ଆମ ସାଧାରଣତନ୍ତ୍ରକୁ ସୁରକ୍ଷା ଦିଅନ୍ତୁ, ଧର୍ମାବତାର

ଆଡଭୋକେଟ୍ ଶ୍ରୀରାମ ପଂଚୁ

କଥା ଅଳ୍ପ। ଶାସକ ଦଳର ସମର୍ଥକ ବୋଲି କହାଯାଉଥିବା ଏକ ଗଣମାଧ୍ୟମ- ‘ରିପବ୍ଲିକ୍‌ ଟିଭି’ର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ୪ ନଭେମ୍ବର‌୍‌ ୨୦୨୦ରେ ଅନ୍ବୟ ନାଇକଙ୍କ ଆତ୍ମହତ୍ୟାର ପ୍ରରୋଚକ (Abettor) ଭାବେ ମୁମ୍ବାଇ ପୁଲିସ୍‌ ଗିରଫ କଲା। ‘ରିପବ୍ଲିକ୍‌ ଟିଭି’ଠାରୁ ଅନ୍ବୟ ପାଇବାକୁ ଥିବା ୮୩ ଲକ୍ଷ ଟଙ୍କା ତାଙ୍କୁ ଦିଆଯାଉ ନ ଥିବା ଏବ˚ ଏହା ତାଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ମୃତ୍ୟୁ ପୂର୍ବରୁ ସେ ଏକ ପତ୍ରରେ ଲେଖିଥିଲେ। ଅଭିଯୁକ୍ତ ଅର୍ଣ୍ଣବଙ୍କୁ ପୁଲିସ୍‌ ହାଜତକୁ ନୁହେଁ, ନ୍ୟାୟିକ ହେପାଜତ (custody)କୁ ପଠାଯାଇଥିଲା। ସେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟରେ ଏକ ‘ହେବିଅସ୍‌ କୋର୍ପସ୍‌’ ରିଟ୍‌ ପିଟିସନ୍‌ ଦାଏର କଲେ, ଯାହା ଥିଲା ଅସାଧାରଣ। କାରଣ, ଅବୈଧ ଓ ବେଆଇନ ଭାବେ ଅଟକ ରଖାଯାଇଥିଲେ ଏ ଭଳି ରିଟ୍‌ ପିଟିସନ୍‌ ଦାଏର କରାଯାଏ। ଅର୍ଣ୍ଣବ ପ୍ରଥମେ ଦୌରା ଜଜ୍‌ଙ୍କ ଅଦାଲତରେ ଜାମିନ ଆବେଦନ କରିବାର ଥିଲା। ସେଠାରେ ଜାମିନ ମିଳି ନ ଥିଲେ ଉଚ୍ଚ ନ୍ୟାୟାଳୟକୁ ଆସିପାରିଥାଆନ୍ତେ।

ଏକ ଛୁଟି ଦିନରେ ଉଚ୍ଚ ନ୍ୟାୟାଳୟ ତାଙ୍କ ମାମଲାକୁ ପ୍ରାୟ ପାଞ୍ଚ ଘଣ୍ଟା ଶୁଣିବା ପରେ ୯ ନଭେମ୍ବର‌୍‌ରେ ଉପରୋକ୍ତ ଟିପ୍ପଣୀ ଦେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଅର୍ଣ୍ଣବ ସୁପ୍ରିମ୍‌ କୋର୍ଟ‌୍‌କୁ ଗଲେ ଏବ˚ ୧୧ ନଭେମ୍ବର‌୍‌ରେ ତାଙ୍କ ମାମଲାର ଶୁଣାଣି ହେଲା। ଶୁଣାଣି ସାରା ଦିନ ଚାଲିଲା ଏବ˚ ସନ୍ଧ୍ୟା ବେଳକୁ ସେ ମୁକ୍ତ ହେଲେ। ଶୂନ୍ୟରେ ହାତ ହଲେଇ ସେ ବାହାରିଲେ, ସତେ ଯେପରି ଗଡ଼-ବିଜୟୀ ମହାନାୟକ। କେବଳ ଜଣେ ଅଭିଯୁକ୍ତଙ୍କୁ ଜାମିନ ଦିଆଯିବ କି ନା; ଏହି ପ୍ରସଙ୍ଗ ଦେଶର ଦୁଇଟି ଉଚ୍ଚ ସାମ୍ବିଧାନିକ ଅଦାଲତର ପୂରା ଦୁଇ ଦିନ ସମୟ ଗଲା, ଯେଉଁଠିକି ସେ ଦିନକ ପରେ ଦୌରା ଜଜ୍‌ ଅଦାଲତରୁ ଜାମିନ ପାଇପାରିଥାଆନ୍ତେ। ତାଙ୍କ ଜାମିନ ପ୍ରସଙ୍ଗରେ ଆଉ ଏକ କଥା- ଅଧିକ କାଳ ଅଟକ ରଖିବା ପାଇଁ କୌଣସି ଯୁକ୍ତିଯୁକ୍ତ ମାମଲା ନାହିଁ ବୋଲି ଯେତେବେଳେ କୌଣସି ଅଦାଲତଙ୍କର ହୃଦ୍‌ବୋଧ ହୁଏ, ସେତେବେଳେ ସାଧାରଣତଃ କାହାକୁ ନ୍ୟାୟିକ ହାଜତରେ ଅଟକ ରଖାଯାଏନାହିଁ।

ତେବେ, ଅର୍ଣ୍ଣବ ମାମଲାରେ ସୁପ୍ରିମ୍‌ କୋର୍ଟ‌୍‌ରେ ଯେଉଁ ବେଗରେ ଶୁଣାଣି ହେଲା, ମୌଳିକ ସ୍ବାଧୀନତା ସହ ସ˚ପର୍କିତ ଅନେକ ମାମଲାରେ ସେହି ଭଳି କ୍ଷିପ୍ରତା ଦେଖିବାକୁ ମିଳୁନାହିଁ। ବୈଷମ୍ୟ ସ୍ପଷ୍ଟ ଦୃଶ୍ୟମାନ। ଏହି ପ୍ରସଙ୍ଗରେ ଦୁଇଟି ଗମ୍ଭୀର ପ୍ରଶ୍ନ ଉଠେ; ଯଦିଓ ପଚାରିବାକୁ ଭୟ ଲାଗେ। ଅଦାଲତ କ’ଣ ନିରପେକ୍ଷତା ହରାଇ ଯାହା ନ କରିବା କଥା ତାହା କରୁଛନ୍ତି କି? ଅଦାଲତ କ’ଣ ସରକାରର କାର୍ଯ୍ୟ-କଳାପର ନ୍ୟାୟିକ ତର୍ଜମା କରିବା ପରିବର୍ତ୍ତେ ଘରୋଇ ମାମଲାଗୁଡ଼ିକୁ ପ୍ରାଧାନ୍ୟ ଦେଉଛନ୍ତି କି?

ଫେବ୍ରୁଆରି ୧୯୯୩ରେ ରାଷ୍ଟ୍ରପତି ଭବନରେ ସୁପ୍ରିମ୍‌ କୋର୍ଟ‌୍‌ର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏମ୍‌ଏନ୍‌ ଭେଙ୍କେଟଚେଲୈୟାଙ୍କ ଶପଥ ଗ୍ରହଣ ସମାରୋହରେ ଯାହା ଘଟିଥିଲା, ମନେ ପକାଇ ଦେବାକୁ ଚାହେଁ। ପ୍ରଧାନମନ୍ତ୍ରୀ ପିଭି ନରସି˚ହ ରାଓ ତାଙ୍କୁ କହିଥିଲେ- ସରକାର ଓ ଅଦାଲତଙ୍କ ମଧ୍ୟରେ ସେ ଏକ ସୌହାର୍ଦ୍ଦପୂର୍ଣ୍ଣ ସ˚ପର୍କର କାମନା କରନ୍ତି।

ଏହାର ପ୍ରତିକ୍ରିୟାରେ ଜଷ୍ଟିସ୍‌ ଭେଙ୍କେଟଚେଲୈୟା ଯାହା କହିଥିଲେ ତାହା ପ୍ରଣିଧାନଯୋଗ୍ୟ। ସେ କହିଥିଲେ- ‘ମାନ୍ୟବର ପ୍ରଧାନମନ୍ତ୍ରୀ ଆମ ଭିତରେ ସ˚ପର୍କ- ସୌହାର୍ଦ୍ଦପୂର୍ଣ୍ଣ ନୁହେଁ, ଯଥାର୍ଥ ହେବା ଉଚିତ। ଆମ ସମ୍ବିଧାନର ‘ଚେକ୍‌ ଏଣ୍ଡ ବାଲାନ୍‌ସ’(ନିୟନ୍ତ୍ରଣ ଓ ସମତୁଲତା ରକ୍ଷା) ବ୍ୟବସ୍ଥାରେ ଅଦାଲତ ଓ ସରକାରଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ସ˚ପର୍କର ଅବକାଶ ନାହିଁ।’

ଏ ଭଳି ଜଣେ ମୁଖ୍ୟ ବିଚାରପତି ପୁଣି କେବେ ମିଳିବେ? ଏହି ଭୀଷ୍ମ ପିତାମହଙ୍କୁ ନିକଟରେ ବୟାନବେ ବର୍ଷ ପୂରିଛି। ନିକଟ ଅତୀତରେ ବ୍ୟବସ୍ଥାପିକା ବିରୋଧରେ ଅଦାଲତର ଗୋଟିଏ ହେଲେ ରାୟ ଯାଇନାହିଁ। ଏହି ପରିପ୍ରେକ୍ଷୀରେ ଅଦାଲତର କାର୍ଯ୍ୟକଳାପର ପର୍ଯ୍ୟବେକ୍ଷଣ କଲା ବେଳେ ସେ କ’ଣ ଭାବୁଥିବେ?

ଅନେକ କ୍ଷେତ୍ରରେ ସରକାରୀ ନିଷ୍ପତ୍ତି ବିରୋଧରେ ଦାଏର କରାଯାଉଥିବା ମାମଲାଗୁଡ଼ିକରେ ଶୁଣାଣି ହେଉନାହିଁ କି କୌଣସି ରାୟ ଆସୁନାହିଁ। ଉଦାହରଣ ସ୍ବରୂପ ନାଗରିକତା ସ˚ଶୋଧନ ଆଇନ, କାଶ୍ମୀରରେ ପ୍ରତିଷେଧକମୂଳକ ଅଟକ, ୩୭୦ ଧାରାର ଉଚ୍ଛେଦନ ଆଦି ବିରୋଧରେ କରାଯାଇଥିବା ଆବେଦନ। ନିକଟରେ ଆନ୍ଧ୍ର ପ୍ରଦେଶରେ ଘଟିଥିବା ମୂଲ୍ୟବାନ ଜମି ହଡ଼ପ ମାମଲାରେ ଅନେକ ବଡ଼ବଡ଼ିଆ ସ˚ପୃକ୍ତ। ଉକ୍ତ ମାମଲା ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟ‌୍‌ରେ ଚାଲେ˚ଜ୍‌ କରା ଯିବାର ଦୁଇ ମାସ ବିତିଗଲାଣି; ତଥାପି ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇପାରିନାହିଁ।

ପୁଣି, ଏକ ମାମଲାରେ ଏ ଭଳି ଏକ ସମୟରେ ରାୟ ଆସିଛି, ଯେତେବେଳେ ମାମଲା ହିଁ ଆଉ ନାହିଁ। ଶାହୀନ ବାଗରେ ଆନ୍ଦୋଳନକାରୀମାନେ ସର୍ବସାଧାରଣଙ୍କ ରାସ୍ତା ଅବରୋଧ କରିଥିଲେ। ବେଶ୍‌ କିଛି ମାସ ତଳୁ ସେମାନଙ୍କୁ ହଟାଯାଇ ସାରିଲାଣି। ଏବେ ପ୍ରତିବାଦ ପାଇଁ ସାର୍ବଜନୀନ ରାସ୍ତା ଅବରୋଧ ବେଆଇନ ବୋଲି ଅଦାଲତ ରାୟ ଦେଇଛନ୍ତି। ରାୟର ଯୋଗ୍ୟତା କଥା ଛାଡ଼ନ୍ତୁ। ସେଥିରେ ମାମଲାର ପୃଷ୍ଠଭୂମି ପ୍ରତିଫଳିତ ହୋଇନାହିଁ। ପୃଷ୍ଠଭୂମି ସର୍ବଦା ଗୁରୁତ୍ବପୂର୍ଣ୍ଣ। ଶାସକ ଓ ଜନତା ମଧ୍ୟରେ ତାଳମେଳ ରକ୍ଷା କରିବା ଅଦାଲତଙ୍କ ଦାୟିତ୍ବ। ଅଦାଲତ ଓ ସରକାର- ଦୁହିଁଙ୍କର କାର୍ଯ୍ୟ ପରିସର ଓ କ୍ଷମତା ଭିନ୍ନ ଭିନ୍ନ। ଅଦାଲତ ଆମର ସାମ୍ବିଧାନିକ ରକ୍ଷାକର୍ତ୍ତା। ଜନତାର ସାହା ଭରସା ହେଉଛି ଅଦାଲତ। ତେଣୁ, ଜନତାର ଦୃଷ୍ଟି ସର୍ବଦା ଅଦାଲତ ଉପରେ।

ଅଦାଲତ ଅର୍ଣ୍ଣବଙ୍କୁ ମୁକ୍ତ କରୁକରୁ ଭାରତର ଆଟର୍ନି ଜେନେରାଲ୍‌ ଆଗକୁ ଆସିଲେ ଏବ˚ ସୁପ୍ରିମ୍‌ କୋର୍ଟ‌୍‌ଙ୍କୁ ଏକ ଟ୍ବିଟ୍‌ ମାଧ୍ୟମରେ ପରିହାସ କରିଥିବା ଷ୍ଟାଣ୍ତ୍‌-ଅପ୍‌ କମେଡିଆନ୍‌ କୁନାଳ କାମରାଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣିଲେ। ଏ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଏକଦା ଏକ ବିମାନ ଭିତରେ ଅର୍ଣ୍ଣବଙ୍କୁ ଟାହିଟାପରା କରିଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କିଛି କାଳ ପାଇଁ ତାଙ୍କ ବିମାନ ଯାତ୍ରାକୁ ନି‌େ‌ଷଧ କରିଥିଲା। ଏଥିରୁ କେଉଁ ବାର୍ତ୍ତା ଯାଉଛି! କୌଣସି ପ୍ରସଙ୍ଗକୁ ନେଇ ପରିହାସ କରିବା ବିଦୂଷକଙ୍କ କାମ। ସୁପ୍ରିମ୍‌ କୋର୍ଟ‌୍‌ କେଉଁ ସ୍ତରକୁ ଖସିଲେଣି ଯେ ତାଙ୍କର କାର୍ଯ୍ୟକଳାପକୁ ଜଣେ ବିଦୂଷକ ପରିହାସ କରୁଛନ୍ତି! ପୁଣି, ଏହା ମଧ୍ୟ ଭୁଲିବା ନାହିଁ, ଏକଦା ଦରବାରୀ ବିଦୂଷକମାନେ ଥିଲେ। ଦରବାରରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଥିଲା। ହସ୍ୟୋଦ୍ଦୀପକ ଅଥଚ କଟୁ ମନ୍ତବ୍ୟ ଦେବାର ଅଧିକାର ସେମାନଙ୍କୁ ମିଳୁଥିଲା। ଏହା ଦ୍ବାରା ଏକ ଲକ୍ଷ୍ୟ ସାଧିତ ହେଉଥିଲା। ରାଜା ଯାହା ଶୁଣିବାକୁ ଚାହାଁନ୍ତି, ତାହା ନୁହେଁ; ସେ ଯାହା ଜାଣିବା ଦରକାର, ତାହା ବିଦୂଷକଙ୍କ ମାଧ୍ୟମରେ ଶୁଣୁଥିଲେ। ଏହା ଥିଲା ସତ୍ୟକୁ କ୍ଷମତା ଦେବା। ଆକବର ଓ କୃଷ୍ଣଦେବରାୟାଙ୍କ ଭଳି ଶକ୍ତିଶାଳୀ ନରପତି ନିଜ ନିଜର ଦରବାରୀ ବିଦୂଷକ ବୀରବଲ ଏବ˚ ତେନାଲୀ ରମଣଙ୍କ କଥାକୁ ଗୁରୁତ୍ବ ଦେଉଥିଲେ। ସୁଶାସକମାନେ ସର୍ବଦା ବିଦୂଷକମାନଙ୍କୁ ସହ୍ୟ କରନ୍ତି ଏବ˚ କୁଶାସକମାନେ ବହିଷ୍କାର କରନ୍ତି ବା ଦଣ୍ତ ଦିଅନ୍ତି। ଜଣେ ଚତୁର ବିଦୂଷକଙ୍କ ପ୍ରତି ଅଦାଲତ ଅବମାନନା ଭଳି ଆଇନ ପ୍ରୟୋଗ କରିବା ବେଶ୍‌ କଷ୍ଟକର। ଆଉ ସ˚ପ୍ରତି ଚର୍ଚ୍ଚାରେ ଥିବା ବିଦୂଷକ ଜଣକ ଭାରତ ପ୍ରସିଦ୍ଧ। ତେଣୁ, ଆଶା କରିବା ଆଟର୍ନି ଜେନେରାଲ୍‌ ମହାଶୟ ଅନାବଶ୍ୟକ ମାମଲାରେ ନ ମାତି ସାମ୍ବିଧାନିକ ଗୁରୁତ୍ବ ବହନ କରୁଥିବା ମାମଲାଗୁଡ଼ିକୁ ପ୍ରାଧାନ୍ୟ ଦେବେ। ସେ ସାମ୍ବିଧାନିକ ମାମଲାରେ ଅଭିଜ୍ଞ ଜଣେ ବରିଷ୍ଠ ଆଇନଜୀବୀ ସଙ୍ଗକୁ ଆମ ସ˚ଘୀୟ ବ୍ୟବସ୍ଥାର ମୁଖ୍ୟ ଆଇନ ଅଧିକାରୀ। ସେ କ୍ଷମତାସୀନ ଦଳ ବା ସରକାରର ଆଇନ ଅଧିକାରୀ ନୁହନ୍ତି। ଏହା ସେ ଓ ତାଙ୍କ ଅଧସ୍ତନ ସଲିସିଟର‌୍‌ ଜେନେରାଲ୍‌ଙ୍କ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ।

ହେ ଧର୍ମାବତାର, ମୁଁ ଏକ ପ୍ରସ୍ତାବ ଦେଇପାରେ କି? ଦୟା ପରବଶ ହୋଇ ସ୍ନାୟବିକ ଓ ମୂତ୍ରରୋଗ ଭୋଗୁଥିବା ଅଶୀ ବର୍ଷ ବୟସ୍କ ବୃଦ୍ଧ କବି ବରବରା ରାଓ; ହୃଦ୍‌ରୋଗ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭୋଗୁଥିବା ଅଣଷଠି ବର୍ଷ ବୟସ୍କା ନାଗରିକ ସ୍ବାଧୀନତା ସକ୍ରିୟତାବାଦୀ ସୁଧା ଭାରଦ୍ବାଜଙ୍କର ଜାମିନ ଆବେଦନର ଶୁଣାଣି ଶୀଘ୍ର କରନ୍ତୁ। ଦୁହେଁ ୨୦୧୮ରୁ ଜେଲ୍‌ରେ ଅଛନ୍ତି। ଅକ୍‌ଟୋବର‌୍‌ ମାସରେ କେରଳର ସାମ୍ବାଦିକ ସିଦ୍ଦିକି କପ୍ପନ ହାଥରସ ଯାଉଥିବା ବେଳେ ମଝି ରାସ୍ତାରେ ତାଙ୍କୁ ଗିରଫ କରାଯାଇଥିଲା। ତେୟାଅଶୀ ବର୍ଷ ବୟସ୍କ ଷ୍ଟାନ୍‌ ସ୍ବାମୀ ପାର୍କିନ୍‌ସନ୍‌ ପୀଡ଼ିତ; ସେ ନିଜ ହାତରେ ଗିଲାସଟିଏ ସୁଦ୍ଧା ଧରିବାକୁ ଅକ୍ଷମ; ତା’ ସହିତ ସେ ତୀବ୍ର ଉଦର ଯନ୍ତ୍ରଣା ଭୋଗୁଛନ୍ତି। ଜେଲ୍‌ରେ ‘ଷ୍ଟ୍ର’ଟିଏ (ପିଇବା ବେଳେ) ବ୍ୟବହାର କରିବା ପାଇଁ ଅଦାଲତରେ ଆବେଦନ କରିଥିଲେ। ଏହାର ଶୁଣାଣି ତାରିଖ ତିନି ସପ୍ତାହ ପରେ ୨୬ ନଭେମ୍ବର‌୍‌କୁ ଧାର୍ଯ୍ୟ କରାଯାଇଛି। ଏମାନଙ୍କ ମାମଲାର ମଧ୍ୟ ଶୀଘ୍ର ଶୁଣାଣି ସେହି ଖଣ୍ତପୀଠରେ ହେଉ, ଯେଉଁଠି ଅର୍ଣ୍ଣବଙ୍କୁ ସଙ୍ଗେସଙ୍ଗେ ମୁକ୍ତ କରାଗଲା। ଅର୍ଣ୍ଣବଙ୍କ ପରି ଏମାନଙ୍କର ମଧ୍ୟ ଆଇନ ଅନୁଯାୟୀ ବିଚାର ହେଉ ଏବ˚ ଆମକୁ ସାମ୍ବିଧାନିକ ଶୁଦ୍ଧତା-ପବିତ୍ରତା ପଥରେ ନିଆଯାଉ, ଯେପରିକି ଆମ ସାଧାରଣତନ୍ତ୍ର ସମୃଦ୍ଧ ହୋଇପାରିବ।

(ଲେଖକ ମାନ୍ଦ୍ରାଜ ହାଇକୋର୍ଟର ସିନିୟର ଆଡଭୋକେଟ୍)

ଭାଷାଂତର- ସିନ୍ଧୁଜ୍ୟୋତି ତ୍ରିପାଠୀ
(‘ଦ ହିନ୍ଦୁ’ ସୌଜନ୍ୟରୁ)

ସମ୍ବନ୍ଧିତ ଖବର