ମହା ଗଠବନ୍ଧନ ଝୁଣ୍ଟିଲା କାହିଁକି?

ସରଳ ବିଚାର - ସରଳ କୁମାର ଦାସ

ଗଣତନ୍ତ୍ରରେ ଜନାଦେଶ ସର୍ବୋପରି ହୋଇଥିଲେ ହେଁ ସବୁ ସମୟରେ ଜନାଦେଶ ପାଇଥିବା ଗୋଟିଏ ଦଳ ବା ମେଣ୍ଟ ପ୍ରତି ଯେ ଜନ ସମର୍ଥନ ଅଧିକ ରହିଛି, ତାହା କହି ହେବ ନାହିଁ। ବିହାର ବିଧାନସଭା ନିର୍ବାଚନ ଫଳାଫଳରୁ ଅନ୍ତତଃ ଏହି ଧାରଣା ଜନ୍ମିଛି ଯେ ଜନାଦେଶ ଓ ଜନ ସମର୍ଥନ ଏକା କଥା ହୋଇ ନ ପାରେ। କାରଣ ସେଠାରେ ଏନ୍‌ଡିଏ ଓ ଏମ୍‌ଜିବି (ମହା ଗଠବନ୍ଧନ) ଭଳି ଯେଉଁ ଦୁଇଟି ପ୍ରମୁଖ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଉଭୟଙ୍କୁ ୩୭% ଲେଖାଏଁ ଭୋଟ ମିଳିଥିଲେ ବି ଏନ୍‌ଡିଏକୁ ୧୨୫ଟି ଓ ଏମ୍‌ଜିବିକୁ ୧୧୦ଟି ଆସନ ମିଳିଛି। ସମଗ୍ର ରାଜ୍ୟରେ ଏନ୍‌ଡିଏ ମେଣ୍ଟକୁ ସମୁଦାୟ ୧,୫୭,୦୦,୬୧୮ଟି ଭୋଟ ମିଳିଥିବା ବେଳେ ଏମ୍‌ଜିବିକୁ ୧,୫୬,୧୫,୭୦୯ଟି ଭୋଟ ମିଳିଛି; ଅର୍ଥାତ୍ ଭୋଟ ବ୍ୟବଧାନ ମାତ୍ର ୮୪,୯୦୯। ବିଡ଼ମ୍ୱନା ଯେ ରାଜ୍ୟରେ ୭ ଲକ୍ଷରୁ ଅଧିକ ମତଦାତା ନୋଟାରେ ଭୋଟ ଦେଇଛନ୍ତି। ଏଗାରଟି ଆସନରେ ବିଜୟୀ ପ୍ରାର୍ଥୀ ଏକ ହଜାର ଭୋଟରୁ ବି କମ୍‌ ବ୍ୟବଧାନରେ ଜିତିଛନ୍ତି। ଏହି ନିର୍ବାଚନ ଫଳାଫଳକୁ ଲକ୍ଷ୍ୟ କଲେ ବୁଝି ହେବ ଯେ ଏହା କୌଣସି ଗୋଟିଏ ମେଣ୍ଟ ସପକ୍ଷରେ ସ୍ପଷ୍ଟ ଜନ ସମର୍ଥନ ନୁହେଁ। ଏହା ଏକ ବିଖଣ୍ଡିତ ଜନାଦେଶ। ଆଗାମୀ ଦିନରେ ସଂପ୍ରଦାୟ, ଜାତି, ଭାଷା ଇତ୍ୟାଦିକୁ ନେଇ ଧ୍ରୁବୀକରଣ (ପୋଲାରାଇଜେସନ) ଯେତେ ଅଧିକ ହେବ, ଜନାଦେଶ ସେତେ ଅଧିକ ବିଖଣ୍ଡିତ ହୋଇପାରେ। ବିହାର ନିର୍ବାଚନ ଫଳାଫଳରୁ ଅନ୍ତତଃ ଏହି ଆଭାସ ମିଳିଛି। ତେବେ ନୀତୀଶ କୁମାରଙ୍କ ପ୍ରତି ଜନ ଅସନ୍ତୋଷ ତଥା ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ସଭାଗୁଡ଼ିକରେ ପ୍ରବଳ ଜନ ସମାଗମ ଓ ଏକ୍‌ଜିଟ ପୋଲ୍‌ଗୁଡ଼ିକର ଆକଳନରୁ ଏମ୍‌ଜିବିର ବିଜୟ ଏକ ପ୍ରକାର ସୁନିଶ୍ଚିତ ବୋଲି ଜଣାପଡୁଥିଲା ବେଳେ ଏମିତି କାହିଁକି ଘଟିଲା ସେ ବିଷୟରେ ଆଲୋଚନା କରାଯାଇପାରେ।

ଏହି ନିର୍ବାଚନରେ ୫୯.୪% ମହିଳା ଭୋଟ ଦେଇଥିଲେ ଯାହା ପୁରୁଷଙ୍କ ଅପେକ୍ଷା ପ୍ରାୟ ୫% ଅଧିକ। ଏହା ନିଶ୍ଚିତ ଭାବେ ଏମ୍‌ଜିବି ପାଇଁ ପ୍ରତିକୂଳ ସାବ୍ୟସ୍ତ ହୋଇଛି। ନିରବ ମତଦାତା ରୂପେ ଅଭିହିତ ଏହି ମହିଳା ମତଦାତାମାନେ ନୀତୀଶ କୁମାରଙ୍କ ମଦ ବିରୋଧୀ ଅଭିଯାନ ଓ ତାଙ୍କ ଶାସନରେ ଅପେକ୍ଷାକୃତ ଉନ୍ନତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ହୁଏ’ତ ତାଙ୍କ ସପକ୍ଷରେ ଅଧିକ ଭୋଟ ଦେଇଥିବେ। ଜାତିଗତ ଆଧାରରେ ମତଦାନ ବିହାର ରାଜନୀତିର ଏକ ତିକ୍ତ ବାସ୍ତବତା। ସେଠାରେ ଜାତିଗତ ସମୀକରଣ କିଛି ଏହି ପ୍ରକାର – ଉଚ୍ଚ ଜାତି ୧୫%, ଯାଦବ ୧୪% , ମୁସଲମାନ ୧୭%, ଅନୁସୂଚିତ ଜାତି ୧୬%, ଅଣ-ଯାଦବ ଓବିସି (ଏନ୍‌ୱାଇଓବିସି) ୩୬%, ଅନୁସୂଚିତ ଜନଜାତି ୧% ଓ ଅନ୍ୟମାନେ ୨%। ଏନ୍‌ୱାଇଓବିସିଙ୍କ ମଧ୍ୟରେ କୁର୍ମୀ ୪%, କୋଏରୀ ଓ କୁଶୱାହା ୮% ହୋଇଥିବା ବେଳେ ଅବଶିଷ୍ଟ ୨୪% ଅତି ଅନଗ୍ରସର ଜାତି (ଏମ୍‌ବିସି) ଭାବେ ପରିଗଣିତ। ସେହିପରି ୧୬% ଅନୁସୂଚିତ ଜାତିଙ୍କ ମଧ୍ୟରୁ ୬% ଦଳିତ ଓ ୧୦% ମହା ଦଳିତ। ଅନୁସୂଚିତ ଜାତି ମଧ୍ୟରେ ସାମାଜିକ ଓ ଶୈକ୍ଷିକ ଦୃଷ୍ଟିରୁ ଅନଗ୍ରସର ୧୮ରୁ ୨୨ଟି ଉପଜାତିଙ୍କୁ ନେଇ ନୀତୀଶ କୁମାର ୨୦୦୯ ମସିହାରେ ‘ମହାଦଳିତ’ ବର୍ଗ ସୃଷ୍ଟି କଲେ ଯେଉଁମାନେ ପରବର୍ତ୍ତୀ ସମୟରେ ଏକ ପ୍ରକାର ନୀତୀଶ କୁମାରଙ୍କ ଭୋଟ ବ୍ୟାଙ୍କ୍‌ରେ ପରିଣତ ହେଲେ। ଅନୁସୂଚିତ ଜାତିଙ୍କ ମଧ୍ୟରେ କେବଳ ପାଶୱାନ ଉପଜାତିର ଲୋକେ ଦଳିତ ବର୍ଗରେ ରହିଲେ। ଉଲ୍ଲେଖଯୋଗ୍ୟ, ୧୯୯୦ରୁ ୨୦୦୦ ଯାଏଁ ଅନୁସୂଚିତ ଜାତିର ଲୋକେ ଲାଲୁ ଯାଦବଙ୍କୁ ସମର୍ଥନ କରି ଆସୁଥିଲା ବେଳେ ତା’ ପରେ ରାମ ବିଳାସ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଆଡ଼କୁ ଢଳିଥିଲେ। ତେବେ ୨୦୦୯ରେ ନୀତୀଶ କୁମାରଙ୍କ ମହାଦଳିତ କାର୍ଡ ଅନୁସୂଚିତ ଜାତି ବର୍ଗକୁ ବିଭାଜିତ କରିବାକୁ ସକ୍ଷମ ହୋଇ ଏଲ୍‌ଜେପିର ଜନାଧାରକୁ କ୍ଷତି ପହଞ୍ଚାଇଲା। ଯାହା ଉଭୟଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧିର କାରଣ। ଏମ୍‌ବିସି, ଦଳିତ ଓ ମହାଦଳିତ ସମୁଦାୟ ଜନସଂଖ୍ୟାର ୪୦% ଓ ଏମାନେ ଅନୁସୂଚିତ ଜାତି ପାଇଁ ଆରକ୍ଷିତ ୩୮ଟି ଆସନ ସମେତ ପ୍ରାୟ ୧୦୦ଟି ଆସନର ଫଳାଫଳକୁ ପ୍ରଭାବିତ କରି ଥାଆନ୍ତି। ତେଣୁ ବିହାରରେ ନିର୍ବାଚନ ଜିତିବାକୁ ହେଲେ ଜାତିଗତ ସମୀକରଣକୁ ନିଜ ମେଣ୍ଟ ସପକ୍ଷରେ ନେବା ଏକ ପ୍ରକାର ଅନିବାର୍ଯ୍ୟ।

କିନ୍ତୁ ଚଳିତ ନିର୍ବାଚନରେ ଏମ୍‌ଜିବି ତରଫରୁ ରୋଜଗାରକୁ ମୁଖ୍ୟ ପ୍ରସଙ୍ଗ କରାଯାଇଥିଲା। କିନ୍ତୁ ଦେଖାଯାଇଛି ଯେ ଜାତି ସମୀକରଣର ପ୍ରଭାବ ରହିଲା। ବସ୍ତୁତଃ ଜନସଂଖ୍ୟାର ପ୍ରାୟ ୩୧% ମୁସଲମାନ ଓ ଯାଦବ(ଏମ୍‌ୱାଇ)ଙ୍କ ମଧ୍ୟରୁ ୭୫ ଭାଗ (ସମୁଦାୟ ଜନସଂଖ୍ୟାର ପ୍ରାୟ ୨୪%) ଆର୍‌ଜେଡିର ପାରମ୍ପରିକ ମତଦାତା ହୋଇଥିଲେ ମଧ୍ୟ ତାହା ନିର୍ବାଚନ ଜିତାଇବା ପାଇଁ ଯଥେଷ୍ଟ ନୁହେଁ। ଏଥର ତେଜସ୍ୱୀ ଯାଦବ ଏମ୍‌ଜିବିର ଜାତିଗତ ଜନାଧାରକୁ ଅଧିକ ବଢ଼ାଇବାକୁ ସକ୍ଷମ ହେଲେ ନାହିଁ। ଏପରିକି ଏମ୍‌ଜିବିରେ ସାମିଲ ଥିବା ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ଟିକେଟ୍‌ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଶେଷ ମୁହୂର୍ତ୍ତରେ ମେଣ୍ଟରୁ ଓହରି ଯାଇ ଏନ୍‌ଡିଏରେ ମିଶିବା ମେଣ୍ଟ ପାଇଁ ଅପକାରୀ ସାବ୍ୟସ୍ତ ହେଲା। କାରଣ ନିଷାଦ (କୈବର୍ତ୍ତ) ଜାତିର ଲୋକେ ଭିଆଇପିର ସମର୍ଥକ ଓ ଏମାନଙ୍କ ସଂଖ୍ୟା ପ୍ରାୟ ୮%। କୌଣସି ମତେ ଏହି ଦଳକୁ ଏମ୍‌ଜିବିରେ ରଖା ଯାଇ ପାରିଥିଲେ ମେଣ୍ଟର ଭୋଟ ଅଂଶ ବଢ଼ି ପାରିଥାଆନ୍ତା। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝିଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ହମ) ମଧ୍ୟ ଏମ୍‌ଜିବିରୁ ଓହରି ଯାଇ ଏନ୍‌ଡିଏରେ ସାମିଲ ହେବା ଫଳରେ ମହାଦଳିତ ଭୋଟ ମଧ୍ୟ ବିଭାଜିତ ହୋଇ ଏନ୍‌ଡିଏକୁ ଗଲା। ଅଣ-ଯାଦବ ଓବିସି ବର୍ଗର କୁଶୱାହା ଜାତିର ପ୍ରତିନିଧିତ୍ୱ କରୁଥିବା ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏସ୍‌ପି ଦଳ ବି ଏମ୍‌ଜିବିରୁ ଓହରି ଯାଇ ବହୁଜନ ସମାଜ ପାର୍ଟି ଓ ଏଆଇଏମ୍‌ଆଇଏମ୍‌ ଦଳ ସହ ମିଶି ଜିଏସ୍‌ଡିଏଫ୍‌ ମେଣ୍ଟ ଗଠନ କଲେ। ଭିଆଇପି, ହମ ଓ ଆରଏଲଏସ୍‌ପି ଭଳି ଦଳ ଏମ୍‌ଜିବିର ଅଂଶୀଦାର ଥିଲା ବେଳେ ଯଥାକ୍ରମେ ୩୦, ୨୦ ଓ ୩୦ଟି ଆସନ ଲାଗି ଦାବି କଲେ ଯାହା ପୂରଣ କରିବା ତେଜସ୍ୱୀଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଆନ୍ତା। ଅନ୍ୟ ପକ୍ଷରେ ନୀତୀଶଙ୍କୁ ଖୋଲାଖୋଲି ବିରୋଧ କରୁଥିବା ଏଲ୍‌ଜେପିର ଚିରାଗ ପାଶୱାନଙ୍କ ସହ ସୀମିତ ଆସନରେ ଗୋପନ ବୁଝାମଣା କରିବାର ସମ୍ଭାବନାକୁ ଅନ୍ୱେଷଣ କରା ଯାଇ ପାରିଥାଆନ୍ତା। ତେଣୁ କୁହାଯାଇପାରେ ଯେ ଏମ୍‌ବିସି, ଦଳିତ ଓ ମହାଦଳିତ ବର୍ଗର ଭୋଟକୁ ଏମ୍‌ଜିବି ସପକ୍ଷରେ ଆଣିବା ପାଇଁ ତେଜସ୍ୱୀ ଯାଦବ ବିଧିବଦ୍ଧ ପଦକ୍ଷେପ ନ ନେବା ମେଣ୍ଟ ପରାଜୟର ଅନ୍ୟତମ କାରଣ।

ଚଳିତ ନିର୍ବାଚନରେ କଂଗ୍ରେସ ୭୦ଟି ଆସନରେ ଲଢ଼ି ମାତ୍ର ୧୯ଟିରେ ଜିତିଛି। କଂଗ୍ରେସର ଏହି ବିଫଳତା ଏମ୍‌ଜିବିର ଆସନ ସଂଖ୍ୟା କମ ହେବାର ଏକ ବଡ଼ କାରଣ। ୨୦୧୫ ତୁଳନାରେ ଏବେ କଂଗ୍ରେସ ଦୁର୍ବଳ ଥିବା ସତ୍ତ୍ବେ ପୂର୍ବ ଥର ତୁଳନାରେ ଅଧିକ ୨୭ଟି ଆସନରେ ଲଢ଼ିବାର ନିଷ୍ପତ୍ତି ଅପରିଣାମଦର୍ଶୀ ଥିଲା। ବୁଝିବା ଦରକାର ଯେ ଆଗ ଭଳି ମୁସଲମାନ ଓ ଅନୁସୂଚିତ ଜାତିର ନାଗରିକ ଆଉ କଂଗ୍ରେସର ଉତ୍ସର୍ଗୀକୃତ ମତଦାତା ହୋଇ ନାହାନ୍ତି। କଂଗ୍ରେସକୁ ଏତେ ଅଧିକ ଆସନ ଦିଆଯାଇଥିଲେ ଫଳାଫଳ ନିଶ୍ଚିତ ଭାବେ ଭିନ୍ନ ହୋଇଥାଆନ୍ତା। ତେବେ, କଂଗ୍ରେସ ସମୁଦାୟ ପ୍ରାୟ ୪୦ ଲକ୍ଷ ଭୋଟ ପାଇବାରୁ ସୂଚିତ ହେଉଛି ଯେ ସେଠାରେ ଏବେ ବି ଦଳର ଏକ ଉତ୍ସର୍ଗୀକୃତ ଭୋଟ ବ୍ୟାଙ୍କ୍‌ ରହିଛି। ଆଗାମୀ ଦିନମାନଙ୍କରେ ବିଭିନ୍ନ ରାଜ୍ୟରେ ମେଣ୍ଟର ଅଂଶୀଦାର ଦଳମାନଙ୍କୁ ଆସନ ବଣ୍ଟନ ବେଳେ ଏକ ବୃହତ୍ତର ଲକ୍ଷ୍ୟ ହାସଲ କରିବା ପାଇଁ ମହତ୍ତ୍ୱାକାଂକ୍ଷାକୁ ବର୍ଜନ କରି ଅଧିକ ବ୍ୟାବହାରିକ ହେବାକୁ ପଡ଼ିବ। ନିଜ ଦଳକୁ କେତେ ଅଧିକ ଆସନ ମିଳିଲା ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମେଣ୍ଟର କେଉଁ ଦଳକୁ କେଉଁ ଆସନ ଦିଆଗଲେ ସେଠାରେ ତାଙ୍କ ବିଜୟ ଅଧିକ ସହଜ ହେବ ବା ସେ ଜିତି ନ ପାରିଲେ ବି ଅନ୍ତତଃ ପକ୍ଷେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ବିଜୟକୁ ପ୍ରତିହତ କରିପାରିବେ। କାରଣ ମେଣ୍ଟର ସବୁ ଦଳଙ୍କ ମଧ୍ୟରେ ଭୋଟ ହସ୍ତାନ୍ତରଣ ସମାନ ଭାବେ ହୋଇ ନ ଥାଏ। ତାର ଏକ ଉଦାହରଣ ହେଉଛି ୨୦୧୯ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀଙ୍କ ବିଜୟ। କଂଗ୍ରେସ ଓ ବାମ ଦଳଙ୍କ ମଧ୍ୟରେ ହୋଇଥିବା ମେଣ୍ଟରେ ଏହି ଆସନଟିରେ ସିପିଏମ୍‌ ଲଢୁଥିଲା। ତେଣୁ, କଂଗ୍ରେସର ଲକ୍ଷାଧିକ ଅସନ୍ତୁଷ୍ଟ ଭୋଟର ସିପିଏମ୍‌ ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ବିଜେପିକୁ ଦେବାରୁ ବିଜେପି ଜିତିଗଲା। ଏଠାରେ କଂଗ୍ରେସ ନିଜେ ପ୍ରାର୍ଥୀ ଦେଇଥିଲେ ଦଳ ହୁଏ’ତ ଜିତି ନ ଥାଆନ୍ତା; କିନ୍ତୁ ଦଳର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ପରାହତ କରିବାର ଲକ୍ଷ୍ୟ ହାସଲ କରାଯାଇ ପାରିଥାଆନ୍ତା।

ନିର୍ବାଚନରେ ‘ପ୍ରତୀୟମାନତା’ ବା ଅନୁଭବ (ପର୍‌ସେପ୍‌ସନ୍‌) ଏକ ବଡ଼ ଭୂମିକା ନିର୍ବାହ କରିଥାଏ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଲାଲୁ ଯାଦବଙ୍କ ୧୫ ବର୍ଷର ଶାସନ ଏକ ନିନ୍ଦିତ ଅଧ୍ୟାୟ ଓ ଏହାକୁ ହାଇକୋର୍ଟ ଏକଦା ‘ଜଙ୍ଗଲରାଜ’ ବୋଲି ଅଭିହିତ କରିଥିଲେ। ତେଣୁ ଏ ଥର ଆରଜେଡି ତରଫରୁ ଦଳର ସବୁ ପ୍ରଚାର ସାମଗ୍ରୀରୁ ଯୋଜନାବଦ୍ଧ ଭାବେ ଲାଲୁ ଯାଦବ ଓ ରାବିଡ଼ି ଦେବୀଙ୍କ ଫଟୋକୁ ବାଦ ଦିଆ ଯାଇଥିଲା। ତେବେ ଏମ୍‌ଜିବି ଶାସନ ଆସିଲେ ଜଙ୍ଗଲରାଜ ଫେରିବ ବୋଲି କହି ଏନ୍‌ଡିଏ ତରଫରୁ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ଶେଷ ଯାଏଁ ପ୍ରୟାସ ଜାରି ରହିଥିଲା। ସେଥିରେ ସେମାନେ ସଫଳ ମଧ୍ୟ ହେଲେ।

ତିନି ପର୍ଯ୍ୟାୟ ବିଶିଷ୍ଟ ଏହି ନିର୍ବାଚନକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ପ୍ରଥମ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ୧୬୫ଟି ଆସନର ନିର୍ବାଚନରେ ଏମ୍‌ଜିବି ଏନ୍‌ଡିଏଠାରୁ ୧୬ଟି ଅଧିକ ଆସନ ପାଇଥିଲା। ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ୭୮ଟି ଆସନ ପାଇଁ ନିର୍ବାଚନରେ ପ୍ରାୟ ୪୬ଟି ଆସନ ମୁସଲମାନ ବହୁଳ ହୋଇଥିବାରୁ ଏହାକୁ ଏମ୍‌ଜିବିର ଗଡ଼ ସଦୃଶ ଚିନ୍ତା କରାଯାଉଥିବାରୁ ମେଣ୍ଟ ଏଠାରେ ବିଜୟ ନେଇ ଆଶ୍ୱସ୍ତ ରହି ପ୍ରତିଦ୍ୱନ୍ଦ୍ୱିତାକୁ କିଛିଟା ହାଲୁକା ଭାବେ ଗ୍ରହଣ କରିଥିଲା। କିନ୍ତୁ ଏହି ଅଞ୍ଚଳରେ ହିଁ ଏନ୍‌ଡିଏ ସର୍ବାଧିକ ୫୨ଟି ଆସନ ଦଖଲ କରି ନିର୍ବାଚନୀ ଗଣିତକୁ ନିଜ ସପକ୍ଷରେ ନେବାରେ ସକ୍ଷମ ହେଲା। ଏଠାରେ ମୁସଲମାନ ଭୋଟକୁ ଧ୍ରୁବୀକରଣ କରିବା ପାଇଁ ହୋଇଥିବା ପ୍ରଚେଷ୍ଟା ଯୋଗୁ ହିନ୍ଦୁ ଭୋଟର ‘ପାଲଟା ଧ୍ରୁବୀକରଣ’ କ୍ରମରେ ଏନ୍‌ଡିଏ ସପକ୍ଷରେ ଗଲେ ବୋଲି କୁହାଯାଏ। ଅନ୍ୟ ପକ୍ଷରେ ଏଠାରେ ଆସାଦୁଦ୍ଦିନ ଓୱାଇସିଙ୍କ ଏଆଇଏମ୍‌ଆଇଏମ୍‌ ଦଳ ପ୍ରାର୍ଥୀ ଦେଇଥିବାରୁ ମୁସଲମାନ ଭୋଟ ବିଭାଜିତ ହୋଇ ଏମ୍‌ଜିବିକୁ କ୍ଷତି ପହଞ୍ଚାଇଲା। ଏହି ନିର୍ବାଚନରେ ବାମଦଳଗୁଡ଼ିକର ପ୍ରଦର୍ଶନ ସୂଚାଉଛି ଯେ ସେମାନଙ୍କ ଠାରେ ପ୍ରତ୍ୟାବର୍ତ୍ତନ କରିବାର କ୍ଷମତା ରହିଛି। ସୁତରାଂ, ସେମାନଙ୍କୁ ଭାରତୀୟ ରାଜନୀତିରୁ ଖାରଜ କରାଯାଇ ନ ପାରେ।

ଦୀର୍ଘ ପ୍ରାୟ ୧୫ ବର୍ଷ କାଳ କ୍ଷମତାରେ ରହି ସୁଦୃଢ଼ ସଂଗଠନ ଓ ଅର୍ଥବଳ ଥିବା ସତ୍ତ୍ୱେ ବିଜେପି ଦଳର ଭୋଟ ୧୯%ରେ ସୀମିତ ରହିଛି। ତେବେ, ସେ ଯାହା ହେଉ, ନିର୍ବାଚନ ପରେ ‘ଯଦି’ ଓ ‘କିନ୍ତୁ’ର ସ୍ଥାନ ନାହିଁ। ତେବେ ଏଥିରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତ୍‌ରେ ଭୁଲ୍‌କୁ ସୁଧୁରା ଯାଇପାରେ। ତେଣୁ ସ୍ଥଳ ବିଶେଷରେ ନିର୍ବାଚନ ଜିତିବା ପାଇଁ ଦଳୀୟ ବିସ୍ତାର ଅପେକ୍ଷା ଏକ ବିଜୟୀ ମେଣ୍ଟ ଗଠନ ପାଇଁ ଉପଯୁକ୍ତ ରଣ କୌଶଳ ପ୍ରସ୍ତୁତି ଅଧିକ ଗୁରୁତ୍ୱପୂର୍ଣ୍ଣ।

ଭୁବନେଶ୍ବର
ମୋ: ୯୪୩୭୦୩୮୦୧୫
[email protected]

ସମ୍ବନ୍ଧିତ ଖବର