ଟ୍ରମ୍ପ ଯୁଗର ଅବସାନ

ଆମେରିକା ନିର୍ବାଚନ - ଶରତ ଚନ୍ଦ୍ର ମିଶ୍ର

ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ୨୦୧୬ ମସିହାରେ ଶାସନ କଳରେ କୌଣସି ଅଭିଜ୍ଞତା ନ ଥିବା ଜଣେ ଅଣ ରାଜନୈତିକ ଧନୀକ ବ୍ୟବସାୟୀ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ହିଲାରୀ କ୍ଲିଣ୍ଟନଙ୍କ ଠାରୁ ସେ କମ୍‌ ଭୋଟ ପାଇଥିଲେ ମଧୢ ଅଧିକ ଇଲେକ୍‌ଟରାଲ କଲେଜ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ଆମେରିକା ଇତିହାସରେ ୧୯୫୨ ମସିହାରେ ଅଣ ରାଜନୈତିକ ଜେନେରାଲ ଆଇଜେନହୱର ବହୁଭୋଟ ପାଇ ରିପବ୍ଲିକାନ ଦଳର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର କିନ୍ତୁ ସରକାରୀ କଳ ପରିଚାଳନାର ଅଭିଜ୍ଞତା ଥିଲା। ଜଣେ ଧନାଢ଼୍ୟ ବ୍ୟବସାୟୀ ରସ ପେରେଟ ଦୁଇ ଥର ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇ କୌଣସି ଦଳୀୟ ନୋମିନେସନ ନ ପାଇ ସ୍ବାଧୀନ ଭାବରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଟ୍ରମ୍ପ୍‌ ଜଣେ ସଫଳ ବ୍ୟବସାୟୀ ଓ ବ୍ୟବସାୟିକ ଦୃଷ୍ଟିଭଙ୍ଗୀ ନେଇ ଶାସନ ପରିଚାଳନା କରୁଥିଲେ। ସ˚ଖ୍ୟାଲଘୁ ଓ ମହିଳାଙ୍କ ପ୍ରତି ତାଙ୍କର ନକାରାତ୍ମକ ମନୋଭାବ ଓ କୋଭିଡ ପରିଚାଳନାରେ ବିଫଳତା ହେତୁ ତାଙ୍କୁ ଆମେରିକାର ଭୋଟରମାନେ ଦ୍ବିତୀୟ ଥର ନିମନ୍ତେ ରାଷ୍ଟ୍ରପତି ହେବାର ସୁଯୋଗରୁ ବଞ୍ଚିତ କଲେ। ସେ ପରାଜୟକୁ ସହଜରେ ସ୍ବୀକାର କରୁନାହାନ୍ତି ଓ ଶାସନ ହସ୍ତାନ୍ତର ଆମେରିକାରେ ଯେପରି ସହଯୋଗିତା ବାତାବରଣରେ ସମାପିତ ହୁଏ, ଏଥର ସେପରି ହୁଏତ ହୋଇନପାରେ। ଟ୍ରମ୍ପ ୨୦୨୧ ଜାନୁଆରି ୨୦ ପର୍ଯ୍ୟନ୍ତ ଶାସନରେ ରହିବେ।

ଆନ୍ତର୍ଜାତିକ ସ୍ତରରେ ଆମେରିକାର ପ୍ରାଧାନ୍ୟ ହେତୁ, ଆମେରିକାର ନୂତନ ସରକାରର ଆଭିମୁଖ୍ୟ ନେଇ ସାରା ସ˚ସାର ଆଗ୍ରହୀ। ନିର୍ବାଚିତ ରାଷ୍ଟ୍ରପତି ବାଇଡେନ ଜଣେ ପୁରୁଣା ଓ ପୋଖତ ରାଜନୀତିଜ୍ଞ। ଆଠବର୍ଷ କାଳ ଉପରାଷ୍ଟ୍ରପତି ରହିବା ସହିତ ସେ ବହୁକାଳ ସିନେଟର ଓ ରାଜନୀତିରେ ପ୍ରାୟ ୪୫ ବର୍ଷରୁ ଅଧିକ କାଳ ଅତିବାହିତ କରିଛନ୍ତି। ଉଭୟ ଦଳରେ ତାଙ୍କର ବନ୍ଧୁ ଅଛନ୍ତି ଓ ଉଭୟ ଦଳରେ ସହଯୋଗିତା ଆଣିବାରେ ତାଙ୍କର ପାରଦର୍ଶିତା ଅଛି। ସିନେଟ ସଭାରେ ତାଙ୍କ ଡେମୋକ୍ରାଟିକ ଦଳ ପୂର୍ଣ୍ଣ ସ˚ଖ୍ୟାଗରିଷ୍ଠତା ଲାଭ ନ କରିବାର ଆଶଙ୍କା ଥିବାରୁ ଦ୍ବିପାକ୍ଷିକ ସହଯୋଗିତା ତାଙ୍କ ଶାସନ କାଳ ନିମନ୍ତେ ନିହାତି ଆବଶ୍ୟକ।

ଏ ନିର୍ବାଚନରେ କତିପୟ ନୂତନ ଧାରା ପରିଲକ୍ଷିତ ହୋଇଅଛି। ଇଉରୋପିଆନମାନେ ଆମେରିକାକୁ ନୂତନ ରୂପ ପ୍ରଦାନ କରିଥିଲେ ଓ ଏହା ଏକ ଶେତବର୍ଣ୍ଣଙ୍କ ଦେଶ ଭାବରେ ଗଣିତ ହୁଏ। ଦେଶର ପ୍ରଭାବଶାଳୀ ଗୋଷ୍ଠୀ ହେଲେ WASP (White Anglo Saxon Protestant)। ସେଇମାନେ ଦେଶର ରାଜନୀତି ଓ ଅର୍ଥନୀତିକୁ ନିୟନ୍ତ୍ରଣ କରନ୍ତି। ଟ୍ରମ୍ପ ସେଇମାନଙ୍କର ପ୍ରତିନିଧି। ଟ୍ରମ୍ପଙ୍କ ପରାଜୟ ସହ WASPର ପ୍ରଥମ ପରାଜୟ ଘଟିଛି। ଓବାମାଙ୍କ ନିର୍ବାଚନ ସମୟରେ WASPର ଯୁଦ୍ଧ ଗୋଷ୍ଠୀ ଓବାମାଙ୍କୁ ସମର୍ଥନ କରିଥିଲେ। ଏଥର କିନ୍ତୁ WASP ଗୋଷ୍ଠୀ ସମ୍ପୂର୍ଣ୍ଣ ଟ୍ରମ୍ପଙ୍କ ସପକ୍ଷରେ ଥିଲା। ଦ୍ବିତୀୟରେ ଜଣେ ସମ୍ପୂର୍ଣ୍ଣ ଅଣ ଶ୍ବେତାଙ୍ଗ ଉପରାଷ୍ଟ୍ରପତି ନିର୍ବାଚିତ ହେଲେ। ଓବାମାଙ୍କ ମାତା ଶ୍ବେତାଙ୍ଗୀ ଥିଲେ କିନ୍ତୁ କମଳା ହାରିସଙ୍କ ଉଭୟ ପିତା ଓ ମାତା ଅଣ ଶ୍ବେତାଙ୍ଗ। ତୃତୀୟରେ ପ୍ରଥମ କରି ଜଣେ ମହିଳା ଉପରାଷ୍ଟ୍ରପତି ହେଲେ। ଆଗରୁ ଜେରାଲଡିନ ଫେରାରେ ୧୯୮୪ରେ ଅସଫଳ ହୋଇଥିଲେ ଓ ଓବାମା ରାଷ୍ଟ୍ରପତି ପ୍ରାର୍ଥୀ ହେଲାବେଳେ ଦ୍ବିତୀୟ ଭୋଟ ପାଇଥିବା ହିଲାରୀ କ୍ଲିଣ୍ଟନଙ୍କୁ ଉପରାଷ୍ଟ୍ରପତି ପଦ ନିମନ୍ତେ ମନୋନୀତ ନ କରି ବାଇଡେନଙ୍କୁ ବାଛିଥିଲେ। ଆମେରିକାରେ ସାଧାରଣତଃ ବୟସ୍କ ବ୍ୟକ୍ତିମାନେ ଭୋଟରମାନଙ୍କୁ ଆକର୍ଷିତ କରି ପାରନ୍ତି ନାହିଁ। ଏ ଯାବତ୍‌ ରିଗାନ୍‌ ଓ ଟ୍ରମ୍ପ ବୟସ୍କ ବ୍ୟକ୍ତି ଭାବରେ ୭୦ ବର୍ଷ ବୟସରେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ। ରାଷ୍ଟ୍ରପତି ହେବାରେ ବାଇଡେନ ସବୁଠାରୁ ବୟସ୍କ ବ୍ୟକ୍ତି। ସେ ୭୮ ବର୍ଷ ବୟସରେ କାର୍ଯ୍ୟଭାର ଗ୍ରହଣ କରିବେ ଓ ସେ ଦ୍ବିତୀୟ ଥର ନିମନ୍ତେ ନିର୍ବାଚନରେ ପ୍ରାର୍ଥୀ ହେବା ସମ୍ଭବପର ନୁହେଁ। ସେ ଦିଗରୁ ୫୬ ବର୍ଷ ବୟସ୍କା କମଳା ହାରିସଙ୍କ ଭବିଷ୍ୟତ ଉଜ୍ଜ୍ବଳ। ଆମେରିକା ଆଉ ସମ୍ପୂର୍ଣ୍ଣ ଶେତ୍ବବର୍ଣ୍ଣଙ୍କ ଦେଶ ଭାବରେ ବିବେଚିତ ନ ହୋଇ ଏକ ବହୁଜାତୀୟ ରାଷ୍ଟ୍ର ରୂପେ ଗଣିତ ହେବ।

ବାଇଡେନ ଶାସନ ଭାର ଗ୍ରହଣ କଲା ପରେ କୋଭିଡ ପରିଚାଳନା ଦିଗରେ ପ୍ରଥମେ ଦୃଷ୍ଟି ଦେବେ ଓ ତଦ୍‌ଜନିତ ଅର୍ଥନୈତିକ ଦୁରବସ୍ଥାକୁ ରୋକିବା ନିମନ୍ତେ ଚେଷ୍ଟିତ ହେବେ। ପ୍ୟାରିସ ଜଳବାୟୁ ପରିବର୍ତ୍ତନ ଉଦ୍ୟମରେ ଭାଗ ନେବେ ଓ ବିଶ୍ବ ସ୍ବାସ୍ଥ୍ୟ ସ˚ସ୍ଥାକୁ ଦେଶ ପ୍ରତ୍ୟାବର୍ତ୍ତନ କରିବ। ଅଣ ଶ୍ବେତାଙ୍ଗ ମଧୢରେ ସୁରକ୍ଷା ଭାବ ସୃଷ୍ଟି କରିବାରେ ଉଦ୍ୟମ କରିବେ।

ବୈଦେଶିକ ନୀତିରେ କେତେକ ପରିବର୍ତ୍ତନ ଆସିବାର ସମ୍ଭାବନା ପରିଲକ୍ଷିତ ହୁଏ। ଟ୍ରମ୍ପ ସମୟର ଇରାନ ପ୍ରତି କଠୋର ମନୋଭାବ ଓ କଟକଣାରେ କୋହଳତା ଆସିବ। ତା’ ଦ୍ବାରା ଆମ ଦେଶ ଲାଭବାନ ହେବ। ଇରାନ ସଙ୍ଗରେ ବ୍ୟବସାୟ ନ କରିବାକୁ ଆମେରିକା ଆଉ ଆମ ଉପରେ ଚାପ ପ୍ରୟୋଗ କରିବନି। ଇରାନ ଉପରେ କଟକଣା ହ୍ରାସ ହେଲେ, ଇରାନରୁ ଅଧିକ ଅଶୋଧିତ ତୈଳ ବଜାରକୁ ଆସିବ ଓ ଅଶୋଧିତ ତୈଳ ଦର ହ୍ରାସ ପାଇବାର ସମ୍ଭାବନା ଅଛି। ବାଇଡେନଙ୍କ ସମୟରେ ଆମେରିକାର ଚୀନ୍‌ ଓ ଆଫଗାନିସ୍ତାନ ନୀତି ହଠାତ୍‌ ପରିବର୍ତ୍ତନ ହୋଇନପାରେ। ଚୀନ୍‌ ସହିତ ଗୋଟାଏ ବୁଝାମଣା କରିବାକୁ ଆମେରିକା ସରକାର ଯଦି କିଛି କାଳ ପରେ ଆଗ୍ରହୀ ହୁଏ, ତାହା ଆମ ଦେଶ ପ୍ରତି ହିତକର ହେବନାହିଁ। ବର୍ତ୍ତମାନ କାଳ ନିମନ୍ତେ ଲାଦାଖ ବ୍ୟାପାରରେ ଆମେ ଆମେରିକାର ସମର୍ଥନ ପାଇବା, ଆମେରିକା ଓ ଆମ ଦେଶ ମଧୢରେ ଦେଶ-ରକ୍ଷା ସହଯୋଗ ଓ ଆମ ଦେଶକୁ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରି ଅବ୍ୟାହତ ରହିବ। ଭାରତ ସହିତ ଉତ୍ତମ ସମ୍ପର୍କରେ ବର୍ତ୍ତମାନ ଆମେରିକାର ଦୁଇ ମୁଖ୍ୟ ଦଳ ଏକ ପ୍ରକାର ସହମତ। ଡେମୋକ୍ରାଟିକ୍‌ ଦଳରେ ଅନେକ ଭାରତୀୟ ବ˚ଶୋଦ୍ଭବ ଅଛନ୍ତି ଓ କମଳା ହାରିସଙ୍କ ଉପସ୍ଥିତି ଭାରତକୁ ସହାୟକ ହେବ। ବାଇଡେନଙ୍କର ପାକିସ୍ତାନ ଅଭିଜ୍ଞତା ପ୍ରଚୁର। ତାଲିବାନକୁ ସାହାଯ୍ୟ ବନ୍ଦ ଓ ଆତଙ୍କବାଦୀକୁ ନିପାତ କରିବାକୁ ପାକିସ୍ତାନ ଉପରେ ଚାପ ଅବ୍ୟାହତ ରହିଲେ ମଧୢ, ଆମେରିକା ପାକିସ୍ତାନ ସଙ୍ଗେ ସମ୍ପର୍କ ରକ୍ଷା କରିବ ଓ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବରେ ଚୀନ ଶରଣାଗତ ନ ହେବାକୁ ଉଦ୍ୟମ କରିବ। ଡେମୋକ୍ରାଟିକ୍‌ ଦଳ ବିଶ୍ବ ମାନବିକ ଅଧିକାର ଉପରେ ଗୁରୁତ୍ବ ପ୍ରଦାନ କରନ୍ତି ଓ ମାନବିକ ଅଧିକାର ପୁଣି ସରକାରୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। କାଶ୍ମୀର ମାନବିକ ଅଧିକାର ସମ୍ବନ୍ଧରେ ଭାରତ, ଆମେରିକାର ଚାପର ସମ୍ମୁଖୀନ ହୋଇପାରେ ଓ ସ˚ଖ୍ୟାଲଘୁଙ୍କ ସ୍ବାର୍ଥ ପ୍ରତି ଅଧିକ ଧୢାନ ଦେବାକୁ ଭାରତକୁ ଆମେରିକା ସରକାର ପରାମର୍ଶ ଦେଇପାରନ୍ତି। ଟ୍ରମ୍ପଙ୍କ ଶାସନ କାଳ ସମୟରେ ଭାରତ-ଆମେରିକା ସମ୍ପର୍କ ନିବିଡ଼ ହେବା ସଙ୍ଗେ ସଙ୍ଗେ ମୋଦୀ-ଟ୍ରମ୍ପଙ୍କର ବ୍ୟକ୍ତିଗତ ସମ୍ପର୍କରେ ନିବିଡ଼ତା ପରିଦର୍ଶିତ ହୋଇଥିଲା। ମୋଦୀ ସରକାର ପରିବର୍ତ୍ତିତ ପରିସ୍ଥିତିକୁ କୂଟନୈତିକ କୌଶଳ ଦ୍ବାରା ମୁକାବିଲା କରିବାକୁ ଉଦ୍ୟମ କରିବା ଆବଶ୍ୟକ।

ମୋ: ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର