଁ ଭାଷଣ ଦେଇଥିଲେ ସେଥିରେ ସେମାନଙ୍କର ସମସ୍ୟା ଓ ଦାରିଦ୍ର୍ୟ ଓ ରାଜା ଜମିଦାରମାନଙ୍କ ଅତ୍ୟାଚାର ସଂପର୍କରେ ବର୍ଣ୍ଣନା ଥିଲା। ଏ ସମୟରେ ସେ ବାଲୁଙ୍ଗା ଠାରେ ମଧ୍ୟ ଲୋକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। କଟକର ଟାଉନ ହଲରେ ହୋଇଥିବା ସଭାରେ ପୂର୍ଣ୍ଣ ସ୍ବରାଜ ହାସଲର ଜୋର ଦାବି ଉଠିଥିଲା। ତାହା ହିଁ ଥିଲା ଏକ ଐତିହାସିକ ନିଷ୍ପତ୍ତିର ଉତ୍ସ। ପରବର୍ତ୍ତୀ ଅବସ୍ଥାରେ ସେ ସର୍ବଭାରତୀୟ ପ୍ରଜା ଆନ୍ଦୋଳନର ନେତୃତ୍ବ ନେବା ପଛରେ ଓଡ଼ିଶା ପ୍ରଜା ଆନ୍ଦୋଳନର ପ୍ରଭାବ ଥିଲା ବୋଲି ମନେ କରାଯାଏ। ଓଡ଼ିଶା ଲୋକଙ୍କ ଦୁର୍ଗତିର ମୁଖ୍ୟ କାରଣ ବନ୍ୟା ବୋଲି ସେ ବୁଝିଥିଲେ। ୧୯୩୬ ମସିହାରେ ସାର୍.ଏସ୍. ବିଶ୍ୱେଶ୍ବରାୟା ମହାନଦୀ ବନ୍ୟା ନିୟନ୍ତ୍ରଣ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲେ। ପ୍ରଥମେ ମହାନଦୀ ଉପରେ ଦୁଇଗୋଟି ନଦୀବନ୍ଧ ଯୋଜନାର ପରିକଳ୍ପନା କରାଯାଇଥିଲା ଏବଂ ନେହରୁ ପ୍ରଥମେ ହୀରାକୁଦ ଠାରେ ଗୋଟିଏ ବହୁମୁଖୀ ବନ୍ଧ ଯୋଜନା କାର୍ଯ୍ୟକାରୀ କରିବାକୁ ବ୍ୟଗ୍ରତା ଦେଖାଇଥିଲେ। ୧୯୫୩ ମସିହାରେ ବନ୍ଧ କାର୍ଯ୍ୟ ସମାପନ ହେଲା ଓ ୧୯୫୭ ମସିହାରେ ଏହାର ସୁବିସ୍ତୃତ ଉପଯୋଗ ପାଇଁ ନେହରୁ ଏହାକୁ ଲୋକାର୍ପଣ କରିଥିଲେ। ଏହା ପରେ ମହାନଦୀ ଉପରେ ଅନ୍ୟ ଏକ ନଦୀବନ୍ଧ ଯୋଜନା ସଂପର୍କରେ ଇଂଜିନିୟର ତଥା ଓଡ଼ିଶାର ରାଜ୍ୟପାଳ ଅଯୋଧ୍ୟାନାଥ ଖୋସଲାଙ୍କର ପ୍ରସ୍ତାବକୁ ସମ୍ମାନ ଦେଇ ସେ ମହାନଦୀର ଟିକରପଡ଼ାଠାରେ ଏକ ନଦୀବନ୍ଧ ନିର୍ମାଣ ନିମନ୍ତେ ବ୍ୟଗ୍ରତା ପ୍ରକାଶ କରିଥିଲେ। ୧୯୬୪ ମସିହାରେ ଜାନୁଆରି ୫ ତାରିଖରେ ମହାନଦୀର ଟିକରପଡ଼ାଠାରେ ଦ୍ବିତୀୟ ନଦୀବନ୍ଧ ପ୍ରକଳ୍ପର ଶୁଭ ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରି ନଥିଲା। ନେହରୁଙ୍କର ଅନ୍ୟ ଏକ ବୃହତ୍ ଅବଦାନ ଦେଶର ପ୍ରଥମ ପ୍ରକଳ୍ପ ରାଉରକେଲା ଷ୍ଟିଲ ପ୍ଲାଣ୍ଟ। ଜାତୀୟ ପ୍ରକଳ୍ପ ଭାବେ ଭାରତର ଏହା ଥିଲା ପ୍ରଥମ ଓ ସର୍ବବୃହତ୍ ରାଷ୍ଟ୍ରୀୟ ପ୍ରକଳ୍ପ। ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆରମ୍ଭ ହୋଇଥିବା ରାଉରକେଲା ଇସ୍ପାତ କାରଖାନା ୧୯୬୧ ମସିହା ମାର୍ଚ୍ଚ ୨୮ ତାରିଖରେ ନେହରୁଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା।

ଅନେକ ବିବାଦ ମଧ୍ୟରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ୱର ଠାରେ ରାଜଧାନୀ ପ୍ରତିଷ୍ଠାର ନିଷ୍ପତ୍ତି ନେଲେ। ନେହରୁ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଏହାର ଶୁଭ ଦେଇ ଅତ୍ୟନ୍ତ ଭାବବିହ୍ବଳ ହୋଇ କହି ପକାଇଲେ– ଏବେ ଓଡ଼ିଶାରେ ନିର୍ମାଣର ଯୁଗ ଆରମ୍ଭ ହେଲା। ଭୁବନେଶ୍ୱରକୁ ନେହରୁ ବହୁତ ଭଲ ପାଉଥିଲେ। ଭୁବନେଶ୍ବରରେ ରହିବା ସମୟରେ ଗାଡ଼ିରେ ସମଗ୍ର ସହର ଓ ମନ୍ଦିରମାନ ଜଣେ ପର୍ଯ୍ୟଟକଙ୍କ ଭଳି ଘୂରି ବୁଲିଥିଲେ।

ନେହରୁଙ୍କର ଅନ୍ୟ ଏକ ଅବଦାନ ରାଜ୍ୟ ଅର୍ଥରେ ନିର୍ମିତ ବନ୍ଦର ପାରାଦୀପକୁ ଜାତୀୟ ବନ୍ଦର କରିବା ଦିଗରେ ପ୍ରୟାସ। ୧୯୬୨ ମସିହା ଜାନୁଆରି ୩ ତାରିଖରେ ବନ୍ଦରର ନବକଳେବରକୁ ଉଦ୍‌ଘାଟନ କରିଥିଲେ। ୧୯୫୫ ମସିହା ମେ ମାସରେ ନେହରୁଙ୍କର ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ରହଣି ଏକ ସ୍ମରଣୀୟ ଘଟଣା।

୧୯୬୪ ମସିହାରେ ନେହରୁ ଓ ଓଡ଼ିଶାର ଏକ ଐତିହାସିକ ଦୁଃଖଦ ସଂଯୋଗ ଥିଲା। ସେହିବର୍ଷ ସେ ୪୯ ତମ ବିଜ୍ଞାନ କଂଗ୍ରେସରେ ଯୋଗ ଦେବା ପାଇଁ ରେଭେନ୍‌ସା କଲେଜ ଯାଇଥିଲେ। ତାଳଚେର ଠାରେ ଏକ ବୃହତ୍ ତାପଜ ବିଦ୍ୟୁତ୍ କେନ୍ଦ୍ରର ଉଦ୍‌ଘାଟନ ମଧ୍ୟ କରିଥିଲେ। ଓଡ଼ିଶାରେ ଆୟୋଜିତ କଂଗ୍ରେସ ଅଧିବେଶନରେ ଯୋଗ ଦେବା ଅବସରରେ ହଠାତ୍ ହୃଦ୍‌ଘାତରେ ଆକ୍ରାନ୍ତ ହେଲେ। ରାଜଭବନରେ ୬ ଦିନ କାଳ ରହିବା ପରେ ଅସୁସ୍ଥ ଅବସ୍ଥାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାହିଁ ଥିଲା ତାଙ୍କ ଜୀବନରେ ଓଡ଼ିଶା ସଂପର୍କର ଶେଷ ଅଧ୍ୟାୟ। ତାଙ୍କର ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶେଷ ବକ୍ତବ୍ୟ ଥିଲା –
“Yours is a small state But you have big heart.”
ବାସ୍ତବରେ ଓଡ଼ିଆଏ ଦରିଦ୍ର ହୋଇପାରନ୍ତି, କିନ୍ତୁ ଏକ ବଡ଼ ହୃଦୟର ଅଧିକାରୀ ବୋଲି ସେ ବୁଝିପାରିଥିଲେ।

ପୂର୍ବତନ ଅର୍ଥମନ୍ତ୍ରୀ

ସମ୍ବନ୍ଧିତ ଖବର

Comments are closed.