ଭାବ ଶୈଶବ

ପ୍ରଫେସର ଗଣେଶୀ ଲାଲ

ଶିଶୁ ନିର୍ଯାତନା, ଶିଶୁ ଅଧିକାରର ହନନ, ଶିଶୁଙ୍କୁ ନେଇ ନାନାଦି ଅପକର୍ମ ଏବେ ନିତିଦିନିଆ ଖବରରେ ପରିଣତ ହେଲାଣି। ଯେତିକିି ପଦାକୁ ଆସୁଛି, ତା’ଠୁ କାହିଁ କେତେ ଗୁଣରେ ଆଢ଼ୁଆଳରେ ରହିଯାଉଛି। କେତେ କେତେ କମିସନ, ଆଇନକାନୁନ, କାର୍ଯ୍ୟକ୍ରମ ଶିଶୁର ସୁରକ୍ଷା ପାଇଁ କରାଯାଉଛି। ଏହି ସବୁକୁ ବିଶ୍ଳେଷଣ କଲେ ସଭ୍ୟତାର ଗତି ଓ ସ୍ଥିତିକୁ ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଲାଗୁଛି ଏସବୁ ଏକ ମହାମାରୀର ଉପସର୍ଗ। ମଣିଷ କାହିଁକି ନିଜ ଗୋଡ଼ରେ କୁରାଢ଼ି ମାରୁଛି, ଭବିଷ୍ୟତ୍‌କୁ ବିକୃତ କରୁଛି, କାଳିଦାସ ଭଳି ଯେଉଁ ଡାଳରେ ବସିଛି ସେଇ ଡାଳକୁ ହାଣୁଛି?

ଶିଶୁ କିଏ? ଶୈଶବ କ’ଣ? ଏ ସ˚ପର୍କରେ ଅନେକ କଥା କୁହାଯାଇଛି ଆମର ସାମୂହିକ ସ୍ମୃତି ଓ ଉପଲବ୍‌ଧିରେ। ଅତି ସରଳ ଭାବରେ କହିଲେ, ଶିଶୁ ହିଁ ସାକ୍ଷାତ ଈଶ୍ବର। ମତେ ଲାଗେ, ଶିଶୁଟିଏ ଈଶ୍ବର ଭାବରେ ପୃଥିବୀକୁ ଆସେ ଏବ˚ ଆମେ ତା’ର ଈଶ୍ବରତ୍ବକୁ ଅପହରଣ କରିନେବାକୁ ନାନାଦି ଉପାୟ ରଚନା କରୁ। ହୁଏତ, ଆମ ଗହଣରେ ଈଶ୍ବରଙ୍କୁ ପାଇ: ତା’କୁ ସ˚ଭାଳିବାକୁୁ ଆମର ଶକ୍ତି, ସାହସ ଓ ହୃଦୟବତ୍ତା ନଥାଇପାରେ!

ଯଦୁ ମହାରାଜ ଦତ୍ତାତ୍ରେୟଙ୍କୁ ନିଜର ପ୍ରଜ୍ଞା ଓ ପ୍ରଶା˚ତିର ଉତ୍ସ ସ˚ପର୍କରେ ଜିଜ୍ଞାସା କରିବାରେ ଦତ୍ତାତ୍ରେୟ ନିଜର ଚବିଶ ଗୁରୁଙ୍କ ବିଷୟରେ ପ୍ରକାଶ କରିଛନ୍ତି ଏବ˚ ତା’ ମଧ୍ୟରେ ଅଛି ଶିଶୁ। ଶିଶୁଠାରୁ କେଉଁ ଶିକ୍ଷା ସେ ହାସଲ କରି ନିଜ ଜୀବନକୁ ଗଢ଼ିଛନ୍ତି, ସେ ସ˚ପର୍କରେ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି। ଶିଶୁ ବାସ୍ତବରେ ସ୍ଥିତପ୍ରଜ୍ଞର ପ୍ରତୀକ। ସେ ସର୍ବଦା ମାନ ଅପମାନର ଊର୍ଦ୍ଧ୍ବରେ। ସ୍ଥିରତା ଓ ସମତାର ସ୍ବରୂପ। ତା’ ପାଖରେ କୌଣସି ଦ୍ବନ୍ଦ୍ବ ନାହିଁ, ସ˚ଶୟ ନାହିଁ, ପ୍ରାଚୀର ନାହିଁ, ବିଭାଜନ ନାହିଁ। ମୃତ୍ୟୁ ଯେମିତି ତା’ ସାମ୍ନାରେ ଭୀତତ୍ରସ୍ତ। ତାକୁ କୌଣସି ମହାକର୍ଷଣ କି ମାଧ୍ୟାକର୍ଷଣ ଶକ୍ତି ମଧ୍ୟ ସ୍ଥିତିଚ୍ୟୁତ କରିପାରିବ ନାହିଁ। ଭଗବାନ ଶ୍ରୀକୃଷ୍ଣ ଗୀତାରେ ଯେଉଁ ସ୍ଥିତିର ଉଲ୍ଲେଖ କରିଛନ୍ତି, ତା’ର ଅବିକଳ ରୂପ ହେଉଛି ଶିଶୁ।

‘ନିର୍ମାନମୋହା ଜିତସ˚ଗଦୋଷା ଅଧ୍ୟାତ୍ମନିତ୍ୟା ବିନିବୃତ୍ତକାମାଃ, ଦ୍ବନ୍ଦ୍ବୈର୍ବିମୁକ୍ତାଃ ସୁଖଦୁଃଖସ˚ଜ୍ଞୈ-ର୍ଗଚ୍ଛନ୍ତ୍ୟମୂଢ଼ାଃ ପଦମବ୍ୟୟ˚ ତତ୍‌। (୧୫/୫)।

ଯେଉଁମାନଙ୍କର ମାନ ଓ ମୋହ ନଷ୍ଟ ହୋଇଯାଇଛି, ଯେଉଁମାନେ ଆସକ୍ତିରୂପକ ଦୋଷକୁ ଜୟ କରିଛନ୍ତି, ଯେଉଁମାନେ ପରମାତ୍ମାଙ୍କ ସ୍ବରୂପରେ ନିତ୍ୟସ୍ଥିତ ଓ ଯେଉଁମାନଙ୍କର ସମସ୍ତ କାମନା ସ˚ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି, ସୁଖ-ଦୁଃଖ ନାମ ଦ୍ବନ୍ଦ୍ବମାନଙ୍କରୁ ବିମୁକ୍ତ ସେହି ଜ୍ଞାନୀମାନେ ସେହି ଅବିନାଶୀ ପରମପଦ ପ୍ରାପ୍ତ ହୁଅନ୍ତି।

ସୂର୍ଯ୍ୟଙ୍କର ପ୍ରଥମ କିରଣ ପରି, ପଦ୍ମପତ୍ର ଉପରେ ଶିଶିର ବିନ୍ଦୁ ପରି, ସକାଳର ମୁ˚ଦାଏ ଶୀତଳ ପବନ ପରି, ଶିଶୁ ଶାଶ୍ବତରେ ମଗ୍ନ। ଶିଶୁର ଦରୋଟି ହସ ହିଁ ଭଗବାନ। ତା’ କୁନି କୁନି ହାତ ମୁଠାରେ ଯେମିତି ସେ ରଖିଛି ସକଳ ବ୍ରହ୍ମାଣ୍ତ। କୃତ୍ରିମତାର ଲେଶ ମାତ୍ର ଚିହ୍ନ ନାହିଁ, ସୁନ୍ଦରତା, ପ୍ରେମ ଓ ଆନନ୍ଦ ତା’ର ସଖା। ସେ ପ୍ରଶ୍ବାସରେ ଆନନ୍ଦ ନିଏ ଏବ˚ ନିଃଶ୍ବାସରେ ହିଁ ଆନନ୍ଦ ଛାଡ଼େ। ସେ ପ୍ରକୃତରେ ଗୁଣାତୀତ, କାଳାତୀତ ଓ ଶଦ୍ଦାତୀତ। ଭଗବାନଙ୍କ ପାଖରେ ଯେଉଁ ୬ଟି ବିଶେଷ ଗୁଣ ପ୍ରକୀର୍ତ୍ତିତ, ସେ ସବୁ ଅଛି ଶିଶୁଠାରେ। ପ୍ରତ୍ୟେକ ମୁହୂର୍ତ୍ତ ମଧୁର, ପ୍ରତ୍ୟେକ ଲିତା କବିତା, ପ୍ରତିଟି ଧ୍ବନି ଓଁକାର। ଯେ କୌଣସି ଚାପଗ୍ରସ୍ତ ବ୍ୟକ୍ତିକୁ ଜଣେ ଶିଶୁକୁ କିଛି ସମୟ ଆତ୍ମିକ ଭାବରେ ଅନୁଭବ କରିବାକୁ ଦେଲେ ସେ ସହଜରେ ଉପଲବ୍‌ଧି କରିପାରିବ ଏବ˚ ଅନ୍ଧାରରେ ଏକ ଆଶାର ଉଜ୍ଜ୍ବଳ ରେଖା ତା’ ସାମ୍ନାରେ ପ୍ରତିଭାତ ହେବ।

ମୃତ୍ୟୁହୀନତା ହିଁ ଶୈଶବ। ପ୍ରତ୍ୟେକ ବ୍ୟକ୍ତି ଭିତରେ ଶିଶୁଟିଏ ଥାଏ। ବ୍ୟକ୍ତି ଯେତେ ବୟସ୍କ ହେଲେ ମଧ୍ୟ ଶିଶୁଟିଏ ସେମିତି ଥାଏ। ଆମେ ସେ ଶିଶୁକୁ ଅଲୋଡ଼ା ଅଖୋଜା କରି ରଖିଥାଉ। ଯେଉଁ ବ୍ୟକ୍ତି ଯେତେ ନିଜ ଭିତରର ଶିଶୁ ସହ ସ˚ପୃକ୍ତ ଓ ସ˚ଯୁକ୍ତ, ତା’ ଜୀବନ ସେତିକି ଅର୍ଥପୂର୍ଣ୍ଣ। ୱାର୍ଡସ୍‌ଓର୍ଥ କବିତାରେ ଏହି ଭାବକୁ ପ୍ରକାଶ କରିବାକୁ ଯାଇ କହିଛନ୍ତି :
My heart leaps up when I behold
A rainbow in the sky:
So was it when my life began;
So is it now I am a man;
So be it when I shall grow old,
Or let me die!
The child is the father of the Man;
And I could wish my days to be
Bound each to each my natural piety.

ସନ୍ଥର ସ˚ଜ୍ଞା ନିରୂପଣ କରିବାକୁ ଯାଇ କୁହାଯାଇଛି, ସନ୍ଥ ହେଉଛନ୍ତି ଜଣେ ଜ୍ଞାନବାନ ଶିଶୁ ଏବ˚ ଶିଶୁ ହେଉଛି ଜଣେ ଅଜ୍ଞାନ ସନ୍ଥ। ଏଭଳି ସ˚ପଦ, ଭଗବାନଙ୍କ ଅମୂଲ୍ୟ ବରଦାନକୁ ଆମେମାନେ ଯେଭଳି ଉପଯୋଗ କରିବା କଥା, ସେଭଳି କରୁଛେ କି? କାହିଁକି ଏତେ ବିଚାର ବିମର୍ଶ ଆଇନ କାନୁନ, ଯାହା ସ୍ବାଭାବିକ ଭାବରେ ହେବା କଥା, ତାହା ହେଉନାହିଁ କାହିଁକି? ଏଭଳି ପ୍ରଶ୍ନକୁ ନେଇ ଆତ୍ମସମୀକ୍ଷା, ଆତ୍ମ ଅନୁଶୀଳନ ହେବା ଦରକାର। ବସୁଦେବ-ଦେବକୀଙ୍କ ପୁତ୍ର ଶ୍ରୀକୃଷ୍ଣ ପାଇଁ ଆମ ସମାଜ ଯଶୋଦା-ନନ୍ଦ ହେଇପାରିବନି! ଆମେ କ’ଣ ଆଶା କରିବାନି ସ˚ଜୟ-ରାଧାଙ୍କୁ କର୍ଣ୍ଣ ପାଇଁ ଏଇ ସମୟରେ?

ଶିଶୁ ଅଧିକାର ପ୍ରସ˚ଗ ଆଲୋଚନା କରିବା ପୂର୍ବରୁ ଆମେ ବଡ଼ମାନଙ୍କର/ ସମାଜର କର୍ତ୍ତବ୍ୟ ବିଷୟରେ ବେଶି ଧ୍ୟାନ ଦେବା ଦରକାର।

ଶିଶୁ ହେଉଛି ଅନନ୍ତ ସ˚ଭାବନାର ଆଧାର; ଅପ୍ରମେୟ ଶକ୍ତି, ସାମର୍ଥ୍ୟ ଓ ସୃଜନର ଭଣ୍ତାର। କେତେକ ଭାବନ୍ତି ଶୈଶବ ହେଉଛି କାଦୁଅ ଭଳି। ବଡ଼ମାନେ ସେଥିରେ ଆବଶ୍ୟକ ମୂର୍ତ୍ତି ଗଢ଼ିବା ଦରକାର। ମୁଁ ବ୍ୟକ୍ତିଗତ ଭାବରେ ଏ ତତ୍ତ୍ବରେ ବିଶ୍ବାସ କରେ ନାହିଁ। ହଁ, ଲାଳନପାଳନ ଦରକାର; ଶିଶୁର ସ୍ବାଭାବିକ ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର। ଶିଶୁ ଭିତରେ ଥିବା ସାମର୍ଥ୍ୟକୁ ଚିହ୍ନଟ କରି ତା’ର ପରିପ୍ରକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବା ଦରକାର। ଆମର ସମସ୍ତ ପ୍ରୟାସ ସେହି ଦିଗକୁ ଅଭିପ୍ରେତ ହେବା ଆବଶ୍ୟକ। ଶିଶୁମାନଙ୍କୁ ପ୍ରକୃତି ଭିତରେ ଛାଡ଼ି ଦିଆଯାଉ। ପ୍ରକୃତିର ବିଭିନ୍ନ ବିଭବରୁ ସେମାନେ ଶିକ୍ଷା କରିପାରିବେ। ଝରଣା ଯେଉଁ ଶିକ୍ଷା ଦେବ, ପ୍ରଜାପତି ଯେଉଁ ଶିକ୍ଷା ଦେବ, ଆକାଶର ର˚ଗ ରୂପ ଯେଉଁ ଶିକ୍ଷା ଦେବ; ତାହା କେବେ ବି କୌଣସି ପୁସ୍ତକ କି ଶିକ୍ଷକଙ୍କଠୁ ମିଳିବ ନାହିଁ। ଏଭଳି ମାର୍ଗଦର୍ଶନ ବଡ଼ମାନଙ୍କଠୁ ଆଶା କରାଯାଇପାରେ।

ଗୋଟେ ଜାତି ବା ଦେଶର ଚେତନାର ସ୍ତର ଓ ସମୃଦ୍ଧିର ଇସ୍ତାହାର ସହଜରେ ଆକଳନ କରିହେବ; ସେ ଜାତି କିଭଳି ଶୈଶବ ପ୍ରତି ଆଚରଣ କରୁଛି। ସେହି ମାନକରେ ଆମ ସମାଜ ଓ ସମୟର ସ୍ଥିତି କ’ଣ, ତାହା ସହଜରେ ଅନୁମେୟ। ମୋଟାମୋଟି ଭାବରେ ନିରାଶାଜନକ। ପିଲାମାନଙ୍କୁ ପ୍ରକୃତିଠୁ ଦୂରେଇ ଦିଆଯାଉଛି। କୃତ୍ରିମତାକୁ କଳା ଭାବରେ ଦେଖାଇ ଦିଆଯାଉଛି। ପିଲାମାନେ ଆଉ ଅଜା ଆଈଙ୍କ ପାଖରୁ କାହାଣୀ ଶୁଣୁନାହାନ୍ତି। ନାହିଁ ଆଉ ନାନାବାୟା। ଶୈଶବରୁ ସ˚ଗୀତ ଅନ୍ତର୍ହିତ। ଯୋଗାଯୋଗର କ୍ଷିପ୍ର ଓ ବଳିଷ୍ଠ ମାଧ୍ୟମ ଭାବରେ ଆମ ହାତରେ ପଡ଼ିଥିବା ମୋବାଇଲ ନାମକ ଯନ୍ତ୍ରଟି ଆଜି ଯୋଗାଯୋଗ ବିଚ୍ଛିନ୍ନତାର ମୁଖ୍ୟ କାରଣ ପାଲଟିଛି। ପିଲାମାନେ ଅବାସ୍ତବ ଜଗତ୍‌ରେ ଘୂରି ବୁଲୁଛନ୍ତି। ମୋବାଇଲ ହେଉଛି ନୂଆ ମା’; ଯା କେବଳ ମତିବିଭ୍ରମର କାରଣ ହୋଇଛି। ବଡ଼ମାନଙ୍କ ପାଖରେ ସମୟ ନାହିଁ। ଲାଗୁଛି କେମିତି ଗୋଟେ ଫାଟ ସୃଷ୍ଟି ହେଇଛି; ଯାହା ଦିନକୁ ଦିନ ବଢ଼ି ବଢ଼ି ଯାଉଛି। ଡର ଲାଗୁଛି। କୁଆଡ଼େ ଆମର ଗତି?

ଅବସ୍ଥା ଭୟଙ୍କର ହେବା ପୂର୍ବରୁ ସଜାଡ଼ିବାକୁ ହେବ। ଏଥିରେ ବଡ଼ମାନଙ୍କର ଦାୟିତ୍ବ ବେଶି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ପରିପୂର୍ଣ୍ଣ ଶୈଶବ ଫେରାଇଦେବାକୁ ହେବ; ନ ହେଲେ ବଡ଼ମାନଙ୍କୁ ସମୟ କ୍ଷମା ଦେବ ନାହିଁ।

ଶେଷରେ ପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସି˚ହଙ୍କ ସେହି ଲୋକପ୍ରିୟ ଗଜଲରୁ ପଦେ ଉଦ୍ଧାର କରୁଛି; ହୁଏତ କିଛି ଲୋକଙ୍କ ମନରେ ଭାବ ଶୈଶବ ଜାଗ୍ରତ ହେଇପାରେ:
ୟେ ଦଉଲତ ଭି ଲେଲୋ, ୟେ ସୋହରତ ଭି ଲେଲୋ
ଭଲେ ଛିନ୍‌ଲୋ ମୁଝସେ ମେରି ଜୱାନୀ
ମଗର ମୁଝକୋ ଲୌଟା ଦୋ ବଚପନ କା ସାୱନ
ୱ କାଗଜ କି କସ୍ତି, ୱ ବାରିଶ୍‌ କା ପାନି।

ମାନ୍ୟବର ରାଜ୍ୟପାଳ, ଓଡ଼ିଶା
([email protected])

ସମ୍ବନ୍ଧିତ ଖବର