ଜଣେ ନେହରୁ ସମାଲୋଚକଙ୍କ ସ୍ବୀକାରୋକ୍ତି

ଅତୀତକୁ ଝରକା - ହିରଣ୍ୟ ମହାନ୍ତି

୧୯୬୪ ମସିହା, ମଇ ମାସ ୨୭ ତାରିଖ ଦିନ ଦେଶର ପ୍ରଧାନମନ୍ତ୍ରୀ, ‘ପଣ୍ତିତ ଜଵାହରଲାଲ ନେହରୁ ଇହଳୀଳା ସମ୍ବରଣ କରିଥିଲେ। ସେ ଦିନ ଖବର ପାଇ ଯେଉଁ ଅଳ୍ପ କେତେ ଜଣ ତାଙ୍କ ମର ଶରୀର- ଶେଷ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବାସରେ ତତ୍କାଳ ପହଞ୍ଚିଥିଲେ ସେମାନଙ୍କ ମଧୢରେ ଜଣେ ଥିଲେ ପ୍ରଫେସର ବଲରାଜ ମାଧୋକ; ଯାହା ସେ ଦିନ ସମସ୍ତଙ୍କୁ ଚକିତ କରି ଦେଇଥିଲା। ପ୍ରଫେସର ମାଧୋକ ଥିଲେ ଜନସ˚ଘ ଦଳର ସଭାପତି। ଉପସ୍ଥିତ ସଭିଁଙ୍କୁ ଅଧିକ ଚକିତ କରି ଚିରନିଦ୍ରାରେ ଶୋଇଥିବା ଏହି ମହାନାୟକଙ୍କ ଶଯ୍ୟା ଧାରରେ ଠିଆ ହୋଇ ପ୍ରଫେସର ମାଧୋକ ଅଶ୍ରୁମୁଞ୍ଚନ କରିଥିଲେ। ସେଠାରେ ସେ ବେଶ୍‌ କିଛି ସମୟ ଅଶ୍ରୁ ଛଳଛଳ ଆଖିରେ ନିର୍ବାକ ମୁଦ୍ରାରେ ଠିଆ ହୋଇ ରହି ଫେରିଥିଲେ। ସାମ୍ବାଦିକମାନଙ୍କ ପ୍ରଶ୍ନ ସବୁକୁ ଏଡ଼ାଇ ଯାଇଥିଲେ। ସେଠାରେ ତାଙ୍କର ସେଦିନ ଯାହା ବକ୍ତବ୍ୟ ରଖିବାର ଥିଲା ତାହା ପ୍ରଫେସର ମାଧୋକ ବୋଧହୁଏ ତାଙ୍କ ଦ୍ବାରା ଲିଖିତ ‘ମର୍ଡର ଅଫ୍‌ ଡେମୋକ୍ରାସି’ ବହିର ଦୁଇଟି ଅନୁଚ୍ଛେଦରେ (ପୃଷ୍ଠା ୬୦-୬୧) ଲେଖିଥିଲେ। ସେ ବିଷୟରେ ଏଠାରେ ଉଦ୍ଧାର କରାଯାଉଛି।

ରାଜନୀତିକ ଦିଗରୁ ଚାଇନାର ଭାରତ-ଆକ୍ରମଣ, ନେହରୁଙ୍କ ପାଇଁ ଗୋଟିଏ ଘାତକ ଧକ୍‌କା ସଦୃଶ ଥିଲା। ବିଶ୍ବାସଘାତର ସେ ଆଘାତ ନେହରୁଙ୍କ ପାଇଁ ଆଣିଥିଲା ଏପରି ପ୍ରଚଣ୍ତ ମର୍ମବେଦନା ଯେ ତାକୁ ସଜାଡ଼ିବା ପାଇଁ ତାଙ୍କର ବୟସ ଓ ଶାରୀରିକ ଶକ୍ତି ଆଉ ସହଯୋଗ କରି ପାରିନଥିଲା। ଘଟନାଟିକୁ ସେ ନିଜ ପାଇଁ ଏକ ଦାରୁଣ ପ୍ରତାରଣା ଭାବରେ ବିଚାର କରିଥିଲେ ଏବ˚ ସେଥି ଲାଗି ନିଜକୁ ଦାୟୀ କରି ପଶ୍ଚାତ୍ତାପ କରି ଚାଲିଥିଲେ। ଏହାର ଆଉ ମାତ୍ର ବର୍ଷେ ଓ ଛଅ ମାସ ପରେ ସେ ଶରୀର ତ୍ୟାଗ କରିଥିଲେ। ୧୯୬୩ ମସିହାର ଆଦ୍ୟ ପାଦରେ ଭୁବନେଶ୍ବର ଠାରେ ‘କ˚ଗ୍ରେସ ଦଳର ଜାତୀୟ ସମ୍ମିଳନୀ’ ଚାଲିଥିବା ଭିତରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାହା ହିଁ ସୂଚନା ଦେଇଥିଲା ଯେ ନେହରୁଙ୍କ ଆୟୁଷ ଅବଧି ନିଃଶେଷ ହୋଇଆସିଥିଲା। ତାଙ୍କର ଚିକିତ୍ସକମାନେ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ପ୍ରଧାନମନ୍ତ୍ରୀ ଦପ୍ତରର କଠିନ ଚାପ ଓ ରାଜନୀତିର ଜଞ୍ଜାଳରୁ ମୁକ୍ତ ରହି କୌଣସି ନିରୋଳା ପରିବେଶରେ ଜୀବନ କଟାନ୍ତୁ। ମାତ୍ର, ତାହା ସେ କରିପାରିଲେ ନାହିଁ। ରାଜନୀତି, ନେତୃତ୍ବ, ରାଷ୍ଟ୍ର ପାଇଁ ଚିନ୍ତନ ଓ ତାଙ୍କ ଜୀବନ; ଏପରି ଅଭିନ୍ନ ଓ ଏକାକାର ହୋଇ ଯାଇଥିଲା ଯେ ସେଥିରୁ ସେ ମୁକଳନ୍ତୁ ବୋଲି ବାଧୢ କରିବାର ସାହସ କାହା ପାଖରେ ନ ଥିଲା। ଏହା ମଧୢ ସତ ଯେ ଦଳରେ ତାଙ୍କ ପରି ଉତ୍ତୁଙ୍ଗ ବିକଳ୍ପ ବ୍ୟକ୍ତିଙ୍କର ଉଦୟ ହୋଇନଥିଲା।

ପ୍ରଫେସର ମାଧୋକ ସେହି ଅନୁଚ୍ଛେଦରେ ଲେଖିଛନ୍ତି ‘‘ଯେଉଁ ଅଳ୍ପ କେତେଜଣ ପ୍ରଥମେ ତାଙ୍କ ନିବାସରେ ଖବର ପାଇ ତତ୍କାଳ ପହଞ୍ଚିଥିଲେ, ମୁଁ ଥିଲି ସେମାନଙ୍କ ମଧୢରେ ଜଣେ। କେବଳ ଭାରତରେ ନୁହେଁ, ଅନ୍ତର୍ଜାତୀୟ ମଞ୍ଚରେ ଦୀର୍ଘ ୧୭ ବର୍ଷ ଧରି ମୁଣ୍ତ ଟେକି ଚାଲି ଆସିଥିବା ସେହି ତୁଙ୍ଗ ପୁରୁଷଙ୍କୁ ଚିରନିଦ୍ରାରେ ଶୋଇଥିବା ଦେଖି ମୁଁ ବି କାନ୍ଦିଥିଲି। ମୋ ଭିତରୁ ଉଦ୍‌ଗତ ହେଉଥିବା କୋହ ଓ ଅଶ୍ରୁକୁ ମୁଁ ସମ୍ଭାଳି ପାରିନଥିଲି।’’

ତାଙ୍କ ତିରୋଧାନରେ ଗୋଟିଏ ଯୁଗର ଅବସାନ ଘଟିଥିଲା। ତାଙ୍କୁ ମୂଲ୍ୟାୟନ କରିବାର ଦିନ, ସେଦିନ ନ ଥିଲା। ଗୋଟିଏ ପୁରୁଷ ଅତିକ୍ରାନ୍ତ ହେବା ପରେ ଇତିହାସ ତାଙ୍କୁ ଠିକ୍‌ ମୂଲ୍ୟାୟନ କରିବ। ପଛରେ ଛାଡ଼ି ଯାଉଥିବା ତାଙ୍କର କୀର୍ତ୍ତି ଓ କୃତିମାନଙ୍କର ନିରପେକ୍ଷ ମୂଲ୍ୟାୟନ ହେବ ବହୁ ବର୍ଷ ପରେ, ଯେଉଁଦିନ ନ ଥିବ ଆଜି ଦିନ ପରି ତାଙ୍କ ପ୍ରତି ଜନତାଙ୍କର ଉଛୁଳା ଭାବପ୍ରବଣତା ଓ ବିହ୍ବଳ-ବ୍ୟକ୍ତିଗତ ଶ୍ରଦ୍ଧା। ସେଦିନ ନ ଥିବ ତାଙ୍କ ରାଜନୈତିକ ସଫଳତାରୁ ଫାଇଦା ଉଠାଇ ଥିବା ଅନୁଗୃହୀତ ଓ ଅନୁଗତମାନଙ୍କର ଅପୋଖତ ପ୍ରଶ˚ସା। ଆହୁରି ମଧୢ ନ ଥିବ ସେଦିନ, ଖାସ୍‌ ସବୁ କଥାରେ ତାଙ୍କୁ ବିରୋଧ କରି ନିଜ ପାଇଁ ପରିଚୟ ସୃଷ୍ଟି କରିବା ଭଳି କିଛି ବିରୋଧୀଙ୍କର ରୁଗ୍‌ଣ ମାନସିକତା। ତାଙ୍କୁ ସମାଲୋଚନା କରି ରାଜନୀତିରେ ଆଗକୁ ବଢ଼ିବାର ଦୁର୍ବାସନା ନ ଥିବ ସେଦିନ। ସେ ସମୟ ଅବଶ୍ୟ ଦୂରେ ଅଛି। ତେବେ ଆଜି ଗୋଟିଏ କଥା ସ୍ପଷ୍ଟ। ଆମକୁ ଖୋଜିବାକୁ ପଡ଼ିବ ପୃଥିବୀ-ଇତିହାସରୁ ଏହିପରି ଜଣେ ଉଚ୍ଚା ମଣିଷଙ୍କୁ ଯିଏ ତାଙ୍କ ଜୀବନରେ ପାଇଥିବେ ତାଙ୍କ ନିଜ ଦେଶର ଜନତାଙ୍କ ଠାରୁ ଏତେ ବିପୁଳ ଭଲ ପାଇବା। ଅଧିକନ୍ତୁ, ଆମକୁ ଖୋଜିବାକୁ ପଡ଼ିବ ପୃଥିବୀ ଇତିହାସ ପୃଷ୍ଠାରୁ ତାଙ୍କ ସମଯୋଗ୍ୟ ଆଉ ଜଣେ ରାଜନେତାଙ୍କୁ, ଯାହାଙ୍କୁ ତାଙ୍କ ରାଷ୍ଟ୍ରର ଜନସାଧାରଣ ଅର୍ପଣ କରିଥିଲେ ଏତେ ପ୍ରଚୁର ବିଶ୍ବାସ, ଏପରି ଅକୁଣ୍ଠ ସହଯୋଗ ଓ ପୃଷ୍ଠପୋଷକତା। ଗୋଟିଏ ବିରାଟ ପ୍ରାଚୀନ ସଭ୍ୟତାର ଜାତିକୁ ଆଧୁନିକ ଭାବରେ ନିର୍ମାଣ କରିବା ପାଇଁ ଜଵାହରଲାଲ ଯେଉଁ ସୁଯୋଗ ପାଇଥିଲେ, ତାହା ହୁଏତ ପୃଥିବୀ ଇତିହାସରେ କାହା କପାଳରେ ଜୁଟିନଥିବ। କେହି ପାଇନଥିବେ ତାଙ୍କ ପରି ସୁଯୋଗ, ଯେପରି କୁମ୍ଭାରଟିଏ କଞ୍ଚା କାଦୁଅକୁ ରୂପ ଦେବା ଲାଗି ପାଇଥାଏ।

‘ଏଠାରେ ସ୍ମରଣ କରାଇ ଦିଆଯାଇପାରିବ ଯେ ଭାରତକୁ ଏକ ସ˚ସଦୀୟ ‘ଗଣତାନ୍ତ୍ରିକ ଶାସନ ସ˚ହିତା’ ଅର୍ପଣ କରିବାର ନିର୍ଣ୍ଣୟ ଥିଲା ଜଵାହରଲାଲ ନେହରୁଙ୍କର। ନେହରୁଙ୍କର ଏହି ଅବଦାନକୁ ଆଧୁନିକ ଭାରତର ଇତିହାସରେ ଗୋଟିଏ ଅବିସ୍ମରଣୀୟ, ଐତିହାସିକ ଓ ଅତୁଳନୀୟ ନିଷ୍ପତ୍ତି ଭାବରେ ଏ ଜାତି ଚିର କାଳ ପ୍ରଣାମ ଜଣାଇ ଚାଲିବ।’

ଆଉ କିଛି ଅଧିକ କହିବାକୁ ଯାଇ ପ୍ରଫେସର ମାଧୋକ ଲେଖିଛନ୍ତି- ‘ନେହରୁ ଆସିଥିଲେ ଗୋଟିଏ ସାମନ୍ତବାଦୀ ପରିବାରରୁ। ତାଙ୍କ ଭିତରେ କିଛି ମାତ୍ରାରେ ଥିଲା ଏକ ରାଜପୁତ୍ରର କ୍ଷଣକୋପ ଓ ବଡ଼ାଇ। ହେଲେ, ଜଣେ ସଫଳ ମାଳୀ ପରି ଆଧୁନିକ ଭାରତ ପାଇଁ ଗଣତାନ୍ତ୍ରିକ ଅନୁଷ୍ଠାନ, ବିଧାନ ବ୍ୟବସ୍ଥା, ବିଚାର-ବ୍ୟବସ୍ଥା ଗଳି ଅନୁଷ୍ଠାନମାନଙ୍କୁ ସେ ଚାରା ଅବସ୍ଥାରୁ ଉଚିତ ଯତ୍ନ ଓ ପରିଚର୍ଯ୍ୟା ଦେଇ ବଢ଼ାଇଥିଲେ।

ପୃଥିବୀ ଇତିହାସରେ ତାହା ଥିଲା ଏପରି ଏକ ସମୟ ଯେ ନେହରୁ ଚାହିଁଥିଲେ ଭାରତ ପରି ଏକ ସଦ୍ୟ ଜାତ ସ୍ବାଧୀନ ରାଷ୍ଟ୍ରରେ ଏକଛତ୍ରବାଦୀ (ଡିକ୍ଟେଟର) ହୋଇ ପାରିଥାଆନ୍ତେ। ମାତ୍ର ସମ୍ବିଧାନରେ ତାଙ୍କ ଛାମୁଆ ନେତୃତ୍ବରେ ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ ଅଧୢାୟରେ ସ୍ବାଧୀନ ଭାବରେ ଚିନ୍ତା କରିବା ଓ ମତାମତ ପ୍ରଦାନ କରିବା ପରି ଅଧିକାର ଖଞ୍ଜିବା ନିର୍ଣ୍ଣୟରେ ସେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଥିଲେ। ନିର୍ବାଚନକୁ ସ୍ବଚ୍ଛ କରାଯିବା, ବିଚାର ବିଭାଗକୁ ଅଖଣ୍ତ ସ୍ବାଧୀନତା ପ୍ରଦାନ କରାଯିବା ପ୍ରଭୃତି ଥିଲା ନେହରୁଙ୍କ ନେତୃତ୍ବର ଐତିହାସିକ ଇସ୍ତାହାର।’

ପ୍ରଫେସର ମାଧୋକ ମନେ ପକାଇଥିଲେ- ‘ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ଜଞ୍ଜାଳ ଭିତରେ ଥିବା ସତ୍ତ୍ବେ ପଣ୍ତିତ ନେହରୁ ସ˚ସଦର ଅଧିବେଶନମାନଙ୍କରେ ସବୁଠାରୁ ଅଧିକ ସମୟ ଦେଉଥିଲେ ଏବ˚ ପ୍ରାୟ ସବୁ ସା˚ସଦମାନଙ୍କୁ ଶୁଣୁଥିଲେ। ନିଜେ ପ୍ରଧାନମନ୍ତ୍ରୀ ସ˚ସଦରେ ଅଧିକ ସମୟ ରହୁଥିବାରୁ ସା˚ସଦମାନେ ଅଧିକ ସ˚ଖ୍ୟାରେ ଉପସ୍ଥିତ ରହୁଥିଲେ ଏବ˚ ଆଲୋଚନା ସବୁବେଳେ ଅର୍ଥପୂର୍ଣ୍ଣ ଓ ପ୍ରାସଙ୍ଗିକ ହେଉଥିଲା। କମ୍ୟୁନିଷ୍ଟମାନଙ୍କ ପ୍ରତି ତାଙ୍କର ଆଦର୍ଶଗତ ଦୁର୍ବଳତା ଥିଲେ ବି ସେମାନଙ୍କ ବିରୋଧ କରିବାର ଶୈଳୀକୁ ସେ ସର୍ବଦା ନାପସନ୍ଦ କରୁଥିଲେ। ମାଧୋକ କହିଛନ୍ତି- ଲିଖିତ ସମ୍ବିଧାନ ବାହାରେ କିଛି ଭଲ କନ୍‌ଭେନ୍‌ସନ ବା ପ୍ରଥା ରଖି ପାରିବା ତାଙ୍କ ପକ୍ଷେ ସମ୍ଭବ ଥିଲା। ସେସବୁ ତାଙ୍କ ନିଜ ଦଳର ରକ୍ଷଣଶୀଳ ସା˚ସଦମାନଙ୍କ ଅସହଯୋଗ ପାଇଁ ହୋଇପାରିନଥିଲା। ସେଥିରେ ସେ ହାରିଯାଇଥିଲେ। ନ ହେଲେ ଭାରତର ଗଣତନ୍ତ୍ର ଆହୁରି ଅଧିକ ମର୍ଯ୍ୟାଦାବନ୍ତ ହୋଇପାରିଥାଆନ୍ତା। ତାଙ୍କ ସମୟରେ ଦେଶର ପ୍ରାୟ ସବୁ ସ˚ଘୀୟ ପ୍ରାଦେଶିକ ସରକାରମାନେ କ˚ଗ୍ରେସ ଦଳ ଦ୍ବାରା ଗଠିତ ହୋଇଥିଲେ। ସେମାନଙ୍କର ସକଳ ସମସ୍ୟା ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିଶାପକୁ ଆସୁଥିଲା। ତେବେ କିଛି ବ୍ୟତିକ୍ରମରେ ତାଙ୍କ ନିରବତା ତାଙ୍କ ବିରାଟ ବ୍ୟକ୍ତିତ୍ବ ଉପରେ ଦାଗ ପରି ବୋଧ ହୋଇଥିଲା।

ଶେଷରେ ସର୍ବାନ୍ତକରଣରେ ଏତିକି କୁହାଯାଇପାରିବ ଯେ ‘ପଣ୍ତିତ ନେହରୁ ତାଙ୍କ ବ୍ୟକ୍ତିଗତ ଆଚରଣରେ ସ˚ସଦ ଓ ସା˚ସଦମାନଙ୍କ ପ୍ରତି ସଦୈବ ସ˚ମ୍ଭ୍ରମ ଥିଲେ। ଭାରତର ସ˚ସଦୀୟ ଗଣତନ୍ତ୍ରକୁ ସେ ଦେଇଯାଇଛନ୍ତି ଯଥାଯୋଗ୍ୟ ଗରିମା ଓ ଧ୍ରୁପଦୀ କୌଳିନ୍ୟ।’

‘ଭାରତୀୟ ଜନସ˚ଘ’ ଦଳର ପ୍ରତିଷ୍ଠାତା ସଭାପତି ପ୍ରଫେସର ବଲରାଜ ମାଧୋକଙ୍କ ଦ୍ବାରା ବ୍ୟାପକ ଭାବରେ ପଠିତ ଓ ଲିଖିତ ପୁସ୍ତକ ‘ମର୍ଡର ଅଫ୍‌ ଡେମୋକ୍ରାସି’ରେ ଉପଯୁକ୍ତ ତଥ୍ୟ ପରିବେଷିତ। ଜଵାହରଲାଲଙ୍କ ପ୍ରତି ପ୍ରଫେସର ମାଧୋକଙ୍କର ଏହି ମରଣୋତ୍ତର ସମ୍ମାନ ଓ ସତ୍ୟ ସ୍ବୀକାରକୁ ଆମ ଭାଗବତର ସେହି ଅମୃତ ବାଣୀ ‘ପ୍ରାଣୀର ଭଲ ମନ୍ଦ ବାଣୀ- ମରଣ କାଳେ ତାହା ଜାଣି’ ଆଧାରରେ ପରିଭାଷିତ କରି ହେବ।

ଗଜପୀଠ, ପୁନ୍ଦାଳୋ, ପାଟକୁରା, କେନ୍ଦ୍ରାପଡ଼ା
ମୋ- ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର