ପୃଥିବୀ ମୁଖ୍ୟତଃ କୃଷିଭିିତ୍ତିକ ସମାଜ ଥିଲା ଏବ˚ ଖାଦ୍ୟ ମଣିଷର ପ୍ରଥମ ଆବଶ୍ୟକତା ହୋଇଥିବାରୁ କୃଷିର ଗୁରୁତ୍ବ ସବୁବେଳେ ରହିବ। ପରିବର୍ତ୍ତିତ ପୃଥିବୀରେ ବୃତ୍ତି ଓ ଆୟକାରୀ ଧନ୍ଦା ହିସାବରେ କୃଷିର ଗୁରୁତ୍ବ ବଦଳୁଥିଲେ ବି ଅଧିକା˚ଶ ଦେଶରେ ଗରିବ ଲୋକଙ୍କ ସ˚ଖ୍ୟା ଅଧିକ ଥିବାରୁ ଏବ˚ ସେମାନେ ଗ୍ରାମାଞ୍ଚଳରେ ରହୁଥିବା କାରଣରୁ ପାରମ୍ପରିକ ପାରିବାରିକ କୃଷିର ପ୍ରାଧାନ୍ୟ ଆହୁରି ଅନେକ ବର୍ଷ ଯାଏଁ ରହିବା ସ୍ବାଭାବିକ। କିନ୍ତୁ ଏବେ କୃଷିର ବ୍ୟବସାୟୀକରଣ ପ୍ରକ୍ରିୟାରେ ଚାଷ ପଦ୍ଧତି ବଦଳୁଛି। ଯେ କୌଣସି କାରଣରୁ ହେଉ ପଛେ ଚାଷୀ ପରିବାର ପାଖରେ ଥିବା ବିଲ ବା ‘ଫ୍ୟାମିଲି ଫାର୍ମ’ ଧୀରେ ଧୀରେ ଲୋପ ପାଇଯାଉଛି। ଏହି ପ୍ରକ୍ରିୟାକୁ ଗ୍ରହଣ କରି ପାରୁ ନ ଥିବା ବର୍ଗ କହୁଛନ୍ତି ଯେ ପୂର୍ବର ପାରିବାରିକ ଫାର୍ମ ସବୁ ଦୃଷ୍ଟିରୁ ଉପକାରୀ ଓ ଏହାକୁ ବଞ୍ଚାଇ ରଖାଯିବା ଉଚିତ।

Advertisment

ନିକଟରେ ‘ଗ୍ରେନ୍‌’ ନାମକ ଏକ ସ˚ସ୍ଥା ତରଫରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପ୍ରକୃତରେ ‘ଫ୍ୟାମିଲି ଫାର୍ମ’ଗୁଡ଼ିକ ହିଁ ବିଶ୍ବର ଅଧିକାଂଶ ଖାଦ୍ୟ ଆବଶ୍ୟକତା ପୂରଣ କରୁଛନ୍ତି। କିନ୍ତୁ କ୍ରମେ ଚାଷ ଜମି ମାଲିକାନାରେ ସେ ସବୁର ଗୁରୁତ୍ବ କମି ଏବେ ପୃଥିବୀର ସମୁଦାୟ ଚାଷ ଜମିର ମାତ୍ର ଏକ ଚତୁର୍ଥା˚ଶରୁ କମ ପାରଂପରିକ ଚାଷୀ ପରିବାରଗୁଡ଼ିକ ହାତରେ ରହିଛି। ସେହି ହାର ମଧ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। କାରଣ ଧନୀ ଓ କ୍ଷମତାଶାଳୀ ଲୋକେ ତଥା ବଡ଼ ବଡ଼ କମ୍ପାନିଗୁଡ଼ିକ ସାରା ବିଶ୍ବରେ ଚାଷୀଙ୍କ ଠାରୁ ଚାଷ ଜମି କିଣି ଚାଲିଛନ୍ତି।

‘ଓକ୍‌ଲାଣ୍ତ ଇନ୍‌ଷ୍ଟିଚ୍ୟୁଟ’ର ଏକ ରିପୋର୍ଟରେ କୁହାଯାଇଛି ଯେ ଏକବି˚ଶ ଶତାବ୍ଦୀର ପ୍ରଥମ କେଇ ବର୍ଷ ଥିଲା ବିଶ୍ବରେ ଜମି କିଣିବା ଲାଗି ଏକ ଅଭୂତପୂର୍ବ ବ୍ୟାକୁଳତାର ସମୟ। ଏହି କାରଣରୁ ଏହି ସମୟଟି ଇତିହାସରେ ସ୍ମରଣୀୟ ହୋଇ ରହିବ। ପ୍ରକୃତରେ ଗତ କିଛି ବର୍ଷ ଧରି ଭାରତ ତଥା ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଚାଷଜମିର ମୂଲ୍ୟ ବଢ଼ିଯାଇଛି। କାରଣ, ଧନୀ ଲୋକେ ଅଧିକ ଚାଷ ଜମି କିଣୁଛନ୍ତି। ଏହାକୁ ପୁଞ୍ଜି ବିନିଯୋଗର କ୍ଷେତ୍ର ଭାବେ ବ୍ୟବହାର କରାଯାଉଛି। କେତେକ ଏଥିରେ ବୃହତ୍‌ ସ୍କେଲ୍‌ରେ ଚାଷବାସ କରୁଥିବା ବେଳେ କେହି କେହି ‘ରିଅଲ ଇଷ୍ଟେଟ’ ପରି ଅଣକୃଷି କାମରେ ତାର ବ୍ୟବହାର କରୁଛନ୍ତି। ଭାରତରେ ଭୂସ˚ସ୍କାର ଆଇନ ଆସିବା ପରେ ଜଣେ ସର୍ବୋଚ୍ଚ କେତେ ପରିମାଣର ଜମି ରଖିପାରିବ ସେହି ସିଲି˚ ବଳବତ୍ତର ହୋଇଥିଲେ ବି ତାର ବ୍ୟାପକ ଉଲ୍ଲଂଘନ ହେଉଛି। ତେଣୁ ଧନୀ ଲୋକେ ଆଇନର ଫାଙ୍କ ଦେଇ ବହୁ ପରିମାଣରେ ଚାଷ ଜମି ପାଖରେ ରଖିଛନ୍ତି। କେବଳ ଭାରତ ନୁହେଁ, ଅନ୍ୟାନ୍ୟ ଦେଶଗୁଡ଼ିକରେ ମଧ୍ୟ ଏହା ଦେଖିବାକୁ ମିଳୁଛି- ଯେମିତି କି ଆଫ୍ରିକାରେ ବ୍ୟବସାୟୀମାନେ ଏକ ସମୟରେ ଲକ୍ଷ ଲକ୍ଷ ଏକର ଜମି କିଣୁଛନ୍ତି। ‘ଓକ୍‌ଲାଣ୍ତ ଇନ୍‌ଷ୍ଟିଚ୍ୟୁଟ’ ରିପୋର୍ଟ ଅନୁସାରେ ୨୦୦୦ ମସିହାରୁ ୨୦୧୯ ମଧ୍ୟରେ ବିକାଶଶୀଳ ଦେଶଗୁଡ଼ିକରେ ୬୨୪ ନିୟୁତ ଏକର ଜମି ଏହି ପ୍ରକ୍ରିୟାରେ କିଣାଯାଇଛି; ଯାହା ଆୟତନ ଦୃଷ୍ଟିରୁ ଇ˚ଲଣ୍ତର ୧୦ ଗୁଣ ହେବ। ଏହି ଜମି ଖର୍ଦ୍ଦି ପ୍ରକ୍ରିୟା ସ୍ଥାନୀୟ ଖାଦ୍ୟ ନିରାପତ୍ତା ଓ ଜମି ଅଧିକାରକୁ ବିପନ୍ନ କରିବାରେ ଲାଗିଛି।

‘ଗ୍ରେନ୍‌’ର ରିପୋର୍ଟ ଅନୁସାରେ ‘ଫ୍ୟାମିଲି ଫାର୍ମ’ ଗୁଡ଼ିକରେ ହେଉଥିବା କୃଷି ଉତ୍ପାଦନ ସ୍ଥାନୀୟ ଖାଦ୍ୟ ଆବଶ୍ୟକତା ଓ ଜାତୀୟ ବଜାରକୁ ଗୁରୁତ୍ବ ଦେଉଥିବା ବେଳେ କର୍ପୋରେଟ୍‌ ଚାଷର ଲକ୍ଷ୍ୟ ମୁଖ୍ୟତଃ ରପ୍ତାନି ଓ ଲାଭ ପାଇଁ ଉଦ୍ଦିଷ୍ଟ। ରୁଷିଆ, ବ୍ରାଜିଲ ଓ ଅନ୍ୟାନ୍ୟ ଦେଶରେ ଦେଖାଯାଉଛି ଯେ ‘ଫ୍ୟାମିଲି ଫାର୍ମ’ ଓ ଛୋଟ ଚାଷୀଙ୍କ କୃଷି ଉତ୍ପାଦନ ଦେଶରେ ବ୍ୟବହୃତ ହେଉଥିବା ଅମଳର ଏକ ବୃହଦାଂଶ। କିନ୍ତୁ ଦେଖାଯାଉଚି ଯେ ଧୀରେ ଧୀରେ ଚାଷୀଙ୍କୁ ଲୋଭ ଦେଖାଇ ଅଥବା ନିଜ ଶକ୍ତିର ଅପପ୍ରୟୋଗ କରି ଧନୀ ଲୋକ ବା କଂପାନିଗୁଡ଼ିକ ସେ ଜମି ସବୁ କିଣିନେଉଛନ୍ତି।

ତେବେ ଏହା ମଧ୍ୟ ସତ ଯେ ପରିବର୍ତ୍ତନର ଉପରୋକ୍ତ ପ୍ରକ୍ରିୟାକୁ ରୋକି ହେବାର ଆଶା କମ୍। କାରଣ କୃଷିରୁ ଅଣକୃଷି ଉଦ୍ୟୋଗକୁ ଲୋକଙ୍କର ଯିବା ପ୍ରକ୍ରିୟା ଅବ୍ୟାହତ ରହିବ। ତା’ ସାଙ୍ଗକୁ ଚାଷକୁ ଲାଭଜନକ କରିବା ଲାଗି ତାର ଯନ୍ତ୍ରୀକରଣ କରାଯିବା ଜରୁରୀ ହୋଇପଡ଼ିଛି। ବଡ଼ ଫାର୍ମରେ ହିଁ ତାହା ଅଧିକ ସମ୍ଭବ ହେବ ବୋଲି ମତ ପ୍ରକାଶ ପାଉଥିବାରୁ ଚାଷ ଜମିର ହସ୍ତାନ୍ତରଣ ପ୍ରକ୍ରିୟା ବଢ଼ିବା ସ୍ବାଭାବିକ ହୋଇଛି। ଏହା ସତ୍ତ୍ବେ ଇସ୍ରାଏଲ ପରି ଅନେକ ଦେଶ ଆଧୁନିକ କୃଷି ପଦ୍ଧତିରେ ଛୋଟ ଫାର୍ମରେ ବି ଅଧିକ ଲାଭ ଉପାର୍ଜନ କରୁଛନ୍ତି। ସୁତରାଂ, ଯେଉଁଠାରେ ‘ଫ୍ୟାମିଲି ଫାର୍ମ’ଗୁଡ଼ିକ ସେହି ଇସ୍ରାଏଲୀ ପଦ୍ଧତିକୁ ଅନୁକରଣ କରିବେ ସେଠାରେ ଛୋଟ ଫାର୍ମକୁ ବି ସଫଳ ବ୍ୟାବସାୟିକ ୟୁନିଟ୍‌ରେ ପରିଣତ କରାଯାଇପାରିବ। ଭାରତ ପରି ବିକାଶଶୀଳ ଦେଶଗୁଡ଼ିକ ଇସ୍ରାଏଲୀ ପଦ୍ଧତିକୁ କାର୍ଯ୍ୟକାରୀ କଲେ ହିଁ ପାରଂପରିକ ଛୋଟ ବିଲଗୁଡ଼ିକ ସଫଳତାର ସହ ତିଷ୍ଠି ରହିପାରିବେ।

ମୋ : ୯୪୩୭୨୫୭୧୨୩