ବିହାର ଜନାଦେଶର ସନ୍ଦେଶ

ଭୁଲ ହୋଇଗଲା ସବୁ ଭବିଷ୍ୟବାଣୀ। ବୁଥ୍‌ ବାହୁଡ଼ା ମତ ଯାହା କହୁଥିଲା, ଇଭିଏମ୍ ଠିକ୍ ତା’ର ଓଲଟା ଫଳ ଦେଖାଇଲା। ବିଜୟୀ ହେବାକୁ ଆଶା ବାନ୍ଧିଥିବା ତେଜସ୍ବୀଙ୍କ ମହାମେଣ୍ଟକୁ ଲାଗିଲା ମହାଝଟ୍‌କା। ପୁଣିଥରେ ଏନ୍‌ଡିଏ ସପକ୍ଷରେ ରହିଲା ବିହାର ଜନାଦେଶ। ତିନି ତିନି ଥରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦୁର୍ବଳ ପ୍ରଦର୍ଶନ ଓ ମଳିନ ଭାବମୂର୍ତ୍ତି ସତ୍ତ୍ବେ ଏହା ସମ୍ଭବ ହେଲା।

କିନ୍ତୁ ନିର୍ବାଚନ ପୂର୍ବରୁ ତେଜସ୍ବୀଙ୍କ ବିହାରର କୋଣ ଅନୁକୋଣରେ ଆ‌ୟୋଜିତ ଜନସଭାଗୁଡ଼ିକରେ ବିଶାଳ ଜନସମୁଦ୍ରକୁ ଦେଖିଥିବା ବହୁ ରାଜନୈତିକ ବିଶ୍ଳେଷକ ମହାମେଣ୍ଟର ଏଭଳି ଅପ୍ରତ୍ୟାଶିତ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅଧିକାଂଶ ସଂସ୍ଥାର ବୁଥ୍ ବାହୁଡ଼ା ମତରୁ ସମସ୍ତେ ଧରି ନେଇଥିଲେ ଯେ ବିହାରରେ ଏଥର ପରିବର୍ତ୍ତନ ଅବଶ୍ୟମ୍ଭାବୀ। ଏପରିକି ଲାଲୁ ଓ ତେଜସ୍ବୀଙ୍କ ପାରମ୍ପରିକ ବିରୋଧୀମାନଙ୍କୁ ବି ଏଭଳି ଫଳାଫଳ ଚକିତ କରିଛି। ସମସ୍ତଙ୍କ ମନରେ ଏବେ ଏହାକୁ ନେଇ ଅନେକ ପ୍ରଶ୍ନ। ବେରୋଜଗାରିକୁ ପ୍ରସଙ୍ଗ କରି ବିହାର ଲୋକଙ୍କ ମନରେ ବିପୁଳ ଉତ୍ସାହ ସୃଷ୍ଟି କରିଥିବା ଉଦୀୟମାନ ନେତା ତେଜସ୍ବୀଙ୍କ ତେଜ ହଠାତ୍ ଫିକା ପଡ଼ିଗଲା କାହିଁକି? ନିର୍ବାଚନ ରଣରେ ମୋଦୀ ସାରଥି ହେଲେ ବୋଲି ନୀତୀଶ ଜିତିଲେ ନା’ ନିଜ ରଣନୀତିରେ ଭୁଲ୍ ଚାଲ୍ ଚଳାଇ ତେଜସ୍ବୀ ହାରିଗଲେ? ଏ ନିର୍ବାଚନୀ ଫଳାଫଳ ବିହାର ଓ ଜାତୀୟ ରାଜନୀତିକୁ କିପରି ପ୍ରଭାବିତ କରିବ? ଏ ଜନାଦେଶ ପ୍ରଚ୍ଛନ୍ନ ଭାବେ କି ସନ୍ଦେଶ ଦେଉଛି? ଆସନ୍ତୁ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା।

‌କରୋନା ମହାମାରୀ ସମୟରେ ପ୍ରଥମ ଥର ପାଇଁ ବିହାର ଭଳି ଗୋଟିଏ ବଡ଼ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଲା। କରୋନା ସମୟରେ ଚାଲିଚାଲି ଘରକୁ ଫେରିଥିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ। ସେମାନଙ୍କ ଦୁଃଖ-ଦୁର୍ଦଶା, ରାଜ୍ୟରେ ବେରୋଜଗାରି ସ୍ଥିତି, ଦୁର୍ବଳ ସ୍ବାସ୍ଥ୍ୟସେବା ଆଦି ଭଳି ଅନେକ ଜ୍ବଳନ୍ତ ସମସ୍ୟା ଥିଲା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏସବୁ ସମସ୍ୟାର କେମିତି ମୁକାବିଲା କରିଛନ୍ତି; ତାହା ପରଖିବା ପାଇଁ ‌ଜନତାଙ୍କୁ ମିଳିଥିଲା ସୁବର୍ଣ୍ଣ ସୁଯୋଗ। କେବଳ କୋଭିଡ୍ ପରିଚାଳନା ନୁହେଁ; ଦାରିଦ୍ର୍ୟ, ଦୁର୍ନୀତି, ବେକାରି ଓ ବିକାଶ ଆଦି ପ୍ରସଙ୍ଗରେ ବିହାର ଜନତା ନୀତୀଶ ସରକାରଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ନୁହନ୍ତି ବୋଲି ଏକ ପ୍ରକାର ଧାରଣା ସୃଷ୍ଟି ହୋଇଥିଲା।

କରୋନା କାଳର ଏମିତି ଏକ ସନ୍ଧିକ୍ଷଣରେ ନୀତୀଶଙ୍କୁ ଶକ୍ତ ଚ୍ୟାଲେଞ୍ଜ ଦେଇ ବିହାର ରାଜନୀତିରେ ଏକ ବିକଳ୍ପ ଭାବେ ଉଭା ହୋଇଥିଲେ ୩୧ ବର୍ଷର ଯୁବ ନେତା ତେଜସ୍ବୀ ଯାଦବ। ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଭାବେ ଉତ୍ତରାଧିକାର ସୂତ୍ରରେ ରାଜନୀତିରେ ପ୍ରବେଶାଧିକାର ପାଇଥିଲେ ଏବଂ କିଛି ମାସ ଭିତରେ ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ‌୍ରେ ଥିବା ଲାଲୁଙ୍କ କଳା ଛାଇ ଭିତରୁ ନିଜକୁ ମୁକ୍ତ କରି ସେ ଅଳ୍ପଦିନ ଭିତରେ ନିଜର ଏକ ସ୍ବତନ୍ତ୍ର ଛବି ତିଆରି କରିବାରେ ସମର୍ଥ ମଧ୍ୟ ହୋଇଥିଲେ। ଆଉ ସେ ଯେତେବେଳେ ବେରୋଜଗାରିକୁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରି ୧୦ ଲକ୍ଷ ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲେ, ଯୁବ-ବର୍ଗ ଭିତରେ ଅଭୂତପୂର୍ବ ଉତ୍ସାହ ସୃଷ୍ଟି ହେଲା। ଜାତିଭିତ୍ତିକ ରାଜନୀତିର ଊର୍ଦ୍ଧ୍ବକୁ ଯାଇ ଏଥର ବିହାରରେ ପ୍ରସଙ୍ଗ-ଭିତ୍ତିକ ନିର୍ବାଚନ ହେବାକୁ ଯାଉଛି ବୋଲି ଜୋର୍ ଚର୍ଚ୍ଚା ହେଲା। ତେଜସ୍ବୀଙ୍କ ସଭାଗୁଡ଼ିକରେ ଜନତାଙ୍କ ବିଶାଳ ସମାବେଶ ଦେଖି ତେଜସ୍ବୀଙ୍କ ବିପୁଳ ଲୋକପ୍ରିୟତା ପରିପ୍ରେକ୍ଷୀରେ ଏକ ଧାରଣା ହେଲା ଯେ ଏନ୍‌ଡିଏର ସୁଦୃଶ୍ୟ ଅଟ୍ଟାଳିକା ଅଚିରେ ଧ୍ବସ୍ତବିଧ୍ବସ୍ତ ହୋଇଯିବ, ଯାହା ବାସ୍ତବରେ ହେଲା ନାହିଁ।

ତେଜସ୍ବୀଙ୍କ ତେଜ ଦିନକୁ ଦିନ ବଢୁଥିବା ସହିତ ଏନ୍‌ଡିଏ ହାତରୁ ବିହାର କ୍ରମଶଃ ଖସି ଖସି ଯାଉଥିଲା ବେ‌ଳେ ହଠାତ୍‌ ଏନ୍‌ଡିଏ ଲାଗି ଏକ ଢାଲ ହୋଇ ଛିଡ଼ା ହୋଇଗଲେ ବିଜେପିର ତାରକା ପ୍ରଚାରକ ସ୍ବୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲାଲୁଙ୍କ ପନ୍ଦର ବର୍ଷର ଶାସନ କାଳକୁ ‘ଜଙ୍ଗଲରାଜ’ ବୋଲି ଅଭିହିତ କରି ଏବଂ ବଂଶବାଦର ପ୍ରତୀକ ଭାବେ ତେଜସ୍ବୀଙ୍କୁ ଯୁବରାଜ ବୋଲି କହି ସେ ଭୋଟରମାନଙ୍କୁ ପ୍ରଭାବିତ କରିବାରେ ସଫଳ ହେଲେ। ତା’ ସହିତ ବିହାର ଲାଗି ବିକାଶର ଅନେକ ପ୍ରତିଶ୍ରୁତି ବି ଦେଲେ। ପୂରା ରାଜ୍ୟରେ ତାଙ୍କର ଘନଘନ ପ୍ରଚାର ବୋଧହୁଏ ନୀତୀଶଙ୍କ ବୁଡ଼ି ଯାଉଥିବା ଡଙ୍ଗାକୁ କୌଣସି ପ୍ରକାରେ ନଈ ପାରି କରାଇଦେଲା।

ଏଠାରେ ପ୍ରଶ୍ନ ଉଠୁଛି; ଖା‌ଲି କ’ଣ ମୋଦୀଙ୍କ ଏଭଳି ଆକ୍ରମଣାତ୍ମକ ପ୍ରଚାର ଓ ସୁଚିନ୍ତିତ ରଣନୀତି ପାଇଁ ସବୁ ଓଲଟପାଲଟ ହୋଇଗଲା? ନା ତେଜସ୍ବୀଙ୍କ ପରାଜୟ ପଛରେ ଆଉ କିଛି କାରଣ ଅଛି? ରାଜନୈତିକ ବିଶାରଦଙ୍କ ମତରେ ତେଜସ୍ବୀ କେତେକ ଭୁଲ୍ ନିଷ୍ପତ୍ତି ନେଇ ନିଜେ ହିଁ ନିଜ ଗୋଡ଼ରେ ସେ ଚୋଟ ମାରିଛନ୍ତି। ଯେମିତିକି ‌ମୋଟ ୨୪୪ଟି ଆସନ ମଧ୍ୟରୁ ତେଜସ୍ବୀ ମହାମେଣ୍ଟର ଅନ୍ୟତମ ଅଂଶୀଦାର କଂଗ୍ରେସକୁ ୭୦ ଆସନ ଦେବା। ବିହାରରେ କଂଗ୍ରେସ ସଂଗଠନ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିବାରୁ ବିଜେପି ସହିତ ସମ୍ମୁଖ ଲଢ଼େଇରେ ଧରାଶାୟୀ ହେଲା। ତେଣୁ ୨୦୧୫ ନିର୍ବାଚନରେ ମାତ୍ର ୪୧ ଆସନରେ ଲଢ଼ି ୨୭ଟିରେ ଜିତିଥିବା କଂଗ୍ରେସ ଏଥର ୭୦ ଆସନରେ ଲଢ଼ି କେବଳ ୧୯ଟିରେ ଜିଣିଲା। ଯଦି ସେଇ ଆସନରୁ କିଛି ଆର୍‌ଜେଡି ନିଜେ ଲଢ଼ିଥାନ୍ତା, ତେବେ ହୁଏ’ତ ଫଳାଫଳ ଭିନ୍ନ ହୋଇଥାନ୍ତା।

ଏହାଛଡ଼ା ତେଜସ୍ବୀଙ୍କ ପାଇଁ ଏହି ନିର୍ବାଚନରେ କଣ୍ଟା ସାଜିଛନ୍ତି ଜାତୀୟ ସ୍ତରର ମୁସଲିମ ନେତା ଆସାଦୁଦ୍ଦିନ ଓୱାଇସି। ମୁସଲମାନ ବହୁଳ ସୀମାଞ୍ଚଳରେ ଓୱାଇସିଙ୍କ ଦଳ ଏଆଇଏମ୍‌ଆଇଏମ୍ ୧୯ଟି ଆସନରେ ପ୍ରାର୍ଥୀ ଦେଇ ୫ଟିରେ ବିଜୟୀ ହୋଇଛି। ଏହା ସହିତ ମହାମେଣ୍ଟର ପାରମ୍ପରିକ ମୁସଲମାନ ଓ ଦଳିତ ଭୋଟକୁ ମଧ୍ୟ ଭାଗ ଭାଗ କରିଦେଲା। ଏହି ଇଲାକାର ଅଧିକାଂଶ ଆସନରେ ଏହା ପରୋକ୍ଷ ଭାବେ ବିଜେପି-ଜେଡିୟୁ ମେଣ୍ଟକୁ ସାହାଯ୍ୟ କରିଛି। ଏହା ମଧ୍ୟ ବିହାରରେ ବିଜେପି ରଣନୀତିର ଏକ ଅଂଶ ଥିଲା ବୋଲି କୁହାଯାଉଛି।

ନିର୍ବାଚନକୁ ରଣକ୍ଷେତ୍ର ବୋଲି ଅଭିହିତ କରି ଅନେକ ଲୋକ ଷୋଡ଼ଶ ଶତାବ୍ଦୀର ଇଂରେଜୀ କବି ଜନ ଲାଇଲିଙ୍କ କଲମରୁ ନିଃସୃତ ହୋଇ ଏବେ ଏକ ଆପ୍ତ ବାକ୍ୟରେ ପରିଣତ ହୋଇଥିବା ଧାଡ଼ିଟିଏର ଅବତାରଣା କରନ୍ତି, ଯାହା କହିଥାଏ: ‘ଅଲ୍‌ ଇଜ୍‌ ଫେୟାର ଇନ୍ ଲଭ ଏଣ୍ଡ ୱାର୍‌’ ଅର୍ଥାତ ଯୁଦ୍ଧ ଓ ପ୍ରେମରେ ସବୁ କିଛି (ଉପାୟ) ନ୍ୟାୟୋଚିତ। ଏହାର ଅର୍ଥ ଏକ ନୀତି-ନୈତିକତା ରହିତ ରାଜନୀତି ଓ ନିର୍ବାଚନକୁ ପ୍ରଶ୍ରୟ। ସେଇ ଆଧାରରେ ବିହାରରେ ନିର୍ବାଚନ ଜିତିବାକୁ ରାଜନୈତିକ ଦଳମାନେ ଆପଣେଇଥିବା ନୀତି ବହିର୍ଭୂତ ରଣନୀତି ପାଇଁ ହୁଏ’ତ କୌଣସି ନେତାଙ୍କୁ ଦୋଷ ଦେଇ ଲାଭ ନାହିଁ। ତେବେ ଜନାଦେଶକୁ ସମ୍ମାନ ଜଣାଇ ଏତିକି ଅନ୍ତତଃ କୁହାଯାଇପାରେ ଯେ ବିହାରକୁ ଏକ ନୂଆ ଦିଗ ଦେବା ପାଇଁ ତେଜସ୍ବୀ ଯେଉଁସବୁ ବାସ୍ତବ ପ୍ରସଙ୍ଗ ଉଠାଇଥିଲେ, ସେସବୁର ବାର୍ତ୍ତା ଠିକ୍ ଭାବେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାରେ ସେ ସମର୍ଥ ହୋଇପାରିଲେ ନାହିଁ।

ଏଇଠି ବିଖ୍ୟାତ ଲେଖକ ଓ ଦାର୍ଶନିକ ଜୋସେଫ ଡି ମାଇଷ୍ଟ୍ରେଙ୍କ ଏକ ଉକ୍ତି ମନେ ପଡ଼ୁଛି: ଗଣତନ୍ତ୍ରରେ ଲୋକେ ସେପରି ନେତା ବା ସରକାର ପାଇଥାନ୍ତି; ଯେପରି ପାଇବାକୁ ସେମାନେ ଯୋଗ୍ୟ। ସେହି ସୂତ୍ରରୁ କହିହେବ‌ ଯେ ଯଦି ଅସଲ ବିକାଶ ଠାରୁ ବହୁ ଦୂରରେ ଥିବା ମହାମାରୀ ପୀଡ଼ିତ, ବେକାରି ଜର୍ଜରିତ ବିହାରର ଜନତା ୧୫ ବର୍ଷ ହେଲା ଶାସନ କରୁଥିବା ସେହି ଗୋଟିଏ ସରକାରକୁ ଆହୁରି ଅଧିକ କା‌ଳ ଶାସନରେ ଦେଖିବା ଲାଗି ଇଚ୍ଛୁକ, ତେବେ ତେଜସ୍ବୀଙ୍କ ଭଳି ପ୍ରତିଶ୍ରୁତିବାନ ଯୁବନେତାଙ୍କୁ ନିଜ ସ୍ବପ୍ନ ସାକାର କରିବା ଲାଗି ଆହୁରି ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିବ।

ମୋ: ୯୪୩୭୦୮୨୫୨୬

ସମ୍ବନ୍ଧିତ ଖବର