ସ୍ୱପ୍ନର ଡେଣା

ସୁରେଶ ଚନ୍ଦ୍ର ମନ୍ତ୍ରୀ

ରବୀନ୍ଦ୍ରନାଥ ଟାଗୋର କହିଥିଲେ, ‘ଯେତେଦିନ ପର୍ଯ୍ୟନ୍ତ ଶିଶୁମାନେ ଧରାପୃଷ୍ଠରେ ଅବତରଣ କରୁଥିବେ ଭାବିବାକୁ ହେବ ଯେ ଈଶ୍ୱର ସେମାନଙ୍କ ପ୍ରତି ବିମୁଖ ନୁହନ୍ତି’। ପୁନଶ୍ଚ ସେ କହୁଥିଲେ, ଶିଶୁମାନେ ଈଶ୍ୱରଙ୍କ ଏକ ଅଶଂବିଶେଷ। ଭିଏତନାମ ଯୁଦ୍ଧ କାଳରେ ଆମେରିକା ଦ୍ୱାରା ଫିଙ୍ଗା ଯାଇଥିବା ‘ନାପାମ୍‍୍‍’ ବୋମାରେ ଭିଏତନାମର ଏକ ଗାଁ ଧୁ ଧୁ ହୋଇ ଜଳୁଥିବା ବେଳେ ତହିଁରୁ ରକ୍ଷା ପାଇବା ପାଇଁ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ କାନ୍ଦି କାନ୍ଦି ଦୌଡ଼ୁଥିବା ଏକ ଛୋଟ ଝିଅର ଫଟୋ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପୃଥିବୀ ସାରା ଏଭଳି ଜନରୋଷ ସୃଷ୍ଟି ହୋଇଥିଲା ଯାହା ଫଳରେ ଭିଏତନାମ ଯୁଦ୍ଧ ତା’ପରେ ପରେ ବନ୍ଦ ହୋଇଯାଇଥିଲା। ସବୁ ପ୍ରକାରର ଆକ୍ରମଣ ଓ ପ୍ରତିକୂଳତାର ଶରବ୍ୟ ଶିଶୁ ଓ ସେମାନଙ୍କ ମର୍ମବେଦନାର ଚିତ୍ର ପୃଥିବୀର ବିବେକକୁ ଦୋହଲାଇ ଦେଇଛି। ଆମ ସମୟର ଶାନ୍ତି ପାଇଁ ୨୦୧୪ରେ ଯୁଗ୍ମ ନୋବେଲ ପୁରସ୍କାର ବିଜେତା, ପାକିସ୍ତାନର ସ୍ୱାତ୍‍ ଉପତ୍ୟକାରେ ଜନ୍ମିତ ୧୫ ବର୍ଷୀୟା ମଲାଲା ୟୁସଫ୍‍ଜାଇ ଏବଂ ଅନ୍ୟ ଜଣେ ମଧ୍ୟପ୍ରଦେଶର ବିଦିଶାରେ ଜନ୍ମିତ ଡକ୍ଟର କୈଳାସ ସତ୍ୟାର୍ଥୀ, ‘ବଚପନ ବଞ୍ଚାଅ’ ଆନ୍ଦୋଳନର ପ୍ରବର୍ତ୍ତକ- ଯେଉଁମାନେ କି ଝିଅ ଓ ପୁଅମାନଙ୍କର ଶିକ୍ଷା ଅଧିକାର, ସ୍ୱାଧୀନତା, ସଚେତନତା ସହିତ ସେମାନଙ୍କୁୁ ବିଭିନ୍ନ ନିର୍ଯାତନାରୁ ମୁକ୍ତି କରି ତାଙ୍କୁ ପ୍ରକୃତ ଅଧିକାର ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ସାମ୍ପ୍ରତିକ ସାମାଜିକ ବିଧିବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ସତ୍ୟାର୍ଥୀ କହନ୍ତି ଯେ ଶିଶୁଟିର ସ୍ୱପ୍ନକୁ ଚାପି ଦେବା ଠାରୁ ବଳି ଆଉ କୌଣସି ଘୃଣ୍ୟ ଅପରାଧ ନାହିଁ। କ୍ଷୁଦ୍ରାତିକ୍ଷୁଦ୍ର ବଟ ବୀଜରେ ଯେପରି ବିରାଟର ସମ୍ଭାବନା ଲୁଚି ରହିଥାଏ ସେମିତି ପ୍ରତିଟି ଶିଶୁ ଭିତରେ ବି ଏକ ବିରାଟ ସମ୍ଭାବନା ଛପି ରହିଥାଏ। ପିଲାମାନଙ୍କ ପାଇଁ ପରିବାର ହିଁ ପ୍ରଥମ ପାଠଶାଳା, ବିଦ୍ୟାଳୟ ଦ୍ୱିତୀୟ ଏବଂ ତୃତୀୟ ତଥା ମହତ୍ତ୍ୱପୂର୍ଣ୍ଣ ପାଠଶାଳା ହେଉଛି ପ୍ରକୃତି, ପରିବେଶ ଓ ପରିବେଷ୍ଟନୀ। ନିକଟରେ ଗାଜିଆବାଦରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୭ ବର୍ଷର ଝିଅ ‘ଅଭିଜିତା’ କରୋନା ମହାମାରୀକୁ ନେଇ ଲେଖିଥିବା କିଛି କବିିତା ଓ ଗଳ୍ପକୁ ଏକାଠି କରି ‘ହାପିନେସ୍‍ ଅଲ୍‌ରାଉଣ୍ଡ’ ଶୀର୍ଷକ ଏକ ପୁସ୍ତକ ପ୍ରକାଶ କରି ପ୍ରସଂଶା ସାଉଁଟିଛନ୍ତିି। ଇଣ୍ଟରନ୍ୟାସନାଲ ବୁକ୍‍ ଅଫ୍‌ ରେକର୍ଡସ୍‍ ପକ୍ଷରୁ ତାଙ୍କୁ ପୃଥିବୀର ସର୍ବ କନିଷ୍ଠ ଲେଖକ ମାନ୍ୟତା ମିଳିଛି। ଆର୍ଥର କୁଜନର୍‍ ପୁଅମାନଙ୍କୁ କହନ୍ତି ପିଲା ଦିନର ବା ଶୈଶବର ମହତ୍ତ୍ୱ ସଂପର୍କରେ ତ ପି.ଭି. ସିନ୍ଧୁ କହନ୍ତି- ‘ସ୍ୱପ୍ନ ଦେଖି ଚାଲ। ତୁମର ସ୍ୱପ୍ନ ତୁମ ପାଇଁ ଡେଣାଟିଏ ପରି ଯାହା ତୁମକୁ ଉପରକୁ ଉଠିବାକୁ ସାହାଯ୍ୟ କରିବ ।’ ବ୍ରିଆନ୍‍ ଟ୍ରେସି ତାଙ୍କ ପୁସ୍ତକ ‘ଟାଇମ୍‍ ମ୍ୟାନେଜମେଣ୍ଟ’ରେ ଶିଶୁମାନଙ୍କୁ ସମୟର ସଦୁପଯୋଗ କରି ନିଜର ଲକ୍ଷ୍ୟ ହାସଲ ବିଷୟରେ ଗୁରୁତ୍ୱ ଦେବାକୁ କହନ୍ତି। ସେଥି ଲାଗି ସେ ତିନିଟି ବାଟ ଦେଖାନ୍ତି। ସେ ଗୁଡ଼ିକ ହେଲା, ନିଜ ମଧ୍ୟରେ ଭାବନା ଜାଗ୍ରତ କରିବା, ପରସ୍ପର ସହିତ ବାର୍ତ୍ତାଳାପ କରିବା ଏବଂ କର୍ତ୍ତବ୍ୟ ସମ୍ପାଦନ କରି ଲକ୍ଷ୍ୟ ହାସଲ କରିବା।

ଜୀବନ ଯାତ୍ରାରେ ଆତ୍ମବିଶ୍ୱାସ ହିଁ ସଫଳତାର ମୂଳମନ୍ତ୍ର। କୁହାଯାଇଛି ଯେତେବେଳେ ଗୋଟିଏ ଦରଜା ବନ୍ଦ ହୋଇଯାଏ ଅନ୍ୟ ଦରଜାଟି ଆପେ ଆପେ ଖୋଲିଯାଏ। ତେଣୁ ଧୈର୍ଯ୍ୟ ରଖିଲେ ସଫଳତା ମିଳିପାରିବ। ଏକଦା ଦିଲ୍ଲୀର ବିଜିନେସ୍‍ ସ୍କୁଲ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରତନ ଟାଟା କହିଥିଲେ- ‘ବର୍ତ୍ତମାନ ଠାରୁ ତୁମର ଅବଶିଷ୍ଟ ଜୀବନ କେବଳ ଶିଖିବା ଏବଂ ଶୁଣିବାରେ ହିଁ ବିତିବ’; କିନ୍ତୁ ତୁମର ସଫଳତା ନିର୍ଭର କରିବ କାର୍ଯ୍ୟକ୍ଷେତ୍ରରେ ତୁମର ନମ୍ରତା, ବିନୟ ଭାବ ଆଚରଣ ଉପରେ।’ ସଫଳତାର ଶ୍ରେୟ ନେବା ସହିତ ବିଫଳତାର ଉତ୍ତର ଦାୟିତ୍ବ ନେବା ପାଇଁ ସେ ଉପଦେଶ ‌େଦଇଥିଲେ। ଆଇନଷ୍ଟାଇନ ପିଲାମାନଙ୍କୁ କହୁଥିଲେ- ‘ପ୍ରଶ୍ନ ପଚାରିବାର ଅଧିକାରକୁ କେବେ ହାତଛଡ଼ା କରନାହିଁ। ଗତକାଲି ଠୁଁ ଶିଖ, ବର୍ତ୍ତମାନରେ ବଞ୍ଚ ଓ ଆସନ୍ତାକାଲି ପାଇଁ ଆଶାବାଦୀ ହୁଅ’। ପିଲାଙ୍କ ଭିତରେ ଏଭଳି ମାନସିକତା ଉଦ୍ରେକ କରିବାର ଅଛି। ଜୀବନରେ ସଫଳତା ପାଇଁ କେବଳ ସାଧନ ଯଥେଷ୍ଟ ନୁହେଁ, ଏଥିପାଇଁ ବ୍ୟକ୍ତିତ୍ୱ ହିଁ ବଳିଷ୍ଠ ବିଭବ। ସଦ୍‍ଗୁଣ, ସଦାଚାର ଓ ସତ୍‍ପ୍ରବୃତ୍ତି ଦ୍ୱାରା ହିଁ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ।

ଖ୍ରୀଷ୍ଟପୂର୍ବ ୪୯ରେ ଉତ୍ତରପୂର୍ବ ଇଟାଲିରେ ଜୁଲିୟସ ସିଜର ସେଦିନ ‘କ୍ରସିଂ ଦ ରୁବିକନ୍‍’ର ସ୍ୱପ୍ନ ଦେଖିଥିଲେ ଏବଂ କଠିନ ନିଷ୍ପତ୍ତି ନେଇଥିଲେ ଯେ ସେ ଇଟାଲି ଓ ରୋମ ମଧ୍ୟରେ ପ୍ରବାହିତ ‘ରୁବିକନ୍‍’ ନଦୀ ଯାହାକୁ କେହି କେବେ ପାରି ହେବାର ସାହସ କରି ନଥିଲେ ତାହା ପାର କରି ସେ ରୋମ ସହରରେ ପହଞ୍ଚିବେ। ସେ ନିଜ ପ୍ରତିଜ୍ଞାରେ ସଫଳ ହୋଇଥିଲେ। ଜୁଲିୟସଙ୍କର ଦୃଢ଼ ସଂକଳ୍ପ ପରବର୍ତ୍ତୀ କାଳରେ ତାଙ୍କୁ ରୋମାନ୍‍ ସମ୍ରାଟ୍‌ ଭାବେ ଅଧିଷ୍ଠିତ କରିଥିଲା। ପିଲାମାନଙ୍କୁ ଏହି ‘କ୍ରସିଂ ଦ ରୁବିକନ୍‍’ ମେଟାଫରରୁ କିଛି ଶିକ୍ଷା କରିବାକୁ ପଡ଼ିବ । ହେଲେନ୍‍ କେଲର, ସୁର ଦାସ, ଭୀମ ଭୋଇ ଓ ଷ୍ଟିଫେନ୍‍ ହକିଙ୍ଗ୍‍ସଙ୍କ ପରି ଅନେକ ବ୍ୟକ୍ତି ନିଜର ଶାରୀରିକ ଅକ୍ଷମତା ସତ୍ତ୍ୱେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିପାରିଥିଲେ। ତେଣୁ ଜୀବନରେ ଅସମ୍ଭବ କିଛି ନାହିଁ। ଈଶ୍ୱରଙ୍କୁ ପ୍ରଜ୍ଞ‌ା ଓ ଶକ୍ତି ପାଇଁ ବର ନମାଗି ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରିବାର ସାହସ ଭିକ୍ଷା କରିବା ଉଚିତ।

ଆମେ ଯଥାର୍ଥରେ କହିପାରିବା ପିଲାମାନେ ହେଉଛନ୍ତି ଆମର ଶ୍ୟାମଳ ଶସ୍ୟକ୍ଷେତ୍ର ଓ ସୁନ୍ଦର ଗୋଲାପ ବଗିଚାର ମନଲୋଭା ସମାହାର।

ମୋ- ୯୪୩୭୦୯୫୯୯୪

ସମ୍ବନ୍ଧିତ ଖବର

Comments are closed.