ପ୍ରକୃତିଦତ୍ତ ଅନନ୍ୟ ଧୀ, ଅପୂର୍ବ ମେଧା, ଅସୀମ ଜିଜ୍ଞାସା ଏବ˚ ନଭଶ୍ଚୁମ୍ବୀ ଅନୁସନ୍ଧିତ୍ସା ବଳରେ ମଣିଷ ଶ୍ରେଷ୍ଠ ଜୀବର ସ୍ଥାନ ହାସଲ କରିଛି। ହେଲେ ଏ’ସବୁ ବିଭବକୁ ହିଁ ଭିତ୍ତି କରି ସେ ପ୍ରକୃତିକୁ ବୁଝିବା ତଥା ତା’ର ରହସ୍ୟ ଉନ୍ମୋଚନ କରିବା ପ୍ରୟାସ ଜାରି ରଖିଛି। ଏହି ଅବସରରେ ଅଧୢୟନର ଅନ୍ୟତମ ଦିଗନ୍ତ ଭାବରେ ଜନ୍ମ ନେଇଛି ବିଜ୍ଞାନ। କହିବାକୁ ଗଲେ ମଣିଷର ବୌଦ୍ଧିକ, ଆବେଗିକ ଓ ନୈତିକ ଉଦ୍ୟମରୁ ବିଜ୍ଞାନର ସୃଷ୍ଟି। ଏହା ସମାଜ ସେବା ପାଇଁ ଉଦ୍ଦିଷ୍ଟ, ସୁତରା˚ ଏହାର ସାମାଜିକ ଉତ୍ତରଦାୟିତ୍ବ ରହିଛି। କହିବା ବାହୁଲ୍ୟ ଯେ ବିଜ୍ଞାନ ଓ ସମାଜ ପରସ୍ପର ଦ୍ବାରା ପ୍ରଭାବିତ। କିନ୍ତୁ ଶୃଙ୍ଖଳାବିହୀନ ବିଜ୍ଞାନ ବିଜ୍ଞାନ ନୁହେଁ, ଏହା ଏକ ଦୁଃସ୍ବପ୍ନ। ଏହା ଆଦୌ ସ୍ପୃହଣୀୟ ନୁହେଁ। କ୍ଷୋଭର ବିଷୟ, ଏକ ବିଶୃଙ୍ଖଳିତ ତଥା ସ୍ବାର୍ଥପର ଆଭିମୁଖ୍ୟ ନେଇ ମଣିଷ ପ୍ରକୃତି ତଥା ସମଗ୍ର ଜୀବମଣ୍ତଳ ଉପରେ ଆଧିପତ୍ୟ ବିସ୍ତାର କରିବାର ହୀନ ଉଦ୍ୟମ କରିଚାଲିଛି। ପ୍ରକୃତି ତ ମଣିଷର ଆନୁଗତ୍ୟ ସ୍ବୀକାର କରୁନାହିଁ, ବର˚ ମଣିଷର ପ୍ରକୃତିବିରୋଧୀ କାର୍ଯ୍ୟକଳାପ ଏକ ବୁମେରା˚ ପରି ତାକୁ ହିଁ କ୍ଷତାକ୍ତ କରିଦେଉଛି। ସମ୍ପ୍ରତି ଦେଖା ଦେଇଥିବା କରୋନା ସ˚କ୍ରମଣ (କୋଭିଡ୍-୧୯ ମହାମାରୀ) ଏହାର ଏକ ଆତଙ୍କ ସୃଷ୍ଟିକାରୀ ଉଦାହରଣ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ପରିବେଶବିତ୍ ତଥା ‘ବାଇଓଡାଇଭର୍ସିଟି’ ଶବ୍ଦର ପ୍ରଚଳନକାରୀ ଟମାସ୍ ଲଭ୍ଜଏଙ୍କ ମତାମତ ପ୍ରଣିଧାନଯୋଗ୍ୟ। ସେ କହିଛନ୍ତି ଯେ ପ୍ରକୃତିର କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ଆମେ ଏହି ସଙ୍କଟକୁ ଡାକି ଆଣିଛେ। ଆମର ଏ ପ୍ରକାର ଆଚରଣ ଯୋଗୁଁ ପ୍ରତିବର୍ଷ ୩-୪ଟି ନୂଆ ଭୂତାଣୁର ଉଦ୍ଭବ ଘଟୁଛି, ଯେଉଁଥିରୁ ପ୍ରତ୍ୟେକଟି ଗୋଟିଏ ଗୋଟିଏ ମହାମାରୀ ସୃଷ୍ଟି କରିବାର ସାମର୍ଥ୍ୟ ରଖୁଛି। ଏଥିରୁ ସ୍ପଷ୍ଟ ଯେ ଆମେ ହିଁ ଆମ କୃତକର୍ମ ପାଇଁ ଦାୟୀ। ୟୁନେସ୍କୋ ତରଫରୁ ୨୦୦୨ ମସିହାଠାରୁ ପ୍ରତିବର୍ଷ ୧୦ ତାରିଖରେ ‘ଶାନ୍ତି ଓ ବିକାଶ ପାଇଁ ବିଶ୍ବ ବିଜ୍ଞାନ ଦିବସ’ (World Science Day for Peace and Development) ପାଳନ କରାଯାଉଥିବା ଅବସରରେ ଚଳିତ ବର୍ଷ କୋଭିଡ-୧୯ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଇଛି।
ସମ୍ପ୍ରତି କୋଭିଡ-୧୯ ସ˚କ୍ରମଣ ମହାମାରୀର ରୂପ ନେଇ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ଏହାର ନିୟନ୍ତ୍ରଣ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି। ସେଥି ଭିତରୁ କୃତ୍ରିମ ମେଧାର ପ୍ରୟୋଗ ଅନ୍ୟତମ। ମଣିଷ ନିଜର ମେଧା ଉପରେ ନିର୍ଭର କରି ମେଧାବୀ ମଣିଷ ସହ ତୁଳନୀୟ ବହୁ ‘ବୁଦ୍ଧିମାନ୍ ଯନ୍ତ୍ର’ ନିର୍ମାଣ କରୁଛି। ଏଥିରେ ସେ ସଫ୍ଟେଵର୍ ରୂପେ ମାନବୀୟ ମେଧାକୁ ସନ୍ନିବେଶିତ କରିଥାଏ ଯାହା କୃତ୍ରିମ ମେଧା ନାମରେ ପରିଚିତ। ସେ ଦୃଷ୍ଟିରୁ କୃତ୍ରିମ ମେଧା ହେଉଛି କମ୍ପ୍ୟୁଟର ବିଜ୍ଞାନର ଏକ ଶାଖା। ଏଥିରେ କମ୍ପ୍ୟୁଟର୍ ପ୍ରୋଗ୍ରାମ୍ ଜରିଆରେ ମାନବୀୟ ମେଧା ଆବଶ୍ୟକ କରୁଥିବା ବହୁ କାର୍ଯ୍ୟ, ଯଥା- ଶିଖିବା, ବୁଝିବା, ସମସ୍ୟା ସମାଧାନ, ତର୍କସିଦ୍ଧ ଯୁକ୍ତି, ବିଶ୍ଳେଷଣ ଆଦି କରାଯାଇଥାଏ। ଆଜିକାଲି କୃତ୍ରିମ ମେଧା ସମ୍ପନ୍ନ ରୋବୋଟ୍ ବହୁଳ ଭାବେ ବ୍ୟବହାର କରାଯାଉଛି। ସ୍ମରଣ ରଖିବାର କଥା ଯେ କୃତ୍ରିମ ମେଧା ହେଉଛି ଜ୍ଞାନବିଜ୍ଞାନର ଏକ ଅପେକ୍ଷାକୃତ ନୂଆ ଶାଖା, ଅଥଚ ଏହା ଆମର ଜୀବନଶୈଳୀ ତଥା ଜୀବନଚର୍ଯ୍ୟା ଉପରେ ପ୍ରଚଣ୍ତ ପ୍ରଭାବ ବିସ୍ତାର କରିଛି। ଆଜିର ବିଶ୍ବରେ ଏହାର ବହୁମୁଖୀ ପ୍ରୟୋଗ ଥିବାରୁ ଏହା ଆମ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଛି। ଦିନକୁ ଦିନ ଏହା ଅଧିକ ଶାଣିତ, ନିଖୁଣ, ଦକ୍ଷ ଓ କମ୍ ବ୍ୟୟସାପେକ୍ଷ ହେଉଛି। କୃତ୍ରିମ ମେଧା ସମ୍ପନ୍ନ ରୋବୋଟ୍ ଯୋଗୁଁ ଏହି ଶାଖା ଓ ରୋବୋଟିକ୍ସ ଭିତରର ସମ୍ପର୍କ ସ୍ପଷ୍ଟ ହେଉଛି।
କୋଭିଡ୍-୧୯ର ମୁକାବିଲାରେ ଆରମ୍ଭରୁ ହିଁ କୃତ୍ରିମ ମେଧା ନେପଥ୍ୟେରେ ରହି ଏବ˚ ପରେ ପରେ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରୁଛି। ଏହି ଅଭିନବ ପ୍ରଯୁକ୍ତି କୌଶଳରେ ନବପ୍ରବର୍ତ୍ତନର ଯଥେଷ୍ଟ ସୁଯୋଗ ରହିଛି। ଏହାଦ୍ବାରା ଠିକ୍ ସମୟରେ ରୋଗର ନିଦାନ, ରୋଗ ପ୍ରସାରର ତଦାରଖ ସହ ଆଶୁ ଚିକିତ୍ସା, ରୋଗୀଙ୍କ ସ˚ସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବା, ବିଭିନ୍ନ କେସ୍ ଅଧୢୟନ ପୂର୍ବକ ସ˚କ୍ରମିତ ତଥା ମୃତ ବ୍ୟକ୍ତିଙ୍କ ସ˚ଖ୍ୟା ବିଶ୍ଳେଷଣ ଓ ପୂର୍ବାନୁମାନ, ଔଷଧ ତଥା ଟିକା ପ୍ରସ୍ତୁତି, ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟଭାର ଲାଘବ ଏବ˚ ରୋଗ ନିରାକରଣ ପରି ବିବିଧ କ୍ଷେତ୍ରରେ ଏହା ବେଶ୍ ଉପାଦେୟ ସାବ୍ୟସ୍ତ ହେଉଛି। ପ୍ରକାଶଥାଉକି ୩୧.୧୨.୨୦୧୯ରେ ଚୀନ୍ରେ ପ୍ରଥମ କୋଭିଡ-୧୯ ଭୂତାଣୁ ସ˚କ୍ରମଣର ଖବର ମିଳିବା ପରେ ପରେ କାନାଡ଼ାର ଏକ କୃତ୍ରିମ ମେଧା କମ୍ପାନି ‘ବ୍ଲୁଡଟ୍’ (BlueDot) ଏହି ଭୂତାଣୁ ସମ୍ପର୍କରେ ସମଗ୍ର ବିଶ୍ବକୁ ପ୍ରଥମେ ସଚେତନ କରିଥିଲା। କମ୍ପାନିର କୃତ୍ରିମ ମେଧା ପ୍ରୋଗ୍ରାମ୍ ଅନୁଯାୟୀ ମହାମାରୀ ବିଶାରଦ ଏବ˚ କୃତ୍ରିମ ମେଧା ବିଶାରଦମାନଙ୍କର ମିଳିତ ଉଦ୍ୟମ ଦ୍ବାରା କେଉଁଠାରେ ଓ କେଉଁପରି ଭାବରେ ରୋଗର ପ୍ରାଦୁର୍ଭାବ ଘଟିବ, ତାହାର ପୂର୍ବାନୁମାନ କରାଯାଇଥିଲା। ବିପୁଳ ପରିମାଣର ତଥ୍ୟ ବିଶ୍ଳେଷଣ ପୂର୍ବକ ଏହି ପୂର୍ବାନୁମାନ କରାଯାଇଥାଏ। ‘ବ୍ଲୁଡଟ୍’ ଦୈନିକ ୧,୦୦,୦୦୦ରୁ ଅଧିକ ରିପୋର୍ଟ ବିଶ୍ଳେଷଣ କରି ରୋଗ ବିଷୟରେ ଓ ସେଥିଯୋଗୁଁ ଆସିବାକୁ ଥିବା ବିପଦ ବିଷୟରେ ସତର୍କ ବାଣୀ ଶୁଣାଇଥାଏ। ଏଥିସହ କୃତ୍ରିମ ମେଧା ଓ ଅନ୍ୟ ପ୍ରଯୁକ୍ତି କୌଶଳକୁ ମିଶାଇ ଭୂତାଣୁର ବାହାକ ପ୍ରାଣୀକୁ ଚିହ୍ନଟ କରିବା ଏବ˚ ମଣିଷ ଶରୀରରେ ଏହା କିପରି ପ୍ରଥମେ ପ୍ରବେଶ କଲା, ତାହା ଜାଣିବାର ପ୍ରଚେଷ୍ଟା କରାଯାଉଛି। ଜନଗହଳି ଭିତରୁ ଜ୍ବରରେ ପୀଡ଼ିତ ବ୍ୟକ୍ତିଙ୍କୁ ଠାବ କରିବା ମଧୢ ସମ୍ଭବ ହେଉଛି। ଏଥିପାଇଁ କୃତ୍ରିମ ମେଧାଯୁକ୍ତ ଉପକରଣ ବ୍ୟବହାର କରି କାହାକୁ ନ ଛୁଇଁ ଏବ˚ କାହାର କାର୍ଯ୍ୟ ବା ଆଚରଣରେ ବ୍ୟାଘାତ ସୃଷ୍ଟି ନ କରି ଶରୀରର ତାପମାତ୍ରା ମପାଯାଇ ପାରୁଛି।
ସ˚ସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଠାବ କରୁଥିବା ଆପ୍ର ବହୁଳ ବ୍ୟବହାର ଚୀନ୍, ହ˚କ˚, ସିଙ୍ଗାପୁର, ଦକ୍ଷିଣ କୋରିଆରେ ଏବ˚ ଏବେ ଇଟାଲି, ଇସ୍ରାଏଲ ଓ ଆମ ଦେଶରେ କରାଯାଉଛି। କୃତ୍ରିମ ମେଧା ସାହାଯ୍ୟରେ ଛାତିର ସ୍କ୍ରିନି˚ ଓ ଅନ୍ୟ ବହୁସ˚ଖ୍ୟକ ଟେଷ୍ଟି˚ ସମ୍ଭବ ହେଉଛି। ଏହା ଦ୍ବାରା କୋଭିଡ-୧୯ର ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା କମୁଛି। ସ୍ବାସ୍ଥ୍ୟକର୍ମୀ ଏବ˚ ରୋଗୀଙ୍କ ଭିତରେ ବିନା ସ୍ପର୍ଶରେ ଔଷଧ ପ୍ରଦାନ କାର୍ଯ୍ୟ କୃତ୍ରିମ ମେଧା ସମ୍ପନ୍ନ ରୋବୋଟ୍ ଦ୍ବାରା କରାଯାଇ ପାରୁଛି। ଚୀନ୍ ପରି କେତେକ ଦେଶରେ ରୋବୋଟ୍ ଓ ଡ୍ରୋନ୍ ବ୍ୟବହାର କରି ଔଷଧ ପ୍ରଦାନ, ଖାଦ୍ୟ ଯୋଗାଣ, ବିଶୋଧନ ତଥା ଜୀବନାଶକ ସିଞ୍ଚନ କରାଯାଉଛି। ତା’ଛଡ଼ା କିଛି ମାନବ ସଦୃଶ (ହ୍ୟୁମାନଏଡ୍) ରୋବୋଟ୍ଙ୍କୁ ରୋଗୀଙ୍କ ମନୋରଞ୍ଜନ କାମରେ ନିୟୋଜିତ କରାଯାଉଛି। ସେହିପରି ଠିକ୍ ତଥ୍ୟ ପରିବେଷଣ କରିବା ସହ ଭୁଲ ତଥ୍ୟ ନ ଦେବା ଏବ˚ ଅର୍ଥନୀତି, ସ˚ସ୍କୃତି, ମାନବିକ ଆଚରଣ ଓ ସରକାରୀ ବ୍ୟବସ୍ଥା ଉପରେ ମହାମାରୀର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ କୃତ୍ରିମ ମେଧା ବେଶ୍ ଫଳପ୍ରସୂ ହେଉଛି। ରୋଗୀ ସମ୍ପର୍କିତ ତଥ୍ୟ ସ˚ଗ୍ରହ ତଥା ବିଶ୍ଳେଷଣରେ ଏହାର ପ୍ରୟୋଗ ବହୁ ବର୍ଷ ଧରି କରାଯାଉଛି। ହେଲେ, ରୋଗୀଙ୍କ ତଥ୍ୟର ଗୋପନୀୟତା ରକ୍ଷା ନେଇ ଅଭିଯୋଗ ଉଠିଛି ଏବ˚ ଏଥିପ୍ରତି କିଛିଟା ବିରୋଧ ପ୍ରଦର୍ଶନ କରାଯାଇଛି। ତେବେ ସା˚ପ୍ରତିକ କରୋନା ମହାମାରୀ ପରିପ୍ରେକ୍ଷୀରେ ଏହାର ପ୍ରୟୋଗ ଗ୍ରହଣୀୟ ହୋଇଛି।
କିଛି ମାସ ତଳେ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟରେ ‘କୋଭିଡ-୧୯ ଓ କୃତ୍ରିମ ମେଧା’ ଉପରେ ଏକ ଭର୍ଚୁଆଲ କନ୍ଫେରେନ୍ସ ଆୟୋଜିତ ହୋଇଥିଲା। ସ୍ପଷ୍ଟ ଭାବ ବିନିମୟ ତଥା ନିର୍ଭୁଲ ତଥ୍ୟ ପ୍ରଦାନ ଏକାନ୍ତ ଆବଶ୍ୟକ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା। କହିବା ବାହୁଲ୍ୟ ଯେ ଭୁଲ ସୂଚନା ଯୋଗୁଁ ଉଦ୍ବେଗ, ଭ୍ରମ, ଭ୍ରାନ୍ତି ଆଦି ସୃଷ୍ଟି ହୋଇଥାଏ। ସୁଖର କଥା ସଠିକ୍ ଓ ସଫଳ ତଥ୍ୟ ବିଶ୍ଳେଷଣ ଯୋଗୁଁ ତାଇଵାନ୍ରେ କରୋନା ସ˚କ୍ରମଣ ସ˚ଖ୍ୟା ୪୦୦ରୁ ବି କମ୍ ହୋଇଥିବା ସ୍ଥଳେ ପଡ଼ୋଶୀ ଚୀନ୍ରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ୨୦୦୩ର ସାର୍ସ ଅନୁଭୂତିରୁ ଶିକ୍ଷାଲାଭ କରି ଏହି ଛୋଟ ଦେଶଟି କୋଭିଡ-୧୯ ପାଇଁ ଯଥେଷ୍ଟ ଆଗୁଆ ପ୍ରସ୍ତୁତି କରିବାରେ ସମର୍ଥ ହୋଇପାରିଛି। ଏହା ଏକାନ୍ତ ଅନୁକରଣୀୟ। ଏବେ ବହୁ କ୍ଷେତ୍ରରେ କୃତ୍ରିମ ମେଧାର ଉପାଦେୟତା ପ୍ରମାଣିତ ହେଉଛି। ସମ୍ଭାବ୍ୟ ମହାମାରୀ ସମ୍ପର୍କରେ ପୂର୍ବାନୁମାନ କରି ଠିକ୍ ସମୟରେ ସତର୍କବାଣୀ ଶୁଣାଇବା ସମ୍ଭବ ହେଉଛି; ଯେମିତି ୨୦୧୫ ମସିହାରେ ‘ବ୍ଳୁଡଟ୍’ ତରଫରୁ ଜିକା ମହାମାରୀ ସମ୍ପର୍କରେ ସତର୍କ କରିଦିଆଯାଇଥିଲା। ଚୀନ୍ର ହୁଆଜଙ୍ଗ ସାଇନ୍ସ ଏଣ୍ତ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ ଓ ଟଙ୍ଗଜୀ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ବିକଶିତ ସରଞ୍ଜାମ ଦ୍ବାରା ରକ୍ତ ନମୁନାର ତ୍ବରିତ୍ ବିଶ୍ଳେଷଣ କରି ମୃତ୍ୟୁହାର/ବଞ୍ଚିରହିବା ହାରର ଆକଳନ କରାଯାଉଛି। ସେହିପରି କୋଭିଡ୍-୧୯ ରୋଗୀଙ୍କୁ ନ୍ୟୁମୋନିଆ ରୋଗୀଙ୍କ ଠାରୁ ଖୁବ୍ କମ୍ ସମୟରେ ଅଲଗା କରାଯାଇପାରୁଛି। ଫଳରେ ରଞ୍ଜନରଶ୍ମି ବିଶେଷଜ୍ଞ ଓ ଅନ୍ୟ ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ଜନିତ ଚାପ କମ୍ ହେଉଛି। ଏ’ସବୁ ଛଡ଼ା ସ୍ବାସ୍ଥ୍ୟ ସେବାର ଅନ୍ୟ ଅନେକ କ୍ଷେତ୍ର ସମେତ ଶିକ୍ଷା, କୃଷି, ଶିଳ୍ପ, ପରିବହନ, ପ୍ରତିରକ୍ଷା, ମହାକାଶ, ସାମ୍ବାଦିକତା ପରି ବିବିଧ କ୍ଷେତ୍ରରେ କୃତ୍ରିମ ମେଧାର ସଫଳ ପ୍ରୟୋଗ କରାଯାଉଛି।
ମାନବୀୟ ମେଧାର ‘ସନ୍ତାନ’ ହେଉଛି କୃତ୍ରିମ ମେଧା, ଅଥଚ ଏହା ମଣିଷକୁ ଅଧିକରୁ ଅଧିକ ପ୍ରଭାବିତ କରୁଛି ଏବ˚ ତାକୁ ଅଧିକ ଦକ୍ଷ ମଧୢ କରୁଛି। ଏମିତି ଅନେକ କାର୍ଯ୍ୟ ଅଛି ଯାହା ମଣିଷ ପାଇଁ କଷ୍ଟକର କିନ୍ତୁ କୃତ୍ରିମ ମେଧା ଦ୍ବାରା ଏସବୁ ବେଶ୍ ସହଜରେ କରାଯାଇପାରୁଛି। ଏହା ମଣିଷକୁ ଆହୁରି ଅଧିକ ବୁଦ୍ଧିମାନ୍ କରି ଗଢ଼ି ତୋଳିବାର ପ୍ରଚଣ୍ତ ପ୍ରତିଶ୍ରୁତି ବହନ କରୁଛି। ଆମେରିକୀୟ ଉଦ୍ଭାବକ ଓ ଭବିଷ୍ୟବକ୍ତା ରେମଣ୍ତ କୁର୍ଜେଵଲ୍ଙ୍କ ମତରେ କୃତ୍ରିମ ମେଧାରୂପୀ ଏହି ଯାନ୍ତ୍ରିକ ବିପ୍ଳବ କ୍ରମଶଃ ମାନବୀୟ ମେଧାଠାରୁ ଅଧିକ ଉନ୍ନତ ହେବ ତଥା ତା’ର ସୀମା ଓ ସାମର୍ଥ୍ୟକୁ ଅତିକ୍ରମ କରିବ। ତେବେ, ଏହା ମାନବୀୟ ମେଧା ପାଇଁ ଓ ମାନବ ଜାତି ପାଇଁ ବିପଦ ମଧ୍ୟ ସୃଷ୍ଟି କରିପାରେ। ଇଲନ୍ ମସ୍କ୍ କହିଛନ୍ତି, କୃତ୍ରିମ ମେଧାର ବ୍ୟବହାର ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରଠାରୁ ବି ଅଧିକ ବିପଜ୍ଜନକ। ବିଲ୍ ଗେଟ୍ସ ଏହାର ଭଲ ଓ ମନ୍ଦ ଦିଗ ବିଚାର କରି ମତ ଦେଇଛନ୍ତି ଯେ କୃତ୍ରିମ ମେଧା ମାନବ ସମାଜ ଉପରେ ଗଭୀର ପ୍ରଭାବ ପକାଇବ ଏବ˚ ଏହା ସମାଜ ପ୍ରତି ବିପଦର କାରଣ ହେବାର ଆଶଙ୍କା ମଧୢ ରହିଛି। କିଛିବର୍ଷ ପୂର୍ବେ ଷ୍ଟିଫେନ ହକିଙ୍ଗ୍ ସତର୍କବାଣୀ ଶୁଣାଇଥିଲେ ଯେ ଏଥିଯୋଗୁଁ ମାନବ ଜାତିର ଅନ୍ତ ଘଟିବ! ତେବେ, କ’ଣ ଘଟିବାକୁ ଯାଉଛି, ତାହା ସମୟ ହିଁ କହିବ।
ମୋ: ୮୨୮୦୨୩୯୯୫୭