ଏବେ ସମସ୍ତଙ୍କ ମନରେ ସ୍କୁଲ ଖୋଲିବା ନେଇ ଅନେକ ପ୍ରଶ୍ନ। କରୋନା ଆତଙ୍କରେ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସରୁ ବନ୍ଦ ରହିଛି। ନିକଟରେ ସ୍କୁଲ ଖୋଲିବା ନେଇ କଳ୍ପନାଜଳ୍ପନା ପରେ ଏ ବର୍ଷ ଶେଷ ପର୍ଯ୍ୟନ୍ତ ନ ଖୋଲିବାର ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସଙ୍ଗେ ସଙ୍ଗେ ପାଠ ପଢ଼ା ବି ଚାଲିଛି ଅନଲାଇନ ମାଧ୍ୟମରେ। ସାମାଜିକ ଦୂରତା ରକ୍ଷା କରି କେତେ ପରୀକ୍ଷା ମଧ୍ୟ ସୁରୁଖୁରୁରେ ହୋଇ ପାରିଛି। ହେଲେ ଆଜି ଅଭିଭାବକ, ଶିକ୍ଷକ, କର୍ତ୍ତୃପକ୍ଷ ଓ ଛାତ୍ର; ସଭିଙ୍କ ମନରେ ସ୍କୁଲ ବନ୍ଦ ଓ ଅନଲାଇନ ପାଠପଢ଼ାକୁ ନେଇ ଅସ୍ବସ୍ତି ଓ ଅସନ୍ତୋଷର ଭାବ।
ଏକ ପ୍ରାକୃତିକ ବିପର୍ଯ୍ୟୟ ରୂପରେ ଏହି ମହାମାରୀ ମଣିଷ ଜାତିକୁ ଅନିଶ୍ଚିତତା ଓ ଦ୍ବିଧାର ସନ୍ଧି ସ୍ଥଳରେ ଠିଆ କରାଇ ଦେଇଛି। ତାର ଅତି ପରିଚିତ ଓ ନିତିଦିନିଆ ଜୀବନଚର୍ଯ୍ୟା ଆଜି ଅଜଣା ଆତଙ୍କରେ ଅପହଞ୍ଚ ହୋଇଯାଇଛି। ବିଭ୍ରାନ୍ତିର ଏ ଦୋ ଛକିର ପଛରେ ସେ ଛାଡ଼ି ଆସିଛି ତାର ଚିହ୍ନା ରୁଟିନ, ଅଥଚ ଆଗରେ ପଡ଼ିଛି ଏକ ଅଜଣା ଦୁନିଆ। ପିଲାମାନେ ସ୍କୁଲ ଯାଇ ପାଠ ପଢ଼ିବା ସେମିତି ଏକ ନିତିଦିନିଆ କଥା, ଯାହା ବିଷୟରେ ମହାମାରୀ ଆଗରୁ ମଣିଷ ଦି ଥର ମଧ୍ୟ ଭାବୁ ନ ଥିଲା। କିନ୍ତୁ ଏବେ ଏହି ସାଧାରଣ କାମଟି ମଧ୍ୟ ମହାର୍ଘ ହୋଇ ଯାଇଛି।
ତେବେ ଉପାୟ କ’ଣ? କରୋନା ସମ୍ପୂର୍ଣ୍ଣ ଛାଡ଼ି ନ ଥିବା ଅବସ୍ଥାରେ ବିଭିନ୍ନ ସତର୍କତା ଅବଲମ୍ବନ କରି ପିଲାଙ୍କୁ ସ୍କୁଲକୁ ପଠାଇବା ଓ ପ୍ରତିଷେଧକ ଟିକା ଉପଲବ୍ଧ ହେବା ପରେ କିମ୍ବା ମହାମାରୀ ପୂରା ଛାଡ଼ି ଯିବା ପରେ ସ୍କୁଲ ଖୋଲିବା ବ୍ୟତୀତ ତୃତୀୟ ପନ୍ଥା କିଛି ଅଛି କି? ନିଶ୍ଚୟ ଅଛି, ହେଲେ ଆମେ ସେ ବିଷୟରେ ଧ୍ୟାନ ଦେବାକୁ ନାରାଜ। ସକାଳ ହେଲେ ପାଠ ପଢ଼ିବା ପାଇଁ ସ୍କୁଲ ଯିବା ଯେ ନିହାତି ଦରକାର, ସେହି ଚିରାଚରିତ ଚିନ୍ତାଧାରାଟି ମନରୁ କାଢ଼ି ଦେବା ପାଇଁ ଆଜି ସମୟ ଆସିଛି।
ତେବେ ପିଲାମାନେ ପଢ଼ିବେ କେମିତି? ଏବେ ଯୁକ୍ତି ଶୁଣିବାକୁ ମିଳିବ ଅନଲାଇନରେ ପାଠ ପଢ଼ା ଧର୍ମକୁ ଆଖି ଠାର ସଦୃଶ; ପିଲାକୁ ଆଖିରେ ନ ଦେଖିଲେ ଶିକ୍ଷକ ତାର ଦୁର୍ବଳତା ବା ଧୀଶକ୍ତି ଠଉରେଇ ପାରନ୍ତି ନାହିଁ; ପିଲାମାନେ ଏକତ୍ର ହୋଇ ପାଠ ନ ପଢ଼ିଲେ ପ୍ରତିଯୋଗିତାମୂଳକ ମାନସିକତା ହ୍ରାସ ପାଏ; ଅନଲାଇନ ବ୍ୟବସ୍ଥା କେବଳ ସହରୀ ଓ ଥିଲାବାଲା ଘର ପିଲାଙ୍କୁ ସୁହାଏ, ଗରିବ ପିଲାଙ୍କୁ ନୁହେଁ; ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ମିଳେ ନାହିଁ, ତେଣୁ ପିଲାମାନେ ଗଛ ଉପରେ କିମ୍ବା ପାଣି ଟାଙ୍କିରେ ବସି ପଢ଼ନ୍ତି ଓ ହଟହଟା ହୁଅନ୍ତି ଇତ୍ୟାଦି ଇତ୍ୟାଦି। ଏହି ସବୁ ଯୁକ୍ତିରେ ଅବଶ୍ୟ ସତ୍ୟତା ରହିଛି। କିନ୍ତୁ ଏଥିରେ ସବୁଠୁ ବଡ଼ ସତ୍ୟତା ହେଲା ପିଲାଙ୍କୁ ସ୍କୁଲ ପଠାଇବା ବ୍ୟତୀତ କୌଣସି ବ୍ୟବସ୍ଥାକୁ ଆମେ ଗ୍ରହଣ କରିପାରୁନାହିଁ।
ମଣିଷର ଏକ ସାଧାରଣ ପ୍ରକୃତି ହେଲା ନୂତନତାକୁ ପ୍ରତିରୋଧ କରିବା। ତାର ପରିଚିତ ପରିବେଶରେ ମିଳୁଥିବା ସ୍ବାଚ୍ଛନ୍ଦ୍ୟ ଓ ଆତ୍ମବିଶ୍ୱାସ ତାକୁ ଅଜ୍ଞାତ ପରିବେଶକୁ ଯିବାକୁ ରୋକେ ଓ ଯାହା ଫଳରେ ସେ ନୂତନ ଅଥଚ ଅପରିଚିତ ବିକଳ୍ପର ଉନ୍ନତ ଦିଗଗୁଡ଼ିକୁ ପରଖିବା ପୂର୍ବରୁ ପ୍ରତ୍ୟାଖ୍ୟାନ କରିଦିଏ। ଯେମିତି କି ପାଠ ପଢ଼େଇବା ପାଇଁ ପିଲାଙ୍କୁ ସ୍କୁଲକୁ ନ ପଠେଇବା। ଅନ୍ୟ ଉପାୟ ନ ଥିବାରୁ ଆମେ ଏବେ ଏ ନିୟମକୁ ମାନୁଛୁ ସିନା, ହେଲେ ମନରେ ଆମେ ଧରି ନେଇଛୁ ଯେ ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ମାତ୍ର। ମନ ଭିତରେ ଆମେ ଏଇ ଆଶା ପୋଷଣ କରି ରହିଛୁ ଯେ ମହାମାରୀ ଛାଡ଼ିଗଲେ ଆମେ ପୁଣି ଆମର ଚିରାଚରିତ ଜୀବନଶୈଳୀକୁ ଫେରିଯିବା ଓ ଶାନ୍ତିରେ ଦିନ କାଟିବା।
ଏହି ଚିନ୍ତାଧାରା ଆପଣେଇବା ଦ୍ୱାରା ଆମେ ହୁଏତ କୋଭିଡ ବିପର୍ଯ୍ୟୟ ଆମ ଆଗରେ ରଖିଥିବା ବିକଳ୍ପର ଅବସରକୁ ଅଣଦେଖା କରି ଦେଉଛୁ। ମହା ମନୀଷୀ ଆଇନଷ୍ଟାଇନ କହିଥିଲେ ଯେ ପ୍ରତ୍ୟେକ ସଙ୍କଟ ଭିତରେ ଛପି ରହିଥାଏ ଏକ ବିଶାଳ ସୁଯୋଗ। ସୁତରାଂ, ସ୍କୁଲକୁ ଶିକ୍ଷାଦାନର ଏକମାତ୍ର ମାଧ୍ୟମ ବୋଲି ନ ଭାବିବାକୁ ଆଜି ଆମକୁ ଏ ମହାମାରୀ ଇଙ୍ଗିତ ଦେଉଛି। ପରମ୍ପରାର ଶଗଡ଼ ଗୁଳା ଛାଡ଼ି ଏକ ନୂତନ ରାଜରାସ୍ତାକୁ ଉଠିବା ପାଇଁ ଏକ ସୁଯୋଗ ଦେଉଛି। ଆଜି ଆମେ ସ୍କୁଲ କହିଲେ ଯାହା ବୁଝୁ ତାହା ସବୁବେଳେ ନ ଥିଲା। ଏମିତିକି ଗୁରୁକୁଳରେ ପିଲାଙ୍କୁ ଅଧ୍ୟୟନ କରାଇବା ବି ଦିନେ ନୂଆ କରି ଆରମ୍ଭ ହୋଇଥିବ ଓ ଯୁଗାନ୍ତକାରୀ ଲାଗିଥିବ। ତା’ ପରେ ଆଧୁନିକ ସ୍କୁଲ ବ୍ୟବସ୍ଥା ବି ଦିନେ ସବୁ ପୁରୁଣା ବ୍ୟବସ୍ଥାକୁ ଭାଙ୍ଗି ଆରମ୍ଭ ହୋଇଥିବ। ଆଜି କ’ଣ ଆମେ ଏହି ଶିକ୍ଷାଦାନ ପଦ୍ଧତିକୁ ପଛରେ ଛାଡ଼ି ଅନଲାଇନ ଓ ପୁରୁଣା ପଦ୍ଧତିର ମିଶାମିଶି ଏକ ବ୍ୟବସ୍ଥା ସୃଷ୍ଟି କରିପାରିବାନି? ଏହି ନୂଆ ହାଇବ୍ରିଡ୍ ବ୍ୟବସ୍ଥାରେ ଶିକ୍ଷାଦାନ ମୁଖ୍ୟତଃ ଇଣ୍ଟରନେଟ ମାଧ୍ୟମରେ ହେବ ଓ ସ୍କୁଲର ଅଳ୍ପ କିଛି ଭାଗ ପିଲା ପୂର୍ବ ନିର୍ଘଣ୍ଟ ଅନୁସାରେ ଆସିବେ ଟିଉଟୋରିଆଲ ବା ପ୍ରାକ୍ଟିକାଲ ଶ୍ରେଣୀ ପାଇଁ।
ଯଦିଓ ସମାଜ ଏହି ସ୍କୁଲ ବ୍ୟବସ୍ଥାକୁ ଏକମାତ୍ର ବିକଳ୍ପ ବୋଲି ଭାବି ଆସିଛି, କେତେକ ସମାଜଶାସ୍ତ୍ରୀ ଯୁକ୍ତି ବାଢ଼ି ଆସିଛନ୍ତି ଯେ ଆଧୁନିକ ବିଦ୍ୟାଧ୍ୟୟନ ସବୁ ପିଲାଙ୍କ ଭିତରେ ଲୁଚି ରହିଥିବା ଅନେକ ପ୍ରତିଭାକୁ ଧ୍ୱଂସ କରିଦିଏ; ଭବିଷ୍ୟତ୍ର ଅନେକ କଳାକାର, ଚିନ୍ତାନାୟକ ଓ ଅନ୍ୟାନ୍ୟ ପ୍ରତିଭାମାନଙ୍କୁ ପରମ୍ପରାର ଲୁହାଶିକୁଳିରେ ଆଜୀବନ ବନ୍ଦୀ କରି ରଖେ।
ଆମ ସ୍କୁଲ ବ୍ୟବସ୍ଥା ପୂରା ଦମରେ ଚାଲୁଥିବା ବେଳେ ସକାଳ ହେଲେ ସାରା ଦେଶରେ କୋଟି କୋଟି ଛାତ୍ରଛାତ୍ରୀ ଅସଂଖ୍ୟ ଗାଡ଼ି ମଟରରେ ସବାର ହୋଇ ବେଳେ ବେଳେ ଜୀବନକୁ ବିପନ୍ନ କରି ସ୍କୁଲରେ ପହଞ୍ଚନ୍ତି ଓ କିଛି ଘଣ୍ଟା ପରେ ଘରକୁ ଫେରନ୍ତି। ଯଦି ପିଲା ଘରେ ରହି ପାଠ ପଢ଼ନ୍ତି ତା’ ହେଲେ ଏହି ଗାଡ଼ି ଚଳାଚଳ ବନ୍ଦ ରହି ପରିବେଶ ସୁରକ୍ଷାକୁ ସାହାଯ୍ୟ କରିପାରିବେ। ଛୋଟ ଛୋଟ ପିଲାମାନଙ୍କୁ କାନ୍ଧରେ ସ୍କୁଲ ବ୍ୟାଗ୍ର ବୋଝ ବୋହିବାରୁ ମୁକ୍ତି ମିଳିବ।
ଗବେଷକମାନେ ମତ ଦେଲେଣି ଆଜିର ମଣିଷର ଜୀବନଶୈଳୀ ଓ ଖାଦ୍ୟ ବ୍ୟବସ୍ଥା ଯୋଗୁଁ କୋଭିଡ-୧୯ ଭଳି ସଂକ୍ରାମକ ରୋଗ ଆହୁରି ଅଧିକ ମାତ୍ରାରେ ମାନବ ଜାତିକୁ ସନ୍ତାପିତ କରିପାରେ। ଏହି କ୍ରୂର ଭବିଷ୍ୟବାଣୀକୁ ମୁକାବିଲା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ହିଁ ବୁଦ୍ଧିମାନର କାମ ହେବ।
ସୌଭାଗ୍ୟ ନଗର, ଭୁବନେଶ୍ୱର