କିଏ ଏଇ କାଳୀ?

କାଳୀ ପୂଜା - ଦୀନବନ୍ଧୁ ମିଶ୍ର

ଆଜି ଦୀପାବଳି; ଅନ୍ଧାର ରାତ୍ରିର ପର୍ବ। ସେଇ ଅନ୍ଧାର ଭିତରେ ଦୀପର ଆଲୋକରେ ମା’ କାଳୀଙ୍କୁ ପୂଜା କରାଯାଏ। ହିନ୍ଦୁ ସଂସ୍କୃତିରେ ଐଶ୍ବରୀୟ ମତବାଦର ଗୁରୁତ୍ବ ରହିଛି। ଏହି ମତବାଦାନୁସାରେ ଦେବୀଙ୍କୁ ବିଭିନ୍ନ ରୂପରେ କେବଳ ପରିକଳ୍ପନା କରାଯାଇନାହିଁ; ବରଂ ଭିନ୍ନ ଭିନ୍ନ ଉପାୟରେ ତାଙ୍କର ଧ୍ୟାନ ଓ ପୂଜା ମଧ୍ୟ କରାଯାଇଥାଏ। ଆଜିର ଦିନରେ ପୂଜା କରାଯାଉଥିବା ସେହି ଶ୍ୟାମ ବର୍ଣ୍ଣ ବା କୃଷ୍ଣ ବର୍ଣ୍ଣର ଦେବୀ କିଏ?

କୃଷ୍ଣ ଏବଂ କାଳୀଙ୍କ ମଧ୍ୟରେ ଯେ କୌଣସି ଭେଦ ନାହିଁ, ଏ କଥା ସହିତ ଅନେକ ସାଧକ ସହମତ ହେବେ। ଏହି ଅଭେଦ କେବଳ ବର୍ଣ୍ଣ ବା ରୂପକୁ ନେଇ ନୁହେଁ। ସ୍ବଭାବକୁ ନେଇ ଦେଖିଲେ ମଧ୍ୟ ଏହି ଦୁହିଁଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଦୁହିଁଙ୍କର ବୀଜମନ୍ତ୍ର ଗୋଟିଏ। ଅତ୍ୟନ୍ତ ଗଭୀରକୁ ଗଲେ ଜଣାପଡ଼େ ଯେମିତି କୃଷ୍ଣ ନିଜର ନାରୀଶକ୍ତିର ରକ୍ଷା କରିବାକୁ ଯାଇ କାଳୀଙ୍କ ମୂର୍ତ୍ତି ଧାରଣ କରିଛନ୍ତି। ଅନ୍ୟପଟେ କାଳୀଙ୍କୁ ବର୍ଣ୍ଣନା କରିବାକୁ ଯାଇ ତାଙ୍କୁ କରାରବଦନା, ମୁକ୍ତକେଶୀ, ମୁଣ୍ଡମାଳା ବିଭୂଷିତ, ସଦ୍ୟଚ୍ଛିନ୍ନ ମୁଣ୍ଡ ଧାରଣ କରିଥିବା, କଳାବର୍ଣ୍ଣର ଦିଗାମ୍ବର ଓ ଶବ ଉପରେ ଦଣ୍ଡାୟମାନ ତ୍ରିଲୋଚନ ଧାରିଣୀ, ମହାରୌଦ୍ରୀ ଶ୍ମଶାନବାସିନୀ ଆଦି ଭାବେ ନାମିତ କରାଯାଇଛି। ବୈଜ୍ଞାନିକ ତତ୍ତ୍ବ ଅନୁଯାୟୀ- ଯେହେତୁ କାଳୀଙ୍କ ମଧ୍ୟରେ ସମସ୍ତ ରଙ୍ଗ ସମାହିତ, ତେଣୁ ତାଙ୍କର ବର୍ଣ୍ଣ କଳା। ଯେଉଁଠାରେ ସବୁ ବର୍ଣ୍ଣର ସୀମା ସରିଯାଏ ବା ସେମାନେ ନିଜର ନିଜତ୍ବ ହରାଇ ବସନ୍ତି, ସେଠାରେ କଳା ରଙ୍ଗର ଉତ୍ପତ୍ତି ହୁଏ। ସୃଷ୍ଟିର ପୂର୍ବରୁ ଆଦ୍ୟାଶକ୍ତିଙ୍କ ବ୍ୟତୀତ ଆଉ କିଛି ପଦାର୍ଥର ସତ୍ତା ନଥିଲା, ତେଣୁ ଏହି ଆଦ୍ୟସତ୍ତାର ପ୍ରତୀକ ହେଉଛନ୍ତି କାଳୀ। ଏଣୁ କଳା ବର୍ଣ୍ଣ କୌଣସି ଭୟାବହତାର ରୂପ ନୁହେଁ।

ଅନ୍ୟ ଭାଷାରେ କହିବାକୁ ଗଲେ ଏହି କଳା ରଙ୍ଗ ହେଉଛି ସମସ୍ତ ଜ୍ଞାନର ଭଣ୍ଡାର ବା ମହାଶୂନ୍ୟତାର ରଙ୍ଗ। ଯାହା ସବୁ ପଦାର୍ଥର କଳନ ବା ବିନାଶ ସାଧନ କରିଥାଏ, ତାହା ହିଁ କାଳ। କାଳ ନିତ୍ୟ ଏବଂ ଅଖଣ୍ଡ ରୂପରେ ରହିଥାଏ। ସୂର୍ଯ୍ୟଙ୍କର ଗତି ଅନୁଯାୟୀ ଦିନ ଏବଂ ରାତ୍ରି ବିଭକ୍ତ ହୋଇଛି। ଶାସ୍ତ୍ରୀୟ ମତାନୁସାରେ ଏହି ସମସ୍ତ ସଂସାର କାଳର କବଳରେ ଶେଷ ହୋଇଥାଏ- କାଳଃ ପତତି ଭୂତାନି କାଳଃ ସଂହରତି ପ୍ରଜାଃ। ତେଣୁ କାଳୀ କିଏ ପ୍ରଶ୍ନର ଉତ୍ତର ହେଉଛି- ଯିଏ କାଳ ଶକ୍ତିର ଅଧୀନସ୍ଥ ନୁହନ୍ତି, ଯିଏ ସମସ୍ତ ଜଗତ୍‌ର ଆଧାରଶକ୍ତି ଅଟନ୍ତି, ସେ ହେଉଛନ୍ତି କାଳୀ। ଏହି ସଂସାରର ସମସ୍ତ ଶକ୍ତି ତାଙ୍କଠାରୁ ହିଁ ସୃଷ୍ଟି ହୋଇଛି। ଅତଏବ ମାୟା, ଦିକ୍, କାଳ ସମସ୍ତ ଶକ୍ତି ତାଙ୍କଠାରୁ ହିଁ ଉତ୍ପନ୍ନ। ନିଜର ଶକ୍ତି ଦ୍ବାରା ସମୟକୁ କବଳିତ କରି ରଖିପାରିଥିବା ଆମର ପଞ୍ଚମହାଭୂତ ଓ ମହାଶୂନ୍ୟର ସମାହାରରେ ପ୍ରକୃତିର ସୃଷ୍ଟି। ପ୍ରକୃତି ଯେଭଳି ସଂସାରର ଲାଳନ ପାଳନ କରିପାରେ ଏବଂ ପ୍ରଳୟର ରୂପ ନେଇ ମୁହୂର୍ତ୍ତକ ମଧ୍ୟରେ ସଂସାରକୁ ଧ୍ବଂସ କରିଦେଇ ସେଇ ପ୍ରକୃତି ବକ୍ଷରେ ମିଶାଇ ଦେଇପାରେ, ସେହି ପାଳନ ଓ ସଂହାର କରୁଥିବା ପ୍ରକୃତିର ଅନ୍ୟ ରୂପ ହେଉଛନ୍ତି କାଳୀ। ଆମର ପୂର୍ବଜ ଯୋଗୀ ମୁନୀଋଷିଗଣ ତାଙ୍କର ବୈଦିକ ଭାଷା ମାଧ୍ୟମରେ ଅତ୍ୟନ୍ତ ସୁନ୍ଦର ତତ୍ତ୍ବର ସମାହାରରେ ଏହି ରୂପର ବର୍ଣ୍ଣନା କରିଛନ୍ତି-
ପ୍ରକୃତୌ ବିଦ୍ୟମାନାୟାଂ ବିକୃତିର୍ନ ବଳୀୟସୀ।
ପ୍ରକୃତିଃ ପରମା ଶକ୍ତି ବିକୃତିପ୍ରତିବିମ୍ବିତା।

ଅର୍ଥାତ୍ ପ୍ରକୃତିର ସ୍ଥିତି ସମୟରେ ବିକୃତି ଅଥବା ପ୍ରଳୟ ବଳବତୀ ହୋଇପାରେ ନାହିଁ, କାରଣ ପ୍ରକୃତି ହେଉଛି ପରମା ଶକ୍ତି ଏବଂ ବିକୃତି ବା ପ୍ରଳୟ ତାହାର ପ୍ରତିବିମ୍ବ। ସେହି ପ୍ରକୃତିକୁ ଚିରସ୍ଥାୟୀ କରିବା ସକାଶେ କାଳୀଙ୍କୁ ପୂଜା କରାଯାଇଥାଏ।

ଏଫ୍. ୨୪, ଜ୍ୟୋତି ବିହାର, ବୁର୍ଲା, ସମ୍ବଲପୁର
ମୋ: ୯୪୩୯୮୯୨୧୯୬

ସମ୍ବନ୍ଧିତ ଖବର